ଷ୍ଟେଶନ ପ୍ରାଙ୍ଗଣ ନିମନ୍ତେ ବ୍ୟାଟରିଚାଳିତ କାର ବୁକିଙ୍ଗ ଲାଗି ରେଳ ମନ୍ତ୍ରଣାଳୟ ଖୁବଶୀଘ୍ର ଏକ ମୋବାଇଲ ଆପ୍ଲିକେଶନ ପ୍ରଚଳନ କରିବ । ବୃଦ୍ଧ ତଥା ଶାରୀରିକ ଅକ୍ଷମ ଯାତ୍ରୀମାନଙ୍କ ପାଇଁ ଏହା ବିଶେଷ ଭାବେ ସହାୟକ ହେବ । ଆଇଆର୍ସିଟିସି ଇ-ଟିକେଟିଂ ୱେବ୍ସାଇଟ୍ ଏବଂ 139ରେ ବୁକିଙ୍ଗ୍ ସୁବିଧା ଉପଲବ୍ଧ ହେବ । ମନ୍ତ୍ରଣାଳୟ ପକ୍ଷରୁ ଆଞ୍ଚଳିକ ରେଳପଥଗୁଡିକୁ ଉକ୍ତ ବ୍ୟବସ୍ଥା ନିମନ୍ତେ ଟେଣ୍ଡର ଆହ୍ଵାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଷ୍ଟେସନଗୁଡ଼ିକରେ ବ୍ୟାଟେରିଚାଳିତ କର ବ୍ୟବସ୍ଥା ଏବଂ ଏହାର ପରିଚାଳନା ନେଇ ଟେଣ୍ଡର ଡାକିବା ପାଇଁ ଜୋନ୍ ଗୁଡ଼ିକୁ କୁହାଯାଇଛି ।
ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ରେଳ ଷ୍ଟେଶନକୁ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ଦିଆଯିବ, ଯାହାକି ଆଇଆର୍ସିଟିସି ଇ-ଟିକେଟିଂ ୱେବ୍ସାଇଟ୍ରେ ପ୍ରଦର୍ଶିତ ହେବ । ଯେଉଁ ଷ୍ଟେଶନ ପାଇଁ ଏହି ସୁବିଧାକୁ ବୁକ୍ କରାଯାଇଥିବ ତାହାକୁ ନେଇ ବୁକିଂ ଡିଟେଲ ଉଭୟ ଯାତ୍ରୀ ଏବଂ ସେବା ପ୍ରଦନକାରୀଙ୍କୁ ଏସ୍ଏମ୍ଏସ୍ କରାଯିବ । କେତେ ଦେୟ ଦେବାକୁ ପଡିବ ସେ ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଏହି ଏସ୍ଏମ୍ଏସ୍ ରେ ରହିବ ।
ସେବା ପ୍ରଦାନକାରୀଙ୍କୁ ନିଶ୍ଚିତ ହେବାକୁ ପଡିବ ଯେ, ବ୍ୟାଟେରିଚାଳିତ କାରକୁ ଯାତ୍ରୀ କେଉଁ ସ୍ଥାନରେ ଚାହୁଁଛନ୍ତି । ଯାତ୍ରୀ ଓହ୍ଲାଉଥିବା କୋଚ୍ ନିକଟରେ କିମ୍ବା ଷ୍ଟେଶନ ବିଲଡିଂର ପ୍ରବେଶ ଦ୍ଵାର ନିକଟରେ କାର୍ ଅପେକ୍ଷା କରିବ ସେ ନେଇ ସେବା ପ୍ରଦାନକାରୀଙ୍କୁ ଆଗୁଆ ଜାଣିବାକୁ ହେବ । ସେବା ପ୍ରଦାନକାରୀ ଯାତ୍ରୀଙ୍କଠାରୁ ସିଧାସଳଖ ଦେୟ ସଂଗ୍ରହ କରିବେ । ଆଗୁଆ ସେବାକୁ ବୁକ୍ କରିଥିବା ଯାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ । ପୂର୍ବରୁ ବୁକ୍ କରିନଥିବା ଯାତ୍ରୀଙ୍କୁ ଏହି ସେବା ‘ଫାଷ୍ଟ କମ୍ ଫାଷ୍ଟ ସର୍ଭଡ୍’ ଭିତ୍ତିରେ ଯୋଗାଇ ଦିଆଯିବ । ବରିଷ୍ଠ ନାଗରିକ, ଶାରୀରିକ ଅକ୍ଷମ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ରୋଗରେ ପୀଡିତ ଯାତ୍ରୀମାନଙ୍କୁ ଏହି ସେବା ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ।
କେତେ ସଂଖ୍ୟାରେ ଏଭଳି ଯାନ ଉପଲବ୍ଧ କରାଯିବ ତାହା ଷ୍ଟେଶନର ପ୍ଲାଟଫର୍ମ ସଂଖ୍ୟା, ଦୈନିକ ଯାତ୍ରୀ ପରିବହନ ଏବଂ ପାର୍କିଂ ନିମନ୍ତେ ସ୍ଥାନ ଉପଲବ୍ଧତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଏହି କାରଣଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଲାଗି ସେବା ପ୍ରଦାନକାରୀ ଏକାକୀ ଉତ୍ତରଦାୟୀ ରହିବେ । ରେଳପଥ ପକ୍ଷରୁ ବ୍ୟାଟେରୀ ପରିଚାଳିତ କାର ନିମନ୍ତେ ଇଲେକ୍ଟ୍ରିକାଲ ଚାର୍ଜିଂ ପଏଣ୍ଟ ଯୋଗାଇ ଦିଆଯିବ । ଏହା ସହିତ ରେଳପଥ ମାଗଣା ପାର୍କିଂ ସ୍ଥାନ ଯୋଗାଇ ଦେବ । ପ୍ରାଥମିକ ଭାବେ ଏହି ସେବା 75 ଏ-1 ରେଳ ଷ୍ଟେଶନରେ ଉପଲବ୍ଧ ହେବ । ଉକ୍ତ ସେବା ସମ୍ପ୍ରତି କୋଙ୍କଣ ରେଳପଥ ଅଧୀନରେ ଆସୁଥିବା ଷ୍ଟେଶନଗୁଡ଼ିକରେ ଉପଲବ୍ଧ ଅଛି । ନୂଆଦିଲ୍ଲୀ ରେଳପଥ ମଧ୍ୟ ମନ୍ତ୍ରଣାଳୟର ସାରଥି ସେବା ସ୍କିମ୍ ଅଧୀନରେ ଏହି ସେବା ପ୍ରଦାନ କରୁଛି ।
ଆଧାର – ଦୈନିକ ଧରିତ୍ରୀ
Last Modified : 7/6/2022