অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଦ୍ୟାନ କୃଷିରେ କ୍ୟାରିୟର

ସବୁଜିମାକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରଯୁଜ୍ୟ ବୃତ୍ତି ହେଉଛି ଉଦ୍ୟାନ କୃଷି । ଏଥିରେ ସେମାନେ ଉଦ୍ୟାନ କୃଷିବିତ୍ ଭାବେ କାର୍ଯ୍ୟ କରି ଆକର୍ଷଣୀୟ ଅର୍ଥ ଉପାର୍ଜନ କରିପାରିବେ । ଭାରତରେ କୃଷି ଉତ୍ପାଦର ବ୍ୟବସାୟ ଓ ରପ୍ତାନି ବୃଦ୍ଧି ପାଉଥିବାରୁ ଏଭଳି ବୃତ୍ତିର ଚାହିଦା କ୍ରମେ ବଢିବାରେ ଲାଗିଛି ।

କୃଷି ଓ ଉଦ୍ୟାନକୃଷି ମଧ୍ୟରେ ତଫାତ

କୃଷି ଓ ଉଦ୍ୟାନକୃଷି ମଧ୍ୟରେ ତଫାତ କେବଳ ଏତିକି ଯେ, ପ୍ରଥମଟି  ମୁଖ୍ୟତଃ ଶସ୍ୟ ଉତ୍ପାଦନକୁ ବୁଝାଉଥିବାବେଳେ ଦ୍ଵିତୀୟତି ଫଳ, ଫୁଲ, ପରିବା, ଔଷଧୀୟ ବୃକ୍ଷ ଆଦି ସହ ଜଡିତ । ଉଦ୍ୟାନ କୃଷିରେ କଳା ସହିତ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଅର୍ଥନୀତି, ଜୈବ ବିଜ୍ଞାନ ଆଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦ୍ୟାନ କୃଷିବିତ୍ ଏହି ସବୁ ବିଦ୍ୟାର ପ୍ରୟୋଗ କରି ମାନବ ସମାଜ ଓ ପରିବେଶର ହିତ ସାଧନ କରନ୍ତି ।

ଉଦ୍ୟାନ କୃଷିବିତଙ୍କ କାର୍ଯ୍ୟ କେବଳ ସୁନ୍ଦର ସବୁଜିମା ସୃଷ୍ଟିରେ ସୀମିତ ନୁହେଁ । ସେମାନେ ବିଭିନ୍ନ ପ୍ରକାର ବୃକ୍ଷ ଓ ସେସବୁର ମହତ୍ଵ ଅନୁଧ୍ୟାନ କରି ଚାରା ରୋପଣ, ମୂର୍ତ୍ତିକା ପ୍ରସ୍ତୁତି ଆଦି ଲାଗି ଉକୃଷ୍ଟ ପ୍ରଣାଳୀ ବିକଶିତ କରନ୍ତି । ଉଦ୍ୟାନ କୃଷିର ଉତ୍ପାଦ ଖାଦ୍ୟ, ବୟନ, ଔଷଧ, ଅତର ଆଦି ବିଭିନ୍ନ ଶିଳ୍ପରେ ବ୍ୟବହୃତ ହୁଏ ।  ଉଦ୍ୟାନ କୃଷିବିତ୍ ଏହିସବୁ ଉତ୍ପାଦର ଗୁଣବତ୍ତା ସୁନିଶ୍ଚିତ କରନ୍ତି । ଏଥିସହିତ ପରିବେଶକୁ ପ୍ରଭାବିତ ନକରି କିଭଳି ଫସଲ ଉତ୍ପାଦନ ବୃଦ୍ଧି ଓ ବୃକ୍ଷର ରୋଗ ପ୍ରତିରୋଧକ ଶକ୍ତି ବଢାଯାଇପାରିବ ତାହାର ପନ୍ଥା ବିକଶିତ କରନ୍ତି । ଜୀବିକାର୍ଜନ ସହିତ ଆଜିକାଲି ଅନେକ ଲୋକ ନିଜ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଉଦ୍ୟାନ କୃଷି କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ବଗିଚା କାର୍ଯ୍ୟ କରି ସେମାନେ ଆତ୍ମସନ୍ତୋଷ ଲାଭ କରନ୍ତି ।

ଯୋଗ୍ୟତା

+୨ ବିଜ୍ଞାନରେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ କିମ୍ବା ଜୈବ ବିଜ୍ଞାନ ଆଦି ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ବି.ଏସସି. କୃଷି ବିଜ୍ଞାନରେ ଉଦ୍ୟାନକୃଷିକୁ ଏକ ବିଷୟ ଭାବେ ବାଛି ପାରିବେ । ନହେଲେ ସ୍ଵତନ୍ତ୍ରଭାବେ ଉଦ୍ୟାନ କୃଷିରେ ସ୍ନାତକ ଡିଗ୍ରୀ କରିପାରିବେ। ଡିପ୍ଲୋମା ପାଇଁ ମଧ୍ୟ ଏହି ଶିକ୍ଷାଗତା ଯୋଗ୍ୟତା ଆବଶ୍ୟକ । ଉଦ୍ୟାନ କୃଷିରେ  ବି.ଏସସି.କରିଥିବା ଛାତ୍ରଛାତ୍ରୀ ଏହି ବିଷୟବସ୍ତୁରେ ଏମ.ଏସସି. କରିପାରିବେ । ଏହା ପରେ ସେମାନେ ଉଦ୍ୟାନ କୃଷିରେ  ଏମ.ଫିଲ, ପିଏଚ. ଡି. କରିପାରିବେ । ଅଧିକାଂଶ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇପିଏଆର୍) ଅଧିନସ୍ଥ ଶିକ୍ଷାନୁଷ୍ଠାନରେ ପିଏଚ୍. ଡି. କାର୍ଯ୍ୟକ୍ରମ ପାଇଁ  ପ୍ରବେଶିକା ପରୀକ୍ଷା କରିଥାଆନ୍ତି । ଯଦି ପ୍ରକୃତରେ ରୁଚି ସହିତ ଗବେଷଣା ପ୍ରତି ଆଗ୍ରହ ରହିଛି ତାହେଲେ ଉଦ୍ୟାନକୃଷି ଆପଣଙ୍କ ପାଇଁ ପ୍ରକୃଷ୍ଟ ପାଠ୍ୟକ୍ରମ ।

ନିଯୁକ୍ତି ସୁଯୋଗ

ଉଦ୍ୟାନକୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାର ନିଯୁକ୍ତି ସୁଯୋଗ ରହିଛି ।  ପିଏଚ. ଡି.  ଡିଗ୍ରୀଧାରୀଙ୍କଠାରୁ ଆରମ୍ଭ କରି ମୋଟେ  ଶିକ୍ଷା ଗ୍ରହଣ କରି ନଥିବା ବ୍ୟକ୍ତି ବି ଏହି କ୍ଷେତ୍ରରେ ନିୟୋଜିତ ହୋଇପାରିବେ । ତେବେ ଏହି କ୍ଷେତ୍ରରେ କ୍ୟାରିୟର ଅଗ୍ରଗତି ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଉପରେ ନିର୍ଭର କରିଥାଏ । ଉଦ୍ୟାନ କୃଷିରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଅର୍ଜନ କରିଥିବା ପାର୍ଥୀମାନେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ସହ ଶିକ୍ଷାନୁଷ୍ଠାନଗୁଡିକରେ, ନିଯୁକ୍ତି ପାଇପାରିବେ । ସରକାରୀ ସଂସ୍ଥାରେ କାର୍ଯ୍ୟରତ ଉଦ୍ୟାନ କୃଷିବିତମାନେ  ପାର୍କ ଓ ବିଭିନ୍ନ ବିଭାଗ ଦ୍ଵାରା ପରିଚାଳିତ ବଗିଚା ଆଦିର ଡାଇତ୍ଵ ସମ୍ଭାଳିଥାନ୍ତି । ଏଥିସହିତ ଉଦ୍ୟାନ କୃଷି ଅଧିକାରୀ, ପାରିବା ନିରିକ୍ଷକ, ଜିଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରଗୁଡିକରେ ପ୍ରଶିକ୍ଷଣ ସହାୟକ ପଦବୀରେ ନିଯୁକ୍ତି ପାଇପାରନ୍ତି ।

ଘରେଇ କ୍ଷେତ୍ରରେ  କୃଷିବିତମାନେ ଫଳ, ଫୁଲର ବ୍ୟବସାୟିକ କାରବାର କରୁଥିବା ସଂସ୍ଥାରେ ବିଭିନ୍ନ ପଦବୀରେ ନିଯୁକ୍ତି ହୁଅନ୍ତି । ଏଥିସହିତ କୃଷି ବିଶ୍ୱବିଦ୍ୟାଳୟ ଓ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନରେ କୃଷିବିତଙ୍କ ପାଇଁ ଅଧ୍ୟାପନା କରିବାର ସୁଯୋଗ ରହିଥାଏ । କୃଷି ବିକାଶ ଅଧିକାରୀ ସହ ଜଣେ ଏହି କ୍ଷେତ୍ରରେ ବୈଜ୍ଞାନିକ ମଧ୍ୟ ହୋଇପାରିବେ । ସେହିପରି ନିଜେ ଉଦ୍ୟାନକୃଷିରେ  ଉଦ୍ୟୋଗ ଆରମ୍ଭ କରିପାରିବେ । ଅନେକ ହୋଟେଲ, ହଲିଡେ ରିସର୍ଟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କୃଷି ବିଶେଷଞ ନିଯୁକ୍ତ କରିଥାନ୍ତି । ଅଙ୍ଗୁର ବଗିଚା ଓ ନର୍ସରୀ ଆଦିରେ ସେମାନଙ୍କ ପାଇଁ କାର୍ଯ୍ୟ ରହିଥାଏ । ସମୟକ୍ରମେ ଦେଶରୁ କୃଷି ଉତ୍ପାଦ ରପ୍ତାନି କରୁଥିବାରୁ ଉଦ୍ୟାନକୃଷି କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଅର୍ଥ ଉପାର୍ଜନ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି କ୍ଷେତ୍ର ଉପରେ ନିର୍ଭର କରିଥାଏ ।

ଆଧାର – ଶିକ୍ଷା ବ୍ୟୁରୋ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate