অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ହେଉଛି ପରିବେଶ ବିଜ୍ଞାନ ସଂପର୍କିତ ପାଠ୍ୟକ୍ରମ । ପୂର୍ବରୁ ଏହି ପାଠ୍ୟକ୍ରମ ସିଭିଲ୍  କିମ୍ବା କେମିକାଲ  ଇଞ୍ଜିନିୟରିଂ ସହ ପଢାଯାଉଥିଲା । ମାତ୍ର ଜଳ ଓ ପ୍ରଦୂଷଣ ସମସ୍ୟା ବୃଦ୍ଧି ପାଇବାକୁ ଏବେ ଏହାକୁ ଏକ ସ୍ଵତନ୍ତ୍ର ପାଠ୍ୟକ୍ରମ ବର୍ଗରେ ସାମିଲ କରାଯାଇଛି । ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପରିବେଶ ସୁରକ୍ଷା ପାଇଁ ବୈଜ୍ଞାନିକ ପଦ୍ଧତି  ଓ ବୈଷୟିକ ଜ୍ଞାନ କୌଶଳ ବିଦ୍ୟାର ପ୍ରୟୋଗ କରାଯାଇଥାଏ । ପରିବେଶର ଶୁଦ୍ଧିକରଣ ଓ ବିଶୁଦ୍ଧ ପରିବେଶର ବିକାଶ ଆଣିବା ଦିଗରେ ଏହି ପାଠ୍ୟକ୍ରମ ଗୁରୁତ୍ଵ ଦିଆଯାଏ । ଏଥିରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଶିଳ୍ପଭିତ୍ତିକ ସ୍ୱାସ୍ଥ୍ୟରକ୍ଷା, ବିକିରଣ ସୁରକ୍ଷା, ବିଷାକ୍ତ ପଦାର୍ଥ ନିୟନ୍ତ୍ରଣ, ପୁନଃଚକ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଜଳଯୋଗାଣ, ଅପରିଷ୍କାର ଜଳ ପରିଚାଳନା ଆଦି ଅନେକ ବିଷୟ ରହିଛି ।

ବିଶ୍ଵବ୍ୟାପୀ ପରିବେଶର ସଂରକ୍ଷଣ ଓ ବିକାଶ କରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ପ୍ରଦାନ କରିବା ହେଉଛି ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କ ମୁଖ୍ୟ କାମ ।  ଏମାନେ  ବିଭିନ୍ନ ପ୍ରଦୂଷଣ ନିୟନ୍ତ୍ରଣକାରୀ ଯନ୍ତ୍ରଗୁଡ଼ିକର ରୂପରେଖ ପ୍ରସ୍ତୁତ କରିଥାନ୍ତି । ପରିବେଶ ସଂପର୍କିତ କେତେକ ଯୋଜନାରେ ମଧ୍ୟ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ କାର୍ଯ୍ୟ କରିଥାନ୍ତି । ପ୍ରାଣୀ ସୁରକ୍ଷା, ବିଭିନ୍ନ ପରିବେଶ ପ୍ରକଳ୍ପ ଉପରେ ଗବେଷଣା, ଜଳଯୋଗାଣ ଏବଂ ଶିଳ୍ପରୁ ନିର୍ଗତ  ଅପରିଷ୍କାର ଜଳ ପରିଚାଳନା ସହ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ ସଂପୃକ୍ତ ଥାଆନ୍ତି । ସାରା ବିଶ୍ଵ ସମୁଦାୟ ଏବେ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ଵ ଦେଉଥିବାରୁ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କ ଚାହିଦା ବଢିବାରେ ଲାଗିଛି ।

ଯୋଗ୍ୟତା/ପାଠ୍ୟକ୍ରମ

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂରେ  ସ୍ନାତକ(ବି.ଇ./ବି.ଟେକ୍.)ଡିଗ୍ରୀ, ସ୍ନାତକୋତ୍ତର (ଏମ୍.ଇ./ଏମ୍.ଟେକ୍.)ଡିଗ୍ରି ଏବଂ ପିଏଚ୍ଡି ପାଠ୍ୟକ୍ରମ ଉପଲବ୍ଧ । ସ୍ନାତକ (ବି.ଇ/ବି.ଟେକ୍.)ପାଇଁ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ବିଷୟ ରହିଥିବା ଆବଶ୍ୟକ । ସର୍ବ ଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଏଆଇଇଇଇ), ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଟି) ଆଦି ପ୍ରବେଶିକା ପରୀକ୍ଷାରେ ରାଙ୍କ ଓ ଯୁକ୍ତ ଦୁଇ ଶ୍ରେଣୀର ମାର୍କ ଅନୁଯାୟୀ ଚାରି ବର୍ଷିଆ ସ୍ନାତକ ଡିଗ୍ରି ପାଠ୍ୟକ୍ରମରେ ନାମ ଲେଖା ହୋଇଥାଏ । କେତେକ କଲେଜ୍ ଓ ବିଶ୍ଵବିଦ୍ୟାଳୟ ପକ୍ଷରୁ ସିଭିଲ୍, କେମିକାଲ୍ ଓ ମେକନିକାଲ  ଇଞ୍ଜିନିୟରିଂ ପାଠ୍ୟକ୍ରମ ସହ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଏକ ସହାୟକ ପାଠ୍ୟକ୍ରମ ଭାବେ ପ୍ରଚଳନ କରାଯାଉଛି । ତେବେ ଇଞ୍ଜିନିୟରିଂ ଯେକୌଣସି ବିଭାଗରେ  ଡିଗ୍ରି କରିଥିବା ଛାତ୍ରଛାତ୍ରୀ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂରେ ସ୍ନାତକକୋତ୍ତର ଡିଗ୍ରି କରିପାରିବେ । ଗ୍ରାଜୁଏଟ୍ ଆପ୍ଟିଚ୍ୟୁଟ୍ ଟେଷ୍ଟ ଇନ୍  ଇଞ୍ଜିନିୟରିଂ (ଗେଟ୍) ବା କେତେକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ଦ୍ଵାରା ଆୟୋଜିତ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇ ପାରିବେ । ଆଟ୍ମୋସ୍ଫେରିକ୍ କେମିଷ୍ଟ୍ରି, ଏନଭର୍ନ୍ମେଣ୍ଟାଲ୍  ଅର୍ଗାନିକ୍ କେମିଷ୍ଟ୍ରି, ହାଇଡ୍ରୋଲୋଜି,ସର୍ଫେସ୍ ୱାଟର୍ କ୍ଵାଲିଟି  ଇଞ୍ଜିନିୟରିଂ, ସର୍ଫେସ୍ ୱାଟର୍ କ୍ଵାଲିଟି  ମଡେଲିଂ, କ୍ଵାଲିଟି ଅଫ୍ ଦ ଏୟାର୍ ଆଦି ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ଆଦି ଏହି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ରରେ ଥିବା ନ୍ୟାସ୍ନାଲ୍ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସମେତ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନରେ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ ।

ନିଯୁକ୍ତି

ବିଭିନ୍ନ ସରକାରୀ, ବେସରକାରୀ ତଥା ପରିବେଶ ପ୍ରଦୂଷଣ ବିରୋଧରେ କାର୍ଯ୍ୟ କରୁଥିବା ଏନ୍ଜିଓ ସଂସ୍ଥାରେ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର୍ ମାନାଙ୍କ ପାଇଁ  ନିଯୁକ୍ତି  ସୁଯୋଗ ରହିଛି । କେନ୍ଦ୍ରୀୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ  ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର୍ ମାନଙ୍କୁ ନିଯୁକ୍ତି ଦିଆଯାଏ । ସ୍ୱାସ୍ଥ୍ୟ ଓ ନିରାପତ୍ତା  ଅଧିକାରୀ ଭାବେ ଏମାନେ କାର୍ଯ୍ୟ କରିପାରିବେ । ପ୍ରଦୂଷଣ ନିୟନ୍ତ୍ରଣ ବୃଦ୍ଧି ପାଇଁ  ବିଭିନ୍ନ ଲାବୋରେଟାରିରେ ନିଯୁକ୍ତି ସୁଯୋଗ ରହିଛି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଗବେଷଣାଗାର, ଜଳଯୋଗାଣ ବ୍ୟବସ୍ଥାରେ  ରୂପରେଖ ପ୍ରସ୍ତୁତ ଓ ସୁରକ୍ଷା ଲାଗି ମ୍ୟୁନିସିପାଲ୍ ଏଜେନ୍ସି, ଶିଳ୍ପ, କମ୍ପାନୀ, ବିଶ୍ଵବିଦ୍ୟାଳୟ, ଫାର୍ମାସ୍ୟୁଟିକାଲ୍ ମାନିଫାକ୍ଚ୍ୟୁରିଂ କମ୍ପାନୀରେ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି । ଏହାବ୍ୟତୀତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଓଜନ୍ ନିର୍ଗମନ, ସବୁଜ ଗୃହ ଗ୍ୟାସ୍, ଜଳ ପରିଚାଳନା, ଜମି ସଂରକ୍ଷଣ ଆଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ  ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ କାର୍ଯ୍ୟ କରିପାରିବେ । ସେହିପରି ଜଳ ବିଶୋଧନାଗାର କାରଖାନା, ସାର କାରଖାନା, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି।

ବେତନ

ସ୍ନାତକ ଡିଗ୍ରିପ୍ରାପ୍ତ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ ପ୍ରାଥମିକ ସ୍ତରରେ ମାସକୁ ତିରିଶ ହଜାର ଟଙ୍କା ବା ତଦୁର୍ଦ୍ଧ୍ଵ ବେତନରେ ନିଯୁକ୍ତି ପାଇପାରିବେ ।  ସ୍ନାତକୋତ୍ତର ଡିଗ୍ରିପ୍ରାପ୍ତ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ ମାସକୁ ପଞ୍ଚାବନ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଇପାରିବେ । ପିଏଚ୍ଡି ଡିଗ୍ରିଧାରି ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର ମାନଙ୍କ ମାସିକ ବେତନ ପଚାଶ ହଜାର ଟଙ୍କାରୁ କମ୍ ନୁହେଁ । ଜଣେ ଲାଇସେନ୍ସପ୍ରାପ୍ତ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର ମାସକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ବେତନ ପାଇଥାନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ  ଉଚ୍ଚ ବେତନରେ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦିଅନ୍ତି ।

ଆଧାର – କ୍ୟାରିୟର କାଉସିଲିନିକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate