অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ୟାରିୟର ଆରମ୍ଭ କରୁଥିଲେ

କ୍ୟାରିୟର ଆରମ୍ଭ କରୁଥିଲେ

ଉପକ୍ରମ

ଶିକ୍ଷା ଜୀବନର ସମାପ୍ତି ପରେ ଆରମ୍ଭ ହୋଇଥାଏ  ଚାକିରି ଖୋଜା ଅଭିଯାନ । ଯେଉଁମାନେ କ୍ୟାମ୍ପସ ନିଯୁକ୍ତିରେ ସଫଳ ହୋଇଥାନ୍ତି, ସେମାନଙ୍କୁ କଷ୍ଟ କରିବାକୁ ପଡେନାହିଁ ।  କିନ୍ତୁ ଯେଉଁମାନେ ଏଥିରେ ବିଫଳ ହୁଅନ୍ତି, ସେମାନଙ୍କୁ ଭଲ  ଭାଲ ଚାକିରିଟିଏ ପାଇବା ପାଇଁ ବହୁ ପରିଶ୍ରମ କରିବାକୁ ପଡେ ।  ବିଭିନ୍ନ ଜବ୍ ପୋର୍ଟାଲକୁ ବ୍ରାଉଜ୍ କରିବାଠାରୁ ଆରମ୍ଭ କରି ଖବରକାଗଜର ନିଯୁକ୍ତି ପୃଷ୍ଠା ଖେଳାଇବା ପର୍ଯ୍ୟନ୍ତ ଏକାଧିକ ପ୍ରକ୍ରିୟା ଦେଇ ସେମାନଙ୍କୁ ଗତି କରିବାକୁ ପଡିଥାଏ । ୱାକ-ଇନ୍ ଇଣ୍ଟରଭ୍ୟୁରେ ବାରମ୍ବାର ବିଫଳ ହୋଇ ଅନେକେ ହତାଶ ହୋଇପଡନ୍ତି ଏବଂ କେଉଁଠାରେ ବ୍ରେକ୍ଟିଏ ମିଳିଯା’ନ୍ତ । କି  ସେଥିପାଇଁ ଭଗବାନଙ୍କ  ନିକଟରେ ଗୁହାରି ଜଣାନ୍ତି ଏବଂ ମାନସିକମାନ କରନ୍ତି । ଚାକିରିଟିଏ ଯେତେବେଳେ ମିଳିଯାଏ ଖୁସି କହିଲେ ନ ସରେ । ପ୍ରଥମ ଚାକିରି ପାଇବାରେ ଯେଉଁ ଖୁସି ମିଳିଥାଏ ତାହା ହୁଏତ ଦ୍ଵିତୀୟ, ତୃତୀୟରେ ମିଳି ନଥାଏ । ଖାଲି ଆମେ କାହିଁକି,  ପରିବାର ସଦସ୍ୟମାନଙ୍କ ମନରେ ମଧ୍ୟ ଏଥିଯୋଗୁ ଖୁସି ଫୁଟିଉଠେ । ଭଗବାନଙ୍କ ସହ ଆମେ ଉକ୍ତ ନିଯୁକ୍ତିଦାତାଙ୍କୁ ଧ୍ୟାନବାଦ ଜଣାଉ,ଯିଏ ଆମକୁ ପ୍ରଥମ ସୁଯୋଗ ଦେଇଥାନ୍ତି ।  ଏ ସବୁ ମଧ୍ୟରେ ମନ ଭିତରେ ଅନେକ ପ୍ରଶ୍ନ ମଧ୍ୟ ଆସିଥାଏ । ନୂଆ ଚାକିରିରେ ଯୋଗ ଦେବା ସମୟରେ  ବିଭିନ୍ନ ପ୍ରକାର ଭୟ ଆସିଥାଏ । ଉକ୍ତ କମ୍ପାନୀ କିପରି, ଏଠାକାର ମୁଖ୍ୟ ତଥା କର୍ମଚାରୀମାନଙ୍କ ବ୍ୟବହାର ଆପଣଙ୍କ ପ୍ରତି କିପରି ରହିବ  ଏଭଳି ଅନେକ ପ୍ରଶ୍ନ ମନକୁ ବିଚଳିତ କରିଥାଏ ।

ତେବେ ପ୍ରଥମ ଚାକିରିରେ ପ୍ରଥମ ଦିନ ନିଶ୍ଚିତ ଭାବେ ଆମ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିନ । ଏହି ପରିପ୍ରେକ୍ଷୀରେ କ’ଣ କରିବେ ଏବଂ କ’ଣ ନାହିଁ ସେଥିପାଇଁ ନିମ୍ନରେ ଦିଆଯାଇଥିବା ଟିପ୍ସଗୁଡ଼ିକ କାର୍ଯ୍ୟରେ ଆସିବ ।

କ’ଣ କରିବେ

  • ଫ୍ରେଶର ଭାବେ ଏକ କମ୍ପାନୀରେ ଯୋଗ ଦେବାବେଳେ ଆମେ ମନେ ରଖିବା ଉଚିତ ଯେ ପ୍ରଥମ ଧାରଣା ହିଁ ଅନ୍ତିମ ଧାରଣା । ନିଯୁକ୍ତିଦାତା ତଥା ସହକର୍ମୀମାନଙ୍କ ନିକଟରେ ଆମେ ପ୍ରଥମ ଦିନରେ ନିଜ ପାଇଁ ଏକ ଭଲ ଇମ୍ପ୍ରେଶନ ଛାଡ଼ିପାରିଲେ ଏହା ଦୀର୍ଘକାଳୀନଭିତ୍ତିରେ ଆମ କାର୍ଯ୍ୟରେ ଆସିଥାଏ । ଏଣୁ ଏ ନେଇ କିପରି ପ୍ରସ୍ତୁତ ହେବେ ସେଥିପାଇଁ ଏହି ପଏଣ୍ଟଗୁଡ଼ିକୁ ଧ୍ୟାନ ଦେବା ଉଚିତ୍ ।
  • ଚାକିରିରେ ଯୋଗଦେବାର ପ୍ରଥମ ଦିନରେ ଅଫିସ୍ ରେ  ଠିକ୍ ସମୟରେ ପହଞ୍ଚିବା ଦ୍ଵାରା ଏହା ଆପଣଙ୍କ ମଧ୍ୟରେ ଥିବା ସମୟାନୁବର୍ତ୍ତିତା ଗୁଣାବଳୀକୁ ପ୍ରତିପାଦିତ କରିଥାଏ । ଏହା ମାଧ୍ୟମରେ ନିଯୁକ୍ତିଦାତା ଆପଣଙ୍କ ପାଇଁ ଏକ ଧାରଣା ଆଣିବେ ଯେ ଆଗକୁ  ଆପଣଙ୍କୁ ଦିଆଯିବାକୁ ଥିବା କାର୍ଯ୍ୟଗୁଡ଼ିକୁ  ଆପଣ ଠିକ୍ ସମୟରେ ସମ୍ପାଦନ କରିପାରିବେ । କାରଣ ଆପଣ ସମୟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ।
  • ବର୍ତ୍ତମାନ ଆମେ କର୍ମଜୀବନରେ ପାଦ ରଖିଲୁ । ଏବେ ଆମକୁ  କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ । ଦାୟିତ୍ଵସମ୍ପନ୍ନ କର୍ମଚାରୀ ଭାବେ ନିଜକୁ ଉପସ୍ଥାପନ କରିବାକୁ ପଡିବ ।
  • କାର୍ଯ୍ୟ ନିମନ୍ତେ ଅଫିସ୍ ରେ  ରହିଥିବା  ଟୁଲଗୁଡ଼ିକ ସହ ପୂର୍ବରୁ ଅଭ୍ୟସ୍ତ  ହୁଅନ୍ତୁ । ସମ୍ପ୍ରତି କାର୍ଯ୍ୟକ୍ଷେତ୍ରରେ କମ୍ପ୍ୟୁଟର ଏକ  ଗୁରୁତ୍ଵପୂର୍ଣ୍ଣ ଟୁଲ୍ ପାଲଟିଛି । ତେଣୁ ଆପଣଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିଲେ ଭଲ । ଅଫିସ୍ ରେ ଯୋଗଦେବା ପୂର୍ବରୁ ନିଜ ବିଷୟବସ୍ତୁ ଉପରେ  ଅପ୍ଡେଟ ହୁଅନ୍ତୁ ।
  • ପ୍ରଥମ ଦିନରେ ଅଫିସ୍ ର ଅନ୍ୟ କର୍ମଚାରୀମାନଙ୍କ ସହ ପରିଚିତ ହେବା ସମୟରେ ଭଦ୍ରତାର ସହ  ନିଜକୁ ଉପସ୍ଥାପନ କରନ୍ତୁ । ସେମାନଙ୍କ ସହଯୋଗ ଲୋଡନ୍ତୁ । ସେ ବରିଷ୍ଠ ହୁଅନ୍ତୁ ଅବା ନିମ୍ନବର୍ଗ କର୍ମଚାରୀ ସବୁ ଶ୍ରେଣୀ କର୍ମଚାରୀଙ୍କ ସହ କଥା ହୁଅନ୍ତୁ ।  ସେମାନଙ୍କୁ ସମ୍ମାନ ଦିଅନ୍ତୁ ।
  • ଅଫିସ ରେ ଅନାବଶ୍ୟକ ଆଲୋଚନାରେ ସାମିଲ ହୁଅନ୍ତୁ ନାହିଁ । ଫୋନ୍ ରେ ବେଶି ସମୟ କଥା ନହୋଇ କାର୍ଯ୍ୟରେ ମନ ଦିଅନ୍ତୁ । ସହକର୍ମୀଙ୍କ ସହ ବଡ ପାଟିରେ କଥା ହୁଅନ୍ତୁ ନାହିଁ କିମ୍ବା ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ ନାହିଁ ।
  • କେତେକ କମ୍ପାନୀ ଅଛି, ଯେଉଁଠାରେ ୟୁନିଫର୍ମ ତଥା ଡ୍ରେସ୍ କୋଡମାନ ରହିଥାଏ । ଆପଣଙ୍କ କମ୍ପାନୀରେ ଯଦି ସେଭଳି କିଛି ବ୍ୟବସ୍ଥା ଥାଏ ତାହାକୁ ଅନୁସରଣ କରନ୍ତୁ । ଅଫିସ୍ କୁ ସଫା ପୋଷାକ  ଏବଂ ପଲିଶ ହୋଇଥିବା ଶୁ ପିନ୍ଧି ଯାଆନ୍ତୁ । ଆପଣଙ୍କ ଗେଟ୍ଅପ୍ ମୋଟାମୋଟି ଭାବେ ଭଲ ହୋଇଥିବା ଦରକାର । କାରଣ ପ୍ରଥମ ଦିନରେ ଆପଣଙ୍କୁ ଅନ୍ୟ କର୍ମଚାରୀମାନେ ନୋଟିସ୍ କରିଥାନ୍ତି ।
  • ଯେଉଁ କମ୍ପାନୀରେ ଯୋଗ ଦେଇଛନ୍ତି ଉକ୍ତ କମ୍ପାନୀର ଉତ୍ପାଦ, ସେବା, ପ୍ରତିଦ୍ଵନ୍ଦୀ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ସବିଶେଷ ଜ୍ଞାନ ଆପଣଙ୍କ ନିକଟରେ ରହିଥିବା ଦରକାର । ତେଣୁ ଅଫିସ୍ ରେ ଯୋଗଦେବା ପୂର୍ବରୁ ଏହାର ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ହାସଲ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିଥାଏ ।
  • ବରିଷ୍ଠ କର୍ମଚାରୀ ହୁଅନ୍ତୁ କିମ୍ବା ସହକର୍ମୀ ସେମାନଙ୍କ ସହ ତର୍କସଙ୍ଗତ ପ୍ରସଙ୍ଗ ଉପରେ ହିଁ  ଆଲୋଚନା କରନ୍ତୁ ।

କ’ଣ କରିବେ ନାହିଁ

  • ବରିଷ୍ଠ ଅଧିକାରୀଙ୍କୁ ନ ପଚାରି ନିଜ ଅନୁସାରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହିଁ କାର୍ଯ୍ୟ କରନ୍ତୁ । ଆବଶ୍ୟକଠାରୁ ଅଧିକ ଆତ୍ମବିଶ୍ଵାସ ଆଦୌ ଗ୍ରହଣୀୟ ହୋଇ ନଥାଏ । ଏହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।
  • ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ପରାମର୍ଶ ତଥା  ନିର୍ଦ୍ଦେଶର ଅବମାନନା କରନ୍ତୁ ନାହିଁ ।
  • କୌଣସି ପ୍ରକାର ଅଯଥା ଯୁକ୍ତିରେ ସାମିଲ ହୁଅନ୍ତୁ ନାହିଁ । ନିଜକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ ଅନ୍ୟମାନଙ୍କୁ ଭୁଲ ବୋଲି ଦର୍ଶାନ୍ତୁ ନାହିଁ । କ୍ୟାରିୟର ଆରମ୍ଭ କରୁଥିବାରୁ ଏ କ୍ଷେତ୍ରରେ ଟିକିଏ ନୀରବ ରହିଯିବା ଠିକ୍ । ନିଜକୁ ଠିକ୍ ବୋଲି ପ୍ରମାଣିତ କରିବା ଲାଗି ସମୟକୁ ଅପେକ୍ଷା କରନ୍ତୁ । ପ୍ରଥମରୁ ଅନ୍ୟ କର୍ମଚାରୀଙ୍କ ସହ ପଙ୍ଗା ନେବା ଠିକ୍ ହେବ ନାହିଁ ।
  • କମ୍ପାନୀରେ ଯୋଗ ଦେଉ ଦେଉ ସଙ୍ଗେସଙ୍ଗେ ଉକ୍ତ ସଂସ୍ଥା, ଏହାର ଉତ୍ପାଦ ଏବଂ ସେବାକୁ ନେଇ ତ୍ରୁଟି ବାହାର କରନ୍ତୁ ନାହିଁ । ପ୍ରତ୍ୟେକ ସଂସ୍ଥାର ନିଜସ୍ୱ କାର୍ଯ୍ୟ ପ୍ରଣାଳୀ ରହିଥାଏ  ତଥାପି ନୂଆ କର୍ମଚାରୀ ହୋଇଥିବାରୁ ଅନ୍ୟମାନଙ୍କ ନିକଟରେ ଏହା ଉପରେ ସମାଲୋଚନା ନ କରି ମ୍ୟାନେଜ୍ମେଣ୍ଟର ଦୃଷ୍ଟି ଆକର୍ଷଣ କରନ୍ତୁ ।
  • କୌଣସି କ୍ଷେତ୍ରରେ ମିଛ କହନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କର ଫେସ୍ ଭ୍ୟାଲୁ ଖସି ଯାଇଥାଏ ।
  • ଅଫିସ୍ ରେ ବିଳମ୍ବ କିମ୍ବା ଅତିଶୀଘ୍ର ପହଞ୍ଚନ୍ତୁ ନାହିଁ । ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚନ୍ତୁ । ଅଧିକ ଜରୁରୀ ହୋଇ ନଥିଲେ ବାରମ୍ବାର ଛୁଟି ମାଗନ୍ତୁ ନାହିଁ । ଅନ୍ୟ କର୍ମଚାରୀଙ୍କ ସହ ମିଳିତ ଭାବେ ବିନା କୌଣସି ସମସ୍ୟାରେ କାର୍ଯ୍ୟ କରିପାରିଲେ ଜଣାଯିବ ଯେ ଆପଣଙ୍କ ମଧ୍ୟରେ ଟିମ ସ୍ପିରିଟ୍ ରହିଛି ।
  • ପ୍ରଥମରୁ ଅର୍ଥମୁଖୀ ହୁଅନ୍ତୁ ନାହିଁ । ଆରମ୍ଭରୁ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ ପ୍ରକାଶ କରନ୍ତୁ ନାହିଁ । ସାମାନ୍ୟ ସୁବିଧା ଲାଗି ଆପଣ ନିଜ ଭାବ ମୂର୍ତ୍ତିକୁ ଖରାପ କରିପାରନ୍ତି ।
  • ଦାୟିତ୍ଵରୁ ଓହରନ୍ତୁ ନାହିଁ । ଅଧିକ କାର୍ଯ୍ୟ ଦିଆଯାଉଥିଲେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ । ଏବେ ସାମାନ୍ୟ ଅଧିକ କାର୍ଯ୍ୟ କରିଦେଲେ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ଭଲ ଫଳ ଆଣିବ

ଆଧାର – ଦୈନିକ ଧରିତ୍ରୀ

Last Modified : 1/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate