ଘର କାମ ସହ ଅଫିସରେ କାର୍ଯ୍ୟ କରିବା ଏକ କଷ୍ଟକର ବ୍ୟାପାର । ଘର ଏବଂ ଅଫିସ କାର୍ଯ୍ୟ ମଧ୍ୟରେ ସମନ୍ଵୟ ନ ରଖିଲେ ଅନେକ ଅସୁବିଧାର ସାମ୍ନା କରିବାକୁ ହୁଏ । ଯଦି ପରିବାରରେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଅଫିସରେ ଅଫିସରେ କାର୍ଯ୍ୟ କରୁଥାନ୍ତି ତେବେ ଅଫିସ ଏବଂ ଘର କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରିବା କଷ୍ଟକର ହୋଇପଡେ । ପରିବାରରେ ଶିଶୁଟିଏ ଜନ୍ମନେଲେ ତା’ର କ୍ୟାରିୟର ତଥା ଭବିଷ୍ୟତକୁ ନେଇ ଅନେକ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି । ପ୍ରାଥମିକ ଶିକ୍ଷା ଗ୍ରହଣଠାରୁ ଆରମ୍ଭ କରି ବୃତ୍ତିଗତ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ନିରାପତ୍ତା ଭଳି ବିଭିନ୍ନ ପ୍ରସଙ୍ଗରେ ଚିନ୍ତା କରିବାକୁ ହୁଏ । ସମ୍ମାନର ସହ ବଞ୍ଚିବା ଲାଗି ଅଧିକାଂଶ ସଂଘର୍ଷ କରିଥାନ୍ତି । ଏହା କେବଳ କୌଣସି ଜଣେ ପ୍ରଫେଶନାଲଙ୍କର ଅସୁବିଧା ନୁହେଁ, ଶିଳ୍ପ ତଥା ବିଭିନ୍ନ କ୍ଷେତ୍ର ଲାଗି ଏହା ଲାଗୁ ହେବ । ଅଫିସରେ ଠିକ ସମୟରେ ପହଞ୍ଚିବା, ଠିକ୍ ଭାବରେ ଘରକୁ ଫେରିବା, ଦିଆଯାଇଥିବା କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ଭଳି ଅନ୍ୟ କେତେକ ପ୍ରସଙ୍ଗ ଯୋଗୁ ଏକ୍ଜିକ୍ୟୁଟିଭଙ୍କ ଚିନ୍ତା ବଢି ଯାଇଥାଏ । ଯଦି ପରିବାର ମଧ୍ୟରେ ରହୁଥାନ୍ତି ତେବେ କିଛି ମାତ୍ରାରେ ଚିନ୍ତା ହ୍ରାସ ହେବାର ସମ୍ଭାବନା ରହିଛି ମାତ୍ର ଅଫିସର ଚିନ୍ତା ଏତେ ସହଜରେ ସମାଧାନ ହୋଇ ନ ଥାଏ । ବିଭିନ୍ନ ପ୍ରକାରର ଚାପ ଆମର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ଏପରି ସମୟ ଆସେ ଆମେ ଆମର ପଡୋଶୀଙ୍କ ସହ ଦେଖା ହେବାକୁ ମଧ୍ୟ ସମୟ ପାଇ ନଥାଉ ।
ଜୀବନରେ ବିଭିନ୍ନ ପ୍ରକାରର ଚାପ ବୃଦ୍ଧି ହେବା ଯୋଗୁ ଆମର ବ୍ୟବହାରରେ ପରିବର୍ତ୍ତନ ଆସୁଥିବା ଲାଇଫ ଷ୍ଟାଇଲ ବିଶେଷଜ୍ଞମାନେ କହିଛନ୍ତି । ଚାପ ବୃଦ୍ଧି ଯୋଗୁ ଘରୋଇ ହିଂସା ବୃଦ୍ଧି, ରାସ୍ତା ଦୁର୍ଘଟଣା ଭଳି ଘଟନା ସାମ୍ନାକୁ ଆସୁଛି । ନିକଟରେ ପ୍ରକାଶିତ ବିଶ୍ଵ ଖୁସୀ ସୂଚକାଙ୍କ ତାଲିକାରେ ଭାରତର ସ୍ଥାନ ୧୨୯ରେ ରହିଛି । ତାଲିକାରେ ପ୍ରଥମ ୩ଟି ସ୍ଥାନରେ ଫିନ୍ ଲାଣ୍ଡ, ନରୱେ ଏବଂ ଡେନମାର୍କ ଭଳି ଦେଶ ରହିଛନ୍ତି । ଭାରତ ଏହି ତାଲିକାରେ ଶ୍ରୀଲଙ୍କା, ପାକିସ୍ଥାନ ଏବଂ ବାଂଲାଦେଶ ଠାରୁ ମଧ୍ୟ ନିମ୍ନ ସ୍ଥାନରେ ରହିଛି ।
ଘରୋଇ ହିଂସା ବୃଦ୍ଧି ଯୋଗୁ ସାର୍ବଜନୀନ ସ୍ଥାନ, ଅଫିସ, ସ୍କୁଲ, କଲେଜ, ଭଳି ସ୍ଥାନଗୁଡିକରେ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଉଛି । ଏଠାରେ ଗୋଟିଏ କଥା ଜଣାଯାଉଛି ଯେ, ଆମ ଜୀବନରେ ଚାପ ତଥା ଚିନ୍ତାର ହାର ବୃଦ୍ଧି ହୋଇଛି । ଯଦି ଗୋଟିଏ ପରିବାରକୁ ବିଚାର କରିବା ତାହାଲେ ଜାଣିପାରିବା ଯେ, କୌଣସି ପରିବାରରେ ଅଫିସରେ କାର୍ଯ୍ୟ କରୁଥିବା ମହିଳା ରହୁଥିଲେ ତାଙ୍କ ଉପରେ ଚାପ ସାଧାରଣତଃ ବୃଦ୍ଧି ହୋଇଥାଏ । ଘର କାମ ସହ ପିଲାଙ୍କ ଦେଖାରକ୍ଷା କରିବାକୁ ମଧ୍ୟ ପଡିଥାଏ । ଏହି କ୍ଷେତ୍ରରେ ପୁରୁଷଙ୍କୁ କିଛି ଫାଙ୍କା ସମୟ ମିଳିଥାଏ।
ମନରେ ପ୍ରଶ୍ନ ଆସେ ଆମେ କାର୍ଯ୍ୟଚାପ ତଥା ଚିନ୍ତାରୁ ମୁକ୍ତି ପାଇ ପାରିବା କି ? ହଁ ଆମେ ନିଶ୍ଚିତ ଭାବେ ଏହି ଭଳି ଚାପରୁ ମୁକ୍ତି ପାଇ ପାରିବା । ସମାଜ ବିଜ୍ଞାନୀଙ୍କ ମତରେ ଚାପ ବୃଦ୍ଧି ଲାଗି ଆମେ ନିଜେ ହିଁ ଦାୟୀ । ଚାପ ବୃଦ୍ଧି ଲାଗି ବିଭିନ୍ନ କାରଣକୁ ଆମେ ନିଜେ ହିଁ ଆମନ୍ତ୍ରଣ କରିଥାଉ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା ବିଶେଷ ଭାବେ ଗ୍ରହଣ କରିବାକୁ ଆମେ ଆରାଜି ହେଲେ ମଧ୍ୟ ଏପରି ଅନେକ କାରଣ ରହିଛି ଯାହା କେବେ ଚାପ ବଢାଇବ ନାହିଁ । ମାତ୍ର ଏହାକୁ ଆମେ ବଡ ବୋଲି ଭାବୁ ଏବଂ ଅଯଥାରେ ଚାପକୁ ବଢାଇଥାଉ । ଅନେକ ସମୟରେ ଅଯଥାରେ ଅନେକ ବିଷୟରେ ଚିନ୍ତାକରି ଆମେ ଆମର ମାନସିକ ସ୍ତରକୁ ଭାରାକ୍ରାନ୍ତ କରୁ । ଏହାର ସରଳ ସମାଧାନ ଥିଲେ ମଧ୍ୟ ଏହା ବିଷୟରେ ଅଧିକ ଭାବି କଥାକୁ ବଡ କରିଥାଉ ଯାହା ଫଳରେ ଚିନ୍ତା ବଢି ଯାଇଥାଏ ।
କୌଣସି ମୂହୁର୍ତ୍ତରେ ଆମେ ଅନ୍ୟ ଜଣଙ୍କୁ ସବୁ ସମୟରେ ଦୋଷ ଲଦି ପାରିବା ନାହିଁ । ଉପରୋକ୍ତ କାରଣଗୁଡିକ ଅଫିସରେ ଚାପ ବୃଦ୍ଧି ଲାଗି ବିଶେଷ ଭାବେ ଦାୟୀ ହୋଇଥିଲେ ମଧ୍ୟ ଏହାର ସମାଧାନ ମଧ୍ୟ ରହିଛି । ଏହାର ସମାଧାନ ହୋଇ ପାରିଲେ ଚାପ ତଥା ଚିନ୍ତାର ସ୍ତରକୁ ଆମେ ହ୍ରାସ କରିବାକୁ ସକ୍ଷମ ହୋଇପାରିବା । ଅପରପକ୍ଷରେ ଭାବନା ତଥା କାର୍ଯ୍ୟଶୈଳୀରେ ସକରାତ୍ମକ ପ୍ରଭାବ ପକାଇବ । ମଣିଷର ମନ ଶୀଘ୍ର ଚିନ୍ତା ତଥା ଚାପଗ୍ରସ୍ତ ହେବାର ଅଧିକ ସମ୍ଭାବନା ରହିଛି । ଚିନ୍ତାମୁକ୍ତ ହେବା ଆମ ହାତରେ ରହିଛି । ଯଦି ଚିନ୍ତା ମୁକ୍ତ ହେବା ଆମ ହାତରେ ନ ଥାଏ ଚିନ୍ତା କରିବାର କୌଣସି କାରଣ ନାହିଁ । ଚିନ୍ତା ବୃଦ୍ଧି କରୁଥିବା ଉପରୋକ୍ତ କାରଣଗୁଡିକୁ ଆମେ ଯଦି ବିଚାର କରିବା ତେବେ ଆମେ ଜାଣିପାରିବା ଯେ, ଘରୁ ଅଫିସ ଲାଗି ବାହାରିବା ଏବଂ ଅଫିସକୁ ଫେରିବା ଚାପ ସୃଷ୍ଟି କରିଥାଏ ।
ଯଦି ଏଭଳି ସମସ୍ୟା ଲାଗି ରହିଥାଏ ସେଥିଲାଗି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ହୁଏ ।
ଯଦି ଅଫିସ ପଲିଟିକ୍ସ ସମସ୍ୟାର ସାମ୍ନା ନ କରି ବାରମ୍ବାର ସମସ୍ୟା ଠାରୁ ଦୂରକୁ ଭାଗନ୍ତି ତେବେ ଏପରି ସମସ୍ୟା ବାରମ୍ବାର ଆସିବ । ଆପଣଙ୍କୁ ବିଭାଗ, ୟୁନିଟ, ସ୍ଥାନ ଏବଂ ସଂସ୍ଥା ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ । ଏପରି ବାରମ୍ବାର କରିବା କେତେ ଯୁକ୍ତିଯୁକ୍ତ ହେବ । ଏପରି କରିବା ପରିବର୍ତ୍ତେ ଏକ ଉନ୍ନତ ବିକ୍ଳପ ବାଛନ୍ତୁ । ଚାପ ଅଗ୍ରସ୍ତ ହେବା ପରିବର୍ତ୍ତେ ସମସ୍ୟାର ସମାଧାନ କିଭଳି ଭାବେ କରିପାରିବେ ତାକୁ ଗୁରୁତ୍ଵ ଦିଅନ୍ତୁ ।
ଚାପ ଆମ ଜୀବନକୁ ପ୍ରଭାବିତ କରିବା ସହ ଅନେକଙ୍କ ଖୁସିକୁ ପ୍ରଭାବିତ କରିଥାଏ । ଚିଡିଚିଡା, ଯୁକ୍ତି କରିବା ଭଳି ବିଭିନ୍ନ ପ୍ରବୃତ୍ତି ମଣିଷ ମଧ୍ୟରେ ଚାପ ଯୋଗୁ ସୃଷ୍ଟି ହୋଇଥାଏ । ମଣିଷର ସକାରାତ୍ମକ ଗୁଣକୁ ଚାପ ପ୍ରଭାବିତ କରିବା ଯୋଗୁ ଅନେକ ସମୟରେ ଏହା ବିଭିନ୍ନ ପ୍ରକାରର ଅସୁବିଧା ମାନ ସୃଷ୍ଟି କରିଥାଏ । ଏପରି ଅସୁବିଧା ଲାଗି ଆମେ ଆମର ସୁନ୍ଦର ପରିବାରକୁ ଖରାପ କରି ପାରିବା ନାହିଁ । ଏପରି ସମସ୍ୟାର ସମାଧାନ ରହିଛି । ଏହାର ସମାଧାନ ସମ୍ଭବ । ଏହା କଷ୍ଟକର ହେଲେ ମଧ୍ୟ ଏହା ଉପରେ ନିରନ୍ତର କାର୍ଯ୍ୟ କରିଲେ ଯାଇ ସମସ୍ୟାର ସମାଧାନ କରିବାକୁ ଆମେ ସକ୍ଷମ ହେବା ।
ସଂଗୃହିତ – ପି.କେ ପ୍ରାମାଣିକ
Last Modified : 6/24/2020