অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନାମଲେଖା ବେଳେ

ପିଲାମାନଙ୍କ  ନାମଲେଖା

ବୋର୍ଡ ପରୀକ୍ଷା ଶେଷ ହୋଇ ଯାଉଥିବାବେଳେ ଅଧିକାଂଶ ମାତାପିତା ଏବଂ ଛାତ୍ରୀଛାତ୍ରଙ୍କ ସାମାନ୍ୟ ଚିନ୍ତା ଲାଘବ ହୋଇଛି । ଅବିରତ ପାଠପଢା  ପରେ ଛାତ୍ରୀଛାତ୍ରମାନେ ବର୍ତ୍ତମାନ  ରିଲାକ୍ସ ହେଉଥିବାବେଳେ ଅଧିକାଂଶ  ମାତାପିତା ସେମାନଙ୍କ ପିଲାମାନଙ୍କ  ନାମଲେଖାକୁ ନେଇ ବ୍ୟସ୍ତ ହୋଇ  ପଡୁଥିବେ ନିଶ୍ଚିତ । ପରୀକ୍ଷା ଫଳାଫଳ  ବାହାରିବା ପରେ କେଉଁ ବିଷୟ ତଥା କଲେଜ୍ ରେ ନାମଲେଖା ହେବ ତାହା ବ୍ୟସ୍ତ ବିବ୍ରତ କରୁଥିବ । କେତେକ ଘରୋଇ ସ୍କୁଲ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢା ବ୍ୟବସ୍ଥା ରଖିଥିବାବେଳେ ଅନେକ ସରକାରୀ ସ୍କୁଲରେ ଏହି ବ୍ୟବସ୍ଥା ନ ଥାଏ । ଫଳରେ ଛାତ୍ରୀଛାତ୍ରଙ୍କୁ ପରବର୍ତ୍ତୀ ଶିକ୍ଷା ଲାଗି ନିକଟସ୍ଥ କଲେଜରେ ନାମ  ଲେଖାଇବାକୁ ପଡ଼ିଥାଏ । ତେବେ  କିପରି ଠିକ୍ କଲେଜ୍ ରେ ନାମଲେଖା ହେବ ସେଥିପାଇଁ ମାତାପିତା ତଥା ଛାତ୍ରୀଛାତ୍ରମାନେ ଚିନ୍ତିତ ହୋଇପଡନ୍ତି ।

ପରୀକ୍ଷା ପରେ ସବୁଠାରୁ ବଡ ଚିନ୍ତା, ଯାହାକି ମାତାପିତା କରିଥାନ୍ତି ତାହା ହେଉଛି ପିଲାଟି କିପରି ଜଣାଶୁଣା କଲେଜ୍ ରେ ନାମ ଲେଖାଇପାରିବ । ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଉଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ସମସ୍ତେ ଚାହିଁଥାନ୍ତି ।

କେତେକ ଛାତ୍ରୀଛାତ୍ର ସାଧାରଣ ଏକାଡେମିକ୍ କୋର୍ସ ଯେପରି ଯୁକ୍ତ ୨ତଥା ଯୁକ୍ତ ୩ କରିବାକୁ ଚାହୁଁଥିବାବେଳେ କେତେକ ଇଞ୍ଜିନିୟରିଂ କିମ୍ବା ମେଡିକାଲ ପାଠ୍ୟକ୍ରମ ପାଇଁ ମନ ବଳାଇଥାନ୍ତି । ସାଧାରଣ ଏକାଡ଼େମିକ୍ ରେ ବିଜ୍ଞାନ ପ୍ରଥମ ପସନ୍ଦ ରହୁଥିବାବେଳେ ଏହା ପଛକୁ ବାଣିଜ୍ୟ ଏବଂ କଳା ରହିଛି ।

ସେହିଭଳି ଖରାପ ମାର୍କ କିମ୍ବା ଆର୍ଥିକ ସମସ୍ୟା ଯୋଗୁ ରେଗୁଲାର କୋର୍ସ କରିବାରେ ବିଫଳ ହେଉଥିବା ଛାତ୍ରୀଛାତ୍ରମାନେ  ଦୂରନିରନ୍ତର ଶିକ୍ଷାରେ ନାମ ଲେଖାଇପାରିବେ । ଏଥିପାଇଁ ନାମଲେଖା ପ୍ରକ୍ରିୟା ସାମାନ୍ୟ ବିଳମ୍ବରେ ହୋଇଥାଏ । ପ୍ରତିବର୍ଷ ଜୁଲାଇ କିମ୍ବା ଅଗଷ୍ଟରେ ଏହି କ୍ଷେତ୍ରରେ ନାମଲେଖା ହୋଇଥାଏ । ଏହା ଦ୍ଵାରା ଡିଷ୍ଟାନ୍ସ ମୋଡ୍ ରେ ଛାତ୍ରୀଛାତ୍ରମାନେ ସେମାନଙ୍କ ମନ ପସନ୍ଦର କୋର୍ସରେ ନାମ ଲେଖାଇପାରିବେ ।  ଟେକ୍ନିକାଲ କୋର୍ସ ଚୟନ କରୁଥିବା ଛାତ୍ରୀଛାତ୍ରମାନେ ଇଞ୍ଜିନିୟରିଂ ଏବଂ ମେଡିକାଲ କୋର୍ସରେ  ନାମ ଲେଖାଇବା ପାଇଁ ଆଡ୍ମିଶନ ଟାଇମ୍ଟେବୁଲ୍ ଠିକ୍ ଭାବେ ଜାଣିବା ଲାଗି ଏଆଇସିଟିଇ(ଆଲ୍ ଇଣ୍ଡିଆ କାଉନ୍ସିଲ୍ ଅଫ୍ ଟେକ୍ନିକାଲ ଏଜୁକେଶନ୍) ର ସରକାରୀ ୱେବ୍ସାଇଟ୍ ଦେଖିପାରିବେ ।

ଇ-ନାମଲେଖା

ନାମଲେଖା ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଇ-ନାମଲେଖା ବ୍ୟବସ୍ଥା ଆରମ୍ଭ କରିଛି । ଫଳରେ ଛାତ୍ରୀଛାତ୍ରମାନେ ବିଭିନ୍ନ କଲେଜ୍ ରେ ନାମଲେଖା ପାଇଁ ଘରେ ବସି ସିଏଏଫ୍(କମନ୍ ଆଡ୍ମିଶନ୍ ଫର୍ମ) ପୂରଣ କରିପାରିବେ । ଏହା ସହଜ ହୋଇଥିବା ସହ ସମୟ ସଞ୍ଚୟକାରୀ । ସାଧାରଣତଃ ନାମଲେଖା ପ୍ରକ୍ରିୟା ଜୁନ୍ ଦ୍ଵିତୀୟ ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ । ସିଏଏଫ୍ ଫର୍ମ ଦାଖଲ କରିବା ଲାଗି ୧୫ ଦିନ ସମୟ ଦିଆଯାଇଥାଏ । ପ୍ରଥମ କଟ୍ ଅଫ୍ ମାର୍କ ଲିଷ୍ଟ ପ୍ରକାଶ କରିବା ପାଇଁ ଆଉ ୧୦ ଦିନ ସମୟ ଲାଗିଥାଏ । ଦୁଇ ସପ୍ତାହ ପରେ ଦ୍ଵିତୀୟ କଟ୍ ଅଫ୍ ଲିଷ୍ଟ ପ୍ରକାଶ ପାଇଥାଏ । ଅବଶିଷ୍ଟ ସିଟ୍ ପାଇଁ ସ୍ପଟ୍ ଆଡ୍ମିଶନ୍ ହୋଇଥାଏ । ଅଧିକାଂଶ କୋର୍ସ ନିମନ୍ତେ ନୂଆ ଏକାଡେମିକ୍ କୋର୍ସ ଅଗଷ୍ଟର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥାଏ ।

ଟିପ୍ସ

ତେବେ ନାମ ଲେଖାଇବାବେଳେ ମାତାପିତା ଏବଂ ଅଭିଭାବକଙ୍କୁ  କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଉକ୍ତ ବିଷୟଗୁଡିକୁ ନେଇ ନିମ୍ନରେ ଏହି ଟିପ୍ସ ପ୍ରଦାନ କରାଯାଇଛି ।

  • ସାଧାରଣତଃ ଦେଖାଯାଏ ନାମଲେଖା କ୍ଷେତ୍ରରେ ଅନେକ ବ୍ରୋକର କାର୍ଯ୍ୟ କରୁଥାନ୍ତି । ସେମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ପିଲା  ତଥା ଅଭିଭାବଙ୍କୁ ପ୍ରଲୋଭନ ଦେଖାନ୍ତି, ଯାହାର ନାମ ହୁଏତ ଆପଣ କେବେ ଶୁଣି ନ ଥିବେ । ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରନ୍ତୁ ।
  • ନାମଲେଖା ପୂର୍ବରୁ ଏଆଇସିଟିଇର ସରକାରୀ ୱେବ୍ସାଇଟ୍ରୁ  ସମସ୍ତ  କଲେଜ୍ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ । ଉଚ୍ଚ ଶିକ୍ଷା ବିଭାଗର ସାହାଯ୍ୟ ମଧ୍ୟ ନେଇପାରିବେ ।
  • ପିଲାମାନେ www.aicte-india.org ତଥା www.dte.org.in କୁ  ବ୍ରାଉଜ୍ କରିପାରିବେ ।
  • ଅନ୍ୟ ମାପଦଣ୍ଡ ମଧ୍ୟ  ରହିଛି । କଲେଜ୍ ର ପୁରୁଣା ଏକାଡେମିକ୍ ଏବଂ ପ୍ଲେସ୍ମେଣ୍ଟ ରେକର୍ଡ ଦେଖନ୍ତୁ ।
  • ଶିକ୍ଷାନୁଷ୍ଠାନରେ ପଢାଉଥିବା ଫ୍ୟାକଲ୍ଟି ମାନଙ୍କ ପାଠ ପଢାଇବା ଢାଞ୍ଚା ବିଷୟରେ ଅବଗତ ହୁଅନ୍ତୁ ।
  • ଶିକ୍ଷାନୁଷ୍ଠାନରେ  କିପରି ଭିତ୍ତିଭୂମି ରହିଛି ତାହା ଜାଣନ୍ତୁ । ଲାଇବ୍ରେରି, ଲାବୋରେଟୋରୀ, କମ୍ପ୍ୟୁଟର ତଥା ୱାଇଫାଇ ବ୍ୟବସ୍ଥା ଉପଲବ୍ଧ ଅଛି କି ନାହିଁ ତାହା ମଧ୍ୟ ଜାଣିବା ଜରୁରୀ ।
  • ସେଠାକାର ଫି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବିଷୟରେ ଅବଗତ ହୁଅନ୍ତୁ ।
  • କେତେକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁମାନେ ଚେକ୍ ନିଅନ୍ତି  ନାହିଁ କିମ୍ବା କ୍ୟାଶ ତଥା ଚେକ୍ ବଦଳରେ ମନି ରିସିପ୍ଟ ଦିଅନ୍ତି ନାହିଁ । ଜାଣିରଖନ୍ତୁ ଏହା ସ୍ଵଚ୍ଛ କାର୍ଯ୍ୟକଳାପ ନୁହେଁ । ଛାତ୍ରୀଛାତ୍ରମାନେ ପରୀକ୍ଷା  ପରେ କିଛି ସମୟ ବାହାର କରି କ୍ୟାରିୟର ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା କାଉନ୍ସେଲରଙ୍କୁ ଭେଟିପାରିବେ । ଠିକ୍ ପାଠ୍ୟକ୍ରମ, ଠିକ୍ କଲେଜ୍ ଏବଂ ଷ୍ଟ୍ରିମ୍ ରେ ନାମ ଲେଖାଇ ଛାତ୍ରୀଛାତ୍ରମାନେ ନିଜ କ୍ୟାରିୟରକୁ ଉନ୍ନତ ଦିଗକୁ ଅଗ୍ରସର କରାଇପାରିବେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate