অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନ୍ୟୁଟ୍ରିଶନିଷ୍ଟ ଭାବେ କ୍ୟାରିୟର

ନ୍ୟୁଟ୍ରିଶନିଷ୍ଟ

ସମୟକ୍ରମେ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବଢୁଥିବା ଯୋଗୁ ଏକ ନୂଆ ବୃତ୍ତିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।  ତାହା ହେଉଛି ଡାଏଟିକ୍ସ ବା ଆହାର ବିଜ୍ଞାନ । ଏଥିରେ ଆହାର ବିଶେଷଜ୍ଞ (ଡାଏଟିସିଆନ୍) ଓ ପୁଷ୍ଟି ବିଜ୍ଞାନୀ (ନ୍ୟୁଟ୍ରିଶନିଷ୍ଟ)ଭାବେ କ୍ୟାରିୟର ଗଢି ଉତ୍ତମ ଅର୍ଥ ଉପାର୍ଜନ କରିବାକୁ ସୁଯୋଗ ରହିଛି ।

ଡାଏଟିସିଆନ୍ ଓ ନ୍ୟୁଟ୍ରିଶନିଷ୍ଟ ମାନେ ଲୋକମାନଙ୍କୁ ଉପଯୁକ୍ତ ଖାଦ୍ୟଅଭ୍ୟାସ ଏବଂ ଜୀବନଶୈଳୀର ମାନ ବୃଦ୍ଧି କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି । ବୟସ, ଦୁର୍ବଳତା  ଏବଂ କାର୍ଯ୍ୟ ରୁଟିନ୍ ଅନୁଯାୟୀ ସେମାନେ ଲୋକମାନଙ୍କୁ ଖାଦ୍ୟ ନେବା ପାଇଁ ପରାମର୍ଶ ଦେଇଥାନ୍ତି । ସୁସ୍ଥକର ଖାଦ୍ୟ  ଚୟନ ଏବଂ ପ୍ରସ୍ତୁତି କ୍ଷେତ୍ରରେ ଏମାନେ ଲୋକମାନଙ୍କୁ ପରାମର୍ଶ ଦେଇଥାନ୍ତି । ଶିକ୍ଷା ଏବଂ ଗବେଷଣା ମାଧ୍ୟମରେ ଡାଏଟିସିଆନ୍ ମାନେ ପୁଷ୍ଟିକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ  କରିଥାନ୍ତି । ହସ୍ପିଟାଲମାନଙ୍କରେ ଏମାନେ ରୋଗୀମାନଙ୍କ ପାଇଁ କେଉଁ ଖାଦ୍ୟ  ଠିକ୍ ହେବ ତାହା ଧାର୍ଯ୍ୟ କରିଥାନ୍ତି । ବିଭିନ୍ନ ଟ୍ରେନିଂ କ୍ୟାମ୍ପରେ କ୍ରୀଡାବିତ୍ ଏବଂ ପର୍ବତାରୋହୀମାନଙ୍କ ଲାଗି ଏମାନେ ଖାଦ୍ୟ ନିର୍ଦ୍ଧାରଣ କରିଥାନ୍ତି । ଖାଦ୍ୟର ପୋଷାକ ତତ୍ତ୍ଵ ଉପରେ ଏମାନେ ଗବେଷଣାମାନ କରିଥାନ୍ତି । ଏହାଦ୍ୱାରା ଲୋକମାନଙ୍କ ଲାଗି ଏକ ସନ୍ତୁଳିତ ଆହାର ଧାର୍ଯ୍ୟ  କରିବା ସେମାନଙ୍କ ପାଇଁ ସମ୍ଭବ ହୋଇଥାଏ । ମନୁଷ୍ୟ ଶରୀର ପାଇଁ ଆବଶ୍ୟକ ହେଉଥିବା ଭିଟାମିନ୍ ଏବଂ ଧାତବଲବଣ ଉପରେ ସେମାନଙ୍କର ସବିଶେଷ  ଜ୍ଞାନ ରହିଥାଏ ।  କେଉଁ ଖାଦ୍ୟରେ କି ପ୍ରକାର ଭିଟାମିନ୍ ଏବଂ ଧାତବଲବଣ ରହିଛି ଓ କାହାପାଇଁ କି ପ୍ରକାର ଖାଦ୍ୟ ଉପକାରୀ ତାହା ସେମାନଙ୍କୁ ଜଣାଥାଏ । ହଜମ ପ୍ରକ୍ରିୟା ଉପରେ ସେମାନେ ଜ୍ଞାନ ହାସଲ କରିଥାନ୍ତି । କେଉଁ ପ୍ରକାର ପ୍ରତିକ୍ରିୟା ପଡେ ଏବଂ ଦେହ  ପାଇଁ କେଉଁ ଖାଦ୍ୟ କ୍ଷତିକାରକ ଉକ୍ତ ବିଷୟରେ ସେମାନେ ଜ୍ଞାନ ଆହରଣ କରିଥାନ୍ତି । ଏକ ଉପଯୁକ୍ତ ଡାଏଟ୍ ପ୍ରୋଗ୍ରାମ୍  ଦ୍ଵାରା କିପରି ରୋଗମୁକ୍ତ ହୋଇପାରିବା ତାହାକୁ  ନେଇ ଡାଏଟିସିଆନ୍ ପରାମର୍ଶ ଦେଇଥାଆନ୍ତି । ମୋଟାପଣ, ଶିଶୁରୋଗ ଚିକିତ୍ସା ଏବଂ ମଧୁମେହ ରୋଗ ଆଦି  କ୍ଷେତ୍ରରେ ଡାଏଟିସିଆନ୍ ଏବଂ ନ୍ୟୁଟ୍ରିଶନିଷ୍ଟମାନଙ୍କ ସହଯୋଗ ଲୋଡାଯାଇଥାଏ ।

ନୂଆ ଉତ୍ପାଦକୁ ନେଇ ଗବେଷଣା କରିବା ପାଇଁ ଖାଦ୍ୟ ଉତ୍ପାଦ ପ୍ରସ୍ତୁତିରେ ଜଡିତ ସଂସ୍ଥାମାନେ ନ୍ୟୁଟ୍ରିଶନିଷ୍ଟ ଏବଂ ଡାଏଟିସିଆନ୍ ମାନଙ୍କ ସେବା ଗ୍ରହଣ କରିଥାନ୍ତି । ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ଏମାନଙ୍କ ପାଇଁ ଢେର ସୁଯୋଗ ରହିଛି । ସୁସ୍ଥ ଜୀବନଶୈଳୀ ଉପରେ ସୂଚନା ପ୍ରସାର କ୍ଷେତ୍ରରେ ଏମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ହସ୍ପିଟାଲ, ଖାଦ୍ୟ କମ୍ପାନୀଗୁଡିକର ରିସର୍ଚ୍ଚ ଲ୍ୟାବ୍, କ୍ୟାଟରିଂ ବିଭାଗ ଏବଂ ରିକ୍ରିଏଶନ୍ କ୍ଲବ୍ ମାନଙ୍କରେ ନିଯୁକ୍ତି ସୁଯୋଗ ରହିଛି । କଲେଜ ଏବଂ ବିଶ୍ଵବିଦ୍ୟାଳୟମାନଙ୍କରେ ଏମାନେ ନ୍ୟୁଟ୍ରିଶନ୍ ଏବଂ ଡାଏଟିକ୍ସ ବିଜ୍ଞାନ ଉପରେ ପଢାଇପାରିବେ ।  ଏମାନେ ଉପଦେଷ୍ଟା ଭାବେ କାର୍ଯ୍ୟ କରିପାରିବେ ତଥା ଘରୋଇ ଭାବେ ପ୍ରାକ୍ଟିସ୍ ମଧ୍ୟ କରିପାରିବେ । ସ୍ୱାସ୍ଥ୍ୟ ଏବଂ ଫିଟ୍ନେସ୍ କୁ ନେଇ ଆଧୁନିକ ମନୁଷ୍ୟଙ୍କ ମଧ୍ୟରେ ଯେଉଁମାତ୍ରାରେ ସଚେତନତା ବଢୁଛି ନ୍ୟୁଟ୍ରିସନିଷ୍ଟ ଏବଂ ଡାଏଟିସିଆନ୍ ମାନଙ୍କ ପାଇଁ ସୁଯୋଗ ସେହି ମାତ୍ରାରେ ବଢିଚାଲିଛି ।

ଶିକ୍ଷାଗତ ଯୋଗ୍ୟତା ଏବଂ ପାଠ୍ୟକ୍ରମ

ଡାଏଟିକ୍ସ ଏବଂ ନ୍ୟୁଟ୍ରିଶନ୍ ରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ଗୃହ ବିଜ୍ଞାନ କିମ୍ବା ଆହାର ଏବଂ ପୁଷ୍ଟି ବିଜ୍ଞାନ, ଖାଦ୍ୟ ବିଜ୍ଞାନରେ କୋର୍ସ କରିଥିବା ଦରକାର । ଡାଏଟିକ୍ସ ଏବଂ ନ୍ୟୁଟ୍ରିଶନ୍ ରେ ବ୍ୟାଚ୍ଲର କୋର୍ସରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗୃହ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ଆଦି ବିଷୟ ରଖି ଯୁକ୍ତ୨ ପାସ୍ କରିଥିବା ଦରକାର ।  ଗୃହ ବିଜ୍ଞାନ, ଖାଦ୍ୟ ବିଜ୍ଞାନ ଏବଂ ଟେକ୍ନୋଲୋଜି, ମେଡ଼ିସିନ୍, ହୋଟେଲ ମ୍ୟାନେଜ୍ମେଣ୍ଟ କିମ୍ବା କ୍ୟାଟରିଂ ଟେକ୍ନୋଲୋଜିରେ ସ୍ନାତକ କରିଥିବା ଛାତ୍ରୀଛାତ୍ରଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଥାଏ । ୩ ବର୍ଷିଆ ବିଏସ୍ସି ହୋମ୍ ସାଇନ୍ସ କୋର୍ସରେ ଫୁଡ୍ ଏବଂ ନ୍ୟୁଟ୍ରିଶନ୍ ବିଷୟ ରହିଥାଏ । ଅନେକ ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନରେ ବିଏସ୍ସି ଏବଂ ଏମ୍ଏସ୍ସି ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି ।  କେତେକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୨ ପରେ ବିଜ୍ଞାନ ଷ୍ଟ୍ରିମ୍ ରେ ୪ ବର୍ଷିଆ ଫୁଡ୍ ଟେକ୍ନୋଲୋଜି କୋର୍ସ ଉପଲବ୍ଧ ଅଛି ।  ସ୍ନାତକୋତ୍ତର ସ୍ତରରେ ଡାଏଟିସିଆନ୍ ଏବଂ ନ୍ୟୁଟ୍ରିଶନ୍ କୋର୍ସ ୨ ବର୍ଷିଆ ମାଷ୍ଟର ପ୍ରୋଗ୍ରାମ ହୋଇପାରେ କିମ୍ବା ବର୍ଷିକିଆ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା (ଡିପ୍ଲୋମା ଇନ୍ ଡାଏଟିକ୍ସ ଆଣ୍ଡ୍ ପବ୍ଲିକ୍ ହେଲ୍ଥ ନ୍ୟୁଟ୍ରିଶନ୍) ହୋଇପାରେ ।  ଖାଦ୍ୟ ବିଜ୍ଞାନ, ଗୃହ ବିଜ୍ଞାନ, ହୋଟେଲ ମ୍ୟାନେଜ୍ମେଣ୍ଟ ଏବଂ କ୍ୟାଟେରିଂ ଟେକ୍ନୋଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଏବଂ ମେଡିସିନ୍ରେ  ବ୍ୟାଚଲର ଡିଗ୍ରୀ ଥିବା ଛାତ୍ରୀଛାତ୍ରମାନେ ନ୍ୟୁଟ୍ରିଶନ୍ ଏବଂ ଡାଏଟିକ୍ସ ପୋଷ୍ଟ ଗ୍ରାଜୁଏଟ୍ ସ୍ତରରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିପାରିବେ  । ପୋଷ୍ଟ ଗ୍ରାଜୁଏଶନ୍ ପ୍ରୋଗ୍ରାମ୍ ପରେ ଜଣେ ପିଏଚଡି କରିପାରିବେ ତଥା ଫୁଡ୍ ଏବଂ ନ୍ୟୁଟ୍ରିଶନ୍ ରେ ଗବେଷଣା କରିପାରିବେ ।

ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଅଧୀନରେ ନ୍ୟାଶ୍ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିଶନ୍ ଏକ ପ୍ରମୁଖ ସଂସ୍ଥାନ । ଭାରତ  ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହା ଏକ ସ୍ଵତନ୍ତ୍ର ସଂସ୍ଥାନ । ଏହା ପ୍ରତିବର୍ଷ ନ୍ୟୁଟ୍ରିଶନ୍ ଟ୍ରେନିଂ କୋର୍ସମାନ ପ୍ରଦାନ କରିଥାଏ । ଉକ୍ତ କ୍ଷେତ୍ରରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଛାତ୍ରୀଛାତ୍ରମାନେ ଗବେଷଣା  ଏବଂ ଏକାଡେମିକ୍ ଫିଲ୍ଡରେ ଭଲ କ୍ୟାରିୟର କରିପାରିବେ । କେମିଷ୍ଟ୍ରି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି, ହୋମ୍ ସାଇନ୍ସ, ଏଗ୍ରିକଲ୍ଚର, ହର୍ଟିକଲ୍ଚର, ଫୁଡ୍ ଟେକ୍ନୋଲୋଜି, ଫୁଡ୍ ସାଇନ୍ସ ଏବଂ ନ୍ୟୁଟ୍ରିଶନ୍, ଭେଟେରିନାରୀ ସାଇନ୍ସରେ ସ୍ନାତକୋତ୍ତର, କେମିଷ୍ଟ୍ରି/ଡାଏରୀ/ଏଗ୍ରିକଲ୍ଚର୍/ଫୁଡ୍ ଟେକ୍ନୋଲୋଜିରେ ଏମ୍.ଟେକ୍ କରିଥିବା ଛାତ୍ରୀଛାତ୍ରମାନେ ଏଠାରେ ନାମ ଲେଖାଇପାରିବେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate