অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବନ ପାଇଁ ଜୈବ ବିବିଧତା

ଜୀବନ ପାଇଁ ଜୈବ ବିବିଧତା

ଉପକ୍ରମ

“ବଡ ପରିତାପର ବିଷୟ ଏହି ଯେ ପ୍ରଗତିର ଦ୍ଵାହିଦେଇ, ସୃଷ୍ଟି କରିବା ପରିବର୍ତ୍ତେ ମଣିଷ ଏବେ ଧ୍ଵଂସ କରିବାରେ ପ୍ରୟାସୀ  । ମଣିଷର ଅବିବେକିତାର ପରିଣାମରେ ସମ୍ପ୍ରତି ଲୋପ ପାଇଚାଲିଛି ଜଙ୍ଗଲ, ଶୁଖିଗଲାଣି ସୁନାବ୍ୟା ନଦୀ, ବିଲୁପ୍ତ ହୋଇଚାଲିଛନ୍ତି ଜବଜନ୍ତୁ, ମୃତ୍ତିକା ହରେଇ ବସିଲାଣି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡିଲାଣି ବାଉଳା  । ମଣିଷ ଉଭା ହୋଇପଡିଲାଣି ପ୍ରକୃତିର ପ୍ରଧାନ ପ୍ରତିଦ୍ଵନ୍ଦୀ ରୂପେ  । ପ୍ରକୃତି ସହ ସେ ଚଳେଇଛି ତୁମୁଳ ସଂଘର୍ଷ । ସେ ସଂଘର୍ଷରତ ଉଦ୍ଭିଦଜଗତ, ପ୍ରାଣୀଜଗତ ସହ ଏବଂ ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଇତ୍ୟାଦି ନିର୍ଜୀବ ଜଗତ ସହ ମଧ୍ୟ  । ଫଳରେ ପୃଥିବୀର ଜୈବ ବିବିଧତା ଏବେ ଗୁରୁତର ଭାବରେ ଅସୁସ୍ଥ  ।”

ପୃଥିବୀରେ ଅଗଣିତ ଉଦ୍ଭିଦ

ପୃଥିବୀରେ ରହିଛନ୍ତି ଅଗଣିତ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ  । ସବୁ ଉଦ୍ଭିଦ ଗୋଟିଏ ପ୍ରକାରର ନୁହନ୍ତି କି ସବୁ ପ୍ରାଣୀ ସମାନ ପ୍ରକାରରନୁହନ୍ତି  । ସେହିପରି ସମାନ ନୁହନ୍ତି ସବୁ ପ୍ରକାରର ଅଣୁଜୀବ ମଧ୍ୟ  । ପୃଥିବୀରେ ଦେଖିବାକୁ ମିଳେ ଆମ୍ବ, ନଡିଆ, କଦଳୀ, ପଣସ, ଶାଳ, ପିଆଶାଳ। ମହୁଲ। ତୁଳସୀ, ଦୂବ  ଇତ୍ୟାଦି ପାଖାପାଖି ୩୦ ହଜାର ଅଲଗା ଅଲଗା ଜାତିର ଗଛ  । ସେହିପରି ରହିଛନ୍ତି ଗୋରୁ, ଛେଳି, ମେଣ୍ଢା, ବାଘ, ସିଂହ, ଭାଲୁ, ମୂଷା ଆଦି ୪ ହଜାରରୁ ଅଧିକ ଜାତିର ସ୍ତନ୍ୟପାୟୀ ପ୍ରାଣୀ  । କାଉ, ବଗ, ବଣି, ମୟୁର ପ୍ରଭୃତି ୨ ହଜାରରୁ ଅଧିକ ଜାତିର ପକ୍ଷୀ  । ରୋହି, ଭାକୁର, ଇଲିଶ, ଶେଉଳ, କଉ ଆଦି ୨୩ ହଜାରରୁ ବେଶି ଜାତିର ମାଛ  । ମଶା, ମାଛି, ମହୁମାଛି, ବିରୁଡି, ଜନ୍ଦା, ପିମ୍ପୁଡି ପ୍ରଭୃତି ୮ ଲକ୍ଷରୁ ଉର୍ଦ୍ଧ୍ଵ ଜାତିର କୀଟପତଙ୍ଗ ଏବଂ ଟାଇଫଏଡ, କଲେରା, ଯକ୍ଷ୍ମା ଓ କୁଷ୍ଠ ଜୀବାଣୁ ଭଳି କେଇ ହଜାର ଜାତିର ଅଣୁଜୀବ ମଧ୍ୟ ରହିଛନ୍ତି  ପୃଥିବୀରେ ଆମେ ମନୀଷା ଜାତି ମନୀଷା ଭାବରେ ସମାନ ହୋଇଥିଲେ ବି ଏକା ମାଆ ପେଟର ଭାଇଭଉଣୀ ମଧ୍ୟ ଅବୁ ଦୃଷ୍ଟିରୁ ସମାନ ନୁହନ୍ତି  । ପୃଥିବୀର ଜୀବଜଗତରେ ଏହି ପ୍ରକାରଭେଦ, ସ୍ଵତନ୍ତ୍ରତା ତଥା ବିବିଧତାକୁ କୁହାଯାଏ ଜୈବ ବିବିଧତା  । ଭାରତ ହେଉଛି ଜୈବବିବିଧତାର ଦେଶ  । ବିଶ୍ଵରେ ଅଧିକତର ଜୈବବିବିଧତାପରିଦୃଷ୍ଟ ହେଉଥିବା ନିର୍ବାଚିତ ୧୨ଟି ଦେଶ ଭିତରେ ଭାରତ ଅନ୍ୟତମ  । ଭାରତରେ ଦେଖାଯାଏ ୧୬୭ ଜାତିର ଖାଦ୍ୟଶସ୍ୟ ଏବଂ ୩୨୦ ଜାତିର ବଣୁଆ ଶସ୍ୟ  । ଭାରତରେ ଦେଖାଯାଉଥିବା ବିଭିନ୍ନ ଜାତିର କେତୋଟି ଉଦ୍ଭିଦ ଓ ପଶୁପକ୍ଷୀଙ୍କ ସମ୍ବନ୍ଧରେ ନିମ୍ନରେ ସୂଚନା ପ୍ରଦତ୍ତ ହୋଇଛି  ।

ଏହି ତାଲିକା ଅନୁଯାୟୀ ଭାରତରେ ଦେଖାଯାଏ ୫୦ ହଜାର ପ୍ରକାରର ଧାନ ଓ ୧ ହଜାର ଜାତିର ଆମ୍ବ  । ପୃଥିବୀରେ ଯେତେ ମଇଁଷି ଅଛନ୍ତି, ସବୁ ଜାତିର ମଇଁଷି ରହିଛନ୍ତି ଆମ ଦେଶରେ  ।

ଆପଣ ଟିକିଏ ନିଜର ଚାରିପଟକୁ ଦୃଷ୍ଟି ପକାନ୍ତୁ  । ଆପଣଙ୍କ ଆଖିରେ ପଡିବ ଜଳ, ମାଟି, ଭଳିକି ଭଳି ଗଛଲତା ଓ କେତେ ଜାତିର ଜୀବଜନ୍ତୁ  । ବାଯୁକୁ ଆଖିରେ ଦେଖି ନ ହେଲେ ବି ପ୍ରତି ନିଃଶ୍ଵାସ ପ୍ରଶ୍ଵାସରେ ଆପଣ ତା’ର ଉପସ୍ଥିତିକୁ ଅନୁଭବ କରି ଚାଲିଛନ୍ତି  । ଏବେ ଆପଣ ନିଜକୁ ପ୍ରଶ୍ନ କରନ୍ତୁ

¾    ପ୍ରକୃତି ସେଗୁଡିକୁ ସୃଷ୍ଟି କରିଛି କାହିଁକି ?

¾    ଏହି ପ୍ରକାରରେ କାହିଁକି ସୃଷ୍ଟି କରୁଛି ?

¾    କାହିଁକି ଅଥବା ସେହିଭଳି ସନ୍ନିବେଶିତ କରିଛି ପରିବେଶରେ ଓଟକୁ ମରୁଭୁମିରେ, କଙ୍ଗାରୁକୁ ଅଷ୍ଟ୍ରେଲିଆରେ ଏବଂ ଜିରାଫକୁ ଆଫ୍ରିକାରେ  ?

¾    ପୁଣି ମଣିଷକୁ ସାବା ପ୍ରଥମେ ସୃଷ୍ଟି ନ କରି କାହିଁକି ସୃଷ୍ଟି କରିଛି ସବାଶେଷରେ ?

ଏହି ପ୍ରଶ୍ନଗୁଡିକର ସନ୍ତୋଷଜନକ ଉତ୍ତର ନ ମିଳିଲେ ବି ଏହା ସୁସ୍ପଷ୍ଟ ଯେ ସମସ୍ତ ପ୍ରାଣୀ ଓ ଉଦ୍ଭିଦର ସର୍ବାଙ୍ଗୀନ ମଙ୍ଗଳ ସାଧନ ହିଁ ପ୍ରକୃତି ସୃଷ୍ଟ ଜୈବ ବିବିଧତାର ଏକମାତ୍ର ଉଦ୍ଦେଶ୍ୟ  । ସୁତରାଂ ଜୈବ ବିବିଧତାକୁ ଅକ୍ଷତ ରଖି ନ ପାରିଲେ ଜୀବଜଗତର ସ୍ଥିତି ଯେ ଶୋଚନୀୟ ଭାବରେ ବିପନ୍ନ ହୋଇପଡିବ ଏହା ନିଃସନ୍ଦେହ  ।

ବଡ ପରିତାପର ବିଷୟ ଏହି ଯେ ପ୍ରଗତିର ଦ୍ଵାହିଦେଇ ସୃଷ୍ଟି କରିବା ପରିବର୍ତ୍ତେ ମଣିଷ ଏବେ ଧ୍ଵଂସ କରିବାରେ ପ୍ରୟାସୀ  । ମଣିଷର ଅବିବେକିତାର ପରିଣାମରେ ସମ୍ପ୍ରତି ଲୋପ ପାଇଚାଲିଛି ଜଙ୍ଗଲ, ଶୁଖିଗଲାଣି ସୁନାବ୍ୟା ନଦୀ, ବିଲୁପ୍ତ ହୋଇଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଲାଣି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡିଲାଣି ବାଉଳା  । ମଣିଷ ଉଭା ହୋଇପଡିଲାଣି ପ୍ରକୃତିର ପ୍ରଧାନ ପ୍ରତିଦ୍ଵନ୍ଦୀ ରୂପେ  । ପ୍ରକୃତି ସହ ସେ ଚଳେଇଛି ତୁମୁଳ ସଂଘର୍ଷ  । ସେ ସଂଘର୍ଷରତ  ଉଦ୍ଭିଦଜଗତ, ପ୍ରାଣୀଜାଗା ସହ ଏବଂ ସଂଘର୍ଷରତ ଜଳ,  ବାୟୁ, ମୃତ୍ତିକା, ପ୍ରସ୍ତର ଇତ୍ୟାଦି ନିର୍ଜୀବ ଜଗତ ସହ ମଧ୍ୟ  । ଫଳରେ ପୃଥିବୀର ଜୈବବିବିଧତା ଏବେ ଗୁରୁତର ଭାବରେ ଅସୁସ୍ଥ  ।

ଜାଣି ରଖିବା ଉଚିତ ଯେ ଜନସାଧାରଣଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଜୀବିକାର ନିରାପତ୍ତା ପାଇଁ ଜୈବ ବିବିଧତା ହେଉଛି ମେରୁଦଣ୍ଡ ସଦୃଶ  । ପ୍ରାକୃତିକ ଆବାସ ଧ୍ଵଂସ ପାଇଁ ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପଡିଲେ ବିପନ୍ନ ହୋଇପଡିବ ଜିନ୍ ସମ୍ପଦ, ଜୀବଜନ୍ତୁ, ଉଦ୍ଭିଦଜାତ ଓ ପରିସଂସ୍ଥା  । ଉଦାହରଣ ସ୍ୱରୂପ ଗଛ ସୁରକ୍ଷିତ ରହିଲେ ସୁରକ୍ଷିତ ରହିପାରିବେ ଅନେକ ଜାତିର ଜୀବଜନ୍ତୁ ତଥା କୀଟପତଙ୍ଗ  । ସେହିପରି ମହୁମାଛି ଓ ପ୍ରଜାତିର ବଂଶ ନିରାପଦ ନ ରହିଲେ ଦେଖାଦେବ ଘୋର ଖାଦ୍ୟାଭାବ  ।

ତେବେ ଜୈବବିବିଧତା ପ୍ରତି ବିପଦର ହେତୁମାନ କ’ଣ   । ପ୍ରତିବର୍ଷ ହଜାରରୁ ଉର୍ଦ୍ଧ୍ଵ ପ୍ରାଣୀ ଓ ଉଦ୍ଭିଦ ବିଲୁପ୍ତ ହୋଇଯିବାର ପ୍ରଧାନ କାରଣମାନ ହେଉଛି ସେମାନଙ୍କ ପାଇଁ ବାଷୋପଯୋଗୀ ସ୍ଥାନର ଅଭାବ, ପରିବେଶ ପ୍ରଦୂଷଣ, ଅବିଚାରିତ ଭାବରେ ପ୍ରାଣୀ ଶିକାର ଓ ଗଛକଟା, ବିଦେଶୀୟ ଉଦ୍ଭିଦ ଓ ଜୀବଜାତିର ଅନୁପ୍ରବେଶ ଏବଂ ଜାଗତିକ ଉଷ୍ଣତା ଇତ୍ୟାଦି  । ସୁତରାଂ ଜୈବବିବିଧତାର ଅନରାକଷଣ ନିମନ୍ତେ ବାସସ୍ଥଳୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଶିକାରୀ ଓ କାଠଚୋରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ବିଦେଶୀୟ ଉଦ୍ଭିଦ ଓ ଜୀବଜାତିର ଅନୁପ୍ରବେଶରେ ଅଙ୍କୁଶ ଓ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ଭଳି ପଦକ୍ଷେପମାନ ଗ୍ରହଣ କରିବାର ଆବଶ୍ୟକତା ରହିଛି  ଏବଂ ଏହା ଜରୁରୀ ମଧ୍ୟ  ।

ମନେ ରଖିବାର କଥା ଯେ କୌଣସି ଏକ ନିର୍ଦ୍ଧିଷ୍ଟ ଜୀବଜାତିର ଉପସ୍ଥିତିଟା କେବଳ ଯଥେଷ୍ଟ ନୁହେଁ  । ଉଦ୍ଭିଦ, ପ୍ରାଣୀ ଏବଂ ଏପରିକି ଅଣୁଜୀବଗୁଡିକର ବିବିଧତା ଓ ସେଗୁଡିକର ସଂଖ୍ୟା ହିଁ ଜୀବମାନଙ୍କର ଜୀବନ ରକ୍ଷା ନିମନ୍ତେ ଅପରିହାର୍ଯ୍ୟ  । କାରଣ ଜୈବବିବିଧତା ହିଁ ଯୋଗାଇଥାଏ ଖାଦ୍ୟ, ପଶୁ ଖାଦ୍ୟ, ବସ୍ତ୍ର, ବାସ, ଇନ୍ଧନ, ଗୃହୋପକରଣ, ଔଷଧ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ  । ସୁତରାଂ ଜୈବବିବିଧତା ହ୍ରାସ ଜୀବନ ପ୍ରତି ଏକ ପ୍ରତ୍ୟକ୍ଷ ଆକ୍ରମଣ  । ଶାରୀରିକ, ସାମାଜିକ, ମନସ୍ତାତ୍ତ୍ଵିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟରକ୍ଷା ପାଇଁ ଜୈବବିବିଧତାର ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ  ।

ତେବେ ବଡ ଆଶ୍ଵାସନାର କଥା ଯେ ଜୈବବିବିଧତାର ସଂରକ୍ଷଣ ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ଜୈବ ମଣ୍ଡଳ ସଂରକ୍ଷଣ, କୁମ୍ଭୀର ପ୍ରକଳ୍ପ, ବ୍ୟାଘ୍ର ପ୍ରକଳ୍ପ ଭଳି ଅନେକ ଯୋଜନା ଆମ ଦେଶରେ କାର୍ଯ୍ୟକାରୀ କରାଯାଉଛି  । ଜୈବବିବିଧତାର ପ୍ରସଙ୍ଗ ଆଜିକାର କଥା ନୁହେଁ  । ଏହାର ଯଥାର୍ଥ ଗୁରୁତ୍ଵ ଉପଲବ୍ଧି କରି ବେଦର ଶାନ୍ତି ସ୍ଵକ୍ତିରେ କୁହାଯାଇଛି – ଆକାଶ, ଅନ୍ତରୀକ୍ଷ, ପୃଥିବୀ, ଜଳ, ଔଷଧୀୟ ଗୁଳ୍ମ ଏବଂ ବୃକ୍ଷଲତା ଇତ୍ୟାଦିରେ ଶାନ୍ତି ସ୍ଥାପିତ ହେଉ  ।

ଶାନ୍ତି ପାଇଁ ନୋବେଲ ପୁରସ୍କାର ଲାଭ କରିଥିବା ଡାକ୍ତର ଆଲବର୍ଟ ସ୍ଵେଇଜର କହିଥିଲେ ବିଶ୍ଵର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବିକତାର ଯଥାର୍ଥ ମାନବିକତା

ସଂଗୃହୀତ – ଡା. ନିତ୍ୟାନନ୍ଦ ସ୍ଵାଇଁ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate