ଆମ ଦେଶରେ ପ୍ରାକ୍ ବିଦ୍ୟାଳୟ ଶିଶୁର ଶିକ୍ଷା ଓ ଯତ୍ନ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ଵ ଦିଆଯାଉଛି । ଅତି ଅଳ୍ପ ବୟସରୁ ଧ୍ୟାନ ନ ଦେଲେ ଶିଶୁର ବିକାଶ ସୂଚାରୁ ରୂପେ ଗଢି ହୋଇପାରେ ନାହିଁ ।
ବଡ ହେଲେ ସେ ବିଦ୍ୟାଳୟକୁ ଯାଇ ଉପଯୁକ୍ତ ଶିକ୍ଷା ହାସଲ ପାଇଁ ସମର୍ଥ ହୁଏ ନାହିଁ। କେତେକ କ୍ଷେତ୍ରରେ ଏମାନଙ୍କର ମଧ୍ୟରୁ ବିଭିନ୍ନ କାରଣରୁ ଅଧିକାଂଶ ବାଳିକା ତଥା କେତେକ ସଂଖ୍ୟାରେ ବାଳକ ମଧ୍ୟ ବିଦ୍ୟାଳୟକୁ ଆସନ୍ତି ନାହିଁ ।
ଆସିଲେ ମଧ୍ୟ, ଅଳ୍ପ କେତେ ବର୍ଷ ପରେ ବିଦ୍ୟାଳୟ ଛାଡି ଚାଲିଯାଆନ୍ତି । ଏହାର କାରଣ ଅନେକ । କିନ୍ତୁ ପରିବେଶରେ ଶିକ୍ଷା ସମ୍ବନ୍ଧୀୟ ଉଦ୍ଦୀପନା ଓ ତତ୍ ସମ୍ବନ୍ଧୀୟ ବ୍ୟବସ୍ଥାରେ ଅଭାବ ହିଁ ଏହାର ମୁଖ୍ୟ କାରଣ । ବର୍ତ୍ତମାନ ଏ ଦିଗରେ କେତେକ ସୁଚିନ୍ତିତ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ପ୍ରତି ଆମେ ସଚେତନ ହେଲେ ହେଁ ଆନୁସଙ୍ଗିକ ଶିକ୍ଷା ସାମଗ୍ରୀ ଓ ତତ୍ ସମ୍ବନ୍ଧୀୟ ପ୍ରସ୍ତୁତି ବା ତାଲିମ୍ ଇତ୍ୟାଦିର ଅଭାବ ପ୍ରାକ୍ ବିଦ୍ୟାଳୟ ଶିଶୁର ତାଲିମ ସମ୍ବନ୍ଧୀୟ ଅନୁଷ୍ଠାନରେ ପରିଲକ୍ଷିତ ହୁଏ ।
ଏହି କିଟ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଅଙ୍ଗନବାଡୀ କର୍ମୀମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଉତ୍ତର ଶିକ୍ଷା ଦାନ ପାଇଁ କିଛି ପରିମାଣରେ ସାହାଯ୍ୟ କରିବା । ଅଙ୍ଗନବାଡୀରେ ଶିକ୍ଷଣ ସାମଗ୍ରୀ ଯଥେଷ୍ଟ ପରିମାଣରେ ନଥାଏ । ଶିଶୁର ସବୁ ଗୁଣର ବିକାଶ ପାଇଁ ଅଙ୍ଗନବାଡୀ କର୍ମୀ ସମ୍ମୁଖରେ ଶିକ୍ଷଣ ସହାୟକ ଉପଯୁକ୍ତ ସାମଗ୍ରୀର ମଧ୍ୟ ଅଭାବ ଦେଖାଯାଏ । ପରିବେଶରୁ ସାମଗ୍ରୀ ସଂଗ୍ରହ କରିବା ସବୁ ସମୟରେ ଏବଂ ସମସ୍ତଙ୍କ ପକ୍ଷରେ କଷ୍ଟକର ଓ ସମୟ ସାପେକ୍ଷ । ସୁତରାଂ ଶିକ୍ଷଣ- ସାମଗ୍ରୀ- କିଟ୍ ର ଆବଶ୍ୟକତା ନିଶ୍ଚୟ ରହିଛି ।
ଶିକ୍ଷଣ ସାମଗ୍ରୀ କିଟ୍ କହିଲେ ଆମେ କ’ଣ ବୁଝୁଛେ ? ଏହା କେଉଁ ପୃଷ୍ଟଭୂମିରେ ପ୍ରସ୍ତୁତ କରାଯାଇଛି ?କିପରି ଏହାର ବ୍ୟବହାର କରିହେବ?
ଏତଦ୍ ବ୍ୟତୀତ ଅଙ୍ଗନବାଡୀ କର୍ମୀଙ୍କର କି ପ୍ରକାର ଦକ୍ଷତା ବୃଦ୍ଧି କଲେ କିଟ୍ ରେ ଥିବା ସାମଗ୍ରୀକୁ ଉତ୍ତମ ରୂପେ ବ୍ୟବହାର କରିହେବ ?
ଏହି ଦୃଷ୍ଟିରୁ ଶିକ୍ଷାଦାନ- ଶିକ୍ଷଣ- ପରିସ୍ଥିତିରେ ଏହି କିଟ୍ କେବଳ ସହାୟକ ନୁହେଁ, ଏହା ଏକ ଅଙ୍ଗ ବୋଲି ଧରାଯାଇପାରେ ।
ଶିଶୁର ବିଭିନ୍ନ ବିକାଶ ଦୃଷ୍ଟିରୁ ଏହି କିଟ୍ ପ୍ରସ୍ତୁତ କରାଯାଇଅଛି । ଯଥା :- ଶାରୀରିକ ଓ ପେଶୀୟ ବିକାଶ, ବୌଦ୍ଧିକ ବା ଜ୍ଞାନାତ୍ମକ ବିକାଶ, ଭାଷା ବିକାଶ, ସୌନ୍ଦର୍ଯ୍ୟବୋଧ ଓ ସୃଜନୀଶକ୍ତିର ବିକାଶ, ଆବେଗାତ୍ମକ ଓ ସାମାଜିକ ବିକାଶ, ବ୍ୟକ୍ତିତ୍ଵର ବିକାଶ । ଏହି କିଟ୍ ରେ ଥିବା ସାମଗ୍ରୀ ଗୁଡ଼ିକର ଉପଯୁକ୍ତ ବ୍ୟବହାର ମାଧ୍ୟମରେ ଶିଶୁକୁ ପ୍ରାଥମିକ ଶିକ୍ଷାରେ ପ୍ରବେଶ ପାଇଁ ପ୍ରସ୍ତୁତ କରାଯାଇପାରେ । ଏହାଦ୍ୱାରା ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇପାରିବ । ଏହାର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ମଧ୍ୟରେ ଥିବା ବୈଷମ୍ୟ ଓ ଅକ୍ଷମତା ମଧ୍ୟ ବହୁତ ପରିମାଣରେ ହ୍ରାସ କରିପାରିବେ । ଏହା ଶିଶୁକୁ ଶିକ୍ଷା ପାଇଁ ଅଧିକରୁ ଅଧିକ ଆକୃଷ୍ଟ କରିବ ।
କିଟ୍ ପ୍ରସ୍ତୁତିକରଣରେ କେତେକ ନିର୍ଦ୍ଦିଷ୍ଟ ବସ୍ତୁର ବ୍ୟବହାର କରାଯାଇଅଛି । କିନ୍ତୁ ଶିଶୁର ବିକାଶ ଦୃଷ୍ଟିରୁ ଏହା ସୀମାବଦ୍ଧ ନୁହେଁ । କର୍ମୀ ଅନ୍ୟାନ୍ୟ ବସ୍ତୁ ମାଧ୍ୟମରେ ଶିକ୍ଷା ଦେଇପାରନ୍ତି । ସହାୟିକା ପୁସ୍ତକରେ ଏହାର ସୂଚନା ମଧ୍ୟ ପ୍ରାଞ୍ଜଳଭାବେ ଦିଆଯାଇଅଛି ।
ସ୍ଵଚ୍ଛ/ ସୂକ୍ଷ୍ମ ଶାରୀରିକ ଓ ପେଶୀୟ ବିକାଶ ନିମନ୍ତେ ବସ୍ତୁର ସୂଚନା, ବିବରଣୀ ଓ ବ୍ୟବହାର କରିବା ପ୍ରଣାଳୀ ଦିଆଯାଇଅଛି । ଯଥା :- ପେଣ୍ଡୁ, ସୂତା, ଡେଇଁବା ଦଉଡି, କନାର ରିଙ୍ଗବଲ୍, ମାଟି, ରଙ୍ଗ, ରଙ୍ଗିନ କାଗଜ, ତୂଳୀ, ବ୍ରସ, ବୋର୍ଡ,କଣ୍ଟା ଇତ୍ୟାଦି ।
ଏହି ବସ୍ତୁ ଗୁଡ଼ିକ ମଧ୍ୟରୁ କେତେକ (ରଙ୍ଗିନ କାଗଜ,ରଙ୍ଗ, ବୋର୍ଡ)ବ୍ୟବହାର କରି ଶିଶୁର ବୌଦ୍ଧିକ ବିକାଶ ଦିଗରେ ସାହାଯ୍ୟ କରାଯାଇପାରେ । ସେପରି ନିର୍ଦ୍ଦେଶନା ପ୍ରତ୍ୟେକ ବିଭାଗରେ ଆବଶ୍ୟକୀୟ ସ୍ଥାନରେ ଦିଆଯାଇଅଛି । ଶିଶୁର ବୌଦ୍ଧିକ ବିକାଶ ପାଇଁ କି କି ଉପାଦାନ କିଟ୍ରେ ରହିବ ଯାହାକି ତା’ର ପ୍ରତ୍ୟକ୍ଷଣ, ସ୍ମୃତି, ମନୋଯୋଗ, ବସ୍ତୁ – ବସ୍ତୁ ମଧ୍ୟରେ ସମ୍ପର୍କ, ସମସ୍ୟା ସମାଧାନ ଇତ୍ୟାଦିର ବିକାଶ କରିପାରିବ ସେଥିପାଇଁ ଏକ ସୁଚିନ୍ତିତ ଓ ବୟସୋପଯୋଗୀ ଶିକ୍ଷଣ ବସ୍ତୁର ସୂଚନା ଦିଆଯାଇଛି । ଶିଶୁର ଦୈନଦିନ ଜୀବନରେ ଘଟୁଥିବା, ଶିଶୁ ଦେଖୁଥିବା ଓ ବ୍ୟବହାର ଏହି ପ୍ରସ୍ତୁତିର ମୂଳରେ ଅଛି ।
ଅତିକମ୍ ବୟସରୁ (୩ ରୁ ୬) ଶିଶୁର ସୌନ୍ଦର୍ଯ୍ୟ ଜ୍ଞାନର ଅଭିବୃଦ୍ଧି ପାଇଁ ଯେଉଁ ଜିନିଷ ଦରକାର ତାହା ଅନେକ ସମୟରେ ଆମେ ଫୋପାଡି ଦେଉ (ଟିକିଟିକି କନା, ଡବାର ଠିପି, ଇତ୍ୟାଦି)। ଅନେକ ଚିତ୍ର ବହି, ଖବରକାଗଜ, ମାଗାଜିନ୍ ପଢି ସାରିଲା ପରେ ଆମେ ବିକ୍ରି କରିଦେଉ; ସେଥିରୁ ଚିତ୍ରକାଟି, ଶିଶୁ କିପରି ଅଧିକ ବିଷୟ ଜାଣିପାରିବ ଓ ତାକୁ ସଜାଇ, ମଡାଇ ଓ ସାଇତି ରଖିବା ଇତ୍ୟାଦି ଶିକ୍ଷା ଦିଆଯାଇପାରେ । ଏହା କେବଳ ଅର୍ଥ ସାପେକ୍ଷ ନୁହେଁ- ଏହା ଏକ ଦୃଷ୍ଟିକୋଣ । ଏହି କିଟ୍ ରେ ସେପରି କେତେକ ଦୃଶ୍ୟକଳା ସାମଗ୍ରୀ ଓ ନୃତ୍ୟ କଳା ସାମଗ୍ରୀ ସୂଚନା ଦିଆଯାଇଛି ।
ଭାଷାର ବିକାଶ ପାଇଁ ଛବିକାର୍ଡ଼, କଥୋପକଥନ – ଛବି, ଗଳ୍ପ – ଛବି, ନମୁନା କାର୍ଡ଼, ବିଭିନ୍ନ ଲିଖନ ଦକ୍ଷତାର ଅଭିବୃଦ୍ଧି ପାଇଁ ଅକ୍ଷର ଓ ଶବ୍ଦ ଧ୍ୱନି କାର୍ଡ଼ ଇତ୍ୟାଦି ଶିକ୍ଷଣୀୟ ବସ୍ତୁ ରୂପେ ରଖାଯାଇଛି । ସୃଜନଶୀଳତାର ଅଭିବୃଦ୍ଧି ନିମନ୍ତେ ଶିଶୁ କିପରି ଗୋଟିଏ ଜିନିଷ ଦେଖି ଆଉ କେତେକର ନାମକରଣ କରିପାରୁଛି; ଗୋଟିଏ ବସ୍ତୁକୁ କି କି ଉପାୟରେ ବ୍ୟବହାର କରିହେବ, ନୂଆ ନୂଆ ଚିନ୍ତାଧାରା ସୃଷ୍ଟି କରିବା ଇତ୍ୟାଦି ପାଇଁ କେତେକ ବସ୍ତୁର ବିବରଣୀ ଦିଆଯାଇଛି । ଅଙ୍ଗନୱାଡୀ କର୍ମୀ ତାକୁ ବ୍ୟବହାର କରି ଶିଶୁର ସୃଜନୀ ଶକ୍ତିର ଅଭିବୃଦ୍ଧି କରିପାରିବେ ।
ଛବି ମାଧ୍ୟମରେ ଦେଶ, ରାଜ୍ୟ, ଜାତୀୟ ପତାକା, ଶରୀରର ଅଙ୍ଗପ୍ରତ୍ୟଙ୍ଗ, ପରିବାର, ପରିବେଶର ବିଭିନ୍ନ ଧାରଣା ମଧ୍ୟ ସୃଷ୍ଟି କରାଯାଇ ପାରିବ । ସେଥିପାଇଁ ଏହି କଟ୍ ରେ କେତେକ ଛବି କାର୍ଡ଼ ଅଛି ଯାହାକି ସମସ୍ୟା ସମାଧାନ ମାଧ୍ୟମରେ ଶିକ୍ଷା ଦିଆ ଯାଇପାରିବ ।
ଶିକ୍ଷଣ ସାମଗ୍ରୀ କିଟ୍ ଏକ ଶିକ୍ଷା – ଉପଯୋଗୀ ଓ ପ୍ରୟୋଗାତ୍ମକ ପଦକ୍ଷେପ । ଏହା ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ସଫଳତାର ସହାୟକ ରୂପେ ପ୍ରାଥମିକ ବିଦ୍ୟାଳୟ ତଥା ଅଙ୍ଗନୱାଡୀ ଗୁଡିକରେ ବ୍ୟବହାର କରିହେବ ।
ଆଉ ଗୋଟିଏ କଥା; ସେଇଟି ବେଶ୍ ଦରକାର । ଅଙ୍ଗନୱାଡୀ କର୍ମୀ “ପ୍ରାକ୍ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ ସହାୟକ ପୁସ୍ତକ”ର ବ୍ୟବହାର କଲାବେଳେ ବା ତତ୍ ସମ୍ବନ୍ଧୀୟ ତାଲିମ ନେଲାବେଳେ – ସହାୟକ ପୁସ୍ତିକା ଓ କିଟ୍ ଶିକ୍ଷଣ ସାମଗ୍ରୀ ମଧ୍ୟରେ ଯେ ନିବିଡ ସମ୍ପର୍କ ଅଛି ତାହା ସହଜରେ ଉପଲବ୍ଧି କରିବା ଦରକାର ।
DPEP କାର୍ଯ୍ୟକ୍ରମ ମାଧ୍ୟମରେ ଏହି କିଟ୍ ର ପ୍ରୟୋଗ ଓ ବ୍ୟବହାର ସମ୍ବନ୍ଧୀୟ ତାଲିମ ପ୍ରାଥମିକ ଶିକ୍ଷା ଯୋଜନାର ଗୁଣାତ୍ମକ ପରିବର୍ତ୍ତନରେ ସାହାଯ୍ୟ କରିବ ।
ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ
Last Modified : 4/28/2020