ବିଦ୍ୟାଳୟ ପରିବେଶକୁ ଆନନ୍ଦମୟ କରିବାକୁ ହେଲେ ପ୍ରଥମେ ପିଲାମାନଙ୍କର କେତେକ ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ହେବ । ଯଥା ବସିବା ବା ଚଳପ୍ରଚଳ ହେବା ପାଇଁ ଯଥେଷ୍ଟ ସ୍ଥାନ, ପିଇବା ପାଣିର ବ୍ୟବସ୍ଥା , ପାଇଖାନା ଓ ପରିସ୍ରାଗାର ବ୍ୟବସ୍ଥା , ଶ୍ରେଣୀ ଗୃହରେ ଆଲୋକ ଓ ବାୟୁ ଚଳାଚଳର ସୁବିଧା ଆଦିକୁ ଗୁରୁତ୍ଵ ଦେବା । ଏହି ସବୁ ବ୍ୟବସ୍ଥା ଗୁଡିକର ଉପଯୁକ୍ତ ବ୍ୟବହାର ଓ ରକ୍ଷଣାବେକ୍ଷଣାରେ ପିଲାମାନେ ସମ୍ପୃକ୍ତ ହେଲେ, ସେମାନଙ୍କର ପରିଚ୍ଛନ୍ନତା ତଥା ସ୍ୱାସ୍ଥ୍ୟକର ଅଭ୍ୟାସମାନ ବୃଦ୍ଧି ପାଇବା ସହିତ ସେମାନେ ଏଥିରୁ ବହୁତ କିଛି ଶିଖିବାର ସୁଯୋଗ ପାଇପାରିବେ । ବିଦ୍ୟାଳୟର ବାହ୍ୟ ପରିବେଶ କୁ ଆକର୍ଷଣ କରିବା ପାଇଁ ଏହି ସର୍ବାଙ୍ଗୀନ ଶିକ୍ଷାରେ ପ୍ରଧାନ ସହାୟକ ଭାବେ କାର୍ଯ୍ୟକରିଥାଏ । ବିଶେଷ କରି ପିଲାମାନେ ଏଥିରୁ ପ୍ରଚୁର ଆନନ୍ଦ ପାଇଥାନ୍ତି । ବିଦ୍ୟାଳୟରେ ବଗିଚାର ଯୋଜନା , ସୃଷ୍ଟି ଓ ଯତ୍ନ ନେବା ଆଦି ପ୍ରତ୍ୟେକ ସୋପାନରେ ପିଲାମାନେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତି । ଏହାଦ୍ଵାରା ବିଦ୍ୟାଳୟ ପ୍ରତି ସେମାନଙ୍କର ଆଗ୍ରହ ସମ୍ପ୍ରକ୍ତି ବଢିବା ସହ ଏକ ସୁନ୍ଦର ପରିବେଶରୁ ପାଠ୍ୟକ୍ରମର ଅଧିକାଂଶ ଅଭିଜ୍ଞାତା ଆହରଣ କରିପାରନ୍ତି । ସେଥିପାଇଁ ବୋଧ ହୁଏ କୁହାଯାଉଇଛି , ପ୍ରକୃତି ହିଁ ସର୍ବୋକୃଷ୍ଟ ଶିକ୍ଷକ । ବଗିଚାରେ ବିଭିନ୍ନ ପ୍ରକାର ଫୁଲ ବା ସୁନ୍ଦର ବୃକ୍ଷରୋପଣ କରିବା ସହିତ ବିଭିନ୍ନ ପ୍ରକାର ଶୈକ୍ଷିକ ସାମଗ୍ରୀର ବ୍ୟବସ୍ଥା ମଧ୍ୟ କେତେକ ମଧ୍ୟ କେତେକ ବିଦ୍ୟାଳୟରେ ଦେଖିବାକୁ ମିଳେ । ରାଜ୍ୟ ବା ଦେଶର ରିଲିଫ ମାନଚିତ୍ର , ଦଳଗତ କାର୍ଯ୍ୟପାଇଁ ବିଭିନ୍ନ ନକ୍ସା ଭଳି ଶିକ୍ଷଣୀୟ ବ୍ୟବସ୍ଥା ସୃଷ୍ଟି କରାଯାଇପାରେ ।
ପିଲାମାନେ ସ୍ଵଭାବତଃ ଖେଳପ୍ରିୟ । ସେଥିପାଇଁ ବିଦ୍ୟାଳୟ ପରିବେଶରେ ଦୋଳି, ଡେଇଁବା ପାଇଁ ବାଲିର ଫିଟ , ଦଉଡିବା ବା କବାଡି ଖେଳିବା ପାଇଁ ଗାର ପକାଯାଇଥିବା ପଡିଆ ବ୍ୟବସ୍ଥା ବିଦ୍ୟାଳୟରେ କରାଯାଇପାରିବ । ଏପରି କେତେକ ଦ୍ଵାରା ପିଲାମାନେ ବିଦ୍ୟାଳୟରେ ଅଧିକ ସମୟ ବିତାଇ ପାରିବେ । ମୌଳିକ ଆବଶ୍ୟକତା , ବଗିଚା ଓ ଶିଶୁପ୍ରିୟ ଉପାଦାନ ଆଦି ସହିତ ବିଦ୍ୟାଳୟ ଗୃହର ବାହାର କାନ୍ଥ ଓ ବାରଣ୍ଡାରେ ମଧ୍ୟ ଶିକ୍ଷଣ ପରିବେଶର ବିଶେଷ ଅଙ୍ଗଭାବେ ସଦୁପଯୋଗ କରାଯାଇପାରିବ । ବିଦ୍ୟାଳୟ ସମ୍ବନ୍ଧୀୟ ତଥ୍ୟାବଳି ପ୍ରଦର୍ଶନ ବ୍ୟତୀତ ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟ , ମହାପୁରୁଷମାନଙ୍କର ଚିତ୍ର ଓ ବାଣୀ , ପିଲାଙ୍କ ଦ୍ଵାରା ପ୍ରସ୍ତୁତ ମୁଖପତ୍ର , ରାଜ୍ୟ ଓ ଜିଲ୍ଲାର ମାନଚିତ୍ର , ବିଶେଷ ଜ୍ଞାତବ୍ୟ ବିଷୟମାନ ପାଇଁ ବାହାର କାନ୍ଥକୁ ବ୍ୟବହାର କରାଯାଇପାରିବ । ଏହିସବୁ ଶିକ୍ଷଣ ବ୍ୟବସ୍ଥାରେ ପିଲାମାନେ ବ୍ୟକ୍ତିଗତ ବା ଦଳଗତ ଅଂଶଗ୍ରହଣ କରିପାରିବେ । ଏହାଦ୍ଵାରା ପିଲାମାନଙ୍କର ବିଦ୍ୟାଳୟ ପାଇଁ ଆଗ୍ରହ ସୃଷ୍ଟିହେବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ ।
ବିଦ୍ୟାଳୟର ବାହ୍ୟ ପରିବେଶ ମୁଖ୍ୟତଃ ପିଲାମାନଙ୍କ ପାଇଁ ଏକ ସୁସ୍ଥ ଏବଂ ଆନନ୍ଦମୟ ବାତାବରଣ ସୃଷ୍ଟି କରିବା ସହ ପ୍ରାକୃତିକ ପରିବେଶରୁ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟିକରିବାରେ ସହାୟକ ହୋଇଥାଏ । ଅପରପକ୍ଷରେ ଶ୍ରେଣୀ କକ୍ଷର ପ୍ରତ୍ୟେକ ଉପାଦାନ ପିଲାମାନଙ୍କର ଶିକ୍ଷା ସହ ସମ୍ପୃକ୍ତ । ଶ୍ରେଣୀକକ୍ଷର କାନ୍ଥରେ ସମ୍ପୃକ୍ତ ଶ୍ରେଣୀର ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷଣକାର୍ଯ୍ୟ , କାନ୍ଥଚିତ୍ର ଆଦି ଚିତ୍ରଣ କରାଯାଇପରେ । ତଳ ଶ୍ରେଣୀମାନଙ୍କରେ ପିଲାମାନଙ୍କ ସ୍ଵଚ୍ଛନ୍ଦ ଲିଖନ ଓ ଚିତ୍ରାଙ୍କନ ପାଇଁ ବିଭିନ୍ନ ଆକୃତିର କଳାପଟା କାନ୍ଥରେ ରଙ୍ଗଦେଇ ସୃଷ୍ଟିକରାଯାଇପାରେ । ଏପରିକି ଶ୍ରେଣୀଗୃହ ଚଟାଣକୁ ମଧ୍ୟ ବିଭିନ୍ନ ଶିକ୍ଷଣ କାର୍ଯ୍ୟପାଇଁ ବ୍ୟବହାର କରାଯାଇପରେ । ଶ୍ରେଣୀ ମଧ୍ୟରେ ପ୍ରଚୁର ଶିକ୍ଷାଦାନ ପାଇଁ ଶିକ୍ଷଣ ଉପକାରଣ ଗଚ୍ଛିତ ହୋଇଥିବ , ଯାହାକୁ ବ୍ୟବହାର କରିବା ପାଇଁ ପିଲାମାନଙ୍କର ସ୍ଵାଧୀନତା ଥିବ । ଏଥିମଧ୍ୟରୁ ଅଧିକାଂଶ ସାମଗ୍ରୀ ଏହି ଅଞ୍ଚଳରୁ ସଂଗ୍ରହ କରାଯାଇପାରିବ ବା ପ୍ରସ୍ତୁତି କରାଯାଇଥିବ । ଏତତବ୍ୟତୀତ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ମଡେଲ , ଚିତ୍ର , ହସ୍ତକର୍ମ ଆଦି ଶ୍ରେଣୀଗୃହରେ ପ୍ରଦର୍ଶନ କରାଯାଇପାରିବ । ପିଲାମାନଙ୍କର ଶିକ୍ଷଣକୁ ବହୁମତେ ବୁଦ୍ଧିମନ୍ତ କରିଥାଏ ଓ ପିତାମାତାଙ୍କର ବିଦ୍ୟାଳୟ ଶିକ୍ଷାର ଉଚ୍ଚମାନ ଉପରେ ଅଧିକ ବିଶ୍ଵାସ ଜାତ କରିଥାଏ ।
ବିଦ୍ୟାଳୟ ଓ ଶ୍ରେଣୀଗୃହକୁ ଅଧିକ ଉପଯୋଗୀ କରିବାର ଉପରୋକଟ ବ୍ୟବସ୍ଥାମାନ ଯେତେ ଉପଯୋଗୀ ଠିକ ସେହିପରି ଶିକ୍ଷକ, ଶିକ୍ଷାର୍ଥୀ , ପିତାମାତା ଓ ଗୋଷ୍ଠୀ ସଦସ୍ୟମାନଙ୍କର ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ । ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସମ୍ପର୍କ ପିଲାମାନଙ୍କର ବିଦ୍ୟାଳୟରେ ରହିବା , ଶିକ୍ଷଣର ମାନ ଓ ପରିମାଣକୁ ବହୁଭାବରେ ପ୍ରଭାବିତ କରିଥାଏ । ସେହିପରି ଶିକ୍ଷକ , ପିତାମାତା ଓ ଗୋଷ୍ଠୀ ସଦସ୍ୟଙ୍କର ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ସହଯୋଗ ଓ ସମ୍ପୃକ୍ତ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ସହିତ ଏକ ସୁସ୍ଥ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବହୁଭାବରେ ସହାୟକ ହୋଇଥାନ୍ତି ।
ସାଧାରଣଭାବେ ଶ୍ରେଣୀଗୃହରେ ଶିକ୍ଷା ସମୟକୁ ହିଁ ଶିଖିବାର ସମୟଭାବେ ବିଚାର କରାଯାଇଥାଏ । କେତେକ କ୍ଷେତ୍ରରେ ସଚେତନ ପରିବାର ପିଲାମାନଙ୍କ ପାଇଁ ନିଜ ଘରେ ସ୍ଵତନ୍ତ୍ର ଶିକ୍ଷା ସୁଯୋଗ ସୃଷ୍ଟି କରିଥାନ୍ତି । ଶିଖିବାର ପରିବେଶକୁ ଉନ୍ନତ କରିପାରିଲେ , ଶ୍ରେଣୀରେ ପାଠପଢା ସମୟ ପରେ ମଧ୍ୟ ପିଲାଟିଏ ନିଜେ ବା ନିଜ ସାଙ୍ଗମାନଙ୍କ ସହ ବିଦ୍ୟାଳୟରେ ବୁଲୁଥିବା , ଖେଳୁଥିବା ସମୟରେ ବିଭିନ୍ନ ପ୍ରକାର ଶିକ୍ଷଣ ଅନୁଭୂତି ହାସଲ କରିବାର ସୁଯୋଗ ପାଇବ ।ଆଧାର : ପୋର୍ଟାଲ ଟିମ
Last Modified : 1/26/2020