କୌଣସି ବ୍ୟକ୍ତିବିଶେଷ ବା ଘଟଣାକ୍ରମ ଉପରେ ଭବିଷ୍ୟବାଣୀ କେବଳ ଏକ ଅନୁମାନମାତ୍ର । ଏହାର ସତ୍ୟତା ତଥା ଉପଯୋଗିତା ପରିବର୍ତ୍ତିତ ସମୟରେ ପ୍ରତିପାଦିତ ହୋଇଥାଏ । ସାଧାରଣତଃ କେତେକ ଜ୍ୟୋତିଷ, ଭବିଷ୍ୟବକ୍ତା ବା ବିଶାରଦମାନେ ଏହାର ପ୍ରବକ୍ତା । ପରିବେଶ ଭଳି ଏକ ବ୍ୟାପକ ଓ ଗୁରୁତର ବିଷୟ ଉପରେ ଭବିଷ୍ୟବାଣୀ କଷ୍ଟସାଧ୍ୟ ; ତଥାପି ଜଣେ ନିକଟ ଓ ଦୂର ଅତୀତରେ ଘଟଣାକ୍ରମକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ଏହାର ଭବିଷ୍ୟତ ବିଷୟରେ ସୂଚନା ଦେବା ଯୁକ୍ତିଯୁକ୍ତ ।
ଅନନ୍ତ, ବିଶାଳ ଓ ବ୍ୟାପକ ମହାକାଶ ମଧ୍ୟରେ ଆମ ସୌରଜଗତ ଓ ତନ୍ମଧ୍ୟରେ ଅବସ୍ଥାପିତ ପୃଥିବୀର ସ୍ଥାନ ଅଗଣିତ ନକ୍ଷତ୍ର, ତାରାପୁଞ୍ଜ, କୃଷ୍ଣଗର୍ତ୍ତ, ସଙ୍କୁଚିତ ଓ ବିସ୍ତାରମୁଖ୍ୟ ବିସ୍ଫୋରଣ ତାରକାମାନଙ୍କ ମଧ୍ୟରେ ନଗଣ୍ୟ । ପ୍ରକୃତି ଆମକୁ ଜୀବନଧାରଣ ପାଇଁ ଯଥେଷ୍ଟ ସମ୍ପଦ ଦେଇଛି ; କିନ୍ତୁ ତା’ର ସୁବିନିଯୋଗ କରିବା ପରିବର୍ତ୍ତେ ଆମେ ଅପଚୟ, ଅପବ୍ୟୟ କରି ଚାଲିଛୁ । ଦୁଇ ଶତାବ୍ଦୀ ପୂର୍ବେ ଶିଳ୍ପ ବିପ୍ଲବ ମାନବ ସଭ୍ୟତାର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କରିଛି ; ହେଲେ ଏହା ଆଜି ବିନାଶମୁଖୀ ସାଜିଛି । ଖଣିଜ ପଦାର୍ଥ, ଜଳ, ଜମି, ବନ୍ୟ ସମ୍ପଦ ଏବଂ ଅପରିକି ଜୀବଜଗତର କୁବିନିଯୋଗ ଫଳରେ ସବୁ ଧ୍ଵଂସମୁଖୀ । ପାଶ୍ଚାତ୍ୟ ରାଷ୍ଟ୍ରମାନେ ନିଜ ପରିବେଶକୁ ଦୂଷିତ କଲା ପରେ ଏବେ ସେ ବ୍ୟାଧି ପ୍ରାଚ୍ୟକୁ ଗ୍ରାସ କରିଛି । ଏସିଆ ଓ ଆଫ୍ରିକା ମହାଦେଶର ଅମାପ ପ୍ରାକୃତିକ ସମ୍ପଦର ଅକୁଣ୍ଠ ଲୁଣ୍ଠନ ଚାଲିଛି । ଶିଳ୍ପର ବିକାଶ ତଥା ସହର ପ୍ରତିଷ୍ଠା ପାଇଁ ଗାମୀଣ କୃଷି ଉପଯୋଗୀ ଉର୍ବର ଜମି ଓ ନଦୀ ତଥା ଭୂତଳ ଜଳଭଣ୍ଡାରକୁ କଳେ ବଳେ କୌଶଳେ ଅକ୍ତିଆର କରାଯାଉଛି । ଏଥିରେ କେତେକ ନ୍ୟସ୍ତସ୍ଵାର୍ଥ ପୁଞ୍ଜିପତି, ତାଙ୍କ ପରିଚାଳିତ ବାହୁବଳୀ ସଂଗଠନ ସହିତ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ସଂଶ୍ଳିଷ୍ଟ । ସାମାଜିକ ନ୍ୟାୟ ପ୍ରଦାନ ପରିବର୍ତ୍ତେ ବ୍ୟକ୍ତିଗତ ସ୍ଵାର୍ଥସାଧନ ପାଇଁ ବିଶାଳ କଳକାରଖାନା, କୋଠାବାଡି ନିର୍ମାଣ ଚାଲିଛି । ଏହାଫଳରେ, ଧନୀ ଓ ଗରିବ ତଥା ସବଳ ଓ ଦୁର୍ବଳ ଭିତରେ ଥିବା ଯୁଗ ଯୁଗର ବିବାଦ ଆଜି ନୂଆ ରୂପ ନେଇ ସମାଜରେ ବିପଦ ଓ ଅଶାନ୍ତି ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ପରିବେଶର ଭବିଷ୍ୟତ ବିଶେଷ ଆଲୋଚନାଯୋଗ୍ୟ ।
ଜଳ, ଜମି ଓ ଜୀବିକା ନେଇ ଜୀବନଯୁଦ୍ଧ ଆଜି କେବଳ ପ୍ରାଚ୍ୟ ବା ବିକାଶମୁଖୀ ରାଷ୍ଟ୍ରମାନଙ୍କରେ ନୁହେଁ, ସାରା ବିଶ୍ଵର କୋଣେ ଅନୁକୋଣେ ଅନୁଭୂତ ହେଉଛି । ଏହି ସଂଗ୍ରାମ ଆଜିର ନୁହେଁ, ଏହା ମାନବ ସଭ୍ୟତାର ଅଙ୍କୁରୋଦଗମ ଠାରୁ ଆରମ୍ଭ ହୋଇ ଯେ ଦିନେ ଏହାର ବିଲୋପ ଘଟାଇବ – ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ତାଳ ଦେଇ ପ୍ରାକୃତିକ ସମ୍ପଦମାନଙ୍କର ଦ୍ରୁତ ଅବକ୍ଷୟ ଏହାର ପ୍ରଧାନ କାରଣ । ଖାଦ୍ୟ, ବସ୍ତ୍ର, ବାସଗୃହ ପରି ଅତ୍ୟାବଶ୍ୟକୀୟ ବସ୍ତୁମାନଙ୍କୁ ହାତମୁଠାରେ ପାଇ ମଧ୍ୟ ମଣିଷ ଆଜି ଆହୁରି ଅଧିକ ପାଇବା ପାଇଁ ଆଶାୟୀ । ନିଜର ସୁଖସମୃଦ୍ଧି ନିମିତ୍ତ ଅନ୍ୟର ସର୍ବସ୍ଵ ଲୁଣ୍ଠନ ପାଇଁ ପଛେଇ ଯାଉନାହିଁ । ମାନବସମ୍ମତ ଦେବଦତ୍ତ ସମ୍ପତ୍ତି ଲୁଣ୍ଠନ ପାଇଁ ସଦାସର୍ବଦା ସେ ଆଗ୍ରହୀ ।
ପରିବେଶ କହିଲେ ସାଧାରଣତଃ ଭୂମି, ଜଳ, ବାୟୁ, ବନ୍ୟସମ୍ପଦ ଇତ୍ୟାଦିକୁ ବୁଝାଏ । କିନ୍ତୁ ଏହା କେବଳ ଦୃଶ୍ୟମାନ ତଥା ଅନୁଭୂତ ଏହିସବୁ ଜଡ ପଦାର୍ଥକୁ ବୁଝାଏ ନାହିଁ । ଏହାର ବ୍ୟାପ୍ତି ଅନନ୍ତ ମହାସାଗରଗୁଡିକର ଗଭୀର ଲବଣାକ୍ତ ଜଳର ତାପ ଓ ତନ୍ମଧ୍ୟରେ ପ୍ରବାହିତ ଅଦୃଶ୍ୟ ଉଷ୍ମ ବା ଶୀତଳ ସ୍ରୋତଠାରୁ ଆରମ୍ଭ କରି ସମସ୍ତ ଶକ୍ତିର ଉତ୍ସ ସୌରରଶ୍ମି ଓ ବାୟୁମଣ୍ଡଳ ସହିତ ଓତପ୍ରୋତ ଭାବେ ଜଡିତ । ମୌସୁମୀ ବାୟୁର ଅନିୟମିତତା ଠାରୁ ଆରମ୍ଭ କରି ଜଳ ବା ସ୍ଥଳଭାଗରେ ସୃଷ୍ଟି ହେଉଥିବା ଆଗ୍ନେୟଗିରିର ଆଗଣି ଉଦ୍ ଗିରଣ, ସୁନାମି, ଝଡବର୍ଷା, ବାତ୍ୟା, ଘୂର୍ଣ୍ଣିବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ଶ୍ରେଣୀର ଅନ୍ତର୍ଭୁକ୍ତ ଏହିସବୁ ବିପର୍ଯ୍ୟୟ ଆଜି ନୂଆ ନୁହେଁ । ଏହା ହଜାର ହଜାର ବର୍ଷ ଧରି ଘଟି ଆସିଛି । କିନ୍ତୁ ଏହାର ନିୟମିତତା ଓ ଏଥିରେ କ୍ଷୟକ୍ଷତିର ପରିମାଣ ଅନେକ ଗୁଣରେ ବୃଦ୍ଧି ପାଇଛି । ଅନେକ ଶୀତଳ ଯୁଗ ଆସିଛି, ପୃଥିବୀର କୋଣେ ଅନୁକୋଣେ ବରଫ ଜମାଟ ବାନ୍ଧିଛି ; କିନ୍ତୁ ପରେ ତାପମାତ୍ରା ବୃଦ୍ଧି ପାଇଛି, ବରଫା ତରଳିଛି ଏବଂ କ୍ରମଶଃ ସ୍ଵାଭାବିକ ହୋଇଛି । ମାତ୍ର ବିଗତ କେତେ ବର୍ଷ ଧରି ମାନବକୃତ ପ୍ରଦୂଷଣ ପ୍ରଭାବରେ ଜଳ, ସ୍ଥଳ, ବାୟୁ ବିଷାକ୍ତ ହୋଇପଡିଛି । ପ୍ରକୃତିର ପ୍ରଦୂଷଣ ନିରୋଧ ଶକ୍ତି ଲୋପପ୍ରାୟ । ଏହି ପରିପ୍ରେକ୍ଷୀରେ କ୍ରମବର୍ଦ୍ଧମାନ ପ୍ରଦୂଷଣ ଆମ ପରିବେଶକୁ ବିଷାକ୍ତ କରି ଚାଲିଛି ଏବଂ ଏଥିରୁ ବନ୍ୟା, ବାତ୍ୟା, ଝଡ, ଘୂର୍ଣ୍ଣିବାତ୍ୟା, ଗ୍ରୀଷ୍ମପ୍ରବାହ, ମରୁଡି, ବନାଗ୍ନି ପ୍ରଭୃତି ବିପର୍ଯ୍ୟୟର ସଂଖ୍ୟା ଓ ମାତ୍ରା ବୃଦ୍ଧି ପାଉଛି
ଆଜି ଜଳର ବିନିଯୋଗ କୃଷି ବା ଖାଦ୍ୟ ଉତ୍ପାଦନ ତଥା ପାନୀୟଜଳ ଭାବେ ବ୍ୟବହାର ତୁଳନାରେ ଶିଳ୍ପୋଦ୍ୟୋଗମାନଙ୍କରେ ବିନିଯୋଗ ହୋଇ ପ୍ରଦୂଷିତ ଅବସ୍ଥାରେ ଛାଡି ଦିଆଯାଉଛି । ଏହି ଦୂଷିତ ଜଳର ପୁନରୁଦ୍ଧାର ବ୍ୟୟବହୁଳ ତଥା ସମୟସାପେକ୍ଷ ହୋଇଥିବାରୁ ବିନିଯୋଗ କରାଯାଇପାରୁନାହିଁ । ଫଳରେ ଜଳଚକ୍ର ବାଧାପ୍ରାପ୍ତ ହୋଇ ଜଳାଭାବ ଦେଖାଦେଇଛି । ଜଳ ପାଇଁ ରାଷ୍ଟ୍ର ରାଷ୍ଟ୍ର ଭିତରେ ତଥା ପ୍ରଦେଶ ମଧ୍ୟରେ କନ୍ଦଳ ଲାଗିରହିଛି । ବିଶୁଦ୍ଧ ପାନୀୟଜଳ ଆଜି କେବଳ ବୋତଲରେ ଉପଲବ୍ଧ, ଯାହା ବ୍ୟୟବହୁଳ ଓ ସାଧାରଣ ଲୋକଙ୍କ ଆର୍ଥିକ ଦୂରବସ୍ଥା ଯୋଗୁଁ ସେମାନଙ୍କ ପାଇଁ ସ୍ଵପ୍ନ ହୋଇପଡିଛି । ଗ୍ରାମୀଣ ଲୋକେ ଦୂରଦୂରାନ୍ତରୁ ପାନୀୟଜଳ ସଂଗ୍ରହ କରୁଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଝଡବାତ୍ୟା, ଘୂର୍ଣ୍ଣିବାତ୍ୟା ପ୍ରଭୃତିର ତାଣ୍ଡବ ଅନନ୍ୟ । ୨୦୧୨ ମସିହା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଫିଲିଫାଇନସ ଉପରେ କେନ୍ଦ୍ରୀଭୂତ, ଘୂର୍ଣ୍ଣିବାତ୍ୟା ‘ବୋଫା’ ରେ ୭୭ ଜଣ ମୃତ ଓ ୨.୫ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି । ଆମେରିକା ଓ ମହାସାଗରୀୟ ଦ୍ଵୀପପୁଞ୍ଜମାନଙ୍କରେ ଲଘୁଚାପଜନିତ ଝଡବର୍ଷା ଏକ ଚିରାଚରିତ ଘଟଣା । ଭାରତବର୍ଷ ତଥା ପୂର୍ବତଟବର୍ତ୍ତୀ ରାଜ୍ୟ ଯଥା – ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗରେ ମୌସୁମୀ ପୂର୍ବ ଓ ପର ସମୟରେ ଝଡବର୍ଷା ଲାଗିରହିଛି । ପ୍ରକୃତରେ ଦେଖିଲେ, ତଟବର୍ତ୍ତୀ ରାଜ୍ୟମାନଙ୍କରେ ଏ ସବୁର ମୁକାବିଲା କରିବା ପାଇଁ ଓ କ୍ଷୟକ୍ଷତି ଆପୂର୍ତ୍ତି ପାଇଁ ସମ୍ବଳ ଅଭାବ । ଜଳ ଓ ସ୍ଥଳଭାଗ ମଧ୍ୟରେ ତାପଧାରଣର ଶକ୍ତି ଭିନ୍ନ ହୋଇଥିବା ଫଳରେ ଗଭୀର ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇଥାଏ । କ୍ରମଶଃ ଏହା ସ୍ଥଳଭାଗ ଆଡକୁ ଗତି କରିଥାଏ । ଏହି ଲଘୁଚାପ ଯେତେ ସମୁଦ୍ର ଉପରେ ଗତି କରେ, ତା’ର ଆକାର ଓ ତୀବ୍ରତା ସେତେ ବୃଦ୍ଧି ପାଏ । ସ୍ଥଳଭାଗ ସଂସ୍ପର୍ଶରେ ଆସିଲେ କ୍ରମେ ଏହା ଦୁର୍ବଳ ହୋଇଯାଏ । ତେଣୁ ସମୁଦ୍ର ଜଳର ଉତ୍ତାପ ଧାରଣର ଶକ୍ତି ଥିବାରୁ ଲଘୁଚାପ ସୃଷ୍ଟି ହୋଇଥାଏ । ବିଶ୍ଵ ତାପମାତ୍ରାର ବୃଦ୍ଧି ସଙ୍ଗେ ସଙ୍ଗେ ଝଡବାତ୍ୟାର ପ୍ରକୋପ ଓ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବାରେ ଲାଗିଛି ।
ଏପରି ଦୁର୍ବିପାକର କୁପରିଣାମ ଧନୀ ଓ ଗରିବ ଉଭୟ ରାଷ୍ଟ୍ର ଭୋଗୁଛନ୍ତି । ୨୦୦୫ରେ ‘ କ୍ୟାଟ୍ରିନା ’ ନାମକ ଏକ ଝଡ ଯୁକ୍ତରାଷ୍ଟ୍ରର ନ୍ୟୁଓରଲିୟନ୍ସ ରାଜ୍ୟରେ ତାଣ୍ଡବ ରଚନା ଅଋ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା । ୧୯୫୦ ପରି ୨୦୦୫କୁ ମଧ୍ୟ ଆମେରିକୀୟ ଇତିହାସରେ ଝଡବାତ୍ୟାର ବର୍ଷ ବୋଲି କୁହାଯାଏ । ଦକ୍ଷିଣ ଆଟଲାଣ୍ଟିକା ମହାସାଗର ପ୍ରୁଷ୍ଠାକୁ ଶୀତଳ ଜଳସ୍ରୋତର ଉତ୍ଥାନ ଫଳରେ ଜଳ ଓ ସ୍ଥଳଭାଗ ମଧ୍ୟରେ ଉତ୍ତାପର ତାରତମ୍ୟ ଘଟି ଏସବୁ ଝଡର ସୃଷ୍ଟି ହୋଇଥିଲା । ଅକ୍ଟୋବର ୨୯ ତାରିଖ ୧୯୯୯ ମସିହା ବିଶ୍ଵବାସୀମାନଙ୍କ ପାଇଁ ଏକ ଦୁଃଖଦାୟକ ଦିନ ଥିଲା । ଓଡିଶାର ପାରାଦ୍ଵୀପ ଉପକୂଳରେ ସୃଷ୍ଟି ବିଶାଳ ଲଘୁଚାପ ଫଳରେ ଘଣ୍ଟାକୁ ପ୍ରାୟ ୨୮୦ କି.ମି. ବେଗରେ ପବନ ବହିବା ସଙ୍ଗେ ସଙ୍ଗେ ୩୦ – ୪୦ ଫୁଟ ଉଚ୍ଚ ସମୁଦ୍ର ଜଳର ଜୁଆର ପ୍ରାୟ ୩୦ କି.ମି. ପର୍ଯ୍ୟନ୍ତ କେତେ ଘଣ୍ଟା ଭୀତରେ ମାଡି ଆସିଥିଲା । ଜଗତସିଂହପୁରା ଓ କେନ୍ଦ୍ରାପଡା ପରି ତଟବର୍ତ୍ତୀ ଜିଲ୍ଲାମାନଙ୍କୁ ଏହା ବିଶେଷ ପ୍ରଭାବିତ କରିଥିଲା ଏବଂ ଘରଦ୍ଵାର, ରାସ୍ତାଘାଟ ସହିତ ବସବାସ କରୁଥିବା ଲୋକ, ଜୀବଜନ୍ତୁଙ୍କୁ ମଧ୍ୟ ଭସାଇ ନେଇଥିଲା । ବାୟୁର ତୀବ୍ରତା ୧୫୦ କି.ମି. ଦୂରରେ ଅବସ୍ଥିତ ଭୁବନେଶ୍ଵରରେ ଭଙ୍ଗାରୁଜା ସହିତ ବୃକ୍ଷୋତ୍ପାଟନ, ଗମନାଗମନ, ବିଜୁଳି ସରବରାହ ଛିନ୍ନ କରିଥିଲା ।
ଏଥିପୂର୍ବରୁ ଅକ୍ଟୋବର ୧୭ ତାରିଖ ଦିନ ଦକ୍ଷିଣ ଓଡିଶା ଉପକୂଳରେ ଗୋପାଳପୁରାଠାରେ ମଧ୍ୟ ଲଘୁଚାପ ସୃଷ୍ଟି ହୋଇଥିଲା ; କିନ୍ତୁ ପାରାଦ୍ଵୀପର ଅତି ବିଶାଳ ଲଘୁଚାପ ତୁଳନାରେ ଏହା ନଗଣ୍ୟ । ଦୀର୍ଘ ଚାରିଦିନ ଧରି ଏହି ଲଘୁଚାପ ବଙ୍ଗୋପସାଗର ବକ୍ଷରେ କ୍ରମଶଃ ଦୃଢୀଭୂତ ହେବାରେ ଲାଗିଥିଲା । ହଠାତ୍ ଏହା ସ୍ଥଳଭାଗ ଆଡକୁ ମୁହାଁଇ ଦୀର୍ଘ ୮ ଘଣ୍ଟା କାଳ ତାଣ୍ଡବ ସୃଷ୍ଟି କରିଥିଲା । ଏଥିରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ସଠିକ୍ ଆକଳନ କରିବା ଅସମ୍ଭବ । କୁହାଯାଏ ଯେ ୨୪ ଲକ୍ଷ ହେକ୍ଟର ଚାଷଜମିରେ ଦୁଇ ସପ୍ତାହ ଧରି ଲୁଣିପାଣି ପଶି ରହିଥିଲା । ପ୍ରାୟ ୭୦ ହଜାର ବ୍ୟକ୍ତି ଓ ୪ ଲକ୍ଷ ଗୋମହିଷାଦି ପଶୁ ମୃତ, ୯ ଲକ୍ଷ ବୃକ୍ଷ ଉତ୍ପାଟିତ, ୧୫.୭ ଲକ୍ଷ ହେକ୍ଟର ଧାନ ଓ ୩୩,୦୦୦ ହେକ୍ଟର ଅନ୍ୟାନ୍ୟ ଫସଲହାନି, ୧୨.୫ ଲକ୍ଷ ଘର ନଷ୍ଟ ଏବଂ ୧.୫ କୋଟି ଲୋକ ପ୍ରଭାବିତ ହୋଇଥିଲେ ବୋଲି ଏକ ଆକଳନରୁ ଜଣାଯାଏ । ଝଡ ପରେ ପ୍ରଭାବିତ ଅଞ୍ଚଳରେ ଶବସତ୍କାର ତ ଦୂରର କଥା, କୂଅ ପୋଖରୀର ପାଣି ଦୂଷିତ ଜଳ ବ୍ୟବହାର କରି ଝାଡାବାନ୍ତିରେ ୧୦ ଲକ୍ଷ ପଡିଗଲେ । ଶସ୍ୟହାନିର ଆକଳନ କେବଳ ୧,୭୫୦ କୋଟି ଟଙ୍କା । ପିଇବା ପାଣି, ରନ୍ଧାଖାଦ୍ୟ ଓ ପଲିଥିନ ଧରି ସ୍ଵୟଂ ସେବକ ଗୋଷ୍ଠୀ ତଥା ସରକାର ପ୍ରଭାବିତ ଲୋକଙ୍କ ପାଖରେ ହଠାତ୍ ପହଞ୍ଚିବା ସମ୍ଭବ ନ ଥିଲା । ପରିସ୍ଥିତି ସ୍ଵାଭାବିକ ହେବାକୁ ବର୍ଷ ବର୍ଷ ଲାଗିଥିଲା । କିନ୍ତୁ ଅନାଥ ଶିଶୁ ଓ ବଞ୍ଚି ରହିଥିବା ଲୋକଙ୍କ ମନରେ ଏହାର ଭୟାବହତା ଜୀବନଯାକ ଲାଗିରହିବ ।
ଉତ୍ତାପର ମାତ୍ରାଧିକ ବୃଦ୍ଧି ଫଳରେ ଗ୍ରୀଷ୍ମ ପ୍ରବାହ ଜନିତ କ୍ଷୟକ୍ଷତିର ପରିମାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପରେ ଭାରତରେ ଭାରତରେ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରିଥା’ନ୍ତି ଓ କେତେକ ହାସପାତାଳରେ ଚିକିତ୍ସା ପାଇଁ ଭର୍ତ୍ତି ହୁଅନ୍ତି । ଏହାଛଡା ବନାଗ୍ନି ଲାଗି ପ୍ରତିବର୍ଷ ହଜାର ହଜାର ହେକ୍ଟର ବନାଞ୍ଚଳ ଜଳିଯାଉଛି । ଉଦାହରଣ ସ୍ୱରୂପ ଆମେରିକାର ଟେକ୍ସାସ ରାଜ୍ୟରେ ପ୍ରାୟ ୩୦ ଲକ୍ଷ ଏକର, ଆରିଜୋନରେ ୫ ଲକ୍ଷ ଏକର ବନ୍ୟସମ୍ପଦ ୨୦୧୦ ରେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଗଛଲତା, ଜୀବଜନ୍ତୁଙ୍କ ସହିତ ଆଖପାଖରେ ବସବାସ କରୁଥିବା ଘରସବୁ ପୋଡିଯାଇଛି । ତା’ଫଳରେ କ୍ଷତିର ପରିମାଣ ଅନେକ ଗୁଣ ବଢିଯାଇଛି । ଏହି ଦାବାନଳ ବହୁଦିନ ଧରି ଲାଗିରହେ କାରଣ ତାପବୃଦ୍ଧି ସଙ୍ଗେ ସଙ୍ଗେ ପବନ ବହି ଏହି ଅଗ୍ନିକୁ ଭୟଙ୍କର କରିଦିଏ । ଏହାର ନିର୍ବାପନ ପାଇଁ ଦମକଳ ସାଙ୍ଗକୁ ହେଲିକପ୍ଟରରୁ ପାଣି ଓ ଅଗ୍ନି ନିର୍ବାପକ ରସାୟନ ଛିଞ୍ଚାଯାଏ । ଆମେରିକୀୟ ମହାକାଶ ସଂସ୍ଥା (NASA)ର ମଡେଲ୍ ଦ୍ଵାରା ପ୍ରସ୍ତୁତ ଆକଳନରୁ ଜଣାଯାଏ ଯେ ଏହି ବନ – ଦହନ ପ୍ରକ୍ରିୟା ଆସନ୍ତା ୧୦ ବର୍ଷରେ ୩୦ ପ୍ରତିଶତ ଓ ଶତାବ୍ଦୀରେ ଶେଷ ଆଡକୁ ୬୦ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ରହିଛି । ୨୦୧୦ରେ ଆମେରିକୀୟ ଜାତୀୟ ବିଜ୍ଞାନ ଏକାଡେମି କରିଥିବା ଅଟକଳ ଅନୁଯାୟୀ ବିଶ୍ଵ ତାପମାତ୍ରା ମାତ୍ର ସେଲସିଅସ ବୃଦ୍ଧି ପାଇଲେ ବର୍ତ୍ତମାନ ତୁଳନାରେ ୩ ଗୁଣରୁ ଅଧିକ ବନାଗ୍ନି ଘଟିବାର ଆଶଙ୍କା ରହିଛି । ଏହାର ଫଳ ସ୍ୱରୂପ ବହୁତ ଲୋକ ବାସଚ୍ୟୁତ ହୋଇ ପୁନର୍ବାସ ଓ ଥଇଥାନ ଖୋଜିବେ । ଏହାଛଡା କେତେ ବନ୍ୟସମ୍ପତ୍ତି କ୍ଷୟକ୍ଷତି ହେବ, କେତେ ବିରଳ ପଶୁ, ପକ୍ଷୀ, ବୃକ୍ଷଲତା ଲୋପ ପାଇବେ - ସେ କଥା ସହଜରେ ଅନୁମାନ କରାଯାଇପାରେ ।
ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ କୁଫଳ ହେଲା, ଏକକାଳୀନ ପ୍ରଚୁର ବୃଷ୍ଟିପାତ । ବିଶ୍ଵର ବାର୍ଷିକ ବୃଷ୍ଟିପାତ ହାର ବିଗତ ଦଶବର୍ଷ ଭିତରେ ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହି ବୃଷ୍ଟିପାତର ସ୍ଥାନ ଓ କାଳରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଯାହା ଦିନେ ମରୁଭୁମି ବା ମରୁଅଞ୍ଚଳ ଥିଲା, ସେସବୁରେ ସବୁଜ ବିପ୍ଲବ ଆସିଛି ଏବଂ ସୁନାବ୍ୟା ନଦୀ ଉପତ୍ୟକାରେ ଠିକ୍ ସମୟରେ ଜଳାଭାବ ଫଳରେ କୃଷି ବାଧାପ୍ରାପ୍ତ ହୋଇଛି । ଆବହମାନ କାଳରୁ ପ୍ରବାହିତ ମୌସୁମୀବାୟୁଜନିତ ବର୍ଷା ଏସୀୟ ଭୂଖଣ୍ଡରେ ୩/୪ ମାସ ଧରି ଲାଗି ରହୁଥିଲା ଏବଂ ଏଥିପାଇଁ କୃଷି ଓ ପଶୁପାଳନ ଏଠାକାର ପ୍ରଧାନ ବ୍ୟବସାୟ ଥିଲା । ସେହିପରି ଅନ୍ୟାନ୍ୟ ଦେଶମାନଙ୍କରେ ବର୍ଷାର ସମୟ ପ୍ରାୟତଃ ନିୟମିତ ଥିଲା ; କିନ୍ତୁ ବିଗତ ବହୁ ବର୍ଷ ଧରି ଏଥିରେ ଅନିୟମିତତା ଦେଖାଦେଇଛି । କେବେ ମାତ୍ରାଧିକ ବର୍ଷା ହୋଇ ବନ୍ୟା ତ ପୁଣି କେବେ ବର୍ଷା ଅଭାବରୁ ମରୁଡି, ଘୂର୍ଣ୍ଣିବାତ୍ୟା ଉଭୟ ସହର ଓ ଗ୍ରାମୀଣ କ୍ଷେତ୍ରକୁ ଧ୍ଵଂସ କରିବାରେ ସକ୍ଷମ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଘୂର୍ଣ୍ଣିବାତ୍ୟା ଏକ ନିୟମିତ ବିପତ୍ତି ଏପ୍ରିଲ ୧୩ ରୁ ୧୫ ପର୍ଯ୍ୟନ୍ତ ୩ ଦିନ ଧରି ୨୦୧୧ ରେ ଘଟିଥିବା ୧୫୦ ଟି ଘୂର୍ଣ୍ଣିବାତ୍ୟାରେ ୧୬ଟି ରାଜ୍ୟ ପ୍ରଭାବିତ ହୋଇଥିଲେ । ତା’ର ୧୦ ଦିନ ପରେ ; ଅର୍ଥାତ୍ ଏପ୍ରିଲ ୨୫ ରୁ ୨୮ ଭିତରେ, ୩୦୦ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୧୪ ଟି ରାଜ୍ୟରେ କ୍ଷୟକ୍ଷତି ଘଟାଇଥିଲା । ଏପ୍ରିଲ ୨୭ ତାରିଖ ଦିନ ଏହାର ମାତ୍ରା ଏତେ ଅଧିକ ଥିଲା ଯେ ଏକକାଳୀନ ୩୩୯ ଜଣ ମୃତ୍ୟୁମୁଖରେ ପଡିଥିଲେ । ଆମେରିକା ଭଳି ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ର ତଥା ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ସର୍ବାଗ୍ରେ ଥିବା ଦେଶ ଏପରି ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହାର ମାନିଛି । ଏଣୁ ଗରିବ ବା ବିକାଶଶୀଳ ଦେଶମାନେ ଏଭଳି କାଳଭୈରବୀ ସାମନାରେ ହାର ମାନିବା ସ୍ଵାଭାବିକ । ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥା (I.I.T.) ଦିଲ୍ଲୀର ଗବେଷଣାରୁ ଜଣାଯାଏ ଯେ ମୌସୁମୀ ପୂର୍ବରୁ ଘଟୁଥିବା ଘୂର୍ଣ୍ଣିବାତ୍ୟା ଉତ୍ତରପୂର୍ବ ଭାରତରେ ଗତ କେତେ ବର୍ଷ ଭିତରେ ତ୍ୱରାନ୍ୱିତ ଭାବେ ବୃଦ୍ଧି ପାଇଛି । ଏଥିପାଇଁ ତାପମାତ୍ରାରେ ବୃଦ୍ଧି ମୁଖ୍ୟତଃ ଦାୟୀ ।
ସମୁଦ୍ର ଗର୍ଭରେ ଥିବା ଆଗ୍ନେୟଗିରି ମାନଙ୍କରୁ ଅଗ୍ନି ଉଦ୍ ଗିରଣ ଓ ଭୂକମ୍ପ ଫଳରେ ଗଭୀର ଜଳରେ ସୁନାମୀ ସୃଷ୍ଟି ହୁଏ । ଏହାର ନାଭିକେନ୍ଦ୍ର ତଟବର୍ତ୍ତୀ ଇଲାକାରୁ ଦୂରରେ ଥାଇ ମଧ୍ୟ ସୁନାମୀ ଜୁଆର ପ୍ରବଳ ବେଗରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡିଆସେ । ଏହାର ପରିଣାମ ଧ୍ଵଂସ, ମୃତ୍ୟୁ ଓ ପ୍ରଚୁର କ୍ଷୟକ୍ଷତି । ଇଣ୍ଡୋନେସିଆ, ଫିଲିପାଇନ୍ସ, ଜାପାନ ଭଳି ଦେଶମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଥା’ନ୍ତି । ବିଗତ ମାର୍ଚ୍ଚ ୧୧ ତାରିଖ ୨୦୧୧ ଦିନ ଜାପାନର ଉତ୍ତର ପଶ୍ଚିମ ତଟବର୍ତ୍ତୀ ଆଟଲାଣ୍ଟିକା ମହାସାଗର ମଧ୍ୟରେ ସୃଷ୍ଟି ହୋଇଥିବା ଭୂକମ୍ପର ତୀବ୍ରତା ରିଚଟର ସ୍କେଲରେ ୭.୩୩ ଥିଲା । ଏହା ଉପକୂଳଠାରୁ ୨୪୫ କି.ମି. ଦୂର, ୧୦ କି.ମି. ଗଭୀର ସମୁଦ୍ରରେ ଘଟିଥିଲେ ମଧ୍ୟ ମାତ୍ର କେତେ ଘଣ୍ଟା ଭିତରେ ଫୁକୁସିମାସ୍ଥିତ ତିନିଟି ଆଣବିକ ଶକ୍ତିକେନ୍ଦ୍ରକୁ ଭାଙ୍ଗିରୁଜି ଛାରଖାର କରିଦେଇଥିଲା । ଏଥିରେ ଥିବା ରିଆକ୍ଟର ଗୁଡିକ ଗୋଟିକ ପରେ ଗୋଟିଏ ବନ୍ଦ ହୋଇ ଏମାନଙ୍କ ଶୀତଳୀକରଣ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା, ଫଳରେ ଉଦ୍ ଜାନ ଗ୍ୟାସ ସୃଷ୍ଟି ହେଲା ଓ ନିଆଁ ଲାଗି ବିସ୍ଫୋରଣ ଘଟିଲା । ଏଥିରୁ ନିର୍ଗତ ଆଣବିକ ରଶ୍ମି ଓ ଆଖପାଖ ଅଞ୍ଚଳରେ ମାଡି ଯାଇଥିବା ଆଣବିକ ପ୍ରଦୂଷଣ ଜାପାନ ସରକାର ତଥା ବିଶ୍ଵର ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଶୋଧ ହୋଇପାରୁନାହିଁ । ଦେଢଲକ୍ଷ ଲୋକ ଗତ ପ୍ରାୟ ଦୁଇ ବର୍ଷ ଧରି ବିସ୍ଥାପିତ ଭାବେ କାଳ କଟାଉଛନ୍ତି । ବିଗତ ୨୫ ବର୍ଷ ତଳେ ରୁଷିଆର ଚେର୍ନୋଭିଲ ଆଣବିକ ଶକ୍ତି କେନ୍ଦ୍ରରେ ଘଟିଥିବା ବିକିରଣ ତୁଳନାରେ ଫୁକୁସିମାର ମାତ୍ରା ଅନେକ ଗୁଣରେ ଅଧିକ ।
ଏହି ଆଣବିକ ଶକ୍ତିକେନ୍ଦ୍ରମାନଙ୍କ ମାଲିକ ଟୋକିଓ କମ୍ପାନୀ ପାଖରେ ସମ୍ବଳ ଅଭାବରୁ ଜାପାନ ସରକାର ଏହାକୁ ରାଷ୍ଟ୍ରାୟତ୍ତ କରି ପ୍ରଚୁର ଧନ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ତଥାପି ଏଠାରେ ବର୍ଷେ ପରେ ବିଜୁଳି ସରବରାହ ସମ୍ଭବ ହେଲା । ଏଠାରେ ଅବସ୍ଥା ସ୍ଵାଭାବିକ ହେବା ପାଇଁ କେତେଦିନ ଲାଗିବ, ଜଣାନାହିଁ । ଏବେ ଜାପାନ ସରକାର ଏଭଳି ୨୧ଟି ପୁରାତନ ଆଣବିକ ଶକ୍ତିକେନ୍ଦ୍ରରେ ନିରାପତ୍ତା ବ୍ୟବସ୍ଥାର କଡାକଡି ଯାଞ୍ଚ କରୁଛନ୍ତି । ଦରକାର ହେଲେ କେତେକଙ୍କୁ ବନ୍ଦ କରିଦିଆଯାଇପାରେ । ଜାପାନ ଭଳି ପ୍ରାକୃତିକ ସମ୍ପଦବିହୀନ ଉନ୍ନତ ରାଷ୍ଟ୍ର ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପରମାଣୁ ଅସ୍ତ୍ରରେ କ୍ଷତିଗ୍ରସ୍ତ ହେଲା ପରେ ମଧ୍ୟ ବାଧ୍ୟ ହୋଇ ଆଣବିକ ଶକ୍ତି ଉପରେ ନିର୍ଭର କରେ, କିନ୍ତୁ ଏହାର ଦ୍ଵୀପପୁଞ୍ଜ ଆଗ୍ନେୟଶିଳା ଓ ବିଶ୍ଵର ଭୂମିକମ୍ପ ମାନଚିତ୍ରର ସର୍ବାଗ୍ରେ ଥିବାରୁ ସଦାସର୍ବଦା ସୁନାମିର ଭୟ ଲାଗିରହିଛି । ବିଶ୍ଵ ତାପମାତ୍ରାରେ ବ୍ୟାପକ ପରିବର୍ତ୍ତନ ଘଟିଲେ ଭୂମିକମ୍ପ ଓ ସୁନାମିର ଭୟ ଯେ ବୃଦ୍ଧି ପାଇବ, ଏଥିରେ ସନ୍ଦେହ ନାହିଁ ।
ବିଗତ କେତେ ବର୍ଷ ଧରି ପ୍ରତିବର୍ଷ ପ୍ରାୟ ୨୫ କୋଟି ଲୋକ ପାଣିପାଗ ସମ୍ବନ୍ଧୀୟ ବିପର୍ଯ୍ୟୟର ଶିକାର ହେଉଛନ୍ତି । ଗତ ୨୦ ବର୍ଷ (୧୯୯୨ - ୨୦୧୨) ଭିତରେ କ୍ଷତିପୂରଣ ପାଇଁ ଖର୍ଚ୍ଚ ଅର୍ଥର ଆକଳନ ୧୫ ହଜାର କୋଟି ଟଙ୍କା ବୋଲି କୁହାଯାଉଛି । ନିମ୍ନରେ ଦିଆଯାଇଥିବା ସାରଣୀରୁ କେତେକ ଆଗ ଧାଡି ରାଷ୍ଟ୍ରସମୂହରେ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଓ ବାର୍ଷିକ ବୃଦ୍ଧିହାର ଦିଆଗଲା ।
ସାରଣୀ – ୧ : ବିଶ୍ଵ ଅଙ୍ଗାରକାମ୍ଳ ବଜେଟ (୨୦୧୧)
ଦେଶ / ଦେଶସମୂହ |
ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ (ଟନ) – ୨୦୧୧ |
% ବାର୍ଷିକ ବୃଦ୍ଧି ହାର (୨୦୧୦ ତୁଳନାରେ) |
% ବିଶ୍ଵ ବାର୍ଷିକ ବଜେଟକୁ ଅବଦାନ |
ଚୀନ୍ |
୬.୬ |
୯.୯ |
୨୮ |
ଯୁକ୍ତରାଷ୍ଟ୍ର ଆମେରିକା |
୧୭.୨ |
୧.୮ |
୧୬ |
ୟୁରୋପୀୟ ରାଷ୍ଟ୍ରଗୋଷ୍ଠୀ |
୭.୩ |
୨.୮ |
୧୧ |
ଭାରତବର୍ଷ |
୧.୮ |
୭.୫ |
୭ |
ବିଶ୍ଵ ତାପମାତ୍ରାରେ ଆଲୌକିକ ବୃଦ୍ଧି ଫଳରେ ମନୁଷ୍ୟକୃତ ବିପର୍ଯ୍ୟୟର ସଂଖ୍ୟା, ନିୟମିତତା ଓ କ୍ଷୟକ୍ଷତିର ଆକଳନ ନିମ୍ନଦତ୍ତ ସାରଣୀମାନଙ୍କରୁ ସ୍ପଷ୍ଟ ଅନୁମେୟ ।
ସାରଣୀ – ୨
ବିଗତ ଦୁଇଦଶନ୍ଧିର ପ୍ରାକୃତିକ / ମନୁଷ୍ୟକୃତ ବିପର୍ଜୟରେ ଘଟିଥିବା କ୍ଷୟକ୍ଷତିର ପରିମାଣ (୧୯୮୦ – ୨୦୧୦)
ମୋଟ ବିପର୍ଯ୍ୟୟର ସଂଖ୍ୟା |
୪୩୧ |
ମୃତ୍ୟୁ ସଂଖ୍ୟା |
୧୪୩, ୦୩୯ |
ବାର୍ଷିକ ହାରାହାରି ମୃତ୍ୟୁସଂଖ୍ୟା |
୪,୬୧୪ |
ପ୍ରଭାବିତ ଲୋକସଂଖ୍ୟା |
୧୫.୨୨ କୋଟି |
ବାର୍ଷିକ ପ୍ରଭାବିତ ଲୋକସଂଖ୍ୟା |
୪.୯୧ କୋଟି |
ଅର୍ଥହାନି |
୪୮୦.୬୪ |
ବାର୍ଷିକ ଅର୍ଥହାନି ଦର |
୧୫.୫ କୋଟି ଡଲାର |
ସାରଣୀ -୩ : ବିପର୍ଯ୍ୟୟର ବାର୍ଷିକ ବୃଦ୍ଧି ହାର (୧୯୮୦ - ୨୦୧୦)
ମରୁଡି |
୦.୨୩% |
ଭୂକମ୍ପ |
୦.୫୨% |
ରୋଗ ବ୍ୟାପି |
୧.୮୧% |
ଉଚ୍ଚତାପ |
୧.୨୩% |
ବନ୍ୟା |
୫.୯୪% |
ପୋକମରା |
୦.୦୩% |
ବାସଚ୍ୟୁତ |
୧.୧୩% |
ବାତ୍ୟା |
୨.୯୭% |
ବନାଗ୍ନି |
୦.୦୬% |
ସାରଣୀ – ୪ : ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକସଂଖ୍ୟା
ବିପର୍ଯ୍ୟୟ |
ମୃତ୍ୟୁ (%) |
ବିପର୍ଯ୍ୟସ୍ତ |
ଭୂକମ୍ପ / ସୁନାମି |
୩୪.୮ |
୧.୮ |
ରୋଗ ବ୍ୟାପି |
୧୦.୮ |
---- |
ଉଚ୍ଚତାପ |
୮ |
---- |
ବନ୍ୟା |
୨୮ |
୪୪.୮ |
ବାସଚ୍ୟୁତ |
୨ |
---- |
ବାତ୍ୟା |
୧୬.୨ |
୩.୭ |
ମରୁଡି |
---- |
୪୯.୪ |
ଉପରୋକ୍ତ ସାରଣୀଗୁଡିକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ବନ୍ୟା, ବାତ୍ୟା, ରୋଗବ୍ୟାଧିର ବ୍ୟାପିବା ତଥା ସୁନାମି ପରି ପ୍ରାକୃତିକ କିନ୍ତୁ ପରୋକ୍ଷ ଭାବେ ମନୁଷ୍ୟକୃତ ଦୁର୍ବିପାକମାନଙ୍କରେ ମେଉତ୍ୟୁ ଓ ପ୍ରଭାବିତ ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ବନ୍ୟା ଓ ବାତ୍ୟାର ପ୍ରାଦୁର୍ଭାବ ସବୁଠାରୁ ବେଶି ମାତ୍ରାରେ ବଢିଚାଲିଛି, ଯାହା ପାଣିପାଗର ପରିବର୍ତ୍ତନ ଯୋଗୁ ହେଉଛି । ୨୦ ବର୍ଷରେ ଦେଢଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୧୫ କୋଟିରୁ ଉର୍ଦ୍ଧ୍ଵ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ରିଲିଫ୍ ଓ ଅସ୍ଥାୟୀ ଥଇଥାନ ପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସରକାରୀ ଆକଳନ ପ୍ରକୃତ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ଓ ଖର୍ଚ୍ଚଠାରୁ ଅତ୍ୟନ୍ତ ନଗଣ୍ୟ । ଏଣୁ ପରିବେଶରେ ଏ ଯେଉଁ ଅକଥନୀୟ ପରିବର୍ତ୍ତନ ଘଟିଚାଲିଛି, ତା’ର ଧାରଣା କେବଳ ପ୍ରଭାବିତ ଲୋକ ଏବଂ ତାଙ୍କ ପରିବାରବର୍ଗ ହିଁ ଅଙ୍ଗେ ନିଭେଇଛନ୍ତି ।
ଅତୀତର ଘଟଣାକୁ ନେଇ ଏବଂ ବର୍ତ୍ତମାନର ପ୍ରଗତିକୁ ଆଖିରେ ରଖି ଏହା ସ୍ପଷ୍ଟ ଯେ ଭବିଷ୍ୟତରେ ଅଙ୍ଗାରକାମ୍ଳ ଓ ସେହିଭଳି ବିଶ୍ଵ ତାପମାତ୍ରାକୁ ବୃଦ୍ଧି କରୁଥିବା ସବୁଜଗୃହ ଗ୍ୟାସମାନଙ୍କ ନିର୍ଗମନ ବୃଦ୍ଧି ପାଇବ । ମଡେଲ ପ୍ରୟୋଗ କରି ବୈଜ୍ଞାନିକମାନେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଜଳବାୟୁ ପରିବର୍ତ୍ତନର କଳନା କରିଛନ୍ତି । ଏପରି ଅନେକ ମଡେଲ ଅଛି ଏବଂ ବୈଜ୍ଞାନିକ ବ୍ୟକ୍ତି ବା ଗୋଷ୍ଠୀବିଶେଷଙ୍କୁ ନେଇ ଏହି ଆକଳନର ଫଳାଫଳ ଭିନ୍ନ । ଏସବୁରେ ତାରତମ୍ୟ ରହିବା ସ୍ଵାଭାବିକ । କାରଣ ତାପମାତ୍ରାର ବୃଦ୍ଧି ଜଳ, ସ୍ଥଳ ଓ ବାୟୁମଣ୍ଡଳକୁ ଏକାପରି ପ୍ରଭାବିତ କରିପାରେ ନାହିଁ, ଏହା ସେସବୁର ତାପ ସମ୍ବେଦନଶୀଳତା ଓ ଧାରଣଶକ୍ତି ଉପରେ ନିର୍ଭର କରେ । ଏହାଛଡା ସବୁଜ କୋଠରୀ ଗ୍ୟାସମାନଙ୍କ ବୃଦ୍ଧିହାର ସଠିକ୍ ନିର୍ଣ୍ଣୟ କରିହେବନି । ଏକ ଆରେକ ମଧ୍ୟରେ ସମ୍ପର୍କ ଓ ସମନ୍ଵୟ ନିର୍ଣ୍ଣୟ କରିବା ମଧ୍ୟ ଅସମ୍ଭବ । ଏହି ପରିପ୍ରେକ୍ଷୀରେ କେତେକ ଆକଳନର ସାରାଂଶ ନିମ୍ନରେ ଦିଆଗଲା -
1) ୨୧୦୦ ମସିହା ବେଳକୁ ତାପମାନରେ ବୃଦ୍ଧି ପ୍ରାୟ ୨ରୁ F ଘଟିବାର ସମ୍ଭାବନା ରହିଛି; କିନ୍ତୁ ଏହା ସବୁଜଗୃହ ଗ୍ୟାସମାନଙ୍କ ଉତ୍ପାଦନ ଓ ବାୟୁମଣ୍ଡଳରେ ଥିବା ସୌରଶକ୍ତି ପ୍ରତିରୋଧକ ଶକ୍ତି ଥିବା ସୂକ୍ଷ୍ମ ଧୂଳିକଣା ଉପରେ ନିର୍ଭର କରେ ।
2) ବିଂଶ ଶତାବ୍ଦୀ ତୁଳନାରେ ଚଳିତ ଏକବିଂଶ ଶତାବ୍ଦୀରେ ବିଶ୍ଵ ତାପମାତ୍ରାର ବୃଦ୍ଧିହାର ଦୁଇଗୁଣ ହେବାର ଆଶଙ୍କା ରହିଛି ।
3) ସ୍ଥଳଭାଗରେ ଉଷ୍ମତା ଜଳଭାଗ ତୁଳନାରେ ଅଧିକ ହେବ ।
4) ଉତ୍ତର ଓ ଦକ୍ଷିଣ ମେରୁ ଓ ତତ୍ ସଂଲଗ୍ନ ତୁଷାର ମଣ୍ଡିତ ଭୂଖଣ୍ଡ ଓ ମହାସାଗରଗୁଡିକରେ ଉତ୍ତାପ ମାତ୍ରାରେ ଅଧିକ ବୃଦ୍ଧି ଘଟିବ । ସେହିପରି ଉତ୍ତର ମହାସାଗର ଓ ଉତ୍ତର ଆମେରିକାରେ ତାପମାତ୍ରା ମଧ୍ୟ ବୃଦ୍ଧି ଘଟିବ । ମେରୁ ଅଞ୍ଚଳରେ ଏହାର ମାତ୍ରା ଅନ୍ୟ ଅକ୍ଷାଂଶମାନଙ୍କ ତୁଳନାରେ ଅଧିକ ହେବ ।
5) ଉଚ୍ଚତାପ (୧୦ ରୁ F ) ଜନିତ ମୃତ୍ୟୁ ସଂଖ୍ୟା ତଥା କ୍ଷୟକ୍ଷତି ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ବିକାଶମୁଖୀ ରାଷ୍ଟ୍ରରେ ଅଧିକ ହେବ । ଏଥିରେ ବୃଦ୍ଧ, ବୃଦ୍ଧା, ଶିଶୁ ଓ କିଶୋର କିଶୋରୀମାନେ ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ପ୍ରଭାବିତ ହେବେ ।
6) ଉଚ୍ଚତାପର ମାତ୍ରା ୨ରୁ F ରହିବାର ସମ୍ଭାବନା ସଙ୍ଗେ ସଙ୍ଗେ ଆମେରିକାର ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ଭାଗରେ ୨୧୦୦ ବେଳକୁ ବର୍ଷକରେ ୬୦ ଦିନ ପରିବର୍ତ୍ତେ ୧୫୦ ଦିନ ; ଅର୍ଥାତ୍ ପ୍ରାୟ ୩ ଗୁଣ ସମୟ ପର୍ଯ୍ୟନ୍ତ ରହିବ ।
7) ବର୍ଷା ଓ ତୁଷାରପାତର ପରିମାଣ ଓ ସଂଖ୍ୟା ବୃଦ୍ଧି ପାଇବା ସହିତ ବନ୍ୟା, ବାତ୍ୟା, ଝଡ ଓ ଲଘୁଚାପର ମଧ୍ୟ ଗୁଣାତ୍ମକ ଓ ସଂଖ୍ୟା ବୃଦ୍ଧି ଘଟିବ । ବର୍ଷାଭାବରୁ କେତେକ ସ୍ଥାନରେ ମରୁଡି ପଡିବା ସହିତ ଅନ୍ୟ କେତେକ ସ୍ଥାନରେ ଅଧିକ ବର୍ଷା ହେବାରୁ ବନ୍ୟା, ଭୂସ୍ଖଳନ ଘଟିବ । ଲଘୁଚାପଜନିତ ବର୍ଷା ଓ ଝଡ ବିଷୁବମଣ୍ଡଳୀୟ ଅଞ୍ଚଳରୁ ଘୁଞ୍ଚି କ୍ରମଶଃ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ମେରୁମଣ୍ଡଳୀୟ ସ୍ଥଳ ଭାଗ ଆଡକୁ ଗତି କରିବ ।
8) ମେରୁ ଅଞ୍ଚଳରେ ହଜାର ହଜାର ବର୍ଷ ଧରି ଜମି ରହିଥିବା ବରଫଖଣ୍ଡଗୁଡିକ ତରଲି ଗଳିପଡ଼ୁଛନ୍ତି । ଏହାର ମାତ୍ରା କ୍ରମଶଃ ବୃଦ୍ଧି ପାଇବ ଏବଂ ସମୟକ୍ରମେ ଗ୍ରୀନଲ୍ୟାଣ୍ଡ ଓ ଆଣ୍ଟାର୍କଟିକା ଅଞ୍ଚଳର ସ୍ଥାୟୀ ବରଫଖଣ୍ଡ ଜଳରେ ପରିଣତ ହେବ ।
9) ସମୁଦ୍ରର ଜଳସ୍ତର ତ୍ୱରାନ୍ୱିତ ଭାବେ ବୃଦ୍ଧି ପାଇ ଲବଣାକ୍ତ ଜଳ ଉପକୂଳବର୍ତ୍ତୀ ନିମ୍ନଭୂମିକୁ ମାଡିଯିବ । ଅନେକ ସହର ଓ ଜନବସତି, ଯଥା – ବାଙ୍ଗଲାଦେଶ, ନ୍ୟୁୟର୍କ ଭଳି ସ୍ଥାନ କ୍ରମଶଃ ସମୁଦ୍ରଗର୍ଭରେ ଲୀନ ହୋଇଯିବ । ଆକଳନ ଅନୁସାରେ ପ୍ରତ୍ୟକ F ତାପବୃଦ୍ଧି ଫଳରେ ୧୫% ସମୁଦ୍ରରେ ଭାସମାନ ବରଫଖଣ୍ଡ ଓ ୨୫% ଉତ୍ତର / ଦକ୍ଷିଣ ମେରୁସ୍ଥିତ ସ୍ଥାୟୀ ବରଫରେ ହ୍ରାସ ଘଟିବ ।
କ୍ଵାତାରରେ ରାଜଧାନୀ ଦୋହାଠାରେ ଅଷ୍ଟାଦଶ ହିତାଧିକାରୀମାନଙ୍କ ସମ୍ମିଳନୀ ଜାତିସଂଘର ପରିବେଶ ସମ୍ପର୍କୀୟ କମିଟି ଦ୍ଵାରା ସଂଘଟିତ ହୋଇଥିଲା । ଏଥିରେ ପ୍ରାୟ ୨୦୦ଟି ସଭ୍ୟରାଷ୍ଟ୍ରଙ୍କ ପ୍ରତିନିଧି ନଭେମ୍ବର ୨୬ରୁ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ ୧୩ ଦିନ ଧରି ସବୁଜଗୃହ ଗ୍ୟାସ, ମୁଖ୍ୟତଃ ଅଙ୍ଗାରକାମ୍ଳ ଉତ୍ପାଦନରେ ହ୍ରାସ ଆଣିବା ପାଇଁ ସ୍ଵାକ୍ଷରିତ କ୍ୟୋଟୋ ପ୍ରୋଟାକଲ ବା କ୍ୟୋଟୋ ରାଜିନାମା ଉପରେ ଆଲୋଚନା କରିଥିଲେ । ଏହି ଚୁକ୍ତି ବିଶ୍ଵରେ ଏକମାତ୍ର ଆଇନ୍ ପରିସର ମଧ୍ୟରେ ସ୍ଵାକ୍ଷରିତ ଦସ୍ତାବିଜ ; ଯଦିଓ ଏଥିରେ ଅଧିକାଂଶ ଶକ୍ତିଶାଳୀ ଓ ପ୍ରଦୂଷଣ ସୃଷ୍ଟି କରୁଥିବା ରାଷ୍ଟ୍ର ସ୍ଵାକ୍ଷର କରି ନ ଥିଲେ ।
ଏହାର ସମୟସୀମା ୨୦୧୩ ଡିସେମ୍ବରରେ ପୂର୍ଣ୍ଣ ହେବାର ଥିଲା । ଏଣୁ ସଦସ୍ୟମାନେ ବାରମ୍ବାର ଏହି ଚୁକ୍ତିକୁ ଦୃଢୀଭୁକ୍ତ କରିବା ପାଇଁ ଓ ଏହାର ସମୟସୀମା ବୃଦ୍ଧି ପାଇଁ ଆଲୋଚନା କରିଆସିଛନ୍ତି ; କିନ୍ତୁ ଏଥିରେ ସୁଫଳ ମିଳିନାହିଁ । ଏଥର ମଧ୍ୟ ଘମାଘୋଟ ଆଲୋଚନା ପରେ ବିଶେଷ କିଛି ଆଖିଦୃଶିଆ ଫଳାଫଳ ମିଳିଲା ନାହିଁ । ତା’ର ପ୍ରଧାନ କାରଣ ହେଲା ବିକାଶଶୀଳ ଓ ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ତୀବ୍ର ମତବିବାଦ । ପ୍ରଥମତଃ ଅନେକ ବର୍ଷ ଧରି ସମୃଦ୍ଧ ରାଷ୍ଟ୍ରମାନଙ୍କରେ ମୁଣ୍ଡପିଛା ଅଙ୍ଗାରକାମଳ ନିର୍ଗମନ ବିକାଶଶୀଳ ରାଷ୍ଟ୍ରମାନଙ୍କଠାରୁ ଯଥେଷ୍ଟ ଅଧିକ ରହିଆସିଛି । ଏହାଫଳରେ ବାଯୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ଅନେକ ଗୁଣରେ ବୃଦ୍ଧି ପାଇ ସାରିଛି । ଏବେ ବିକାଶଶୀଳ ରାଷ୍ଟ୍ରମାନେ ନିଜ ତ୍ୱରାନ୍ୱିତ ବିକାଶ ପାଇଁ ଶକ୍ତି ଉତ୍ପାଦନରେ ହ୍ରାସ କରିବାକୁ ଚାହାନ୍ତି ନାହିଁ ।
ଦ୍ଵିତୀୟ କାରଣ ହେଲା – ଅଙ୍ଗାରକାମ୍ଳ ଉତ୍ପନ୍ନରେ ହ୍ରାସ ପାଇଁ ଦରକାରୀ ବିଜ୍ଞାନ ଓ କାରିଗରୀ କୌଶଳ ତଥା ଅର୍ଥ କେବଳ ବିକଶିତ ରାଷ୍ଟ୍ରମାନଙ୍କ ନିକଟରେ ଉପଲବ୍ଧ, ଯାହାକି ସେମାନେ ଅନ୍ୟମାନଙ୍କୁ ଦେବାକୁ ଅନିଚ୍ଛୁକ । ବିକାଶଶୀଳ ରାଷ୍ଟ୍ରମାନେ କାରିଗରୀ କୌଶଳ ଓ ଯନ୍ତ୍ରପାତି କ୍ରୟ କରିବାକୁ ଗୋଟିଏ ସ୍ଵତନ୍ତ୍ର କୋଷ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ; କିନ୍ତୁ ଏଥିସକାଶେ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରିବା କଠିନ । ତୃତୀୟ କାରଣ ହେଲା ଯେ ଏବେ ଚୀନ୍ ଓ ଭାରତବର୍ଷ ପରି ଦେଶମାନଙ୍କ ବାର୍ଷିକ ଅଙ୍ଗାରକାମ୍ଳ ବଜେଟ୍ ଅନ୍ୟମାନଙ୍କ ତୁଳନାରେ ଅଧିକ । କିନ୍ତୁ ଏହି ଦୁଇ ରାଷ୍ଟ୍ରର ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ବିକାଶହାର ଅଧିକ ହୋଇଥିବାରୁ ଶକ୍ତି ଓ ଗମନାଗମନ ଇତ୍ୟାଦି ବାବଦ ଚାହିଦା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏମାନେ ନିଜ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଅନିଚ୍ଛୁକ । ବିଶ୍ଵରେ ଏବେ ୧୦୦୦ ରୁ ଅଧିକ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣା – ପତ୍ର ସ୍ଵାକ୍ଷରିତ ହୋଇସାରିଛି । ଏଗୁଡିକ କାର୍ଯ୍ୟକ୍ଷମ ହେଲେ ଅଙ୍ଗାରକାମ୍ଳ ନିର୍ଗମନ ନିଶ୍ଚିତଭାବେ ବହୁଗୁଣା ବୃଦ୍ଧି ପାଇବ । ଏଥିରୁ ଅଧିକାଂଶ ଚୀନ୍ ଓ ଭାରତରେ ପ୍ରତିଷ୍ଠା ହେବାର ଯୋଜନା ରହିଛି ।
ଏକାଧିକ୍ରମେ ୩୬ ଘଣ୍ଟା ଧରି ଆଲୋଚନା ପରେ ଦୋହା ସମ୍ମିଳନୀର ଚୁଡାନ୍ତ ବୁଝାମଣାପତ୍ର ପ୍ରକାଶ ପାଇଲା । ଏଥିରେ ବିଶେଷ କିଛି କଠିନ ପଦକ୍ଷେପ ନାହିଁ । ଦୁର୍ଭାଗ୍ୟର କଥା ଯେ, ଆମେରିକା ଓ ଋଷ ଭଳି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଏଥିରେ ସ୍ଵାକ୍ଷର କରିବାକୁ ଏବେ ମଧ୍ୟ ନାରାଜ । ତା’ ସହିତ ବ୍ରାଜିଲ, ଚୀନ୍, ଭାରତ ଭଳି ରାଷ୍ଟ୍ରମାନେ ଅଙ୍ଗାରକାମ୍ଳ ହ୍ରାସ ପାଇଁ କୌଣସି ପଦକ୍ଷେପ ନେବାକୁ ନାରାଜ । ଏସବୁ ଦ୍ଵିଧା ଓ ଦ୍ଵନ୍ଦ ଭିତରେ କେତେକ ରାଷ୍ଟ୍ର ଓ ରାଷ୍ଟ୍ରଗୋଷ୍ଠୀ, ଯଥା – ଅଷ୍ଟ୍ରେଲିଆ ଓ ୟୁରୋପୀୟ ରାଷ୍ଟ୍ରଗୋଷ୍ଠୀ ସ୍ଵେଚ୍ଛାକୃତ ଭାବେ ନିଜ ଅଙ୍ଗାରକାମ୍ଳ ବଜେଟ ହ୍ରାସ କରିବାକୁ ରାଜି ହେଲେ । ଆସନ୍ତା ତିନିବର୍ଷ ଭିତରେ ସଦସ୍ୟ ରାଷ୍ଟ୍ରମାନେ ବିଚାରବିମର୍ଶ କରି ୨୦୧୫ ଡିସେମ୍ବରରେ ପ୍ୟାରିସଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ବିଶ୍ଵ ପରିବେଶ ଚୁକ୍ତିରେ ସ୍ଵାକ୍ଷର କରିବାକୁ ସ୍ଥିର କରାଗଲା । ଏହି ଚୁକ୍ତିର ସର୍ତ୍ତାବଳୀ ୨୦୨୦ ରେ ; ଅର୍ଥାତ୍ ପର ୫ ବର୍ଷ ଭିତରେ ସଦସ୍ୟ ରାଷ୍ଟ୍ରମାନେ ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ । ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ତ୍ରୟୋଦଶ ସମ୍ମିଳନୀର ଆୟୋଜନ କରିଥିବା ଓ ଚେୟାରମ୍ୟାନ ଦାୟିତ୍ଵ କ୍ଵାତାରର ମୁଣ୍ଡପିଛା ବାର୍ଷିକ ଅଙ୍ଗାରକାମ୍ଳ ବଜେଟ ୭୦ ଟନ, ଯାହାକି ବିଶ୍ଵର ସର୍ବାଧିକ । ଏହି ରାଷ୍ଟ୍ର ପ୍ରତିବର୍ଷ ଅପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ନିର୍ଯ୍ୟାତ କରେ । ବିଶ୍ଵରେ ଏହାର ସ୍ଥାନ ତୃତୀୟ । ଏଭଳି କେତେକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କ ପାଖରେ କଞ୍ଚାତେଲ ଓ ପ୍ରାକୃତିକ ବାଷ୍ପ ପ୍ରଚୁର ପରିମାଣରେ ଗଚ୍ଛିତ ଥିବାରୁ ଏବଂ ସାରାବିଶ୍ଵ ଏହି ପେଟ୍ରୋଲ ଓ ପେଟ୍ରୋଲଜାତ ଇନ୍ଧନ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଥିବାରୁ ଏମାନଙ୍କର ଜୀବନଧାରଣ ଶୈଳୀ ଚାକଚକ୍ୟ ଓ ଆଡମ୍ବରପୂର୍ଣ୍ଣ । ତେଣୁ ଏସବୁ ଦେଶର ପ୍ରତିନିଧି ମାନେ ପରିବେଶ ଉପରେ ବିଶେଷ ଗୁରୁତ୍ଵ ଦିଅନ୍ତି ନାହିଁ ।
୧୯୬୪ ମସିହାରେ ଭାରତୀୟ ବିଜ୍ଞାନ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ଅଧୀନରେ ଭୁବନେଶ୍ୱରଠାରେ ତତ୍ କାଳୀନ ଆଞ୍ଚଳିକ ଗବେଷଣାଗାର ପ୍ରତିଷ୍ଠା କରଯାଇଥିଲା, ଯାହା ଏବେ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ଅନୁଷ୍ଠାନ ଭାବେ ନାମିତ ହୋଇଅଛି । ୧୯୯୧ ମସିହାଠାରୁ ଆରମ୍ଭ କରି ବିଗତ ଦୁଇ ଦଶନ୍ଧି ଧରି ପରିବେଶ ପ୍ରଦୂଷଣ ଆକଳନ ଓ ନିରାକରଣ କ୍ଷେତ୍ରରେ ଏହି ଗବେଷଣାଗାର ନିରନ୍ତର ପ୍ରୟାସ ଜାରି ରଖିଛି । ଜାତିସଂଘର ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଚୁକ୍ତିରେ ଭାରତବର୍ଷର ଭୂମିକା ଗୁରୁତ୍ଵପୂର୍ଣ୍ଣ । ୧୯୯୧ ମସିହାରେ କୃଷି ଓ ଶିଳ୍ପ କ୍ଷେତ୍ରରୁ ଉପୁଜିଥିବା ଅଙ୍ଗାରକାମ୍ଳଠାରୁ ୨୫ ଗୁଣ ଅଧିକ ଉତ୍ତାପ ବର୍ଦ୍ଧନକାରୀ ମିଥେନ୍ ଗ୍ୟାସର ଆକଳନରୁ ଆମ ପ୍ରୟାସ ଆରମ୍ଭ ହେଲା । ପରେ ଏହି ଅନୁସନ୍ଧାନ ବାୟୁରେ ଭାସମାନ ସୂକ୍ଷ୍ମ ଧୂଳିକଣା, ଅଙ୍ଗାରକଣା ଓ ଅତି ନଗଣ୍ୟ ପରିମାଣରେ ଉପଲବ୍ଧ ଗ୍ୟାସମାନ (ଯଥା – ଓଜନ, ସଲଫର ଡାଇଆକ୍ସାଇଡ, ନାଇଟ୍ରିକ ଆକ୍ସାଇଡ, ନାଇଟ୍ରୋଜେନ ଡାଇଆକ୍ସାଇଡ, ନାଇଟ୍ରସ ଆକ୍ସାଇଡ, କାରବନ୍ ମନୋକ୍ସାଇଡ), ଯାହା ବିଶ୍ଵ ପରିବେଶ ପରିବର୍ତ୍ତନରେ ଗୁରୁତର ଭୂମିକା ଗ୍ରହଣ କରିଅଛି , ସେସବୁ କ୍ଷେତ୍ରକୁ ପରିବ୍ୟାପ୍ତ ହେଲା । ଏଥିରେ କାର୍ଯ୍ୟରତ ବୈଜ୍ଞାନିକମାନେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଭାରତୀୟ ଭୌତିକ ବିଜ୍ଞାନ ଗବେଷଣା ସଂସ୍ଥା, ଟାଟା ମୌଳିକ ବିଜ୍ଞାନ ଗବେଷଣାର ପ୍ରଭୃତି ସଂସ୍ଥା ଗୁଡିକ ସହିତ ଓତପ୍ରୋତ ଭାବେ ଜଡିତ । ଏହା ପରିବେଶ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ଅନେକ ବିଦେଶୀ ବିଶ୍ଵବିଦ୍ୟାଳୟ ଓ ଗବେଷଣା ସଂସ୍ଥା ଯଥା – ଷ୍ଟକହୋମ୍ ବିଶ୍ୱବିଦ୍ୟାଳୟ, ଏସୀୟ ଔଦ୍ୟୋଗିକ ସଂସ୍ଥା, ଦକ୍ଷିଣକୋରିଆ, ବ୍ରିଟେନ୍ ଓ ଜାପାନ୍ ର କେତେକ ସୁନାମୀ ସଂସ୍ଥାମାନଙ୍କ ସହିତ କାର୍ଯ୍ୟ କରି ଆସିଛି ।
ଭାରତବର୍ଷର ପ୍ରଥମ ଓ ଦ୍ଵିତୀୟ ପରିବେଶ ସମ୍ପର୍କୀୟ ରିପୋର୍ଟ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ନିମିତ୍ତ ଏଠାକାର ବୈଜ୍ଞାନିକମାନେ କାର୍ଯ୍ୟ କରିଛନ୍ତି । ଏବେ ତୃତୀୟ ରିପୋର୍ଟ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବଙ୍ଗୋପ ସାଗର, ଆରବ ସାଗର ଓ ଭାରତ ମହାସାଗରରେ ଭାରତୀୟ ଭୂଖଣ୍ଡଜନିତ ପ୍ରଦୂଷଣର ପ୍ରଭାବ ଆକଳନ କରିବା ପାଇଁ ଏହାର ବୈଜ୍ଞାନିକମାନେ ମହାସାଗରୀୟ ଗବେଷଣା – ଜାହାଜ ‘ସାଗରକନ୍ୟା’ ରେ ଯାତ୍ରା କରି ଦୁଇମାସ ଧରି ତଥ୍ୟ ସଂଗ୍ରହ କରିଥିଲେ । ବିଗତ ୨୦ ବର୍ଷ ଧରି ଓଡିଶା ତଥା ପଶ୍ଚିମବଙ୍ଗ ଉପକୂଳ ଓ ପାରାଦ୍ଵୀପ, ଧାମରା ପ୍ରଭୃତି ବନ୍ଦରସମୂହର ସାମୁଦ୍ରିକ ପରିବେଶର ସ୍ୱାସ୍ଥ୍ୟ ଉପରେ ଅନୁସନ୍ଧାନ କରିଆସିଛି । ଏତଦ୍ ବ୍ୟତୀତ ବ୍ରାହ୍ମଣୀ – ବୈତରଣୀ ନଦୀ ଆବବାହିକାସ୍ଥିତ ବିସ୍ତୀର୍ଣ୍ଣ ହେନ୍ତାଳ ବନ ଓ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡା ଦେବାକୁ ଆସୁଥିବା ବିରଳ ଅଲିଭ୍ ରିଡେଲ୍ ସାମୁଦ୍ରିକ କଚ୍ଛପମାନଙ୍କ ଆଡିବନ୍ଧ ପ୍ରକ୍ରିୟା ଉପରେ ମଧ୍ୟ ଏହା ଗବେଷଣାରତ । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷାଜଳର ଅମ୍ଳିକରଣ, ଏହାର ଜମି ଉର୍ବରତା ଓ ଉପୁଜାଇବା କ୍ଷମତା ଉପରେ ଏହି ସଂସ୍ଥାର ଯୋଗଦାନ ୧୯୯୬ ମସିହାରୁ ଜାରି ରହିଛି । ଏସବୁ ଗବେଷଣାରୁ ଜଣାଯାଏ ଯେ ଭାରତୀୟ ତଥା ଓଡିଶାର ପରିବେଶ ଅନ୍ୟାନ୍ୟ ଦେଶ ବା ରାଜ୍ୟମାନଙ୍କ ତୁଳନାରେ ଅଧିକ ଦୂଷିତ । ଏଠାକାର ବାୟୁ ପ୍ରଦୂଷଣ ଏସୀୟ – ଆଫ୍ରିକା ପ୍ରଦୂଷଣ ତୁଳନାରେ ବହୁ ଗୁଣରେ ବେଶି । ଏଥିପାଇଁ ଖଣିଜ ପଦାର୍ଥଗୁଡିକର ତ୍ୱରାନ୍ୱିତ ଉତ୍ତୋଳନ ଓ କୋଇଲା ବ୍ୟବହାର କରି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ଦାୟୀ । ଏସବୁରୁ ନିର୍ଗତ ଧୂଳିକଣା, ଅଙ୍ଗାରକଣା ଓ ସବୁଜଗୃହ ଗ୍ୟାସମାନ ଏ ଅଞ୍ଚଳରେ ବ୍ୟାପକ କ୍ଷତି କରିଚାଲିଛି । ବିଗତ ୨୦ ବର୍ଷର ଅନବରତ ଅନୁସନ୍ଧାନରୁ ଏହି କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଏହାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରାଦେଶିକ ତଥା ଜାତୀୟ ସରକାରଙ୍କୁ ଅବଗତ କରାଯାଇଛି ।
ଉପସଂହାର : ଆଜି ଯାହା ଅତୀତ, ତାହା ଦିନେ ବର୍ତ୍ତମାନ ଥିଲା ଏବଂ ଆସନ୍ତାକାଲିର ଭବିଷ୍ୟତ ବର୍ତ୍ତମାନ ଦେଇ ପୁଣି ଦିନେ ଅତୀତ ହୋଇଯିବ । ସମୟ ଏହିପରି ତା’ ନିଜ ଗତିପଥରେ ଚାଲିଛି । ଭବିଷ୍ୟର କଳ୍ପନା କେଆଲ ଅତୀତକୁ ନେଇ କରିହୁଏ ନାହିଁ । ତା’ପାଇଁ ବର୍ତ୍ତମାନର କାର୍ଯ୍ୟକଳାପ ଅନେକ ମାତ୍ରାରେ ଦାୟୀ । ଏଣୁ ପରିବେଶ ବା ସମଗ୍ର ମାନବସମାଜର ଭବିଷ୍ୟତ ଆଜି ବର୍ତ୍ତମାନର ହାତରେ । ଅତୀତରେ ଆମେ ନିଜର ସ୍ଵାର୍ଥସାଧନ ପାଇଁ ପ୍ରାକୃତିକ ବରଦାନମାନଙ୍କରେ ଅପବ୍ୟୟ କରି ପରିବେଶକୁ ଦୂଷିତ କରିସାରିଛେ । ତା;ର କୁପରିଣାମ ମଧ୍ୟ ଭୋଗ କରୁଛେ । କେଉଁଠି ଅତି ବୃଷ୍ଟିରେ ଧନଜୀବନ ହାନି ଘଟୁଛି ତ ପୁଣି ଅନ୍ୟଠାରେ ମରୁଡିର କରାଳ କବଳରେ ଲୋକେ ପିଇବା ପାଣି ପାଇଁ ହାହାକାର କରୁଛନ୍ତି । ନଦୀଜଳ ନେଇ ପ୍ରଦେଶ ପ୍ରଦେଶ ମଧ୍ୟରେ ବିବାଦ ଓ ଦେଶର ରାଜଧାନୀ ତଥା ଅନ୍ୟ ସମସ୍ତ ମେଗାସହରମାନଙ୍କରେ ପାନୀୟ ଜଳର ଘୋର ଅଭାବ । ଅନ୍ୟଦିଗରେ ବର୍ଷା ସମୟର ଯଥେଷ୍ଟ ଜଳ ନଦୀମାନଙ୍କ ଦେଇ ସମୁଦ୍ରକୁ ବହିଯାଉଛି ଏବଂ ବରସକେ ୯ – ୧୦ ମାସ ଲୋକେ ପାଣି ପାଉନାହାନ୍ତି । ଭୂକମ୍ପ, ସୁନାମି, ଝଡ ଓ ଘୂର୍ଣ୍ଣିବାତ୍ୟା ସାଙ୍ଗକୁ ଉଚ୍ଚତାପଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ମାନବ ସଭ୍ୟତା ଆଜି ଦ୍ଵନ୍ଦ୍ଵର ଚାରିଛକ ଉପରେ ଠିଆ ହୋଇ ଅତୀତର ରୋମାନ୍ଥନ କରିବା ଅପେକ୍ଷା ପରିବେଶ ସୁରକ୍ଷା ପାଇଁ କିଛି ଦୃଢ ଓ ଶକ୍ତିଶାଳୀ ବ୍ୟବସ୍ଥା କରିବା ଦରକାର । ବିକାଶର ଦ୍ଵାହି ଦେଇ ବିକାଶକୁ ତ୍ୱରାନ୍ୱିତ କରିବା ପରିବର୍ତ୍ତେ ବିକାଶମୁଖୀ ରାଷ୍ଟ୍ରମାନେ ନିଜ ଜନସଂଖ୍ୟା ନିୟନ୍ତ୍ରଣ କରି ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ଉଚିତ । ପ୍ରଥମ ଦୃଢ ପଦକ୍ଷେପ ହେଲା – ନିଜର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପାଇଁ ଅଙ୍ଗାର ପଦାଙ୍କ କୁ ବିଶ୍ଳେଷଣ କରିବା ଆମେ ସମସ୍ତେ ଗୋଟିଏ ପୃଥିବୀ ଉପରେ ଗୋଟିଏ ଆକାଶ ତଳେ ବାସ କରୁ । ପରିବେଶ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଅଙ୍କିତ ସୀମାରେଖା ବା ସ୍ଵାର୍ଥ ଦେଖେନି । ଆଜି କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଫଳରେ ସମସ୍ତ ପ୍ରାକୃତିକ ଚକ୍ର ମାନଙ୍କରେ ସନ୍ତୁଳନ ନଷ୍ଟପ୍ରାୟ । ଏଣୁ ସୀମିତ ରାଷ୍ଟ୍ରୀୟ ବା ଆଞ୍ଚଳିକ ସ୍ଵାର୍ଥର ଉର୍ଦ୍ଧ୍ଵକୁ ଉଠି ସମଗ୍ର ମାନବ ସଭ୍ୟତାର ବିକାଶ ପାଇଁ ବିହିତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।ସଂଗୃହୀତ – ଡକ୍ଟର ସୁରେନ୍ଦ୍ର ନାଥ ଦାସ, IMMT
Last Modified : 1/26/2020