ଅରଣ୍ୟ ବା ଜଙ୍ଗଲ ଜଳ ବାୟୁର ଫଳ ଓ କରକ ମଧ୍ୟ । ଅଧିକ ଜଙ୍ଗଲ ପୂର୍ଣ୍ଣ ଅଞ୍ଚଳରେ ତାପମାନ କମ୍ ରୁହେ । ଜଙ୍ଗଲ ହେତୁ ଭୂମି ଆଚ୍ଛାଦିତ ହୋଇ ରହୁଥିବାରୁ ସୂର୍ଯ୍ୟ କିରଣ ସହଜରେ ମୃତ୍ତିକା ଭିତରକୁ ଭେଦ କରିପାରେ ନାହିଁ । ଏଣୁ ତାପମାନ କମ୍ ରୁହେ ।
ବର୍ଷାର ପ୍ରକୋପ ମଧ୍ୟ ମୃତ୍ତିକା କ୍ଷୟ କରାଇପାରେ ନାହିଁ । ଜଙ୍ଗଲ ପୂର୍ଣ୍ଣ ଅଞ୍ଚଳରେ ସାଧାରଣତଃ ବେଶି ବର୍ଷା ହୋଇଥାଏ । କେନ୍ଦୁଝର ଓ ମୟୂରଭଞ୍ଜ ଓ କୋରାପୁଟର ଅଧିକ ଜଙ୍ଗଲ ପରିମାଣ ଏହି ଅଞ୍ଚଳରେ ଅଧିକ ବୃଷ୍ଟିର କାରଣ ହୋଇଥାନ୍ତି ।
ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉଚ୍ଚ ପର୍ବତ ଶ୍ରେଣୀ ଦ୍ଵାରା ବାଧାପ୍ରାପ୍ତ ହୋଇ ବୃଷ୍ଟି କରାଇଥାଏ । ପର୍ବତର ପ୍ରତିବାତ ଅଞ୍ଚଳରେ ବେଶି ବର୍ଷାହୁଏ । ଅନୁବାତ ଅଞ୍ଚଳରେ ବାୟୁ ପ୍ରବାହ ପହଞ୍ଚିଲାବେଳକୁ ଏହା ଜଳକଣା ଶୂନ୍ୟ ହୋଇଯାଇଥାଏ ।
ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ନଥିଲେ ଏତେ ବର୍ଷା ହେଉ ନଥାନ୍ତା । ଆଗରୁ ବାଙ୍ଗାଲୋର ଓ ମାଙ୍ଗାଲୋର ଜଳବାୟୁ ଉପରେ ପଶ୍ଚିମଘାଟ ପର୍ବତମାଳାର ପ୍ରଭାବ ବିଷୟରେ କୁହାଯାଇଛି । ଓଡିଶାରେ ମୟୂରଭଞ୍ଜ , କେନ୍ଦୁଝର ଓ କୋରାପୁଟ ଜିଲ୍ଲାମାନଙ୍କରେ ଉଚ୍ଚ ପାହାଡ ଥିବାରୁ ଏହି ଅଞ୍ଚଳରେ ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ବେଶି ବର୍ଷା ହୋଇଥାଏ । ଏ ଅଞ୍ଚଳରେ ଜଙ୍ଗଲ ପରିମାଣ ମଧ୍ୟ ଅଧିକ।
ଭୂମିର କ୍ରମିନିମ୍ନତା , ଢାଲୁର ଦିଗ , ଭୂପ୍ରକୃତି ମଧ୍ୟ ଜଳବାୟୁକୁ କିଛି ପରିମାଣରେ ପ୍ରଭାବିତ କରିଥାଏ । ଏତଦ୍ ବ୍ୟତୀତ , ପରିବେଶ ପରିବର୍ତ୍ତନ ଲାଗି ବାହ୍ୟ ଉପାଦାନର ହସ୍ତକ୍ଷେପ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଆଣିଥାଏ । ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଭୂପୃଷ୍ଠରେ ଜନସଂଖ୍ୟାର ବୃଦ୍ଧି , ସେମାନଙ୍କର ସୁଖ ଓ ସମୃଦ୍ଧି ଓ ବସବାସ ପାଇଁ କୃଷି , ବାସ ଓ ଶିଳ୍ପାୟନ ସାଧାରଣ ଜଳବାୟୁ ପରିବର୍ତ୍ତନର କାରଣ ହୋଇଥାଏ ।
କଲିକତା ହୁଗୁଳିନଦୀ କୂଳରେ ଓ ବଙ୍ଗୋପସାଗର ଉପକଣ୍ଠରେ ଅବସ୍ଥିତ ହୋଇଥିଲେହେଁ ଏହାର ତାପମାନ ସ୍ଵାଭାବିକ ତାପମାନଠାରୁ ଯଥେଷ୍ଟ ଅଧିକ । ଏହାର ବାୟୁମଣ୍ଡଳ ସର୍ବଦା ଉତ୍ତପ୍ତ ଓ ପ୍ରଦୂଷିତ । ଏହି ଅଞ୍ଚଳ ଜଙ୍ଗଲ ଶୂନ୍ୟ । କଲିକତାର ଜଳବାୟୁ ସମ୍ପୂର୍ଣ୍ଣ ଭାବେ କୃତିମତାର ଜଳବାୟୁ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 7/2/2019