ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର । ଜୀବଜଗତ , ଦୈନନ୍ଦିନ ପାଗ , ଖରା ବର୍ଷା , ବାଆ – ବତାସ ସୂର୍ଯ୍ୟ ଦ୍ଵାରା ପ୍ରତ୍ୟକ୍ଷ ବା ପରୋକ୍ଷରେ ନିୟନ୍ତ୍ରିତ । ବିକିରଣ ପ୍ରଣାଳୀ ଦ୍ଵାରା ବାୟୁ ମଣ୍ଡଳର ଉତ୍ତାପ ବୃଦ୍ଧିପାଏ । ଉତ୍ତାପର ଉର୍ଦ୍ଧ୍ଵଗତି ଓ ଭୌମିକ ଗତି ହେତୁ ଭୂ ପୃଷ୍ଠରେ ତାପର ମିଶ୍ରଣ ଘଟେ ଓ ତାପମାନର ପରିବର୍ତ୍ତନ ହୁଏ ।ବାୟୁ ଉତ୍ତପ୍ତ ହେଲେ ସମ୍ପ୍ରସାରିତ ହୁଏ । ଏହି ବାୟୁ ଘୂର୍ଣ୍ଣନ ପରିଚଳନ ହେତୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଏ । ଉଚ୍ଚ ତାପମାନ ଅଞ୍ଚଳରୁ ନିମ୍ନ ତାପମାନ ଅଞ୍ଚଳକୁ ତାପ ପ୍ରବାହିତ ହୁଏ । ଲଘୁ ଓ ଉତ୍ତପ୍ତବାୟୁ ଉର୍ଦ୍ଧ୍ଵଗାମୀ ହୁଏ । ତାହାର ସ୍ଥାନ ପୂରଣ ପାଇଁ ଉପରୁ ଓ ପାଖରୁ ଗୁରୁବାୟୁ ପ୍ରବାହିତ ହୁଏ ।
ତାପମାତ୍ରାର ପରିବର୍ତ୍ତନ ଓ ପରିମାଣ ଏହାର ସ୍ଥାନର ଭୌଗଳିକ ସ୍ଥିତି ଉପରେ ନିର୍ଭର କରେ । ପୃଥିବୀର ଘୂର୍ଣ୍ଣନ ଓ କୌଣିକ ଅବନତି ହେତୁ ସୌରତାପ ବିକିରଣ ପରିମାଣ ସ୍ଥାନ ବିଶେଷରେ ପାର୍ଥକ୍ୟ ହୋଇଥାଏ । ସୂର୍ଯ୍ୟଙ୍କଠାରୁ ଆସୁଥିବା ତାପମାତ୍ରା ଓ ପୃଥିବୀ ପୃଷ୍ଠରୁ ବିକିରଣ ତାପମାତ୍ରାର ପାର୍ଥକ୍ୟ ହେତୁ ତାପମାନର ପରିବର୍ତ୍ତନ ହୁଏ । ଯେ କୌଣସି ସ୍ଥାନରେ ସୂର୍ଯ୍ୟ ଠାରୁ ପ୍ରାୟ ଦିନ ଦୁଇଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଉତ୍ତାପ ପୃଥିବୀ ପୃଷ୍ଠରୁ ନଷ୍ଟ ହେଉଥିବା ଉତ୍ତାପ ଠାରୁ ଅଧିକ ହେଉଥିବାରୁ ବାୟୁ ମଣ୍ଡଳର ତାପମାନ ଧୀରେ ଧୀରେ ବୃଦ୍ଧିପାଏ । ଅପରାହ୍ନରୁ ପୁଣି ସୂର୍ଯ୍ୟଉଦୟ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରୁ ବିକିରଣ ପରିମାଣ ସୂର୍ଯ୍ୟଠାରୁ ମିଳୁଥିବା ବିକିରଣ ପରିମାଣ ଠାରୁ ବେଶୀ ହେଉଥିବାରୁ ଉତ୍ତପ୍ତ ଭୂପୃଷ୍ଠରୁ ଉତ୍ତାପ ବାୟୁମଣ୍ଡଳକୁ ସଞ୍ଚାଳିତ ହୁଏ ଓ ତାପମାନ କ୍ରମଶଃ ହ୍ରାସ ପାଏ । ବାୟୁମଣ୍ଡଳ ଦିନବେଳା ଶୀଘ୍ର ଉତ୍ତପ୍ତ ହୁଏ କିନ୍ତୁ ଧୀରେ ଧୀରେ ଶୀତଳ ହୁଏ , ସୂର୍ଯ୍ୟଉଦୟର ୨ ଘଣ୍ଟା ପୂର୍ବରୁ ତାପମାନ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥାଏ । ଏବେ ଦୂରଦର୍ଶନ ମାଧ୍ୟମରେ ଦେଶର ପ୍ରତ୍ୟକ ରାଜ୍ୟକୁ ରାଜଧାନୀର ଦୈନିକ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଜଣାଇ ଦିଆଯାଉଛି । ମାସର ପ୍ରତ୍ୟକ ଦିନର ସର୍ବୋଚ୍ଚ ତାପମାନରୁ ହାରାହାରି ତାପମାନ ଓ ପ୍ରତ୍ୟକ ଦିନର ସର୍ବନିମ୍ନ ତାପମାନକୁ ମିଶାଇ ସେ ମାସର ସର୍ବନିମ୍ନ ହାରାହାରି ତାପମାନ ସ୍ଥିର କରାଯାଏ । ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନକୁ ମିଶାଇ ହାରାହାରି ତାପମାନ ସ୍ଥିର କରାଯାଏ । ଅନ୍ୟୁନ୍ୟ ୧୦ ବର୍ଷର ପର୍ଯ୍ୟବେକ୍ଷଣକୁ ହିସାବକୁ ନେଇ ସେହି ସ୍ଥାନର ସ୍ଵାଭାବିକ ସର୍ବୋଚ୍ଚ , ସର୍ବନିମ୍ନ ଓ ହାରାହାରି ତାପମାନ ହିସାବ କରାଯାଏ ।
ସ୍ଥାନଟି ସମୁଦ୍ର କୂଳରେ ଅବସ୍ଥିତ ହୋଇଥିଲେ ସେଠାରେ ବେଶୀ ଗରମ କି ବେଶୀ ଥଣ୍ଡା ଅନୁଭୂତ ହୁଏ ନାହିଁ । ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ମଧ୍ୟରେ ବେଶୀ ପାର୍ଥକ୍ୟ ନଥାଏ । ଉଦାହରଣ , ପୁରୀ ଓ ବିଶାଖାପାଟଣା । ଏ ସ୍ଥାନମାନଙ୍କର ଗ୍ରୀଷ୍ମଋତୁ ଓ ଶୀତଋତୁ ତାପମାନ ମଧ୍ୟରେ ବେଶୀ ପାର୍ଥକ୍ୟ ନଥାଏ । କିନ୍ତୁ ସ୍ଥାନଟି ସମୁଦ୍ରଠାରୁ ଦୂରରେ ଥିଲେ ସେଠାରେ ଖରାଦିନେ ବେଶୀ ଖରା ଓ ଶୀତଦିନେ ବେଶୀ ଶୀତ ହୁଏ । ( ଉଦାହରଣ ଆଜମିର ଓ ଜୟ ସାଲିମାର ) ।
ବିଷୁବରେଖା , ନିକଟସ୍ଥ ଅଞ୍ଚଳରେ ଦିନ ରାତି ଦୈର୍ଘ୍ୟର ବିଶେଷ ତାରତମ୍ୟ ନଥାଏ । ତାପମାନର ମଧ୍ୟ । ଏଠି ଗ୍ରୀଷ୍ମ ଓ ଶୀତଋତୁର ତାପମାନ ପ୍ରାୟ ସମାନ । ଋତୁର ପାର୍ଥକ୍ୟ ନାହିଁ । ବିଷୁବରେଖାର ଉତ୍ତରରେ ବା ଦକ୍ଷିଣରେ ଯେତେ ଦୂରକୁ ଯିବା ତାପମାନ ପାର୍ଥକ୍ୟ ସେତେ ବେଶୀ ଅନୁଭୂତ ହୁଏ । ନିରୀକ୍ଷ ବୃତ୍ତିୟ ଜଳବାୟୁ ଉଷ୍ମ ଓ ଆର୍ଦ୍ର; ମେରୁ ଅଞ୍ଚଳର ଜଳବାୟୁ ଶୁଷ୍କ ଓ ଶୀତଳ ଏଣୁ । ତାପମାନ ପ୍ରତ୍ୟକ ସ୍ଥାନର ପ୍ରଥମ ଉପାଦାନ ବୋଲି ଧରାଯାଇଥାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 7/2/2019