ସଂଜ୍ଞା – ଓଡ଼ିଶା ଯୁଗ୍ଧ ଜଙ୍ଗଲ ପରିଚାଳନା ପ୍ରସ୍ତାବ ଅନୁସାରେ ‘ବନ ସଂରକ୍ଷଣ ସମିତି’ ଗଠନ କରାଯିବ । ଏହା ଗଣତାନ୍ତ୍ରିକ ଉପାୟରେ ଗଠିତ ଏକ ସ୍ଵତନ୍ତ୍ର କମିଟି । ଗାଁର ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କୁ ନେଇ ଗଠିତ ଏହି କମିଟି ଜଙ୍ଗଲର ସଂରକ୍ଷଣ, ପରିଚାଳନା ଓ ଉନ୍ନତି ପାଇଁ କାର୍ଯ୍ୟ କରିଥାଏ । ସଂରକ୍ଷିତ ଅଞ୍ଚଳରେ ଗଠିତ ‘ପରିବେଶ ଉନ୍ନୟନ କମିଟି’ କୁ ମଧ୍ୟ ‘ବନ ସଂରକ୍ଷଣ ସମିତି’ ବୋଲି ଧରାଯିବ । କେତେକ ସ୍ଥାନରେ ଦୁଇ କିମ୍ବା ଅଧିକ ଗ୍ରାମ ଗୋଟିଏ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି । ଏପରି ସ୍ଥଳେ ସେ ସମସ୍ତ ଗ୍ରାମଗୁଡ଼ିକୁ ନେଇ ଗୋଟିଏ ବନ ସଂରକ୍ଷଣ ସମିତି ଗଠନ କରାଯାଇପାରିବ ।
ଏହି ସ୍ୱତନ୍ତ୍ର ସମିତି ଜଙ୍ଗଲର ଉପଯୋଗ, ଜଙ୍ଗଲଜାତ ଦ୍ରବ୍ୟର ପରିଚାଳନା ଏବଂ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ଗ୍ରାମ୍ୟ ଅର୍ଥନୀତିର ଉନ୍ନତି ପାଇଁ କାମ କରିଥାଏ । ଗ୍ରାମବାସୀ, ଜଙ୍ଗଲ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ସହିତ ସମନ୍ଵୟ ରକ୍ଷାକରି ଜଙ୍ଗଲ ପରିଚାଳନା ପାଇଁ ଏହି ସମିତି ନୀତିଗତ ନିଷ୍ପତ୍ତି ନେଇଥାଏ । ଏହି ସମିତି ଅଣୁଯୋଜନା ପ୍ରସ୍ତୁତି, ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆୟକାରୀ କାର୍ଯ୍ୟ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଏବଂ ଏହାର ଉନ୍ନତି ପାଇଁ ମୁଖ୍ୟତଃ ଉଦ୍ୟମ କରିଥାଏ ।
ମୂଳନୀତି
‘ବନ ସଂରକ୍ଷଣ ସମିତି’ ରେ ଗ୍ରାମର ସବୁ ଲୋକଙ୍କ ସମାନ ସହଭାଗୀତା ରହୁଥିବାରୁ ଏହା ଧନୀ, ଗରିବ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସଭ୍ୟଙ୍କୁ ପ୍ରୋତ୍ସାହିତ କରିଥାଏ । ଏହି ସମିତି ଜଙ୍ଗଲ ସମ୍ପତ୍ତିର ସୁରକ୍ଷା ସହ ସମସ୍ତ କାରବାରରେ ସ୍ଵଚ୍ଛତା ଓ ସଚ୍ଚୋଟତା ରକ୍ଷା କରିବାକୁ ଗୁରୁତ୍ଵ ଦେଇଥାଏ ।
ବନ ଉନ୍ନୟନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ‘ବନ ସଂରକ୍ଷଣ ସମିତି’ ମୂଳଦୁଆ ଭାବରେ କାର୍ଯ୍ୟ କରିଥାଏ । ଜଙ୍ଗଲ ପରିଚାଳନା, ଲୋକଙ୍କ ଜୀବିକା ବ୍ୟବସ୍ଥା ଏବଂ ଜଙ୍ଗଲରୁ ମିଳୁଥିବା ଲାଭର ଭାଗବଣ୍ଟାର ସମସ୍ତ ନିଷ୍ପତ୍ତି ଗୁଡ଼ିକୁ ସମିତି ନିଜେ କରିଥାଏ ।
ବନ ସଂରକ୍ଷଣ ସମିତିର ଗଠନ
ପ୍ରଥମେ ଗ୍ରାମ ପଞ୍ଚାୟତ ସହାୟତାରେ ଏକ ଗ୍ରାମସଭାର ଆୟୋଜନ କରାଯାଇଥାଏ । ଏହି ସଭାରେ ସ୍ୱେଚ୍ଛାସେବୀ ସଂସ୍ଥା ସହାୟତାରେ ଗ୍ରାମ ଲୋକମାନଙ୍କୁ ଯୁଗ୍ଧ ଜଙ୍ଗଲ ପରିଚାଳନା, ଏହାର ନୀତିନିୟମ, ଏଥିରୁ ମିଳିବାକୁ ଥିବା ଲାଭ ଏବଂ ଗ୍ରାମବାସୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇ ଦିଆଯାଇଥାଏ । ଏହା ସହିତ ‘ବନ ସଂରକ୍ଷଣ ସମିତି’ର ଗଠନ, କାର୍ଯ୍ୟ ଓ କର୍ତ୍ତବ୍ୟ ସମ୍ପର୍କରେ ଲୋକଙ୍କୁ ଜଣାଇ ଦିଆଯାଇଥାଏ । ଗ୍ରାମ ପଞ୍ଚାୟତ ପ୍ରତିନିଧ, ଜଙ୍ଗଲ ପରିଚାଳନା ୟୁନିଟ୍ ଏବଂ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ଏକାଧିକବାର ସଭା କଲା ପରେ ‘ବନ ସଂରକ୍ଷଣ ସମିତି ଗଠନ କରାଯାଏ । ଗ୍ରାମର ୫୦ ପ୍ରତିଶତରୁ ଅଧିକ ପ୍ରାପ୍ତବୟସ୍କ ଲୋକ ଉପସ୍ଥିତ ରହି ଏକ ସାଧାରଣ ବୈଠକ ଡକାଯାଇ ସମିତିର ‘କାର୍ଯ୍ୟକାରୀ କମିଟି ଗଠନ କରାଯାଏ । ନୂତନ ଭାବେ ଗଠିତ ବନ ସଂରକ୍ଷଣ ସମିତି ଗୋଟିଏ ବୈଠକ ଡାକି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଲକ୍ଷ୍ୟ ପୂରଣ ଦିଗରେ ସହଯୋଗ କରିବା ପାଇଁ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ (ସଂକଳ୍ପ) ଗ୍ରହଣ କରିବେ "(ଫର୍ମ ୨.୧)"। ସଂପୃକ୍ତ ବନପାଳ / ଗ୍ରାମ ବନସେବକ ଏହି ସଭାରେ ଗୃହିତ ସଂକଳ୍ପର ଏକ ନକଲ କ୍ଷେତ୍ର ପରିଚାଳନା ମୁଖ୍ୟଙ୍କ ନିକଟକୁ ପଠାଇବେ । କ୍ଷେତ୍ର ପରିଚାଳନା ମୁଖ୍ୟ ତାଙ୍କର ସୁପାରିଶ ପ୍ରଦାନ କରି ପ୍ରସ୍ତାବଟିକୁ ଖଣ୍ଡୀୟ ପରିଚାଳନା ମୁଖ୍ୟଙ୍କ ନିକଟକୁ ପଠାଇବେ "(ଫର୍ମ ୨.୩)"। ଖଣ୍ଡୀୟ ପରିଚାଳନା ସଂସ୍ଥା ତରଫରୁ ବନ ସଂରକ୍ଷଣ ସମିତିକୁ ପଞ୍ଜିକୃତ କରାଯିବ "(ଫର୍ମ ୨.୪)" । ଏହାପରେ ସମିତି ଏକ ବୁଝାମଣା ପତ୍ରରେ ସ୍ଵାକ୍ଷର କରି ନିର୍ଦ୍ଧାରିତ ଦାୟିତ୍ଵ ପାଳନ କରିବେ"(ଫର୍ମ ୨.୫)"।
ପୂର୍ବରୁ ରହିଥିବା ‘ବନ ସଂରକ୍ଷଣ ସମିତି’କୁ ପୁନଃ ସଂଗଠିତ କରିବା
ପୂର୍ବରୁ ଗଠିତ ‘ବନ ସଂରକ୍ଷଣ ସମିତି’କୁ ଏହି ପ୍ରକଳ୍ପରେ ସାମିଲ କରିବା ପୂର୍ବରୁ ସେମାନଙ୍କ ପାଇଁ ନବୀକରଣ କ୍ୟାମ୍ପ କରାଯିବ । ଏଥିରେ ‘ବନ ସଂରକ୍ଷଣ ସମିତି’ର ବିଧ ମୁତାବକ ପୁନର୍ଗଠନ, ନୀତିନିୟମରେ ସଂଶୋଧନ କରାଯିବ । ଏଥିପାଇଁ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ କ୍ଷେତ୍ର ପରିଚାଳନା ସଂସ୍ଥା ସହାୟତାରେ ଗ୍ରାମ ପଞ୍ଚାୟତ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯିବ ଏବଂ ଆବଶ୍ୟକ ପଡ଼ିଲେ କାର୍ଯ୍ୟକାରୀ କମିଟିର ପୁନଃନିର୍ବାଚନ କରାଯିବ । ପୁର୍ନଗଠିତ ସମିତି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଲକ୍ଷ୍ୟ ପୂରଣ ଦିଗରେ ସହଯୋଗ କରିବା ପାଇଁ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ( ସଂକଳ୍ପ) ଗ୍ରହଣ କରିବେ "(ଫର୍ମ ୨.୨)"। ଯଦି ସମିତି ପଞ୍ଜିକରଣ ହୋଇ ନ ଥାଏ ତା ହେଲେ ବିଧ ଅନୁସାରେ ଏହାର ପଞ୍ଜିକରଣ କରାଯିବ । ଆବଶ୍ୟକ ପଡ଼ିଲେ ନୂତନ ଭାବରେ କ୍ଷେତ୍ର ପରିଚାଳନା ସଂସ୍ଥା ସହିତ ବୁଝାମଣା ପତ୍ରରେ ସ୍ଵାକ୍ଷର କରାଯିବ ।
‘ବନ ସଂରକ୍ଷଣ ସମିତି’ ର ସମସ୍ତ ସଭ୍ୟ ବ୍ୟକ୍ତିଗତ କିମ୍ବା ଦଳଗତ ଭାବେ ପ୍ରକଳ୍ପ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଦିଗରେ ନିଜର କର୍ଭବ୍ୟ ସମ୍ପାଦନ କରିବେ । ଏହା ସହିତ ସେମାନେ ଗଛକଟା, ବନ୍ୟଜନ୍ତୁ ଶିକାର, ଜଙ୍ଗଲଜମି ଜବରଦଖଲ, ଜଙ୍ଗଲରେ ନିଆଁ ଲଗାଇବା ଏବଂ ଗୋରୁଗାଈ ଚରାଇବାକୁ ରୋକିବା ଦିଗରେ କାମ କରିବେ । ଜଙ୍ଗଲର ଜଗାରଖା ଦାୟିତ୍ଵକୁ ସମିତି ନିଜେ ସମ୍ପାଦନ କରି ଅନ୍ୟାନ୍ୟ ବେନିୟମ କାର୍ଯ୍ୟ ବିଷୟରେ ଜଙ୍ଗଲ ଅଧିକାରୀଙ୍କୁ ସୂଚନା ଦେବେ ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଧରିବାରେ ସହାୟ ହେବେ ।
ଦରକାର ପଡ଼ିଲେ ଧରାଯାଇଥିବା ଲୋକଙ୍କ ବିରୋଧରେ ସମିତି କୋର୍ଟରେ ସାକ୍ଷୀ ଦେବେ । ଅଣୁଯୋଜନା ଏବଂ ବାର୍ଷିକ ଯୋଜନା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଜଙ୍ଗଲ ସମ୍ପଦ ସୁରକ୍ଷା ଓ ପରିଚାଳନା ଏବଂ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ମଧ୍ୟ ‘ବନ ସଂରକ୍ଷଣ ସମିତି’ ର ଦାୟିତ୍ଵ ଅଟେ । ଜଙ୍ଗଲ ଉପରେ ଅଧିକ ନିର୍ଭରଶୀଳ ନ ହୋଇ ରୋଜଗାର ପାଇଁ ବିକଳ୍ପ ପନ୍ଥା ଖୋଜିବା ମଧ୍ୟ ସମିତିର ଦାୟିତ୍ଵ ଅଟେ ।
କାର୍ଯ୍ୟକାରୀ କମିଟିର କୌଣସି ସଭ୍ୟ କାର୍ଯ୍ୟ ସମ୍ପାଦନରେ ଅବହେଳା କଲେ ‘ବନ ସଂରକ୍ଷଣ ସମିତି’ ତାକୁ ସଭ୍ୟପଦରୁ ବାହାର କରିପାରିବା ଅଧିକାର ରହିଛି । ଏପରିକି କୌଣସି ସଭ୍ୟ ଯଦି ବେନିୟମ କାର୍ଯ୍ୟ କରନ୍ତି ତେବେ ତାଙ୍କ ସଭ୍ୟପଦକୁ ସମିତି ରଦ୍ଦ କରିପାରିବ । କାର୍ଯ୍ୟରୁ ବହିଷ୍କୃତ କୌଣସି ସଭ୍ୟ ‘ବନ ସଂରକ୍ଷଣ ସମିତି’କୁ କିମ୍ବା ସମିତି ଦ୍ଵାରା ଦିଆଯାଉଥିବା କୌଣସି ସୁବିଧା ପାଇପାରିବେ ନାହିଁ ।
‘ବନ ସଂରକ୍ଷଣ ସମିତି’ ରେ ତିନି ପ୍ରକାରର ସଭ୍ୟ ରହିବାର ବ୍ୟବସ୍ଥା ରହିଅଛି ।
ଏହି ସଭ୍ୟମାନଙ୍କର ମତଦାନ ଅଧିକାର ରହିବ ନାହିଁ ।
ଗ୍ରାମବାସୀମାନେ ‘ବନ ସଂରକ୍ଷଣ ସମିତିର ସଭ୍ୟ ରହିବେ ଏବଂ ସେମାନଙ୍କର ସମସ୍ତ ନିଷ୍ପତ୍ତି ନେବାର ଅଧିକାର ରହିବ । ସମସ୍ତ ସଭ୍ୟ ସାଧାରଣ ପରିଷଦ ଦ୍ଵାରା ନିର୍ଦ୍ଧାରିତ ମାସିକ ସଭ୍ୟ ଚାନ୍ଦା ଦେବେ । ମତପାର୍ଥକ୍ୟ, ବିବାଦ, ଆମ୍ବସ୍ଵାର୍ଥ ତଥା ରାଜନୀତି ଠାରୁ ଉଦ୍ଧରେ ରହି ସମସ୍ତ ସଭ୍ୟ ଗ୍ରାମର ବୃହତ୍ତର ସ୍ୱାର୍ଥ ତଥା ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ‘ବନ ସଂରକ୍ଷଣ ସମିତି' ଗ୍ରାମରେ ଥିବା ନିରୀହ ଲୋକ ଏବଂ ମହିଳା ମାନଙ୍କୁ ପ୍ରକଳ୍ପ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସୁଯୋଗ ଦେବେ ଓ ସେମାନଙ୍କ ମତାମତକୁ ବିଚାରକୁ ନେଇ କାର୍ଯ୍ୟ ସମ୍ପାଦନ କରିବେ । ପୁସ୍ତିକାରେ ଥିବା ସମସ୍ତ ବ୍ୟବସ୍ଥାକୁ ମାନି ଅଣୁ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଗ୍ରାମବାସୀଙ୍କର ପ୍ରମୁଖ ଭୂମିକା ରହିଅଛି । ଲୋକମାନଙ୍କ ଦ୍ଵାରା ନିର୍ବାଚିତ କାର୍ଯ୍ୟକାରୀ କମିଟି ଗ୍ରାମର ସ୍ଵାର୍ଥପାଇଁ ଗଣତାନ୍ତ୍ରିକ ଭାବେ ସମସ୍ତ ନିଷ୍ପତ୍ତି ନେବେ ।
ବନ ବିଭାଗର ପ୍ରତିନିଧି ତଥା ସଭ୍ୟ ସଚିବ ‘ବନ ସଂରକ୍ଷଣ ସମିତି’ ର ସମସ୍ତ କାର୍ଯ୍ୟ ପ୍ରକଳ୍ପ ଧାର୍ଯ୍ୟ ମାନୁଆଲ ଓ ନୀୟମ / ନମୁନା ସୂତାବକ କରାଇବା ଦାୟିତ୍ଵ ନେବେ । ସମିତି ସଭ୍ୟ ସଚିବ ନିଭିଗତ ପ୍ରକ୍ରିୟାରେ ନିରପେକ୍ଷ ରହି ସେଥିରେ ସକ୍ରିୟ ଭାବେ ସହଯୋଗ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ବିଭିନ୍ନ କାର୍ଯ୍ୟକୁ ସେ ଆଗେଇ ନେବେ । ଅବହେଳିତ ଏବଂ ସଂଖ୍ୟାଲଘୁମାନଙ୍କ ମତାମତକୁ ଉପଯୁକ୍ତ ଗୁରୁତ୍ଵ ଦେବା ତାଙ୍କର ଏକ ସ୍ଵତନ୍ତ୍ର ଦାୟିତ୍ । ‘ବନ ସଂରକ୍ଷଣ ସମିତି'ର ସମସ୍ତ ନିଷ୍ପତ୍ତି ଓ କାର୍ଯ୍ୟ ସମ୍ପର୍କରେ ନିଜର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ମଧ୍ୟ ସଭ୍ୟ ସଚିବଙ୍କ ଦାୟିତ୍ଵ ଅଟେ ।
ସ୍ୱେଚ୍ଛାସେବୀ ଦଳଙ୍କ ଭୂମିକା
‘ବନ ସଂରକ୍ଷଣ ସମିତି’ର ଦକ୍ଷତା ବୃଦ୍ଧିରେ ସହାୟତା, ପ୍ରାରମ୍ଭିକ କାର୍ଯ୍ୟକଳାପ, ରୋଜଗାରକ୍ଷମ କାର୍ଯ୍ୟ ଓ ଜୀବିକା ଉନ୍ନତି କରିବାରେ ସହଯୋଗ, ଅଣୁଯୋଜନା ପ୍ରସ୍ତୁତ କରିବା ଏବଂ ‘ବନ ସଂରକ୍ଷଣ ସମିତି’କୁ ଜଣେ ଉପଯୁକ୍ତ ଗ୍ରାମ୍ୟ ବନ ସହାୟକ ବାଛିବାରେ ସାହାଯ୍ୟ କରିବା ହେଉଛି ସେଚ୍ଛାସେବୀଦଳଙ୍କ ମୁଖ୍ୟ କାର୍ଯ୍ୟ ।
ସ୍ୱେଚ୍ଛାସେବୀ ଦଳ ଗ୍ରାମବାସୀମାନଙ୍କ ଇଚ୍ଛା ଓ ଅସୁବିଧା ଗୁଡ଼ିକୁ ଯୋଜନା କର୍ତ୍ତୁପକ୍ଷଙ୍କୁ ଜଣାଇବେ । ସରକାରଙ୍କ ବିଭିନ୍ନ ନୀତିନିୟମକୁ ଗ୍ରାମବାସୀଙ୍କୁ ବୁଝାଇବା ଓ ‘ବନ ସଂରକ୍ଷଣ ସମିତି’ର ସଭ୍ୟମାନଙ୍କ ମଧ୍ୟରେ ଯଦି ମତପାର୍ଥକ୍ୟ ଦେଖାଯାଏ, ତାହାର ସମାଧାନ କରିବା ମଧ୍ୟ ସେଚ୍ଛାସେବୀ ଦଳଙ୍କ ଦାୟିତ୍ଵ ଅଟେ।
ଗ୍ରାମ୍ୟ ବନ ସହାୟକଙ୍କ (ଆନିମେଟର) ଭୂମିକା
‘ବନ ସଂରକ୍ଷଣ ସମିତି’ କୁ ଏକ ଅନୁଷ୍ଠାନଭାବେ ଗଢ଼ିବାରେ ଗ୍ରାମ୍ୟ ବନ ସହାୟକଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଅଛି । ସେ ଗ୍ରାମବାସୀ ଓ କାର୍ଯ୍ୟନିର୍ବାହୀ କମିଟି ମଧ୍ୟରେ ସମନ୍ଵୟ ରକ୍ଷାକରିବା ସହିତ, ଯୋଜନାରେ ଗ୍ରାମବାସୀମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବେ । ସଭା ଆୟୋଜନ, ପ୍ରମାଣପତ୍ର ରକ୍ଷଣାବେକ୍ଷଣ, ହିସାବପତ୍ରର ତଦାରଖ ଏବଂ ବନ ବିଭାଗ ତଥା ଅନ୍ୟାନ୍ୟ ସଂସ୍ଥା ସହିତ ସମନ୍ଵୟ ରକ୍ଷାକରିବା ପାଇଁ ସହାୟତା କରିବେ । ସଭ୍ୟମାନଙ୍କ ଅଧିକାର କେବଳ ସାଧାରଣ ସଭ୍ୟମାନଙ୍କର ‘ବନ ସଂରକ୍ଷଣ ସମିତି’ର ବିଭିନ୍ନ କ୍ଷେତ୍ରରେ ଭୋଟଦାନ ଅଧିକାର ଅଛି ଓ ଯୋଜନାରୁ ମିଳୁଥିବା ଲାଭ ଏବଂ ପ୍ରୋତ୍ସାହନ ପାଇବାର ଅଧିକାର ଅଛି । ସଭ୍ୟମାନଙ୍କ ମଧ୍ୟରୁ ଜଣକୁ ସମିତି ତରଫରୁ ପ୍ରବକ୍ତା ଭାବେ କାର୍ଯ୍ୟକାରୀ କମିଟିର ଦାୟିତ୍ଵ ତୁଲାଇବାକୁ ସଭ୍ୟମାନେ ଅଧିକାର ଦେଇପାରିବେ । ଯଦି କୌଣସି ସଭ୍ୟ ‘ବନ ସଂରକ୍ଷଣ ସମିତି’ର ସ୍ଵାର୍ଥବିରୋଧୀ କାର୍ଯ୍ୟ କରନ୍ତି ତା ହେଲେ ତାଙ୍କୁ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ବାସନ୍ଦ କରାଯାଇପାରିବ ।
ସ୍ଵତନ୍ତ୍ର ବୈଠକ
କେବଳ ବିଶେଷ ପରିସ୍ଥିତିରେ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ଅତିକମ୍ରେ ୩୦ ପ୍ରତିଶତ ସଭ୍ୟ ଲିଖୁତ ଆକାରରେ ସଭାପତିଙ୍କୁ ଅନୁରୋଧ କରିବା ଦରକାର । ବୈଠକ ହେବାର ୪ ଦିନ ପୂର୍ବରୁ ବୈଠକର ଉଦ୍ଦେଶ୍ୟ ବିଷୟରେ ଉଲ୍ଲେଖ କରାଯାଇ ସମସ୍ତ ସଭ୍ୟଙ୍କୁ ଜଣାଇ ଦିଆଯିବ । ଏହି ବୈଠକରେ ଅତି କମ୍ରେ ୫୦ ପ୍ରତିଶତ ସଭ୍ୟ ଉପସ୍ଥିତ ରହିବା ଆବଶ୍ୟକ । ସଭାପତି, ସଚିବ, ଗ୍ରାମ୍ୟ ବନ ସହାୟକ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ନିଶ୍ଚିତ ଭାବେ ଉପସ୍ଥିତ ରହିବା ଦରକାର ।
ସଭ୍ୟ ସଚିବ ‘ବନ ସଂରକ୍ଷଣ ସମିତି'ର ସମସ୍ତ ବୈଠକ ବିବରଣୀ ଓଡ଼ିଆରେ ଦଲିଲ୍ ପ୍ରସ୍ତୁତ କରି ରଖୁବେ । ସଭାରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତି ପ୍ରସ୍ତାବ ନିର୍ଦ୍ଧାରଣ ଆକାରରେ ଦଲିଲ୍ କରାଯାଇ ସଭାପତି ଓ ସଭ୍ୟ ସଚିବଙ୍କ ଦ୍ଵାରା ଦସ୍ତଖତ କରାଯିବ । କାର୍ଯ୍ୟ ବିବରଣୀର ନକଲ ଗ୍ରାମ ପଞ୍ଚାୟତ ଏବଂ କ୍ଷେତ୍ର ପରିଚାଳନା ୟୁନିଟ ମୁଖ୍ୟଙ୍କ ପାଖକୁ ପଠାଯିବ । ସଭାରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ଗ୍ରାମ୍ୟ ବନ ସହାୟକ ଗ୍ରାମବାସୀଙ୍କୁ ବୁଝାଇ ଦେବେ ।
କାର୍ଯ୍ୟନିର୍ବାହୀ କମିଟିର କାର୍ଯ୍ୟକାଳ ପୂରିବାର ଏକମାସ ପୂର୍ବରୁ ସଭାପତି ସମିତିର ସାଧାରଣ ପରିଷଦ ବୈଠକ ଡାକି କମିଟିର ନିର୍ବାଚନ କରାଇବା ଆବଶ୍ୟକ । ଯଦି ଏହି ପ୍ରକ୍ରିୟା ହୋଇ ନଥାଏ ତା' ହେଲେ କମିଟି କାର୍ଯ୍ୟକରୁ ନାହିଁ ବୋଲି ଧରାଯିବ । କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ଏହି କମିଟିର କାଗଜପତ୍ରକୁ ରଦ୍ଦ କରିପାରନ୍ତି ଏବଂ ଏହାର ପୁନଃଗଠନ ପାଇଁ ନିଜେ ତୁରନ୍ତ ପଦକ୍ଷେପ ନେବେ ।
ବୈଠକ ସମ୍ବନ୍ଧିତ ଫର୍ମ
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବନ ସଂରକ୍ଷଣ ସମିତିକୁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଉପକାର ମିଳିପାରିବ । ଜଙ୍ଗଲ ଓ ଜଙ୍ଗଲ ସମିତିର ଉନ୍ନତିରୁ ‘ବନ ସଂରକ୍ଷଣ ସମିତି’ ର ସଭ୍ୟମାନେ ଉପକାର ପାଇ ପାରିବେ । ଏଥିସହିତ ସମାଜର ଅନ୍ୟମାନଙ୍କର ମଧ୍ୟ ଉପକାର ହୋଇପାରିବ ।
ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ଯଥା ପ୍ରାଥମିକ ସହଯୋଗ କାର୍ଯ୍ୟକ୍ରମ ଏବଂ ରୋଜଗାର ସୃଷ୍ଟି କରୁଥିବା କାର୍ଯ୍ୟ ପାଇଁ ଏହି ଯୋଜନାରେ ସାହାଯ୍ୟ ବ୍ୟବସ୍ଥା ରହିଅଛି । ଏଥିରୁ ପ୍ରାପ୍ତ ଲାଭକୁ ସଭ୍ୟମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟା ଯିବ । ସୁବଣ୍ଟନ ବ୍ୟବସ୍ଥାର ନୀତିନୀୟମ ବନ ସଂରକ୍ଷଣ ସମିତି ସାଧାରଣ ବୈଠକରେ ସ୍ଥିର ହେବ । ଗ୍ରାମ୍ୟ ବନ ସହାୟକ ସମିତି ଦ୍ଵାରା ନିର୍ଦ୍ଧାରିତ ବଣ୍ଟନ ବ୍ୟବସ୍ଥାକୁ ସମସ୍ତ ଲୋକମାନଙ୍କୁ ସଠିକ୍ ଭାବେ ବୁଝାଇବେ ।
ପ୍ରାଥମିକ ସହଯୋଗ କାର୍ଯ୍ୟକ୍ରମ
ଯୋଜନାର ପ୍ରଥମ ଅବସ୍ଥାରେ ଗ୍ରାମ ଲୋକମାନଙ୍କୁ ପ୍ରକଳ୍ପପ୍ରତି ବିଶ୍ୱାସ ଓ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଏ । ବନସଂରକ୍ଷଣ ସମିତିର କାର୍ଯ୍ୟାଳୟ ବ୍ୟତୀତ ଗ୍ରାମ ଭିତ୍ତିଭୂମି ନିର୍ମାଣ ଓ ପୁନଃ ନିର୍ମାଣ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଏ ।
ରୋଜଗାରକ୍ଷମ କାର୍ଯ୍ୟ
ଅଣୁ ଯୋଜନା ପ୍ରସ୍ତୁତି ସମୟରେ ବିଭିନ୍ନ ରୋଜଗାରକ୍ଷମ କାର୍ଯ୍ୟ ଚିହ୍ନଟ କରାଯାଇ ଏହି କାର୍ଯ୍ୟ କରିବା ପାଇଁ ସଭ୍ୟମାନଙ୍କୁ ଉତ୍ସାହିତ କରାଯିବ । କେବଳ ଜଙ୍ଗଲ ସମ୍ପର୍କୀୟ ରୋଜଗାରକ୍ଷମ କାର୍ଯ୍ୟକ୍ରମରେ ସମିତି ନ ରହି ଅନ୍ୟାନ୍ୟ କ୍ଷେତ୍ରରେ ଲୋକମାନଙ୍କର ସାମର୍ଥୀ ଥିବା ରୋଜଗାର ପନ୍ଥା ପ୍ରତି ଆଗ୍ରହ ସୃଷ୍ଟି କରାଯିବ ।
ସ୍ଵୟଂ ସହାୟକ ଗୋଷ୍ଠୀ
ପ୍ରତି ‘ବନ ସଂରକ୍ଷଣ ସମିତି' ପାଇଁ ଅତିକମ୍ରେ ଦୁଇଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ପାଇଁ ଯୋଜନାରେ ବ୍ୟବସ୍ଥା ରହିଅଛି । ରୋଜଗାରକ୍ଷମ କାର୍ଯ୍ୟ ପାଇଁ ଯେଉଁ ଅର୍ଥ ରାଶି (Revolving Fund) ଯୋଗାଇ ଦିଆଯାଏ ତାହା ସମିତି ଜମାଖାତାରେ ଜମାରହେ ଏବଂ ଏହାକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ସୂତ୍ରରେ ଦିଆଯାଏ । ଚାରା ଉତ୍ପାଦନ ଓ ପ୍ରଦର୍ଶନୀ ଫାର୍ମ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନାରେ ବ୍ୟବସ୍ଥା ରଖାଯାଇଛି ।
ଅନ୍ୟାନ୍ୟ ଉପକାର
ଶୁଖିଲାପତ୍ର, ଚାରାଘାସ, ଝାଡୁଘାସ, କଣ୍ଟାଝାଟି, ଗୋଛାକାଠ ଆଦି ‘ବନ ସଂରକ୍ଷଣ ସମିତି’ର ସଭ୍ୟମାନଙ୍କୁ ମାଗଣା କିମ୍ବା ସମିତି ଦ୍ଵାରା ନିର୍ଦ୍ଧାରିତ ସ୍ଵଳ୍ପ ମୂଲ୍ୟରେ ଦିଆଯିବ । ମଧ୍ୟବର୍ତ୍ତୀ ଅମଳରେ ଉପଲବ୍ ଛୋଟକାଠ, ଖମ୍ବ ଏବଂ ଜାଳେଣୀକାଠ ଆଦିକୁ ମଧ୍ୟ ସମିତି ସଭ୍ୟମାନଙ୍କୁ ସମିତି ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟରେ ଦିଆଯିବ । ରେଞ୍ଜ ଅଫିସରଙ୍କୁ ଅନୁରୋଧ କରି ବଳକା ପରିମାଣର ଦ୍ରବ୍ୟକୁ ବିକ୍ରିକରି ଶତ ପ୍ରତିଶତ ଅର୍ଥ ‘ବନ ସଂରକ୍ଷଣ ସମିତି’କୁ ଦିଆଯିବ । କେନ୍ଦୁପତ୍ର ଓ ସଂରକ୍ଷିତ ଜଙ୍ଗଲଜାତ ଦ୍ରବ୍ୟ ଆଦିର ସଂଗ୍ରହ ସମିତିର ସଭ୍ୟମାନଙ୍କର ଅଧିକାର ଅଟେ । ଜଙ୍ଗଲର ଅନ୍ତିମ ଅମଳ ସମୟରେ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ନିୟମ ଅନୁଯାୟୀ ୫୦ ପ୍ରତିଶତ ଲାଭ ପାଇବାର ଅଧିକାର ସମିତିର ରହିଅଛି । ଜଙ୍ଗଲ ଅପରାଧ ଧରିବାରେ ସମିତିର ସଭ୍ୟମାନେ ସହାୟତା କଲେ ନିୟମ ଅନୁଯାୟୀ ପ୍ରୋତ୍ସାହନ ରାଶି ପାଇବାକୁ ହକଦାର ହେବେ । ଏହିସବୁ ଲାଭରୁ ମିଳୁଥିବା ଟଙ୍କା ସମିତିର ଜମାଖାତାରେ ଜମା ରହିବ ଏବଂ ଗ୍ରାମ୍ୟ ଜଙ୍ଗଲ ଉନ୍ନୟନ ପାଣ୍ଠି ଦ୍ଵାରା ପରିଚାଳିତ ହେବ ।
ସାଧାରଣ ସ୍ଵାର୍ଥଗୋଷ୍ଠୀ ବା ବ୍ୟବହାରକାରୀ ଗୋଷ୍ଠୀ
‘ବନ ସଂରକ୍ଷର ସମିତି’ର ସଭ୍ୟମାନଙ୍କ ସୁବିଧା ଓ ସ୍ଵାର୍ଥକୁ ଆଖିଆଗରେ ରଖି ଛୋଟ ଛୋଟ ସାଧାରଣ ସ୍ଵାର୍ଥ ଗୋଷ୍ଠୀ ଗଠନ କରାଯିବ । ଏହି ଗୋଷ୍ଠୀ ମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆଯିବ । କାର୍ଯ୍ୟନିର୍ବାହୀ ସମିତିର ଜଣେ ସଭ୍ୟ ଏହି ଗୋଷ୍ଠୀମାନଙ୍କ କାର୍ଯ୍ୟର ତଦାରଖ କରିବା ସହ ପରିଚାଳନା ମଧ୍ୟ କରିବେ ।
‘ବନ ସଂରକ୍ଷଣ ସମିତି’ର ଦୈନନ୍ଦିନ କାର୍ଯ୍ୟକଳାପର ପରିଚାଳନା କାର୍ଯ୍ୟକ୍ରମ ବିଷୟ ରେ ନିଷ୍ପତ୍ତି ନେବା ଓ ସାଧାରଣ ପରିଷଦର ନିଷ୍ପତିକୁ ସଂପାଦନ କରିବା ଦାୟିତ୍ଵ କାର୍ଯ୍ୟନିର୍ବାହୀ କମିଟି ଉପରେ ନ୍ୟସ୍ତ ଅଟେ । ‘ବନ ସଂରକ୍ଷଣ ସମିତି ଓ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ମଧ୍ୟ କାର୍ଯ୍ୟନିର୍ବାହୀ କମିଟିର ଦାୟିତ୍ଵ ଅଟେ । ଏହି କମିଟିର କାର୍ଯ୍ୟକାଳ ତିନି (୩) ବର୍ଷ ଅଟେ ।
କାର୍ଯ୍ୟନିର୍ବାହୀ କମିଟି ସଭ୍ୟଙ୍କ ପ୍ରକାର
କାର୍ଯ୍ୟନିର୍ବାହୀ କମିଟି ତିନି ପ୍ରକାର ସଭ୍ୟଙ୍କୁ ନେଇ ଗଠିତ ।
କାର୍ଯ୍ୟନିର୍ବାହୀ କମିଟି ଗ୍ରାମରୁ ମୋଟ ୧୧ ଜଣ ନିର୍ବାଚିତ ସଭ୍ୟଙ୍କୁ ନେଇ ଗଠିତ ହେବ । ଏହି ୧୧ ଜଣ ସଭ୍ୟଙ୍କ ମଧ୍ୟରେ ଜଣେ ସଭାପତି, ଜଣେ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୭ ଜଣ ପ୍ରତିନିଧି ଓ ଜଣେ ନେତୃସ୍ଥାନୀୟ ଉପଦେଷ୍ଟା ରହିବେ । ସଂପୃକ୍ତ ବନପାଳ/ ଗ୍ରାମ୍ୟବନ ସେବକ ଏହାର ଏକ୍ସ ଅଫିସିଓ ସଭ୍ୟ ଯେ କି ସଭ୍ୟସଚିବ କାର୍ଯ୍ୟ ସଂପାଦନ କରିବେ । ଏତଦ୍ ବ୍ୟତୀତ ଏକ୍ସ ଅଫିସିଓ ମେମ୍ବର ଭାବରେ ବନରକ୍ଷୀ, ୱାର୍ଡମେମ୍ବର ଓ ମନୋନିତ ସଭ୍ୟ ରହିପାରିବେ । କମିଟିର ନିର୍ବାଚନ ପ୍ରକ୍ରିୟା
‘ବନ ସଂରକ୍ଷଣ ସମିତି’ର ପଞ୍ଜିକରଣ ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ୩୦ ଦିନ ମଧ୍ୟରେ ଶେଷ ହେବା ଆବଶ୍ୟକ । ଗ୍ରାମ୍ୟ ବନସେବକ ବା ସଂପୃକ୍ତ ବନପାଳ, ସରପଞ୍ଚଙ୍କୁ ଅବଗତ କରାଇ ସାଧାରଣ ପରିଷଦର ବୈଠକ ଡାକି କାର୍ଯ୍ୟନିର୍ବାହୀ କମିଟିର ନିର୍ବାଚନ ପାଇଁ ବ୍ୟବସ୍ଥା କରିବେ ।
କମିଟି ସଭ୍ୟଙ୍କ ନିର୍ବାଚନ
କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣି ଅଫିସର ରୂପେ କାର୍ଯ୍ୟ କରିବେ ସେ ସଭ୍ୟ ସଚିବ ଓ ସେଚ୍ଛାସେବୀ ସଂସ୍ଥା ସହାୟତାରେ ସାଧାରଣ ପରିଷଦର ପ୍ରଥମ ବୈଠକ ପାଇଁ ତାରିଖ, ମାସ ଓ ସ୍ଥାନ ଘୋଷଣା କରିବେ ଏବଂ ସମୁହ ଗ୍ରହଣଯୋଗ୍ୟ ପଦ୍ଧତିରେ ନିର୍ବାଚନ ପରିଚାଳନା କରିବେ ।
‘ବନ ସଂରକ୍ଷଣ ସମିତି ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ଦାୟିତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ସମସ୍ତ ଜଙ୍ଗଲ ଅପରାଧ ମାନଙ୍କୁ ଧରିବାରେ ସାହାଯ୍ୟ କରିବେ । ବିବାଦର ସମାଧାନ, ଜବରଦଖଲ, ଜୀବିକା ନିର୍ବାହର ଉପାୟ ଆଦି ସମସ୍ୟା ବିଚାର ଆଲୋଚନା କରିବେ । ହିସାବ କିତାବ ଠିକ୍ ରଖିବା ସହିତ ଯୋଜନାରୁ ମିଳୁଥିବା ଅର୍ଥର ପରିଚାଳନା ମଧ୍ୟ କରିବେ । ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି, ଅଣୁଯୋଜନାର କାର୍ଯ୍ୟକାରୀତା, ଚାରାକେନ୍ଦ୍ରର ବିକାଶ ଆଦି କାମ କାରିବେ । ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ଏହି ଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଏବଂ ଏମାନଙ୍କୁ ଦିଆଯାଇଥିବା ଋଣର ସମୟସୀମା ଓ ସୁଧର ହାର ବିଷୟ ରେ ନିଷ୍ପତ୍ତି ନେବେ । ସାଧାରଣ ପରିଷଦ ଏବଂ କ୍ଷେତ୍ର ପରିଚାଳନା ସଂସ୍ଥାର ଅନୁମୋଦନ କ୍ରମେ ବିଭିନ୍ନ ବିଷୟରେ ବୈଷୟିକ ଜ୍ଞାନଥିବା ଲୋକଙ୍କୁ ସ୍ୱଳ୍ପକାଳୀନ ନିଯୁକ୍ତି ଦେଇ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଆଗେଇ ନେବେ । ଏହାଛଡ଼ା ‘ବନ ସଂରକ୍ଷଣ ସମିତି’ର ନିଷ୍ପତ୍ତି ଅନୁସାରେ ଦଣ୍ଡବିଧାନ କ୍ଷେତ୍ରରେ ଦଣ୍ଡରାଶିର ପରିମାଣ ନିର୍ଦ୍ଧାରିତ ହୋଇଥାଏ । ଜଙ୍ଗଲ ଓ ‘ବନ ସଂରକ୍ଷଣ ସମିତି’ର ଆବଶ୍ୟକତା ଦୃଷ୍ଟିରୁ ସେହି ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନ ସହିତ ଯୋଗସୂତ୍ର ରକ୍ଷା କରିବା ଦାୟିତ୍ଵ ନେବେ ।
ସଭାପତି (ଚେୟାରମ୍ୟାନ)ଙ୍କ ଦାୟିତ୍ଵ
ସଭାପତି, ସଭ୍ୟସଚିବଙ୍କ ସହାୟତାରେ ବନ ସଂରକ୍ଷଣ ସମିତି ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଡକାଇବେ । ସେ ସମିତି ବା କମିଟି ତରଫରୁ ବୁଝାମଣା ପତ୍ର ଓ ସରକାରୀ ଦସ୍ତାବିଜରେ ସ୍ଵାକ୍ଷର କରିବା ସହିତ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପାଇଁ କମିଟିର ଜଣେ ଜଣେ ସଭ୍ୟଙ୍କୁ ଦାୟିତ୍ଵ ଦେଇ ପାରିବେ । ସଭାପତି, ସଭ୍ୟସଚିବ ଏବଂ କୋଷାଧ୍ୟକ୍ଷଙ୍କ ସହିତ ବ୍ୟାଙ୍କ ଜମାଖାତା ପରିଚାଳନା କରିବେ । କୌଣସି ସାଧାରଣ ସଭାସମିତିରେ ସେ ସମିତିର ପ୍ରତିନିଧିତ୍ଵ କରିବେ । ବନ ସଂରକ୍ଷଣ ସମିତି’ର ସମସ୍ତ କାର୍ଯ୍ୟକଳାପ ପାଇଁ ସଭାପତି ଓ ସଭ୍ୟ ସଚିବଙ୍କର ଯୁଗ୍ନ ଦାୟିତ୍ଵ ରହିବ । ଆବଶ୍ୟକତା ଅନୁସାରେ ସେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଏବଂ ସଭ୍ୟମାନଙ୍କୁ ପରାମର୍ଶ ଦେବା ସହ ଅଭିଯୋଗ ଆଦି ଗ୍ରହଣ କରିବେ ।
ଉପ ସଭାପତିଙ୍କ କର୍ତ୍ତବ୍ୟ
ସଭାପତିଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ ଦେବା ସହିତ ତାଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟ ସମ୍ପାଦନ କରିବେ।
ସଭ୍ୟସଚିବଙ୍କ କର୍ତ୍ତବ୍ୟ
ସେ ସମିତି ଓ ପ୍ରକଳ୍ପ କର୍ତ୍ତପକ୍ଷଙ୍କ ନିକଟରେ ଉତ୍ତରଦାୟୀ ରହିବେ । ‘ବନ ସଂରକ୍ଷଣ ସମିତି ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଡକାଇବେ । ଏହି ବୈଠକର ସମୟ, ତାରିଖ ଓ ସ୍ଥାନ ବିଷୟରେ ଜଣାଇବା ତାଙ୍କର ଦାୟିତ୍ଵ ଆଟେ । ଅଣୁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟ ସଂପାଦନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଅଛି । ସେ ସଭାପତିଙ୍କ ସହିତ ମିଶି ସମସ୍ତ ପ୍ରଶାସନିକ କାର୍ଯ୍ୟ ପାଇଁ ଦାୟୀ ରହିବେ । ସମିତିର ସମସ୍ତ ଆୟବ୍ୟୟ ଟିକିନିଖି ଦଲିଲ୍ କରିବା ସହିତ ବାର୍ଷିକ ଆର୍ଥକ ରିପୋର୍ଟ ବିଷୟ ରେ ସମସ୍ତଙ୍କୁ ଜଣାଇବେ । ବନ ସଂରକ୍ଷଣ ସମିତି ନେଉଥିବା ନିଷ୍ପତି ସବୁ କ୍ଷେତ୍ରପରିଚାଳନା ୟୁନିଟ୍କୁ ଜଣାଇବେ ଓ ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବେ । ବନ ସଂରକ୍ଷଣ ସମିତି ଓ ସରକାରଙ୍କ ଅନ୍ୟାନ୍ୟ ବିଭାଗ ସହ ସମନ୍ଵୟ ରକ୍ଷା କରି କାମ କରିବେ ।
ବନରକ୍ଷୀଙ୍କ ଭୂମିକା
ଅଣୁଯୋଜନା ଅନୁସାରେ କାର୍ଯ୍ୟ ପରିଚାଳନା ହେଉଛି କି ନାହିଁ ତାହା ଦେଖିବା ତାଙ୍କ ଦାୟିତ୍ଵ । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ ‘ବନ ସଂରକ୍ଷଣ ସମିତି’କୁ ସାହାଯ୍ୟ କରିବେ । ସେ ସମିତିକୁ ବୈଷୟିକ ଜ୍ଞାନ ମଧ୍ୟ ଯୋଗାଇବେ । ବନପାଳଙ୍କ ଅନୁପସ୍ଥିତିରେ ସେ ସଭ୍ୟସଚିବଙ୍କ ଦାୟିତ୍ଵ ତୁଲାଇବେ ।
କୋଷାଧ୍ୟକ୍ଷଙ୍କ ଭୂମିକା
‘ବନ ସଂରକ୍ଷଣ ସମିତି’ ର ସମସ୍ତ ଆର୍ଥୀକ କାରବାରର ଟିକିନିଖି ହିସାବ ରଖିବେ । ‘ବନ ସଂରକ୍ଷଣ ସମିତି’ର ସଞ୍ଚୟ ଜମା ଖାତାରୁ ଟଙ୍କା ଉଠାଇବା ବା ଜମା କରିବା ସହିତ ସଭ୍ୟମାନଙ୍କୁ ସମିତିର ଆର୍ଥିକ ଅବସ୍ଥା ଏବଂ ସମସ୍ତ ଆର୍ଥୀକ କାରବାର ବିଷୟରେ ଅବଗତ କରାଇବେ । ବାର୍ଷିକ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ଏହାକୁ ଅଡ଼ିଟ କରାଇବେ ।
କାର୍ଯ୍ୟନିର୍ବାହୀ କମିଟି ସଭ୍ୟମାନଙ୍କ ଭୂମିକା
‘ବନ ସଂରକ୍ଷଣ ସମିତି'ର ସମସ୍ତ କାର୍ଯ୍ୟମାନଙ୍କରେ ସକ୍ରିୟ ଅଂଶଗ୍ରହଣ କରିବେ । ସମିତିର ଅନ୍ୟ ସଭ୍ୟମାନଙ୍କୁ ଆଶାନୁରୂପ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇବେ । ବିଭିନ୍ନ ‘ବନ ସଂରକ୍ଷଣ ସମିତି’ ମାନଙ୍କୁ ଗସ୍ତ କରି ସେଠାକାର ପରିଚାଳନା ଓ ସୁଯୋଗ ଉପରେ । ଶିକ୍ଷାଲାଭ କରିବା ସହିତ ନିଜ ସମିତିରେ ଉପଯୋଗ କରିବେ ।
ଏକ୍ସ ଅଫିସିଓ ଏବଂ ମନୋନୀତ ସଭ୍ୟମାନଙ୍କ ଭୂମିକା
ଏମାନେ ‘ବନ ସଂରକ୍ଷଣ ସମିତି’ କିପରି ଠିକ୍ ଭାବରେ ଚାଲିବ ସେଥିପାଇଁ ପରାମର୍ଶ ଦେବାସହ ମାର୍ଗଦର୍ଶନ କରିବେ । ପ୍ରକଳ୍ପର କାର୍ଯ୍ୟକାରିତା ଓ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଲାବେଳେ ବୈଷୟିକ ଓ ପ୍ରଶାସନିକ ଦୃଷ୍ଟିରୁ ପରାମର୍ଶ ପ୍ରଦାନ କରିବେ ।
କାର୍ଯ୍ୟନିର୍ବାହୀ କମିଟି ସଭ୍ୟଙ୍କ ବହିଷ୍କାର
ଯଦି କମିଟିର କୌଣସି ସଭ୍ୟ ‘ବନ ସଂରକ୍ଷଣ ସମିତି’ର ଲକ୍ଷ୍ୟପୂରଣ ଦିଗରେ କାମ ନ କରନ୍ତି ତା’ ହେଲେ ତାଙ୍କୁ ଅନାସ୍ଥାପ୍ରସ୍ତାବ ଦ୍ଵାରା ବହିଷ୍କାର କରି ତାଙ୍କ ସ୍ଥାନରେ ସମିତି ଅନ୍ୟଜଣେ ସଭ୍ୟ ନିଯୁକ୍ତି କରିବେ । ବହିଷ୍କାର କରିବାକୁ ଥିବା ସଭ୍ୟଙ୍କ ବିରୋଧରେ ଥିବା ଅଭିଯୋଗକୁ ବୈଠକରେ ଆଲୋଚନା କରାଯାଇ ସଂଖ୍ୟାଗରିଷ୍ଠ ଭୋଟରେ ଅନୁମୋଦନ ହେଲାପରେ ସଭ୍ୟଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯିବ ।
ସଭାପତି / ଉପସଭାପତିଙ୍କ ବହିଷ୍କାର
ଏଥିନିମନ୍ତେ ‘ବନ ସଂରକ୍ଷଣ ସମିତି’ର ସାଧାରଣ ପରିଷଦର ବୈଠକ ଡକାଯିବ । କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ନିର୍ବାଚନ ପରିଚାଳନା କରିବେ । ଉପସ୍ଥିତ ସମିତିର ସଭ୍ୟମାନଙ୍କ ମଧ୍ୟରୁ ଅର୍ଧାଦ୍ଧିକ ସଭ୍ୟ ତାଙ୍କ ବିପକ୍ଷରେ ଭୋଟ ଦେଲେ ସଭାପତି ଏବଂ ଉପସଭାପତିଙ୍କୁ ବହିଷ୍କାର କରାଯିବ ।
ପଦବୀ ପୂରଣ
ଯଦି ଉପରୋକ୍ତ କାରଣ ଅଥବା ଅନ୍ୟ କାରଣରୁ କାର୍ଯ୍ୟନିର୍ବାହୀ କମିଟିର କୌଣସି ପଦବୀ ଖାଲି ପଡ଼େ ତା ହେଲେ ସାଧାରଣ ପରିଷଦର ଏକ ସ୍ଵତନ୍ତ୍ର ବୈଠକ ଡକାଯାଇ ସମସ୍ତଙ୍କ ଅନୁମୋଦନକ୍ରମେ ପଦବୀ ପୂରଣ କରାଯିବ । ନବନିର୍ବାଚିତ ସଦସ୍ୟ କମିଟିର କାର୍ଯ୍ୟକାଳ ପୁରିବା ପର୍ଯ୍ୟନ୍ତ ଦାୟିତ୍ଵରେ ରହିପାରିବେ ।
‘ବନ ସଂରକ୍ଷଣ ସମିତି’ର କାର୍ଯ୍ୟନିର୍ବାହୀ କମିଟିର ବୈଠକ ନିର୍ବାଚନର ପରଦିନ ହେବ । ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା ଏବଂ ଏହି ଖାତାରେ ସଭ୍ୟସଚିବଙ୍କ ସହିତ କିଏ ସ୍ଵାକ୍ଷର କରିବେ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ମନୋନୀତ ହେବାକୁ ଥିବା ସଭ୍ୟଙ୍କ ନାମ ଆଲୋଚନା ହେବା ସହିତ ସେମାନଙ୍କ ତାଲିକା ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କ ପାଖକୁ ପଠାଯିବ । ପୂର୍ବରୁ ଥିବା କମିଟି ମାନଙ୍କୁ ଭାଙ୍ଗିବା ପାଇଁ ନିଷ୍ପତି ନିଆଯିବ ।
ଯୋଜନା କାର୍ଯ୍ୟକାରୀ ହେବାର ପ୍ରଥମ ଦୁଇବର୍ଷ ମଧ୍ୟରେ ପ୍ରତିମାସରେ କାର୍ଯ୍ୟନିର୍ବାହୀ କମିଟିର ବୈଠକ ବସିବ । ତାପରେ ଏହାକୁ ପ୍ରତି ଦୁଇମାସରେ ଥରେ କରାଯାଇ ପାରେ । ସଭ୍ୟସଚିବ ବୈଠକ ହେବା ଆଗରୁ ବୈଠକର କାର୍ଯ୍ୟକ୍ରମ ବିଷୟରେ ସମସ୍ତ ସଭ୍ୟଙ୍କୁ ଜଣାଇବେ । ସଭାପତି ବୈଠକରେ ସଭାପତିତ୍ଵ କରିବେ ଏବଂ ତାଙ୍କ ଅନୁପସ୍ଥିତିରେ ଉପସଭାପତି ବୈଠକରେ ସଭାପତିତ୍ଵ କରିବେ ।
‘ବନ ସଂରକ୍ଷଣ ସମିତି’ ଦ୍ଵାରା ଗୃହିତ ସମସ୍ତ ପ୍ରସ୍ତାବକୁ ସଭ୍ୟସଚିବ କ୍ଷେତ୍ର ପରିଚାଳନା ସଂସ୍ଥାଙ୍କ ପାଖକୁ ପଠାଇବେ । କ୍ଷେତ୍ର ପରିଚାଳନା ସଂସ୍ଥା ପ୍ରସ୍ତାବକୁ ତନଖି ସାରିଲା ପରେ ଏହାକୁ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କ ପାଖକୁ ପଠାଇବେ । ମାସକ ମଧ୍ୟରେ ପ୍ରସ୍ତାବ ବିଷୟରେ ଯଦି କ୍ଷେତ୍ର ପରିଚାଳନା ସଂସ୍ଥା କିମ୍ବା ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କ ନିକଟରୁ କୌଣସି ଖବର ନ ଆସିଲା ତା’ହେଲେ ସଭାପତି ନିଜେ ତାଙ୍କୁ ଦେଖାକରିବେ ଏବଂ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବେ । ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନ ହେଲେ କାର୍ଯ୍ୟ ନିର୍ବାହୀ କମିଟି ସିଧାସଳଖ ପ୍ରକଳ୍ପ ପରିଚାଳନା ସଂସ୍ଥା (ପି.ଏମ୍.ୟୁ.)କୁ ଜଣାଇବେ ।
ଗ୍ରାମ୍ୟ ଜଙ୍ଗଲ ଉନ୍ନୟନ ପାଣ୍ଠି (ଭି.ଏଫ୍.ଡି.ଏଫ୍.).
ପ୍ରକଳ୍ପ କାର୍ଯ୍ୟକାରିତା ବେଳେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପରୁ ମିଳୁଥିବା ପାଣ୍ଠି ପରିଚାଳନା ପାଇଁ ବନ ସଂରକ୍ଷଣ ସମିତି ବ୍ୟାଙ୍କରେ ଏକ ଜମାଖାତା ଖୋଲିବେ । ସଭ୍ୟଙ୍କ ଚାନ୍ଦା, ବ୍ୟାଙ୍କ ସୁଧ, ଜଙ୍ଗଲ ଅପରାଧରୁ ମିଳୁଥିବା ଦଣ୍ଡଅର୍ଥରୁ ଆୟ, ପୁରସ୍କାର ବାବଦ ମିଳୁଥିବା ଅର୍ଥ ଏବଂ ଅନ୍ୟାନ୍ୟ ଲାଭରୁ ଗ୍ରାମ୍ୟ ଜଙ୍ଗଲ ଉନ୍ନୟନ ପାଣ୍ଠି ଗଠନ କରାଯିବ । ପ୍ରକଳ୍ପର କାର୍ଯ୍ୟକାଳ ସମାପ୍ତି ପରେ ଜଙ୍ଗଲ ଉନ୍ନୟନ ଓ ପରିଚାଳନା ପାଇଁ ସମିତି ଦ୍ଵାରା ଏହି ଅର୍ଥ ଖର୍ଚ୍ଚ କରାଯିବ ।
‘ବନ ସଂରକ୍ଷଣ ସମିତି’ ଓ ଗ୍ରାମବାସୀ
ବେଳେବେଳେ ଦେଖାଯାଇଛି ଯେ ‘ବନ ସଂରକ୍ଷଣ ସମିତି’ର ବିଭିନ୍ନ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରୁ ନ ଥିବା ଲୋକମାନେ ପରେ ସମାନ ସୁବିଧା ସୁଯୋଗ ପାଇବା ପାଇଁ ଦାବି କରନ୍ତି । ଏଭଳି ପରିସ୍ଥିତିରେ ନିମ୍ନମତେ ପଦକ୍ଷେପ ନିଆଯିବ ।
Last Modified : 6/30/2020