ପ୍ରକଳ୍ପ ଦ୍ଵାରା ବନ ସଂରକ୍ଷଣ ସମିତି ଗୁଡ଼ିକୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ । ସବୁ ସମିତି ଗୁଡ଼ିକ ସେମାନଙ୍କର ଆୟବ୍ୟୟର ହିସାବ ରଖିବେ । ଏପ୍ରିଲ୍ ୧ରୁ ପରବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ବୋଲି ଧରାଯିବ । ଆୟବ୍ୟୟର ଅଟକଳ କରି ଆର୍ଥିକ ବର୍ଷ ଶେଷରେ ୩ ମାସ ମଧ୍ୟରେ ବାଲାନ୍ସ ବାହାର କରିବେ । ପ୍ରତ୍ୟେକ ମାସରେ ମାସିକ ଆୟ ବ୍ୟୟର ହିସାବ ମାସ ଶେଷରେ ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବେ ।
ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ
ଅଣୁ ଯୋଜନା ଅନୁସାରେ ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରାଯିବ ଓ ଏହାକୁ ସାଧାରଣ ପରିଷଦ ବୈଠକରେ ଆଲୋଚନା, ସଂଶୋଧନ ଓ ସ୍ୱୀକୃତି ପାଇଁ ପେଶ୍ କରାଯିବ । ବନ ସଂରକ୍ଷଣ ସମିତି ତ୍ରୟମାସିକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ବିଷୟରେ କ୍ଷେତ୍ର ପରିଚାଳନା ସଂସ୍ଥାଙ୍କୁ ଜଣାଇବେ ଯେ କି ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କୁ ଅନୁଦାନ ପ୍ରଦାନ ପାଇଁ ସୁପାରିଶ କରିବେ ।
ବାର୍ଷିକ ଅଟକଳ
ବାର୍ଷିକ ଯୋଜନା, ଆବଶ୍ୟକ ଅର୍ଥ ଇତ୍ୟାଦି ବିଚାରକୁ ନେଇ ବନ ସଂରକ୍ଷଣ ସମିତିର ବାର୍ଷିକ ଅଟକଳ ପ୍ରସ୍ତୁତ କରାଯିବ । ଏଥିରେ ସଭାପତିଙ୍କ ଦ୍ଵାରା ସ୍ଵୀକୃତି ଅଣୁଯୋଜନାର କାର୍ଯ୍ୟଗୁଡ଼ିକୁ ସଂପାଦନ କରିବା ପାଇଁ ପଦକ୍ଷେପ ନିଆଯିବ । କ୍ଷେତ୍ର ପରିଚାଳନା ସଂସ୍ଥା ଓ ସ୍ଵେଚ୍ଛାସେବୀ ସଂଗଠନମାନେ ଏଥିପାଇଁ ବନ ସଂରକ୍ଷଣ ସମିତିକୁ ସହାୟତା କରିବେ । ପ୍ରକଳ୍ପର ଆର୍ଥକମାନକୁ ଭିତ୍ତିକରି ବ୍ୟୟ ଅଟକଳ କରାଯିବ ଓ ସାଧାରଣ ପରିଷଦ ଏହାକୁ ଅନୁମୋଦନ କରିବେ ।
ମାସିକ ଅର୍ଥ ଆବଶ୍ୟକତା ଓ କାର୍ଯ୍ୟଅଟକଳ ବନ ସଂରକ୍ଷଣ ସମିତିର କାର୍ଯ୍ୟକାରୀ କମିଟି ଦ୍ଵାରା କରାଯିବ ଓ ଏହା ସଂପୃକ୍ତ ଅଧୁକାରୀଙ୍କ ଦ୍ଵାରା ମଞ୍ଜୁର ହେବ । ସଭ୍ୟ ସଚିବ କ୍ଷେତ୍ର ପରିଚାଳନା ସଂସ୍ଥା ଜରିଆରେ ଆବଶ୍ୟକ ଅର୍ଥ ବରାଦ ପାଇଁ ଖଣ୍ଡୀୟ ପରିଚାଳନା ସଂସ୍ଥାକୁ ପ୍ରସ୍ତାବ ଦେବେ । ଖଣ୍ଡୀୟ ପରିଚାଳନା ସଂସ୍ଥା ଡ୍ରାପ୍ଟ / ଟଙ୍କା ହସ୍ତାନ୍ତର ପଦ୍ଧତିରେ ବନ ସଂରକ୍ଷଣ ସମିତିକୁ ଅନୁପ୍ରଦାନ କରିବେ । ଟଙ୍କା ଉଠାଣ ପାଇଁ ଦସ୍ତଖତକାରୀ କାର୍ଯ୍ୟନିର୍ବାହୀ କମିଟି ଦ୍ଵାରା ମନୋନୀତ ହେବେ । ପରବର୍ତ୍ତୀ ବୈଠକରେ କାର୍ଯ୍ୟର ଅଗ୍ରଗତି ଓ ଖର୍ଚ୍ଚ ବିଷୟରେ ଆଲୋଚନା କରାଯିବ ।
ପାଣ୍ଠି ପରିଚାଳନା ଓ ବନ ସଂରକ୍ଷଣ ସମିତି ସାଧାରଣ ପରିଷଦ
କାର୍ଯ୍ୟନିର୍ବାହୀ କମିଟି ପର୍ଯ୍ୟାୟକ୍ରମେ କାର୍ଯ୍ୟର ବିବରଣୀ ଓ ଖର୍ଚ୍ଚର ହିସାବ ସାଧାରଣ ପରିଷଦ ବୈଠକରେ ପେଶ୍ କରିବେ । ସାଧାରଣ ପରିଷଦ ସେ ସବୁକୁ ବିଚାର କରି ବନ ସଂରକ୍ଷଣ ସମିତିର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ।
ହିସାବ ପ୍ରଣାଳୀ
ବନ ସଂରକ୍ଷଣ ସମିତିର ବ୍ୟାଙ୍କ ଜମାଖାତା ପରିଚାଳନା
ବନ ସଂରକ୍ଷଣ ସମିତିର ସମସ୍ତ ଅର୍ଥ ସମିତିର ବ୍ୟାଙ୍କ ଜମା ଖାତା (ପାସ୍ ବହି)ରେ ରହିବ । କାର୍ଯ୍ୟ ନିର୍ବାହୀ କମିଟିର ଅନୁମୋଦନ କ୍ରମେ ଜାତୀୟକରଣ ଅଥବା ଆଞ୍ଚଳିକ ବ୍ୟାଙ୍କ ରେ ଜମାଖାତା ଖୋଲାଯିବ । ଏହି ଖାତା ସଭ୍ୟ ସଚିବ ଏବଂ ସଭାପତି ବା କୋଷାଧ୍ୟକ୍ଷଙ୍କ ଦ୍ଵାରା ପରିଚାଳିତ ହେବ । ଟଙ୍କା ଉଠାଣରେ ସଭ୍ୟସଚିବ ସହିତ କୋଷାଧ୍ୟକ୍ଷ କିମ୍ବା ସଭାପତିଙ୍କ ଦସ୍ତଖତ ରହିବ । ପ୍ରକଳ୍ପରୁ ମିଳୁଥିବା ସମସ୍ତ ଅର୍ଥ ଏହି ଜମାଖାତା ମାଧ୍ୟମରେ ଜମା ଓ ଉଠାଣ ହେବ । ବନ ସଂରକ୍ଷଣ ସମିତି ଅର୍ଥ ଗୁଡ଼ିକ ପ୍ରକଳ୍ପ ଦ୍ଵାରା ଉଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ ହେବ । ଏହି ଜମା ବହି ଓ ଅର୍ଥ ସବୁ ସମୟରେ ତଦାରଖ ପାଇଁ ଉପଲବ୍ଧ ହେଉଥିବ ।
ସମିତିର ଆୟ ହେଉଥିବା ସମସ୍ତ ଅର୍ଥ, ବ୍ୟାଙ୍କ ସୁଧ, ସ୍ଵୟଂ ସହାୟକ ଗୋଷ୍ଠୀରୁ ମିଳୁଥିବା ସୁଧ ସବୁ ବନ ଉନ୍ନୟନ ପାଣ୍ଠିରେ ଜମା ହେବ । ସଭ୍ୟ ଚାନ୍ଦା, ଜୋରିମାନା ଇତ୍ୟାଦି ମଧ୍ୟ ଏହି ପାଣ୍ଠିରେ ଜମା ହେବ । ପ୍ରକଳ୍ପ ଶେଷରେ ଏହି ପାଣ୍ଠିର ବିନିଯୋଗ ହେବ । ଏଥିରୁ ଅତିକମ୍ରେ ଶତକଡ଼ା ୫୦ ଭାଗ ଅର୍ଥ ଜଙ୍ଗଲ ଉନ୍ନୟନ ପାଇଁ ବ୍ୟୟ କରାଯିବ ।
ଆର୍ଥିକ ବିଶୃଙ୍ଖଳା
ସମିତିରେ ଆର୍ଥିକ ବିଶୃଙ୍ଖଳା ଦେଖାଦେଲେ କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ଖଣ୍ଡୀୟ ପରିଚାଳନା ସଂସ୍ଥା ସହାୟତାରେ ବନ ସଂରକ୍ଷଣ ସମିତିର ଜମାଖାତାକୁ କିଛି ଦିନ ପାଇଁ ଅଚଳ କରିପାରିବେ । ବିଶୃଙ୍ଖଳା କାରଣ ସମ୍ବନ୍ଧରେ ଅନୁସନ୍ଧାନ କରିବେ । ଆଇନଗତ କାର୍ଯ୍ୟାନୁଷ୍ଠାନ ଦ୍ଵାରା କ୍ଷୟକ୍ଷତିର ଭରଣା ହେଲାପରେ ଜମାଖାତାକୁ ପୁନଃ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେବେ । ସମିତିରେ ଅର୍ଥ ଆତ୍ମସାତ ଓ ଅନ୍ୟାନ୍ୟ ବିଶୃଙ୍ଖଳା ପାଇଁ ସଭାପତି, ସଭ୍ୟ ସଚିବ ଓ କୋଷାଧକ୍ଷ ମିଳିତ ଭାବରେ ଦାୟୀ ରହିବେ ।
ପ୍ରାପ୍ତି ସ୍ଵୀକାର ପତ୍ର (ରସିଦ୍)
ବନ ସଂରକ୍ଷଣ ସମିତି ଦ୍ଵାରା ପ୍ରାପ୍ତ ସମସ୍ତ ଅର୍ଥ ଯଥା ଅନୁଦାନ, ଋଣ, ପ୍ରଶିକ୍ଷଣ ଫିସ୍, ସଭ୍ୟ ଚାନ୍ଦା ଓ ସମିତି ଦ୍ଵାରା ବିକ୍ରି ଲବ୍ଧ ଅର୍ଥ ପାଇଁ ଛାପା ରସିଦ୍ ପ୍ରଦାନ କରାଯିବ ।
ହିସାବ ପ୍ରଣାଳୀ
ସଭ୍ୟ ସଚିବଙ୍କ ଦ୍ଵାରା କାର୍ଯ୍ୟନିର୍ବାହୀ କମିଟିର ପରାମର୍ଶରେ ମାସିକ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରାଯିବ ଓ କାର୍ଯ୍ୟନିର୍ବାହୀ କମିଟି ଦ୍ଵାରା ଅନୁମୋଦିତ ଦସ୍ତଖତକାରୀଙ୍କ ଦ୍ଵାରା ଆବଶ୍ୟକ ଅର୍ଥ ଉଠାଣ ହେବ । ବନ ସଂରକ୍ଷଣ ସମିତିଙ୍କ ଜମାଖାତାରୁ କିସ୍ତି ଅନୁସାରେ ଅର୍ଥ ଉଠାଯିବ । ସମସ୍ତ ଖର୍ଚ୍ଚର ବିବରଣୀ କାର୍ଯ୍ୟନିର୍ବାହୀ କମିଟିରେ ପାଶ୍ ହେବ ଓ ଭାଉଚରରେ ସଭ୍ୟ ସଚିବ, କୋଷାଧକ୍ଷ ଓ ସଭାପତି ଦସ୍ତଖତ କରିବେ । ସଭ୍ୟ ସଚିବ ସମିତିର କ୍ୟାସ ବୁରେ ସମସ୍ତ ହିସାବ ଲେଖୁବେ ଓ ଏଥିରେ ତାଙ୍କୁ କୋଷାଧକ୍ଷ ଓ ଗ୍ରାମ୍ୟ ବନ ସହାୟକ ସାହାଯ୍ୟ କରିବେ । ବନ ସଂରକ୍ଷଣ ସମିତି ପ୍ରକଳ୍ପ ଦ୍ଵାରା ନିର୍ଦ୍ଧାରିତ ପ୍ରଣାଳୀରେ ହିସାବ ରଖିବେ ।
ଖର୍ଚ୍ଚ ପ୍ରଣାଳୀ
ପ୍ରତ୍ୟେକ ମାସ ଶେଷରେ ସଭ୍ୟସଚିବ, କୋଷାଧ୍ୟକ୍ଷ ଓ ଗ୍ରାମ୍ୟବନ ସହାୟକଙ୍କ ସହାୟତାରେ ଉକ୍ତ ମାସର ଆୟବ୍ୟୟର ହିସାବ ବିବରଣୀ ପ୍ରସ୍ତୁତ କରି କାର୍ଯ୍ୟନିର୍ବାହୀ କମିଟିରେ ପେଶ କରିବେ । କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନ ପରେ ଏହାକୁ ପରମାସ ୭ ତାରିଖ ମଧ୍ୟରେ କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କୁ ପଠାଯିବ । ସମିତିର ଆୟବ୍ୟୟ ହିସାବ ବିବରଣୀ ପାଇଲା ପରେ କ୍ଷେତ୍ର ପରିଚାଳନା ସଂସ୍ଥା ତାହାକୁ ତନଖ କରିବେ, ଆବଶ୍ୟକ ହେଲେ ହୋଇଥିବା କାମକୁ ଯାଞ୍ଚ କରି ତାଙ୍କର ମତାମତ ଦେଇ ପ୍ରତି ସ୍ଵାକ୍ଷର କରିବେ । ବିବରଣୀରେ କିଛି ତ୍ରୁଟି ରହିଥିଲେ ତାହାକୁ ସଂଶୋଧନ କରିବା ନିମନ୍ତେ ପଦକ୍ଷେପ ନେବେ । ତାଙ୍କ ଅଧିନରେ ଥିବା ସମସ୍ତ ସମିତି ଗୁଡ଼ିକର ହିସାବ ବିବରଣୀକୁ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କୁ ପ୍ରେରଣ କରିବେ।
ସମିତିର ଆୟବ୍ୟୟର ଏକ ତ୍ରୈମାସିକ ବିବରଣୀ ଗ୍ରାମ୍ୟ ବନ ସହାୟକଙ୍କ ଦ୍ଵାରା ପ୍ରସ୍ତୁତ କରାଯିବ । ସଭ୍ୟସଚିବ ତାହାକୁ ତନଖ କଲାପରେ କାର୍ଯ୍ୟକାରୀ କମିଟିକୁ ଅନୁମୋଦନ ନିମନ୍ତେ ପେଶ କରାଯିବ ।
ଖର୍ଚ୍ଚର ପ୍ରକାର ଓ ପ୍ରାମାଣିକ ତଥ୍ୟ
ପ୍ରକଳ୍ପରୁ ମିଳୁଥିବା ଅର୍ଥକୁ ବନ ସଂରକ୍ଷଣ ସମିତି ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରିପାରିବେ । ଏହି ଖର୍ଚ୍ଚ ଗୁଡ଼ିକ ଆବଶ୍ୟକତା ଅନୁସାରେ କରାଯିବ ଓ ନିୟମାନୁସାରେ ଏହାର ସମସ୍ତ ହିସାବ ରହିବ । ପ୍ରତ୍ୟେକ ଖର୍ଚ୍ଚ କେଉଁଥି ପାଇଁ କରାଗଲା ତାହା ଭାଉଚର ଓ ବିଲରେ ଉଲ୍ଲେଖ ହେବ । ସମସ୍ତ ଭାଉଚର ଓ ବିଲ୍କୁ ସମିତି କାର୍ଯ୍ୟାଳୟରେ ସଂରକ୍ଷିତ କରାଯିବ ।
ପ୍ରାପ୍ତ ଅନୁଦାନ
ବନ ସଂରକ୍ଷଣ ସମିତି ତରଫରୁ କୋଷାଧକ୍ଷ ସମସ୍ତ ପାଣ୍ଠି ଗ୍ରହଣ କରିବେ, ରସିଦ ଦେବେ ଓ ଖାତାରେ ଲେଖିବେ । ସଭାପତି / ସଭ୍ୟ ସଚିବ ଏହା ତଦାରଖ କରିବେ । ସମସ୍ତ ପାଣ୍ଡି ବନ ସଂରକ୍ଷଣ ସମିତି ଜମାଖାତାରେ ଜମା ହେବ । ହାତରେ ଟ.୨୦୦୦/- ରୁ ଅଧିକ ଅର୍ଥ ରହିବ ନାହିଁ । ପ୍ରାପ୍ତ ଅର୍ଥ ସଙ୍ଗେ ସଙ୍ଗେ ଖାତାରେ ଲେଖାଯିବ ଓ ସଭ୍ୟ ସଚିବ ତାହା ତଦାରଖ କରିବେ । ପ୍ରତ୍ୟେକ ଦିନର ହିସାବ ଖାତାରେ ଲେଖାଯିବ ।
ଅର୍ଥ ପ୍ରଦାନ ପ୍ରଣାଳୀ
କୌଣସି ଖର୍ଚ୍ଚ ପାଇଁ ପାଞ୍ଚ ହଜାରରୁ ଊର୍ଦ୍ଧ୍ଵ ଅର୍ଥ ପଇଠ କରିବାକୁ ହେଲେ ତାହା ଆକାଉଣ୍ଟ ପେଇ ଚେକ୍ ଆକାରରେ ଦିଆଯିବ
ପ୍ରକଳ୍ପ ଦ୍ଵାରା ଗ୍ରାମ୍ୟ ବନ ସହାୟକଙ୍କ ଭତ୍ତା ସମୟ ଅନୁସାରେ ସ୍ଥିର କରାଯିବ ।
ଅଗ୍ରୀମ
କୌଣସି କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ କାର୍ଯ୍ୟ ନିର୍ବାହୀ ସମିତି ଦ୍ଵାରା କ୍ଷମତାପ୍ରାପ୍ତ ସଭ୍ୟଙ୍କୁ ଅଗ୍ରୀମ ଅର୍ଥ ଦିଆଯାଇ ପାରିବ । ସଂପୃକ୍ତ ସଭ୍ୟ ଏହି ଅର୍ଥର ଖର୍ଚ୍ଚ ହିସାବ ୭ ଦିନ ମଧ୍ୟରେ ପ୍ରଦାନ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀକୁ ଅଗ୍ରୀମ ଦେବା ପାଇଁ ବନ । ସଂରକ୍ଷଣ ସମିତି ଓ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଅଗ୍ରୀମ ଦିଆଯିବ ।
ଖର୍ଚ୍ଚର ଭାଉଚର
ସମସ୍ତ ବିଲ୍ କୋଷାଧ୍ୟକ୍ଷଙ୍କ ଦ୍ଵାରା ତଦାରଖ କରାଯିବ । କୋଷାଧକ୍ଷ|ସଭ୍ୟସଚିବଙ୍କ ଦ୍ଵାରା ଭାଉଚର ପ୍ରସ୍ତୁତ କରାଯିବ ଓ ସଭ୍ୟ ସଚିବ ଓ ସଭାପତିଙ୍କ ଅନୁମୋଦନ ପରେ ଖର୍ଚ୍ଚ ପଇଠ କରାଯିବ ।
କ୍ରୟ ବ୍ୟବସ୍ଥା
ଦୁଇ ହଜାର ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଦ୍ରବ୍ୟ କ୍ରୟ ପାଇଁ କୋଟେସନ୍ ଆହ୍ଵାନ କରାଯିବ । ଅତି କମ୍ରେ ୩ଟି କୋଟେସନ୍ ଆହ୍ଵାନ କରାଯିବ । ଦ୍ରବ୍ୟର ମାନ ଓ ମୂଲ୍ୟକୁ ବିଚାରକୁ ନେଇ କାର୍ଯ୍ୟକାରୀ କମିଟି ଅନୁମୋଦନ କ୍ରମେ ଯୋଗାଣ ପାଇଁ ଅର୍ଡ଼ର ଦିଆଯିବ । ପ୍ରତି ଦିନର ସାଧାରଣ ଜିନିଷ କ୍ରୟ ରେ ସଭ୍ୟ ସଚିବ, କୋଷାଧକ୍ଷ ଓ ସଭାପତିଙ୍କ ଅନୁମୋଦନ ନିଆଯିବ । ଉଚ୍ଚ ମାନର ବା ଅଧିକ ମୂଲ୍ୟର ଦ୍ରବ୍ୟ ଯଥା - ସିମେଣ୍ଟ, ଲୁହାଛଡ଼ ଇତ୍ୟାଦି କ୍ରୟରେ କ୍ଷେତ୍ର ପରିଚାଳନା ସଂସ୍ଥା ବନ ସଂରକ୍ଷଣ ସମିତିକୁ ସହାୟତା କରିବେ।
ସମୀକ୍ଷାର ପରି ସର – ପ୍ରକଳ୍ପରୁ ଆସିଥିବା ପାଣ୍ଠି ପ୍ରକୃତ କାମରେ ଲାଗିଲା କି ନାହିଁ, ସଠିକ ହିସାବ ରଖାଗଲା କି ନାହିଁ, ବର୍ଷ ଶେଷରେ ବିବରଣୀ ପ୍ରସ୍ତୁତ ହୋଇଛି କି ନାହିଁ ଏ ସମସ୍ତ ବିଷୟରେ ସମୀକ୍ଷା କରାଯିବ ।
ସମୀକ୍ଷାକାରୀଙ୍କ ନିଯୁକ୍ତି
କ୍ଷେତ୍ର ପରିଚାଳନା ସଂସ୍ଥା ପରାମର୍ଶରେ ଓ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କ ଅନୁମୋଦନ କ୍ରମେ ଚାଟାର୍ଡ ଆକାଉଟାଣ୍ଟଙ୍କ ଦ୍ଵାରା ବର୍ଷ ଶେଷରେ ବନ ସଂରକ୍ଷଣ ସମିତିର ସମସ୍ତ ହିସାବ ସମୀକ୍ଷା କରାଯିବ ।
କାର୍ଯ୍ୟର ପରିମାଣ ଓ ମାନର ତଦାରଖ
କାର୍ଯ୍ୟ ତଦାରଖ ପାଇଁ ବନ ସଂରକ୍ଷଣ ସମିତି ଏକ ଉପ କମିଟି ଗଠନ କରିବେ । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ଅଭିଜ୍ଞ ଯନ୍ତ୍ରୀ ବା ବନ କର୍ମଚାରୀଙ୍କ ସହାୟତା ନେବେ । କେତେ ଜିନିଷ ଲାଗିଲା ତାର ତଦାରଖ ହେବ । କଣ କେଉଁଠୁ ଭଡ଼ାରେ ଆସିଲା, କାମ ଠିକ୍ ହେଲା କି ନାହିଁ, ସମୟାନୁସାରେ ଶେଷ ହେଲା କି ନାହିଁ, ବରାଦ ଅନୁସାରେ କାମ ହେଲା କି ନାହିଁ, ଉନ୍ନତ ମଞ୍ଜି ଓ ଚାରା ଉତ୍ପାଦନ, ସମୟାନୁସାରେ ଚାରା ରୋପଣ, ଆବଶ୍ୟକ ଗର୍ଭ ଖନନ, ଗଛଗୁଡ଼ିକ ଠିକ୍ ବଞ୍ଚିଲେ କି ନାହିଁ ଏହା ଉପ କମିଟି ତଦାରଖ କରିବ ।
ବାର୍ଷିକ ଆୟବ୍ୟୟ ତଦାରଖ
ବନ ସଂରକ୍ଷଣ ସମିତି ବାର୍ଷିକ ଆୟବ୍ୟୟର ହିସାବ ସମୀକ୍ଷା କରାଗଲାପରେ ତାହାକୁ ସାଧାରଣ ପରିଷଦର ଅନୁମୋଦନ ପାଇଁ ପଠାଯିବ । ଅନୁମୋଦନ ପରେ ସମସ୍ତ ହିସାବ କ୍ଷେତ୍ର ପରିଚାଳନା ସଂସ୍ଥା ଓ ଖଣ୍ଡୀୟ ପରିଚାଳନା ସଂସ୍ଥାକୁ ବର୍ଷ ଶେଷର ୪ ମାସ ମଧ୍ୟରେ ପଠାଯିବ ।
ବନ ସଂରକ୍ଷଣ ସମିତି ଦ୍ଵାରା ନଥିପତ୍ର ରକ୍ଷଣାବ୍ୟକ୍ଷଣ
ଆବଶ୍ୟକ ଅନୁସାରେ ବନ ସଂରକ୍ଷଣ ସମିତି ସ୍ତରରେ ଆର୍ଥିକ ଓ ଅନ୍ୟାନ୍ୟ ନଥିପତ୍ର ଗୁଡ଼ିକୁ ଦାୟିତ୍ଵର ସହିତ ରଖାଯିବ ।
Last Modified : 1/26/2020