ଏକ ଐତିହାସିକ ରାୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଚଳିତ ଏପ୍ରିଲ ୧ ତାରିଖ (୨୦୧୭) ରୁ ସମଗ୍ର ଦେଶରେ ସମସ୍ତ ଭାରତ ଷ୍ଟେଜ୍ ବା ବିଏସ୍ – ୩ ମାନକଯୁକ୍ତ ଇନ୍ଧନଚାଳିତ ଯାନବାହାନର ବିକ୍ରୟ ଓ ପଞ୍ଜୀକରଣ ବନ୍ଦ କରିଦେଇଛନ୍ତି ଏବଂ ତା’ ସ୍ଥାନରେ ଅଧିକ ପରିବେଶ ଉପଯୋଗୀ ବିଏସ – ୪ ମାନକ ସ୍ଵୀକୃତ ଶ୍ରେଣୀର ଯାନ ପ୍ରବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନାଗରିକଙ୍କ ସ୍ୱାସ୍ଥ୍ୟ ଯାନବାହାନ ଶିଳ୍ପ ଓ ବ୍ୟବସାୟର ସ୍ଵାର୍ଥ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଗଲା ବୋଲି ଏଥିରେ ଦର୍ଶାଯାଇଛି । ଅବଶ୍ୟ ଯାନବାହନ ବ୍ୟବସାୟୀମାନଙ୍କ ପାଇଁ ଏହା ଏକ ଶାକ୍ତ ଧକ୍କା ରୂପେ ବିବେଚିତ ହେଉଛି । ତେବେ ପରିବେଶବିତ୍ ମାନେ ଏହାକୁ ଏକ ସ୍ଵରରେ ସ୍ଵାଗତ କରୁଛନ୍ତି ।
ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୧.୪ ନିୟୁତ ଲୋକ ବାୟୁ ପ୍ରଦୂଷଣ ହେତୁ ଅକାଳ ମୃତ୍ୟୁବରଣ କରନ୍ତି ବୋଲି ବିଶ୍ଵବ୍ୟାଙ୍କ ଦ୍ଵାରା ଅନୁଷ୍ଠିତ ଏକ ଆକଳନରୁ ଜଣାପଡିଛି । ଏହା ବ୍ୟତୀତ ୬ରୁ ୭ ନିୟୁତ ଲୋକ ପ୍ରଭାବିତ ହୁଅନ୍ତି ବିବିଧ ରୋଗ ବ୍ୟାଧିରେ । ଅତଏବ ଏବେ ଖାଦ୍ୟ ନିରାପତ୍ତା ବା ନିରାପଦ ପାନୀୟ ଜଳ ଅପେକ୍ଷା ଅଧିକ ଅତ୍ୟାବଶ୍ୟକ ହୋଇପଡିଛି ଆଘ୍ରାଣ ଯୋଗ୍ୟ ବାୟୁ । ଅନ୍ୟପକ୍ଷରେ ଏହାର ଲଭ୍ୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଇଛି ଏବଂ ଦିଲ୍ଲୀ ସମେତ ପ୍ରାୟ ୨୩ଟି ସହର ଓ ନଗରଗୁଡିକରେ ତାହା ଅତ୍ୟନ୍ତ ଜଟିଳ ଅବସ୍ଥାରେ ପହଞ୍ଚିଗଲାଣି । ସମଗ୍ର ବିଶ୍ଵରେ ବିଶେଷ କରି ବିକଶିତ ତଥା ଦ୍ରୁତ ବିକାଶଶୀଳ ଦେଶଗୁଡିକରେ ପରିସ୍ଥିତି ଏହାଠାରୁ ନିହାତି କିଛି ଅଲଗା ନୁହେଁ ।
ଯାନବାହାନ ଜନିତ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଥମିକ ସ୍ତରରେ ଆମ ଆମ ଦେଶରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୯୯୧ ମସିହାରେ ଏଥିରେ ପେଟ୍ରୋଲଚାଳିତ ଗାଡିଗୁଡିକରୁ କାର୍ବନ ମନୋକସାଇଡ ନିର୍ଗମନ ଏବଂ ଡିଜେଲ ଗାଡି ଗୁଡିକରୁ ପୁଚ୍ଛଧୂମ ପାଇଁ ମାନକ ନିର୍ଦ୍ଧାରଣ କରାଗଲା ଏବଂ ସମସ୍ତ ମହାନଗରରେ ସୀମା ବିହୀନ ପେଟ୍ରୋଲଚାଳିତ କାରଗୁଡିକରେ ‘ କାଟାଲିଟିକ କନଭର୍ଟର ’ ଲଗାଇବା ବାଧ୍ୟତାମୂଳକ ହେଲା । ପୁନଶ୍ଚ ୟୁରୋପୀୟ ଦେଶମାନେ ଅନୁସରଣ କରୁଥିବା ବାୟୁପ୍ରଦୂଷଣ ମାନକକୁ ଆଖି ଆଗରେ ରଖି ୨୦୦୦ ମସିହାରେ ୟୁରୋ – ୧ ଅନୁରୂପ ଭାରତ ଷ୍ଟେଜ୍ ବା ବିଏସ୍ – ୧ ମାନକ ପ୍ରବର୍ତ୍ତନ କରାଗଲା । ତେବେ ଦିଲ୍ଲୀ ପାଇଁ ଅନୁସୃତ ହେଲା ୟୁରୋ – ୨ ଅନୁରୂପ ବିଏସ୍ – ୨ ମାନକ , ଯାହାକି ଦେଶର ଅଧିକ ପ୍ରଦୂଷିତ ୧୩ ଟି ବଡ ବଡ ସହର ଓ ନଗରଗୁଡିକରେ ୨୦୦୨ ରେ ସିଏନ୍ ଜି ଏବଂ ଏଲପିଜି ଚାଳିତ ଯାନମାନଙ୍କ ଲାଗି ଏବଂ ୨୦୦୩ରେ ସମସ୍ତ ପ୍ରକାର ଯାନବାହାନ ପାଇଁ ପ୍ରଯୁଜ୍ୟ କରାଗଲା । ସେହିପରି ୨୦୦୫ରେ ସେଠାରେ ୟୁରୋ – ୩ ସମତୁଲ୍ୟ ବିଏସ – ୩ ମାନକ ଏବଂ ୨୦୧୦ ରେ ୟୁରୋ – ୪ ସମତୁଲ୍ୟ ବିଏସ – ୪ ମାନକ ପ୍ରବର୍ତ୍ତିତ ହେଲା । ତେବେ ଦେଶର ଅନ୍ୟ ସମସ୍ତ ସ୍ଥାନ ପାଇଁ ରହିଲା ବିଏସ୍ – ୩ ମାନକ , କିନ୍ତୁ ଏବେ ଏହାକୁ ବିଏସ୍ – ୪କୁ ପ୍ରବର୍ତ୍ତିତ କରାଗଲା ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ । ନଚେତ ୨୦୨୦ ମସିହାରେ ଏହା କରାଯାଇଥାନ୍ତା ।
ପ୍ରତ୍ୟକଟି ଭାରତ ଷ୍ଟେଜ୍ ବା ବିଏସ୍ ମାନକରେ ଯାନବାହାନରୁ ବାଷ୍ପୀୟ ନିର୍ଗମନର ମାତ୍ରା ନିର୍ଦ୍ଧାରଣ ହୋଇଥାଏ । ଏହି ସ୍ତର ବା ଷ୍ଟେଜ୍ ଯେତିକି ଆଗକୁ ବଢେ , ନିର୍ଗମନରେ ପ୍ରଦୂଷକଗୁଡିକର ମାତ୍ରା ସେତିକି କମ୍ ହେବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ନୂଆନୂଆ ଟେକ୍ନୋଲୋଜି ପ୍ରୟୋଗରେ ନିର୍ମିତ ହେଉଛି ଉନ୍ନତ ମାନର ଇଞ୍ଜିନ । ଏଣୁ ତାହା ପେଟ୍ରୋଲଚାଳିତ ହେଉ କି ଡିଜେଲଚାଳିତ ହେଉ ବିଏସ୍ – ୩ ତୁଳନାରେ ବିଏସ୍ – ୪ ଇଞ୍ଜିନଗୁଡିକ ବେଶ୍ ଭିନ୍ନ । ବାହାରକୁ ଉଭୟ ଏକାଭଳି ଦେଖାଗଲେ ସେଗୁଡିକର ଇଲକଟ୍ରୋନିକ୍ସ , ସେନ୍ ସର ବ୍ୟବସ୍ଥା , କମ୍ ଗନ୍ଧକଯୁକ୍ତ ଇନ୍ଧନ ବ୍ୟବହାର କରିବାର ସାମର୍ଥ୍ୟ ଏବଂ ନିର୍ଗମନ ପରବର୍ତ୍ତୀ ବ୍ୟବସ୍ଥାରେ ଅନେକ ତଫାତ୍ ରହିଛି । ଏହା ବ୍ୟତୀତ ବିଏସ୍ – ୪ ଇଞ୍ଜିନରେ ବ୍ୟବହୃତ ଇନ୍ଧନର “ ଅକ୍ଟେନ ନମ୍ବର ” ପେଟ୍ରୋଲ କ୍ଷେତ୍ରରେ ୯୧ ଏବଂ ଡିଜେଲ କ୍ଷେତ୍ରରେ ୫୧ , ଯାହାକି ବିଏସ୍ – ୩ ସହିତ ସମାନ , ତେବେ ତହିଁରେ ଗନ୍ଧକର ମାତ୍ରା ନିୟୁତ ପ୍ରତି ୩୫୦ ଭାଗ ରୁ ୫୦ ଭାଗକୁ ହ୍ରାସ କରାଯାଇଛି । ଅତଏବ ଏଥିରେ ଗନ୍ଧକ ଅକସାଇଡ ସମୂହର ନିର୍ଗମନ ଉଲ୍ଲେଖନୀୟ ଭାବେ କମ୍ । ଏବେ ଆସନ୍ତୁ ତାହା ୦.୫୦ , ୦.୨୫ , ୦.୩୦ ଏବଂ ୦.୦୨୫ ଗ୍ରାମ୍ ତଥା ବିଏସ୍ - ୬ କ୍ଷେତ୍ରରେ ୦.୫୦ , ୦.୦୬ , ୦.୧୭ ଏବଂ ୦.୦୦୫ ଗ୍ରାମ ହେବ । ଫଳରେ ଶେଷୋକ୍ତ ସ୍ତରର ପ୍ରବର୍ତ୍ତନ ବେଳକୁ ପ୍ରତ୍ୟକ ଶ୍ରେଣୀର ଯାନବାହାନରୁ ନିର୍ଗତ ବାଷ୍ପରେ ପ୍ରଦୂଷକ ଗୁଡିକର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ । ଆମ ଦେଶରେ ପ୍ରତ୍ୟହ ୫୩,୭୦୦ ପାଖାପାଖି ନୂତନ ଯାନବାହାନର ପଞ୍ଜୀକରଣ ହେଉଥିବା ଦୃଷ୍ଟିରୁ ବିଶେଷକରି ସହରାଞ୍ଚଳରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଏହା ହେବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତେବେ ଜନସାଧାରଣଙ୍କୁ ଶ୍ଵାସକ୍ରିୟା ଉପଯୋଗୀ ବିଶୁଦ୍ଧ ବାୟୁ ଯୋଗାଇ ଦେବା ପାଇଁ ତାହା ଯଥେଷ୍ଟ ହେବ ନାହିଁ । କାରଣ ଏହାଠାରୁ ଆହୁରି ପ୍ରଦୂଷଣକାରୀ ହେଲେ ବିବିଧ ଶିଳ୍ପ ଓ ତାପଜ ବିଦ୍ୟୁତ କେନ୍ଦ୍ର , ରାସ୍ତାର ଧୁଳି ଅନ୍ୟାନ୍ୟ ଉତ୍ସରୁ ବାହାରୁଥିବା ଧୂଆଁ ଇତ୍ୟାଦି । ୨୦୧୫ ମସିହାରେ କାନପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦ୍ଵାରା ଅନୁଷ୍ଠିତ ସର୍ବେକ୍ଷେଣରୁ ଜଣାପଡିଛି ଯେ ବିଭିନ୍ନ ସହରାଞ୍ଚଳରେ ଯାନବାହନରୁ ନିର୍ଗତ ଧୂମ ୯ରୁ ୨୦ ଶତାଂଶ ବାୟୁ ପ୍ରଦୂଷଣର କାରଣ ହେଲା ବେଳେ ଶିଳ୍ପକେନ୍ଦ୍ର ଓ ଘରୋଇ ଉତ୍ସର ଭାଗ ହେଲା ଯଥାକ୍ରମେ ୧୦ ଏବଂ ୧୦ଶତାଂଶ । ଅନ୍ୟପକ୍ଷରେ ଏଥିକୁ ଏକ ସିଂହଭାଗ ପ୍ରଦାନ କରିଥାଏ ରାସ୍ତାଘାଟର ଧୂଳି । ତହିଁରେ ଥାଏ ପ୍ରାୟ ୬୨% ପିଏମ – ୧୦ ଶ୍ରେଣୀର , ୩୮% ପିଏମ - ୨.୫ ଶ୍ରେଣୀର , ଭାସମାନ କଠିନ ପଦାର୍ଥ ଯାହାର ମୁଖ୍ୟ ଉପାଦାନ ଗୁଡିକ ହେଲା ସିଲିକନ , ଟାଇଟାନିୟମ , ମାଙ୍ଗାନିଜ , ତମ୍ବା , ବାରିୟମ , ଆଣ୍ଟିମୋନି , ସେଲେନିୟମ ଓ ଦସ୍ତା । ଏଗୁଡିକ ବିବିଧ ଶ୍ଵାସକ୍ରିୟା ଜନିତ ବ୍ୟାଧିଠାରୁ ଶ୍ଵାସରୋଗ ସିଲିକୋସିସ୍ ଆଦିର କାରଣ ଏହା ବ୍ୟତୀତ ନଡା , ଚକ୍ଷୁ ଆଦି କୃଷିଜାତ ଜୈବ ପଦାର୍ଥ ଏବଂ ସହରାଞ୍ଚଳ ଆବର୍ଜନା ଦହନର କ୍ଷେତ୍ରକୁ ଅବଦାନ ହେଲା ଯଥାକ୍ରମେ ୧୨ରୁ ୨୬ ଏବଂ ୬ରୁ ୭ ଶତାଂଶ । ଏପରିସ୍ଥଳେ ଏଗୁଡ଼ିକର ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଜିବା ଦରକାର ।
ସଂଗୃହିତ : ପ୍ରଫେସର ରମେଶ ଚନ୍ଦ୍ର ପରିଡା
Last Modified : 4/21/2020