অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୋଲାର ଦିଦି

ଗୁଡିୟାଙ୍କ ସଂଘର୍ଷ

ଏହି ସମାଜରେ ବହୁ ସଂଖ୍ୟାରେ ସମସ୍ୟା ଭିତରେ ଫସି ରହିଥିବା ଲୋକ ରହିଛନ୍ତି ।  ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ  ବେଳା ଖାଇବା ମିଳେନାହିଁ । ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କିଛି ଲୋକ ନିଜକୁ ପ୍ରସ୍ତୁତ କରନ୍ତି ଓ ଆଗକୁ ବଢନ୍ତି ।  ଜୀବନକୁ ଭଲରେ କଟାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ।  ପ୍ରକୃତରେ ସଫଳତା ତା'ର ପାଦ ଚୁମେ ଯିଏ ପାଣିରେ ବି ଗାର ପକାଇବାର ସାହସ ରଖେ ।  କାନପୁର ପାଖ ଏକ ଗାଁରେ ଜଣେ ମହିଳା ଏମିତି କିଛି କରି ଦେଖାଇଛନ୍ତି ।  ସେ ହେଉଛନ୍ତି ଗୁଡିୟା ।  ହଁ, ବାପା ମା ସ୍ନେହ ଓ ଗେଲବସରରେ ତାଙ୍କ ନାଁ ଗୁଡିୟା ରଖିଥିଲେ ।  ବର୍ତ୍ତମାନ ଏହି ଗୁଡିୟା କାନପୁରର ଆଖପାଖ ଗାଁ ଲୋକଙ୍କ ପାଇଁ ‘ସୋଲାର ଦିଦି’ ନାମରେ ପରିଚିତ ।  ଶୁଣିବାକୁ ଅଜବ ଲାଗିପାରେ ।  କିନ୍ତୁ ଏହା ସତ୍ୟ ।  ସୋଲାର ଦିଦି ପାଇଁ ଗୁଡିୟାଙ୍କୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡିଛି ।  ସଂଘର୍ଷ ସେହି କ୍ଷେତ୍ରରେ ଯେଉଁଥିରେ ସବୁବେଳେ ପୁରୁଷମାନଙ୍କର କର୍ତ୍ତୁତ୍ଵ ରହିଛି ।  ନିଜର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସେ ଜଣେ ସଫଳ ସୋଲାର ମେକାନିକ୍ ହୋଇ ବାହାରିଛନ୍ତି ।

ଗୁଡିୟା ରାଠୋଡଙ୍କ ପୈତୃକ ଗାଁ ହେଉଛି କାନପୁରର ବିଧାନୁ ଅଂଚଳର ହଡହା ଗାଁ । ସେ ଫତେହଫୁର ଗାଁରେ ବିବାହ କଲେ ।  ବିବାହ ସମୟରେ ତାଙ୍କର ସ୍ଥିତି ଯେ ବହୁତ ଭଲ ଥିଲା, ତାହା କହି ହେବ ନାହିଁ ।  ଚାରିବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ।  ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ଶାଶୁ ଘରେ ରହିବା କଷ୍ଟକର ହୋଇପଡିଥିଲା ।  ସେ ଚିନ୍ତା କଲେ ଶାଶୁ ଘରେ ରହି ଏ ଅଭାବ ଭିତରେ ପିଲାଙ୍କୁ ଭଲ ମଣିଷ କରିହେବ ନାହିଁ ।  ଗୁଡିୟା ପିଲାଙ୍କୁ ଧରି ବାପ ଘରକୁ ଚାଲିଆସିଲେ । ସେ ଆତ୍ମନିର୍ଭର ହେବାକୁ ନିଷ୍ପତି ନେଲେ ।  ସେ ଘରୁ ଗୋଡ କାଢିଲେ ଓ ସାମାଜିକ ସଂସ୍ଥା ଶ୍ରମିକ ଭାରତୀ ସହ ସାମିଲ ହେଲେ । ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଟେରୀ ଯୋଜନା ମାଧ୍ୟମରେ ଗାଁରେ ସୋଲାର ଲାଇଟ୍ କାର୍ଯ୍ୟକ୍ରମ ଚଲାଉଥିଲା ।

ଗୁଡିୟାରୁ ସୋଲାର ଦିଦି

ଗୁଡିୟା କହନ୍ତି ,"ଶ୍ରମିକ ଭାରତୀ ସହ ଯୋଡି ହୋଇ ପ୍ରଥମ ସୋଲାର ଲାଇଟ୍ ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି ।  ଏବେ  ସୋଲାର ଲାଇଟ୍ ର ମରାମତି କାମ ମୁଁ ଭଲ ଭାବେ କରିପାରୁଛି । ମୁଁ ପ୍ରଥମେ ଭାବିଥିଲି ଏମିତି କଣ ଅଛି ଏହି କାମରେ ଯେ କେବଳ ପୁରୁଷମାନେ କରିପାରିବେ ।  ଚେଷ୍ଟା କରି ଏବେ ମୁଁ ଭଲ କାମ କରିପାରୁଛି । "

ଗୁଡିୟା ଗାଁ ଗାଁ ବୁଲି ସୋଲାର ଲାଇଟ୍, ସୋଲାର ଚୁହ୍ଲା, ସୋଲାର ପଂଖା ଆଦି ଲଗାଇବା କାମ ଆରମ୍ଭ କରିଦେଲେ । ସେଗୁଡିକର ମରାମତି ମଧ୍ୟ କଲେ ।  ଚାରିବର୍ଷର କଡା ପରିଶ୍ରମ ଫଳରେ ଲୋକେ ତାଙ୍କୁ ସୋଲାର ଦିଦି ବୋଲି ଡାକୁଛନ୍ତି । "ପ୍ରଥମେ ଲୋକେ ମୋତେ ଯେତେବେଳେ ସୋଲାର ଦିଦି ଡାକିଲେ, ମୋତେ ଅଜବ ଲାଗିଥିଲା ।  କିନ୍ତୁ ଧୀରେ ଧୀରେ ମୋତେ ବି ଏହି ନାଁ ଭଲ ଲାଗିଲା ।  "ସେ ବହୁତ ଭଲ କାମ କରନ୍ତି ।  ଖାସ୍ ସେଇଥିପାଇଁ ବିଧାନୁ ଅଂଚଳରେ ବନପୁରା, କଠାରା,ଇଜିୟାରା, ତିବାରୀପୁର ଆଦି ୧୨ରୁ ଅଧିକ ଗାଁରେ ସୋଲାର ମେକାନିକ୍ କଥା ଉଠିଲେ କେବଳ ସୋଲାର ଦିଦିଙ୍କ ନାମ ହିଁ ଆସେ ।

ଗାଁବସିନ୍ଧାଙ୍କ ମତ

ଗାଁର ଜଣେ ମହିଳା ଭାରତୀଙ୍କ କହିବା କଥା ହେଲା -"ଗାଁରେ ସୋଲାର ଲାଇଟ୍ ଖରାପ ହୋଇଗଲା, ପଂଖା ଖରାପ ହୋଇଗଲା କି ଆଉ କଣ ସୋଲାର ଜିନିଷ ଖରାପ ହୋଇଗଲା ମାତ୍ରେ ଆମେ ସୋଲାର ଦିଦିଙ୍କୁ ଫୋନ୍ ଲଗାଉ ।  ସୋଲାର ଦିଦି ନିଜ ବ୍ୟାଗରେ ପେଚକସ୍, ପ୍ଲାସ ଓ ସୋଲାର ଉପକରଣ ଧରି ସ୍କୁଟିରେ ଗାଁରେ ଆସି ପହଁଚିଯାନ୍ତି । "କୁହାଯାଏ ସମୟ ସମସ୍ତଙ୍କୁ ସୁଯୋଗ ଦିଏ, ନୂଆ ରାହା ଦେଖାଏ ।  ଯଦି ସାମ୍ନାରେ ଥିବା ମଣିଷ ଏହାର ସଂକେତକୁ ବୁଝି ପାରିଲା, ତେବେ ତାର ସ୍ଥିତି ବଦଳିବା ନିଶ୍ଚିତ ।  ସେହିଭଳି ଗିଡିୟା ପୁରୁଣା ସମସ୍ୟାକୁ ନୂତନ ଦିଶା ଦେଇଥିଲେ ଓ ତାହାକୁ ସକାରାତ୍ମକ କରିପାରିଥିଲେ । ଏହି ବାଟରେ ପରିଶ୍ରମ ତ ଅଛି, କିନ୍ତୁ ଆତ୍ମନିର୍ଭର ହେବାର ଶାନ୍ତି ମଧ୍ୟ ଅଛି ।  ଏ ସମ୍ପର୍କରେ ଗୁଡିୟା କୁହନ୍ତି -" ଏମିତି ଏକ ସମୟ ଆସିଥିଲା, ଯେତେବେଳ ମୋତେ ଲାଗିଲା ଏ ଜୀବନରେ ଏବେ କଣ ହେବ ।  କିନ୍ତୁ ସବୁ ସମସ୍ୟାରୁ ବାହାରିବା ପାଇଁ ରାସ୍ତା ଥାଏ ।  କିନ୍ତୁ ଆମକୁ ଏହା ବାହାର କରିବାକୁ ପଡିବ ।  ମୁଁ ଯାହା କରୁଛି, ମୋତେ ଖୁବ୍ ଶାନ୍ତି ମିଳୁଛି "

ଆଉ ଜଣେ ଗ୍ରାମବାସୀ କଲ୍ଲୁଙ୍କ କହିବା କଥା ହେଲା -"ସୋଲାର ଦିଦିଙ୍କୁ ଯେତେବେଳେ ଫୋନ୍ କଲେ ସେ ନିଜ ବ୍ୟାଗ୍ ଧରି ଆସି ପହଁଚିଯାନ୍ତି ।  ସେଥିରେ ସେ କେବେ ଖିଲାପ କରିନାହାନ୍ତି ।  ଘରେ ସେଲାରକୁ ନେଇ ସବୁ ସମସ୍ୟାର ସମାଧାନ ହେଉଛନ୍ତି ସୋଲାର ଦିଦି । "

ଶେଷକଥା

ନିଜ ବଳରେ ଏତେ ସବୁ ଗାଁରେ କାମ କରିବା କେଉଁ ପାହାଡ ଚଢାଠାରୁ ମଧ୍ୟ କମ୍ ନୁହେଁ ।  ସହରରେ ଯେତେ ସୁବିଧା ହେଲେ ମଧ୍ୟ ଜଣେ ମହିଳା ଘର ଘର ବୁଲି ବିଦ୍ୟୁତ୍ କିମ୍ବା ସୋଲାର ଲାଇଟ୍ ମରାମତି କରିବା ପ୍ରାୟ ଦେଖାଯାଏନି ।  ଗୁଡିୟା ଓରଫ ସୋଲାର ଦିଦିଙ୍କ ହିମ୍ମତ କେବଳ ପ୍ରଶଂସା ଯୋଗ୍ୟ ନୁହେଁ, ବଂର ପ୍ରେରଣାଦାୟୀ ମଧ୍ୟ । ୟୋର ଷ୍ଟୋରୀ ସୋଲାର ଦିଦିଙ୍କ ଏହି ପରିଶ୍ରମକୁ ସଲାମ୍ କରୁଛି ।

ଆଧାର - ଅଖଣ୍ଡ ସମାଜ ସେବି, freelance journalist

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate