অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶାର ପ୍ରଥମ ସୌର ଗ୍ରାମ

ଉପକ୍ରମ

ଶକ୍ତି ଅଭାବର ବଡ଼ ବିକଳ୍ପ ଭାବେ ଏବେ ଉଭା ହୋଇଛି ସୌର ଶକ୍ତି । କେରଳର କୋଚି ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ସୌରଶକ୍ତି ପରିଚାଳିତ ବିମାନବନ୍ଦରର ମାନ୍ୟତା ମିଳିଥିବା ବେଳେ ଆମ ଭୁବନେଶ୍ୱର ବିମାନ ବନ୍ଦର ବି ଖୁବ ଶୀଘ୍ର ଏ ତାଲିକାରେ ସାମିଲ ହେବାକୁ ପ୍ରୟାସ କରୁଛି । ବଡ଼ ବଡ଼ ଅନୁଷ୍ଠାନ, ବ୍ୟକ୍ତିଗତ କୋଠା ଆଦିରେ ପରୀକ୍ଷାମୂଳକ ଭାବେ ସୌରଶକ୍ତିର ବ୍ୟବହାର ବେଶ୍‍ ସଫଳ ହୋଇଛି ।

ସୌରଶକ୍ତି ଭବିଷ୍ୟତର ମୁଖ୍ୟ ଶକ୍ତି ଉତ୍ସ ବେହାକୁ ଯାଉଥିବା ବେଳେ ଏହାର ବ୍ୟବହାର ଲାଗି ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାରପ୍ରସାର ବହୁତ ହେଉଛି । ତେବେ ଓଡ଼ିଶା ଏ କ୍ଷେତ୍ରରେ ଆଉ ପାଦେ ଯାଇଛି । ରାଜ୍ୟର ଗୋଟିଏ ଗ୍ରାମ ସମ୍ପୂର୍ଣ ସୌର ପରିଚାଳିତ ଗ୍ରାମ ଭାବେ ବିରଳ ଉଦାହରଣ ସୃଷ୍ଟି କରିଛି ।

ବରିପଠା: ୧୦୦% ସୌର ଗ୍ରାମ

ବରିପଠା ଏକ ଆଦିବାସୀ ଗାଁ ହେଲେ ହେଁ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୨୫ କିଲୋମିଟର ଦୂରତାରେ ରହିଛି । ତେବେ ବି ଏ ଗାଁ ପାଇଁ ବିଦ୍ୟୁତ ସଂଯୋଗ ଥିଲା ସାତସପନ । ଉଭୟ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ହେତୁ ଏ ଗ୍ରାମଟି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ବି ବିଦ୍ୟୁତ ଆଲୋକ ଦେଖିପାରିନଥିଲା ।

ବରିଷ୍ଠ ଆଇପିଏସ୍‍ ଅଧିକାରୀ ଏ ଗାଁକୁ ଆଲୋକିତ କରିବାକୁ ଉଦ୍ୟମ ଆରମ୍ଭ କଲେ ଆଉ ସଫଳ ବି ହେଲେ । ୨୦୧୫ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଜାତିର ପିତାଙ୍କ ଗ୍ରାମ ଉନ୍ନୟନ ସ୍ଵପ୍ନ ସାକାର ହେଲା ବରିପଠା ଗାଁରେ । ରାଜ୍ୟର ପ୍ରଥମ ସୌର ଗ୍ରାମର ମାନ୍ୟତା ପାଇବା ସହ ଏହାର ଗ୍ରାମବାସୀ ଅନ୍ଧାର ରାତିରେ ଉଜ୍ଜ୍ୱଳ ଆଲୋକର ସୁବିଧା ପାଇଲେ ।

ଜୟଦୀପ ନାୟକ କହନ୍ତି,ଦେଶର ବିଭିନ୍ନ ପ୍ରାନ୍ତରେ ସୌର ଶକ୍ତି ବ୍ୟବହାର ଉଦ୍ୟମ ବିଫଳ ହୋଇଛି । କିନ୍ତୁ ବରିପଠାର ପ୍ରକଳ୍ପଟି ଭିନ୍ନ ଧରଣର । ଏହା କମ-ଖର୍ଚ, କମ୍‍ ସେବା ଯତ୍ନ ଆବଶ୍ୟକ କରୁଥିବା ଓ ଗୋଷ୍ଠୀ ପରିଚାଳିତ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପକୁ ଓଡ଼ିଶାର ପ୍ରାୟ ୩୯୦୦ ଗାଁରେ ପ୍ରୟୋଗ କରାଯାଇପାରିବ ।

ମିଳିଲା ହାତ, ବଢ଼ିଲା ସହଯୋଗ

ବରିପଠା ପ୍ରକଳ୍ପରେ ମାତ୍ର ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଇସିସିଓ ଇଲେକଟ୍ରୋନିକ୍ସ(ସୌର ଚାଳିତ ଯନ୍ତ୍ର ଉତ୍ପାଦନକାରୀ) ଓ ଜାକସନ୍‍ ଗ୍ରୁପ(ଶକ୍ତି ସମାଧାନ ଦାତା)ର ମିଳିତ ଉଦ୍ୟମରେ ବରିପଠା ଗ୍ରାମର ମୋଟ ୬୧ଟି ପରିବାରକୁ ଗୋଟିଏ ଲେଖାଏଁ ସୌରଶକ୍ତି ସଂଗ୍ରହ ଯନ୍ତ୍ର ସାଙ୍ଗକୁ ଦୁଇଟି ବିଦ୍ୟୁତ ବତୀ ଯୋଗାଇ ଦିଆଯାଇଛି । ଏହା ଭିନ୍ନ ଗାଁରେ ଏକ କିଲୋୱାଟର ଗୋଟିଏ ସୋଲାର ୟୁନିଟ ସ୍ଥାପିତ ହୋଇଛି ।

ଏହା ଦ୍ୱାରା ୮ଟି ଷ୍ଟ୍ରିଟ୍‍ ଲାଇଟ୍‍ ସାଙ୍ଗକୁ କୋଠଘରେ ଗୋଟିଏ ଏଲ୍‍ଇଡି ଟିଭି ଓ ସେଟଟପ ବକ୍ସ ଯୋଗାଇ ଦିଆଯାଇଛି । ନାଲକୋ ଏବଂ ଅନ୍ୟ କେତେକ ସଂସ୍ଥା ଦ୍ୱାରା ସବୁ ପରିବାରକୁ ଦୁଇଟି ଲେଖାଏଁ ଏଲ୍‍ଇଡଇି ଲାଇଟ୍‍ ଦିଆଯାଇଛି ।

ଜାକସନ ଗ୍ରୁପ ଉପସଭାପତି ସନ୍ଦୀପ ଘୋଷ କହନ୍ତି,ଏଯାଏଁ ଯେତେ ଯେଉଁଠି ଗ୍ରାମ୍ୟ ସୌର ବିଦ୍ୟୁତିକରଣ କରାଯାଇଛି, ସବୁଠି ସେଣ୍ଟ୍ରାଲ ୟୁନିଟରୁ ଘର ଘରକୁ ବିଦ୍ୟୁତ ସଂଯୋଗ ଯାଇଥାଏ । ଏଥିରେ ୟୁନିଟ ସେବାଯତ୍ନରେ ଅସୁବିଧା ଉପୁଜିବା ସାଙ୍ଗକୁ କେବୁଲ ଚୋରିର ମୟ ମଧ୍ୟ ରହୁଥିଲା । ପୁଣି କିଏ ଆବଶ୍ୟକତା ଠାରୁ ଅଧିକ ବିଜୁଳି ବ୍ୟବହାର କରି ଦେଉଥିଲା । ଫଳରେ ସେଣ୍ଟ୍ରାଲ ୟୁନିଟ ଉପରେ ଚାପ ପଡ଼ୁଥିଲା ଏବଂ ବେଳେ ବେଳେ ତାହା ଖରାପ ହୋଇଯାଉଥିଲା । ପ୍ରତିଘରକୁ ସୋଲାର ୟୁନିଟ ଦେବା ଦ୍ୱାରା ଏସବୁ ସମସ୍ୟାର ସମାଧାନ ହୋଇପାରିଛି ।

ଇସିସିଓର ସିଓଇ ବିବେକ ବିହାନି କହନ୍ତି, ଏ କାମରେ ପୂରା ବରିପଠା ଗାଁ ସଂପୃକ୍ତ ହୋଇଛି । ଗାଁ ମୁଖିଆ ନାରାୟଣ ହିସା ଓ ଜଣେ ସ୍ଥାନୀୟ ଆଇଟିଆି ଡିପ୍ଲୋମାଧାରୀ ମେଣ୍ଟେନାନ୍ସ ଦାୟିତ୍ୱ ନେଇଛନ୍ତି । ମେଣ୍ଟେନାନ୍ସ କହିଲେ ନିୟମିତ ସୋଲାର ପ୍ୟାନେଲରୁ ଧୂଳି ଝାଡ଼ିବା ଓ ମଝିରେ ମଝିରେ ବ୍ୟାଟେରୀର ପାଣି ସ୍ତର ଯାଞ୍ଚ କରିବା । ପ୍ରକୃତରେ ଏ ପ୍ରକଳ୍ପରେ ମେଣ୍ଟେନାନ୍ସ ନାହିଁ କହିଲେ ଚଳେ ।

ସେଣ୍ଟ୍ରାଲ ସୋଲାର ୟୁନିଟରେ ୮ଟି ସୌର ପ୍ୟାନେଲ ରହିଛି । ବାତ୍ୟା ବା ଯୋର ପବନ ବେଳେ ଏହାକୁ ସହଜରେ ଓହ୍ଲାଇ ଭାଙ୍ଗିହେବ । ଏହି ପ୍ରକଳ୍ପ ମାଧ୍ୟମରେ ଏକ ହର୍ସପାୱାର ବିଶିଷ୍ଟ ଜଳସେଚନ ପମ୍ପ ମଧ୍ୟ ପରିଚାଳିତ କରାଯାଇପାରିବ ।


ଆଧାର :- SUBHRANSU PANDA Author, Journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate