অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଫା’ରେ ପ୍ରସ୍ତୁତ ହେଲା ଭ୍ରାମ୍ୟମାଣ ମାଛ ବିକା ଟ୍ରଲି

ସିଫା’ରେ ପ୍ରସ୍ତୁତ ହେଲା ଭ୍ରାମ୍ୟମାଣ ମାଛ ବିକା ଟ୍ରଲି

ଉପକ୍ରମ

ଗାଁ କିମ୍ବା ସହରରେ ମାଛ ବୁଲି ବୁଲି ମାଛ ବିକ୍ରି କରୁଥିବା ବିକାଳି ମାନେ ମନଇଛା ଯେଉଁଠି ହେଉନା କାହିଁକି ବସି ପଡନ୍ତି, ମାଛ କାଟନ୍ତି ଓ ବିକ୍ରି କରିଦିଅନ୍ତି | ଆଉ ପଛରେ ରହିଯାଏ ମାଛକାତି, ଗାଲି ଓ ଅନ୍ତବୁଜୁଳା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ | ଫଳରେ ସେଠାକାର ସ୍ୱଚ୍ଛତା ନଷ୍ଟ ହୋଇଥାଏ | ପୁଣି ମାଛରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଖାଇବା ପାଇଁ କୁକୁର, ବିଲେଇ ଓ କିଛି ପକ୍ଷୀ ଏକତ୍ର ହୁଅନ୍ତି | ଯାହା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଚି କରିଥାଏ | ଆପଣମାନେ ଏଭଳି ଦୃଶ୍ୟ ପ୍ରାୟ ଦେଖୁଥିବେ | ପୁଣି ମାଛ ବିକ୍ରେତାମାନେ ମଧ୍ୟ ଆଉ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି | ଯେଉଁ ପ୍ଲାଷ୍ଟିକ୍ କ୍ରେଟ୍ ରେ ମାଛ ରଖାଯାଇଥାଏ, ତାର ଉପର ଭାଗ ଖୋଲା ଥାଏ | ଯାହା ଫଳରେ ସେଥିରେ ଥିବା ବରଫ ଶୀଘ୍ର ତରଳିବା ଆରମ୍ଭ କରେ ଓ ମାଛ ବାୟୁ ସଂସ୍ପର୍ଶରେ ଆସି ଶୀଘ୍ର ପଚିବାର ଆଶଙ୍କା ରହିଥାଏ | ଏହି ସବୁ ସମସ୍ୟାର ସମାଧାନ ସୂତ୍ର ବାହାର କରିଛି ଭୁବନେଶ୍ୱର ନିକଟ କୌଶଲ୍ୟାଗଙ୍ଗ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(CIFA) | ଏଠାକାର ବୈଜ୍ଞାନିକମାନେ ଏମିତି ଏକ ମାଛ ବିକ୍ରୟ ଟ୍ରଲିର ଉଦ୍ଭାବନ କରିଛନ୍ତି, ଯାହା ପରିବେଶକୁ ସ୍ୱସ୍ଥ ରଖିବା ଦିଗରେ ତ ସହାୟକ ହେବ, ମାଛ ମଧ୍ୟ ବହୁ ସମୟ ଧରି ତାଜା ରହିବ

ଟ୍ରଲି ସମ୍ବନ୍ଧରେ

ଏହି ଟ୍ରଲିଟି ଫାଇବର ରେନଫ୍ରୋସଡ୍ ପ୍ଲାଷ୍ଟିକ୍ ରେ ପ୍ରସ୍ତୁତ କରାଯାଇଛି | ଅର୍ଥାତ୍ ଏହି ପ୍ଲାଷ୍ଟିକ୍ ଅତ୍ୟନ୍ତ କଠିନ, ମଜବୁତ ଓ ସହଜରେ ଭାଙ୍ଗେନାହିଁ | ଏଥିରେ ତାପ ପୃଥକୀକରଣ (ଇନସୁଲେସନ୍) ବ୍ୟବସ୍ଥା ରହିଛି | ଦୂରରୁ ଦେଖିଲେ ଏହା ଆପଣଙ୍କୁ ଏକ ଆଇସକ୍ରିମ ବାକ୍ସ ଭଳି ଦେଖାଯିବ | ଏ ସମ୍ପର୍କରେ ସିଫାର ନିର୍ଦ୍ଦେଶକ ଡକ୍ଟର ପି. ଜୟଶଙ୍କର କହିଛନ୍ତି, ସିଫାର ବୈଜ୍ଞାନିକମାନଙ୍କ ଅନେକ ଦିନର ଗବେଷଣାପରେ ଏଭଳି ଅନିଭବ ଟ୍ରଲିଟିଏ ପ୍ରସ୍ତୁତ କରିଛନ୍ତି | ଏହାକୁ ପ୍ରସ୍ତୁତ କରିବାରେ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି | ଏହା ମାଛ ବିକାଳିଙ୍କ ପାଇଁ ବେଶ୍ ସହାୟକ ଓ ଲାଭଦାୟକ ମଧ୍ୟ ହେବ | ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରଗୁଡିକରେ ଏହାକୁ ମାଛ ବିକାଳିମାନେ ବ୍ୟବହାର କରିବେ |ଟ୍ରଲିରେ ଥିବା ବାକ୍ସଟିକୁ ତିନି ଭାଗରେ ବିଭକ୍ତ କରାଯାଇଛି | ପ୍ରଥମ ଭାଗରେ ଏକ କ୍ୱିଣ୍ଟାଲ ମାଛ ଓ ବରଫ ରହିବାର ବ୍ୟବସ୍ଥା ଅଛି | ଦ୍ୱିତୀୟ ଭାଗରେ ୨୦ ଲିଟର ପାଣି ରଖିବା ଭଳି ସୁବିଧା ରହିଛି | ବାକ୍ସର ପଛ ଭାଗରେ ମାଛ କାଟିବା ପାଇଁ ପନିକି, ହାତଧୁଆ ସାବୁନ, ପାଣି ଟ୍ୟାପ୍ ଓ ହାତପୋଛା ଟାୱେଲ୍ ରଖାଯାଇଛି | ମାଛକୁ କାଟିବା ପରେ ସେଥିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ସଫାସଫି ପରେ ବାହାରୁଥିବା ପାଣିକୁ ରଖିବା ପାଇଁ ଟ୍ରଲିର ତଳଭାଗରେ ଦୁଇଟି ପୃଥକ ଟ୍ରେ ର ବ୍ୟବସ୍ଥା ରହିଛି | ମାଛ ବିକ୍ରି କରିସାରିବା ପରେ ଟଙ୍କା ଓ ଟ୍ରଲିର ଯନ୍ତ୍ରପାତି ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି |

ବୈଜ୍ଞାନିକଙ୍କ ମତରେ

ସିଫାର ପ୍ରଧାନ ବୈଜ୍ଞାନିକ ଡକ୍ଟର ବି.ସି. ମହାପାତ୍ର କୁହନ୍ତି, ଏହି ଟ୍ରଲିରେ ଥିବା ବାକ୍ସରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମାଛ ତାଜା ରହିବ | ତେଣୁ ମାଛ ବିକାଳିମାନଙ୍କ ପାଇଁ ମାଛ ପଚିଯିବାର ଭୟ ରହିବ ନାହିଁ | ଏହା ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ | ତେବେ ମାଛ ବିକାଳିମାନେ ଏହାକୁ ଯେପରି କମ୍ ଦରରେ ପାଇ ପାରିବେ, ସେଥିପାଇଁ ସବସିଡିର ବ୍ୟବସ୍ଥା ହେବା ଦରକାର |

ପ୍ରକୃତରେ ସ୍ୱଚ୍ଛତା ଦିଗରେ ଏହି ଟ୍ରଲିର ଆବଶ୍ୟକତା ଯଥେଷ୍ଟ | ପୁଣି ଏବେ ସ୍ୱଚ୍ଛତାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠି ସେଠି ମାଛର ବର୍ଜ୍ୟବସ୍ତୁ ପଡିବା ଏକ ସାଧାରଣ କଥା ହୋଇଗଲାଣି | ତେଣୁ ସମସ୍ତ ବୁଲା ମାଛ ବିକାଳି ଯେପରି ଏହି ଟ୍ରଲିକୁ ବ୍ୟବହାର କରିବେ, ତାର ବ୍ୟବସ୍ଥା ହେବା ଜରୁରୀ | ଟ୍ରଲିଟିର ନିର୍ମାଣ ଖର୍ଚ୍ଚ ୫୦ ହଜାର ଆସୁଥିବାରୁ ମାଛ ବିକାଳିଙ୍କୁ ମାନଙ୍କୁ ଏହା ଯୋଗାଇଦେବା ପାଇଁ ନେସନାଲ୍ ଫିସରୀ ଡେଭଲପମେଣ୍ଟ ବ୍ୟାଙ୍କ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଏଥିରେ ସବସିଡି ପ୍ରଦାନ କରିବା ଦରକାର | ଏହା ମାଛ ବିକାଳିମାନଙ୍କୁ ଏକ ବଡ ପ୍ରୋତ୍ସାହନ ହେବା ସହ ସ୍ୱଚ୍ଛ ଭାରତ ଦିଗରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହୋଇପାରିବ |

ଆଧାର

କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(CIFA)

"CIFA"

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate