অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାର୍ଦ୍ଧକ୍ୟ ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ

ଉପକ୍ରମ

ମଣିଷର ଜୀବନକୁ ଚାରିଗୋଟି ଅବସ୍ଥାରେ ବିଭକ୍ତ କରାଯାଇଛି । ଜନ୍ମ ପରେ ବାଲ୍ୟାବସ୍ଥା, ଦ୍ଵିତୀୟରେ ଯୌବନାବସ୍ଥା, ତୃତୀୟରେ ପ୍ରୌଢାବସ୍ଥା ଏବଂ ପରିଶେଷରେ ବର୍ଦ୍ଧକ୍ୟ ଅବସ୍ଥା ନିଜ ସହ ରୋଗ ଓ ଦୁଃଖ ନେଇ ଆସିଥାଏ । ମନୁଷ୍ୟ ସର୍ବଦା ଯୌବନ, ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଦୀର୍ଘ ଆଯ କାମନା କରିଥାଏ । କିନ୍ତୁ ଏସବୁର ଅବସାନ ଘଟାଇ ଦିନେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରତ୍ୟେକଙ୍କଜୀବନରେ ଆସିଥାଏ । ଏହା ପ୍ରକୃତିର ନିୟମ । ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନ ଆଶାତୀତ ଅଗ୍ରଗତି ଲାଭ କରିପାରିଛି । ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ମଣିଷ ଅନେକ ଦୁଃସାଧ୍ୟ ରୋଗ ଉପରେ ବିଜୟ ଲାଭ କରି ସ୍ୱାସ୍ଥ୍ୟରକ୍ଷା ଦିଗରେ ଅପୂର୍ବ ସଫଳତା ହାସଲ କରିସାରିଲାଣି । ଏହାସତ୍ତ୍ୱେ ବୃଦ୍ଧବସ୍ଥାରେ ହେଉଥିବା ଶାରୀରିକ ଓ ମାନସିକ ପରିବର୍ତ୍ତନ ଓ କଷ୍ଟରୁ ମୁକ୍ତ କରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇପାରି ନାହାନ୍ତି । କେତେକ ଲୋକଙ୍କ ପାଇଁ ବାର୍ଦ୍ଧକ୍ୟ ଅବସ୍ଥା ଏକ ଅଭିଶାପ ପାଲଟିଯାଇଛି । ତେବେ ଏହି ସମସ୍ୟାର କାରଣ କ’ଣ ଏବଂ କିପରି ନିବାରଣ କରାଯାଇପାରିବ ସେ ବିଷୟରେ ଅବଗତ କରାଇବା ପାଇଁ ଏହି ଆଲେଖ୍ୟ ପ୍ରସ୍ତୁତି ।

ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନର ଉନତି ହେବା ଫଳରେ ଅଧିକରୁ ଅଧିକ ଲୋକେ ଚିକିତ୍ସା ସୁବିଧାର ଉପଯୋଗ କରିବା ପାଇଁ ସୁଯୋଗ ପାଇବା ସହ ସ୍ୱାସ୍ଥ୍ୟରକ୍ଷା ଦିଗରେ ସଚେତନ ହୋଇପାରୁଛନ୍ତି । ଏହାଫଳରେ ମୃତ୍ୟୁହାରକ୍ରମଶଃ କମିଯାଉଛି ଏବଂ ସେହି ଅନୁପାତରେ ବୃଦ୍ଧମାନଙ୍କ ସଂଖ୍ୟା ବୃଦ୍ଧିପାଇଛି। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ ୨୦୦୨ ମସିହାବେଳକୁ ଆମ ଦେଶରେ ୬୫ବର୍ଷରୁ ଉର୍ଦ୍ଧ୍ଵ ଆୟୁବିଶିଷ୍ଟ ବ୍ୟକ୍ତିଙ୍କ ସଂଖ୍ୟା ୧୨ ରୁ ୧୪ କୋଟି । ସୁତରାଂ, ବାର୍ଦ୍ଧକ୍ୟ ଅବସ୍ଥାରେ ଦେଖାଯାଉଥିବା ଯାବତୀୟ ଶାରୀରିକ ଓ ମାନସିକ ତଥା ଆର୍ଥିକ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ସହ ଆତ୍ମୀୟସ୍ଵଜନମାନେ ବ୍ୟକ୍ତିଗତଭାବେ ପରିବାରରେ ଥିବା ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟର ଉପୟୁକ୍ତ ଯତ୍ନ ନେବା ଆବଶ୍ୟକ ।

ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା

ବୟସ ବଢିବ ସହିତ ଅନେକ ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖାଯାଇଥାଏ ଏବଂ ଏହି ସମୟରେ ଆର୍ଥିକ ଓ ସାମାଜିକ ସମସ୍ୟଗୁଡିକ ମଧ୍ୟ ସାତ୍ମନା କରିବାକୁ ପଡେ । ଶାରୀରିକ ଓ ମାନସିକ ପରିବର୍ତ୍ତନର ଫଳସ୍ୱରୂପ ବୃଦ୍ଧମାନଙ୍କଠାରେ ପାଚନ ଓ ଖାଦ୍ୟପେୟକୁ ନେଇ ମଧ୍ୟ ଅନେକ ଅସୁବିଧା ସୃଷ୍ଟିହୁଏ । ବୃଦ୍ଧାବସ୍ଥାରେ କାର୍ଯ୍ୟକ୍ଷମତା କମିଯାଏ । ଏହାସହିତ ମୋତିଆବିନ୍ଦୁ, ଦୃଷ୍ଟିଶକ୍ତି କ୍ଷୀଣତା, ଶ୍ଵାସ ଫୁଇବା, ଶ୍ରବଣ ଶକ୍ତି କମିବା, ସମ୍ବେଦନଶୀଳତା ହ୍ରାସ ପାଇବା, ଚର୍ମ ଲୋଚାକୋଚା ହୋଇଯିବା ଏବଂ ହାଡ ଦୁର୍ବଳହୋଇଯିବା ଭଳି ଶାରୀରିକ ପରିବର୍ତ୍ତନଗୁଡିକ ମଧ୍ୟ ଦେଖାଯାଏ । ପ୍ରକୃତପେକ୍ଷ ବାର୍ଦ୍ଧକ୍ୟ ଅବସ୍ଥାରେ ରୋଗ ଓ ଦୂର୍ବଲତା ଜୀବନକୁ ଅଧିକ ଦୁଃଖ ଓ ଯନ୍ତ୍ରଣାପୂର୍ଣ୍ଣକରିଦିଏ । କେତେକ ଲୋକଙ୍କ ମଧ୍ୟରେ ବିଳମ୍ଭରେ ବାର୍ଦ୍ଧକ୍ୟ ଅବସ୍ଥାର ଲକ୍ଷଣ ପ୍ରକଟିତ ହୋଇଥାଏ । ଏହା ବ୍ୟକ୍ତିର ଖାଦ୍ୟପେୟ ଓ ଜୀବନଚର୍ଯ୍ୟା ଉପରେ ପୂର୍ଣ୍ଣତଃ ନିର୍ଭରଶୀଳ । ବୟସ ବୃଦ୍ଧି ପାଇଲେ ବା ବୃଦ୍ଧାବସ୍ଥାରେ ଖଞ୍ଜା ବା ଗଣ୍ଠିଜନିତ ରୋଗ, ହୃଦ୍ ରୋଗ, ପକ୍ଷାଘାତ, ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ ରୋଗ, ମାନସିକ ରୋଗ ଏବଂ ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି ରୋଗଗୁଡିକ ହେବାର ସମ୍ଭାବନା ବୃଦ୍ଧିପାଏ ।

ବୃଦ୍ଧାବସ୍ଥାରେ ସ୍ମରଣ ଶକ୍ତି, ଦୃଷ୍ଟି ଶକ୍ତି, ଶ୍ରବଣ ଶକ୍ତି କମିଯିବା, ବାଳ ପାଚିଯିବା, ଦାନ୍ତ ଝଡିପଡିବା, ଚର୍ମ ଲୋଚା ହୋଇଯିବା, ସମ୍ବେଦନଶୀଳତା କମିଯିବା ଏବଂ ମାନସିକ ଦୃଷ୍ଟିକୋଣରେପରିବର୍ତ୍ତନ ଦେଖାଦେବା ସ୍ଵାଭାବିକ ଅଟେ ଏବଂ ଏହାକୁ କୌଣସି ରୋଗର ନାମ ଦିଆ ନ ଯାଇପାରେ କିନ୍ତୁ ଏହା ସତ ଯେ ଏହିସବୁ ଛୋଟ ଛୋଟ ଶାରୀରିକ ଓ ମାନସିକ ସମସ୍ୟା ଯୋଗୁଁ ବୃଦ୍ଧମାନଙ୍କର ବଞ୍ଚିବାର ଉଦ୍ଦୀପନା ଏବଂ ଆଶା କ୍ରମଶଃ ମଉଳିଯାଏ । ପ୍ରତ୍ୟେକ ଛୋଟ ବଡ କାମ ପାଇଁ ସେମାନଙ୍କୁ ଅନ୍ୟର ସାହାଯ୍ୟ ନେବାକୁ ପଡିଥାଏ । ଆୟୁବୃଦ୍ଧି ହେବା କାରଣରୁ ପାଚନତନ୍ତ୍ରରେ ବିକାରଜନିତ ରୋଗ ଏନଜାଇମ୍, ଧମନୀରୋଗ, ମାଂସପେଶୀର ରୋଗ, ଅସ୍ଥିରୋଗ ଆର୍ଥରାଇଟିସ୍ ଭଳି ଗଣ୍ଠିରୋଗ ବୃଦ୍ଧମାନଙ୍କୁ ଜୀବନକୁ ଅଧିକ କଷ୍ଟଓ ଯନ୍ତ୍ରଣାରେ ଭରିଦିଏ ।

ବାର୍ଦ୍ଧକ୍ୟ ଆବସ୍ଥାରେ ହାଡ ଓ ମାଂସପେଶୀ ଦୁର୍ବଳ ହୋଇପଡିବା ଫଳରେ ଚାଲିବା ବୁଲିବାରେ ଅସୁବିଧା ହୋଇଥାଏ । ଗଣ୍ଠିରୋଗ ଓ ସନ୍ଧିବାତ ରୋଗ, ବାର୍ଦ୍ଧକ୍ୟ ସମୟରେ ପୁରୁଣା କାଶରୋଗ ( ବ୍ରୋଙ୍କାଇଟିସ୍), ଶ୍ଵାସରୋଗ, ନିମୋନିଆ, ଯକ୍ଷ୍ମାରୋଗ ହେବାର ଆଶଙ୍କା ଅଧିକ ଥାଏ । ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନୋ ପାୱାର ଦୁର୍ବଳ ହୋଇପଡିବା ଯୋଗୁଁ ଯେକୌଣସି ସଂକ୍ରାମକ ରୋଗ ବୃଦ୍ଧମାନଙ୍କୁ ସହଜରେ ଆକ୍ରାନ୍ତ କରିପାରେ । ସାଧାରଣତଃ ବୟସ ବଢିବ ସଙ୍ଗେ ସଙ୍ଗେ ପୁରୁଷମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧିପାଇବା, ରାତିରେ ବାରମ୍ଭାର ଝାଡାଲାଗିବା, ଅଧିକ ଥର ଭୋକ ହେବା, ମହିଳାମାନଙ୍କଠାରେ ଯୌନାଙ୍ଗ ସଂକ୍ରମଣ, ରଜୋନିବୃତ୍ତି ପରେ ମାନସିକ ଚାପ ବୃଦ୍ଧ ପାଇବା ଏବଂ ମୈଥୁନ ଶକ୍ତି କ୍ଷୀଣ ହୋଇଯିବା ଭଳି ସାଧାରଣ ସମସ୍ୟାଗୁଡିକ ବାର୍ଦ୍ଧକ୍ୟ ଅବସ୍ଥାରେ ଦେଖାଯାଇଥାଏ । ଦୁର୍ବଳତା କାରଣରୁ ବୃଦ୍ଧାବସ୍ଥାରେ କେତେକ ମହିଳାମାନଙ୍କଠାରେ ଗର୍ଭାଶୟ ଅଂଶ ଯୋନିଦ୍ଵାରକୁ ଆସିଯାଇଥାଏ ।

ଏହିସବୁ ଶାରୀରିକ ସମସ୍ୟାଗୁଡିକ ବ୍ୟତୀତ ବୃଦ୍ଧମାନଙ୍କଠାରେ ଆହୁରି ଅନ୍ୟ କେତେକ ଅସୁବିଧା ଦେଖାଯାଏ ଯେପରିକି ମୁଣ୍ଡବ୍ୟଥା ହେବା, ଆଲର୍ଜି, ମଳରେ ରକ୍ତ ପଡିବା, ଦାନ୍ତରୋଗ ଓ ପକ୍ଷାଘାତ ବା ପାରାଲିସିସ୍ ହେବାର ଭୟ ଥାଏ । ଆୟୁବୃଦ୍ଧି ହେବା ଯୋଗୁଁ ରକ୍ତରେ ଜଳ ଏବଂ ଲବଣର ମାତ୍ରା ଅନିୟନ୍ତ୍ରିତ ହୋଇଯାଏ । ହାତ ଗୋଡରେ କମ୍ଫନ ସୃଷ୍ଟି ହୁଏ । ଏହି ସମୟରେ ପାର୍କିନସନ ବା କମ୍ପବାତ ରୋଗ ହେବାର ମଧ୍ୟ ସମ୍ଭାବନାକୁ ଏଡାଇ ହେବନାହିଁ । ଅଧିକ ଉତ୍ତାପକୁ ବା ଅଧିକ ଥଣ୍ଡାକୁ ବୃଦ୍ଧମାନେ ସହ୍ୟ କରିପାରନ୍ତି ନାହିଁ । ଅଂଶଘାତରେ ବୃଦ୍ଧମାନେ ଆକ୍ରାନ୍ତ ହୋଇ ମୂତ୍ର୍ୟବରଣ କରିବା ମଧ୍ୟ ଦେଖାଯାଏ । ସୁତରାଂ, ଅଧିକ ଥଣ୍ଡା ଓ ଅଧିକ ଉତ୍ତାପ ଉଭୟ ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଔଷଧଖାଇବା ମଧ୍ୟ ପ୍ରତିକ୍ରିୟା ହେବାର ଅଧିକ ସମ୍ଭାବନା ଥାଏ । ଯାବତୀୟ ପ୍ରକାରର ସଂଖ୍ୟାଧିକ ରୋଗ ହେବା ପାଇଁ ବାର୍ଦ୍ଧକ୍ୟ ଅବସ୍ଥା ପୂର୍ଣ୍ଣମାତ୍ରାରେ ଦାୟୀ । ସେଥିପାଇଁ ବାର୍ଦ୍ଧକ୍ୟ ଅବସ୍ଥା ରୋଗର ଗନ୍ତାଘର କହିଲେ ଅତ୍ୟୁକ୍ତ ହେବନାହିଁ ।

ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟରକ୍ଷୀର ଉପାୟ

ବୃଦ୍ଧାବସ୍ଥା ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆଣିଥାଏ । ସେଥିପାଇଁ ବୃଦ୍ଧାବସ୍ଥାକୁ ସୁଖମୟ କରିବା ଦିଗରେ ନିଜକୁ ପୂର୍ବରୁ ପ୍ରସ୍ତୁତ କରିବାକୁ ହୁଏ ଏବଂ ଏଥିସହ ଆତ୍ମୀୟସ୍ଵଜନମାନଙ୍କର କର୍ତ୍ତବ୍ୟ ଯେ ସେମାନେ ଘରେ ଥିବା ବାୟୋବୃଦ୍ଧ ଗୁରୁଜନମାନଙ୍କର ସମସ୍ୟାକୁ ବୁଝିସେମାନଙ୍କର ଉପୟୁକ୍ତ ଯତ୍ନ ନେବା ପାଇଁ ଚେଷ୍ଟିତ ହୁଅନ୍ତି । ନିମ୍ନରେ ଦିଆଯାଇଥିବା କେତେକ ନିୟମ ପାଳନ କଲେ ବୃଦ୍ଧାବସ୍ଥାରେ ଦେଖାଯାଉଥିବା ଛୋଟ ବଡ ଶାରୀରିକ ଓ ମାନସିକ ସମସ୍ୟାକୁ ଦୂର କରାଯାଇ ମୁଖମୟ ଜୀବନଜାପାନ କରାଯାଇପାରିବ ।

  1. ଅର୍ଥାଭାବ ଅନେକ ସମସ୍ୟାକୁ ବୃଦ୍ଧି କରିଥାଏ । ଏଥିପାଇଁ ଭବିଷ୍ୟତରେ ବିଶେଷକରି ବୃଦ୍ଧାବସ୍ଥାରେ ଆର୍ଥିକ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଏବେଠାରୁ ଅର୍ଥ ସଞ୍ଚୟ କରାଯିବା ଆବଶ୍ୟକ । ବାର୍ଦ୍ଧକ୍ୟ ଅବସ୍ଥାରେ ଯଦି କୌଣସି ରୋଗର ଚିକିତ୍ସା ଅଥବା ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ଅର୍ଥର ଆବଶ୍ୟକତା ପଡିଲା ତେବେ ଏହି ସଞ୍ଚୟ ଅର୍ଥ ଆପଣଙ୍କ କାମରେ ଆସିପାରେ ଏବଂ ଏହା ମଧ୍ୟ ଆପଣଙ୍କୁ ଆର୍ଥିକ ସୁରକ୍ଷା ଆଣିଦିଏ ।
  2. ଯଦି ସମ୍ଭବ ହୁଏ ତେବେ ନିଜର ସ୍ୱାସ୍ଥ୍ୟ ଓ ସାମର୍ଥ୍ୟ ଅନୁସାରେ କିଛି ନା କିଛି କାମ ନିଶ୍ଚୟ କରନ୍ତୁ । ଆଳସ୍ୟରେ ସମୟ କାଟିବା ଦ୍ଵାରା ଆପଣ ମାନସିକ ଓ ଶାରୀରିକ ସ୍ତରରେ କ୍ଷତିଗ୍ରସ୍ତ ହେବେ । ସମୟ ମିଳିଲେ ନିଜେ ଅଳ୍ପ ବହୁତେ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତୁ । ଏହାଦ୍ଵାରା ଆପଣଙ୍କ ମନରେ ପରୋପକାର ଭାବନା ଜାଗ୍ରତ ହେବ ଏବଂ ନିଜକୁ ଏକୁଟିଆ ଅନୁଭବ କରିବେ ନାହିଁ ।
  3. ପରିବାରଜନଙ୍କର ଏହା କର୍ତ୍ତବ୍ୟ ଯେ ବୃଦ୍ଧ ଗୁରୁଜନାମନଙ୍କର ସ୍ୱାସ୍ଥ୍ୟରକ୍ଷାପାଇଁ ଆବଶ୍ୟକ ସ୍ଥଳେ ଚିକିତ୍ସା ସହାୟତା ଯୋଗାଇଦେବା । ମନଇଚ୍ଛା ଔଷଧସେବନ ନ କରି ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ସହ ପଥ୍ୟାପଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିଜେ ଅସୁସ୍ଥ ଅନୁଭବ କଲେ ଯଥାଶୀଘ୍ର ଡାକ୍ତରୀ ପରୀକ୍ଷଣ କରାଇନେବା ଜରୁରୀ । ଏହାଦ୍ଵାରା କୌଣସି ରୋଗ ବୃଦ୍ଧି ପାଇବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଚାର କରାଯାଇପାରିବ ।

ଆଧାର:ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 5/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate