অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯେକୌଣସି ରୋଗର ଘରୋଇ ଚିକିତ୍ସା

ଯେକୌଣସି ରୋଗର ଘରୋଇ ଚିକିତ୍ସା

ଉପକ୍ରମ

ଯେକୌଣସି କାରଣରୁ ଯଦି କେହି ଅସୁସ୍ଥ ଅନୁଭବ କରନ୍ତି ତେବେ ବ୍ୟସ୍ତ ନହୋଇ ସାହସର ସହିତ ନିଜ ବାଡି ବଗିଚାରେ ଥିବା ବୃକ୍ଷଲତା ଗୁଳ୍ମ ଇତ୍ୟାଦିକୁ ପ୍ରଥମେ ପ୍ରୟୋଗ କରନ୍ତୁ ଏବଂ ସ୍ୱଳ୍ପ ବ୍ୟୟରେ ରୋଗମୁକ୍ତ ହୁଅନ୍ତୁ । ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅଧିକ ନିରାପତ୍ତା ଯୋଗାଇଥାଏ ।

ରୋଗ, ତାର ଲକ୍ଷଣ ଓ କିପରି ଖାଇବେ

ଥଣ୍ଡା କାଶ ଓ ସାମାନ୍ୟ ଜ୍ଵର ହୋଇଥିଲେ

ବାସଙ୍ଗ ପତ୍ର ରସ  ୨ ଚାମଚ, ଅଦାରସ ୨ ଚାମଚ, କଳା ତୁଲସୀ ପତ୍ର ୨ ଚାମଚ ମିଶାଇ ସକାଳ ଓ ସଂଧ୍ୟାରେ ଖାଲିପେଟରେ ଖାଇବେ । ଏହା ସହିତ ମହୁ ଚାରିଚାମଚ ମିଶାଇ ଖାଇଲେ ଅଧିକ ସୁଫଳ ମିଳିଥାଏ ।

ଛାତିରେ କଫ ଜମି ରହି ନିଃଶ୍ଵାସ ନେବାରେ କଷ୍ଟ ହେଉଥିଲେ

ପିପ୍ପଳୀଚୂର୍ଣ୍ଣ ୧ ଚାମଚ ସହିତ ମହୁ ଦୁଇ ଚାମଚ ମିଶାଇ ସକାଳ ସଂଧ୍ୟାରେ ଖାଇବେ ଏବଂ ପୁରୁଣା ଗୁଆଘିଆ ୨ ଚାମଚ ନେଇ ତହିଁରେ ସାମାନ୍ୟ ଲୁଣ ମିଶାଇ ଉଷୁମ କରି ଛାତିରେ ମାଲିସ କରିବେ । ଶିଶୁମାନଙ୍କ ପାଇଁ ଗୋଟିଏ ପାନପତ୍ର ଉପରେ ଏହି ଉଷୁମ ଘିଅ ମାଲିସ କରି ରାତିରେ ଶୋଇବା ସମୟରେ ଛାତି ଉପରେ ପଟି ପକାଇଲେ ଉତ୍ତମ ଫଳ ଲାଭ ହୋଇଥାଏ ।

ମୁଣ୍ଡବ୍ୟଥା ସହିତ କମ୍ପ ଜ୍ଵର ହେବା ଏବଂ ଝାଳବୋହି ଜ୍ଵର ଛାଡିଗଲେ

ଗଙ୍ଗଶିଉଳୀ ପତ୍ର ରସ ଦୁଇଚାମଚ ମହୁ ସହିତ ମିଶାଇ ଦିନକୁ ୩ ଥର ସେବନ କରିବେ ।

ଅଧାକପାଳୀ ବା ସଂପୂର୍ଣ୍ଣ ମୁଣ୍ଡବିନ୍ଧିଲେ

ଅଦା ରସ ସହିତ ଡାଲଚିନିକୁ ଘୋରି ମଥାରେ ମାଲିସ କଲେ ମୁଣ୍ଡବିନ୍ଧା ଉପଶମ ହୁଏ ।

ଆଖିଧରା ବା ଆଖିରେ ବାଲି ପଶିବା ଭଳି ଲାଗିଲେ କିମ୍ବା ଆଖିରୁ ପାଣି ଗଡି ବେଦନା ହେଲେ

ବିଶୁଦ୍ଧ ପହ୍ମମଧୁ ଦୁଇ ବୁନ୍ଦା ଆଖିରେ ପକାଇବେ କିମ୍ବା ମା’ କ୍ଷୀର ୨/୩ ବୁନ୍ଦା ଆଖିରେ ପକାଇଲେ ଉପଶମ ହୁଏ ଅଥବା ଏକ ଗ୍ଲାସ ଜଳରେ ପାଞ୍ଚଗ୍ରାମ୍ ଫିଟିକିରି ଚୂର୍ଣ୍ଣ ପକାଇ ନିଆଁରେ ଫୁଟାଇବେ । ଫିଟିକିରି ମିଳାଇ ଗଲେ ସେହି ଜଳକୁ ରଖିବେ, ଥଣ୍ଡା ହେଲେ ସେହି ଫିଟିକିରି ଜଳକୁ ଚକ୍ଷୁରେ ବାରମ୍ଭାର ସିଞ୍ଚନ କଲେ ଉପଶମ ହୁଏ ।

କାନ ଟାଣିଲେ

ଦୁଇ ଚାମଚ ସୋରିଷତେଲ ସହିତ ଦୁଇପାଖୁଡା ରସୁଣ ଛେଚି ନିଆଁରେ ପାକକରି ଥଣ୍ଡାହେଲେ କାନରେ ଦୁଇବୁନ୍ଦା ପକାଇଲେ ଉପଶମ ମିଳିଥାଏ ।

କାନରେ ବାରମ୍ଭାର ପୂଜ ହେଲେ

ତୁଳାକାଠିକୁ ଗୋ ମୂତ୍ରରେ ବୁଡାଇ ପ୍ରଥମେ କାନକୁ ସଫାକରିବେ ଏବଂ ୪ ଚାମଚ ସୋରିଷତେଲ ସହିତ ଦଶଚାମଚ ଦୁଦୁରା ପତ୍ରରସ ଓ ଅଧଚାମଚ ବଟା ହଳଦୀ ମିଶାଇ ନିଆଁରେ ପାକ କରିବେ । ରସ ମରି କେବଳ ତୈଳଭାଗ ରହିଲେ ତୈଳ ଛାଣି ରଖିବେ, ଏହି ତୈଳକୁ କାନରେ ୩ ବୁନ୍ଦା ଦିନକୁ ଦୁଇଥର ପକାଇବେ ।

ଦାନ୍ତମୂଳରୁ ରକ୍ତସ୍ରାବ ଓ ପୂଜ ବାହାରୁଥିଲେ

ତୁତୀୟା ୧୨ ଗ୍ରାମ, ଫିଟିକିରି ୨୫ ଗ୍ରାମ୍, ଖଇର ୫୦ ଗ୍ରାମ୍ ଆଣି ଏକତ୍ର ନିଆଁରେ ପୋଡି ସେହି ଭସ୍ମକୁ ଦୁଇବେଳା ଦାନ୍ତମୂଳରେ ଘସିଲେ ଏହି ରୋଗ ଦୂର ହୁଏ ।

ଦାନ୍ତମୂଳ ଫୁଲି ଦରଜହେଲେ

ସୋରିଷ ତେଲ ସହିତ ଗୁଣ୍ଡ ଲୁଣା ମିଶାଇ ଦୁଇବେଳା ଦାନ୍ତମୂଳରେ ଘଷିଲେ ଉପଶମ ହୁଏ ଏବଂ ଉଷୁମ ପାଣିରେ ଲୁଣ ମିଶାଇ କୁଳିକଲେ ଉପଶମ ହୋଇଥାଏ ।

ଦାନ୍ତ ବିନ୍ଧିଲେ

ବାଇଗିଡା କ୍ଷୀର ଦାନ୍ତ ମୂଳରେ ଘଷିଲେ କିମ୍ବା କଣାଥିଲେ ସେଥିରେ ଦୁଇବୁନ୍ଦା ପକାଇଲେ ବୁନ୍ଧା ଦୂର ହୁଏ କିମ୍ବା ଲବଙ୍ଗ ତେଲକୁ ତୁଳାରେ ବୁଡାଇ ଦାନ୍ତ ମୂଳରେ ଜାକିଲେ ଦାନ୍ତବିନ୍ଧା ଦୂର ହୁଏ କିମ୍ବା ଦୁଇ ଚାରିଟା ଲବଙ୍ଗ ଚୋବାଇଲେ ଭଲ ହୁଏ କିମ୍ବା ଲବଙ୍ଗ ତେଲକୁ ତୁଳାରେ ବୁଡାଇ ଦାନ୍ତ ମୂଳରେ ଜାକିଲେ ଦାନ୍ତବିନ୍ଧା ଦୂର ହୁଏ କିମ୍ବା ଦୁଇ ଚାରିଟା ଲବଙ୍ଗ ଚୋବାଇଲେ ଭଲ ହୁଏ ।

ଜିଭରେ ଘା’ ହେଲେ

କର୍ପୁର ଚୂର୍ଣ୍ଣ ଏକ ଭାଗ ଓ ଟାଙ୍ଗଣଖଇ ଚୂର୍ଣ୍ଣ ଚାରିଭାଗ ଏକତ୍ର କରି ରଖିବ । ଏହି ଚୂର୍ଣ୍ଣକୁ ଜିଭରେ ଦୁଇବେଲ ଘସିଲେ ଜିଭ ଘା’ ଭଲ ହୁଏ ।

କୋଷ୍ଠବଦ୍ଧତା ବା ଝାଡା ସଫା ନ ହେଲେ

ଜଡା ତେଲ ଦଶଗ୍ରାମରୁ ପରିଶି ଗ୍ରାମ ପର୍ଯ୍ୟନ୍ତ ସକାଳୁ ଖାଲିପେଟରେ ପାନକଲେ ଦୁଇ/ ତିନି ଘଣ୍ଟା ମଧ୍ୟରେ ଝାଡା ହୋଇଥାଏ । ତ୍ରିଫଳା ଚୂର୍ଣ୍ଣ ରାତ୍ରିଭୋଜନ ପରେ ଦୁଇ ଚାମଚ ଖାଇଲେ ସକାଳୁ ଖୋଲା ଝାଡା ହୁଏ । ସକାଳୁ ଖାଲିପେଟରେ ବାସୀ ପାଣି ଦୁଇ ଗ୍ଲାସ ପାନକଲେ ଖୋଲା ଖଡା ହୋଇଥାଏ । ରାତି ଭୋଜନାରେ ରୁଟି ସହିତ ଉଷୁମ କ୍ଷୀର ଖାଇଲେ ସକାଳୁ ଝାଡା ସଫା ହୋଇଥାଏ । ଏକ ଗ୍ଲାସ ଗୋମୁତ୍ର ସହିତ ୨୫ ଗ୍ରାମ୍ ଜଡାତେଲ ମିଶାଇ ସକାଳୁ ଖଳିପେଟରେ ପାନକଲେ ବାତ ବଦ୍ଧି କୋଷ ବୃଦ୍ଧି ଦୂର ହୁଏ । ସିଝା ଅମୃତଭଣ୍ଡା ଓ ପାଚିଲା ପିଜୁଳି ନିୟମିତ ସେବନ କଲେ ଝାଡା ସଫା ହୁଏ ।

ପେଟଟଣା ବା ପେଟ କାମୁଡିଲେ

ଟଭାଲେମ୍ବୁ ଗଛ ମୂଳକୁ ପାଞ୍ଚଗ୍ରାମ୍ ମାତ୍ରାରେ ଆଣି ଜଳ ସହିତ ବାଟି ଦୁଇ ଚାମଚ ଗାଈ ଘିଅ ମିଶାଇ ସେବନ କଲେ ଉପଶମ ହୁଏ । ଅଦା ସହିତ ଲୁଣମିଶା ଚୋବାଇ ଖାଇଲେ କ୍ଷୁଧା ବୃଦ୍ଧି ହୁଏ ଏବଂ ପେଟ ଟଣା ଦୂର ହୁଏ । ସୁଣ୍ଠିକୁ ପୋଡି ଗୁଣ୍ଡକରି ଏକ କପ୍ ଉଷମ ପାଣି ସହିତ ଦୁଇ ଚାମଚ ଚିନି ମିଶାଇ ଖାଇଲେ ପେଟ ବ୍ୟଥା ଦୂର ହୁଏ ।

ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟ ଦେଖାଦେଲେ

ପେଟରେ ଶବ୍ଦ ହେବା, ଅମ୍ଳ ହାକୁଡି ହେବାଦ୍ଵାରା ଖାଦ୍ୟରେ ଅନିଚ୍ଛା ପ୍ରକାଶ ପାଇଥାଏ, ଏହି ଅବସ୍ଥାରେ କୌଣସି ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ । କେବଳ ଚିକିତ୍ସାରେ ରହିବା ଉଚିତ୍ । ଯଥା: ଉଷୁମ ପାଣିରେ ଲୁଣ ଓ ଲେମ୍ବୁରସ ମିଶାଇ ପାନ କରିବ କିମ୍ବା ଗୋଲମରିଚ ସହିତ ଲୁଣ ଚିବାଇ ଏବଂ ଉଷୁମ ପାଣି ପିଇବ । ବିରି ପିଠା ଖାଇ ଅଜୀର୍ଣ୍ଣ ହେଲେ ପ୍ରତି ଅଧଘଣ୍ଟାରେ ଏକ ଗ୍ଲାସ ଥଣ୍ଡା ଜଳ ପାନ କରିବ ।

ନାଳ ଝାଡା ବା ନାଳରକ୍ତ ଝାଡା ହେଲେ

କଞ୍ଚା ବେଳକୁ ନିଆଁରେ ପୋଡି ସେହି ରସ ସହିତ ଚିନି ମିଶାଇ ଖାଇବେ କିମ୍ବା ଗୋଇଟିଏ ବଡ ଓଲି ପିଆଜକୁ ମୁଝିରୁ ଅଧା କାଟି ତହିଁରେ ଚୂନ ଲଗାଇ ଚାପି ରଖିବେ ଅଧଘଣ୍ଟା ପରେ ସେହି ପିଆଜକୁ ଚୋବାଇ ଖାଇଲେ ନାଳଝାଡା ଉପଶମ ହୁଏ ।

ବାନ୍ତି ହେଲେ

ହରିଡା ଚୂର୍ଣ୍ଣ ମହୁ ସହିତ ଚାଟି ଖାଇବେ କିମ୍ବା ଲେମ୍ବୁ – ମିଶ୍ରି ସରବତ୍ ପାନକରିବେ, ଅଥବା ମୟୂର ପୁଚ୍ଛକୁ ଘିଅବତୀରେ ଘୋଡି ସେହି ଭସ୍ମକୁ ମହୁ ସହିତ ଚାଟି ଖାଇବେ କିମ୍ବା ଅଳେଇଚକୁ ପୋଡି ଗୁଣ୍ଡ କରି ମହୁ ସହିତ ଚାଟି ଖାଇଲେ ବାନ୍ତି ଦୂର ହୁଏ । ଶିଶୁମାନଙ୍କର ଦୁଧ ବାନ୍ତି ହେଲେ – ପାନମାଧୁରୀକୁ ୧୨ ଘଣ୍ଟା ଜଳରେ ଭେଦାଇ ସେହି ଜଳ ଦୁଇ ତିନିଥର ପିଇବାକୁ ଦେଲେ ଦୁଧ ଠିକ୍ ଭାବେ ହଜମ ହୁଏ କିମ୍ବା ଚୂନ ଠେକି ଉପରେ ରହିଥିବା ନିର୍ମଲ ଜଳକୁ ଦୁଧ ସହିତ ମିଶାଇ ଶିଶୁକୁ ପିଆଇଲେ ଦୁଧ ବାନ୍ତି ବନ୍ଦ ହୁଏ ।

ଆଘାତଜନିତ କ୍ଷତରୁ ରକ୍ତସ୍ରାବ ହେଲେ

ଦନ୍ତୀପତ୍ରକୁ ବାଟି ଲେପ ଦେବ କିମ୍ବା ଦୁବଘାସ ସହିତ ଚିନିମିଶାଇ ବାଟି ଲେପ ଦେଇ ପଟି ବାନ୍ଧିବ ଅଥବା ବିଶଲ୍ୟକରଣୀ ବା ବଣସେବତୀ ପତ୍ରକୁ ଛେଚି ଲେପଦେବ ।

ଆଘାତ ଦ୍ଵାରା ଫୁଲା ଓ ଜଖମ ହେଲେ

ତେନ୍ତୁଳୀପତ୍ର ରସ ଓ ବାଇଗବା କ୍ଷୀର ମିଶାଇ ଛେଚି ରାତିରେ ପଟି ବାନ୍ଧି ସକାଳୁ ଖୋଲି ଦେବ କିମ୍ବା ସଦ୍ୟ ଗୋବରକୁ ଫୁଲା ସ୍ଥାନରେ ରଖିକପଡା ଦ୍ଵାରା ବାନ୍ଧିରଖି ସକାଳୁ ଖୋଲିଦେବ ।

ଗଣ୍ଠି ସ୍ଥାନରେ ଫୁଲା ଓ ଯନ୍ତ୍ରଣା ହେଲେ ବା ଗଣ୍ଠିବାତ ରୋଗରେ

ବେଗୁନିଆ ପତ୍ର ୧୨ ଗ୍ରାମ୍, ଶୁଣ୍ଠି ୧୨ ଗ୍ରାମ୍, ରସୁଣ ୧୨ ଗ୍ରାମ୍ ଦର ଛେଚା କରି ଚାରି ଗ୍ଲାସ ଜଳରେ ସିଝାଇ ଏକ ଗ୍ଲାସ ଜଳ ରହିଲେ ଓହ୍ଲାଇ ଛାଣି ରଖିବ । ତହିଁରେ ୨୫ ଗ୍ରାମ୍ ଚିନିମିଶାଇ ତିନିପାନ କରି ସେବନ କରିବ ।

ଯାଦୁ, କୁଣ୍ଡିଆ, ଚର୍ମଦଳା, ବିଇଞ୍ଚି, କନ୍ଦା ଇତ୍ୟାଦି ଚର୍ମରୋଗ ହେଲେ

ସୋମରାଜ ମଞ୍ଜି, ନିମ୍ବପତ୍ର, ହଳଦୀ ସମାନ ଭାଗରେ ନେଇ ବାଟି ଦେହରେ ଲଗାଇବ ଏବଂ କଲରା, ପିତାଶାଗ, ନିମ୍ବ, ହଳଦୀଅଧିକ ମାତ୍ରାରେ ଖାଇବା ଉଚିତ୍ ।

କାଛୁ କୁଣ୍ଡିଆ ରୋଗରେ

ନିମ୍ବ ପତ୍ର ସିଝା ଜଳରେ କାଛୁକୁ ଭଲ ଭାବେ ଧୋଇ ପରିଷ୍କାର କରିବା । ରନ୍ଧାନଡିଆ ତେଲରେ କର୍ପୁର ମିଶାଇ ମାଲିସ କରିବା ଏବଂ ରୋଗୀର ଲୁଗାପଟା ଓ ବିଚଣା ଇତ୍ୟାଦି ଏକକାଳୀନ ସାବୁନ ବା ସୋଡାରେ ସଫା କରିବା ଆବଶ୍ୟକ ।

ହାଡପୁଟି ବା ପାଣିବସନ୍ତର ଚିହ୍ନ ବା ଦାଗ ରହିଥିଲେ

ନିମ୍ବପତ୍ର ସିଝା ଜଳରେ ସ୍ନାନ କରିବ ଏବଂ ନିମ୍ବପତ୍ର ରସ ୧ ଚାମଚ ଦୈନିକ ସକାଳୁ ମୁହା ସହିତ ଖାଇବା । ଏକ ମାସରେ ଚିହ୍ନ ବା ଦାଗସବୁ ଲିଭିଯିବ ।

ସ୍ଵପ୍ନ ଦେଶରୁ ଧାତୁକ୍ଷୟ ହେଉଥିଲେ

ଦୁବ ଚେର, ବଉଳମଞ୍ଜି ଶସ, ଅଁଳା  ଓ କର୍ପୁର ସମାନ ଭାଗରେ ନେଇ ଚୂର୍ଣ୍ଣ କରି କିମ୍ବା ବାଟି ଦୁଇ ଗ୍ରାମ ମାତ୍ରାରେ ପୁରୁଣା ଗୁଡ ସହିତ ମିଶାଇ ରାତିରେ ଶୋଇବା ବେଳେ ଖାଇଲେ ସ୍ଵପ୍ନ ଦୋଷ ଦୂର ହୁଏ ।

ଶିଶୁମାନଙ୍କ କୃମି ରୋଗରେ

ଏଥିପାଇଁ ଚିରେଇତା ପାଞ୍ଚଗ୍ରାମ ସଂଧ୍ୟା ସମୟରେ ଏକ କପ୍ ପାଣିରେ ଭିଜାଇ ସକାଳୁ ଛାଣି ତହିଁରେ ପାଳଧୁଆ ପତ୍ର ରସ ଦୁଇ ଚାମଚ ମିଶାଇ ଏବଂ ଅଧାଚମଚ ବଟା ହଳଦୀ ଓ ପୁରୁଣା ଗୁଡ ମିଶାଇ ଏକତ୍ର ଖାଲିପେଟରେ ଏକ ସପ୍ତାହ ପର୍ଯ୍ୟନ୍ତ ସକାଳୁ ପିଇବାକୁ ଦେବା ଉଚିତ୍ । ପ୍ରତି ଦୁଇ ତିନି ମାସ ଅନ୍ତରରେ ଏହିପରି ସାତଦିନ ପର୍ଯ୍ୟନ୍ତ ପିଇବାକୁ ଦିଆଯିବା ଆବଶ୍ୟକ ।

ମୂତ୍ର କୃଚ୍ଛ୍ର ବା ଅତିକଷ୍ଟରେ ଅଳ୍ପ ଅଳ୍ପ ମୂତ୍ର  ହେଉଥିଲେ

ପ୍ରାସାରିଣୀର ପଞ୍ଚାଙ୍ଗ ଚୂର୍ଣ୍ଣ ଏକ ଚାମଚ ମାତ୍ରାରେ ସକାଳେ ଓ ସଂଧ୍ୟାରେ ପଇଡଜଳ ସହିତ ଏକ ମାସ ପର୍ଯ୍ୟନ୍ତ ସେବନ କଲେ ମୂତ୍ରକୃଚ୍ଛ୍ର ଆରୋଗ୍ୟ ହୋଇଥାଏ । କିମ୍ବା ବରୁଣ ଗଛର ଛେଳିକୁ ପାଞ୍ଚଗୁଣ ଜଳରେ ସିଝାଇ ଏକ ଚତୁର୍ଥାଂଶ ଜଳ ରହିଲେ ନିଆଁରୁ ଓହ୍ଲାଇ ଛାଣି ପଚାଶଗ୍ରାମ ମାତ୍ରାରେ ଦୁଇଥର ପାନକଲେ ମୂତ୍ରକୃଚ୍ଛ୍ର ଦୂର ହୁଏ ।

ଜଣ୍ଡିସ ବା କାମଳ ରୋଗରେ

ମଞ୍ଜୁଆତି ଚେର ପାଞ୍ଚଗ୍ରାମ ମାତ୍ରାରେ ଆଣି ବାଟି ଚାଉଳଧୂଆ ସହିତ ଏକ ସପ୍ତାହ ସେବନକଲେ କାମଳ ଶାନ୍ତ ହୁଏ । ଦୁର୍ବଳତା ଥିଲେ ଗାଈ ଦୁଧରେ ବଟାହଳଦୀ ମିଶାଇ ପାନକଲେ ଉତ୍ତମ ଫଳ ଲାଭ ହୋଇଥାଏ । ଜ୍ଵର ନଥିଲେ ପଇଡପାଣି ପିଇବାକୁ ଦେବା ଆବଶ୍ୟକ ।

ସ୍ମରଣ ଶକ୍ତି ବୃଦ୍ଧି ପାଇଁ

ବଥୁଆ ଶାଗ ବିଶେଷ ହିତକର ହୋଇଥାଏ । ବ୍ରାହ୍ମୀରସ ବା ଥାଲକୁଡି ପତ୍ରରସକୁ କ୍ଷୀର ସହିତ ଗୋଳାଇ ଖାଇଲେ ସ୍ମରଣଶକ୍ତି ବୃଦ୍ଧି ହୁଏ ।

ହାତଗୋଡରେ ଗୋଦର ଦେଖାଦେଲେ

ସୋରିଷ ପିଡିଆକୁ ଗୋମୂତ୍ରରେ ମିଶାଇ ଲେପ ଦେଲେ ଗୋଦର ଭଲ ହୁଏ କିମ୍ବା ବଣଓଲୁଅକୁ ବାଟି ଘିଅ ଓ ମହୁ ସମାନ ଭାଗରେ ମିଶାଇ ଗୋଦରରେ ଲେପଦେଲେ ରୋଗୀ ଶୀଘ୍ର ଆରୋଗ୍ୟ ହୁଏ । ଏହା ସହିତ ସାହାଡା ଗଛର ଛେଲିକୁ ବାଟି ଗୋମୂତ୍ର ସହିତ ଗୋଳାଇ ସେବନ କରିବାକୁ ହୁଏ । ପୁରାତନ ଶ୍ଲୀପଦ ହୋଇଥିଲେ ଦୁଦୁରାପତ୍ର, ଜଡାପତ୍ର, ବେଗୁନିଆ ପତ୍ର ପୁର୍ନ୍ନ ବା ସର୍ବାଙ୍ଗ ସଜନାଛେଲି, ସୋରିଷ ସମାନ ଭାଗରେ ନେଇ ବାଟି ଗୋଦରରେ ଲେପ ଦେଲେ ଦୁଃସାଧ୍ୟ ଗୋଦରା ଫୁଲା  ଶାନ୍ତି ହୁଏ । ଏହି ରୋଗୀ ରାତିରେ ରୁଟି ଖାଇବେ ଏବଂ ପୂର୍ଣ୍ଣମୀ, ଅମାବାସ୍ୟା, ସଂକ୍ରାନ୍ତି ରାତିରେ ଉପବାସ ରହିବେ ।

ଅପସ୍ମାର, ଉନ୍ମାଦ ଓ ଯୋଷାପସ୍ମାର ହୋଇଥିଲେ

ଡାଳିମ୍ବର କ୍ଵାଥ ପଚାଶଗ୍ରାମ ସହିତ ଗାଈଘିଅ ୧୦ ଗ୍ରାମ ଓ ମିଶ୍ରି ୧୦ ଗ୍ରାମ୍ ମିଶାଇ ସକାଳ ସଂଧ୍ୟାରେ ପାନ କରିବ କିମ୍ବା ବଚଚୂର୍ଣ୍ଣ ପାଞ୍ଚଗ୍ରାମ ସହିତ ଏକ କପ୍ ଉଷୁମ ବୁଧ ଗୋଳାଇ ଦୁଇବେଳା ଖାଇବ ।

ବିବିଧ ବାତ ରୋଗରେ

ବେଲପତ୍ର ରସ ୧୨ ଗ୍ରାମ, ଅଦାରସ ୧୨ଗ୍ରାମ୍, ସୈନ୍ଧବଲବଣ ୧ ଗ୍ରାମ୍ ଏକତ୍ର କରି ସକାଳ ଓ ସଂଧ୍ୟାରେ ଖାଲିପେଟରେ ସେବନକଲେ ବିଭିନ୍ନ ପ୍ରକାର ବାତ ରୋଗ ଶୀଘ୍ର ଆରୋଗ୍ୟ ହୋଇଥାଏ । ଏହାଦ୍ଵାରା ମୁଖ୍ୟତଃ କତିବିନ୍ଧା, ଗୋଡବିନ୍ଧା , ହାତବିନ୍ଧା କୋଷବିନ୍ଧା, ବେକବିନ୍ଧା ଗଣ୍ଠିବିନ୍ଧାଇତ୍ୟାଦି ଦୂର ହୋଇଥାଏ ।

ହାତପାଦ ଜଳାପୋଡା ହେଲେ

ସୋରିଷତେଲରେ ଲୁଣ ଓ ଲେମ୍ବୁ ମିଶାଇ ପାଦରେ ଘର୍ଷଣ କଲେ ଜଳାପୋଡା ଉପଶମ ହୁଏ କିମ୍ବା କପାମଞ୍ଜିର ତେଲକୁ ମାସିଲ କଲେ ବାତ ବେଦନା ବିନାଶ ହୁଏ । ଅଥବା ତିନିଗୋଟି ଦୁଦୁରା ମଞ୍ଜିକୁ ଶୁଖାଇ ଚୂର୍ଣ୍ଣକରି ତିନିଶହ ଗ୍ରାମ୍ ସୋରିଷ ତେଲରେ ପକାଇ ସୂର୍ଯ୍ୟକିରଣରେ ଦୁଇ ସପ୍ତାହ ରଖିବାପରେ ତୈଳ ଛାଣି ରଖିବେ । ଏହାକୁ ଯେକୌଣସି ବାତ ଯନ୍ତ୍ରଣାରେ ମାଲିସ କରି ଆରାମ ପାଇବେ ।

ପାଦଫଟା ଦେଖାଦେଲେ

ବରକ୍ଷୀର ଲଗାଇ ନିଆଁକୁ ଦେଖାଇବେ କିମ୍ବା ଜଡାତେଲରେ ଝୁଣା ଚୂର୍ଣ୍ଣ ମିଶାଇ ପାଦଫଟାରେ ମାଲିସ୍ କରି ନିଆଁକୁ  ଦେଖାଇଲେ ଲଭ ହୁଏ , ଅଥବା ନଡିଆତେଲ 10 ଗ୍ରାମ୍, ଚୁଆ 10 ଗ୍ରାମ୍, ଲହୁଣୀ 10 ଗ୍ରାମ, ଏକତ୍ର କରି ନିଆଁରେ ଫୁଟାଇ ରଖିବେ । ଦିନକୁ ଦୁଇଥର ପାଦଫଟାରେ ଲଗାଇଲେ ବିଶେଷ ସୁଫଳ ମିଳିଥାଏ ।

ବୟସ ଛଉ ହେଲେ

ଚାକୁଣ୍ଡା ମଞ୍ଜି ଓ ଝୁଣାକୁ କାଞ୍ଜି ସହିତ ବାଟି ଛଉ ସ୍ଥାନରେଲେପ ଦେଲେ ଭଲ ହୁଏ କଳରା ପାତ୍ର, ଲେମ୍ବୁରସ ଗୋଲମରିଚ ଏକତ୍ରା ବାଟି ଲେପଦେଲେ ବୟସଭଉ ଭଲ ହୁଏ ।

ପୋଡା, ଛେଚା, କଟା ଘା’ ପାଇଁ ଉତ୍କୃଷ୍ଟ ମଲମ

ଗୋଟିଏ ବଡ ମହମବତୀ ନେଇ ତା’ ଓଜନର ନଡିଆତେଲ ନେବେ । ଗୋଟିଏ ଲୁହାକଡେଇରେ ନଡିଆତେଲ ଓ ମହମବତୀ ପକାଇବେ । ତରଳିଗଲା ପରେ ନଡିଆତେଲ ଓଜନର ଗନ୍ଧକଚୁର୍ଣ୍ଣ ପକାଇ ଓହ୍ଲାଇ ପାଣ୍ଟି ରଖିବେ । ଏହାସବୁ ଘା’ର ଫଳପ୍ରଦ ଉତ୍ତମ ମଲମ ।

ପୋଡା ଘା’ରେ

ଘିକୁଆଁରୀ ରସ ଲଗାଇଲେ ଫୋଟକା ହୁଏ ନାହିଁ । କଞ୍ଚା ଆଲୁକୁ ବାଟି ଲେପଦେଲେ ଫୋଟକାହୁଏ ନାହିଁ । ପୋଡାସ୍ଥାନରେ କିରୋସିନ ବା ପେଟ୍ରୋଲ ସିଞ୍ଚନ କଲେ ଘା’ରେ ଫୋଟକା ହୁଏ ନାହିଁ । ଏହାପରେ ଅଶ୍ଵତଥ ଗଛର ଛେଲିକୁ ସୂକ୍ଷ୍ମ ଚୂର୍ଣ୍ଣ କରି ରନ୍ଧା ନଡିଆ ତେଲରେ ମିଶାଇ ମାଲିସ କରିବେ ।

କାଠବ୍ରଣ ଦେଖାଦେଲେ

ନିମ୍ବପତ୍ର ଓ ସୁନାରୀ ପତ୍ରକୁ ଏକତ୍ରବାଟି ଦେହରେ ମାଲିସ କରି ଘଣ୍ଟାଏ ପରେ ସ୍ନାନମାର୍ଜନ କଲେ  କାଠ ବ୍ରଣ ବିନାଶ  ହୋଇଥାଏ ।

କଣନଖା ଦେଖାଦେଇ ପାଚିଉଠିଲେ ବହୁ ଯନ୍ତ୍ରଣା ଦେଇଥାଏ

ଏହାର ସହଜ ଚିକତ୍ସାଗୁଡିକ ହେଲା- ଅଫିମକୁ କିରୋସିନି ମିଶାଇ ଲଗାଇଲେ ଆରାମ ମିଳିଥାଏ । କଣନଖାକୁ ପ୍ରଥମେ ଛୁରୀ ଦ୍ଵାରା ରାମ୍ପିଦେଇ ସେ ସ୍ଥାନରୁ ମଇଳା ବାହାର କରିବା ଏବଂ ଟାଙ୍ଗଣ ଖଇ ଚୂର୍ଣ୍ଣ ସେହି ସ୍ଥାନରେ ଲେପ ଦେବ । ଦୁଇ ଦିନରେ ଭଲ ହେବ ।

ଆଖିରେ ଆଲୁଅ ଉଠିଲେ

ଗୋଟିଏ ଲବଙ୍ଗକୁ ଜଳରେ ବାରଘଣ୍ଟା ଭେଦାଇ ସେହି ଲବଙ୍ଗକୁ ଘୋରି ଆଲୁଅରେ ମାଲିସକଲେ ଆଲୁଅ ବସିଯାଏ ବା ପାଚି ଫାଟିଯାଏ ।

ଆଖିରେ ପରଳ ଦେଖାଦେଲେ

ଦୃଷ୍ଟିଶକ୍ତି କମିଯାଏ । ତେଣୁ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ । ଯଥା – ମୂଳା ପତ୍ର ରସରେ ବିଶୁଦ୍ଧ ପଦ୍ମମଧୁ ମିଶାଇ ଚକ୍ଷୁରେ ଲଗାଇଲେ ପରଳ କଟିଯାଏ କିମ୍ବା ସେହି ପଦ୍ମମଧୁ ସହିତ ପିଆଜରସ ମିଶାଇ ଚକ୍ଷୁରେ ଲଗାଇଲେ ୪୫ ଦିନରେ ପରଳ ଆରୋଗ୍ୟ ହୁଏ ।

ମୁହଁରେ କଳାଦାଗ ଦେଖାଦେଲେ

ଖଣ୍ଡ ହଳଦୀକୁ ବାଟି ସେଥିରେ ଲେମ୍ବୁରସ ମିଶାଇ ମୁହଁରେ ଲଗାଇବେ । ରାତିରେ ଲଗାଇ ସକାଳୁ ମୁହଁ ଧୋଇଦେବା ଉଚିତ୍ । କିମ୍ବା ବରୁଣଛେଲିକୁ ଛେଳିଦୁଧ ସହିତ ବାଟି  ଲେପଦେଲେ ମୁହଁରୁ କଳାଦାଗ ଦୂର ହୁଏ ।

ମୁଖରେ ବ୍ରଣ ପାଚୁଥିଲେ

ନିମ୍ବପତ୍ର ଓ ହଳଦୀ ସମାନ ଭାଗରେ ବାଟି ଲେପଦେଲେ ବ୍ରଣ ଦୂର ହୁଏ । ରାତ୍ରି ଭୋଜନପରେ ତ୍ରିଫଳା ଚୂର୍ଣ୍ଣ ଏକ ଚାମଚ ଖାଇବା ଆବଶ୍ୟକ । ଅଣ୍ଡା, ଲୁଣିମାଛ, ଶୁଖୁଆ, ଖଟା ଆଚାର, ତେଲଛଣା ଖାଦ୍ୟ ଖାଇବେ ନାହିଁ ।

ଘଣ୍ଟିକା ବୃଦ୍ଧି ହୋଇ ଗଳାରେ କଷ୍ଟ ହେଲେ

ଅଦାରସ ସହିତ ମଧୁ ମିଶାଇ ଦୁଇବେଳା ପାନ କଲେ ଉପଶମ ହୁଏ । ଏହା ସହିତ ଲୁଣ ଏକ ଚାମଚ, ଖାଇବା ସୋଡା ଅଧଚାମଚ, ଫିଟିକିରି ୧ ଗ୍ରାମ୍ ମାତ୍ରାରେ ଏକ ଗ୍ଲାସ ପାଣିରେ ଫୁଟାଇ ଉଷୁମ ଥିବା ଅବସ୍ଥାରେ ଗଳାରେ ଧାରଣ କଲେ ବା କୁଳି ଘଣ୍ଟିକା ବୃଦ୍ଧି ବିନାଶ ହୁଏ ।

ସ୍ଵରଭଙ୍ଗ ହୋଇଥିଲେ

ମଧୁର କରିବାକୁ ଭାର୍ଗି, ଯଷ୍ଟିମଧୁ, ବଚ, ଶିଶୁ ପିପ୍ପଳୀ ଏହାକୁ ସମ ପରିମାଣରେ ନେଇ ଚୂର୍ଣ୍ଣ କରି ରଖିବେ । ପାଞ୍ଚଗ୍ରାମ୍ ମାତ୍ରାରେ ମହୁ ସହିତ ଦୁଇବେଳା ସେବନ କଲେ କଣ୍ଠ ସ୍ଵର ମଧୁର ହୋଇଥାଏ ।

ଥଣ୍ଡାଜନିତ ସର୍ଦ୍ଦି, କାଶ, ଦେହ ହାତ ବିନ୍ଧା ଓ ଥଣ୍ଡା ଜ୍ଵର ହେଲେ

୧୨ଟି କଳା ତୁଲସୀପତ୍ର, ୭ଟି ଗୋଲମରିଚ, ପାଞ୍ଚଗ୍ରାମ୍ ଶୁଣ୍ଠି, ଅଳ୍ପ ସୈନ୍ଧବ ଲବଣକୁ ଦୁଇ ଗ୍ଲାସ ଜଳରେ ସିଝାଇ ଅଧଗ୍ଲାସ ରହିଲେ ସେହି କ୍ଵାଥରେ ୨୫ ଗ୍ରାମ୍ ମିଶ୍ରି ମିଶାଇ ସକାଳ ଓ ସଂଧ୍ୟାରେ ପାନକଲେ ଉପରୋକ୍ତ ରୋଗ ଉପଶମ ହୋଇଥାଏ ।

କାଶ ଶ୍ଵାସ ରୋଗର

ବାସଙ୍ଗ ପତ୍ର ରସ ଦୁଇଚାମଚ ସହିତ ମହୁ ଏକ ଚାମଚ ମିଶାଇ ଦୁଇବେଳା ସେବନ କଲେ କାଶ ଖୁବ୍ ଶୀଘ୍ର ଭଲ ହୁଏ । ଏପରି କଫ ତରଲି ବାହାରିଥାଏ କିମ୍ବା ବାସଙ୍ଗପତ୍ର ତୁଲସୀପତ୍ର ଯଷ୍ଟିମଧୁ ପାନମାଧୁରୀ ଓ ଅଦାକୁ ସମାନ ଭାଗରେ ନେଇ ପାଞ୍ଚଗୁଣ ଜଳରେ ସିଝାଇ ଏକ ଚତୁର୍ଥାଂଶ ପାଚନ ରହିଲେ ଛାଣି ପଚାଶଗ୍ରାମ୍ ମାତ୍ରାରେ ଦୁଇ/ତିନି ବେଳା ସେବନ କଲେ ଭୟଙ୍କର ଦୁଃସାଧ୍ୟ କାଶ ଭଲ ହୋଇଥାଏ ।

ଅର୍ଶ ବା ପାଇଲସ

ମହାଲିମ୍ବ ଛାଲି ୫ ଗ୍ରାମ୍ ଗୋଲମରିଚ ୭ଟା ବାଟି ଚଲ୍ଲା ( ଦହିରେ) ମିଶାଇ ଖାଲିପେଟରେ ୭ ଦିନ ପିଇଲେ ବେଦନା ସହିତ ଅର୍ଶ କମିଯାଇଥାଏ ।

ସ୍ଵପ୍ନଦୋଷ, ଧାତୁ ଦୌର୍ବଲ୍ୟ ଓ ଶୁକ୍ରମେହ ପ୍ରଭୁତି ରୋଗରେ

  • ବାଇଡଙ୍କ ମଞ୍ଜି, ଗନ୍ଦ ଶିମୁଳୀ, କୋଇଲେଖା ମଞ୍ଜି, ଶତାବରୀ, ଭୂଇଁ କଖାରୁ, ଅଶ୍ଵଗନ୍ଧା ଆଦିର ଚୂର୍ଣ୍ଣ ଦିନକୁ ୩ ଥର କ୍ଷୀର ସହ ସେବନ କଲେ ଏହି ରୋଗ ଉପଶମ ହୋଇଥାଏ ।
  • ଅଶ୍ଵଗନ୍ଧା ଗୋକ୍ଷୁରା, ରଙ୍ଗକଇଁର କନ୍ଦାସମ ପରିମାଣ ନେଇ ସମ ପରିମାଣ ମିଶ୍ରି ସହ ୨/୩ ଚାମଚ ସକାଳେ ଓ ସଂଧ୍ୟାରେ ଖାଇଲେ ଏହି ରୋଗରୁ ଉପକାର ମିଳିଥାଏ ।

ପାଗଳାମି ବା ଇନସାନିଟି ରୋଗ ହୋଇଥିଲେ

  • ପୁରୁଣା ପାଣିକଖାରୁ ମଞ୍ଜି ୭ଟିକୁ ଜଳ ସହିତ ବାଟି ମହୁରେ ମିଶାଇ ତିନି ଦିନ ପର୍ଯ୍ୟନ୍ତ ଖାଇବାକୁ ଦେଲେ ପାଗଳାମି ରୋଗରୁ ଉପକାର ମିଳିଥାଏ ।
  • ଶ୍ଵେତ ସୋରିଷର ଚୂର୍ଣ୍ଣ ୧ ଗ୍ରାମ, ପୁରାତନ ଘୃତ ୪ ଗ୍ରାମ ଏକତ୍ର ମିଶାଇ ସେବନ କଲେ ଏହି ରୋଗ ଉପଶମ ହୋଇଥାଏ ।
  • ବ୍ରାହ୍ମୀ, ଶଙ୍ଖପୁଷ୍ଣି, କଟାମାଂସୀ, ସର୍ପଗନ୍ଧା ବା ପାତାଳ ଗରୁଡ ଚେରକୁ ସମ ପରିମାଣ ନେଇ ଚୂର୍ଣ୍ଣ କରି ୨ ଗ୍ରାମ ଲେଖାଏଁ ଦିନକୁ ୩ ଥର ଏହିଭଳି ରୋଗୀକୁ ସେବନ କରିବାକୁ ଦେଲେ ରୋଗୀର ରୋଗ ଉପଶମ ହୋଇଥାଏ ।

ଆଧାର - ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 5/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate