অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବାଣୁନାଶୀ

ଠିକ୍ ରୂପେ ପ୍ରୟୋଗ କରାଗଲେ, ଜୀବାଣୁନାଶୀ ଗୁଡିକ ଅତ୍ୟନ୍ତ ଉପକାରୀ ଓ ଦରକାରୀ  । ସୂକ୍ଷ୍ମ ଜୀବାଣୁ ମାନଙ୍କଦ୍ଵାରା ହାଉଥିବା କେତେକ ନିର୍ଦ୍ଧିଷ୍ଟ ପ୍ରକାରର ସଂକ୍ରମଣ ଓ ରୋଗ ବିରୁଦ୍ଧରେ ଏଗୁଡିକ କାର୍ଯ୍ୟ କରିଥାନ୍ତି  । ଅତି ଜଣାଶୁଣା କେତେକ ଜୀବାଣୁନାଶୀ ହେଉଛି ପେନିସିଲିନ୍, ଟେଟ୍ରାସାଇକ୍ଲିନ, ଆମ୍ପିସିଲିନ୍, ଆମୋକ୍ସାସିଲିନ୍, ଷ୍ଟ୍ରେପଟୋମାଇସିନ୍ କ୍ଲୋରମଫେନିକଲ୍ ଇତ୍ୟାଦି  । ଏହି ପୁସ୍ତକରେ ସଲଫା ବା ସଲ୍ ଫୋନାମାଇଡସ୍ ଆଦି ଔଷଧଗୁଡିକୁ ମଧ୍ୟ ଜୀବାଣୁନାଶୀ ରୂପେ ଗ୍ରହଣ କରାଯାଇଛି  ।

ବିଭିନ୍ନ ଜୀବାଣୁନାଶୀ ଭିନ୍ନଭିନ୍ନ ଉପାୟରେ ନିର୍ଦ୍ଧିଷ୍ଟ ସଂକ୍ରମଣର ପ୍ରତିରୋଧ କରିଥାନ୍ତି । ସମସ୍ତ ଜୀବାଣୁନାଶୀ ଗୁଡିକର ବ୍ୟବହାର ବିପଦଜନକ, କିନ୍ତୁ କେତେକ ଜୀବାଣୁନାଶୀ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବିପଦଜନକ । ସଠିକ୍ ଜୀବାଣୁନାଶୀ ବାଛିବା ଓ ପ୍ରୟୋଗ କରିବାରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ  ।

ବିଭିନ୍ନ ପ୍ରକାର ଜୀବାଣୁନାଶୀ ରହିଛି ଓ ପ୍ରତ୍ୟକ ଜୀବାଣୁନାଶୀ ବିଭିନ୍ନ ନାଁରେ  ବିକ୍ରୀ କରାଯାଉଛି  । ଏହା ଅନେକ ସମୟରେ ଦ୍ଵନ୍ଦରେ ପକାଇଥାଏ  ସେ ଯାହା ବି ହେଉ, ଅତି ଗୁରୁତ୍ୱପୂର୍ଣ୍ଣ ଜୀବାଣୁନାଶୀ ଗୁଡିକୁ କେତୋଟି ପ୍ରଧାନ ବିଭାଗରେ ବିଭକ୍ତ କରାଯାଇଛି  ।

ଜୀବାଣୁନାଶୀ ଶ୍ରେଣୀ

ନିର୍ଦ୍ଧିଷ୍ଟ ନାଁ ଗୁଡିକର ଉଦାହରଣ

ପେନିସିଲିନ୍

ଭେରିପେନ୍

ଆମୋକ୍ସିସିଲିନ୍

ଆମୋକ୍ସିଭାନ୍

ଟେଟ୍ରାସାଇକ୍ଲିନ୍

ଟେରାମାଇସିନ୍

ସଲ୍ ଫୋନାମାଇଡସ୍

ଓରିଶଲ୍

କୋଟ୍ରାଇମୋକ୍ସାଜୋଲ୍

ବ୍ୟାକଟ୍ରିମ୍

କ୍ଲୋରମଫେନିକାଲ୍

କ୍ଳୋରୋମାଇସେଟିନ୍

ଏରିଥ୍ରୋମାଇସିନ୍

ଏରିଥ୍ରୋସିନ୍

ଆମ୍ପିସିଲିନ୍ସ

ଆମ୍ପିଲିନ୍

ଷ୍ଟ୍ରେପଟୋମାଇସିନ୍

ଆମ୍ବିଷ୍ଟ୍ରିନ-ଏସ୍

ସେଫାଲୋସ୍ପୋରିନ୍ସ ଓ ଆମୋକ୍ସିସିଲିନ୍

ସେପୋରନ୍, ସେଫେକ୍ସିନ

ଟିପ୍ପଣୀ- ଆମ୍ପିସିଲିନ୍, ପେନିସିଲିନ୍ ଶ୍ରେଣୀ ଅନ୍ତର୍ଭୁକ୍ତ  ।କିନ୍ତୁ ଏହା ଅନ୍ୟାନ୍ୟ ସାଧାରଣ ପେନିସିଲିନ୍ ଅପେକ୍ଷା ଅଧିକ ଶ୍ରେଣୀର ଜୀବାଣୁନାଶକ ଅଟେ  ।

ଯଦି ଆପଣଙ୍କ ନିକଟରେ କୌଣସି ଗୋଟିଏ କମ୍ପାନୀନାଁର ଜୀବାଣୁନାଶୀ ଅଛି, କିନ୍ତୁ ତାହା କେଉଁ ଶ୍ରେଣୀର ଔଷଧ ଆପଣ ଜାଣିନାହାଁନ୍ତି, ତେବେ ଔଷଧ ଡବା ବା ଶିଶି ଉପରେ ଥିବା ସୂକ୍ଷ୍ମ ଓ କ୍ଷୁଦ୍ର ଲେଖାକୁ ପଢନ୍ତୁ  । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପାଖରେ ପାରାକସିନ୍ ‘ଏସ’ ଅଛି, କିନ୍ତୁ ଏଥିରେ କେଉଁ ଶ୍ରେଣୀର ଔଷଧ ରହିଛି ଆପଣ ଜାଣନ୍ତି ନାହିଁ, ତେବେ ଡବା ଉପରେ ଅତି ଛୋଟ ଅକ୍ଷରର ଲେଖାକୁ ପଢିଲେ ଜାଣିବେ ଯେ ତାହା ‘କ୍ଲୋରମଫେନିକଲ୍’  ।

ସବୁଜ ପୃଷ୍ଠାର କ୍ଲୋରମଫେନିକଲ୍ ଦେଖନ୍ତୁ  । ଆପଣ ଜାଣିବାକୁ ପାଇବେ ଯେ ଏହି ଔଷଧ କେତେକ ଗୁରୁତର ଅସୁସ୍ଥତା, ଯଥା- ଟାଇଫଏଡ ଭଳି ରୋଗ ପାଇଁ ଉଦ୍ଦିଷ୍ଟ ଏବଂ ଏହା ନବଜାତ ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ  ।

ଜୀବାଣୁନାଶୀର ନିର୍ଦ୍ଧିଷ୍ଟ ଗୁଣ ଓ ପ୍ରୟୋଗ ନଜାଣି ବ୍ୟବହାର କରନ୍ତୁ ନାହିଁ, ଏହା କେଉଁ ରୋଗକୁ କାଟୁ କରେ ଜାଣି, ଏହାର ଯଥାର୍ଥ ମାତ୍ରା ଓ ଉପଯୁକ୍ତ ସତର୍କତା ଅବଲମ୍ବନ କରି, ଏହାକୁ ନିର୍ଭୟରେ ପ୍ରୟୋଗ କରନ୍ତୁ ।

ଜୀବାଣୁନାଶୀଗୁଡିକର ବ୍ୟବହାର, ମାତ୍ରା, ସତର୍କତା ଇତ୍ୟାଦି ବିଷୟରେ, ଏହି ପୁସ୍ତକର ସବୁଜ ପୃଷ୍ଠାମାନଙ୍କରେ, ଆବଶ୍ୟକୀୟ ତଥ୍ୟ ଦିଆଯାଇଛି  ।

ପ୍ରତ୍ୟେକ ଜୀବାଣୁନାଶୀର ବ୍ୟବହାର ବିଧାନ

  1. ଜୀବାଣୁନାଶୀର ସଠିକ୍ ବ୍ୟବହାର ଓ କେଉଁ ସଂକ୍ରମଣକୁ କେଉଁ ଜୀବାଣୁନାଶୀ କାଟୁକରେ, ତାହା ନ ଜାଣି ଜୀବାଣୁନାଶୀ ପ୍ରୟୋଗ କରନ୍ତୁ ନାହିଁ  ।
  2. ଯେଉଁ ସଂକ୍ରମଣ ପାଇଁ ଯେଉଁ ଜୀବାଣୁନାଶୀ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଥାଏ, ତାହାହିଁ ବ୍ୟବହାର କରନ୍ତୁ  ।
  3. ଜୀବାଣୁନାଶୀ ବ୍ୟବହାର ଜନିତ ବିପଦ ଜାଣି ରଖନ୍ତୁ ଓ ପରାମର୍ଶ ଅନୁଯାୟୀ ସମସ୍ତ ପୂର୍ବସତର୍କତା ଅବଲମ୍ବନ କରନ୍ତୁ  ।
  4. ରୋଗୀର ଅସୁସ୍ଥତା, ବୟସ ଓ ଓଜନ ଅନୁଯାୟୀ ଜୀବାଣୁନାଶୀର ମାତ୍ରା ନିର୍ଣ୍ଣୟ କରାଯାଇଥାଏ  । ତେଣୁ ପରାମର୍ଶ ଦିଆଯାଇଥିବା ମାତ୍ରା ଅନୁଯାୟୀ ଏହାର ବ୍ୟବହାର କରନ୍ତୁ, ବେଶୀ କିମ୍ବା କମ୍ ବ୍ୟବହାର କରନ୍ତୁ ନାହିଁ  ।
  5. ଜୀବାଣୁନାଶୀ ବଟିକା ଖାଇବାପାଇଁ ସକ୍ଷମ ଥିଲାବେଳେ, ତାର ଇଞ୍ଜେକ୍ସନ ଆଦୌ ବ୍ୟବହାର କରନ୍ତୁ ନାହିଁ  । ଅତି ଦରକାର ହେଲେ ଏହାର ଇଞ୍ଜେକ୍ସନ ବ୍ୟବହାର କରନ୍ତୁ  ।
  6. ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବା ପର୍ଯ୍ୟନ୍ତ ବା ଜ୍ଵର ବା ସଂକ୍ରମଣର ଅନ୍ୟାନ୍ୟ ଲକ୍ଷଣ ଛାଡିଯିବାର ଦୁଇଦିନ ପର୍ଯ୍ୟନ୍ତ ଜୀବାଣୁନାଶୀର ପ୍ରୟୋଗ ଅବ୍ୟାହତ ରଖନ୍ତୁ  । (ଯକ୍ଷ୍ମା ଓ କୁଷ୍ଠ ପରି କେତେକ ରୋଗର ଚିକିତ୍ସା, ରୋଗୀକୁ ଭଲ ଲାଗିବାର କେତେମାସ ବା ବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରଖାଯାଏ  । ପ୍ରତ୍ୟେକ ରୋଗ ପାଇଁ ଦିଆଯାଇଥିବା ଉପଦେଶ ଦେଖନ୍ତୁ)  । ଆବଶ୍ୟକ ଅନୁଯାୟୀ ଜୀବାଣୁନାଶୀ ଚିକିତ୍ସା ନ ନେଲେ ଜୀବାଣୁର ଶକ୍ତି ବଢିଯାଏ ଓ ଔଷଧ କାମ କରେ ନାହିଁ  ।
  7. ଯଦି ଜୀବାଣୁନାଶୀ ବ୍ୟବହାର କରିବାଦ୍ଵାରା ଚରମ ଫଳିଫଳି ଯାଏ, କୁଣ୍ଡେଇ ହୁଏ ବା ଶ୍ଵାସକ୍ରିୟାବେଳେ କଷ୍ଟହୁଏ, ତେବେ ଉକ୍ତ ଜୀବାଣୁନାଶୀର ବ୍ୟବହାର ବନ୍ଦ କରିଦିଅନ୍ତୁ ତାହାକୁ କେବେ ବି ପୁନର୍ବାର ବ୍ୟବହାର କରନ୍ତୁ ନାହିଁ  ।
  8. ଆବଶ୍ୟକ କ୍ଷେତ୍ରରେ ଜୀବାଣୁନାଶୀ ବ୍ୟବହାର କରନ୍ତୁ  । ଅତ୍ୟଧିକଭାବେ ବ୍ୟଭାର କରାଗଲେ ସେମାନଙ୍କର କାର୍ଯ୍ୟକ୍ଷମତା କମିଯାଏ  ।
  9. ନିର୍ଦ୍ଧିଷ୍ଟ ମାତ୍ରାରେ ମିଶ୍ରିତ ଔଷଧ ବ୍ୟବହାର କରନ୍ତୁ ନାହିଁ, ସବୁବେଳେ ଗୋଟିଏ ଜୀବାଣୁନାଶୀ ଥିବା ଔଷଧ ବ୍ୟବହାର କରନ୍ତୁ (ଟ୍ରାଇମେଥୋପ୍ରିମ୍ ଓ ସଲଫା ମେଥୋକ୍ସାଜୋଲ୍ ବ୍ୟତୀତ)  ।

ଦ୍ରଷ୍ଟବ୍ୟ- ଅଧିକାଂଶ ଜୀବାଣୁନାଶୀ ସ୍ୟୁଡଲ ‘X’ ଅନ୍ତର୍ଗତ, ଯାହା ଅର୍ଥ ଏହା କେବଳ ଡାକ୍ତରଙ୍କ ବ୍ୟବସ୍ଥାପତ୍ର ଅନୁସାରେ ବିକ୍ରି ହେବ

କେତେକ ନିର୍ଦ୍ଧିଷ୍ଟ ଜୀବାଣୁନାଶୀର ବ୍ୟବହାର ବିଧାନ

  1. ପେନିସିଲିନ୍ ବା ଆମ୍ପିସିଲିନ୍ ଇଞ୍ଜେକ୍ସନ ଦେବାବେଳେ ଉପୁଜୁଥିବା ଅନୁର୍ଜତାକୁ ରୋକିବାପାଇଁ ଏସବୁ ଇଞ୍ଜେକ୍ସନ ଦେବାପୂର୍ବରୁ ଆଡ୍ରେନାଲିନ୍ (ଏପିନେଫ୍ରାଇନ) ଇଂଜେକସନ ପ୍ରସ୍ତୁତ କରି ରଖନ୍ତୁ  । ଦେଉଥିବା ଇଞ୍ଜେକ୍ସନକୁ ଦେହ ସହିପାରୁଛି କି ନାହିଁ (ଯାହାକୁ ସମ୍ବେଦନଶୀଳତା ପରୀକ୍ଷା କୁହାଯାଏ) ତାହାପାଇଁ ମଧ୍ୟ ଆଡ୍ରେନାଲିନ୍ ପ୍ରସ୍ତୁତ କରି ରଖନ୍ତୁ  । ଏହା ଉକ୍ତ ପରୀକ୍ଷା ପୂର୍ବରୁ ବା ପରେ ଦରକାର ହୋଇପାରେ  । ଏହି ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀକୁ ଅନୁର୍ଜତାର ଲକ୍ଷଣ ପ୍ରତି ସତର୍କ ରହିବାକୁ କୁହନ୍ତୁ ଓ ଯଦି ଅନୁର୍ଜତା ଦେଖାଯାଏ ତେବେ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ  ।
  2. ଯେଉଁମାନଙ୍କର ପେନିସିଲିନ୍ ପ୍ରତି ଅନୁର୍ଜତା ଥାଏ, ସେମାନଙ୍କଠାରେ ଏରିଥ୍ରୋମାଇସିନ୍ ବା ସଲଫା ପ୍ରଭୃତି ଜୀବାଣୁନାଶୀ ପ୍ରୟୋଗ କରନ୍ତୁ  ।
  3. ଯେଉଁ ରୋଗଗୁଡିକ ପେନିସିଲିନ୍ ବା କମ୍ ପ୍ରଭାବଶାଳୀ ଜୀବାଣୁନାଶୀଦ୍ଵାରା ନିୟନ୍ତ୍ରଣ କରାଯାଇପାରିବ, ସେସବୁ କ୍ଷେତ୍ରରେ ଟେଟ୍ରାସାଇକ୍ଲିନ ବା ଅନ୍ୟ କୌଣସି ଅଧିକ ପ୍ରଭାବଶାଳୀ ଜୀବାଣୁନାଶୀ ପ୍ରୟୋଗ କରନ୍ତୁ ନାହିଁ ଗର୍ଭବତୀ ମହିଳା ଓ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟେଟ୍ରାସାଇକ୍ଲିନ ଦିଅନ୍ତୁ ନାହିଁ  ।
  4. ନୀତିଗତଭାବେ କେବଳ ଟାଇଫଏଡ ପାଇଁ କ୍ଲୋରମଫେନିକଲ୍ ବ୍ୟବହାର କରନ୍ତୁ  । ଏହା ଏକ ବିପଦଜନକ ଔଷଧ  । ସାଧାରଣ ଅସୁସ୍ଥତା ପାଇଁ ଓ ନବଜାତ ଶିଶୁମାନଙ୍କ ପ୍ରତି ଏହାକୁ ଆଦୌ ପ୍ରୟୋଗ କରନ୍ତୁ ନାହିଁ  ।
  5. ଟେଟ୍ରାସାଇକ୍ଲିନ ବା କ୍ଲୋରମଫେନିକଲ୍ କୁ ଇଞ୍ଜେକ୍ସନ ରୂପେ ଆଦୌ ବ୍ୟବହାର କରନ୍ତୁ  ନାହିଁ । ଏହାର ବଟିକା ଖାଇବା ଅଧିକ ନିରାପଦ, କମ୍ କଷ୍ଟଦାୟକ ଓ ଇଞ୍ଜେକ୍ସନ ପରି ବା ତା’ଠାରୁ ଅଧିକ କାମ ଦେଇଥାଏ  ।
  6. ଚାରିମାସର ଗର୍ଭବତୀ ମହିଳାଙ୍କୁ ବା ଛ’ ବର୍ଷରୁ କମ୍ ଶିଶୁମାନଙ୍କୁ ଟେଟ୍ରାସାଇକ୍ଲିନ୍  ଦିଅନ୍ତୁ ନାହିଁ।
  7. ଷ୍ଟ୍ରେପଟୋମାଇସିନ୍ ବା ସେହି ଉପାଦାନ ଥିବା ଅନ୍ୟାନ୍ୟ ଔଷଧ ସହିତ ସବୁବେଳେ ଅନ୍ୟ ଏକ ଯକ୍ଷ୍ମା ପ୍ରତିରୋଧ ଔଷଧ ମିଶାଇ କେବଳ ଯକ୍ଷ୍ମା ପାଇଁ ବ୍ୟବହାର କରନ୍ତୁ  । ଆମ୍ପିସିଲିନ୍ ନ ମିଳିଲେ ଷ୍ଟ୍ରେପଟୋମାଇସିନ୍ ଓ ପେନିସିଲିନ୍ ମିଶ୍ରିତ ଔଷଧ ଅନ୍ତ୍ରରେ ଗଭୀର କ୍ଷତ, ଆପେଣ୍ଡିସାଇଟସ୍ ଓ ଅନ୍ୟାନ୍ୟ ସଂକ୍ରମଣକୁ ଭଲ କରାଯାଇପାରିବ  । କିନ୍ତୁ ଥଣ୍ଡା, ଥଣ୍ଡାଜ୍ଵର ଓ ସାଧାରଣ ଥଣ୍ଡାଜ୍ଵର ସଂକ୍ରମଣରେ କେବେ ବି ବ୍ୟବହାର କରିବା ଉଚିତ୍ ନୁହେଁ  ।
  8. ଘା’ ଓ ଖଣ୍ଡିଆ ସ୍ଥାନରେ ପେନିସିଲିନ୍ ମଲମ ବା ପାଉଡର ବ୍ୟବହାର କରନ୍ତୁ ନାହିଁ  । ଏହା ହୁଏତ ଲୋକଠାରେ ପେନିସିଲିନ୍ ପ୍ରତି ଅନୁର୍ଜତା ସୃଷ୍ଟି କରିପାରେ  । ହୁଏତ ତାଙ୍କର ପେନିସିଲିନ୍ ପାଇଁ ପ୍ରତିରୋଧ ଶକ୍ତି ବଢିଯାଇପାରେ  ଓ ପରବର୍ତ୍ତୀ ସମୟରେ ସାମାନ୍ୟ ରୋଗପାଇଁ ସେ ହୁଏତ ଶକ୍ତିଶାଳୀ ଓ ଦାମିକିଆ ଔଷଧ ଦରକାର କରିପାରନ୍ତି  ।
  9. ଷ୍ଟ୍ରେପଟୋମାଇସିନ୍ ଗୋଷ୍ଠୀର ସମସ୍ତ ଔଷଧ ବିଷାକ୍ତ ଅଟନ୍ତି ଯଥା – କାନାମାଇସିନ୍ ଓ ଜେଣ୍ଟାମାଇସିନ୍  । ତେଣୁ ସାଧାରଣ ସଂକ୍ରମଣରେ ଏହି ସବୁ ଔଷଧ ଦିଅନ୍ତୁ ନାହିଁ  । କାରଣ ଏହା ଶରୀର ପ୍ରତି ଲାଭ କରିବା ଅପେକ୍ଷା ଅଧିକ କ୍ଷତି କରିଥାଏ  । ବଡ ଧରଣର ସଂକ୍ରମଣ କ୍ଷେତ୍ରରେ ଓ ନିର୍ଦ୍ଧିଷ୍ଟ ରୋଗରେ ଏହାକୁ ବ୍ୟବହାର କରାଯାଏ  । ସାଧାରଣ ନିୟମ ପରି ଯକ୍ଷ୍ମା ପାଇଁ ଷ୍ଟ୍ରେପଟୋମାଇସିନ୍ ବ୍ୟବହାର କରନ୍ତୁ  । ଏଥି ସହିତ ଅନ୍ୟ ଯକ୍ଷ୍ମା ବିରୋଧୀ ଔଷଧ ଏକତ୍ର ବ୍ୟବହାର କରନ୍ତୁ  ।
  10. ଆମ୍ପିସିଲିନ ଭଳି କେତେକ ଜୀବାଣୁନାଶୀ ଅନ୍ତ୍ରନଳୀର କେତେକ ଦରକାରୀ ଜୀବାଣୁକୁ ମାରିଦେଇଥାନ୍ତି  । ତେଣୁ ଶରୀରକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଏହି ଔଷଧକୁ ଖାଇଲା ପରେ ଘୋଳଦହି ସେବନ କରିବା ଉଚିତ୍ ।

ଜୀବାଣୁନାଶୀ ବିଫଳ ହେଲେ କ’ଣ କରାଯିବ

ଅଧିକାଂଶ ସାଧାରଣ ସଂକ୍ରମଣ କ୍ଷେତ୍ରରେ ଜୀବାଣୁନାଶୀ ଦିନେ ବା ଦୁଇଦିନ ମଧ୍ୟରେ ଫଳପ୍ରଦ ହୋଇଥାଏ, ଯଦି ଆପଣ ବ୍ୟବହାର କରୁଥିବା ଜୀବାଣୁନାଶୀ ଦ୍ଵାରା କୌଣସି ଫଳ ନ ମିଳିଲା, ତେବେ ସମ୍ଭବତଃ –

  1. ଆପଣ ଏହାକୁ ଯେଉଁ ରୋଗ ବୋଲି ଭାବିଛନ୍ତି, ଏହା ସେହି ରୋଗ ନୁହେଁ  । ଆପଣ ହୁଏତ ଭୂଲ୍ ଔଷଧ ପ୍ରୟୋଗ କରିଛନ୍ତି, ତେଣୁ ସଠିକ୍ ରୂପେ ରୋଗଟିକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ ଓ ଠିକ୍  ଔଷଧ ବ୍ୟବହାର କରନ୍ତୁ  ।
  2. ଜୀବାଣୁନାଶୀ ମାତ୍ରା ଠିକ୍ ନୁହେଁ  । ତେଣୁ ଏହା ପରଖି ନିଅନ୍ତୁ   ।
  3. ବ୍ୟବହାର କରାଯାଉଥିବା ଜୀବାଣୁନାଶୀ ପ୍ରତି ଜୀବାଣୁମାନଙ୍କର ପ୍ରତିରୋଧକଶକ୍ତି ବଢିଗଲାଣି (ସେମାନଙ୍କୁ ଏହା ଆଉ କାଟୁ କରୁନାହିଁ) ପରାମର୍ଶ ଅନୁଯାୟୀ ସେହି ରୋଗପ୍ରତି ଆଉ ଏକ ଜୀବାଣୁନାଶୀ ପ୍ରୟୋଗ କରନ୍ତୁ   ।
  4. ରୋଗର ଚିକିତ୍ସା କରିବାପାଇଁ ଆପଣଙ୍କର ଜ୍ଞାନ ଯଥେଷ୍ଟ ନୁହେଁ  । ତେଣୁ ଡାକ୍ତରୀ ସାହାଯ୍ୟ ନିଅନ୍ତୁ, ବିଶେଷକରି ଯଦି ଅବସ୍ଥା ଅଧିକ ଖରାପ ଆଡକୁ ଗତିକରୁଥାଏ ବା ରୋଗ ଚରମ ଅବସ୍ଥାରେ ପହଞ୍ଚିଥାଏ   ।

ଜୀବାଣୁନାଶୀର କ୍ଷତିକାରକ ବିଶେଷତ୍ଵ

ପ୍ରତ୍ୟକ ଔଷଧର ପ୍ରୟୋଗ ସୀମିତ ହେବା ଉଚିତ୍  । ବିଶେଷକରି ଜୀବାଣୁନାଶୀ ପ୍ରୟୋଗ କ୍ଷେତ୍ରରେ, ନିମ୍ନଲିଖିତ କାରଣଗୁଡିକ ଯୋଗୁଁ, ଏହା ଅଧିକ ସତ୍ୟ   ।

  1. ବିଷକ୍ରିୟା ଓ ପ୍ରତିକ୍ରିୟା
  2. ଜୀବାଣୁନାଶୀ କେବଳ ବୀଜାଣୁମାନଙ୍କୁ ନଷ୍ଟ କରେ ନାହିଁ, ବରଂ ଶରୀରରେ ବିଷକ୍ରିୟା କରି ଅଥବା ଅନୁର୍ଜତା ସୃଷ୍ଟି କରାଇ ଶରୀରର କ୍ଷତି କରିଥାଏ। ଦରକାର ନ ଥାଇ ଜୀବାଣୁନାଶୀ ବ୍ୟବହାର କରି ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁ ବରଣ କରଥାନ୍ତି।

  3. ପ୍ରାକୃତିକ ଭାରସାମ୍ୟତାର ବିପର୍ଯ୍ୟୟ
  4. ଦେହ ଭିତରର ସମସ୍ତ ବୀଜାଣୁ କ୍ଷତିକାରକ ନୁହଁନ୍ତି  । ସାଧାରଣଭାବେ କାର୍ଯ୍ୟକ୍ଷମ କରାଇବା ପାଇଁ କେତେକ ବୀଜାଣୁଙ୍କର ଆବଶ୍ୟକତା ରହିଛି  । ଅଧିକାଂଶ ସମୟରେ ଜୀବାଣୁନାଶୀ, ହାନିକାରକ ବୀଜାଣୁଙ୍କ ସହିତ, ସାହାଯ୍ୟକାରୀ ବୀଜାଣୁଙ୍କୁ ମଧ୍ୟ ନଷ୍ଟ କରିଦିଏ  । କେତେକ କ୍ଷେତ୍ରରେ ଛୁଆମାନଙ୍କୁ ଜୀବାଣୁନାଶୀ ଦିଆଯିବାଦ୍ଵାରା ସେମାନଙ୍କ ପାଟି ଭିତରେ ଧଳାଧଳା ଛତୁଜାତୀୟ ସଂକ୍ରମଣ ଦେଖାଯାଇଥାଏ  । ଏହା ଜିଭରେ ଛତିଆ ବସିବା ପରି ଦେଖାଯାଏ  । କାରଣ ଛତୁଜାତୀୟ ସଂକ୍ରମଣକୁ ନିୟନ୍ତ୍ରଣ କରୁଥିବା ବୀଜାଣୁମାନଙ୍କୁ ଜୀବାଣୁନାଶୀ ନଷ୍ଟ କରିଦିଏ  ।

    ସେହି କାରଣରୁ ହିଁ ଜଣେ ଯଦି ଆମ୍ପିସିଲିନ୍ ବା ଅନ୍ୟାନ୍ୟ ଅଧିକ ପ୍ରଭାବଶାଳୀ ଶାକାଣୁନାଶୀ ଅନେକ ଦିନ ଧରି ବ୍ୟବହାର କରନ୍ତି, ତାଙ୍କୁ ହୁଏତ ତରଳଝାଡା ହୋଇପାରେ । ଜୀବାଣୁନାଶୀ ହୁଏତ ହଜମରେ ସାହାଯ୍ୟ କରୁଥିବା ବୀଜାଣୁଙ୍କୁ ମାରିଦେଇପାରେ, ଯାହାଦ୍ୱାରା କି କ୍ଷ୍ୟୁଦ୍ରାନ୍ତ୍ରରେ ଥିବା ବୀଜାଣୁଙ୍କର ପ୍ରାକୃତିକ ଭାରସାମ୍ୟତା ନଷ୍ଟ ହୋଇଥାଏ ଓ ଫଳରେ ତରଳଝାଡା ହୋଇଥାଏ  ।

  5. ଚିକିତ୍ସାକୁ ପ୍ରତିରୋଧ କ୍ଷମତା
  6. ଦୀର୍ଘକାଳୀନ ଭିତ୍ତିରେ, ପ୍ରତିଜୀବାଣୁନାଶୀର ସୀମିତ ପ୍ରୟୋଗର କାରଣ ହେଉଛି, ଜୀବାଣୁନାଶୀ ବ୍ୟବହାର ଅଧିକ ହେଲେ, ତାହାର ପ୍ରଭାବ କମିଯାଏ  । ଯେତେବେଳେ ଏକପ୍ରକାର ଜୀବାଣୁନାଶୀର ବୀଜାଣୁ ମାରିବାପାଇଁ ଥରକୁଥର ପ୍ରୟୋଗ କରାଯାଏ, ସେ କ୍ଷେତ୍ରରେ ବୀଜାଣୁଗୁଡିକ ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି ଏବଂ ଏପରିକି ଶେଷକୁ ନଷ୍ଟ ବି ହୁଅନ୍ତି ନାହିଁ   । ସେମାନେ ସେହି ପ୍ରତିଜୀବାଣୁର ପ୍ରତିରୋଧ କରିବାକୁ ସକ୍ଷମ ହୋଇଯାଆନ୍ତି  । ସେହି କାରଣରୁ ଟାଇଫଏଡ ପରି କେତେକ ରୋଗର ଚିକିତ୍ସା ଆଗ ଅପେକ୍ଷା ଅଧିକ କଷ୍ଟକର ହୋଇଯାଉଛି  ।

    କେତେକ ସ୍ଥାନରେ ଟାଇଫଏଡର ବୀଜାଣୁ, ଏହି ରୋଗର ସର୍ବୋତ୍କୃଷ୍ଟ ଔଷଧ କ୍ଲୋରମଫେନିକଲ୍ ପ୍ରତିରୋଧି ହୋଇଗଲାଣି  । ଏବେ ପୃଥିବୀ ସାରା ସାଧାରଣ ସଂକ୍ରମଣରେ ଯେଉଁଠି ଅନ୍ୟ ଜୀବାଣୁନାଶୀମାନେ ନିରାପଦ ଓ ଭଲ କାମ କରିବେ  କିମ୍ବା ଯେଉଁରୋଗ ପାଇଁ ଆଦୌ ଜୀବାଣୁନାଶୀ ଦରକାର ନାହିଁ ସେଠି ମଧ୍ୟ ଅଯଥାରେ କ୍ଲୋରମଫେନିକଲ୍ ବ୍ୟବହାର କରାଯାଉଛି  । ଅତି ସାମାନ୍ୟ ସଂକ୍ରମଣ ପାଇଁ ଜୀବାଣୁନାଶୀର ବହୁଳ ପ୍ରୟୋଗ ହେତୁ, କେତେକ ବିଶେଷ ରୋଗର ବୀଜାଣୁ ଜୀବାଣୁନାଶୀ ବା ପ୍ରତିଜୀବାଣୁ ପ୍ରତିରୋଧି ହୋଇଗଲାଣି  । କାରଣ ଅତି ସାଧାରଣ ସଂକ୍ରମଣରେ ମଧ୍ୟ ଜୀବାଣୁନାଶୀକୁ ଅଯଥାରେ ବ୍ୟବହାର କରାଯାଉଛି  । ସଂପ୍ରତି ବ୍ୟବହାର କରାଯାଉଥିବା ମାତ୍ରାକୁ ସୀମିତ କରାଗଲେ ହିଁ ଜୀବନ ରକ୍ଷାପାଇଁ ପ୍ରତିଜୀବାଣୁର ବ୍ୟବହାର ଚାଲୁରହିପାରିବ  । ଏହା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଲୋକମାନଙ୍କର ବିଜ୍ଞ ବ୍ୟବହାର ଉପରେ ନିର୍ଭର କରେ  ।

    ଅତି ସାଧାରଣ ସଂକ୍ରମଣ ପାଇଁ ପ୍ରତିଜୀବାଣୁର ପ୍ରୟୋଗ ଅନାବଶ୍ୟକ ଓ ଅନୁଚିତ ମଧ୍ୟ  । ସାବୁନ ଓ ପାଣି, ଗରମ ସେକ, ଜେନସିଆନ  ଭାଓଲେଟ ର ଲେପନ ଇତ୍ୟାଦି ଦ୍ଵାରା ସାଧାରଣ ଚରମ ସଂକ୍ରମଣର ଚିକିତ୍ସା କରାଯାଇ ସାଧାରଣ ସଂକ୍ରମଣର ଚିକିତ୍ସା କରାଯାଇ ପାରିବ  । ପ୍ରଚୁର ପରିମାଣର ତରଳପଦାର୍ଥ ପିଇବା, ଭଲ ଖାଦ୍ୟ ଖାଇବା ଓ ପ୍ରଚୁର ବିଶ୍ରାମ ନେବା ଦ୍ଵାରା ଶ୍ଵାସକ୍ରିୟା ସମ୍ବନ୍ଧୀୟ ସାଧାରଣ ସଂକ୍ରମଣର ଚିକିତ୍ସା କରାଯାଇପାରିବ  । ଅଧିକାଂଶ ତରଳଝାଡା ପାଇଁ ପ୍ରତିଜୀବାଣୁର ଆବଶ୍ୟକତା ଆଦୌ ନାହିଁ, ବରଂ ଏହା ହାନିକାରକ, ପ୍ରଚୁର ତରଳପଦାର୍ଥ ପିଇବା ଓ ଇଚ୍ଛାକଲାମାତ୍ରେ ଶିଶୁକୁ ଯଥେଷ୍ଟ ଖାଦ୍ୟ ଖାଇବାକୁ ଦେବା, ଏ କ୍ଷେତ୍ରରେ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ  ।

    ଶରୀର ଆପେ ଆପେ ଯେଉଁସବୁ ସଂକ୍ରମଣର ମୁକାବିଲା ସୁଚାରୁରୂପେ କରିପାରିବେ, ସେ ପାଇଁ ପ୍ରତିଜୀବାଣୁ ପ୍ରୟୋଗ କରନ୍ତୁ ନାହିଁ  । ଅତ୍ୟାବଶ୍ୟକ ସମୟରେ ବ୍ୟବହାର କରିବା ପାଇଁ ଅପେକ୍ଷା କରନ୍ତୁ ।

    ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate