অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରେଜିଷ୍ଟାଣ୍ଟ ହାଇପରଟେନସନ୍

ଉଚ୍ଚ ରକ୍ତଚାପ

ରକ୍ତଚାପ ଯଦି ୧୪୦/୯୦ରୁ ଅଧିକ ରହେ ତେବେ ଏହାକୁ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍  କୁହାଯାଏ  । ଏହା ଦୀର୍ଘଦିନ ଧରି ଲାଗି ରହିଲେ ଏଏବ୍ମ ଚିକିତ୍ସା କରାନଗଲେ ଧମନୀଗୁଡିକର କାନ୍ଥ ଟାଣ ହୋଇଯାଏ  । ଏହାକୁ କହନ୍ତି ‘ଆଥେରୋସ୍ଲେରୋସିସ୍’  । ଏହି ସମସ୍ୟା ଯୋଗୁ ହୃଦଘାତ, ମସ୍ତିଷ୍କଘାତ, ପକ୍ଷାଘାତ ଓ କିଡନୀ ଫେଲୁଅର ଆଦି ମାରାତ୍ମକ ଅବସ୍ଥା ସୃଷ୍ଟି ହୁଏ  ।

କେତେକ ଉଚ୍ଚ ରକ୍ତଚାପ ଭୋଗ କରୁଥିବା ରୋଗୀଙ୍କର ରକ୍ତଚାପ ବଢି ୨୦୦/୧୨୦ ମିଲିମିଟର ପାରଦଠାରୁ ଉପରେ ରହେ  । ଏହା କମାଇବା ପାଇଁ ଆଜିକାଲି ଛ’ପ୍ରକାର ଔଷଧ ବ୍ୟବହାର କରାଯାଉଥିଲେ ବି ପ୍ରାୟତଃ ଦୁଇପ୍ରକାର ଔଷଧ ବ୍ୟବହାର ଦ୍ଵାରା ସହଜରେ ଆୟତ୍ତ ହୋଇ ୧୪୦/୯୦ ତଳେ ରହିଥାଏ  । କିନ୍ତୁ ତିନିପ୍ରକାର ଔଷଧ ଏକାଠି ଖାଇବା ପରେ ବି କେତେକ ରୋଗୀଙ୍କ ରକ୍ତଚାପ ନିୟନ୍ତ୍ରଣକୁ ଆସିପାରେନାହିଁ  । ଏଭଳି ସମସ୍ୟାକୁ ରେଜିଷ୍ଟାଣ୍ଟ ହାଇପରଟେନସନ୍ କହନ୍ତି   । ଏହି ତିନୋଟି ପ୍ରକାର ମଧ୍ୟରୁ ଗୋଟିଏ ଅପେକ୍ଷାକୃତ ଅଧିକ ପରିସ୍ରା କରାଉଥିବା (ଡାଇୟୁରେଟିକ) ଔଷଧ ଆବଶ୍ୟକ ହୋଇଥାଏ  । ବସ୍ତୁତଃ ଚାରିପ୍ରକାର ଉଚ୍ଚରକ୍ତଚାପ କମାଇବା ଔଷଧ ଖାଉଥିବା ବ୍ୟକ୍ତି ‘ରେଜିଷ୍ଟାଣ୍ଟ ହାଇପରଟେନସନ୍’ ଭୋଗୁଥିବା ନିର୍ଣ୍ଣୟ କରାଯାଏ  ଏବଂ ସେହି ଅବୁଷାରେ ସଘନ ଚିକିତ୍ସା କରାଯାଏ  । ଏହି ଔଷଧର କେତେକ କୁପ୍ରଭାବ ରହିଛି  । ଆଜମା, ଗାଉଟ୍, ହାର୍ଟବ୍ଲକ, ଗର୍ଭାବସ୍ଥା କ୍ଷେତ୍ରରେ ଏଗୁଡିକ ଦିଆଯାଇନଥାଏ  ।

ରେଜିଷ୍ଟାଣ୍ଟ ହାଇପରଟେନସନ୍ ର ମୁଖ୍ୟ କାରଣ

ରେଜିଷ୍ଟାଣ୍ଟ ହାଇପରଟେନସନ୍ ର ମୁଖ୍ୟ କାରଣ ଗୁଡିକ ହେଲା-

ପଞ୍ଚସ୍ତରୀ ବର୍ଷରୁ ଅଧିକ ବୟସର ବ୍ୟକ୍ତି

ମଧୁମେହ, ମେଦବହୁଳତା

ଅଧିକ ଲୁଣ ଖାଉଥିବା ବ୍ୟକ୍ତି

ଆଥେରୋସ୍ଲେରୋସିସ୍

ଘୁଙ୍ଗୁଡି ମାରୁଥିବା ଲୋକ (ଅବଷ୍ଟ୍ରକଟିଭ୍ ସ୍ଲିପ୍ ଆପନିଆ)

କିଡନୀ ଫେଲୁଅର

ଫିଓକ୍ରୋମୋ ସାରଟୋମା

କେତେକ ଆୟୁର୍ବେଦୀୟ ଓ ଏଲୋପାଥିକ ଚିକିତ୍ସାର ପାର୍ଶ୍ଵପ୍ରତିକ୍ରିୟା, ଗର୍ଭଧାରକ ଔଷଧ ଖାଇବା ଇତ୍ୟାଦି  ।

ଥରେ ଏହି ରୋଗ ଚିହ୍ନଟ ହୋଇଗଲେ ଜୀବନଶୈଳୀରେ ପରିବର୍ତ୍ତନ ନିହାତି ଆବଶ୍ୟକ  । ସକାଳୁ ଶଯ୍ୟାତ୍ୟାଗ ସହିତ ପ୍ରାତଃଭ୍ରମଣ, ବ୍ୟାୟାମ, ଯୋଗ- ପ୍ରାଣାୟମ ଆଦି  ୧ ଘଣ୍ଟା ଧରି କରିବା ଉଚିତ୍  । ସକାଳ ଓ ସନ୍ଧ୍ୟାରେ ତିନିକିଲୋମିଟର ଲେଖା ଚାଲିବା ଆବଶ୍ୟକ  ।

ଉଚ୍ଚ ରକ୍ତଚାପ କମାଇବା ପାଇଁ ଖାଦ୍ୟକୁ ଡାଶ୍ ଡାଏଟ୍ ବୋଲି କୁହାଯାଏ  । ଏଥିରେ ଅଲଣା ଖାଇବା କିମ୍ବା ଖୁବ୍ କମ୍ ଲୁଣ ଖାଇବା ଆବଶ୍ୟକ  । ସତେଜ ପନିପରିବା, ଅଳ୍ପ ମାଛ ଏହି ଖାଦ୍ୟର ମୁଖ୍ୟ ଅଂଶ  । ଉଚ୍ଚତା ଅନୁସାରେ ଓଜନ ଠିକ୍ ରଖିବା (ବଡି ମାସ୍ ଇଣ୍ଡେକକ୍ସ ବା ବିଏମ୍ ଆଇ) ଅତ୍ୟନ୍ତ ଜରୁରୀ  । ବିଏମ୍ ଆଇ ୨୩ ତଳେ ରହିଲେ ଉଚ୍ଚ ରକ୍ତଚାପ ବିନା ଔଷଧ ବା ଅଳ୍ପ ଔଷଧରେ ମଧ୍ୟ କମିଯାଏ  । ଭଲ ସଙ୍ଗୀତ ଶୁଣିବା, ଜପ, ହରିନାମ କୀର୍ତ୍ତନ, ସତସଙ୍ଗ, ନିରାମିଷ ଭୋଜନ ଆଦି ବହୁ ଦରକାରୀ  । ସିଗାରେଟ୍, ମଦ ତୁରନ୍ତ ବନ୍ଦ କରିଦେବା ଆବଶ୍ୟକ  ।

ଏବେ ରେଜିଷ୍ଟାଣ୍ଟ ହାଇପରଟେନସନ୍ କମାଇବା ପାଇଁ ବହୁ ନୂତନ ଔଷଧ ଆସିଲାଣି  । କିନ୍ତୁ ନୂତନ ଜୀବନଶୈଳୀ ସର୍ବାଦୌ ଆବଶ୍ୟକ  ।

ସଂଗୃହିତ– ଡାକ୍ତର ନିରଞ୍ଜନ ତ୍ରିପାଠୀ

Last Modified : 7/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate