ହେମୋଫିଲିଆ ଏକ ଦୂରାରୋଗ୍ୟ ରୋଗ । ଯଦି ଏହାର ଉପଯୁକ୍ତ ଚିକିତ୍ସା କରା ନ ଯାଏ ତେବେ ଏହା କ୍ରମଶଃ ରୋଗୀକୁ ଆକର୍ମଣ୍ୟ କରିଦେଇପାରେ । ହେମୋଫିଲିଆ କ’ଣ : ହେମୋଫିଲିଆ ଏକ ବଂଶାନୁକ୍ରମିକ ରକ୍ତକ୍ଷରଣର ଅନିୟମିତତା ଦୋଷ । ଯେଉଁମାନଙ୍କ ଠାରେ ଏହି ଦୋଷ ଥିବ କୌଣସି କ୍ଷତ ବା ଆଘାତ ହେଲେ ସେମାନଙ୍କର ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ବହୁ ବିଳମ୍ବ ହେଉଥିବାରୁ ଅପେକ୍ଷାକୃତ ଭାବେ ଅଧିକ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ହୋଇଥାଏ । ଏମାନଙ୍କର ସାମାନ୍ୟ ଆଘାତରେ ବା ଆଘାତ ନ ଥାଇ ଖଞ୍ଜାରେ ( କାନ୍ଧ , ବଳାଗଣ୍ଠି , ଆଣ୍ଠୁ , କହୁଣି ) ଓ ମାଂସପେଶୀ ମଧ୍ୟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥାଏ । ଏ ପ୍ରକାର ରକ୍ତସ୍ରାବକୁ ଚିକିତ୍ସା କରା ନ ଗଲେ ଏହା ରୋଗୀକୁ ଜଟିଳ ପରିସ୍ଥିତିରେ ପକାଇଥାଏ ଏବଂ ଅସହ୍ୟ ଯନ୍ତ୍ରଣା ଦେବା ସଙ୍ଗେ ସଙ୍ଗେ କେତେକ ନିର୍ଦ୍ଧିଷ୍ଟ ମାଂସପେଶୀ ଓ ଗଣ୍ଠିକୁ ଅକାମୀ କରିଦେଇଥାଏ ।
ହେମୋଫିଲିଆ ଏକ ବଂଶାନୁକ୍ରମିକ ଦୋଷ ଯାହା ପୁରୁଷଙ୍କୁ ବିଶେଷଭାବରେ ଆକ୍ରାନ୍ତ କରିଥାଏ । ଏହି ଦୋଷ ମହିଳାଙ୍କର ନ ଥାଇ ମଧ୍ୟ ସେମାନଙ୍କ ଦ୍ଵାରା ପ୍ରବାହିତ ହୋଇ ପୁତ୍ର ସନ୍ତାନଙ୍କୁ ଆକ୍ରାନ୍ତ କରିଥାଏ ।
ନିରୂପଣ : ଅସଲ କଥା ହେଲା ହେମୋଫିଲିଆକୁ କିପରି ନିରୂପଣ କରିବେ ? ଯଦି ଅସ୍ଵାଭାବିକ ରକ୍ତକ୍ଷରଣ ହୁଏ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କଠାରେ ସେହି ପ୍ରକାର ଅବସ୍ଥା ଦେଖାଦିଏ ତେବେ ଏହାକୁ ଏହି ରୋଗର ଲକ୍ଷଣ ଭାବରେ ନିଆଯାଇଥାଏ । ଏଭଳି ଲକ୍ଷଣ ଦେଖିବା ମାତ୍ରେ ଲାବୋରେଟୋରିରେ ସ୍ଵତନ୍ତ୍ର ପରୀକ୍ଷା ମାଧ୍ୟମରେ ଏହାକୁ ନିର୍ଭୁଲ ଭାବରେ ନିରୂପଣ କରାଯାଇଥାଏ । ଶରୀରରେ ଆଘାତ ଲାଗିଥିବା ସ୍ଥାନ ନୀଳ ରଙ୍ଗ ହୋଇ ଫୁଲିଯିବା , ବିନା କାରଣରୁ ଦାନ୍ତମୂଳରୁ ଅଧିକ ରକ୍ତସ୍ରାବ ହେବାକୁ ମଧ୍ୟ ହେମୋଫିଲିଆର ଲକ୍ଷଣ ଭାବରେ ନିଆଯାଇଥାଏ ।
ହେମୋଫିଲିଆ ଆକ୍ରାନ୍ତ ବ୍ୟକ୍ତି ଯୁବାବସ୍ଥାରେ ପହଞ୍ଚିବା ପୂର୍ବରୁ ଅଧିକାଂଶ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥାଆନ୍ତି , କାରଣ ସେମାନଙ୍କର ଆଣ୍ଠୁ , କାନ୍ଧ , କହୁଣି , ପାଦଗଣ୍ଠି , ମାଂସପେଶୀ ଆଦି ସ୍ଥାନରେ ବାରମ୍ବାର ରକ୍ତସ୍ରାବ ହୋଇ ସେମାନଙ୍କୁ ଅକ୍ଷମ କରିଦିଏ । ପାଠ ପଢୁଥିବା ପିଲାମାନେ ନିୟମିତ ସ୍କୁଲକୁ ଯାଇ ପାରନ୍ତି ନାହିଁ ଏବଂ ରକ୍ତସ୍ରାବ ଭୟରେ ଖେଳକୁଦଠାରୁ ଦୂରେଇ ରହିଥାଆନ୍ତି । କର୍ମନିଯୁକ୍ତି ମଧ୍ୟ ସେମାନଙ୍କ ପାଇଁ ଆଉ ଏକ ସମସ୍ୟା । ଯଦି ନିଯୁକ୍ତିଦାତା ତାଙ୍କ ପ୍ରତି ସଦୟ ଏବଂ କୋହଳ ନ ହୁଅନ୍ତି ତେବେ ହେମୋଫିଲିଆ ଆକ୍ରାନ୍ତ ବ୍ୟକ୍ତି ସେମାନଙ୍କର କାର୍ଯ୍ୟ ସମ୍ପନ୍ନ କରିପାରନ୍ତି ନାହିଁ ଏବଂ ବାରମ୍ବାର ଅନୁପସ୍ଥିତ ରହନ୍ତି । ହେମୋଫିଲିଆ ପ୍ରଭାବ କେବଳ ଆକ୍ରାନ୍ତ ବ୍ୟକ୍ତି ଉପରେ ପଡେ ତାହା ନୁହେଁ ଏହା ମଧ୍ୟ ସମ୍ପୂର୍ଣ୍ଣ ପରିବାରକୁ ପ୍ରଭାବିତ କରିଥାଏ । ହେମୋଫିଲିଆ ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବରେ ଆକ୍ରାନ୍ତ କରିଥାଏ । ଏହାର ଚିକିତ୍ସା ପ୍ରଣାଳୀ ପରିବାରର ଆର୍ଥିକ ବୋଝ ବଢାଇଦିଏ । ଆମ ଦେଶରେ ଅଧିକାଂଶ ହେମୋଫିଲିଆ ରୋଗୀ ପ୍ରାୟ ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ହୋଇଥିବାରୁ ଆବଶ୍ୟକ ଚିକିତ୍ସା ବ୍ୟୟବହୁଳ ଯୋଗୁ ରୋଗୀର ଜୀବନରକ୍ଷା କଷ୍ଟସାଧ୍ୟ ହୋଇଥାଏ । ଜଣେ ହେମୋଫିଲିଆ ପୀଡିତ ବ୍ୟକ୍ତିକୁ ରକ୍ତସ୍ରାବ ସମୟରେ ଚିକିତ୍ସା ପାଇଁ ବାର୍ଷିକ ଆନୁମାନିକ ୩୦,୦୦୦ ରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଯେ ପର୍ଯ୍ୟନ୍ତ ରୋଗୀ ବଞ୍ଚିଥାଏ ଏହି ଖର୍ଚ୍ଚ ସେହିପରି ଲାଗି ରହିଥାଏ ।
ରକ୍ତକ୍ଷରଣ ସମୟରେ ରୋଗୀକୁ ତୁରନ୍ତ ଆଣ୍ଟି – ହେମୋଫିଲିକ୍ ଫ୍ୟାକ୍ଟର ଇଞ୍ଜେକସନ ନେବାକୁ ପଡିଥାଏ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ପ୍ରତିଦିନ ବ୍ୟାୟାମ କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜ ଶରୀରର ଯତ୍ନ ନେବା ଆବଶ୍ୟକ । ଏ ପ୍ରକାର ବ୍ୟକ୍ତି ଆସପ୍ରିନ୍ ବା ଆସପ୍ରିନ୍ ସଂଯୁକ୍ତ କୌଣସି ଔଷଧ ଖାଇବା ଉଚିତ ନୁହେଁ ।
ସାମାନ୍ୟ ରକ୍ତସ୍ରାବକୁ କ୍ଷତସ୍ଥାନରେ କୋହଳ ଚାପ ପ୍ରୟୋଗ କରି ବନ୍ଦ କରିବା ଦରକାର । ଗଣ୍ଠିଗୁଡିକରେ ରକ୍ତସ୍ରାବ ଯୋଗୁ ହୋଇଥିବା ଫୁଲାକୁ ଏହା କମିବା ପର୍ଯ୍ୟନ୍ତ ତୁରନ୍ତ ଦିନକୁ ୩ – ୪ ଥର ବରଫା ପୁଡିଆ ଦେବାକୁ ପଡେ । ରକ୍ତକ୍ଷରଣ ବନ୍ଦ ନ ହେଲେ ଆଣ୍ଟି ହେମୋଫିଲିକ ଫ୍ୟାକ୍ଟର ଇଞ୍ଜେକସନ ତୁରନ୍ତ ନେବାକୁ ପଡିଥାଏ । ସଂପୃକ୍ତ ରୋଗୀକୁ ତୁରନ୍ତ ହସ୍ପିଟାଲକୁ ନେଇ ଅଭିଜ୍ଞ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଇବା ଆବଶ୍ୟକ । ରକ୍ତସ୍ରାବ ନିୟନ୍ତ୍ରଣ କରା ନ ଗଲେ ଏହା ରୋଗୀକୁ ଅକର୍ମଣ୍ୟ କରିଦେଇଥାଏ । ଯଦି ‘ ଏଏଚଏଫ ’ ସମସ୍ୟା ନ ଥିବ ତେବେ ରୋଗୀକୁ ରକ୍ତ ଦିଆଯାଇପାରେ ।
ସଂଗୃହିତ : ଡା . ରବୀନ୍ଦ୍ର କୁମାର ଜେନା
Last Modified : 6/23/2020