অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚୀତ ଜାତି ଓ ଜନଜାତି ( ନିର୍ଯ୍ୟାତନା ନିବାରଣ ) ଆଇନ୍ - ୧୯୮୯

ଉପକ୍ରମ

ସଂସଦର ନିମ୍ନଲିଖିତ ଅଧିନିୟମ ରାଷ୍ଟ୍ରପତିଙ୍କ ଦ୍ଵାରା ୧୨ ସେପ୍ଟେମ୍ବର ୧୯୮୯ରେ ସ୍ଵୀକୃତି ଲାଭ କରିଛି ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଉଛି ।

ତଫସିଲଭୁକ୍ତ ଜାତି ଓ ଉପଜାତି (ନିର୍ଯ୍ୟାତନା ନାବାରଣ ) ଅଧିନିୟମ, ୧୯୮୯

ଏହି ଆଇନ୍ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକିବା, ଦୋଷର ବିଚାର ପାଇଁ, ସ୍ଵତନ୍ତ୍ର ବିଚାରାଳୟ ଯୋଗାଇଦେବା ଏବଂ ଅପରାଧରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପୁନଃଥଇଥାନ କରିବା ସଙ୍ଗେ ସଙ୍ଗେ ଜଡିତ ଘଟଣାକୁ ବିବେଚନା କରିବା ପାଇଁ ଆଇନ୍ ରହିଛି । ସାର୍ବଭୌମ ଭାରତର ୪୦ତମ ବର୍ଷରେ ସଂସଦ ଦ୍ଵାରା ଏହାକୁ ଅନୁମୋଦନ କରାଗଲା ।

ଅଧିନିୟମ

  1. ଏହି ଅଧିନିୟମକୁ ତଫସିଲଭୁକ୍ତ ଉପଜାତି ( ନିର୍ଯ୍ୟାତନା ନିବାରଣ ) ଅଧିନିୟମ ୧୯୮୯ କୁହାଯିବ ।
    • ଜାମ୍ମୁ ଓ କାଶ୍ମୀରକୁ ବାଦ ଦେଲେ ଏହି ନିୟମ ସମଗ୍ର ଭାରତରେ ଲାଗୁ ହେବ ।
    • କେନ୍ଦ୍ର ସରକାରଙ୍କ ଗେଜେଟ୍ରେ ପ୍ରକାଶ ପାଇଥିବା ତାରିଖ ଠାରୁ ଏହା କାର୍ଯ୍ୟକାରୀ ହେଲା ବୋଲି ଧରାଯିବ ।
  2. ଏହି ଅଧିନିୟମରେ ଯେ ପର୍ଯ୍ୟନ୍ତ ପ୍ରାସଙ୍ଗିକ ପରିଭାଷା ଦରକାର ନ ହୋଇଛି,
    • "ନିର୍ଯ୍ୟାତନା" ଅର୍ଥ ଧାରା ୩ ଅନୁଯାୟୀ ଦଣ୍ଡନୀୟ ଅପରାଧ ।
    • "ସଂହିତା" ଅର୍ଥ ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୪ ।
    • "ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି"ର ଅର୍ଥ ସଂବିଧାନର ଧାରା ୩୬୬ର ଯଥାକ୍ରମେ ଖଣ୍ଡ ୨୪ ଓ ଖଣ୍ଡ ୨୫ରେ ଦର୍ଶାଯାଇଛି ।
    • "ସ୍ଵତନ୍ତ୍ର ନ୍ୟାୟାଳୟ" ର ଅର୍ଥ ଧାରା କ ୧୪ରେ ସ୍ଵତନ୍ତ୍ର ନ୍ୟାୟାଳୟ ରୂପେ ଉଲ୍ଲେଖ ଥିବା ସେସନ୍ସ କୋର୍ଟ ।
    • "ସ୍ଵତନ୍ତ୍ର ସରକାରୀ ଅଭିଯୋଜକ" ଅର୍ଥ ସରକାରୀ ଅଭିଯୋଜକ ସ୍ଵତନ୍ତ୍ର ସରକାରୀ ଅଭିଯୋଜକ ରୂପେ କିମ୍ବା ଜଣେ ଅଧିବକ୍ତା ଯେ ଧାରା ୧୫ ଅନୁସାରେ ବିନିର୍ଦ୍ଦିଷ୍ଟ କରୁଥିବେ ।
    • ଏହି ଅଧିନିୟମରେ ବ୍ୟବହୃତ ଶଦ୍ଦାବଳୀ ଏବଂ ଅଭିବ୍ୟକ୍ତି ବିଧି ସଂହିତାରେ କିମ୍ବା ଭାରତୀୟ ଦଣ୍ଡ ସଂହିତାରେ (45 of 1860) ପରିଭାଷିତ ହୋଇଥିବା ସ୍ଥଳେ ଏହି ଆଇନ୍ ରେ ପରିଭାଷିତ ହୋଇନଥିଲେ ଶଦ୍ଦାବଳୀଗୁଡିକର ପରିଭାଷା ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ହେବ ।
  3. ଏ ଆଇନ୍ ଅନ୍ତର୍ଗତ ଯେକୌଣସି ଅଧିନିୟମ ଓ ତାହାର ପ୍ରସଙ୍ଗଗତ ବ୍ୟାଖ୍ୟା କରାଯିବ, ଯଦି ସେହି ଅଧିନିୟମର ବା ବ୍ୟବସ୍ଥା ସମ୍ପର୍କିତ ଅଞ୍ଚଳରେ କାର୍ଯ୍ୟ କରୁନଥିବ । ଯଦି ସେହିପରି ଅନୁରୂପ ନିୟମ କୌଣସି ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବ, ତେବେ ତାହାର ପ୍ରାସଙ୍ଗିକତା ମଧ୍ୟ ବ୍ୟାଖ୍ୟା କରାଯିବ ।

କେଉଁ ନିର୍ଯ୍ୟାତନାଗୁଡିକ ଅପରାଧ

  1. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟ ହୋଇନଥିବା କୌଣସି ବ୍ୟକ୍ତି –
    • ଯଦି ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟକୁ ବଳ ପ୍ରୟୋଗ କରି ଅଖାଦ୍ୟ ଘୃଣିତ ପାନୀୟ କିମ୍ବା ପଦାର୍ଥ ଖାଇବାକୁ ବାଧ୍ୟ କରନ୍ତି ।
    • ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିମାନଙ୍କର କ୍ଷତିସାଧନ କରିବା ପାଇଁ, ଅପମାନ, ବିରକ୍ତି କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଘରେ କିମ୍ବା ପାଖରେ ବିଷ୍ଟା, ବର୍ଜ୍ୟବସ୍ତୁ ମଲା ଶବ, ଅନ୍ୟ ଘୃଣିତ ବସ୍ତୁ ପକାନ୍ତି,
    • ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବଳ ପ୍ରୟୋଗ ଦ୍ଵାରା ଉଲଗ୍ନ କରି ଚଳାଇବା କିମ୍ବା ମୁଖ କିମ୍ବା ଶରୀରର ଯେକୌଣସି ଅଙ୍ଗରେ ଚିତ୍ର ବିଚିତ୍ର କରିବା କିମ୍ବା ଏହି ପ୍ରକାରର କାର୍ଯ୍ୟ କରନ୍ତି, ଯାହାକି ସେମାନଙ୍କ ମାନବିକ ଗୌରବ ବୋଧକୁ ହାନି କରୁଥିବ,
    • ଯଦି ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ସଦ୍ୟସଙ୍କର ଜମିର ଅନ୍ୟାୟ ଭାବରେ ଜବରଦଖଲ ବା ଚାଷ କରୁଥିବେ ଏବଂ ସେହି ଜମିଗୁଡିକ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ କ୍ଷମତାପନ୍ନ ପ୍ରାଧିକାରୀଙ୍କର ଦ୍ଵାରା ଆବଣ୍ଟନ କରାଯାଇଥିବା କିମ୍ବା ବିଜ୍ଞପ୍ତି ମାଧ୍ୟମରେ ତାଙ୍କୁ ଦିଆଯାଇଥିବ କିମ୍ବା ହସ୍ତାନ୍ତର ମାଧ୍ୟମରେ ସେହି ଜମି ତାଙ୍କ ଅଧିନରେ ଥିବ କିମ୍ବା ସେ ଅଧିକାର କରିଥିବେ,
    • ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଅନ୍ୟାୟ ଭାବେ ତାଙ୍କ ଜମିରୁ କିମ୍ବା ବାସସ୍ଥାନ ପରିସର ମଧ୍ୟରୁ ବେଦଖଲ କଲେ କିମ୍ବା ଜମି, ଜଳ ଓ ବାସସ୍ଥାନ ବ୍ୟବହାର କରିବାକୁ ବନ୍ଦ କଲେ,
    • ତଫସିଲଭୁକ୍ତ ଦ୍ଵାରା ପ୍ରଣୀତ ଜନସାଧାରଣଙ୍କ ସେବାପାଇଁ ବାଧ୍ୟତାମୂଳକ ଚାକିରିକୁ ବାଦ ଦେଇ, ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବାଧ୍ୟତାମୂଳକ ବା ଜୋର୍ ଜବରଦସ୍ତ ଶ୍ରମିକ, ଗୋତି ଶ୍ରମିକ, ଭିକାରି କିମ୍ବା ସେହିପରି କିଛି କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ,
    • ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବଳ ପ୍ରୟୋଗ କରି କିମ୍ବା ଭୟ ପ୍ରଦର୍ଶନ କରି ଭୋଟଦାନରୁ ବିରତ କରି ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବା କିମ୍ବା ବିଧିବଦ୍ଧ ପ୍ରଣାଳୀରେ ଭୋଟ ନଦେବାକୁ ବାଧ୍ୟ କଲେ,
    • ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କ ବିରୁଦ୍ଧରେ ମିଥ୍ୟା, ଦ୍ଵେଷମୂଳକ, କଷ୍ଟଦାୟକ କିମ୍ବା ବିରକ୍ତିକର ମୋକଦ୍ଦମା ଦାଏର କଲେ,
    • ମିଥ୍ୟା ଓ ଗୁରୁତ୍ଵହୀନ ସୂଚନା ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରିବା ଏବଂ ସରକାରୀ କର୍ମଚାରୀଙ୍କ କ୍ଷମତାକୁ ଅପବ୍ୟବହାର କରି କୌଣସି ତଫସିଲଭୁକ୍ତ ଜାତି କିମ୍ବା ଉପଜାତି ସଦସ୍ୟଙ୍କୁ ଅପମାନିତ କିମ୍ବା କ୍ଷତି କଲେ,
    • ସାର୍ବଜନୀନ ସ୍ଥାନରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନ କିମ୍ବା ଭୟ ପ୍ରଦର୍ଶନ କଲେ,
    • ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ମହିଳାଙ୍କୁ ଅପମାନ କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ଅପମାନ କିମ୍ବା ଭୟ ପ୍ରଦର୍ଶନ କଲେ,
    • ଯଦି ଜଣେ କ୍ଷମତା ସମ୍ପନ୍ନ ବ୍ୟକ୍ତି ନିଜ କ୍ଷମତାକୁ ଅପବ୍ୟବହାର କରି ଜଣେ ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦିଅନ୍ତି ଏବଂ ଏଥିରେ ସେ ବାଧ୍ୟ ହୋଇ ରାଜି ହୋଇଥାନ୍ତି,
    • ଯଦି ଜଣେ କ୍ଷମତା ସମ୍ପନ୍ନ ବ୍ୟକ୍ତି ନିଜ କ୍ଷମତାକୁ ଅପବ୍ୟବହାର କରି ଜଣେ ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ସଦସ୍ୟମାନେ ସାଧାରଣତଃ ବ୍ୟବାହର କରୁଥିବା ଜଳାଶ୍ରୟ, ଝରଣା କିମ୍ବା ଜଳ ଉତ୍ସକୁ ନଷ୍ଟ କିମ୍ବା ଦୂଷିତ କରିବା ଦ୍ଵାରା ଜଳକୁ ଅଦରକାରୀ କରନ୍ତି,
    • ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଚଳଣି ଅନୁସାରେ ସର୍ବସାଧାରଣ ସ୍ଥାନକୁ ଯିବାରେ ପ୍ରତିରୋଧ କରନ୍ତି କିମ୍ବା ସେହି ସଦସ୍ୟଙ୍କୁ ସାର୍ବଜନୀନ ସ୍ଥାନ, ଯାହାକି ଅନ୍ୟବର୍ଗ ବା ଯେକୌଣସି ବର୍ଗର ଲୋକମାନଙ୍କ ଦ୍ଵାରା ବ୍ୟବହାର ଉପଯୋଗୀ ସ୍ଥାନକୁ ବ୍ୟବହାର କରିବାକୁ ବାରଣ କରନ୍ତି,
    • ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ବଳପୂର୍ବକ ତାଙ୍କ ଗୃହ, ଗ୍ରାମ କିମ୍ବା ଅନ୍ୟ ବାସସ୍ଥଳରୁ ଉଚ୍ଛେଦ କରାଯାଏ ,
  2. ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ସଦସ୍ୟ ହୋଇନଥିବା ଯେକୌଣସି ବ୍ୟକ୍ତି,
    • ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା କିମ୍ବା ମନଗଢା ସାକ୍ଷ୍ୟ ଦେବା ଦ୍ଵାରା ଯଦି ତଫସିଲଭୁକ୍ତ ଜାତି ବା ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କୁ ଆଇନ୍ ଦ୍ଵାରା ଦୋଷୀ ସାବସ୍ତ୍ୟ କରି ଆଜୀବନ ଜେଲଦଣ୍ଡ ସହିତ ଜୋରିମାନା ହୋଇଥାଏ ତେବେ, ଏହିପରି ମନଗଢା କିମ୍ବା ମିଥ୍ୟା ସାକ୍ଷୀ ଦ୍ଵାରା ତଫସିଲଭୁକ୍ତ ଜାତି ବା ତଫସିଲଭୁକ୍ତ ଉପଜାତିର ନିରୀହ ସଦସ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ ।
    • ମିଥ୍ୟା, ମନଗଢା ସାକ୍ଷ୍ୟ ଉଦ୍ଦେଶ୍ୟମୂଳକ ଭାବେ ଦେବା ଦ୍ଵାରା ଯଦି ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତି କୌଣସି ସଦସ୍ୟଙ୍କୁ ଯିଏ ପ୍ରକୃତରେ ଦୋଷୀ ନୁହନ୍ତି, ଅତି କମ୍ ରେ ସାତବର୍ଷ କିମ୍ବା ତଦୁର୍ଦ୍ଧ୍ଵ ଜେଲ ଦଣ୍ଡ ହୋଇଥାଏ ସେ କ୍ଷେତ୍ରରେ ମିଥ୍ୟା ସାକ୍ଷ୍ୟ ପ୍ରଦାନକାରୀଙ୍କୁ ଅନ୍ୟୁନ ଛଅମାସରୁ ସାତବର୍ଷ କିମ୍ବା ତଦୃର୍ଦ୍ଧ୍ଵ ବର୍ଷ ଜୋରିମାନା ସହିତ ଜେଲ୍ ଦଣ୍ଡ ହେବ ।
    • ଅଗ୍ନି ସଂଯୋଗ କିମ୍ବା ବିସ୍ଫୋରଣ ପଦାର୍ଥ ଦ୍ଵାରା ଅନର୍ଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଫସିଲଭୁକ୍ତ ଜାତି ବା ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାନ୍ତି, ତେବେ ଦୋଷୀକୁ ଅନ୍ୟୁନ ଛଅମାସରୁ ସାତବର୍ଷ ଜୋରିମାନା ସହିତ ଜେଲଦଣ୍ଡ ଭୋଗୀବାକୁ ପଡିବ ।
    • ଅଗ୍ନି ସଂଯୋଗ କିମ୍ବା ବିସ୍ଫୋରଣ ପଦାର୍ଥ ଦ୍ଵାରା ଉଦ୍ଦେଶ୍ୟମୂଳକ ଭାବେ ବା ଜ୍ଞାତସାରରେ ଅନର୍ଥ ସୃଷ୍ଟି କରିବାକୁ ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତିର ସଦସ୍ୟଙ୍କ ପୂଜାସ୍ଥଳ, ବାସସ୍ଥାନ କିମ୍ବା ଗୋଦାମ ରୂପେ ବ୍ୟବହୃତ ଗୃହକୁ କ୍ଷତି ପହଞ୍ଚାନ୍ତି କିମ୍ବା ଧ୍ଵଂସ କରିଦିଅନ୍ତି, ତେବେ ଦୋଷୀକୁ ଜୋରିମାନା ସହିତ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯିବ ।
    • ଯଦି ଜଣେ ବ୍ୟକ୍ତି, ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ବା ତାଙ୍କ ସମ୍ପତ୍ତି ଉପରେ ନିର୍ଯ୍ୟାତନା ଦେଇଥିବେ ଏବଂ ଭାରତୀୟ ଦଣ୍ଡବିଧି ଆଇନ୍ ଅନୁଯାୟୀ ଅତିକମ୍ ରେ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିବେ ଏବଂ ନିର୍ଯ୍ୟାତିତ ବ୍ୟକ୍ତି ଏବଂ ସେ ସମ୍ପତ୍ତି ଯଦି କୌଣସି ଅନୁସୂଚୀତ ଜାତି ବା ଅନୁସୂଚୀତ ଜନଜାତିର ଅନ୍ତର୍ଭୁକ୍ତ ହୋଇଥାଏ, ତେବେ ଦୋଷୀକୁ ଜୋରିମାନା ସହିତ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ ।
    • ଜାଣିଶୁଣି କିମ୍ବା ବିଶ୍ଵାସଯୋଗ୍ୟ ହେଉଥିବା ଅପରାଧ ଯଦି ଏହି ଅଧ୍ୟାୟ ଅନ୍ତର୍ଭୁକ୍ତ ହୋଇଥାଏ ଏବଂ ଅପରାଧ ଘଟାଇଥିବା ଦୋଷୀକୁ ଆଇନ୍ ଗତ ଦଣ୍ଡ ବିଧାନରୁ ରକ୍ଷା କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଅପରାଧର ସାକ୍ଷ୍ୟ ପ୍ରମାଣକୁ ବଦଳାଇ କିମ୍ବା ଏହି ଅପରାଧ ସମ୍ପର୍କରେ ବିଶ୍ଵାସଯୋଗ୍ୟ ମିଥ୍ୟା, ମନଗଢା ତଥ୍ୟ ଦେଲେ ମଧ୍ୟ ଏହି ଅପରାଧ ଅନ୍ତର୍ଗତ ଦଣ୍ଡବିଧି ଅନୁଯାୟୀ ଦଣ୍ଡିତ କରାଯିବ କିମ୍ବା
    • ଜଣେ ସରକାରୀ କର୍ମଚାରୀ ହୋଇ ଏହି ନିୟମ ଅନ୍ତର୍ଗତ ଅପରାଧ ଘଟାଇଲେ ଅନ୍ୟୁନ ୧ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଏହି ଜେଲ୍ ଦଣ୍ଡର ଅବଧି ଅପରାଧର ମାତ୍ରା ଅନୁଯାୟୀ ବଢିପାରେ ।
  3. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ସଦସ୍ୟ ହୋଇନଥିବା ଜଣେ ସରକାରୀ କର୍ମଚାରୀ ଏହି ଅଧିନିୟମ ଅନୁଯାୟୀ ତାଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସମ୍ପାଦନ କରିବାରେ ଜାଣିଶୁଣି ଅବହେଳା କଲେ ଅନ୍ୟୁନ ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଦିଆଯିବ ।
  4. ଏହି ଅଧ୍ୟାୟ ଅନୁଯାୟୀ ଜଣେ ଦୋଷୀ ସାବ୍ୟସ୍ତ ହୋଇସାରିଲାପରେ ଦ୍ଵିତୀୟ ଥର ପାଇଁ ଦୋଷ କଲେ କିମ୍ବା ତା’ ପରବର୍ତ୍ତୀଥର ପାଇଁ ଦୋଷ କଲେ ଅନ୍ୟୁନ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ ଏବଂ ଜେଲ୍ ଦଣ୍ଡର ଅବଧି ଅପରାଧର ମାତ୍ରା ଅନୁସାରେ ବଢିପାରେ ।
  5. ଏହି ଅଧିନିୟମରେ ଥିବା ଅନ୍ୟାନ୍ୟ ବ୍ୟବସ୍ଥା ପରିପ୍ରେକ୍ଷୀରେ ଭାରତୀୟ ଦଣ୍ଡ ସଂହିତା ବ୍ୟବସ୍ଥାର ସେକ୍ସନ (୩୪) ଅଧ୍ୟାୟ-୩, ଅଧ୍ୟାୟ-୪, ଅଧ୍ୟାୟ-୫ ଓ ସେକ୍ସନ ୧୪୯ ଏବଂ ଅଧ୍ୟାୟ ୨୩ର ପ୍ରୟୋଗ ଏହି ଅଧିନିୟମର ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରାଯାଏ ।

କୋର୍ଟ ଦ୍ଵାରା କାର୍ଯ୍ୟାଅନୁଷ୍ଠାନ

  1. ଯେତେବେଳେ ଜଣେ ବ୍ୟକ୍ତି ଅପରାଧ ଘଟାଇ ଏହି ଅଧ୍ୟାୟରେ ଥିବା ଅଧିନିୟମ ଦ୍ଵାରା ଦୋଷୀ ସାବ୍ୟସ୍ତ ହୁଏ, କିମ୍ବା ସ୍ଵତନ୍ତ୍ର କୋର୍ଟ ଦ୍ଵାରା ଅଭିଯୁକ୍ତଙ୍କୁ ଅତିରିକ୍ତ ଦଣ୍ଡ ଦିଆଯାଏ, ସେତେବେଳେ ଅଭିଯୁକ୍ତଙ୍କର ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଯେଉଁଥିରୁ କି ଏହି ଅପରାଧ ଘଟାଇବା ପାଇଁ ପାରିଶ୍ରମିକ ନିଆଯାଇଛି, କୋର୍ଟ ଆଦେଶ ବଳରେ ଏହି ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରାଯାଇପାରିବ।
  2. ଏହି ଅଧ୍ୟାୟରେ ଥିବା ଅଧିନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି କୌଣସି ଅପରାଧ ଘଟାନ୍ତି, ଅପରାଧ ବିଚାରାଧିନ ଥିବାବେଳେ ସ୍ଵତନ୍ତ୍ର କୋର୍ଟ ଅଧ୍ୟାଦେଶ ବଳରେ ଅଭିଯୁକ୍ତଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରାଯାଇ ପାରିବ କିମ୍ବା ଜୋରିମାନା ବାବଦରେ ଉକ୍ତ ସମ୍ପତ୍ତିକୁ ଭରଣା କରାଯାଇପାରିବ ।
  3. ଅପରାଧର ମାତ୍ରା ଅନୁଶୀଳନ କଲାପରେ ଏହି ଅଧ୍ୟାୟ ଅନ୍ତର୍ଗତ ଅଧିନିୟମ ଅନୁଯାୟୀ ଯଦି ଏହା ପ୍ରମାଣିତ ହୁଏ –
    • ଯଦି ଜଣେ ଅଭିଯୁକ୍ତ ସନ୍ଦେହ ଘେରକୁ ଆସିଥିବା ଅନ୍ୟଜଣେ ଅଭିଯୁକ୍ତଙ୍କୁ ଆର୍ଥିକ ସାହାଯ୍ୟ ଦେଇଥାନ୍ତି, ତେବେ ଏହି ଅଧ୍ୟାୟ ଅନ୍ତର୍ଗତ ଆଇନ୍ ଅନୁଯାୟୀ ସ୍ଵତନ୍ତ୍ର କୋର୍ଟ ମାନିନେବେ ବା ପକ୍ଷାନ୍ତରେ ପ୍ରମାଣିତ ହେବ ଯେ ସେହି ବ୍ୟକ୍ତିଙ୍କ ଇଙ୍ଗିତରେ ଏହି ଅପରାଧ ଘଟିଛି ।

ନିୟମ ଅନ୍ତର୍ଗତ

  1. ଏହି ନିୟମ ଅନ୍ତର୍ଗତ ବ୍ୟବସ୍ଥାକୁ କିଛି ବିଷୟ ପ୍ରତିରୋଧ କରେ ନାହିଁ । ରାଜ୍ୟ ସରକାର ଯଦି ଦରକାର କରନ୍ତି, ଏ ବିଷୟରେ ଉଚିତ୍ ପଦକ୍ଷେପ ନେଇ ପାରିବେ ।
    • ଏହି ଅଧିନିୟମ ଅନୁଯାୟୀ ସରକାର ସାହାଯ୍ୟ ବା ପ୍ରତିରୋଧ କରିପାରିବେ, କିମ୍ବା
    • ଏହି ଅଧିନିୟମ ଅନୁସାରେ ପୋଲିସ ଯେକୌଣସି ବ୍ୟକ୍ତିଙ୍କୁ, ଜାତିକୁ ବା ସମୂହକୁ ସରକାରୀ ଗେଜେଟ୍ ରେ ଚିହ୍ନଟ କରାଯାଇଥିବା ଯେକୌଣସି ଜାଗାରେ ବା ଜିଲ୍ଲାରେ ଏବଂ ଯେ କୌଣସି ସରକାରୀ ଅଧିକାରୀଙ୍କୁ ଗିରଫ କରିପାରିବେ, ଏବଂ ସ୍ଵତନ୍ତ୍ର କୋର୍ଟରେ ଅଭିଯୋଜନ କରିପାରିବେ ।
  2. ଉପବିଭାଗ(୨) ଅନୁଯାୟୀ ନିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ପୋଲିସ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ତାଙ୍କ ଅଧୀନରେ ଅରହି ସାହାଯ୍ୟ କରିବେ ।
  3. ଏହି ବ୍ୟବସ୍ଥା, ଉପବିଭାଗ (୧) ଅନୁଯାୟୀ ଥିବା ଅଧିକାରୀଙ୍କ ଉପରେ ମଧ୍ୟ ଲାଗୁ ହେବ ।

ବହିଷ୍କାର

  1. ଯଦି କୌଣସି ବ୍ୟକ୍ତି ଏହି ଆଇନ୍ ଅନ୍ତର୍ଗତ ଦ୍ଵିତୀୟ ଅଧ୍ୟାୟ ଅନୁଯାୟୀ “ ଅନୁସୂଚୀତ ଅଞ୍ଚଳ” ବା “ଆଦିବାସୀ ଅଞ୍ଚଳ”ରେ ଅପରାଧ କରେ ଏବଂ ଅପରାଧ ଉପରେ ଦାଖଲ ହୋଇଥିବା ଅଭିଯୋଗ ବା ପୋଲିସ ରିପୋର୍ଟରେ ସ୍ଵତନ୍ତ୍ର ନ୍ୟାୟାଳୟ ସନ୍ତୁଷ୍ଟ ହୁଏ, ତେବେ ସମ୍ବିଧାନ ୨୪୪ ଧାରା ଅନୁସାରେ ସେହି ବ୍ୟକ୍ତିଙ୍କୁ ସେହି ଅଞ୍ଚଳରୁ ଏକ ନିର୍ଦ୍ଧିଷ୍ଟ ମାର୍ଗ ଦେଇ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଛାଡି ଚାଲିଯିବା ପାଇଁ ଆଦେଶ ଦିଆଯିବ ଏବଂ ସେହି ବ୍ୟକ୍ତିଙ୍କୁ ଅତି ବେଶୀରେ ଦୁଇବର୍ଷ ପର୍ଯ୍ୟନ୍ତ ବାରଣ କରଯାଇଥିବା ଅଞ୍ଚଳକୁ ନ ଫେରିବା ପାଇଁ ଆଦେଶ ଦିଆଯିବ ।
  2. ସ୍ଵତନ୍ତ୍ର କୋର୍ଟ, ସବସେକ୍ସନ (୧) ଅନ୍ତର୍ଗତ ଆଦେଶ ସହିତ ଯେଉଁ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିବେ, ଯେଉଁ ପୃଷ୍ଠଭୂମିକୁ ଆଧାର କରି ତାଙ୍କୁ ଏହି ଆଦେଶ ଦିଆଯାଇଛି ତାହା ଜଣାଇ ଦେବେ ।
  3. ସ୍ଵତନ୍ତ୍ର କୋର୍ଟ, ସବସେକ୍ସନ (୧) ଅନ୍ତର୍ଗତ ଆଦେଶକୁ ବିଖଣ୍ଡନ ବା ପରିମାର୍ଜିତ କରିପାରିବେ । କାରଣଗୁଡିକ ଲିଖିତ ଆକାରରେ ଲିପିବଦ୍ଧ ହୋଇ ରହିବ । ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଆଦେଶ ଦିଆଯାଇଛି, ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କିମ୍ବା ତାଙ୍କ ତରଫରୁ ଉପସ୍ଥିତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପସ୍ଥିତିରେ ଆଦେଶ ଦିଆଯିବାର ୩୦ ଦିନ ମଧ୍ୟରେ ଆଦେଶ ପରିମାର୍ଜିତ କରଯାଇପାରିବ ।

କୋର୍ଟଙ୍କ ନିର୍ଦ୍ଦେଶ

  1. ଯଦି ଜଣେ ବ୍ୟକ୍ତିଙ୍କୁ ଧାରା ୧୦ ଅନୁଯାୟୀ ଯେକୌଣସି ଅଞ୍ଚଳରୁ ଅପସାରିତ କରିନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ,
    • ନିର୍ଦ୍ଦେଶ ମୁତାବକ ସେ ନିଜକୁ ଅପସାରିତ କରିବାରେ ବିଫଳ ହେଲେ କିମ୍ବା
    • ନିର୍ଦ୍ଦେଶ ମୁତାବକ ନିଜକୁ ଅପସାରିତ କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟର ସେହି ଅଞ୍ଚଳକୁ ପ୍ରବେଶ କଲେ, ଅନ୍ୟପକ୍ଷରେ ସ୍ଵତନ୍ତ୍ର କୋର୍ଟରେ ସବସେକ୍ସନ (୨) ଅନୁଯାୟୀ ଲିଖିତ ଆକାରରେ ଗିରଫ କରାଯାଇପାରିବ ଏବଂ ପୋଲିସ ସହାୟତାରେ ଅନ୍ୟସ୍ଥାନକୁ ଅପସାରଣ କରାଯିବ । ସ୍ଵତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶରେ ତାହାର ସବିଶେଷ ଉଲ୍ଲେଖ କରାଯିବ ।
  2. ଯେଉଁ ବ୍ୟକ୍ତିଙ୍କୁ ସେକ୍ସନ ୧୦ ବଳରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସର୍ତ୍ତ ମୁତାବକ ଏକ ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ଅପସାରିତ କରଯାଇଥିବ ତେବେ ସ୍ଵତନ୍ତ୍ର କୋର୍ଟ ଲିଖିତ ଆଦେଶ ବଳରେ ସେ ଅଞ୍ଚଳକୁ ପ୍ରବେଶର ଅନୁମତି ଦେଇପାରିବେ କିନ୍ତୁ ଆଗରୁ ପାଳନ କରୁଥିବା ସର୍ତ୍ତ ସହିତ ଏକ ବ୍ୟକ୍ତିଗତ ମୁଚାଲିକାରେ ସ୍ଵାକ୍ଷର କରିବେ ।
  3. ସ୍ଵତନ୍ତ୍ର କୋର୍ଟ ସେହି ବ୍ୟକ୍ତିଙ୍କ ଅନୁମତିକୁ ଯେ କୌଣସି ସମୟରେ ବିଖଣ୍ଡନ କରିପାରିବେ ।
  4. ଯଦି କୌଣସି ବ୍ୟକ୍ତିଙ୍କ ଅନୁମତି ନେଇ ତାଙ୍କୁ ନିଷିଦ୍ଧ କରାଯାଇଥିବା ଅଞ୍ଚଳକୁ ପ୍ରବେଶ କରନ୍ତି ଏବଂ ସ୍ୱଳ୍ପ ମିଆଦି ଅନୁମତିର ସମୟସୀମା ସରିଯାଇଥାଏ ବା ସ୍ୱଳ୍ପମିଆଦି ଅନୁମତିକୁ ରଦ୍ଦ କରିଦିଆଯାଇଥାଏ ତେବେ ସେହି ନିଷିଦ୍ଧ ଅଞ୍ଚଳରୁ ସେ ଅପସରି ଯିବେ ଏବଂ ନୂଆ ଅନୁମତି ନ ମିଳିଲା ପର୍ଯ୍ୟନ୍ତ ସେକ୍ସନ (୧୦) ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ପର୍ଯ୍ୟନ୍ତ ସେ ଅଞ୍ଚଳକୁ ପ୍ରବେଶ କରିବେ ନାହିଁ ।
  5. ଆରୋପିତ ସର୍ତ୍ତାବଳୀ ମଧ୍ୟରୁ ଯେ କୌଣସି ଗୋଟିଏ ସର୍ତ୍ତାବଳୀ ପାଳନ କରିବାରେ ବିଫଳ ହେଲେ କିମ୍ବା ସେହି ସର୍ତ୍ତାବଳୀ ଅନୁଯାୟୀ ନିଜକୁ ସେହି ଅଞ୍ଚଳକୁ ଅପସାରିତ ନକରନ୍ତି ବା ଅପସାରିତ ହୋଇସାରିବା ପରେ ପୁନର୍ବାର ସେହି ଅଞ୍ଚଳରେ ପ୍ରବେଶ କରନ୍ତି କିମ୍ବା ଫେରିଆସନ୍ତି (ସ୍ଵତନ୍ତ୍ର କୋର୍ଟର ସାନି ନିର୍ଦ୍ଦେଶ ବିନା) ତେବେ ସ୍ଵତନ୍ତ୍ର କୋର୍ଟର ନିର୍ଦ୍ଦେଶ ଅନୁସାରେ ପୋଲିସ ତାଙ୍କୁ ଗିରଫ କରିବ ଏବଂ ପୋଲିସଅଭିରକ୍ଷା ମାଧ୍ୟମରେ ସେହି ଅଞ୍ଚଳରୁ କିମ୍ବା ସ୍ଥାନରୁ ବହିଷ୍କାର କିମ୍ବା ଅପସାରିତ କରିପାରିବ ।

କୋର୍ଟ ଆଦେଶକୁ ଉଲ୍ଲଂଘନ

  1. ଯଦି ସ୍ଵତନ୍ତ୍ର କୋର୍ଟ ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ସେକ୍ସନ ୧୦ ଅନୁଯାୟୀ ଆଦେଶ ଦିଆଯାଇଥିବା ସେମାନଙ୍କ ଶରୀରର ମାପ, ଓଜନ ଏବଂ ଫଟୋ ଦରକାର କରନ୍ତି ଯେ ତେବେ ତାହା ଜଣେ ପୋଲିସ ଅଫିସରଙ୍କ ଦ୍ଵାରା ନିଆଯାଇପାରିବ ।
  2. ସ୍ଵତନ୍ତ୍ର କୋର୍ଟଦ୍ଵାରା ସେକ୍ସନ ୧୦ ଅନ୍ତର୍ଗତ ଆଦେଶକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ଜୋରିମାନା ସହିତ ଅତିବେଶୀରେ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରେ ।

ସ୍ଵତନ୍ତ୍ର କୋର୍ଟ

  1. ମୋକଦ୍ଦମାଗୁଡିକରେ ଶୀଘ୍ର ବିଚାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହମତିରେ ସରକାର ରାଜପତ୍ରରେ ବିଜ୍ଞପ୍ତି ଜାରି ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର ସେସନ୍ସକୋର୍ଟ, ସ୍ଵତନ୍ତ୍ର କୋର୍ଟରେ ଏହି ଅଧିନିୟମ ଅନ୍ତର୍ଗତ ଅପରାଧଗୁଡିକ ବିଚାର କରିବେ ।
  2. ରାଜ୍ୟ ସରକାର ସରକାରୀ ରାଜପତ୍ରରେ ବିଜ୍ଞପ୍ତି ମାଧ୍ୟମରେ ସ୍ଵତନ୍ତ୍ର କୋର୍ଟରେ ମୋକଦ୍ଦମା ଅଭିଯୋଜନ ପାଇଁ ଜଣେ ସ୍ଵତନ୍ତ୍ର ସରକାରୀ ଅଭିଯୋଜକ ନିର୍ଦ୍ଦିଷ୍ଟ କରିବେ କିମ୍ବା ଜଣେ ଅଧିବ୍ୟକ୍ତି ଯେ କି ଅନ୍ୟୁନ ୭ ବର୍ଷ ଧରି କୌଣସି କୋର୍ଟରେ ଅଧିବ୍ୟକ୍ତା ରୂପେ କାର୍ଯ୍ୟ କରି ଆସୁଥିବେ ତାଙ୍କୁ ନିଯୁକ୍ତି କରିବେ ।

ନାଗରିକ ସୁରକ୍ଷା ଆଇନ୍

  1. ୧୯୫୫ର ନାଗରିକ ସୁରକ୍ଷା ଆଇନ୍ ର ( ପ୍ରୋଟେକ୍ସନ୍ ଅଫ୍ ସିଭିଲ ରାଇଟସ୍ ଆକ୍ଟ) ସେକ୍ସନ ୧୦ (କ) ବ୍ୟବସ୍ଥା ଅନୁଯାୟୀ ଯେତେଦୂର ସମ୍ଭବ ଦଣ୍ଡାଦେଶ କାର୍ଯ୍ୟକାରୀ କରାଯିବ ଓ ସାମୂହିକ ଜୋରିମାନା ସହିତ ଅନ୍ୟାନ୍ୟ ବିଷୟ ଏହି ଅଧିନିୟମର ଅନ୍ତର୍ଭୁକ୍ତ କରାଯାଇପାରିବେ।
  2. ଜିଲ୍ଲା ମାଜିଷ୍ଟ୍ରେଟ୍ ଉପଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ଅନ୍ୟ କୌଣସି ଏକ୍ଜ୍ୟୁକୁଟିଭ୍ ମାଜିଷ୍ଟ୍ରେଟ୍ କିମ୍ବା ଅନ୍ୟ କୌଣସି ଉପଆରକ୍ଷୀ ଅଧିକ୍ଷକ ପାହ୍ୟାର ଜଣେ ପୋଲିସ ଅଧିକାରୀ ସୂଚନା ପାଇବା ପରେ ତଦନ୍ତ କରି ସେ ଦଳେ ବ୍ୟକ୍ତି ଯେଉଁମାନେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିରେ ହୋଇନଥିବ ଏବଂ ସେହି ଅଞ୍ଚଳରେ ବାସ କରୁଥିବେ ଏବଂ ସେମାନେ ଅପରାଧ କରିବାକୁ ଯାଉଥିବେ, ବା ଅପରାଧ କରିବା ପାଇଁ ଧମକ ଦେଇଥିବେ, ତେବେ ଏହି ଅଧିନିୟମ ଅନୁସାରେ ସେହି ଅଞ୍ଚଳକୁ ଉତ୍ତେଜନାପ୍ରବଣ ସ୍ଥାନ ବୋଲି ଘୋଷଣା କରିପାରିବେ ଏବଂ ସେ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଶାନ୍ତ ରଖିବା ସହିତ ସରକାରୀ କାର୍ଯ୍ୟ ସହଜରେ ସମ୍ପାଦନ ହେବାପାଇଁ ଦରକାରୀ ପ୍ରତିଷେଧକ ବ୍ୟବସ୍ଥା କରିପାରିବେ ।
  3. ଅଧ୍ୟାୟ ୮, ଅଧ୍ୟାୟ ୧୦, ଅଧ୍ୟାୟ୧୧ ର ଦଣ୍ଡବିଧି, ସବସେକ୍ସନ (୧) ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।
  4. ରାଜ୍ୟ ସରକାର ରାଜକୀୟ ରାଜପତ୍ରରେ ବିଜ୍ଞପ୍ତି ମାଧ୍ୟମରେ ଗୋଟିଏ କିମ୍ବା ଅଧିକ ପରିକଳ୍ପନା କରିବେ, ଯାହା ଉପରେ ସବସେକ୍ସନ (୧) ଅନ୍ତର୍ଗତ ଅଧିକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ଯୋଜନା ବା ଯୋଜନାଗୁଡିକ ଅନୁଯାୟୀ ଅନୁସୂଚୀତ ଜାତି ଓ ଅନୁସୂଚୀତ ଉପଜାତିମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ସୁରକ୍ଷା ଦେବା ସହିତ ସେମାନଙ୍କ ମଧ୍ୟରେ ସଦ୍ ଭାବନା ବଜାୟ ରଖିବାକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଦଣ୍ଡବିଧି ଆଇନ୍

  1. କୌଣସି ବ୍ୟକ୍ତି ଯଦି ଏହି ଅଧିନିୟମରେ ଅପରାଧ ଘଟାଇ ଗିରଫ ହୋଇଥାନ୍ତି, ତେବେ ଦଣ୍ଡବିଧି ଆଇନ୍ ର ସେକ୍ସନ ୪୩୮ ତାଙ୍କ ପାଇଁ ଲାଗୁ କରାଯାଇପାରିବ ନାହିଁ ।
  2. ୧୮ ବର୍ଷରୁ ଉର୍ଦ୍ଧ୍ଵ ଯାହାଙ୍କୁ ଅପରାଧି ବୋଲି ଏହି ଆଇନ୍ ଅନୁସାରେ ଚିତ୍ରଣ କରାଯାଇଛି ତାଙ୍କପାଇଁ ବିଧିଗ୍ରନ୍ଥର ସେକ୍ସନ ୩୬୦ର ବ୍ୟବସ୍ଥା ଏବଂ ଅପରାଧି ପରିଦିକ୍ଷା ନିୟମ, ୧୯୫୮, ର ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ ।
  3. ଯଦି କୌଣସି ନିୟମ ଅନୁସାରେ କିଛି ସମୟ ପାଇଁ ବଳପ୍ରୟୋଗ ଦ୍ଵାରା ବା ଚଳଣି ବା ପ୍ରଥା ଅନୁଯାୟୀ ଅସଙ୍ଗତ ସୃଷ୍ଟି ହୁଏ, ତେବେ ଏହି ଅଧିନିୟମ ଅନୁସାରେ ସେହି ପୂର୍ବ ନିୟମ କାର୍ଯ୍ୟକାରୀ ହେବ ନାହିଁ ।

ଉଚିତ୍ ପଦକ୍ଷେପ

  1. ସଫଳ କାର୍ଯ୍ୟକାରୀ ହେବା ସହିତ ଉଚିତ୍ ପଦକ୍ଷେପ ନେବାପାଇଁ କେନ୍ଦ୍ର ସରକାର ଏହି ନିୟମ ଅନୁସାରେ ନିୟମ ପ୍ରଣୟନ କରିପାରିବେ ।
  2. ନିର୍ଦ୍ଦିଷ୍ଟଭାବେ ଅନୁକୂଳ ସ୍ଥିତିରେ ବ୍ୟାପକ ଭାବେ ପୂର୍ବ ବ୍ୟବସ୍ଥାଗୁଡିକରେ ଏହି ଉପାୟଗୁଡିକୁ ସଂଯୁକ୍ତ କରାଯାଇପାରିବ ।
    • ନିର୍ଯ୍ୟାତିତ ବ୍ୟକ୍ତିର ସୁବିଧା ପାଇଁ ତାଙ୍କୁ ଆଇନ୍ ଗତ ପରାମର୍ଶ ଓ ସହାୟତା ଦିଆଯିବ ଯାହାଦ୍ୱାରା ସୁବିଧାରେ ସେ କୋର୍ଟରେ ଆଶ୍ରୟ ନେଇପାରିବେ ।
    • କୋର୍ଟରେ କେସ୍ ବିଚାରାଧିନ ଥିବାବେଳେ ସାକ୍ଷୀ ଓ ନିର୍ଯ୍ୟାତିତ ବ୍ୟକ୍ତିଙ୍କର ଯାତାୟତ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଦିଆଯିବାର ବ୍ୟବସ୍ଥା ରହିବ ।
    • ନିର୍ଯ୍ୟାତିତମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଭାବେ ଥଇଥାନ କରାଯିବ।
    • ଏହି ଅଧିନିୟମରେ ଥିବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏବଂ ଅଭିଯୋଜକଙ୍କର କାର୍ଯ୍ୟକୁ ଅନୁଶୀଳନ କରିବା ପାଇଁ ଅଫିସର ନିଯୁକ୍ତ କରାଯିବ ।
    • ରାଜ୍ୟ ସରକାର ଉପଯୁକ୍ତ ମନେ କରୁଥିବା ବିଭିନ୍ନ କମିଟି ଗଠନ କରି ଏହି ଅଧିନିୟମ ଅନୁସାରେ ବିଭିନ୍ନ ଆଇନ୍ ପ୍ରବର୍ତ୍ତନ କରିବା ସହିତ କାର୍ଯ୍ୟକାରୀ କରିବାରେ ସରକାରଙ୍କୁ ସାହାଯ୍ୟ କରିବେ ।
    • ଏହି ଅଧିନିୟମରେ ଥିବା ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ବ୍ୟବସ୍ଥାର କାର୍ଯ୍ୟକାରୀତା ସମ୍ବନ୍ଧରେ ସାମୟିକ ପଦକ୍ଷେପ ଗ୍ରହଣ କରିବା ସହିତ ଉପାୟମାନ ବାହାର କରିବେ ।
    • ବହୁ ସଂଖ୍ୟାର ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ସଦସ୍ୟମାନେ ନିର୍ଯ୍ୟାତିତ ହେଉଥିବା ନିର୍ଦ୍ଧିଷ୍ଟ ଅଞ୍ଚଳମାନ ଠାବ କରି ସେଠାରେ ଏହି ଉପଯୁକ୍ତ ଉପାୟମାନ ଗ୍ରହଣ କରି ସେମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବେ ।
  3. ସବସେକ୍ସନ (୧) ଅନୁଯାୟୀ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସ୍ଵର ପ୍ରଣୀତ ଉପାୟଗୁଡିକ ସହିତ ସମନ୍ଵୟ ରକ୍ଷା ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରିବେ ।
  4. ଏହି ସବସେକ୍ସନ ଥିବା ବ୍ୟବସ୍ଥା ସମ୍ବନ୍ଧରେ ଅନୁସରଣ କରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଏକ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତ କରି କେନ୍ଦ୍ର ସରକାର ପ୍ରତିବର୍ଷ ସଂସଦରେ ଉପସ୍ଥାପନ କରିବେ । ୨୨. କେନ୍ଦ୍ର ସରକାରୀ ଗେଜେଟ ରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ଅଧିନିୟମ ପାଳନ କରିବା ଉଦ୍ଦେଶ୍ୟରେ ନିୟମ ପ୍ରଣୟନ କରିପାରିବେ ।

ନିୟମଉପସ୍ଥାପନ

ଏହି ଅଧିନିୟମ ଅନ୍ତର୍ଗତ ପ୍ରତ୍ୟେକ ନିୟମ ପ୍ରଣୟନ କରିବା ସଙ୍ଗେ ସଙ୍ଗେ ଏହା ସଂସଦର ପ୍ରତ୍ୟେକ ଗୃହରେ ଉପସ୍ଥାପନ କରାଯିବ । ୩୦ ଦିନିଆ ସଂସଦ ଚାଲିଥିବାବେଳେ, ଗୋଟିଏ, ଦୁଇଟି ବା ତତ୍ତୋଧିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯାଇପାରିବ କିମ୍ବା ସଂସଦର ମିଆଦ ସାଇଯାଇଥିଲେ, ପରବର୍ତ୍ତୀ ଅଧିବେଶନରେ ଉପସ୍ଥାପନ କରାଯାଇପାଇବ, ଏବଂ ସଂସଦକୁ ପ୍ରତ୍ୟେକ ଗୃହ ପୂର୍ବୋକ୍ତ ନିୟମ ଗୁଡିକର ସଂଶୋଧିକ ଅଂଶକୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିପାରନ୍ତି କିମ୍ବା ଏହାକୁ ସଂସଦରେ ନାକଚ କରିଦେଇପାରନ୍ତି । ନିୟମଟି ଖାରଜ କିମ୍ବା ସଂଶୋଧିତ ଯାହା ହେଉନା କାହିଁକି ଏହା ପୁର୍ବରେ ଥିବା ନିୟମାବଳୀ ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ କାର୍ଯ୍ୟକାରୀ କରାଯିବ ।

ଆଧାର - ମାନସ ଜେନା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate