অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶାର ତାଳପତ୍ର ପୋଥି ପାଣ୍ଡୁଲିପି ବୈଭବ

ପୋଥି ପାଣ୍ଡୁଲିପି

ସମଗ୍ର ବିଶ୍ୱରେ ଭାରତ ସର୍ବାଧିକ ପୋଥି ପାଣ୍ଡୁଲିପିର ଗନ୍ତାଘର । ଏହି ପାଣ୍ଡୁଲିପିଗୁଡିକ ଭାରତର ବିଭିନ୍ନ ଭାଷାରେ ଧର୍ମ, ଦର୍ଶନ, ବିଜ୍ଞାନ, କଳା ଓ ସାହିତ୍ୟ ଇତ୍ୟାଦି ବିଷୟରେ ଲିଖିତ ହୋଇଅଛି । ଏଗୁଡିକ ତାଳପତ୍ର, କାଠ, କାଗଜ, ପଥର, ବାଉଁଶପତ୍ର, ରୂପା, ପିତ୍ତଳ, ବକ୍କଳ ଓ ବସ୍ତ୍ର ପ୍ରଭୃତିରେ ଲିଖିତ ଓ ଖୋଦିତ ହୋଇ ଭାରତ ତଥା ବିଶ୍ୱର କୋଣ ଅନୁକୋଣରେ ରହିଅଛି । ଏହି ଅମୂଲ୍ୟ ପୋଥିଗୁଡିକ ମଧ୍ୟରୁ କେତେକ ନଷ୍ଟ ହୋଇ ଯାଇଥିବାବେଳେ ବର୍ତ୍ତି ମାନ ଅନେକ ଧ୍ଵଂସାଭିମୁଖୀ । ଏହାର ସର୍ବେକ୍ଷଣ, ପଞ୍ଜିକରଣ, ରକ୍ଷଣାବେକ୍ଷଣ ଓ ଏଥିରେ ଥିବା ଲୁକ୍କାୟିତ ଜ୍ଞାନର ପରିପ୍ରକାଶ ଓ ପ୍ରଚାର ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ପାଣ୍ଡୁଲିପି ଅଭିଯାନ ପ୍ରତିଷ୍ଠା କରିଛନ୍ତି । ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଶ ବିଦେଶର ପାଣ୍ଡୁଲିପି ସହ ଜଡିତ ଥିବା ସଂସ୍ଥାମାନଙ୍କ ଦ୍ଵାରା ସାଧିତ ହେଉଛି । ଉପରୋକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜାତୀୟ ପାଣ୍ଡୁଲିପି ଅଭିଯାନ ଏ ପର୍ଯ୍ୟନ୍ତ ଏଥିସହ ଜଡିତ ଥିବା କେତେକ ପ୍ରମୁଖ ସଂସ୍ଥାଗୁଡ଼ିକୁ ପାଣ୍ଡୁଲିପି ସମ୍ଭାର କେନ୍ଦ୍ର ଭାବରେ ଚିହ୍ନିତ କରିଛନ୍ତି । ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ର, ନୂଆଦିଲ୍ଲୀ, କେନ୍ଦ୍ରୀୟ ସଂସ୍ଥା ଭାବରେ କାର୍ଯ୍ୟ କରୁଥିବା ସମୟରେ ଓଡିଶାରେ ଓଡିଶା ରାଜ୍ୟ ସଂଗ୍ରହାଳୟକୁ ପାଣ୍ଡୁଲିପି ସମ୍ଭାର କେନ୍ଦ୍ର ଭାବରେ ଚିହ୍ନିତ କରାଯାଇଛି । ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡକ୍ଟର ଚନ୍ଦ୍ରଭାନୁ ପଟେଲଙ୍କୁ ପ୍ରକଳ୍ପ-ସଂଯୋଜକ ଭାବରେ ମନୋନୀତ କରାଯାଇଛି । ଓଡିଶା ରାଜ୍ୟ ସଂଗ୍ରହାଳୟର କଳା ସଂରକ୍ଷଣ କେନ୍ଦ୍ରକୁ ପାଣ୍ଡୁଲିପି ସଂରକ୍ଷଣ କେନ୍ଦ୍ର ଭାବରେ ଚିହ୍ନିତ କରାଯାଇଛି । ଏ ସମସ୍ତ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଓଡିଶା ରାଜ୍ୟ ସଂଗ୍ରହାଳୟ, ପାଣ୍ଡୁଲିପି ସମ୍ଭାର କେନ୍ଦ୍ର, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜନ ସଚେତନତା ଶିବିର, ପୋଥି ପଞ୍ଜୀକରଣ କାର୍ଯ୍ୟ ପରିଚାଳନା କରୁଅଛି । ଏଥିସହ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କରୁ କେନ୍ଦ୍ର ସରକାରଙ୍କ ଅଧୀନରେ ନୂଆଦିଲ୍ଲୀଠାରେ ପ୍ରସ୍ତାବିତ ଏକ ଜାତୀୟ ପାଣ୍ଡୁଲିପି ଗ୍ରନ୍ଥାଗାର ପ୍ରତିଷ୍ଠା ନିମନ୍ତେ ପୋଥି ବିନା ମୂଲ୍ୟରେ ଗ୍ରହଣ କରୁଛନ୍ତି । ଏହି ପୋଥି ପ୍ରକଳ୍ପ ଅଧୀନରେ ନଭେମ୍ବର ୨୨ ରୁ ୨୬, ୨୦୦୪ ତାରିଖ ମଧ୍ୟରେ ସମଗ୍ର ଓଡିଶାରେ ଏକ ବ୍ୟାପକ ପାଣ୍ଡୁଲିପି ସର୍ବେକ୍ଷଣ କାର୍ଯ୍ୟ କରାଯିବ । ଏହାର ସଫଳତା ନିମନ୍ତେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ଏକାନ୍ତ କାମ୍ୟ ।

ଓଡିଶା ଉକୃଷ୍ଟ ମୂଲ୍ୟବାନ ତାଳପତ୍ର

ଓଡିଶା ଉକୃଷ୍ଟ ମୂଲ୍ୟବାନ ତାଳପତ୍ର ପୋଥି ସଂପଦକୁ ନେଇ ଯେତିକି ରୁଦ୍ଧିମନ୍ତ ଉତ୍ତର ଓଡ଼ିଶାର ଉପାନ୍ତ ଅଂଚଳରୁ ସଂଗୃହୀତ ହୋଇଥିବା ପୋଥି ସମୂହକୁ ନେଇ ମଧ୍ୟ ସେତିକି ବୈଭବମୟ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ବହୁ ବେସରକାରୀ ସଂସ୍ଥାରେ ଗଚ୍ଛିତ ଥିବା ବିଭିନ୍ନ ତାଳପତ୍ର ପୋଥି ପ୍ରାୟ ଦଶମ ଶତାବ୍ଦୀଠାରୁ ଓଡିଶାର ଐତିହ୍ୟ, ପ୍ରାଚୁର୍ଯ୍ୟ ଏବଂ ମହାନ୍ ପରଂପରାର ଗାଥା ବହନ କରି ଆସୁଛି । ଏହା ବାଲେଶ୍ଵର ଜିଲ୍ଲାର ଗ୍ୟାଧୀବେଧା ନିକଟରୁ ମିଳିଥିବା ଜୈନଭିକ୍ଷୁ କୁମାର ସେନଙ୍କ ଅଭିଲେଖରୁ ପ୍ରମାଣ ମିଳେ । ଓଡିଶାର ଐତିହ୍ୟ, ସଂସ୍କୃତି, କଳା ଓ କାରୁକାର୍ଯ୍ୟ ସଂପର୍କରେ ଏଗୁଡିକ ଯେ ଜ୍ଞାନର ଗନ୍ତାଘର, ଏଥିରେ ଦ୍ଵିରକ୍ତି ନାହିଁ । ଯେହେତୁ ଓଡିଶାରେ ତାଳପତ୍ର ବହୁଳ ଭାବରେ ଉପଲବ୍ଧ ହୁଏ, ତେଣୁ ଏଠାରେ ତାଳପତ୍ର ପୋଥି ପରଂପରାକ୍ରମେ ଅଧିକରୁ ଅଧିକ ଲୋକପ୍ରିୟ ହେବାକୁ ଲାଗିଲା । ବିଭିନ୍ନ ବିଷୟ ବସ୍ତୁକୁ ଲୌହ ଲେଖନୀ ସାହାଯ୍ୟରେ ଖୋଦନ କରିବା ମଧ୍ୟ କ୍ରମେ ସହଜ ମନେ ହେଲା । ଓଡ଼ିଆ ଲିପିର ଗୋଲାକୃତି ଶୈଳୀ ଯୋଗୁଁ ଏହା ଉନ୍ନତମାନର ହେବା ସହଜ ହୋଇପାରିବା ସଂଗେ ସଂଗେ ଏହି ପରଂପରା ଅଧୁନା ମଧ୍ୟ ଅପରିବର୍ତ୍ତିତ ରହିଛି ।

ସବୁଠାରୁ କୌତୁହଳର କଥା ହେଲା ଯେ, ଉନବିଂଶ ଶତାବ୍ଦୀରେ ବହୁ ସଂଖ୍ୟକ ପାଶ୍ଚାତ୍ୟ ଗବେଷକ ଓଡିଶାର ତାଳପତ୍ର । ପୋଥି ପ୍ରତି ଆକୃଷ୍ଟ ହୋଇଥିବା ଜଣାପଡେ । ରେଭରେଣ୍ଡ ଜେ. ଲଙ୍ଗ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲରେ ପ୍ରଥମ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଥିଲା ଏବଂ ପରେ ପରେ ମାକେଂଜି, ସାର.ଜନ୍. ବି, ବାଲେଶ୍ଵରର ତତ୍କାଳୀନ ଜିଲ୍ଲାପାଳ ଆର୍.ଏଲ. ମିତ୍ର, ଏମ.ଏମ୍. ଚକ୍ରବର୍ତ୍ତୀ, ଏଚ୍.ପି. ଶାସ୍ତ୍ରୀ ଏବଂ ପ୍ରଫେସର ମ୍ୟାଡୋନାଲ ପ୍ରଭୃତି ଓଡିଶାର ତାଳପତ୍ର ପୋଥି ପରଂପରା ସଂପର୍କରେ ଗବେଷଣା କରି ଏହାର ବିସ୍ତୃତ ଉତ୍କଳ ସଂସ୍କୃତି ଉପରେ ନୂତନ ଆଲୋକପାତ କରିଛନ୍ତି ।

୧୯୩୬ ମସିହାରେ ଓଡିଶା ଯେତେବେଳେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ସ୍ୱୀକୃତି ପାଇଲା, ସେତେ ବେଳେ ସ୍ଥାନୀୟ ପଣ୍ଡିତମାନଙ୍କ ସାହାଯ୍ୟରେ ଓଡ଼ିଶା ତଥା ଉତ୍ତର ଓଡ଼ିଶାର ଉପାନ୍ତ । ଅଂଚଳ ଯଥା ମେଦିନାପୁର, ଖଡଗପୁର, ପୁରୁଲିଆ, ଦୀଘା, ଜଳେଶ୍ଵର ଓ ବାଲେଶ୍ଵର ପ୍ରଭୃତି ସ୍ଥାନରେ ସୁରକ୍ଷିତ ଥିବା ତାଳପତ୍ର ପୋଥି ଗୁଡିକର ତାଲିକା ପ୍ରସ୍ତୁତ କରି ବା ପାଇଁ ପଦକ୍ଷେପ ନିଆଗଲା । ଏହିଭଳି ପ୍ରାୟ ୧୫ ହଜାର ପୋଥି ର ଏକ ତାଲିକା ପ୍ରସ୍ତୁତ କରାଗଲା । ତନ୍ମଧ୍ୟରୁ ଏଗାର ହଜାର ପୋଥି ସଂପ୍ରତି ଓଡିଶା ରାଜ୍ୟ ସଂଗ୍ରହାଳୟରେ ସୁରକ୍ଷିତ ହୋଇ ରଖାଯାଇଛି । ପରବର୍ତ୍ତୀ ସମୟରେ ପ୍ରଫେସର ଜି.ଏସ୍. ଦାଶ ଏବଂ ପ୍ରଫେସର ଏନ୍. ବାନାର୍ଜୀଙ୍କର ପ୍ରଚେଷ୍ଟାରେ ଓଡିଶା ସରକାରଙ୍କର ଶିକ୍ଷା ବିଭାଗ ପକ୍ଷରୁ ଅନେକଗୁଡିଏ ତାଳପତ୍ର ପୋଥି ସାରା ଓଡିଶାରୁ ସଂଗ୍ରହ କରାଯାଇଥିଲା । ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର  ରଥ ଏବଂ କେଦାରନାଥ ମହାପାତ୍ରଙ୍କ ପରି ଗବେଷକମାନେ ସରକାରୀ ଏବଂ ବ୍ୟକ୍ତିଗତ ଭାବରେ ଅନେକ ପୋଥି ସଂଗ୍ରହ କରି ଓଡ଼ିଶା ତଥା । ଉପାନ୍ତ ଅଞ୍ଚଳର ପୋଥି ସଂପଦକୁ ବହୁ ଭାବରେ ସମୃଦ୍ଧ କରିଛନ୍ତି ।

ଓଡିଆ ତାଳପତ୍ର ପୋଥି ଲେଖକମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ

ଭ।ରତୀୟ ଦର୍ଶନରେ ଓଡିଆ ତାଳପତ୍ର ପୋଥି ଲେଖକମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବୌଦ୍ଧଧର୍ମର ପ୍ରସାର ପରଠାରୁ ଧର୍ମକୀର୍ତ୍ତି, କବି ଡିଣ୍ଡି, ଜୀବ ଦେବାଚାର୍ଯ୍ୟ, ଆଚାର୍ଯ୍ୟ ନୃସିଂହ ବାଜପେୟୀ, ବଳଦେବ ବିଦ୍ୟାଭୂଷଣ, ଇନ୍ଦ୍ରଭୂତି, ଲକ୍ଷ୍ମୀକରା ଆଦି ଭାରତୀୟ ଦାର୍ଶନିକ ମାନଙ୍କର ପୋଥିଜଗତକୁ ଦାନ ଅତୁଳନୀୟ । ନବମ ଶତାବ୍ଦୀର ପୁରୁଷୋତ୍ତମ ଦେବଙ୍କ ରଚିତ ତ୍ରିକାଣ୍ଡ ସେଶ ଏବଂ ହାରାବଳୀ ଏବଂ ମେଦିନୀ କରଙ୍କ ରଚିତ ମେଦିନି କୋଷ ଆଦି ଓଡ଼ିଆ ଅଭିଧାନ ଭାରତବର୍ଷରେ ସର୍ବତ୍ର ପ୍ରସାର ଲାଭ କରିଛି ।

ଓଡିଶା ରାଜ୍ୟ ସଂଗ୍ରହାଳୟରେ ବେଦ ଉପରେ ବିଶେଷ ପୋଥି ଦେଖିବାକୁ ମିଳେ ନାହିଁ । କାରଣ ଓଡିଶାର ଲୋକମାନେ ସାଧାରଣତଃ । ରକ୍ଷଣଶୀଳ ହୋଇଥିବାରୁ ସେମାନେ ବ୍ୟକ୍ତିଗତ ପୋଥିଗୁଡିକୁ ଦାନ କରିବାକୁ ରାଜି ହୁଅନ୍ତି ନାହିଁ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେମାନେ ନାନା ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି । ଏହି କାରଣରୁ  ପ୍ରାୟ ପ୍ରତ୍ୟେକ ଓଡ଼ିଆ ଘରେ ବହୁ ସଂଖ୍ୟାରେ ତାଳପତ୍ର ପୋଥି ଦେଖିବାକୁ ମିଳେ । ଯଜୁର୍ବେଦ ଓ ଅଥର୍ବବେଦର କେତେକ ପୋଥି ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରୁ ସଂଗ୍ରହ କରାଯାଇଅଛି । ଏହି ପୋଥି ଗୁଡିକ ପାଠ କଲେ ତାହା ଓଡ଼ିଆ ପୋଥି ଲେଖାଳୀ ମାନଙ୍କ ଦ୍ଵାରା ଲିଖିତ ବୋଲି ପରିଷ୍କାର ଜଣାପଡେ ।

ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀର ମଧ୍ୟବର୍ତ୍ତୀ ସମୟ ଓଡିଆ ଭାଷାର ସୁବଯୁଗ । ଏହି ସମୟରେ ରାମ ଓ କୃଷ୍ଣଙ୍କ ବିଷୟରେ ଅନେକ ରଚନା ଓଡ଼ିଆ ସାହିତ୍ୟରେ ସ୍ଥାନ ପାଇଥିଲା । ଓଡ଼ିଆ ଗବେଷକମାନେ ଏହି ସମୟରେ ଶହ ଶହ ସଂଖ୍ୟାରେ ଛାନ୍ଦ, କାବ୍ୟ, ବୋଲି, ହାରାହାରି ପାଞ୍ଚ ହଜାର ଚଉତିଶା, ଏକ ଲକ୍ଷ ଚଉପଦୀ, କୋଡିଏ ହଜାର ପୋଇ, ପଚାଶରୁ ଊଦ୍ଧ କୋଇଲି ରଚନା କରିଥିଲେ । ପରିବର୍ଭି କାଳରେ ଅନେକ କବି ଏହା ଦ୍ଵାରା ଅନୁପ୍ରାଣିତ ହୋଇ ଆହୁରି କେତେକ ମୂଲ୍ୟବାନ ପୋଥି ରଚନା କରିଥିଲେ । ପିତାମ୍ବର ଦେବଙ୍କର ଅଖିଳ ରଥଦ ଚିନ୍ତାମଣି, କେଶବ ରଥଙ୍କର ଅନଙ୍ଗ ରାଗିଣୀ, ଶ୍ୟାମସୁନ୍ଦର ଦେବଙ୍କର ଅନୁରାଗ କଳ୍ପଲତା ଓ ରାମଚନ୍ଦ୍ର ପଟ୍ଟନାୟକଙ୍କର ହାରାବତୀ, ଏଗୁଡିକ ମଧ୍ୟରୁ ଅନ୍ୟତମ । ଇତିହାସକୁ ନେଇ ଅନେକ ତାଳପତ୍ର ପୋଥି ମଧ୍ୟ ଆମେ ଦେଖିବାକୁ ପାଉ । ଓଡିଆ ଗବେଷକମାନଙ୍କ ରଚିତ ଅନେକ ବେଙ୍ଗଲି ଏବଂ ହିନ୍ଦୀ ପୋଥି ମଧ୍ୟ ରହିଛି । ଓଡିଆ କବିମାନଙ୍କ ରଚିତ ବେଙ୍ଗଲି ପୋଥି ମଧ୍ୟରୁ ରାମଚନ୍ଦ୍ର ପଟ୍ଟନାୟକଙ୍କର କୃଷ୍ଣଲୀଳା, ଦ୍ଵାରୀକା ଦାସଙ୍କର ମାନସମନ୍ଥନ, ଗୌରଚନ୍ଦ୍ର ପରିଚ୍ଛାଙ୍କର ଗୋବଦ୍ଧନ ଉତ୍ସବ, ପିଣ୍ଡିକା ଶ୍ରୀଚନ୍ଦନଙ୍କର ବସନ୍ତରାସ, ନଟବର ଦାସଙ୍କର ଦୋଳରାସ, ଜଗନ୍ନାଥ ଦାସଙ୍କର ଗଙ୍ଗା ମାହାଯ୍ୟ ଅନ୍ୟତମ । ଏହା ବ୍ୟତୀତ ବର୍ତ୍ତମାନ ତେଲୁଗୁ, ତାମିଲ, ପାର୍ଶୀ, ଉର୍ଦୁ ଭାଷାରେ ବହୁ ପୋଥି ଓଡିଶା ରାଜ୍ୟ ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଅଛି । ବେଦାର୍ଥ ପ୍ରବେଶ ଟୀକା, ଅଥର୍ବବେଦର ପିପ୍ପଲଦା ସଂହିତା, ନାମାବଳୀ ତନ୍ତ୍ର, ଦୁଗାଁ ଜଣାଣ ଦୀପିକା, ଭୁବନେଶ୍ଵରୀ ପ୍ରକାଶ, ତାରିଣୀ କୁଳସୁଦ୍ଧା ତରଂଗିଣୀ, କ୍ରିତ୍ୟ କୌମୁଦି, ଗୀତା ପ୍ରକାଶ, ସଂଗୀତ ନାରାୟଣ, ସଂଗୀତ କଳ୍ପଲତା, ମଣିମାଳା ନାଟିକା, ରୁକ୍ମଣୀ ପରିଣୟ, ଗୀତଗୋବିନ୍ଦ, ଭରତାମୃତ୍ୟ, ମହାକାବ୍ୟ ଆଦି ଅନେକ ପୋଥି ସଂଗ୍ରହ କରାଯାଇ ଗବେଷକ ମାନଙ୍କର ଆବଶ୍ୟକ ପାଇଁ ରଖାଯାଇଛି ।

ରାଜ୍ୟ ସଂଗ୍ରହାଳୟର ପୋଥି

ନିମ୍ନଲିଖିତ ସତାଇଶଟି ବିଭାଗରେ ରାଜ୍ୟ ସଂଗ୍ରହାଳୟର ପୋଥି ସବୁକୁ ବିଭକ୍ତ କରାଯାଇଛି ଯଥା- ବେଦ, ତନ୍ତ୍ର, ଜ୍ୟୋତିଷ, ଧର୍ମଶାସ୍ତ୍ର, ଆୟୁର୍ବେଦ, ଗଣିତ, ଶିଳ୍ପଶାସ, ସଂଗୀତ, ଅଭିଧାନ, ବ୍ୟାକରଣ, ସଂସ୍କୃତ ପୁରାଣ, ସଂସ୍କୃତ କାବ୍ୟ, ଅଳଙ୍କାର, ବେଙ୍ଗଲି(ସଂସ୍କୃତ), ବେଙ୍ଗଲି, ଦେବନାଗରୀ, ଓଡିଆ ପୁରାଣ, ଓଡିଆ କାବ୍ୟ, ଓଡ଼ିଆ ଗଦ୍ୟ ସାହିତ୍ୟ, ଓଡିଆ ଇତିହାସ, କାଗଜ ପୋଥି (ସଂସ୍କୃତ), କାଗଜ ପୋଥି (ଓଡିଆ), ନକଲ ପୋଥି, ଆରବିକ୍,ଦର୍ଶନ, ତେଲୁଗୁ ଏବଂ ଚିତ୍ରିତ ତାଳପତ୍ର ।

ଓଡିଶାର ଉପାନ୍ତ ଅଂଚଳରେ ଅନେକ ପୋଥି ଉପଯୁକ୍ତ ଯତ୍ନ ଅଭାବରୁ ଗାଁ ଗହଳରେ ଅବହେଳିତ ଅବସ୍ଥାରେ ପଡିରହିଛି । ଆମ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା ସେହି ପୋଥିଗୁଡିକର ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ସମୂହଙ୍କ ଦ୍ଵାରା ଉପଯୁକ୍ତ ଯତ୍ନ ନିଆଯାଇପାରିଲେ ଓଡିଶାର ତାଳପତ୍ର ପୋଥି ସଂପଦକୁ ଆକ୍ଷୁର୍ଣ୍ଣ ରଖାଯାଇ ପାରନ୍ତା ।

ପୋଥି ପାଣ୍ଡୁଲିପି ଅଭିଯାନ ରାଜ୍ୟ ସଂଗ୍ରହାଳୟ

ଓଡିଶାରେ ବର୍ତ୍ତମାନ ଭାରତ ସରକାରଙ୍କର ପୋଥି ପାଣ୍ଡୁଲିପି ଅଭିଯାନ ରାଜ୍ୟ ସଂଗ୍ରହାଳୟ ଜରିଆରେ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଅଦ୍ୟାବଧି ୮୦ ହଜାରରୁ ଊଦ୍ଧ ନୁତନ ତାଳପତ୍ର ପୋଥି ସର୍ବେକ୍ଷଣ ଓ ପଞ୍ଜୀକରଣ କରାଯାଇଛି । ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ ବର୍ଭମାନ ଚାଲୁ ରହିଛି । ଏକ ପ୍ରାରମ୍ଭିକ ଆକଳନରୁ ସାରାଭାରତରେ ୫୦ ଲକ୍ଷରୁ ଊଦ୍ଧ ଓ ଓଡିଶାରେ ୫ ଲକ୍ଷରୁ ଊର୍ଦ୍ଧ୍ଵ ତାଳପତ୍ର ପୋଥି ଥିବାର ପ୍ରାକ୍ ଆକଳନ କରାଯାଇଛି । ସର୍ବେକ୍ଷଣରୁ ଆହୁରି ମଧ୍ୟ ଜଣାଯାଇଛି ଯେ, ଖାଲି ତାଳପତ୍ର ନୁହେଁ ଅନ୍ୟାନ୍ୟ । ମାଧ୍ୟମ ଯଥା ତମ୍ବାପଟା, ରୂପାପଟା, ବାଉଁଶପତ୍ର, ବକ୍କଳ, ହାତ ତିଆରି କାଗଜ ଚମଡା ତଥା ବସ୍ତ୍ର ଦେହରେ ମଧ୍ୟ ଅନେକ ପୋଥି ଓ ପାଣ୍ଡୁଲିପି ଥିବାର ଜଣାଯାଇଛି । ଏହି ସର୍ବେକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଓଡିଶାର ପୋଥି ପାଣ୍ଡୁଲିପି ବୈଭବର ଅନେକ ନୂତନ ଦିଗନ୍ତ ଉନ୍ମୋଚିତ ହେବ ବୋଲି ଆଶା କରାଯାଏ ।

ସମ୍ପାଦନ- ଡଃ ଚନ୍ଦ୍ରଭାନୁ ପଟେଲ, ଅଧ୍ୟକ୍ଷ, ରାଜ୍ୟ ସଂଗ୍ରହାଳୟ,ଭୁବନେଶ୍ଵର

ଆଧାର - ଇ ମଗାଜିନ

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate