অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ଧବିଶ୍ୱାସର ଇଲାକାରେ ପରିବର୍ତ୍ତନର ପରୀ

ଅନ୍ଧବିଶ୍ୱାସର ଇଲାକାରେ ପରିବର୍ତ୍ତନର ପରୀ

ଯମୁନାଙ୍କ ସଫଳତା

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଆଦିବାସୀ ବହୁଳ ସିଆଳଘାଟି ଗାଁରେ ଯମୁନାମଣିଙ୍କ ଘର । ବୟସ ୨୯ ବର୍ଷ। ନବମ ଶ୍ରେଣୀ ପରେ ଆଉ ଆଗକୁ ପଢ଼ି ପାରି ନ ଥିଲେ ଯମୁନାମଣି । କିନ୍ତୁ ପିଲାଟିବେଳୁ ସେବା କରିବାର ମନୋବୃତ୍ତି ତାଙ୍କୁ ଆଜି ଦେଶବ୍ୟାପୀ ପରିଚିତି ଆଣିଦେଇଛି । ନିକଟସ୍ଥ ତେଣ୍ଡା ଗାଁରେ ସେ ଆଶାକର୍ମୀ ଭାବେ କାର୍ଯ୍ୟ କରନ୍ତି । ଗରିବୀ, ଅଶିକ୍ଷା ଓ କୁସଂସ୍କାରରେ ଉବୁଟୁବୁ ଏହି ଗାଁର ଚିର ସହଚର ହେଉଛି ରୋଗ । ଏଠି ଔଷଧ ଅପେକ୍ଷା ଲୋକେ ଅନ୍ଧବିଶ୍ୱାସ ଉପରେ ଅଧିକ ଭରସା କରନ୍ତି । ଡାକ୍ତରଙ୍କ ଅପେକ୍ଷା ଏଠି ଗୁଣିଆର ହୁକୁମ ଅଧିକ ଚାଲେ ।

ତେବେ ଯମୁନାମଣି ଏ ଗାଁ ଲୋକଙ୍କ ମାନସିକତାରେ ପରବିର୍ତନ ଆଣିବାକୁ ନିରନ୍ତର କାର୍ଯ୍ୟରତ । ଗର୍ଭବତୀ ମହିଳା ହୁଅନ୍ତୁ ଅଥବା ଜ୍ୱର କି ଝାଡ଼ା ରୋଗୀ; ସମସ୍ତଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇଦେବାକୁ ଆଗଭର ହୋଇ ବାହାରିପଡ଼ନ୍ତି ଯମୁନାମଣି । ଘର ଘର ବୁଲି ସେ ସ୍ଵଚ୍ଛତାର ସଚେତନତା ବାର୍ତ୍ତା ବାଣ୍ଟନ୍ତି, ନିରୋଗ ରହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପ୍ରବର୍ତାନ୍ତି, ସର୍ବୋପରି ଦେହ ଖରାପ ହେଲେ ଗୁଣିଆ ପାଖକୁ ନ ଯାଇ ଡାକ୍ତର କିମ୍ବା ଆଶାକର୍ମୀଙ୍କ ପରାମର୍ଶ ନେବାଲାଗି ଗାଁ ଲୋକଙ୍କୁ ଉତ୍ସାହିତ କରିଥାନ୍ତି ଯମୁନାମଣି ।

ଅନ୍ଧବିଶ୍ଵାସରେ ପରିବର୍ତ୍ତନ

ଯମୁନାଙ୍କର ପରିଶ୍ରମ ଆଦୌ ବ୍ୟର୍ଥ ଯାଇନି । ଗୋଟିଏ ବର୍ଷ ଭିତରେ ସେ ତେଣ୍ଡା ଗାଁର ୩୫ ଜଣ ମାଲେରିଆ ପୀଡ଼ିତଙ୍କୁ ରୋଗମୁକ୍ତ କରି ପାରିଛନ୍ତି । ଆଦିବାସୀ ଅଞ୍ଚଳରେ ଏକ ନୂଆ ଆଶା ସଂଚାର କରିବାରେ ସମର୍ଥ ହୋଇଛନ୍ତି ସେ । ସରକାରଙ୍କ ସ୍ଵଳ୍ପ ପାରିଶ୍ରମିକ ଆଉ ଅନ୍ୟପଟେ ଲୋକଙ୍କ ମନରୁ ଯୁଗଯୁଗର ଅନ୍ଧବିଶ୍ୱାସ ଭୂତକୁ କାଢ଼ିବା ଲାଗି ତାଙ୍କର ଅକ୍ଲାନ୍ତ ପରିଶ୍ରମ ଭିତରେ ବି ଥକି ପଡ଼ିନାହାନ୍ତି ଯମୁନାମଣି । ଆଉ ତାଙ୍କର ଏହି ପରିଶ୍ରମ ଓ ତ୍ୟାଗ ଲାଗି ୨୦୧୫ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାର ଶ୍ରେଷ୍ଠ ଆଶା କର୍ମୀ ଭାବେ ବାଲେଶ୍ୱରରେ ତାଙ୍କୁ ସମ୍ମାନିତ କରାଯାଇଛି । ଏବେ ‘ମନ୍‍ କି ବାତ୍‍’ରେ ମୋଦିଙ୍କ ପ୍ରଶଂସା ପରେ ଦେଶବ୍ୟାପୀ ପ୍ରସିଦ୍ଧ ହୋଇଯାଇଥିବା ଯମୁନାମଣି ସିଂଙ୍କର ଉତ୍ସାହ ବି ବହୁଗୁଣିତ ହୋଇଯାଇଛି । ସାଧାରଣତଃ ଗରିବ ପରିବାର ଓ ଗ୍ରାମ୍ୟ ପରିବେଶରେ ମହିଳା ଜଣେ ନିଜର ଇପ୍ସିତ କାର୍ଯ୍ୟ କରିବାକୁ ସ୍ଵାଧୀନତା ପାଉ ନଥିବା ବେଳେ ଯମୁନାମଣି କିନ୍ତୁ ଏ କ୍ଷେତ୍ରରେ ବେଶ୍‍ ଭାଗ୍ୟବତୀ । ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ଉଭୟ ବାପା ଓ ସ୍ଵାମୀ ଅଧିକ ଉତ୍ସାହିତ କରନ୍ତି ବୋଲି ଯମୁନାମଣି ପ୍ରତିକ୍ରିୟାରେ କହିଛନ୍ତି । ନିଜ ଅଞ୍ଚଳକୁ ସମ୍ପୂର୍ଣ ଭାବେ ମାଲେରିଆ ମୁକ୍ତ କରିବା ତାଙ୍କର ସ୍ଵପ୍ନ ।

ଆଧାର - Subhransu Panda Author and Journalist

Last Modified : 2/15/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate