অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅବସରର ବୟସ ନାହିଁ ୯୪ରେ ସରପଞ୍ଚ

ବୟସ୍କଙ୍କ ପାଇଁ ପ୍ରେରଣା

ଗଙ୍ଗୁବାଇଙ୍କ କ୍ଷେତ୍ରରେ କାମ କରିବା ସ୍ପୃହା ଆଗରେ ବୟସ ହାର ମାନିଛି । ଗଙ୍ଗୁବାଇ ଜୀବନର ଏଭଳି ସୋପାନରେ ପହଞ୍ଚି ସାରିଛନ୍ତି ଯେଉଁଠାରେ ମଣିଷ କାମରୁ ଅବସର ନେଇସାରିଥାଏ । ଖୁବ୍ କାମ୍ ଏଭଳି ଲୋକ ଅଛନ୍ତି ଯେଉଁମାନେ ୯୪ ବର୍ଷ ବୟସରେ ବି କାମ କରିବା ପାଇଁ ଏଭଳି ସ୍ପୃହା ରଖନ୍ତି ।

ଆମେ ଏଭଳି ଜଣେ ମହିଳାଙ୍କ କାହାଣୀ କହିବାକୁ ଯାଉଛୁ  ଯିଏ ଜୀବନର ଶେଷ ସୋପାନରେ; ଅର୍ଥାତ୍  ବାର୍ଦ୍ଧକ୍ୟରେ ଏଭଳି କାମ କରି ଦେଖାଇଛନ୍ତି ଯାହାକୁ ବୋଧହୁଏ ଅନେକଙ୍କ ପକ୍ଷେ ଭାବିବା ମଧ୍ୟ ସମ୍ଭବ ନୁହେଁ । ୯୪ ବର୍ଷର ଗଙ୍ଗୁବାଇ ନିଭରୁତ୍ତି ଭମ୍ବୁରେ ଏଭଳି କାମ କରିଛନ୍ତି ଯାହାକୁ  ନେଇ ଏବେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏବଂ ବାର୍ଦ୍ଧକ୍ୟରେ ସମୟ କାଟିବାକୁ ରାହା ଖୋଜୁଥିବା ଅଗଣିତ ବୟସ୍କଙ୍କ ଲାଗି ପ୍ରେରଣା ପାଲଟିଛନ୍ତି । ଗଙ୍ଗୁବାଇ ୯୪ବର୍ଷ ବୟସରେ ସରପଞ୍ଚ ନିର୍ବାଚନ ଜିତିଛନ୍ତି ।

ଗଙ୍ଗୁବାଇଙ୍କ ଜୀବନ କାହାଣୀ

ଗାଁରେ ଆଦରର ଆଈ  ଭାବେ ପରିଚିତ ଗଙ୍ଗୁବାଇ ମହାରଷ୍ଟ୍ରର ପୁଣେ ଜିଲ୍ଲାର  ଖେଡ ତହସିଲ ଅନ୍ତର୍ଗତ ଭମ୍ବୂରୱାଡି ଗାଁର ସରପଞ୍ଚ ହୋଇଛନ୍ତି । ପୁଣେର ଜିଲ୍ଲାପାଳ କହିଛନ୍ତି ପୂରା ଜିଲ୍ଲାରେ ଏତେ ବୟସରେ କେହି ସରପଞ୍ଚ ହୋଇନାହାନ୍ତି । ସରପଞ୍ଚ ହେବା ପରେ ଗଙ୍ଗୁବାଇ କହିଛନ୍ତି, ‘ଏବେ ମୋର କାମ କରିବାର ସମୟ ଆସିଯାଇଛି । ମୁଁ ଯୁବକଙ୍କ ଭଳି ଚାଲିପାରିବି ଏବଂ ଶିକ୍ଷକଙ୍କ ଭଳି କହିପାରିବି । ସର୍ବପ୍ରଥମେ ମୁଁ ୭ଟି ଗାଁର ୨୫୦ ଚାଷୀଙ୍କ ସହାୟତା କରିବାକୁ ଉଦ୍ୟମ କରିବି । ଏଠାକାର ଚାଷୀଙ୍କ ପାଖାପାଖି ୧୦୦୦ ଏକର ଜମି ରହିଛି; ହେଲେ ବର୍ଷର ୮ମାସ ଜଳାଭାବ ଯୋଗୁଁ ଫସଲ ଠିକ୍ ଭାବେ ଅମଳ କରିହେଉନି । ତେଣୁ ଗାଁ ପାଇଁ ପାଣି ବ୍ୟବସ୍ଥା କରିବା ମୋର ପ୍ରମୁଖ କାମ ହେବ । କେନାଲ ରହିଛି; ହେଲେ ତାହା ଚାଷୀଙ୍କ ଜମିଠାରୁ ଦୁଇ କିମି ଦୂରରେ ।  ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛି । ଏହାଛଡା ଗାଁରେ ଆବଶ୍ୟକ ଶୌଚାଳୟ କରିବା, ଉତ୍ତମ ପରିମଳ ବ୍ୟବସ୍ଥା ଓ ଭଲ ସଡକ ନିର୍ମାଣ ଉପରେ ଗୁରୁତ୍ଵ ଦେବି ।‘ ଗଙ୍ଗୁବାଇ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଚାସକମାନ ଜଳଭଣ୍ଡାରରୁ ପାଇପ ଯୋଗେ ଚାଷୀଙ୍କ ଜମିକୁ ପାଣି ଯୋଗାଇବାକୁ ଦାବି କରିଛନ୍ତି । ପାଣି ମିଳିଲେ ଏଠାକାର ଚାଷୀଙ୍କ ଦୁଃଖ ଦୂର ହେବ ବୋଲି ଗଙ୍ଗୁବାଇ ପତ୍ରରେ ଦର୍ଶାଇଛନ୍ତି । ଗଙ୍ଗୁବାଇଙ୍କ ପଞ୍ଚୟାତରେ ଲୋକସଂଖ୍ୟା ହେଉଛି ୧୫ହଜାର ଏବଂ ଏଠାରେ ମୁଖ୍ୟତଃ ଚାଷୀ  ପିଆଜ ଅମଳ କରନ୍ତି । ଗଙ୍ଗୁବାଇ କହନ୍ତି, ପ୍ରଧାନମନ୍ତ୍ରୀ ମୋଦି ମୋ ପୁଅ ଭଳି; କାରଣ ମୋର  ବଡପୁଅର ବୟସ ହେଉଛି ୬୬ ବର୍ଷ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ବୟସର । ମୋର ବିଶ୍ଵାସ ମୋଦି ଆମ ଦାବିକୁ ନିଶ୍ଚିତ ଭାବେ ଶୁଣିବେ ।‘ ଗଙ୍ଗୁବାଇ ମାତ୍ର ୫୦ ଭୋଟ୍ ବ୍ୟବଧାନରେ ସରପଞ୍ଚ ନିର୍ବାଚନ ଜିତିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗଙ୍ଗୁବାଇଙ୍କ ବିରୋଧରେ ନିର୍ବାଚନ ଲଢି ହାରିଥିବା ମହିଳା ହେଉଛନ୍ତି ସ୍ନାତକ ଡିଗ୍ରୀଧାରୀ ଏବଂ ସିଏ ଜଣେ ରାଜନେତାଙ୍କ ପରିବାରର ସଦସ୍ୟ । ତେଣୁ ଗଙ୍ଗୁବାଇ ଏତେ ବୟସରେ ଜିତିବା ଅନେକଙ୍କୁ ଚକିତ୍ କରିଛି । ଗଙ୍ଗୁବାଇ କେବେହେଲେ ସ୍କୁଲ ଯାଇନାହାନ୍ତି । ପ୍ରାର୍ଥୀପତ୍ର କରିବାଠାରୁ ନେଇ ନିର୍ବାଚନ ଜିତିବା ଦଲିଲରେ ସିଏ ଅଙ୍ଗୁଳି ଛାପ ଦେଇଛନ୍ତି । ୯୪ ବର୍ଷରେ ଫିଟ୍ ରହିବା ନେଇ ଗଙ୍ଗୁବାଇ କୁହନ୍ତି, ‘ ନିୟମିତ ସୂର୍ଯ୍ୟାଦୟ ପୂର୍ବରୁ ଉଠି ଘର କାମ କରିଥାଏ । ମୁଁ କେବେହେଲେ ଅସୁସ୍ଥ  ହୋଇନି କି ଔଷଧ ଖାଇନି । ଦିନରେ ଦୁଇ ଓଳା ଭୋଜନ କରିଥାଏ ।  କାମବେଳେ ମୁଁ ନା ଖରାକୁ ଦେଖେ ନା ବର୍ଷାକୁ । ନିଷ୍ଠାର ସହିତ କାମ କରିବାକୁ ସବୁବେଳେ ଗୁରୁତ୍ଵ ଦେଇଆସିଛି ।‘ ଗଙ୍ଗୁବାଇଙ୍କ ୪ ପୁଅ ଓ ଜଣେ ଝିଅ ଅଛନ୍ତି । ୧୦ ବର୍ଷ ତଳୁ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଘଟିଛି ।

ଆଧାର - ଦୈନିକ ସମାଜ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate