অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୁଇ ଟଙ୍କାର କତା ଶିଳ୍ପ ଏବେ ଦୁଇ କୋଟିରେ

ଦୁଇ ଟଙ୍କାର କତା ଶିଳ୍ପ ଏବେ ଦୁଇ କୋଟିରେ

ଉପକ୍ରମ

ଗୋଟିଏ ଘରେ ସମସ୍ତେ ଏକାଠି କାମ କରୁଛନ୍ତି । ଘରଘର, ଚରଚର ଶବ୍ଦରେ ଅହରହ ଚାଲିଛି ମେସିନ୍ । ଆଉ କାମରେ ଲାଗିପଡିଛନ୍ତି ମହିଳାମାନେ । ଏମାନଙ୍କୁ ନଜର ରଖୁଛନ୍ତି ଜଣେ ମଧ୍ୟ ବୟସ୍କା ମହିଳା । ଯିଏ ସମସ୍ତଙ୍କର ପ୍ରିୟ ଶ୍ରୀମତୀ ଦିଦି । ପେଟକୁ ମୁଠେ ଦାନା ଯୋଗାଡ଼ରେ କେତେ କଷଣ, କେତେ ନିର୍ଯ୍ୟାତନା ସାହି ସଂଗ୍ରାମ କରୁଥିବା ସ୍ଵାମୀ ପରିତ୍ୟକ୍ତା, ଅସହାୟ, ବିଧବା ଏବଂ ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବା ପାଇଁ ରାହା ଦେଖାଉଛନ୍ତି ଶ୍ରୀମତୀ ।

ଶ୍ରୀମତୀ ଦିଦି ର  କାହାଣୀ

ନିଜର ଚେଷ୍ଟା ଆଉ ନିଷ୍ଠା ବଳରେ ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଶ୍ରୀମତୀ ଦୁଇ ଶହରୁ ଅଧିକ ଅସହାୟ ମହିଳାଙ୍କ ସାହା ଭରସା ପାଲଟିଛନ୍ତି । ଦୁଇ ଟଙ୍କାରୁ ଆରମ୍ଭ କରିଥିବା ସାଇକଲ ରିମ୍ରୁ ନଡ଼ିଆ କତାଶିଳ୍ପ ଏବେ ଅତ୍ୟାଧୁନିକ ଦୁଇକୋଟି ଟଙ୍କାର ମେସିନ୍ ବସାଇ କାମ କରୁଛନ୍ତି । ଏବେ ଶ୍ରୀମତୀଙ୍କ ବାର୍ଷିକ ଆୟ ୩୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଅଳ୍ପ ପାଠପଢି ଥିବା ଶ୍ରୀମତୀ ନାୟକଙ୍କୁ ଏବେ ୫୫ ବର୍ଷ । ୧୯୮୦ ମସିହାରୁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ କାର୍ଯ୍ୟାଳୟର ଏକ ପରିତ୍ୟକ୍ତ ଘରେ ଆରମ୍ଭ କରିଥିଲେ ନଡ଼ିଆକତା ଶିଳ୍ପ । ସ୍ଥାନୀୟ କିଛି ମହିଳାଙ୍କୁ ନେଇ ପାପୋଛ, ରଶି, ଗାଲିଚା, ଏବଂ କଣ୍ଢେଇ ଆଦି କାମ କରିବା ଆରମ୍ଭ କରି ବିକ୍ରି କରୁଥିଲେ । ପରେ ସରକାରଙ୍କ ନିକଟକୁ ମାତ୍ର ୯ ହଜାର ଟଙ୍କାର ଋଣ ଆଣି ସେ ଶିଳ୍ପ ଆରମ୍ଭ କରିଥିଲେ । ୧୯୯୬ ମସିହାରେ ବାୟାବାବା ମହିଳା ନଡ଼ିଆ କତା ଶିଳ୍ପ ସମବାୟ ସମିତି ନାମରେ ନିଜର ଶିଳ୍ପ ସଂସ୍ଥାକୁ ପଞ୍ଜୀକରଣ କରାଇଛନ୍ତି । ଅସହାୟ ମହିଳାମାନେ ପ୍ରତିଦିନ ତାଙ୍କ କର୍ମ ସଂସ୍ଥାନରେ କାମ କରି ଦିନକୁ ( କାର୍ଯ୍ୟକୁ ନେଇ ) ଦୁଇରୁ ତିନିଶହ ଟଙ୍କାର ରୋଜଗାର କରୁଛନ୍ତି । ଅନେକ ସ୍ଵାମୀ ପରିତ୍ୟକ୍ତା ତାଙ୍କ କର୍ମ ସଂସ୍ଥାନରେ ଅଛନ୍ତି । ପାପୋଛ, ରଶି, ମ୍ୟାଟ୍ ଏବଂ କଣ୍ଢେଇ ଆଦି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଏହି ସବୁ କାର୍ଯ୍ୟର ଚାହିଦା ମଧ୍ୟ ବହୁତ୍ ରହିଛି । ବିଭିନ୍ନ ସ୍ଥାନରେ ପଲ୍ଲିଶ୍ରୀ ମେଳାରେ ମଧ୍ୟ ତାଙ୍କ ଷ୍ଟଲର ନାଁ ରହିଛି । ଏଥି ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି । ଶ୍ରୀମତୀଙ୍କ ଦୀର୍ଘ ୩୬ ବର୍ଷର ସାଧନା ଆଉ ଉଦ୍ୟମ ଫଳରେ ସରକାରଙ୍କ ପ୍ରଦତ୍ତ ଜମିରେ ଆଖୁଳିପଡା ଗ୍ରାମରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାରେ ଏବେ ଦୁଇଶହ ଅସହାୟ ମହିଳାଙ୍କୁ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି । ଶ୍ରୀମତୀ କହନ୍ତି ଘରର ଆର୍ଥିକ ସ୍ଥିତିକୁ ଦେଖି ରୋଜଗାର ପାଇଁ ମୁଁ ପଦାକୁ ଗୋଡ଼ କାଢିଥିଲି । ଏଥିପାଇଁ ଅନେକ ଟାହି ଟାପରା ସହିଥିଲି । ଶେଷରେ ମୋ ଲକ୍ଷ୍ୟକୁ ମୁଁ ପୂରଣ କରିପାରିଛି । ସମାଜରେ ଅବହେଳିତ ମହିଳାଙ୍କ ଆର୍ଥିକ ଦୁଃସ୍ଥିତିକୁ ଦୂରକରିବା ପାଇଁ ମୋର ଉଦ୍ୟମ ହୋଇପାରନ୍ତା । ଏବେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରୁ ନଡ଼ିଆକତା (ପାରୁ) କିଣୁଛୁ । ଯଦି ସରକାର ଆମକୁ ଗୋଟିଏ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଯୋଗାଇ ଦେଇପାରନ୍ତେ, ତାହାହେଲେ ଆମେ ସ୍ଥାନୀୟ ଅଞ୍ଚଳର ନଡ଼ିଆ ଚୋପାରୁ ପାରୁ ବାହାର କରିପାରନ୍ତୁ । ଏହାଦ୍ୱାରା ଅଧିକ ମହିଳା ମଧ୍ୟ କାମ ପାଇପାରନ୍ତେ ବୋଲି ଶ୍ରୀମତୀ କହିଛନ୍ତି । ବିଶେଷକରି ଶିଳ୍ପ ବିହୀନ କେନ୍ଦ୍ରପଡା ଜିଲାରେ ନିଜ ଉଦ୍ୟମରେ ନିର୍ମିତ ଶ୍ରୀମତୀ ନାୟକଙ୍କ ଶିଳ୍ପ ସଂସ୍ଥା କେବଳ ଅସହାୟ ମହିଳାଙ୍କ ଆଶାର ଆଲୋକ ନୁହେଁ; ଆମ ସମସ୍ତେ ପାଇଁ ଏକ ଆହ୍ଵାନ ।

ଆଧାର - ଦୈନିକ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate