অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଦିବାସୀ ବାଳିକାଙ୍କ ଜୀବନ ବଦଳାଉଛି ‘ଉଡ଼ାଣ’

ଉଡ଼ାଣ ଶିକ୍ଷାଅନୁଷ୍ଠାନ

ଏମିତି ଧାରଣା ଥିବା ପରିବାରରେ ଜନ୍ମିତ ଝିଅଟିଏର ଜୀବନ କେମିତି ବିତୁଥିବ ଭାବନ୍ତୁ । ବାପା ମା’ଙ୍କୁ ଘରୋଇ କାମ ଓ ରୋଜଗାରରେ ସହଯୋଗ କରିବା ଏବଂ ବିବାହ ଯୋଗ୍ୟ ବୟସ ଛୁଇଁବା ଆଗରୁ ଘରସଂସାର କରି ମା’ ହେବା ଯେଉଁମାନଙ୍କ ଭାଗ୍ୟ ପାଲଟିଥିଲା, ସେମିତି କିଛି ଝିଅଙ୍କ ଜୀବନ ବଦଳେଇଦେଲା ମୟୁରଭଞ୍ଜର ସ୍ଵେଚ୍ଛାସେବୀ ଶିକ୍ଷାଅନୁଷ୍ଠାନ ଉଡ଼ାଣ । ଆଦିବାସୀ ବାଳିକାଙ୍କୁ ଶିକ୍ଷାର ଆଲୋକ ଦେଖାଇ ନୂଆଜୀବନ ଦେବାରେ ବ୍ରତୀ ହୋଇଛି ଏହି ଅନୁଷ୍ଠାନ ।

 

ବିଡ଼ିମୋଡ଼ାରୁ ପାଠପଢ଼ା

ମୟୁରଭଞ୍ଜ ଜିଲ୍ଲାରେ ୫୩ ପ୍ରକାରର ଆଦିବାସୀ ଗୋଷ୍ଠୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସାମାଜିକ ଓ ଅର୍ଥନୀତିକ ଭାବେ ପଛୁଆ । ତେଣୁ ଏଭଳି ପରିବାରରେ ଶିଶୁଙ୍କ ଲାଗି ଶିକ୍ଷା ସାତସପନ । ପାଠ ବଦଳରେ କଅଁଳ ବୟସରେ ପିଲାଙ୍କ ଉପରେ ଲଦି ଦିଆଯାଏ କାମର ବୋଝ । ଆଉ ଏହାର ପ୍ରଥମ ଶିକାର ପାଲଟନ୍ତି ଝିଅମାନେ । ସେମିତି ଜଣେ ଝିଅ ହେଲେ ସୁଗି ମାଙ୍କଡ଼ିଆ । ଗାଁର ଅନ୍ୟ ଝିଅଙ୍କ ଭଳି ହେତୁ ପାଇବା ଦିନୁ ସେ ବାପାମା’ଙ୍କ ବିଡ଼ିମୋଡ଼ାରେ ସହଯୋଗ କରି ଆସୁଥିଲେ । ଘର କାମ ସାଙ୍ଗକୁ ଦିନତମାମ ବିଡ଼ିମୋଡ଼ାରେ ବ୍ୟସ୍ତ ଥିଲେ ସୁଗି । ଦିନେ ସନ୍ତୋଷ ସାହୁ ନାମରେ ଜଣେ ସାମାଜିକ କର୍ମୀ ତାଙ୍କ ଘରକୁ ଆସିଲେ ଓ ସୁଗିଙ୍କ ପିତାମାତାଙ୍କୁ ଝିଅର ପାଠପଢ଼ା ବାବଦରେ ବୁଝାଇଲେ । ବହୁ ବୁଝାସୁଝା ପରେ ସୁଗିର ବାପାମା’ ଝିଅକୁ ପଢ଼ାଇବାକୁ ରାଜି ହେଲେ । ସୁଗି ଉଡ଼ାଣରେ ୫ମ ଶ୍ରେଣୀ ଉତ୍ତୀର୍ଣ ହେବ ପରେ ଏବେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । କେବଳ ସୁଗି ନୁହନ୍ତି, ତାଙ୍କ ଭଳି ୪୦୦ରୁ ଅଧିକ ବାଳିକା ଉଡ଼ାଣରେ ରହି ଶିକ୍ଷାଗ୍ରହଣ କରି ସାରିଛନ୍ତି ।

ଜନଜାତିର ଉଦାହରଣ

ଶିକ୍ଷାଠୁ ବହୁ ଦୂରରେ ଥିବା ମାଙ୍କଡ଼ିଆ ଜନଜାତି ଲାଗି ଉଦାହରଣ ପାଲଟିଛନ୍ତି ସୁଗି । ସେ ବଡ଼ହୋଇ ସରପଞ୍ଚ ହେବାର ସ୍ଵପ୍ନ ଦେଖୁଛନ୍ତି । ସେହିଭଳି ସାନ୍ତାଳ ଜନଜାତି ଲାଗି ଉଦାହରଣ ସୃଷ୍ଟି କରିଛନ୍ତି ମାଳତୀ ମୁର୍ମୁ । ଉଡ଼ାଣକୁ ଆସିବା ପୂର୍ବରୁ ମାଳତୀ ଗାଁ ସ୍କୁଲରେ ମାତ୍ର ଦ୍ୱିତୀୟ ଯାଏଁ ପାଠ ପଢ଼ି ଆଉ ଆଗକୁ ଯାଇପାରିନଥିଲେ । ଘରେ ମା’ଙ୍କୁ ଶାଳପତ୍ର ଖଲି ତିଆରିରେ ସହଯୋଗ କରୁଥିଲେ । ଦିନକୁ ପ୍ରାୟ ୫୦ଟି ଖଲି ତିଆରି କରି ୫ ଟଙ୍କା ଆୟ କରୁଥିଲେ ମାଳତୀ । ଏବେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ପଢ଼ୁଥିବା ମାଳତୀ ଭବିଷ୍ୟତରେ ଶିକ୍ଷକ ହେବାର ଲକ୍ଷ୍ୟ ରଖିଛନ୍ତି ।

ଶିକ୍ଷାସନ୍ଧାନର ଉଡ଼ାଣ

ରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ଅଣଲାଭଦାୟକ ଶିକ୍ଷାସନ୍ଧାନ ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ଆଦିବାସୀ କିଶୋରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ଲକ୍ଷ୍ୟରେ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାସନ୍ଧାନ ପକ୍ଷରୁ ଉଡ଼ାଣ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି । ଏଠାରେ ଛାତ୍ରୀମାନଙ୍କୁ ମାଗଣା ରହିବା, ଖାଇବା, ପିନ୍ଧିବା ସାଙ୍ଗକୁ ଶିକ୍ଷାଦାନ ଦିଆଯାଉଛି ।

ଶିକ୍ଷାସନ୍ଧାନର ସଦସ୍ୟ-ସଚିବ ଅନୀଲ ପ୍ରଧାନ କହନ୍ତି,ଆଦୌ ବିଦ୍ୟାଳୟ ମାଡ଼ିନଥିବା କିମ୍ବା ବିଦ୍ୟାଳୟ ଛାଡ଼ି ଦେଇଥିବା ୯ରୁ ୧୪ ବର୍ଷ ବୟସର ଆଦିବାସୀ କିଶୋରୀଙ୍କୁ ପୁଣି ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଉଡ଼ାଣ ଆରମ୍ଭ ହୋଇଛି । ଏଠାରେ ସେମାନେ ୫ମ ଶ୍ରେଣୀ ଉତ୍ତୀର୍ଣ ହେବା ପରେ ନିମ୍ନମାଧ୍ୟମିକ ବିଦ୍ୟାଳୟରେ ସେମାନଙ୍କୁ ପଢ଼ାଇବା ଲାଗି ମଧ୍ୟ ଶିକ୍ଷାସନ୍ଧାନ ସହଯୋଗ କରୁଛି ।

ନିଜ ଘର ଠାରୁ ଦୂରରେ ଏହି ଛାତ୍ରୀମାନଙ୍କୁ ସମ୍ପୂର୍ଣ ପାରିବାରିକ ପରିବେଶ ଯୋଗାଇ ଦେଉଛି ଉଡ଼ାଣ । ୨୦୦୯ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଏବେ ଆଦିବାସୀ କିଶୋରୀଙ୍କ ପାଇଁ ନୂଆ ଆଶା ସଂଚାର କରିଛି ।

ଆଧାର - SUBHRANSU PANDA Journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate