অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏକୁଟିଆ ହୋଇ ହରିନାହାନ୍ତି ଦୁର୍ଗାବତୀ

ଏକୁଟିଆ ହୋଇ ହରିନାହାନ୍ତି ଦୁର୍ଗାବତୀ

ଦୁର୍ଗାବତୀଙ୍କ ପରିଚୟ

ଦୁର୍ଗାବତୀ ମାତା । ଘର ଆଳିପିଙ୍ଗଳ ନିକଟବର୍ତ୍ତୀ କୋଲର ଗ୍ରାମରେ । ବୟସ ୯୦ ବର୍ଷ ଛୁଇଁଲାଣି । ଅଣ୍ଟା ନଇଁ ଯାଇଛି  ଓ ଶରୀର ସଙ୍କୁଚିତ ହୋଇଯିବା ସହ ଚର୍ମ ଓହଳି ପଡିଲାଣି । ଏ ଅବସ୍ଥାରେ ବି ସେ  ପ୍ରତ୍ୟହ ପାଖାପାଖି ୧୦ କିଲୋମିଟର ବାଟ ଖାଲି ପାଦରେ ଚାଲିବାକୁ ସକ୍ଷମ । ସ୍ଵାମୀ ଓ ପିଲାମାନଙ୍କଠାରୁ ଦୀର୍ଘ ବର୍ଷ ଧରି ଅଲଗା ରହିଥିଲେ  ବି ସେ ମନୋବଳ ଭାଙ୍ଗିନାହାନ୍ତି । ପ୍ରତ୍ୟହ ଭିକ୍ଷା ପାଇଁ ତାଙ୍କୁ ଏତେ ଦୂର ଚାଲିବାକୁ ହୋଇଥାଏ । ଏ କଥା ସାଧାରଣରେ ଗ୍ରହଣୀୟ ନ ହେଲେ ବି ସତ । ସନାତନ ଧର୍ମକୁ ଜୀବନର ସର୍ବସ୍ଵ ମଣି ସେ ରାମ, କୃଷ୍ଣଙ୍କ ପାଖରେ ନିଜକୁ ସମର୍ପିତ କରିଦେଇଛନ୍ତି । ମନରେ ଆଦୌ ଦୁଃଖ ନାହିଁ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ ସେ କହିଛନ୍ତି ଯେ ଯେତେବେଳେ ପିଲାଟି କାନ୍ଦି କାନ୍ଦି ହାଲିଆ ହୋଇଯାଏ, ସେତେବେଳେ ଆଉ କାନ୍ଦେ ନାହିଁ ।  ସେମିତି ମଣିଷ ଯେଉଁ କାରଣରୁ ତା ଆଖିରୁ ଆଉ ଲୁହ ଝରେ ନାହିଁ ।  ଏହା ହିଁ ଚିରନ୍ତନ ସତ୍ୟ । ଦିନ ଥିଲା ଯେତେବେଳେ ସେ କିଛି ଦେଇ ପାରୁଥିଲେ, ସେତେବେଳେ ଅନେକ ଲୋକ ତାଙ୍କ ପାଖକୁ ଆସୁଥିଲେ । କିନ୍ତୁ ଆଜି ସେ ଦିନ ନାହିଁ । ସେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି ସତ, ତଥାପି ହାରିନାହାନ୍ତି ବୋଲି ପାକୁଆ ପାଟିର ଦମ୍ଭର ସହ କହିଛନ୍ତି ।

ବୟସ ଆଗରେ ହାରିନାହାଁନ୍ତି

ଅଣ୍ଟା ନଇଁ ଯାଇଥିବାରୁ ଏକ ବାଉଁଶ ବାଡିକୁ ସାହାରା କରି ଖାଲି ପାଦରେ ଚାଲୁଥିଲେ ଏହି ବୃଦ୍ଧା । ବେକରେ ଏକ ଲମ୍ବା କପଡା ବ୍ୟାଗ୍, କାଖରେ ଛତା ସାଙ୍ଗକୁ କପାଳକୁ ନାକ ପର୍ଯ୍ୟନ୍ତ ଏବଂ ଗଳାରେ ଚନ୍ଦନ, ସିନ୍ଦୁର  ନିଆରା ଲାଗୁଥାଏ । ବିଶେଷକରି ୨ ହାତ ଲମ୍ବର ଚୁଟି ଜଟ ହୋଇ ଆଗକୁ ପଡିଥିବାରୁ  ସେ ସହଜରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛନ୍ତି । ତାଙ୍କୁ ଦେଖିଲେ ମନରେ କୌତୁହଳ ଜାତ ହେବା ସ୍ଵାଭାବିକ । ତାଙ୍କ ପାଖରେ ପହଞ୍ଚିଲା ପରେ ଅନୁରୋଧ ରକ୍ଷା କରି ବୃଦ୍ଧା ନିଜ ବିଷୟରେ କହିଥିଲେ । ତାଙ୍କର ପରିବାର ଥିଲା । କିନ୍ତୁ ଦୀର୍ଘ ୩୦ ବର୍ଷ ହେବ ସେ ସନାତନ ଧର୍ମକୁ ଆପଣେଇ ସଂସାର ମୋହରୁ   ମୁକ୍ତ  ହୋଇଛନ୍ତି ।   କୋଲରରେ ଏକ ଆଶ୍ରମ କରିଛନ୍ତି । ଦେଶର ଅଧିକାଂଶ ତୀର୍ଥସ୍ଥଳ  ଯାଇଛନ୍ତି  । ରାମ-କୃଷ୍ଣଙ୍କ ପାଖରେ ସେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଛନ୍ତି । କେବଳ ବଞ୍ଚିବା ପାଇଁ କିଛି ଭିକ୍ଷା ସଂଗ୍ରହ କରିଥାନ୍ତି । ଦିନବେଳା ଚାଲିଚାଲି ବିଭିନ୍ନ ଗାଁ ଯାଇଥାନ୍ତି  । ସନାତନ ଧର୍ମାବଲମ୍ବୀମାନେ ଯିଏ ଯାହା  ପାରନ୍ତି ଚାଉଳ, ପରିବା ଓ ଟଙ୍କା ଆଦି ଦେଇଥାନ୍ତି । ଅତୀତରେ ଆଶ୍ରମକୁ ବହୁ ସଂଖ୍ୟକ ଲୋକ ଆସୁଥିଲେ । ରାମକୃଷ୍ଣଙ୍କ କଥା ଶୁଣିବା ସହ  ପ୍ରସାଦ ସେବନ କରୁଥିଲେ । ଏବେ ଆଉ ଆଗଭଳି ବଳ ନଥିବାରୁ ପ୍ରସାଦ ବ୍ୟବସ୍ଥା କରି ହେଉନି । ତେଣୁ ଲୋକଙ୍କ ସଂଖ୍ୟା କମି ଗଲାଣି । ତଥାପି ମନ ଦୁଃଖ ନାହିଁ । ଏ ବୟସରେ ମଧ୍ୟ ସେ ରୋଷେଇ କରି ଖାଉଛନ୍ତି । ଦେହମୁଣ୍ଡ କେତେବେଳେ ଅଧିକ ଖରାପ ହେଲେ ଗାଁ ଲୋକଙ୍କ ସହାୟତା ନେବାକୁ ପଡେ ବୋଲି  କହିଛନ୍ତି । ଏହି ବୃଦ୍ଧାଙ୍କ ସହ ଯେଉଁ କିଛି ସମୟ କଥା ହେବାର ସୌଭାଗ୍ୟ ମିଳିଥିଲା ଲାଗିଥିଲା ସତେଯେପରି ତାଙ୍କ ବୟସ କମିନାହିଁ । ଶାସ୍ତ୍ର, ପୁରାଣଅନର୍ଗଳ ଭାବରେ ଗାଇ ଚାଲିଥାନ୍ତି ।

ଆଧାର – ଦୈନିକ ଧରିତ୍ରୀ

Last Modified : 3/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate