କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ମୁହଁରେ ହସ ଦେଖି ଖୁସୀ ହୁଅନ୍ତି । ହଇରାଣ ହେଉଥିବା ଲୋକଙ୍କ ଜୀବନରେ ଖୁସୀ ଦେଖିଲେ ସେମାନଙ୍କୁ ଶାନ୍ତି ମିଳେ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସୌରଭ ନିମ୍ବକର । ମୁମ୍ବାଇର ଡୋମ୍ବିବଲିରେ ରହୁଥିବା ସୌରଭ ପ୍ରାୟ ଲୋକାଲ୍ ଟ୍ରେନରେ ଦେଖିବାକୁ ମିଳନ୍ତି । ସୌରଭ ଲୋକମାନଙ୍କୁ ନିଜ ପସନ୍ଦର ଗୀତ ଶୁଣାନ୍ତି ଓ ଯାତ୍ରୀମାନେ ତାଙ୍କୁ ପଇସା ଦିଅନ୍ତି । ଆଉ ଏହି ଅର୍ଥକୁ ସେ କ୍ୟାନସର୍ ପୀଡିତ ଗରିବଲୋକମାନଙ୍କୁ ବାଣ୍ଟିଦିଅନ୍ତି ।
୨୩ ବର୍ଷୀୟ ସୌରଭ କହନ୍ତି, “ପିଲାଟି ଦିନରୁ ମୋତେ ଲୋକମାନଙ୍କର ମନୋରଂଜନ କରିବାକୁ ଭଲ ଲାଗୁଥିଲା । କଲେଜରେ ପଢିଲା ବେଳେ ସାଙ୍ଗମାନଙ୍କ ସହ ମୁଁ ଗିଟାର ବିଜାଇ ଗୀତ ବୋଲେ । ଏଥିରେ ଟ୍ରେନ୍ ରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ସାମିଲ ହୋଇଥାନ୍ତି । ” ସୌରଭ ବାୟୋଟେକ୍ ବିଷୟରେ ସ୍ନାତକ ଓ ବାୟୋ-ଆନାଲିଟିକାଲ୍ ସାଇନ୍ସ ରେ ସ୍ନାତକତ୍ତୋର କରିଛନ୍ତି । ବର୍ତ୍ତମାନ ସେ ଇମ୍ବେଟିଆ ହେଲଥକେୟାର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ କାମ କରୁଛନ୍ତି । କ୍ୟାରିୟର ଆରମ୍ଭ କରୁଥିଲେ ମଧ୍ୟ ସୌରଭ ଲୋକାଲ୍ ଟ୍ରେନ୍ ରେ ସପ୍ତାହରେ ପ୍ରତି ଦିନ ଯାଆନ୍ତି ।
କଲେଜ୍ ପଢିବା ସମୟରେ ସୌରଭ ଗିଟାରର କିଛି ନୋଟସ୍ ଶିଖିଥିଲେ । ସଂଗୀତ ପ୍ରତି ତାଙ୍କ ରୁଚି ଫଳରେ ସେ ଜଣେ ଶିକ୍ଷକଙ୍କ ଠାରୁ ମଧ୍ୟ ଏହାକୁ ଭଲ ଭାବେ ଶିଖିଥିଲେ । ତେବେ କଣ୍ଠ ଏତେ ଭଲ ନଥିବାରୁ ସେ ଷ୍ଟେଜ୍ ରେ କଳା ପ୍ରଦର୍ଶନ କରିନାହାନ୍ତି । ୨୦୧୩ରେ ସୌରଭଙ୍କ ମା କ୍ୟାନସରରେ ପୀଡିତ ହୋଇ ଏଡୱାର୍ଡ ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ସୌରଭ କହନ୍ତି, “ମୋ ମା ହସ୍ପିଟାଲରେ ଥିବା ବେଳେ ମୁଁ ଦିନେ ଗିଟାର ନେଇ ଯାଇଥିଲି । ସେଠାରେ ମୁଁ ଯେତେବେଳେ ଏହାକୁ ବଜାଇବା ଆରମ୍ଭ କଲି ରୋଗୀମାନଙ୍କର ସମ୍ପର୍କୀୟମାନେ ବେଶ୍ ଖୁସୀ ହୋଇଥିଲେ । ଏହା ମୋତେ ପ୍ରେରଣା ଯୋଗାଇଥିଲା । ମୁଁ ପ୍ରାୟ ସେଠାକୁ ଯାଏ, ଲୋକଙ୍କୁ ଗିଟାର ବଜାଇ ଶୁଣାଏ । ମାଁ ବି ଏହାକୁ ନେଇ ବହୁତ ଖୁସୀ ଥିଲେ । ”
ହସ୍ପିଟାଲରେ ଭର୍ତ୍ତି ହେବାର ବର୍ଷେ ପରେ ସୌରଭଙ୍କ ମା'ଙ୍କର ଦେହାନ୍ତ ହୋଇଯାଇଥିଲା । ସେହିଦିନ ଠାରୁ ସେ ହସ୍ପିଟାଲ ଯିବା ଛାଡିଦେଇଥିଲେ । କିନ୍ତୁ ସେ ବୁଝି ସାରିଥିଲେ କ୍ୟାନସର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କିଭଳି ହଇରାଣ ହେବାକୁ ପଡେ ।
ସୌରଭ କହନ୍ତି, “ଆମ ସମାଜ ସବୁ ଯାଗାରେ ଗରିବ ଓ ଧନୀ ମଧ୍ୟରେ ଭେଦଭାବ କରେ । କିନ୍ତୁ ଦୁର୍ଭାଗ୍ୟ ଯେ କ୍ୟାନସର୍ ରୋଗୀଙ୍କୁ ଚିକିତ୍ସା ଖର୍ଚ୍ଚ ସମୟରେ ଏହି ଭେଦଭାବ ନାହିଁ । କ୍ୟାନସର ରୋଗୀ ପାଇଁ ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେଉଥିବାରୁ ରୋଗୀର ସମ୍ପର୍କୀୟଙ୍କ ଜୀବନ ନର୍କ ସମାନ ହୋଇଯାଏ । ତେବେ କିଛି ସଂସ୍ଥା କ୍ୟାନସର୍ ରୋଗୀଙ୍କ ଚିକିତ୍ସା ପାଇଁ କାମ କରୁଛନ୍ତି । କିନ୍ତୁ ପରିବାରର ଅନ୍ୟସବୁ ଆବଶ୍ୟକତା ପୂରଣ ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ବହୁତ ହଇରାଣ ହୁଅନ୍ତି । ଏଭଳି ପରିବାରକୁ ସାହାଯ୍ୟ କରିବ କିଏ ? ଏହା ହେଉଛି ସବୁଠୁ ବଡ ପ୍ରଶ୍ନ । ”
ସୌରଭ ସ୍ଥିର କଲେ ଯେ ପୁଣି ସେହି କଲେଜ୍ ପଢିବା ଦିନ ଭଳି ଟ୍ରେନରେ ଗିଟାର ବାଜାଇ ଲୋକଙ୍କୁ ଗୀତ ଶୁଣେଇବି । ଏହା ଦ୍ୱାରା ସେମାନଙ୍କ ଠାରୁ କ୍ୟାନସର ରୋଗୀଙ୍କ ପାଇଁ ଦାନ ସଂଗ୍ରହ କରିବି । କିନ୍ତୁ ମୋ ସାମ୍ନାରେ ଅନେକ ପ୍ରଶ୍ନ ଥିଲା । ଲୋକେ ମୋତେ ବିଶ୍ୱାସକୁ ନେବେ କାହିଁକି ? ମୁଁ କିଭଳି ସତକଥାର ପ୍ରମାଣ ଦେବି ? ଏହି ଦୃଷ୍ଟିରୁ ସେ ନିଜକୁ ଏକ ଏନଜିଓ ସହ ସାମିଲ କଲେ ଓ ସେହି ଏନଜିଓ ନାଁରେ ସେ କ୍ୟାନସର ରୋଗୀଙ୍କ ପାଇଁ ପାଣ୍ଠି ସଂଗ୍ରହ କଲେ ।
ଧୀରେ ଧୀରେ ସୌରଭଙ୍କ ଏହି ପ୍ରୟାସରେ ସାଧାରଣ ଲୋକ ସାମିଲ ହେବାକୁ ଲାଗିଲେ । କିଛି ଯାତ୍ରୀ ସେମାନଙ୍କ ପସନ୍ଦର ଗୀତ ଗାଇବାକୁ ଅନୁରୋଧ କରିଥାନ୍ତି । ତେବେ କିଛି ଲୋକ ସମାଲୋଚନା ମଧ୍ୟ କରନ୍ତି । ସେମାନେ ମୋତେ ଭାବନ୍ତି, ମୁଁ ହେଉଛି ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧିଥିବା ଓ ଗିଟାର ବଜାଉଥିବା ଭିକାରୀ । କିନ୍ତୁ ଅଧିକାଂଶ ଲୋକ ମୋ କାମକୁ ପସନ୍ଦ କରି ଆସିଛନ୍ତି।
ସୌରଭ କହନ୍ତି ଦିନେ ଦିନେ ୮୦୦ ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଦାନ ମିଳିଯାଏ । ଲୋକେ ମୋତେ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦାନ ଦିଅନ୍ତି । ଏହି ପଇସାରେ କ୍ୟାନସର୍ ପୀଡିତ ପରିବାରକୁ ପ୍ରଦାନ କରାଯାଇଥାଏ । ସେ ଲୋକାଲ୍ ଟ୍ରେନରେ ହିଁ ଚଢନ୍ତି । ଅଧିକ ଭିଡ ଥିବା ଟ୍ରେନରେ ସେ ଚଢନ୍ତି ନାହିଁ । କାରଣ ତାଙ୍କୁ ସେଠାରେ ଗିଟାର ବଜାଇବାକୁ ଯାଗା ମିଳିବ ନାହିଁ । ଖାଲି ଟ୍ରେନ୍ ରେ ମଧ୍ୟ ସେ ଚଢନ୍ତି ନାହିଁ । କାରଣ ସେଠାରେ ଦାନ ଦେବା ପାଇଁ କମ୍ ଲୋକ ଥାନ୍ତି ।
ସୌରଭଙ୍କ କହିବା କଥା ହେଲା – ପ୍ରତ୍ୟେକ ଲୋକ ପାଖରେ କିଛି ନା କିଛି ଭଲ ଗୁଣ ରହିଛି । ଯଦିଓ ମୋତେ ସଂଗୀତରେ କମ୍ ଜ୍ଞାନ, ତେବେ ଭଲ କାମରେ ଏହାର ମୋ ପାଇଁ ପରିଚୟ ସୃଷ୍ଟି କରିଛି । ସବୁଲୋକ ଯଦି କିଛି କିଛି ଆଇଡିଆ ସହ ଲୋକଙ୍କୁ ସହାୟତା କରିବା ଲାଗି ଆଗକୁ ବଢିବେ, ତେବେ ସ୍ଥିତି କଣ ହେବ ଭାବନ୍ତୁ । ମୋ ଭାବନାରେ ସମସ୍ତେ ନିଜ ଆୟର ଏକ ପ୍ରତିଶତ ନିଜ ଇଲାକାରେ ଲୋକସେବା କରୁଥିବା ଏନଜିଓକୁ ଦେବା ଦରକାର । ଏହା ଲାଗୁ କରିବା କଠିନ, କିନ୍ତୁ ଅସମ୍ଭବ ନୁହେଁ । ସୌରଭଙ୍କ କାମ ପ୍ରତି ଲୋକଙ୍କ ଧ୍ୟାନ ରହିଛି । ଏକ ବ୍ୟାଣ୍ଡ୍ ଆରମ୍ଭ କରିବା ଲାଗି ଅନେକ ଲୋକ ପ୍ରସ୍ତାବ ଦେଉଛନ୍ତି । କିନ୍ତୁ ମୁଁ ଲୋକମାନଙ୍କୁ ଗୋଟିଏ ବ୍ୟକ୍ତିର ଶକ୍ତି ବିଷୟରେ ଜଣାଇବାକୁ ଚାହୁଁଛି । କାରଣ ମୋ କାମ ଦେଖିକରି କିଛି ଲୋକ ଭାବୁଛନ୍ତି ସେମାନେ ବି କିଛି କରିପାରିବେ । ସୌରଭ ଗୀତର ତାଳେ ତାଳେ ଲୋକଙ୍କ ଜୀବନ ସଂଗୀତକୁ ଠିକ୍ ଭାବେ ରୂପ ଦେଉଛନ୍ତି ।
ଆଧାର - Akhand social worker, freelance journalist
Last Modified : 12/11/2019