অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଞ୍ଜାମର ଏକ ଗାଁ ହ୍ୱିସିଲ୍ ବଜେଇ ହାସଲ ହେଲା ପୂର୍ଣ୍ଣ ପରିମଳ

ଗାଁଲୋକ ପ୍ରୋତ୍ସାହିତ

ସେପ୍ଟେମ୍ବର ୨୦୧୪ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଦେଶକୁ ସ୍ୱଚ୍ଛ ରଖିବା ସହ ପରିବେଶକୁ ସୁସ୍ଥ ରଖିବା ଓ ପରିମଳ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନ ଆଜି ଗାଁ ଗାଁରେ ଲୋକମାନଙ୍କୁ ପ୍ରୋତ୍ସାହିତ କରି ପାରିଛି । ଆଜି ଆମେ ସେମିତି ଏକ ଗାଁର କାହାଣୀ ବିଷୟରେ ଆମେ ଜାଣିବା ।

ହ୍ୱିସିଲ୍ ବାହିନୀର କର୍ମୀ

ଆରତୀ ବେହେରା, ଅନୁସୂୟା ସାହୁ, ରାଜଲକ୍ଷ୍ମୀ ସେଠୀ, ଅମୂଲ୍ୟ ବେହେରା ଏକ ସ୍ୱୟଂ ସହାୟକ ଗୋଷ୍ଠୀ ‘ହ୍ୱିସିଲ୍ ବାହିନୀ’ର କର୍ମୀ । ଓଡିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀରୁ ଏହି ମହିଳାମାନଙ୍କୁ ଚୟନ କରାଯାଇ ହ୍ୱିସିଲ୍ ବାହିନୀ ଗଠନ କରାଯାଇଥିଲା । ଖୋଲାରେ ମଳତ୍ୟାଗକୁ ଅଟକାଇବା ପାଇଁ ଏହି ବାହିନୀ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲା ।

ହ୍ୱିସିଲ୍ ବାହିନୀର ମହିଳାମାନେ ଘରକାମ ଛାଡି ପ୍ରତ୍ୟେହ ସକାଳ ୪ଟାରୁ ୬ଟା ଏବଂ ସନ୍ଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ ଦଳରେ ବିଭକ୍ତ ହୋଇ ବ୍ଲକ୍ ମୁଖ୍ୟାଳୟକୁ ସଂଯୋଗ କରୁଥିବା ବିଭିନ୍ନ ଗାଁର ମୁଖ୍ୟ ରାସ୍ତା କଡକୁ ଜଗି ରହନ୍ତି । ଗାଁ ଲୋକମାନେ ଖୋଲାରେ ମଳତ୍ୟାଗ କରିବା ପାଇଁ ଏହି ରାସ୍ତା କଡକୁ ପ୍ରାୟତଃ ବ୍ୟବହାର କରିଥା’ନ୍ତି । ଏଣୁ ହ୍ୱିସିଲ୍ ବାହିନୀ ସକାଳେ ସଞ୍ଜେ ଏ ରାସ୍ତା କଡରେ ଗୋଟିଏ ଲେଖାଏଁ ହ୍ୱିସିଲ୍ ଧରି ଜଗି ରହି ଥା’ନ୍ତି । ଲୋକଙ୍କୁ ଖୋଲାରେ ମଳତ୍ୟାଗ କରିବାରୁ ସେମାନେ ଅଟକାଇଥାଆନ୍ତି । କେହି ସେମାନଙ୍କ କଥା ନଶୁଣିଲେ ହ୍ୱିସିଲ୍ ବଜାଇ ସେମାନଙ୍କୁ ଭର୍ତ୍ସନା କରନ୍ତି । ଖାଲି ଏତିକି ନୁହେଁ ଅନ୍ୟ ସମୟରେ ଗାଁ ଲୋକମାନଙ୍କୁ ଘରେ ପାଇଖାନା ତିଆରି କରିବାକୁ ମଧ୍ୟ ଏହି ବାହିନୀର ମହିଳାମାନେ ବୁଝାଇ ଥାଆନ୍ତି ।

ହ୍ୱିସିଲ୍ ବାହିନୀର ଅନ୍ୟତମ ସଦସ୍ୟା ଆରତୀ କୁହନ୍ତି, “ଆମ ଅଂଚଳରେ ଖୋଲାରେ ମଳତ୍ୟାଗ କରିବା ଏକ ସାଧାରଣ ଏବଂ ଲମ୍ବା ସମସ୍ୟା । ସରକାରୀ ଅଫିସ୍ ଓ ଏକ କଲେଜ ଥିଲା ମୁଖ୍ୟ ରାସ୍ତା କଡରେ ଲୋକମାନେ ପ୍ରତ୍ୟେହ ମଳତ୍ୟାଗ କରୁଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ଅସହ୍ୟ ହୋଇ ପଡେ । ଏଣୁ ଆମେ ଏହି ସମସ୍ୟାର ସମାଧାନ କରିବାକୁ ଚିନ୍ତା କଲୁ । ଆମେ ପରିମଳର ଅର୍ଥ ବୁଝିଛୁ । ଏଣୁ ଅନ୍ୟମାନଙ୍କୁ ଏହାର ଅର୍ଥ ବୁଝାଇବାକୁ ଚେଷ୍ଟା କରୁଛୁ ।

ୟୁନିସେଫ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ୟୁନିସେଫ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଗ୍ରାମାଂଚଳମାନଙ୍କରେ ହେଉଥିବା ମୃତ୍ୟୁର ୮୮ ଶତକଡା ଅସ୍ୱାସ୍ଥ୍ୟକର ପରିବେଶ ଓ ପରିମଳର ଅଭାବ କାରଣରୁ ହୋଇଥାଏ । ଏଣୁ ପରିମଳ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ । ୨୦୧୧ ଜନଗଣନା ହିସାବରେ ଓଡିଶାର ଗ୍ରାମାଂଚଳର ୮୫.୯ ଶତକଡା ପରିବାର ନିକଟରେ ଆଜି ବି ପାଇଖାନା ନାହିଁ । ସେହିପରି ଗଞ୍ଜାମ ଅଧୀନରେ ଥିବା ଗ୍ରାମାଂଚଳର ୮୦.୯ ଶତକଡା ଅର୍ଥାତ୍ ପାଖାପାଖି ୬ ଲକ୍ଷ ପରିବାର ଆଜି ବି ଖୋଲାରେ ମଳତ୍ୟାଗ କରି ଥାନ୍ତି । ସେହିପରି ଜଗନ୍ନାଥ ପ୍ରସାଦ ବ୍ଲକରେ ମାତ୍ର ୧୫ ଶତକଡା ଲୋକଙ୍କ ଘରେ ପାଇଖାନା ରହିଛି । ଏହି ବ୍ଲକର ଅଧିକାଂଶ ଲୋକ ମୁଖ୍ୟ ରାସ୍ତା କଡରେ ହିଁ ମଳତ୍ୟାଗ କରିଥାନ୍ତି । ରାସ୍ତା କଡରେ ପଂଚାୟତ ଅଫିସ୍ ଠୁ ଆରମ୍ଭ କରି, ପ୍ରାଥମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଲେଜ, ଶିଶୁ ଉନ୍ନୟନ ଅଫିସ୍, ଗ୍ରାମ୍ୟ ଉନ୍ନୟନ ଅଫିସ୍, କ୍ଷୁଦ୍ର ଜଳସେଚନ ଅଫିସ୍ ଓ ପେଟ୍ରୋଲ୍ ପମ୍ପ ଆଦି ରହିଛି । ପ୍ରତ୍ୟେହ ପାଖାପାଖି ୧୦୦୦ ଛାତ୍ରଛାତ୍ରୀ ଓ ୫୦୦-୬୦୦ ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥା’ନ୍ତି । ଲୋକମାନେ ଖୋଲାରେ ମଳତ୍ୟାଗ କରୁଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର । ଦୁର୍ଗନ୍ଧ କାରଣରୁ ଏପଟେ ଯିବା ଅସହ୍ୟ ହୋଇପଡେ ।

ସ୍ୱୟଂ ସହାୟକ ଗୋଷ୍ଠୀ ରୁ ହ୍ୱିସିଲ୍ ବାହିନୀ

ଏହି ବ୍ଲକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ଫେଡେରେସନ୍ ବିମାସର ପ୍ରୋଜେକ୍ଟ ଅଫିସର ଦାଶରଥୀ ତ୍ରୀପାଠୀଙ୍କ ମତରେ “ସବୁ ଅଂଚଳ ପରି ଆମ ଅଂଚଳରେ ମଧ୍ୟ ପୂର୍ଣ୍ଣ ପରିମଳର ଆବଶ୍ୟକତା ରହିଛି । ଅନେକ ବର୍ଷ ଧରି ଆମ ଅଂଚଳର ଲୋକମାନେ ଡାଇରିଆ ଓ ମ୍ୟାଲେରିଆ ଭଳି ମହାମାରୀରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି । ଆମ ଅଂଚଳରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ପରିବାରର ଅସୁସ୍ଥ ବ୍ୟକ୍ତି ମାନଙ୍କର ମେଡିକାଲ୍ ବିଲ୍ ଦେବା ପାଇଁ ସବୁବେଳେ ଆମଠାରୁ କରଜ ନିଅନ୍ତି । ଯେଉଁ ଟଙ୍କା ସେମାନେ ଚିକିତ୍ସାରେ ବ୍ୟୟ କରୁଛନ୍ତି, ସେଥିରେ ସେମାନେ ସହଜରେ ମଶାରୀ କିଣି ପାରିବେ । ସଫା ପାଣି ପିଇ ପାରିବେ । ପାଇଖାନା ନିର୍ମାଣ କରି ପାରିବେ । ଏଣୁ ଆମେ ହ୍ୱିସିଲ୍ ବାହିନୀ ଗଠନ କରିବାକୁ ଚିନ୍ତା କଲୁ ।”

ଜଗନ୍ନାଥ ପ୍ରସାଦ ବ୍ଲକରେ ପାଖାପାଖି ୧୨୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି, ଯେଉଁଥିରେ ୧୬,୬୦୦ କର୍ମୀ ରହିଛନ୍ତି । ଏତେ ସଂଖ୍ୟକ ମହିଳାମାନଙ୍କ ମଧ୍ୟରୁ ବାଛି ବାଛି ହ୍ୱିସିଲ୍ ବାହିନୀ ପ୍ରସ୍ତୁତ କରାଯାଇଛି । କେବଳ ହ୍ୱିସିଲ୍ ବଜାଇ ଖୋଲାରେ ମଳତ୍ୟାଗକୁ ଭର୍ତ୍ସନା କରିବା ନୁହେଁ ବରଂ ଘର ଘର ବୁଲି ପାଇଖାନା ନିର୍ମାଣ କରିବାକୁ ସଚେତନ କରାଇବା ମଧ୍ୟ ହ୍ୱିସିଲ୍ ବାହିନୀର କାର୍ଯ୍ୟ ଅନ୍ତର୍ଗତ । ଯେତେବେଳେ ଲୋକମାନେ କିଛି ବୁଝିଲେ ନାହଁ, ସେତେବେଳେ ହ୍ୱିସିଲ୍ ବାହିନୀ ସେମାନେ ମଳତ୍ୟାଗ କରୁଥିବା ଜାଗାରେ ପବିତ୍ର ତୁଳସୀ ଗଛ ଲଗାଇବା ଆରମ୍ଭ କଲେ । ପାଖାପାଖି ୧୦୦୦ଟି ତୁଳସୀ ଚାରା ମୁଖ୍ୟ ରାସ୍ତାର କଡରେ ଲଗାଗଲା । ଯେହେତୁ ଲୋକମାନେ ଏହି ଗଛକୁ ପୂଜା କରନ୍ତି, ଏଣୁ ସେମାନେ ଏଥର ସେଠାରେ ମଳତ୍ୟାଗ କରୁବାକୁ ପଶ୍ଚାଦପଦ ହେଲେ । ମାତ୍ର ମାସକ ମଧ୍ୟରେ ଲୋକମାନଙ୍କ ସଂଖ୍ୟା କମିବାକୁ ଲାଗିଲା ।

କିନ୍ତୁ ଏହା ସଙ୍ଗେ ସଙ୍ଗେ ଆଉ ଏକ ସମସ୍ୟା ଉପୁଜିବାକୁ ଲାଗିଲା । ମୁଖ୍ୟ ରାସ୍ତା କଡରେ ମଳତ୍ୟାଗ ନକଲେ, ସେମାନେ କେଉଁଠାକୁ ଯିବେ । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକ ଅନାବାଦୀ ଜାଗାଗୁଡିକୁ ବାଛିଲେ । ଏହି ସମୟ ମଧ୍ୟରେ ସେମାନେ ଲୋକଙ୍କୁ ଘରେ ପାଇଖାନା ତିଆରି କରିବାକୁ ମଧ୍ୟ ପ୍ରୋତ୍ସାହିତ କଲେ । ନିର୍ମଳ ଭାରତ ଅଭିଯାନ ସହାୟତାରେ ବିମାସ୍ ଗ୍ରାମବାସୀଙ୍କ ତରଫରୁ ବ୍ଲକ୍ ଉନ୍ନୟନ ଅଫିସରଙ୍କ ପାଖରେ ଦରଖାସ୍ତ ଦେଇ ପାଇଖାନା ପାଇଁ ଆବେଦନ କଲେ । ସରକାରଙ୍କ ତରଫରୁ ସହାୟତା ମିଳିଲା । ଘରେ ଘରେ ପାଇଖାନା ତିଆରି ହେଲା । ଲୋକମାନେ ଏବେ ଖୋଲାରେ ମଳତ୍ୟାଗ କରିବାକୁ ପସନ୍ଦ କରୁ ନାହାନ୍ତି ।

ତେବେ ହ୍ୱିସିଲ୍ ବାହିନୀ ଏବେ ବି କାର୍ଯ୍ୟରତ । ସେମାନେ ଏବେ ବି ସକାଳେ ସଞ୍ଜେ ସେହି ମୁଖ୍ୟ ରାସ୍ତାରେ ପହରା ଦେଉଛନ୍ତି ଏବଂ ଲୋକଙ୍କୁ ପାଇଖାନା ବ୍ୟବହାର କରିବାକୁ ସଚେତନ କରୁଛନ୍ତି ।

ଆଧାର - Jyoti Prakash Mohapatra Journalist

Last Modified : 4/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate