অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦେଶର ସର୍ବବୃହତ ହୋଟେଲ ନେଟୱର୍କ ବନେଇବା ପଥରେ Oyo Rooms: ୨୧ ବର୍ଷୀୟ ଯୁବକଙ୍କର ଉଦ୍ୟୋଗ

ଦେଶର ସର୍ବବୃହତ ହୋଟେଲ ନେଟୱର୍କ ବନେଇବା ପଥରେ Oyo Rooms: ୨୧ ବର୍ଷୀୟ ଯୁବକଙ୍କର ଉଦ୍ୟୋଗ

ଓୟ ରୁମସ୍ ର ପରିକଲ୍ପନା

ଦିଲ୍ଲୀର ଗୋଟେ ରାତି। ୧୮ବର୍ଷୀୟ ରୀତେଶ ଚାବି ଭୁଲି ନିଜ ଆପାର୍ଟମେଣ୍ଟ ଭିତରକୁ ଯାଇପାରିଲେନି। ଏହିପରି ଘଟଣା ଅନେକଙ୍କ ସହ ଘଟେ। ଏହିପରି ସାମାନ୍ୟ ଏକ ଦୁର୍ଭାଗ୍ୟଜନକ ଘଟଣା ଯେ ତାଙ୍କର ଜୀବନକୁ ସଂପୂର୍ଣ୍ଣ ଭାବେ ବଦଳେଇଦେବ ତାହା ସେ ମଧ୍ୟ ସେସମୟରେ ହୃଦୟଙ୍ଗମ କରିପାରିନଥିଲେ। ବାଧ୍ୟ ହୋଇ ଏକ ହୋଟେଲ ରୁମରେ ଚେକ ଇନ କରିବା ସମୟରେ ସେ ସାଧାରଣ ଭାବେ ଲୋକମାନେ ଯେପରି ଅସୁବିଧାର ସମ୍ମଖୀନ ହୁଅନ୍ତି, ସେପରି ଅସୁବିଧାର ସାମନା କଲେ। ରିସେପ୍ଶନିସ୍ଟ ଜଣକ ନିଦ୍ରାମଗ୍ନ ଥାଆନ୍ତି। ରୂମର ଇଲେକ୍ଟ୍ରିକ ସକେଟ କାମ କରୁନଥାଏ। ଫଟା ଗଦି ଓ ଅସନା ବାଥରୂମ, ତା'ଉପରେ କାର୍ଡ ପେମେନ୍ଟର ସୁବିଧା ମଧ୍ୟ ନାହିଁ।

ଚାରି ବର୍ଷ ପରେ ୨୧ବର୍ଷ ବୟସ୍କ ରୀତେଶ ବର୍ତ୍ତମାନ Oyo Roomsର ପ୍ରତିଷ୍ଠାତା ଓ ମୁଖ୍ୟ ପରିଚାଳନା ଅଧିକାରୀ। Oyoରେ ବର୍ତ୍ତମାନ ୩୫ଟି ସହରର ୧୦୦୦ ହୋଟେଲର ନେଟୱର୍କ କାର୍ଯ୍ୟ କରୁଛନ୍ତି। ତାଙ୍କର ଏବର ମାସିକ ଆୟ ପାଖାପାଖି ୩୫ କୋଟିରୁ ଊର୍ଦ୍ଧ୍ଵ। ଏହି କମ୍ପାନୀ ମୁଖ୍ୟତ ମଧ୍ୟମ ଧରଣର ହୋଟେଲ ମାନଙ୍କ ସହ ତାଙ୍କର ପରିସରରେ ଥିବା ସୁବିଧା ଓ କର୍ମଚାରୀ ଙ୍କୁ ତାଲିମ ଦେବାରେ ସହାୟତା କରେ। ତାଙ୍କର ପୁନର୍ବାର ବ୍ରାଣ୍ଡିଂ କରି ତା'ପରେ ତାଙ୍କର ଆୟର ଏକ ଅଂଶ ନେଇଥାଏ। ହୋଟେଲର ମାଲିକ ଏପରି ଭାବେ Oyoର ସହାୟତା ଯୋଗେ ତାଙ୍କର ବ୍ୟାପାରରେ ଏକ ଭଲ ବୃଦ୍ଧି ଦେଖିଥାନ୍ତି।

ମୋବାଇଲ ଆପ

Oyoର ଏକ ମୋବାଇଲ ଆପ ମଧ୍ୟ ରହିଛି ଯାହା ସାହାଯ୍ୟରେ ଅତିଥିମାନେ ରୁମ ବୂକ କରିପାରିବେ, ହୋଟେଲର ରାସ୍ତା ପାଇପାରିବେ ଓ ହୋଟେଲରେ ପହଞ୍ଚିବା ପରେ ଏହା ଜରିଆରେ ରୁମ ସେବା ମଧ୍ୟ ଅର୍ଡର କରିପାରିବେ। ରୀତେଶଙ୍କ ଜନ୍ମ ରାୟଗଡା ଜିଲ୍ଲାର ବିଷମ କଟକ ବ୍ଲକରେ ବସବାସ କରୁଥିବା ଏକ ମଧ୍ୟବିତ୍ତ ମାରୱାଡ଼ି ପରିବାରରେ। ରାୟଗଡାସ୍ଥିତ ସାକ୍ରେଡ଼ ହାର୍ଟ ସ୍କୁଲରୁ ଦ୍ଵାଦଶ ପାସ କଲା ପରେ ସେ ଦିଲ୍ଲୀରେ ଥିବା Indian School of Business & Financeରେ ଏଡମିଶନ ନେଇଥିଲେ। ମାତ୍ର ନିଜର ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ସେ ପାଠ ଅଧାରୁ ଛାଡିଦେଇଥିଲେ। କିନ୍ତୁ ଏ ବିଷୟରେ ତାଙ୍କର ପରିବାର ଅଜ୍ଞ ଥିଲେ। ରୀତେଶ ଅନେକ ଥର ଗଣମାଧ୍ୟମରେ କହିଛନ୍ତି ଯେ ସେ ତାଙ୍କ ପରିବାରର ପ୍ରତିକ୍ରିୟାକୁ ନେଇ ଖୁବ ଭୟଭୀତ ଥିଲେ। ଯେତେବେଳେ ଖବରକାଗଜରେ ତାଙ୍କ ଉଦ୍ୟୋଗ ସମ୍ପର୍କରେ ବାହାରିଲା ସେତେବେଳେ ଯାଇ ତାଙ୍କ ବାପା ପ୍ରଥମ ଥର ପାଇଁ ତାଙ୍କ ଉଦ୍ୟୋଗ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କ ବାପା ଦିଲ୍ଲୀ ଆସି ତାଙ୍କର ଛୋଟିଆ ଅଫିସ ଦେଖି ଖୁବ ରାଗିଥିଲେ। ତାଙ୍କର ମାଁ ଅନେକ ମନଦୁଃଖ କରି ତାଙ୍କୁ କହୁଥିଲେ - କିଛି ନହେଲେ ଗ୍ରାଜୁଏସନ ତ ସାରି ଦେଇଥାନ୍ତୁ। ଏବେ ତୋତେ ବାହା ହେବା ପାଇଁ ଝିଅ କେମିତି ମିଳିବ?

ସଫଳତାର ଯାତ୍ରା

ଉଦ୍ୟୋଗରେ ଦୃତ ବୃଦ୍ଧି ହେଲେହେଁ ରୀତେଶ କୁହନ୍ତି ପ୍ରାରମ୍ଭିକ ଦିନଗୁଡିକ ଖୁବ କଷ୍ଟକର ଥିଲା। ଏପରି ଏକ ଉଦ୍ୟୋଗ ଯେ ଆଗକୁ ଯାଇ ଟେକନୋଲଜି ବ୍ୟବସାୟର ଏକ ଅଂଶ ହେଇପାରିବ, ଏ ନେଇ ଅନେକେ ବିସବାଶ କରୁନଥିଲେ।

କିନ୍ତୁ ଅଳ୍ପକିଛି ଲୋକଙ୍କର ବିଶ୍ଵାସକୁ ନେଇ ସେ ଆଗକୁ ମାଡିଚାଲିଲେ ଏବଂ ପରେ ଯାଇ ସମ୍ମାନନୀୟ ଥିଏଲ ଫେଲୋଶିପ ଜିତିଲେ। ଏହି ପ୍ରୋଗ୍ରାମଟି Paypalର ସହ ପ୍ରତିଷ୍ଠାତା ଓ ଫେସବୁକର ନିବେଶକ ପିଟର ଥିଏଲଙ୍କ ଦ୍ଵାରା ସ୍ଥାପିତ ଯାହାକି ବିଶ୍ଵର ବଛା ୨୦ଟି ତରୁଣ ଉଦ୍ୟୋଗୀଙ୍କୁ ମିଳିଥାଏ। ରୀତେଶ ଏଥିରୁ ମିଳିଥିବା ପାଣ୍ଠି ସାହାଯ୍ୟରେ ନିଜର ବ୍ୟବସାୟ ବଢେଇବାକୁ ଲାଗିଲେ।

Oyo Rooms ଜୁନ ୨୦୧୩ରେ ମାତ୍ର ୯୦,୦୦୦ଟଙ୍କାରେ ଓ ଗୁରଗାଁଓର କେବଳ ଗୋଟିଏ ହୋଟେଲ ସହ ଆରମ୍ଭ ହେଇଥିଲା। "ମ୍ୟାନେଜର, ଇଞ୍ଜିନିୟର, ରିସେପ୍ଶନିସ୍ଟ ସହ ହୋଟେଲ ବୟ - ଏକାଧାରରେ ମୁଁ ଏକୁଟିଆ ସବୁ କାମ କରୁଥିଲି। ରାତିରେ ମୁଁ ମୋବାଇଲ ଆପ ପାଇଁ କୋଡ ଲେଖେ ଓ ୱେବସାଇଟ ପାଇଁ କାମ କରେ। ତା'ସହ ମୁଁ ଏହାର ଏକ ଦୃଢ ଟିମ ମଧ୍ୟ ତିଆରି କରିବାକୁ ଲାଗିପଡିଥାଏ କାରଣ ମୁଁ ଜାଣିଥିଲି ଯେ ଆଗକୁ ଯାଇ Oyo ଖୁବ ବଡ ହେବ," କୁହନ୍ତି ରୀତେଶ।

ନିବେଶକଙ୍କର ଧ୍ୟାନ ଆକର୍ଷଣ କରିବାର କେବଳ ଗୋଟିଏ ଉପାୟ ଥିଲା। ତାହା ହେଲା ତାଙ୍କୁ ଦେଶରେ ଥିବା ବଜେଟ ହୋଟେଲ ମାନଙ୍କର ଖରାପ ଅବସ୍ଥା ଦେଖାଇବା। "ମୁଁ ଆମର ପ୍ରଥମ ନିବେଶକଙ୍କୁ ଆମେ ବିକାଶ କରିଥିବା ହୋଟେଲକୁ ନେଇଗଲୁ ଓ ତା'ପରେ ଅନ୍ୟ ହୋଟେଲ ଗୁଡିକୁ ନେଇଗଲୁ ଯେଉଁଠାରେ କି ଅନେକ ଅସୁବିଧା ରହିଥିଲା। ସେ ଆମ ମଧ୍ୟରେ ଥିବା ପ୍ରତ୍ୟେୟକୁ ଦେଖିପାରିଲେ ଓ ହୃଦୟଙ୍ଗମ କାଲେ ଯେ ଆମେ ପରିବର୍ତନ ଆଣିପାରିବୁ,"ରୀତେଶ ମନେ ପକାନ୍ତି।

ବର୍ତ୍ତମାନ ବ୍ୟବସାୟରେ ବୃଦ୍ଧି ସହ ନିବେଶକ ମାନଙ୍କର ଦ୍ରୁଷ୍ଟି ଆକର୍ଷଣ କରିବା ଅପେକ୍ଷାକୃତ ଭାବେ ସହଜ ହେଇଯାଇଛି। ତାଙ୍କ କମ୍ପାନୀ ନିକଟରେ ଜାପାନର Softbank ଠାରୁ ୧୦୦ ମିଲିୟନ ଡଲାରର ପୁଞ୍ଜି ଗ୍ରହଣ କରିଛି। ଉଦ୍ୟୋଗ ଆରମ୍ଭ କରିବାର ପ୍ରଥମ ପର୍ଯ୍ୟାୟରେ ଅନେକେ ରୀତେଶଙ୍କୁ ପାଗଳ ବୋଲି କହୁଥିଲେ। "ପାଗଳାମି ଭଳି ହେଇଥିବାରୁ ବୋଧ ହୁଏ ଏହା କରିହେଲା। ଅଧିକାଂଶ ଉଦ୍ୟୋଗ ଓ ଉଦ୍ୟୋଗୀ ଟିକିଏ ପାଗଳାମି ନକଲେ ବୋଧ ହୁଏ ସଫଳତାର ସ୍ଵାଦ ଚାଖି ପାରିବେ ନାହିଁ।"

ଭବିଷ୍ୟତ ପାଇଁ ସ୍ଵପ୍ନ

ରୀତେଶ ଆଗକୁ ଯାଇ ବିଦେଶରେ ନିଜ କମ୍ପାନୀକୁ ବଢେଇବାକୁ ଚାହାଁନ୍ତି। ବିଶ୍ଵର ସର୍ବବୃହତ ହୋଟେଲ ନେଟୱର୍କ ତିଆରି କରିବାର ସ୍ଵପ୍ନ ଦେଖନ୍ତି ସେ। ସେ ମାନନ୍ତି ଯେ ଏହା ବିଲକୁଲ ସହଜ ହେବନାହିଁ ଓ ସଠିକ ଲୋକଙ୍କୁ ନିଯୁକ୍ତି ଦେବା କଷ୍ଟକର ବ୍ୟାପାର। ବର୍ତ୍ତମାନ ସେ ଗ୍ରାହକମାନଙ୍କ ମତାମତକୁ ଆଧାର କରି ତାଙ୍କ ସେବାରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ସେ ନିଜ ଦେଶରେ ବ୍ୟବସାୟର ସଂପ୍ରସାରଣ ନେଇ ଖୁବ ଆଶାବାଦୀ ଅଟନ୍ତି। ଭାରତରେ ବଢନ୍ତା ଇଣ୍ଟରନେଟ ଓ ସ୍ମାର୍ଟଫୋନର ବ୍ୟବହାର ଯୋଗୁ ବଜାରର କ୍ଷମତା ବର୍ଦ୍ଧିଷ୍ଣୁ। "ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ଇଚ୍ଛା ଥିଲେ, ଶୀଘ୍ର କରନ୍ତୁ। ଯଦି ଅସଫଳ ହୁଅନ୍ତି ତେବେ ଅନେକ କିଛି ଶିଖିବେ ଓ ଆଗକୁ ଯାଇ ଅନ୍ୟ ଉଦ୍ୟୋଗରେ ସଫଳ ହେବେ," ରୀତେଶ ଯୁବ ଉଦ୍ୟୋଗୀ ମାନଙ୍କୁ ଉପଦେଶ ଦେଇ କୁହନ୍ତି।

ଆଧାର

Team odia

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate