অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଛରେ ନାହୁଁ ଆମେ

ନାରୀ ଶକ୍ତି

ଭୁବନେଶ୍ଵର ଜାଗ୍ରତ ହେଉଛି ନାରୀ ଶକ୍ତି । ଦୁର୍ବଳା, ଅବଳା ଆଉ ଅତ୍ୟାଚାର ଭୟରେ ଘର କୋଣରେ ନ ବସି ସମାଜକୁ ବାଟ ଦେଖାଉଛି ଆଜିର ନାରୀ । କାହା ଉପରେ ନିର୍ଭର ନ କରି ନିଜ ଗୋଡରେ ନିଜେ ଛିଡା ହେଉଛି । କେତେବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟୁଛି ତ ଆଉ କେତେବେଳେ ସଚେତନତା ମାଧ୍ୟମରେ ସମାଜକୁ ଦେଖାଉଛି ଉଚିତ ବାଟ । ସାଧାରଣ ପ୍ରଶାସନ ବ୍ୟବସ୍ଥାରୁ ଆରମ୍ଭ କରି ସୈନ୍ୟବାହିନୀ, ବାଣିଜ୍ୟ, ଓକିଲାତି ଭଳି କ୍ଷେତ୍ରରେ ଦକ୍ଷତା ଦେଖାଇ ନିଜକୁ ପ୍ରମାଣିତ କରୁଛି ।

ଦୃଷ୍ଟିହୀନଙ୍କୁ ସୁରକ୍ଷାର ବାଟ ଦେଖାଉଛନ୍ତି ରମାରଣୀ

ପାଠପଢା ସମୟରୁ ଦେଶସେବା କରିବା ଲାଗି ତାଙ୍କ ମନରେ ରହିଥିଲା ପ୍ରବଳ ଆଗ୍ରହ । ଯେଉଁଥିପାଇଁ କଲେଜରେ ଶିକ୍ଷାଗ୍ରହଣ କରିବା ସମୟରେ ସାଧାରଣ ଲୋକଙ୍କ ସେବା କରିବାକୁ ଆଗେଇ ଆସିଥିଲେ । ପରିବାର  ଓ ସମ୍ପର୍କୀୟଙ୍କ ପ୍ରେରଣା ସାଙ୍ଗକୁ ସାଙ୍ଗସାଥୀଙ୍କ ସହଯୋଗ ତାଙ୍କୁ ଉତ୍ସାହିତ କରିଥିଲା । ପ୍ରଥମେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦରକାରୀ ଲୋକଙ୍କ ସେବା କରିବା ପରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟରେ  ନିଜକୁ ସାମିଲ କରିଥିଲେ । ଏଭଳି ଜଣେ ସାହସୀ ଯୁବତୀ ହେଲେ ରମାରାଣୀ ସେନାପତି । ଯୁକ୍ତ ୩ ଶିକ୍ଷାଲାଭ କରି ସାରିବା ପରେ ସମାଜ ସେବାରେ ସେ ନିଜକୁ ସାମିଲ କରିଛନ୍ତି । ଏବେ କଲେଜସ୍ତରରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇ ସେମାନଙ୍କ ଆତ୍ମବଳ ବଢାଇବାରେ ନିଜକୁ ବ୍ୟସ୍ତ ରଖିଛନ୍ତି । ତାଙ୍କର ସବୁଠାରୁ ବଡ ସଫଳତା ହେଉଛି ଦୃଷ୍ଟିହୀନ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ ଦେବା ।

ଏଭଳି କାର୍ଯ୍ୟ କରିବା ଅନେକାଂଶରେ କଷ୍ଟକର ହେଉଥିଲେ ବି ତାହାକୁ ସେ ଅତି ସହଜରେ କରିପାରୁଛନ୍ତି, ଯାହାକି ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏ ସମ୍ପର୍କରେ ରମାରଣୀ କୁହନ୍ତି, ଲୋକଙ୍କ ସେବା ହିଁ  ଈଶ୍ଵର ସେବା । ସମାଜର ସବୁବର୍ଗର ଲୋକଙ୍କୁ ନୂଆ ବାଟ ଦେଖାଇବାକୁ ମୁଁ ସ୍ଵପ୍ନ ଦେଖିଛି । ଝିଅମାନଙ୍କୁ ଏହି ତାଲିମ ଦେବାବେଳେ ମୋତେ ବେଶ୍ ଆତ୍ମସନ୍ତୋଷ ମିଳୁଛି । ବିଶେଷକରି ଦୃଷ୍ଟିହୀନ ଛାତ୍ରୀଙ୍କୁ ତାଲିମ ଦେଇ ନିଜକୁ ଗର୍ବିତ ଅନୁଭବ କରୁଛି । ଆଗାମୀ ଦିନରେ ଓଡିଶା ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।

ସଫଳତା ପଥେ ଶତାଦ୍ଦୀ

ରମାଦେବୀ ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଶତାଦ୍ଦୀ ରାୟ । ୨୧ବର୍ଷ ବୟସରେ ସେ ପାଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା । ୨୦୧୬ ପାଇଁ ଏନ୍ସିସିର ସର୍ବୋଚ୍ଚ ସମ୍ମାନ ‘ରକ୍ଷାମନ୍ତ୍ରୀ’ ପଦକ ହାସଲ କାରୋ ଓଡ଼ିଶାକୁ ଜାତୀୟସ୍ତରରେ ଦେଇଛନ୍ତି ସ୍ଵତନ୍ତ୍ର ପରିଚୟ । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ । ଏହାସହ ସ୍ଵଚ୍ଛ ପରିବେଶ ଓ ବୃକ୍ଷରୋପଣ କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ପ୍ରମୁଖ ଅବଦାନ । ଧଉଳି ସମେତ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଅଭିଯାନରେ ସାମିଲ ହେବା ସହ ରକ୍ତାହାନ ଶିବିର ଏବଂ ‘ମୋ ଭୋଟ ମୋ ଦେଶ’ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ନାରୀର ସୁରକ୍ଷା ପାଇଁ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନ ମାଧ୍ୟମରେ ଭୁବନେଶ୍ଵର ଉପକଣ୍ଠ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନାରୀ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି ।

ମହିଳା ସଶକ୍ତୀକରଣ, ଶିଶୁ ରକ୍ଷା ଏବଂ ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ଶତାଦ୍ଦୀ ଆଗାମୀ ଦିନରେ ସୈନ୍ୟବାହିନୀରେ ଯୋଗଦେବାକୁ ଲକ୍ଷ୍ୟ ରଖିଛନ୍ତି । ପିତା ପ୍ରଣବ କୁମାର ରାୟ ଓ ମା’ ସ୍ଵପ୍ନା ରାୟଙ୍କ ଝିଅ ଶତାବ୍ଦୀଙ୍କ କହିବାନୁଯାୟୀ, ସ୍କୁଲରେ ପଢିବା ଦିନରୁ ସମାଜ ପାଇଁ କିଛି କରିବାକୁ ସ୍ଵପ୍ନ ଦେଖିଥିଲି । କଲେଜ ପଢିବା ସମୟରେ ଏଥିରେ କିଛି ମାତ୍ରାରେ ସଫଳ ହୋଇଛି । ୨୦୧୬ ପାଇଁ ଏନ୍ସିସିର ସର୍ବୋଚ୍ଚ ସମ୍ମାନ ପାଇବା ପରେ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ମନସ୍ଥ କରିଛି ।

ଆଧାର- ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate