অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୁରୁଷଙ୍କ ଦୁର୍ଗ ଅନ୍ତର୍ଜାତୀୟ କିଣାବିକା ବଜାରରେ ନିଆରା ମହିଳା: ବୈଶାଳୀ ସରଭଙ୍କର

ପୁରୁଷଙ୍କ ଦୁର୍ଗ ଅନ୍ତର୍ଜାତୀୟ କିଣାବିକା ବଜାରରେ ନିଆରା ମହିଳା: ବୈଶାଳୀ ସରଭଙ୍କର

ଅନ୍ତର୍ଜାତୀୟ କମୋଡିଟି ଟ୍ରେଡିଂ ବଜାର

ଅନ୍ତର୍ଜାତୀୟ କମୋଡିଟି ଟ୍ରେଡିଂ ବଜାର କହିଲେ ଯାହା ପ୍ରଥମେ ମନକୁ ଆସେ ତାହା ହେଲା ଗୋଟିଏ ପୁରୁଷ ପ୍ରଧାନ ବଜାର ଯେଉଁଠି କଥା କଥାକେ ଗାଳି, ଅଭଦ୍ରାମି ଓ ଅସଭ୍ୟତା ଦୈନନ୍ଦିନ ଜୀବନର ଅଙ୍ଗ। ଆପଣ ଏହି ବଜାରରେ ପାଞ୍ଚ ମିନିଟ ବିତେଇଲେ ହୁଏତ ନିଜର ସମଗ୍ର ଜୀବନରେ ଶିଖିଥିବା ଭଦ୍ରାମିକୁ କ୍ଷଣିକ ପାଇଁ ଭୁଲିଯିବେ। ସେଥିପାଇଁ ବୋଧେ ମହିଳାମାନଙ୍କର ଉପସ୍ଥିତି ଏଠି ନଗଣ୍ୟ। ଏହି ବଜାରର ବ୍ୟତିକ୍ରମ ହେଲେ ବୈଶାଳୀ ସରଭଙ୍କର। ଗତ ଦୁଇ ଦଶନ୍ଧି ଧରି ସେ ଏହି ପୁରୁଷ ପ୍ରଧାନ ବଜାରରେ ନିଜ ଉପସ୍ଥିତି ଜାହିର କରି ଆସୁଛନ୍ତି। ମହାରାଷ୍ଟ୍ରର ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ବୈଶାଳୀ ଏବେ ଅନ୍ତର୍ଜାତୀୟ କମୋଡିଟି ଟ୍ରେଡିଂ ବଜାରରେ କାମ କରୁଥିବା ମାତ୍ର ତିନି ଜଣ ମହିଳାଙ୍କ ଭିତରୁ ଜଣେ। କୋଙ୍କଣର ଗୋଟିଏ ପାରମ୍ପରିକ ମରାଠୀ ପରିବାରରେ ତାଙ୍କ ଜନ୍ମ। ତିନି ଭଉଣୀଙ୍କ ସହ ବିତିଥିଲା ତାଙ୍କ ପିଲାଦିନ।

ବୈଶାଳୀ ପିଲାଦିନ ସ୍ମୃତି

ମରାଠୀ ମାଧ୍ୟମରେ ହିଁ ମୋର ସ୍କୁଲ ଶିକ୍ଷା ଶେଷ ହୋଇଥିଲା। ଆମ ପରିବାରରେ ପୁତ୍ର ସନ୍ତାନ ନଥିବାରୁ ଆମକୁ ଅନେକ ପ୍ରକାର ସାମାଜିକ ବାସନ୍ଦ ଓ ବନ୍ଧନର ସାମ୍ନା କରିବାକୁ ପଡିଥିଲା। ହେଲେ ଏହି ସବୁ ବନ୍ଧନ ହିଁ ମତେ ଅଧିକ ଦୃଢ କରିଥିଲେ ଓ ମୋର ଲକ୍ଷ୍ୟ ଦିଗରେ ଆଗେଇବା ପାଇଁ ପ୍ରେରଣା ଦେଇଥିଲେ।

ବୈଶାଳୀଙ୍କ ଜୀବନର ପ୍ରଥମ ଆଦର୍ଶ ହେଲେ ତାଙ୍କ ବାପା। ସେ ତାଙ୍କ ବାପାଙ୍କ ଭଳି ହେବାକୁ ଚାହୁଁଥିଲେ। ମୁମ୍ବାଇ ର NMIMS ଉଚ୍ଚ ଶିକ୍ଷା ଶେଷ କଲା ପରେ ସେ ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ଚାହିଁଥିଲେ। ହେଲେ ଏଥିରେ ମଧ୍ୟ ସାମାଜିକ ବାଧା ବନ୍ଧନ ବାଧକ ସାଜିଥିଲା। ମାତ୍ର ବୈଶାଳୀ ନିଜ ଆତ୍ମବିଶ୍ଵାସ ହରାଇ ନଥିଲେ ଓ Bunge Indiaରେ ନିଜ ପେଷାଦାର ଜୀବନ ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ କମୋଡିଟି ଟ୍ରେଡିଂ ବଜାରରେ ମହିଳାମାନଙ୍କ ଭୂମିକା ଅଫିସ ଓ ଫାଇଲ କାମ ଭିତରେ ହିଁ ସୀମିତ ଥାଏ। ବୈଶାଳୀ ଏହି ପାରମ୍ପରିକ ଧାରଣା ଓ ଭୂମିକା ଠାରୁ ଉର୍ଦ୍ଧକୁ ଯିବାକୁ ଚାହୁଁଥିଲେ।

ପେଷାଦାର ଜୀବନର ପ୍ରାରମ୍ଭିକ ଦିନ

ଅନ୍ତର୍ଜାତୀୟ କମୋଡିଟି ଟ୍ରେଡିଂ ବଜାରର ପରିବେଶ ମହିଳାମାନଙ୍କ ପାଇଁ ଏତେଟା ଅନୁକୂଳ ନୁହେଁ। ଏଠାରେ ପୁରୁଷ ମାନଙ୍କ ପ୍ରାଧାନ୍ୟ ଅଧିକ ଓ ଏହି ବଜାର ଅନେକ ମାତ୍ରାରେ ଅବ୍ୟବସ୍ଥିତ। ସେଥିପାଇଁ ଏହି ବଜାରରେ ମହିଳାମାନଙ୍କ ଭୂମିକା ମଧ୍ୟ ଅଳ୍ପ କିଛି ଦପ୍ତରୀ କାମ ମଧ୍ୟରେ ହିଁ ସୀମିତ। ମାତ୍ର ମୋ ପିଲାଦିନ ମତେ ଏକଥା ଶିଖେଥିଲା ଯେ ଅସମ୍ଭବ ବୋଲି ଏ ଦୁନିଆରେ କିଛି ନାହିଁ। ସେଥିପାଇଁ ତ ମୁଁ ଏହି ବଜାରରେ ଆଗକୁ ବଢିବାକୁ ଚାହିଁଲି। ମୋ ଉପରିସ୍ଥ କର୍ମଚାରୀ ମାନେ ବ୍ୟବସାୟୀଙ୍କ ସହ କିପରି କଥା ହେଉଛନ୍ତି ଓ ଡିଲ କରୁଛନ୍ତି ତାହା ଗଭୀର ଭାବେ ଅନୁଧ୍ୟାନ କରିବାକୁ ଲାଗିଲି। ଏହା ପରେ ବ୍ୟବସାୟୀମାନଙ୍କ ସହ କଥା ହେବା ପାଇଁ ମୁଁ ନିଜ ଆଡୁ ଚେଷ୍ଟା କଲି।

ଏହି ବଜାରରେ ବୈଶାଳୀଙ୍କ ଯେତେ ଯେତେ ଅଭିଜ୍ଞତା ବଢିଲା, ବଜାରର ସ୍ୱରୂପ ତାଙ୍କ ଆଗେ ସେତିକି ସେତିକି ପରିଷ୍କାର ହେବାରେ ଲାଗିଲା। ଏହାପରେ ସେ Atlantic ଗ୍ରୁପ ଅଫ କମ୍ପାନୀଜର ଅଧିଗ୍ରହଣ କଲେ ଓ ଏହାର ଅନ୍ତର୍ଜାତୀୟ ଟ୍ରେଡର ମୁଖ୍ୟ ଭାବେ କାମ କରିବା ଆରମ୍ଭ କଲେ। ଏହି ଅନୁଭୂତି ଉପରେ ଅଧିକ ମତ ରଖି ବୈଶାଳୀ କୁହନ୍ତି, “ ମୁଁ ଯେତେବେଳେ ଏହି କ୍ଷେତ୍ରରେ ପ୍ରବେଶ କଲି ମହିଳା ମାନେ ଏଠି କେବଳ କିରାଣୀ କାମ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଥିଲା। ଆମ କାମ ଅନ୍ୟ କ୍ଷେତ୍ର ଠାରୁ ଅଲଗା। ଏଠି ବ୍ୟବସାୟର ଭାଷା ରୁକ୍ଷ ଓ ବ୍ୟବସାୟର ପ୍ରକ୍ରିୟା ଆକ୍ରମଣାତ୍ମକ। ଏହି ଭାଷା ଓ ପରିବେଶ ଭିତରେ ହିଁ ଆମକୁ କାମ କରିବାକୁ ହୁଏ। ସଂଭ୍ରମତା ଆମ ବ୍ୟବସାୟ ଠାରୁ ବହୁ ଦୂରରେ ଓ ତା ଭିତରେ ହିଁ ଆମକୁ କାମ କରିବାକୁ ହୁଏ। ଦିନ ଥିଲା ଏହି ବଜାରରେ ସମଗ୍ର ଭାରତରେ ମୁଁ ଏକମାତ୍ର ମହିଳା ଥିଲି।“

ପାରମ୍ପରିକ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ବୈଶାଳୀଙ୍କ ଲକ୍ଷ୍ୟ ଥିଲା। ନିଜକୁ ଏହି କ୍ଷେତ୍ରରେ ପ୍ରମାଣିତ ଓ ପ୍ରତିଷ୍ଠିତ କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ୨୦୧୬ ମସିହାରେ ତାଙ୍କ ବ୍ୟବସାୟର ଆନୁମାନିକ ମୂଲ୍ୟ ଥିଲା ୧୦ କୋଟି ଆମେରିକୀୟ ଡଲାର।

ବୈଶାଳୀ ନିଜକୁ କେବଳ ବ୍ୟବସାୟ ଭିତରେ ସୀମିତ ରଖି ନାହାନ୍ତି। ନିଜ ସାମାଜିକ ଉତ୍ତରଦାୟିତ୍ଵ ବିଷୟରେ ମଧ୍ୟ ସେ ଅତ୍ୟନ୍ତ ସଚେତନ। ମହିଳା ସଶକ୍ତିକରଣ ଦିଗରେ ସେ ଅନେକ କାମ କରୁଛନ୍ତି। ନିଜ ଅଞ୍ଚଳର ୪୦ ଜଣ ଝିଅଙ୍କୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ଶିକ୍ଷା ଓ ଦକ୍ଷତା ବୃଦ୍ଧି ପାଇଁ ବୈଶାଳୀ ନିରନ୍ତର ଉଦ୍ୟମ କରୁଛନ୍ତି।

ଆଧାର

TEAM ODIA

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate