অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଭାସିନୀଙ୍କ ସାଇକେଲ୍ ସପ୍

ପ୍ରଭାସିନୀଙ୍କ ସାଇକେଲ୍ ସପ୍

ଉପକ୍ରମ

ମହିଳାମାନେ କେବଳ ମୁଣ୍ଡରେ ଓଢଣା ଦେଇ ଘର କୋଣରେ ବସିବା ପାଇଁ ଜନ୍ମ ହୋଇନାହାନ୍ତି । ସେମାନେ ବି ସଂଘର୍ଷ କରିବା ଶିଖିଛନ୍ତି । ସେମାନଙ୍କ ଭିତରେ ମଧ୍ୟ ରହିଛି ଉଦମ୍ୟ ସାହସ ଓ ଶକ୍ତି । ଜୀବନ ପଥରେ ସମ୍ମାନର ସହ ବଂଚିବା ପାଇଁ ସେମାନେ ବି କରି ଶିଖିଛନ୍ତି ଲଢେଇ । ଗ୍ରାମାଂଚଳର ମହିଳାମାନେ ବି ଆଉ ପଛରେ ନାହାନ୍ତି । ତାକୁ ଅବଳା, ଦୁର୍ବଳା ଭାବିବା ଭୁଲ୍ । ପରିବାରର ଅନ୍ୟ ସଦସ୍ୟମାନଙ୍କ ଭଳି ସେ ବି ଖଟିପାରେ ଦିନ ତମାମ୍ । ସେ ବି ରୋଜଗାର କରିପାରେ ନିଜ ବୁଦ୍ଧି ବଳରେ । ଏଠି ଆମେ ଏମିତି ଜଣେ ମହିଳାଙ୍କ କଥା କହୁଛୁ, ଯାହାଙ୍କ ପାଇଁ ଉପରୋକ୍ତ ବାକ୍ୟଗୁଡିକ ପୁରାପୁରି ଉପଯୁକ୍ତ | ସେ ହେଉଛନ୍ତି ପୁରୀ ଜିଲ୍ଲାର ପ୍ରଭାସିନୀ । ଆଖପାଖ ୧୦୦ ଗାଁର ଲୋକେ ପ୍ରଭାସିନୀଙ୍କ ସଂଘର୍ଷର ସାକ୍ଷୀ । ସାଇକେଲ୍ ରେ ବିଭିନ୍ନ ସଉଦା ଧରି ସେ ଗାଁ ଗାଁରେ ବିକ୍ରି କରି ଘର ଚଳାଉଛନ୍ତି । କେହି ତାଙ୍କର ଏହି ଉଦ୍ୟମକୁ ସାଇକେଲ୍ ସପ୍ କହୁଛି ତ ଆଉ କିଏ କହୁଛି ପ୍ରଭାସିନୀଙ୍କର ଏହା ମୋବାଇଲ୍ ସପ୍ ।

ପ୍ରଭାସିନୀ ଯାତ୍ରା

ପିପିଲି ବ୍ଲକ ରୂପଦେଇପୁର ପଂଚାୟତର ମୌଜିବେଗ ଗାଁର ପ୍ରଭାସିନୀ ସାହୁ । ମା ହୀରା ସାହୁ, ସ୍ୱାମୀ ସୁକାନ୍ତ ଓ ଦୁଅଟି ସନ୍ତାନଙ୍କୁ ନେଇ ତାଙ୍କର ଛୋଟ ପରିବାର । ପିଲାଟି ଦିନରୁ ପ୍ରଭାସିନୀଙ୍କ ଉପରେ ଚଡକ ପଡିଥିଲା । ୧୦ ବର୍ଷର ହୋଇଥିବା ବେଳେ ତାଙ୍କ ଭାଇ ମରିଗଲେ । କିଛି ଦିନ ପରେ ବାପା ଆରପାରିକୁ ଚାଲିଗଲେ । ଏକୁଟିଆ ଘରେ ରହିଥିଲେ ବୃଦ୍ଧା ମା ଓ ପ୍ରଭାସିନୀ । ସେତେବେଳେ ସେ ସଂସାର କଣ ଜାଣି ନଥିଲେ । ଚତୁର୍ଥ ଶ୍ରେଣୀରେ ପଢୁଥିବା ପ୍ରଭାସିନୀ ଆଉ ସ୍କୁଲ ଗଲେ ନାହିଁ । ପାଠ ପଢାରେ ଡୋରି ବନ୍ଧା ହେଲା । ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ସଂଘର୍ଷ । ଯେଉଁ ବୟସରେ ସେ ଖାତା, କଲମ ଧରିବା କଥା, ହସଖୁସୀରେ ଖେଳିବା, ନାଚିବା କଥା, ସେତେବେଳେ ସେ ବାହାରି ପଡିଥିଲେ ଘର ଚଳାଇବାକୁ ।

ସେହି ସମୟର କଥା ମନେପକାଇ ପ୍ରଭାସିନୀଙ୍କ ମା’ ହୀରା ସାହୁ କହନ୍ତି, ପୁଅ ଓ ଗେରସ୍ତ ମରିଗଲା ପରେ ପ୍ରଭାସିନୀ ହିଁ ମୋର ଏକମାତ୍ର ସାହା ଥିଲା । ସେ ଜାଣିପାରିଥିଲା ତାଙ୍କୁ ହିଁ ପରିବାର ଚଳାଇବାକୁ ହେବ । ସ୍କୁଲ ବନ୍ଦ କଲା । ପାଠ ଛାଡିଲା । ଆଉ ତାର କୁନି କୁନି ହାତରେ ସଉଦା ବିକିବା ଆରମ୍ଭ କରିଦେଇଥିଲା ସେହି ଦିନୁ । ମୁଁ ସବୁ ଦେଖୁଥିଲି । କିନ୍ତୁ ମୋ ପାଖରେ ଆଉ କିଛି ବାଟ ନଥିଲା । ସେବେ ଠାରୁ ଏବେ ପର୍ଯ୍ୟନ୍ତ ପ୍ରଭାସିନୀଙ୍କ ସାଇକେଲ୍ ସପ୍ ହିଁ ପରିବାର ପାଇଁ ବରଦାନ ସଦୃଶ ହୋଇଛି । ପ୍ରତିଦିନ ସକାଳୁ ସେ ତାଙ୍କ ସାଇକେଲ୍ ଧରି ବାହାରି ପଡନ୍ତି । ସାଇକେଲ୍ ହାଣ୍ଡେଲ୍ ରେ ୭/୮ଟି ବ୍ୟାଗ୍ ଓହଳା ହୋଇଥାଏ । ସେଥିରେ ଥାଏ ଡାଲି, ତେଲ, ଲୁଣ, ହଳଦୀ ଠାରୁ ଆରମ୍ଭ କରି ପାନ ଗୁଆ ପର୍ଯ୍ୟନ୍ତ ଅନେକ ପ୍ରକାର ସଉଦା, ଯାହା ଘର ପରିବାରରେ ନିତିଦିନ ଦରକାର ହୁଏ । ଆଉ ପଛ ପଟେ କ୍ୟାରିଅରରେ ଥାଏ ଖାଇବା ଜିନିଷ । ଆପଣଙ୍କୁ ଏଠାରେ ମିଳିବ ବିଭିନ୍ନ ପ୍ରକାର ସ୍ନାକ୍ସ, ବରା, ଆଳୁଚପ୍ , ପିଆଜି ଆଦି ସବୁ କିଛି । ଏସବୁ ସେ ନିଜେ ଘରେ ପ୍ରସ୍ତୁତ କରିଥାନ୍ତି । ଏକ ପେଟିରେ ଏସବୁ ସୁରକ୍ଷିତ ଭାବେ ରହିଥାଏ ।

ଏ ବିଷୟରେ ପ୍ରଭାସିନୀ କହନ୍ତି,ସବୁ ଦିନ ଆଖପାଖ ୩୦/୪୦ ଗାଁ ବୁଲି ବୁଲି ସଉଦା ବିକ୍ରି କରେ । ଏତେ ଦିନର ବ୍ୟବସାୟ ଫଳରେ ଅନେକ ଗାଁରେ ବହୁତ ନିୟମିତ ଗ୍ରାହକ ଅଛନ୍ତି । ଯେଉଁମାନେ ଏସବୁ ସଉଦା ପାଇଁ ମୋତେ ହିଁ ଅପେକ୍ଷା କରିଥାନ୍ତି । ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋମ୍ ଡେଲିଭରି ବ୍ୟବସ୍ଥା ବାହାରିଛି । ମୁଁ କିନ୍ତୁ ଏହି ସେବା ଅନେକ ବର୍ଷ ଆଗରୁ ଦେଇ ଆସୁଛି ।

ଚାରି ବର୍ଷେ ପୂର୍ବେ ପ୍ରଭାସିନୀ ପୁରୀର ସୁକାନ୍ତଙ୍କୁ ବିବାହ କରିଛନ୍ତି । ସୁକାନ୍ତ ପ୍ରଭାସିନୀଙ୍କ ଘରେ ହିଁ ରହୁଛନ୍ତି । ସୁକାନ୍ତ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାରକୁ ପ୍ରତିପୋଷଣ କରୁଛନ୍ତି । ତେବେ ପ୍ରଭାସିନୀଙ୍କ ସାଇକେଲ୍ ସପ୍ କୁ ସେ କେବେ ବି ବିରୋଧ କରିନାହାନ୍ତି । ଏ ବିଷୟରେ ସେ କୁହନ୍ତି,ବିବାହ ପୂର୍ବରୁ ବି ପ୍ରଭାସିନୀ ଏହି କାମ କରୁଥିଲେ । ଭାରି ପରିଶ୍ରମୀ ସେ । ଘର କାମ ସବୁ କରନ୍ତି । ପୁଣି ସାଇକେଲ ନେଇ ସଉଦା ବିକିବାକୁ ଯାନ୍ତି । ପୁଣି ଫେରିଲେ ଘର କାମ କରନ୍ତି। ଅଧିକ ପରିଶ୍ରମ ପଡୁଥିବାରୁ ମୁଁ ସାଇକେଲ୍ ସପ୍ ବନ୍ଦ କରିଦେବା ପାଇଁ ଥରେ କହିଥିଲି । କିନ୍ତୁ ସେ କହିଥିଲେ ଏହି ସାଇକେଲ୍ ସପ୍ ହିଁ ଆମ ଜୀବନ ଗଢିଛି । ମୋ ଶକ୍ତି ଥିବା ପର୍ଯ୍ୟନ୍ତ ଏହାକୁ ଚଲାଇ ରଖିବି ।

ଶେଷ ବାର୍ତ୍ତା

ନାରୀ ସଶକ୍ତିକରଣ କଥା ଚାରିଆଡେ କୁହାଯାଉଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଉଛି । ଏହା ପ୍ରଭାସିନୀଙ୍କ ପରିବାରକୁ ଦେଖିଲେ ଜଣାପଡେ । ଏହି ଗରିବ ପରିବାରକୁ କିଛି ବି ସରକାରୀ ସୁବିଧା ମିଳିନାହିଁ । ଭତ୍ତା, ବିପିଏଲ୍ କାର୍ଡ, ଇନ୍ଦିରା ଆବାସ କଥା ଛାଡ, ପ୍ରଭାସିନୀଙ୍କର ଭୋଟର ପରିଚୟ ପତ୍ରଟିଏ ନାହିଁ । ଅନେକ ଥର ବିଭିନ୍ନ ଅଫିସ୍ କୁ ଦୌଡି ଦୌଡି ନୟାନ୍ତ ହେଲେଣି । ଆଉ କୁଆଡେ ଯାଉ ନାହାନ୍ତି । ନିଜେ ସଂଘର୍ଷ କରି ବଂଚିବାକୁ ସେ ନିଜର ଆଦର୍ଶ ବୋଲି ମାନି ନେଇଛନ୍ତି ।

ପ୍ରଭାସିନୀଙ୍କ ସାଇକେଲ୍ ସପ୍ ଏକ ଛୋଟ ଉଦ୍ୟୋଗ ଭଳି । ପ୍ରଭାସିନୀଙ୍କ ସଂଘର୍ଷ ଦେଖିଲେ ମନରେ ପ୍ରେରଣା ଓ ଆତ୍ମବିଶ୍ୱାସ ଆସେ । ଆଖପାଖ ଗାଁର ଝିଅମାନଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି । ପ୍ରଥମେ ଯେଉଁ ଲେକେ ତାଙ୍କୁ ଟାହିଟାପରା କରୁଥିଲେ ଏବେ ତାଙ୍କୁ ସାଲ୍ୟୁଟ୍ ମାରିବାକୁ କୁଣ୍ଠାବୋଧ କରୁନାହାନ୍ତି ।

ଆଧାର - Akhand ,indiamediacentre@gmail.com

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate