অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଳାସୀଙ୍କ ହାତର କମାଲ୍

ଉପକ୍ରମ

ଗାଁଉଲି ମହିଳାମାନଙ୍କ ମଧ୍ୟରେ ଯେ ଅନେକ ଗୁଣ ଭରି ରହିଛି, ତାହାକୁ ସମସ୍ତେ ସ୍ୱୀକାର କରିବେ ନିଶ୍ଚୟ । ତେବେ ଗାଁ ଗହଳିରେ ଏମିତି ବି ପ୍ରତିଭା ଅଛନ୍ତି, ଯେଉଁମାନେ କିଛି ପାଠ ନ ପଢି, କିଛି ତାଲିମ ନ ନେଇ ଏଭଳି ଗୋଟିଏ ଗୋଟିଏ କ୍ଷେତ୍ରରେ ଏଭଳି ପାରଦର୍ଶିତା ହାସଲ କରିଛନ୍ତି, ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସେମାନଙ୍କ ହାତରେ ସତେ ଥାଏ ଯାଦୁ । ହାତରେ ସେମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ ଯେ କୌଣସି ଗ୍ରାହକଙ୍କୁ ଆକୃଷ୍ଟ କରିବ । ଏହା ଠାରୁ ବି ଅଧିକ କଷ୍ଟକର ବ୍ୟାପାର ହେଉଛି ବର୍ଯ୍ୟବସ୍ତୁରୁ ଏଭଳି ସୁନ୍ଦର ସାମଗ୍ରୀ ତିଆରି କରିବା । ଯାହା ଲୋକଙ୍କ ପାଇଁ ବ୍ୟବହାର ଅଯୋଗ୍ୟ ହୋଇଯାଇଛି, ତାହାକୁ ସଂଗ୍ରହ କରି ସେଥିରୁ ମନଲୋଭା ଜିନିଷ ପ୍ରସ୍ତୁତ କରି ଆତ୍ମନିର୍ଭର ପାଲଟିବା ତ ବହୁତ ବଡ ଗୁଣ। ଆମେ ଆନ୍ତର୍ଜାତିକ ମହିଳା ଦିବସରେ ସେମିତି ଜଣେ ଗାଁଉଲି ମହିଳାଙ୍କୁ ପାଇଛୁ, ଯିଏ ପରିଣତ ବୟସରେ ମଧ୍ୟ ହାତର କମାଲ ଦେଖାଇ ନିଜର କାରୁକାର୍ଯ୍ୟ ପ୍ରତି ଲୋକଙ୍କୁ ଆକର୍ଷିତ କରିପାରିଛନ୍ତି ।

 

ବିଳାସୀଙ୍କ ଯାତ୍ରା

କେନ୍ଦ୍ରାପଡା ଜିଲ୍ଲାର ବିଳାସୀ ନାଥ । ବୟସ ୬୨ରୁ ଅଧିକ ହେଲାଣି । ଏହି ବୟସରେ ଅଧିକାଂଶ ଲୋକ କାମରୁ ଅବସର ନେଇ ଅଧିକ ସମୟ ଅବସରରେ କଟାନ୍ତି । କିନ୍ତୁ ବିଳାସୀ ଏବେ ବି ଚଳଚଞ୍ଚଳ । ଘରକାମ ସହ ସେ ପ୍ରସ୍ତୁତ କରନ୍ତି ବିଭିନ୍ନ ରଙ୍ଗୀନ ସାମଗ୍ରୀ । ଆଉ ତାଙ୍କ ଏହି ସାମଗ୍ରୀର ଏତେ ଚାହିହା ଯେ ଘରକୁ ହିଁ ଲୋକମାନେ ଆସି ଏସବୁ ନେଇଯାନ୍ତି । ଆଳି ବ୍ଲକ ଦଶିପୁରର ଏହି ମହିଳା ଅନେକ ବର୍ଷ ଧରି ଏହି କାମ କରୁଛନ୍ତି । ତାଙ୍କୁ ଏଥିପାଇଁ କଞ୍ଚାମାଲ ହିସାବରେ ଅଳ୍ପ କିଛି ଖର୍ଚ୍ଚ କରିବାକୁ ପଡେ । କାରଣ ସେ ଅଧିକାଂଶ ବସ୍ତୁ ବାହାରୁ ହିଁ ସଂଗ୍ରହ କରିଥାନ୍ତି । ଗାଁରେ ଲୋକମାନେ ବ୍ୟବହାର କରୁନଥିବା ପ୍ଲାଷ୍ଟିକ, ଦିଆସିଲି ଖୋଳ, ଧୂପକାଠି ଖୋଳ, କାର୍ଟୁନରେ ଥିବା ମୋଟା କାଗଜ ଆଦିକୁ ସେ ଗୋଟାଇ ଆଣନ୍ତି । ତାଙ୍କ ହାତର ଯାଦୁରେ ସେ ସବୁ ଏଭଳି ରୂପ ନିଏ ଯେ ଆପଣ ଜାଣିବା ବି କଷ୍ଟକର ହୋଇପଡିବ ଯେ ଏହା କେଉଁଠୁ ଗୋଟାଇ ଅଣାଯାଇଛି । ସେ ସେଥିରେ ବିଭିନ୍ନ ସାମଗ୍ରୀ କରନ୍ତି । ଭୋଗେଇ, ଫୁଲ ଚାଙ୍ଗୁଡି, ଛୋଟ ଟୋକେଇ, ବିଂଚଣା, ଟେବୁଲ୍ ମ୍ୟାଟ୍, ମୋବାଇଲ୍ ଫୋନ୍ ଷ୍ଟାଣ୍ଡ ଆଦି ସହିତ ଅନେକ ସାଜସଜା ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରନ୍ତି । ଏହାକୁ ବିକି ସେ କିଛି ରୋଜଗାର କରିବା ସହିତ ଅଜାଣତରେ ପରିବେଶ ସୁରକ୍ଷା ମଧ୍ୟ କରୁଛନ୍ତି । କାରଣ ବର୍ଜ୍ୟବସ୍ତୁକୁ ସେ କାମରେ ଲଗାଇପାରୁଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଳାସୀ ଏସବୁ ସାମଗ୍ରୀ ତିଆରି କରିବା ଲାଗି କୌଣସି ଠାରୁ ତାଲିମ ନେଇନାହାନ୍ତି । ଏ ବିଷୟରେ ସେ କୁହନ୍ତି,ଅନେକ ବର୍ଷ ଧରି ମୁଁ ଏହି କାମ କରିଆସୁଛି । ଘରେ କାମ ସରିବା ପରେ ମୁଁ ଖାଲିରେ ବସୁଥିଲି ନ ହେଲେ ଅନ୍ୟ ମହିଳାଙ୍କ ସହ ଗୁଲିଗପ କରି ସମୟ କଟୁଥିଲା । କିନ୍ତୁ ଏହି ସମୟରେ କିଛି କରିବା ପାଇଁ ଚିନ୍ତା କଲି । ଆଖପାଖରେ ପଡିଥିବା ଜିନିଷକୁ ସଂଗ୍ରହ କରି ଘର ବ୍ୟବହାର ପାଇଁ ବିଭିନ୍ନ ଜିନିଷ ତିଆରି କଲି । ଏହାକୁ ଦେଖି ସାହି ପଡିଶା ଲୋକେ ମଧ୍ୟ ଏଭଳି ଜିନିଷ ନେବାକୁ ଚାହିଁଲେ । ତେଣୁ ମୁଁ ଏହାକୁ ବିକ୍ରି କରିବା ଆରମ୍ଭ କଲି । ଏବେ ଆଖପାଖ ଗାଁର ଅନେକ ଲୋକ ମୁଁ ତିଆରି କରୁଥିବା ଜିନିଷ କଣିବାକୁ ଘରକୁ ଆସୁଛନ୍ତି ।

ପ୍ରତିଦିନ ଘର କାମ ସରିବା ପରେ ଏହି କାମରେ ଲାଗିଯାନ୍ତି । ତାଙ୍କ ପାଖରେ ମିଳୁଥିବା ସାମଗ୍ରୀର ଦାମ ୪୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏ ସବୁ ବିକ୍ରି କରି ପ୍ରତି ମାସରେ ସେ ୫୦୦୦ ଟଙ୍କା ରୋଜଗାର କରୁଛନ୍ତି । ୬୨ ବର୍ଷ ବୟସରେ ମଧ୍ୟ ସେ ଥକି ପଡିନାହାନ୍ତି କି କାହା ପାଖରେ ହାତ ପାଆନ୍ତି ନାହାନ୍ତି । ହାତ ଚାଲୁଥିବା ଯାଏଁ ଏହି କାମ ଚାଲୁରଖିବେ ବୋଲି କହନ୍ତି ବିଳାସୀ ।

ଗାଁ ବାସିନ୍ଦାଙ୍କ ମତ

ଦଶିପୁର ଗାଁର ଜଣେ ବାସିନ୍ଦା ଅଜୟ କୁମାର କହନ୍ତି,ବିଳାସୀ ମାଉସୀ ଅତ୍ୟନ୍ତ ପରିଶ୍ରମୀ ଓ ତାଙ୍କ ହାତ ତିଆରି କାମ ଅତି ଉଚ୍ଚକୋଟୀର । ମୁଁ ଅନେକ ହସ୍ତଶିଳ୍ପ ଦୋକାନ ଦେଖିଛି, କିନ୍ତୁ ତାଙ୍କ ଭଳି ପ୍ରସ୍ତୁତ ସାମଗ୍ରୀ ପାଉନାହିଁ । କେବଳ ସେତିକି ନୁହେଁ, ଘରେ ବିଭିନ୍ନ ଅବ୍ୟବହୃତ ବସ୍ତୁରେ ପ୍ରସ୍ତୁତ ହେଉଥିବାରୁ ତାଙ୍କ ଜିନିଷ ଶସ୍ତା ମଧ୍ୟ । ତେଣୁ ଆଖପାଖ ଗାଁର ଲୋକେ ତାଙ୍କ ଠାରୁ ଜିନିଷ କିଣିବାକୁ ଆସୁଛନ୍ତି ।

ବିଳାସୀଙ୍କ ବାର୍ତ୍ତା

ବିଳାସୀ କେବଳ ନିଜର ଜ୍ଞାନକୁ ନିଜ ପାଖରେ ରଖିବାକୁ ଚାହାନ୍ତି ନାହିଁ । ସେ ଗାଁର ଝିଅମାନଙ୍କୁ ବିଧିବଦ୍ଧ ଭାବରେ ଏସବୁ ସାମଗ୍ରୀ ପ୍ରସ୍ତୁତ କରିବାର ପ୍ରଣାଳୀ ଶିଖାଇବାକୁ ଚାହୁଁଛନ୍ତି । ସେମାନେ ବି ତାଙ୍କ ପରି ରୋଜଗାର କରିପାରିବେ ବୋଲି ବିଳାସୀ କହିଛନ୍ତି । ବିଳାସୀଙ୍କ ଜୀବନ ସଂଘର୍ଷ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବା ନିଶ୍ଚୟ । ଆନ୍ତର୍ଜାତିକ ମହିଳା ଦିବସରେ ଏହି ପରିଶ୍ରମୀ ଓ ଦୃଢ ଇଛାଶକ୍ତି ଧାରୀ ମହିଳା ସଂଘର୍ଷକୁ ୟୋର ଷ୍ଟୋରୀର ପ୍ରଣାମ ।

 

ଆଧାର - Akhand

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate