ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି, କିନ୍ତୁ ଶିକ୍ଷା କ୍ଷେତ୍ରରେ ଆଜି ବି ଝିଅ ତୁଳନାରେ ପୁଅକୁ ଲୋକେ ଅଗ୍ରାଧିକାର ଦେଉଛନ୍ତି । ଏହି କଥାକୁ ନଜରରେ ରଖି ବୀରେନ୍ଦ୍ର ସୋମ୍ ସିଂହ ପ୍ରାୟ ୪୦ ବର୍ଷ ବିଦେଶରେ କଟାଇବା ପରେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଝିଅମାନଙ୍କ ପାଇଁ ଏମିତି ସ୍କୁଲ ଖୋଲିଲେ, ଯାହା ସମସ୍ତଙ୍କ ପାଇଁ ଉଦାହରଣ ।
ଏହି ସ୍କୁଲରେ ପଢୁଥିବା ସବୁ ଝିଅମାନଙ୍କୁ ଖାତା, ବହି, ୟୁନିଫର୍ମ ପୋଷାକ ଓ ସ୍କୁଲକୁ ଆସିବା ପାଇଁ ସାଇକେଲ୍ ମାଗଣାରେ ଯୋଗାଇ ଦିଆଯାଉଛି । ପ୍ରତିଦିନ ଝିଅମାନଙ୍କ ଖାତାରେ ଦଶ ଟଙ୍କା ଲେଖାଁଏ ଜମା କରାଯାଉଛି । ବୁଲନ୍ଦସହର ଅନ୍ତର୍ଗତ ଅନୁପସହର ତହସିଲ ଅଞ୍ଚଳରେ ଚାଲିଥିବା ପରଦାଦା-ପରଦାଦୀ ଗାଲର୍ସ ଇଣ୍ଟର କଲେଜ୍ ରେ ବର୍ତ୍ତମାନ ୧୩ ଶହରୁ ଅଧିକ ପିଲା ପଢୁଛନ୍ତି । ଏହା ସହିତ ବୀରେନ୍ଦ୍ର ଗାଁ ମହିଳଙ୍କ ବିକାଶ ପାଇଁ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ୫୫ଟି ଗାଁର ୨୨ ଶହରୁ ଅଧିକ ମହିଳା ଏଥିରେ ସାମିଲ ହୋଇଛନ୍ତି ।
ବୀରେନ୍ଦ୍ର ସୋମ୍ ଅନୁପସହର ତହସିଲ ଅଧିନରେ ଥିବା ବିଚୌଲା ଗାଁରେ ହୋଇଥିଲା । ତାଙ୍କ ଜେଜେବାପା ଓ ବାପା ଜମିଦାର ଥିଲେ । ଅବଶ୍ୟ ତାଙ୍କ ବାପା ବୁଲନ୍ଦସହରରେ ଓକିଲାତି କାମ କରୁଥିଲେ । ସେଠାକାର ଏକ ସରକାରୀ ସ୍କୁଲରେ ବୀରେନ୍ଦ୍ର ପାଠ ପଢିଥିଲେ । ଏହାପରେ ଆଲିଗଡ ମୁସ୍ଲିମ୍ ୟୁନିଭରସିଟିରେ ସେ ନାମ ଲେଖାଇଲେ । ହକିରେ ଭଳ ଖେଳୁଥିବାରୁ ତାଙ୍କୁ ପଂଜାବ ବିଶ୍ୱବିଦ୍ୟାଳୟରେ ଇଂଜିନିୟରିଂର ନାମ ଲେଖାଇବା ପାଇଁ ଅଫର୍ ଆସିଥିଲା । କିନ୍ତୁ ବୀରେନ୍ଦ୍ରଙ୍କ ପାଇଁ ଏହା ଥିଲା କଷ୍ଟକର ନିଷ୍ପତ୍ତି। ବୀରେନ୍ଦ୍ର କହନ୍ତି,“ମୁଁ ପାଠ ପଢାରେ ଏତେ ଭଲ ନଥିଲି । ତେଣୁ ମୁଁ ଦ୍ୱିଧାରେ ପଡିଥିଲି କି ମୁଁ ଇଞ୍ଜିନୟରିଂ ପାସ୍ କରିପାରିବି ନା ନାହିଁ ।“
ତାଙ୍କର ଏହି ଦ୍ୱିଧା ଦୂର ପାଇଁ ତାଙ୍କ ବାପା ତାଙ୍କୁ ଦିଗବିଜୟ ସିଂହ ବାବୁଙ୍କର ଏକ ଫଟୋ ଦେଖାଇଲେ । ଚିତ୍ରରେ ଦିଗବିଜୟ ଲକ୍ଷ୍ନୌର ସେହି ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବା ପାଇଁ ଟିକେଟ କିଣିବା ଲାଗି ଲାଇନ୍ ରେ ଛିଡା ହୋଇଥିଲେ, ଯାହା ନାମ ପରେ ପରିବର୍ତ୍ତନ କରି ତାଙ୍କ ନାମରେ ରଖାଯାଇଥିଲା । ତେଣୁ ତୁମେ ଦିଗବିଜୟ ସିଂହ ବାବୁ ନ ହୋଇପାର । କିନ୍ତୁ ଲଗାତର ଖେଳ ଜାରି ରଖିଲେ, ତୁମର ଭବିଷ୍ୟ ନିଶ୍ଚୟ ସଫଳ ହେବ । ଏହା ପରେ ସେ ପଂଜାବ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଖେଳ ସହ ଇଞ୍ଜିନୟରିଂ ମଧ୍ୟ ଶେଷ କଲେ ।
ଏହା ପରେ ସେ ବୋଷ୍ଟନ୍ର ଏକ ଟେକ୍ସଟାଇଲ ୟୁନିଭରସିଟିରେ ନାମ ଲେଖାଇଲେ । କିନ୍ତୁ ଏଠାରେ ପାଠପଢାରେ ଅଧିକା ପଇସା ଖର୍ଚ୍ଚ ହେଲା । ଏ ସମ୍ପର୍କରେ ସେ ନିଜ ଡିପାର୍ଟମେଣ୍ଟ ର ମୁଖ୍ୟ ସହ କଥା ହେଲେ । ସେ କହିଲେ, ତୁମେ ଚାକିରି କରିବା ସହ ପାଠ ପଢି ପାରିବ ଓ ମୁଁ ଚାହିଁଲେ ତୁମ ପାଇଁ ଚାକିରି ଯୋଗାଡ କରିପାରିବି । କିନ୍ତୁ ଏଥିପାଇଁ ତୁମକୁ ଏଠାକାର ନାଗରିକତା ନେବାକୁ ପଡିବ । ସେ କହିଲେ, ମୋ ପୁଅ ହୋଇଗଲେ ତୁମକୁ ନାଗରିକତା ମିଳିଯିବ । ଏଥିରେ ବୀରେନ୍ଦ୍ର ରାଜି ହେଲେ ଓ ସେ ବୀରେନ୍ଦ୍ରରୁ ପାଲଟିଗଲେ ବୀରେନ୍ଦ୍ର ସୌମ୍ ସିଂହ । ଏଭଳି ଭାବେ ସେ ସେଠାରେ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କଲେ । ତାପରେ ତାଙ୍କର ଏକ ମଲ୍ଟିନେସନାଲ୍ କମ୍ପାନୀରେ ଚାକିରି ହୋଇଗଲା । ଏମିତି ତାଙ୍କ ଜୀବନ କଟିଲା ଆମେରିକାରେ ।
୪୦ ବର୍ଷ ପରେ ଦେଶ ପାଇଁ କିଛି କରିବାର ଇଛା ରଖି ସେ ସ୍ୱଦେଶକୁ ଫେରିବା ନିଷ୍ପତ୍ତି ନେଲେ । ଯଦିଓ ସେ କଣ କରିବେ କିଛି ସ୍ଥିର କରିନଥିଲେ, ୨୦୦୦ ମସିହାରେ ସେ ଗାଁକୁ ଚାଲି ଆସିଲେ । ସେ ଭାବିଲେ ଯଦି ମହିଳାମାନଙ୍କ ବିକାଶ ହେବ, ତେବେ ସେମାନେ ପରିବାରକୁ ଭଲ ଭାବେ ଗଢି ତୋଳିବେ । ଏହା ଦ୍ୱାରା ସମାଜରେ ମଧ୍ୟ ଅନେକ ଉନ୍ନତି ଘଟିବ । କିନ୍ତୁ ମହିଳାମାନଙ୍କ ସବୁଠୁ ବଡ ଚିନ୍ତା ଥିଲା ଝିଅ । ସେମାନଙ୍କୁ କିଭଳି ବାହାଘର କରାଯିବ, ସେ ନେଇ ସେମାନେ ସବୁବେଳେ ବିବ୍ରତ ରହୁଥିଲେ । ମହିଳାମାନଙ୍କ ସହ ଆଲୋଚନା କରିବା ପରେ ଝିଅମାନଙ୍କ ସମସ୍ୟା ସମାଧାନ ସେ କରିବେ ବୋଲି କହିଲେ । ପିଲାଙ୍କୁ ମାଗଣାରେ ପାଠପଢା ସହିତ ଖାତା, ବହି, ପୋଷାକପତ୍ର, ସାଇକେଲ୍ ଓ ଅନ୍ୟାନ୍ୟ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଲେ । ସେମାନଙ୍କ ଆକାଉଣ୍ଟରେ ଦୈନିକ ୧୦ ଟଙ୍କା ଜମା ହେବ, ଝିଅ ଦ୍ୱାଦଶ ପାସ୍ କଲା ପରେ ପ୍ରତି ଝିଅଙ୍କ ଆକାଉଣ୍ଟରେ ଅନ୍ୟୁନ୍ୟ ୪୦ ହଜାର ଟଙ୍କା ରହିବ । ଯାହାକୁ ପରବର୍ତ୍ତୀ ସମୟରେ ସେମାନଙ୍କ ବିବାହ ପାଇଁ ଖର୍ଚ୍ଚ କରାଯାଇପାରିବ।
ବୀରେନ୍ଦ୍ର କହନ୍ତି -"ଆମେ ପ୍ରଥମେ ଏହି ମଡେଲ ଯେତେବେଳେ ୪୧ ଝିଅଙ୍କୁ ନେଇ ଆରମ୍ଭ କଲୁ, ସପ୍ତାହ ପରେ କେବଳ ୧୩ ଜଣ ଝିଅ ରହିଥିଲେ । ବାକି ଝିଅମାନଙ୍କ ବାପାମାନେ ନୂଆ ସାଇକେଲ, ବହି, ପୋଷାକ ଆଦିସବୁକୁ କମ୍ ଦାମରେ ବିକିଦେଇଛନ୍ତି । ଏହାକୁ ନେଇ ଆମକୁ ଝଟକା ଲାଗିଲା, କିନ୍ତୁ ଆମେ ହିମତ ହାରିନଥିଲୁ । ମୁଁ ମୋ ସହ କାମ କରୁଥିବା ଲୋକଙ୍କୁ ମଧ୍ୟ ବୁଝାଇଥିଲି । ଆମକୁ ପୁଣି ଥରେ ଝିଅମାନଙ୍କ ସଂଖ୍ୟା ବଢାଇବାକୁ ଚେଷ୍ଟା କରିବାକୁ ପଡିବ ବୋଲି କହିଥିଲି । "
ଶେଷରେ ବୀରେନ୍ଦ୍ରଙ୍କ ପ୍ରୟାସ ସଫଳ ହେଲା । ବର୍ତ୍ତମାନ ୧୩୫ ଝିଅ ତାଙ୍କ ଦ୍ୱାରା ପ୍ରିତିଷ୍ଠିତ ସ୍କୁଲରେ ପାଠ ପଢୁଛନ୍ତି । ସେମାନଙ୍କୁ ଚାକିରି ବ୍ୟବସ୍ଥା ମଧ୍ୟ କରାଯାଉଛି । କଲେଜ୍ ଠାରୁ ପାଞ୍ଚକିଲୋମିଟର ମଧ୍ୟରେ ଯିବା ଆସିବା କରୁଥିବା ଝିଅମାନଙ୍କୁ ସାଇକେଲ୍ ଦିଆଯାଇଛି । ଏହା ଠାରୁ ଅଧିକ ବାଟରୁ ଆସୁଥିବା ଝିଅମାନଙ୍କୁ ଆଣିବାକୁ ୬ଟି ବସ୍ ବ୍ୟବସ୍ଥା ହୋଇଛି ।
ଏ ସ୍କୁଲ୍ ୧୨ ମାସ ଯାକ ଚାଲେ । ୮ ମାସ ଏହା ଦୈନିକ ୧୦ ଘଣ୍ଟା ଚାଲେ । ଶୀତ ଦିନେ ଏହା ୮ ଘଣ୍ଟା ଖୋଲେ । ସ୍କୁଲରେ ପାଠ ପଢା ସହିତ ଖେଳକୁଦ, କମ୍ପ୍ୟୁଟର ଓ ଇଂରାଜୀ ଶିକ୍ଷା ମଧ୍ୟ ଦିଆଯାଉଛି । ବର୍ଷକରେ ୧୫ ଦିନ ପାଇଁ ଘର କାମ କରିବା ପାଇଁ ଛୁଟି ନେଇପାରନ୍ତି । ବୀମାର ସମୟରେ ମଧ୍ୟ ୧୫ ଦିନ ଛୁଟି ନେଇପାରିବେ । କିନ୍ତୁ ମାସକରୁ ଅଧିକ ଛୁଟି ନେଲେ ତାଙ୍କ ଆକାଉଣ୍ଟରୁ ଦୈନିକ ୨୦ ଟଙ୍କା କଟିଯିବ ।
ଯେଉଁ ଝିଅମାନେ ଭଲ ପାଠ ପଢିବା ସହ ଇଂରାଜୀର ଭଲ କରିପାରୁଥିବେ ସେମାନଙ୍କ ପାଇଁ ଏଠାରେ ଏକ କଲ୍ ସେଂଟର ବ୍ୟବସ୍ଥା ଅଛି । ଯାହା ଗୁଡଗାଓଁର ଏକ କମ୍ପାନୀ ପାଇଁ କାମ କରେ । ଏଠାରେ ୨୧ ଜଣ ଝିଅ କାମ କରୁଛନ୍ତି । ସ୍କୁଲରେ ପାଠ ପଢିଥିବା ଶହେରୁ ଅଧିକ ଝିଅ ଦେଶର ବିଭିନ୍ନ ଅଂଚଳରେ କାମ କରୁଛନ୍ତି । ଉଚ୍ଚ ଶିକ୍ଷା ପାଇଁ ଏମାନେ ଝିଅମାନଙ୍କୁ ଲୋନ୍ ମଧ୍ୟ ଦିଅନ୍ତି । ସ୍କୁଲରେ ଅଧିକାଂଶ ଝିଅମାନଙ୍କର ନର୍ସରୀ ଶ୍ରେଣୀରେ ହିଁ ନାମ ଲେଖାଯାଏ । ପ୍ରଥମ ତିନିମାସ କିପରି ସଫା ସୁତୁରା କରିବାକୁ ହୁଏ, ତାହା ଶିଖାଯାଇଥିଲା । ପ୍ରତି ବର୍ଷ ଏହି ସ୍କୁଲରେ ୧୫୦ରୁ ଅଧିକ ଝିଅଙ୍କର ନାମ ଲେଖାଯାଏ ।
ବୀରେନ୍ଦ୍ର କେବଳ ଝିଅମାନଙ୍କ ପାଇଁ ନୁହେଁ, ସେମାନଙ୍କ ମା’ ମାନଙ୍କ ପାଇଁ ପରଦାଦା ପରଦାଦୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରିଛି । ଯେଉଁମାନେ କ୍ଷୀର ବ୍ୟବସାୟ କରୁଛନ୍ତି । ଏହି ଗୋଷ୍ଠୀରେ ୫୫ଟି ଗାଁର ୨୨ ଶହ ମହିଳା ସାମିଲ ହୋଇଛନ୍ତି । ୧୦-୧୫ ଜଣ ମହିଳାଙ୍କୁ ନେଇ ଏକ ଗୋଷ୍ଠୀ ପ୍ରତିଷ୍ଟା ହୁଏ । ସପ୍ତାହରେ ଗୋଟିଏ ଦିନ ସେମାନଙ୍କର ବୈଠକ ହୁଏ | ସେମାନେ ପ୍ରତ୍ୟେକ ସପ୍ତାହକୁ ୧୫ ଟଙ୍କା ଲେଖାଁଏ ଜମା କରନ୍ତି । ଗୋଷ୍ଠୀ ପାଖରେ ୩ ହଜାର ଟଙ୍କା ହୋଇଗଲେ ଜୁରୁରୀ ସମୟରେ ମହିଳାମାନେ ସେଥିରୁ ଉଦ୍ଧାର ନେଇପାରନ୍ତି । ଏହା ପଛରେ ଗୋଟିଏ ଭାବନା ରହିଛି ଯେ କେହି ମହିଳା ସାହୁକାରଙ୍କ ଜାଲରେ ଫସି ନଯାନ୍ତି ।
ଏହି କାମ ବ୍ୟତୀତ ବୀରେନ୍ଦ୍ର ଗାଁରେ ଏକ ଡିସ୍ପେନସେରୀ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ସେଠାକୁ ସପ୍ତାହକୁ ପାଂଚ ଦିନ ଡାକ୍ତର ଆସନ୍ତି। ସେ ଗାଁରେ ଏକ ହସ୍ପିଟାଲ୍ ଓ ଔଷଧ ଦୋକାନ ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏତେ ସବୁ ଆମ କରୁଥିବା ୭୬ ବର୍ଷୀୟ ବୀରେନ୍ଦ୍ର ସିଂହ କହନ୍ତି,କୌଣସି ଭଲ କାମ ପାଇଁ ବୟସର କିଛି ମାନେ ନାହିଁ । କେବଳ ନିଜର ଭାବନା ଠିକ୍ ହେବା ଦରକାର । ”
ଆଧାର - Akhand social worker, freelance journalist
Last Modified : 1/26/2020