অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ନିରାପତ୍ତା ପାଇଁ କାର୍ଯ୍ୟ କରୁଥିବା ସ୍ନେହା

ଭାରତରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ନିରାପତ୍ତା ପାଇଁ କାର୍ଯ୍ୟ କରୁଥିବା ସ୍ନେହା

ସ୍ନେହାଙ୍କ କାର୍ଯ୍ୟ

୧୯୯୦ ଦଶକରେ ନିଓନାଟାଲ ଇନଟେନସିଭ୍ କେୟାର ୟୁନିଟ (ଏନ୍ଆଇସିୟୁ)ରେ କମ ଓଜନ ଓ ଅପରିପକ୍ୱ ଶିଶୁମାନଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟାଜିତ ଥିବା ଡାକ୍ତର ଅରମିଦା ଫର୍ନାଣ୍ଡିଜ ଏକଦା ଏକ ଛଅ ସପ୍ତାହ ଶିଶୁକୁ ବଳାକ୍ତାର କରାଯାଇଥିବା ଘଟଣା ସମ୍ପର୍କରେ ଆସିଲେ । ଯାହାକି ମହିଳା ଓ ଶିଶୁମାନଙ୍କ ସଶକ୍ତିକରଣ, ଶିକ୍ଷା ଓ ନିରାପତା ପାଇଁ ଉଦ୍ଧିଷ୍ଟ ସୋସାଇଟି ଫର ନ୍ୟୁଟ୍ରିସନ, ଏଜୁକେଶନ ଏଣ୍ଡ ହେଲ୍ଥ ଆକ୍ସନ (ସ୍ନେହା)ର ଜନ୍ମ ପଛର କାରଣ ଅଟେ । ଏନ୍ଆଇସିୟୁରେ କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ସେ ମହିଳାମାନଙ୍କ ସାମାଜିକ ଓ କର୍ମକ୍ଷେତ୍ରରେ ବିଭିନ୍ନ ନିର୍ଯ୍ୟାତନାର ଶୀକାର ହେଉଥିବାର ଲକ୍ଷ୍ୟ କରୁଥିଲେ, ଯାହା ସେମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଏକ ପ୍ରକାରର ପ୍ରେରଣା ଯୋଗାଇ ଆସୁଥିଲା ।

ପ୍ରତିଷ୍ଠା ହେବାର ୧୪ ବର୍ଷ ପରେ ସ୍ନେହା ଭାରତରେ ପ୍ରାୟ ଏକ ମିଲିଅନ ଲୋକଙ୍କୁ ସାହାଯ୍ୟ କରି ସମାଜରୁ ନାରୀକେନ୍ଦ୍ରିକ ହିଂସା, ଅତ୍ୟାଚାର, ଶିଶୁ ଶୋଷଣ ଦୂର କରିବାରେ ସହାୟକ ହେବା ସହ ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଦ୍ଭୂତ ସଫଳତା ଲାଭ କରିଛି । ସେମାନେ ୧୫,୦୦୦ରୁ ଊର୍ଦ୍ଧ୍ଵ ମହିଳାଙ୍କୁ ନିରାପଦ ପ୍ରସବରେ ସାହାଯ୍ୟ କରିବା ସହିତ ୩,୫୦୦ ମହିଳାଙ୍କୁ ନିର୍ଯ୍ୟାତନାରୁ ସୁରକ୍ଷା ଦେଇଛନ୍ତି । ତାଙ୍କର ଧାରାବୀ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ମାତ୍ର ୨୧ ମାସରେ ଶିଶୁ ସ୍ୱାସ୍ଥ୍ୟ ଓ ପୃଷ୍ଟି ଉପରେ କାର୍ଯ୍ୟ କରି ପୃଷ୍ଟିହୀନତା ଦୂରକରିବାରେ ବହୁମାତ୍ରାରେ ସଫଳ ହୋଇଛନ୍ତି । ସେମାନେ କେବଳ ଗ୍ରାମୀଣ ଅଂଚଳରେ କାର୍ଯ୍ୟ ନକରି ସେମାନଙ୍କ ପାଖରେ ପହଂଚୁଥିବା ପ୍ରତ୍ୟେକଟି ଅସହାୟ ମହିଳାକୁ ସାହାଯ୍ୟର ହାତ ବଢ଼ାଇଥାନ୍ତି ।

ଭାରତରେ ତିନି ବର୍ଷରୁ କମ ବୟସର ପ୍ରାୟ ୪୬ ପ୍ରତିଶତ ଶିଶୁ ପୃଷ୍ଟିହୀନତାର ଶୀକାର ହେଉଥିଲେ ମଧ୍ୟ ଲୋକମାନେ ପୃଷ୍ଟିହୀନତାକୁ ଏକ ସୁପ୍ତ ରୋଗ ଭାବେ ଗ୍ରହଣ କରିବାକୁ ନାରାଜ ବୋଲି ସେମାନେ ନିଜର ଅଭିଜ୍ଞତାରୁ ଜାଣିବାକୁ ପାଇଛନ୍ତି । ତେଣୁ ଶିଶୁର ଖାଦ୍ୟ ଓ ପୃଷ୍ଟି ସମ୍ବନ୍ଧୀୟ ଶିକ୍ଷା ମହିଳା ଓ ସେମାନଙ୍କ ପରିବାର ନିକଟରେ ପହଂଚାଇବାକୁ ସ୍ନେହା ନିଜର ଉଦ୍ୟମ ଜାରିରଖିଛି । ଏଯାବତ ସ୍ନେହା ୫ ବର୍ଷରୁ କମ ବୟସର ପ୍ରାୟ ୧୭,୦୦୦ ଶିଶୁଙ୍କୁ ପୃଷ୍ଟିହୀନତାର ଶୀକାର ହୋଇଥିବା ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ଆସୁଛି ।

କେବଳ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ପରିବାରଗୁଡିକୁ ସ୍ୱାସ୍ଥ୍ୟ ସେବାର ଶିକ୍ଷା ଦେବାରେ ସୀମିତ ନ ରହି ଗଣମାଧ୍ୟମ ଓ ସରକାରୀ ସହଯୋଗରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ମଧ୍ୟ କାର୍ଯ୍ୟ କରୁଛି ।

ଗଣମାଧ୍ୟମ ଓ ସରକାର ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରୁଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ । ଗ୍ରାମୀଣ ଦୁସ୍ଥ ସମ୍ପ୍ରଦାୟମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏହାଠୁ ବଳି ଆହୁରି ଅନେକ ସତର୍କତା ଓ ସ୍ୱାସ୍ଥ୍ୟ ସଚେତନତା ନିମନ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସ୍ନେହାର ସିଇଓ ଭେନେସା ଡିସୋଜା କୁହନ୍ତି।

ସରକାର ବିଭିନ୍ନ ସାମାଜିକ ଉନ୍ନତି ସ୍କିମ

ସରକାର ବିଭିନ୍ନ ସାମାଜିକ ଉନ୍ନତି ସ୍କିମ ଚଳାଇବା ସହ ଦ ଇଣ୍ଟିଗ୍ରେଟେଡ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସେସ୍ (ICDS) ମାଧ୍ୟମରେ ଭାରତରେ ଶିଶୁମାନଙ୍କ ପୃଷ୍ଟିହୀନତା ଦୂର କରିବା ସହ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ କାର୍ଯ୍ୟ କରୁଛି । ଏପରିକି ୩ ରୁ ୬ ବର୍ଷର ଶିଶୁ ମାନଙ୍କ ପାଇଁ ଅଙ୍ଗନ ବାଡି କେନ୍ଦ୍ର ଖୋଲାଯାଇଛି । କିନ୍ତୁ ଅପର ପକ୍ଷରେ ୩ ବର୍ଷରୁ କମ ବୟସର ଶିଶୁ ଓ ସଦ୍ୟଜନ୍ମିତ ଶିଶୁମାନେ ଅବହେଳିତ ହେଉଛନ୍ତି । ସେମାନେ ସଂପୂର୍ଣ୍ଣ ଭାବରେ ମାତୃ ସ୍ତନ୍ୟପାନ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା ଓ ସାମର୍ଥ୍ୟ ଉପରେ ନିର୍ଭର କରିଥାନ୍ତି, ଏ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତନର ଆବଶ୍ୟକତା ରହିଛି ବୋଲି ସ୍ନେହାର ସଦସ୍ୟା ପ୍ରିଥୀ ପିଣ୍ଟୋ କୁହନ୍ତି ।

ଭାରତରେ ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ମଧ୍ୟରେ ଗତି କରୁଥିବା ଲୋକମାନଙ୍କ ପାଇଁ ସ୍ନେହା କାର୍ଯ୍ୟ କରିଥାଏ ବୋଲି ସେ କୁହନ୍ତି । ଦେଶର ଅନେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ଅଭାବ, ଖୋଲା ମଳତ୍ୟାଗ, ବର୍ଜ୍ଜ୍ୟବସ୍ତୁ ବହୁମାତ୍ରାରେ ଶିଶୁମାନଙ୍କ ରୋଗ ସୃଷ୍ଟି କରିବାରେ ଦାୟୀ ହୋଇଥାଏ । ସ୍ନେହା ଏସବୁ ପ୍ରତି ସଜାଗ ରହିବାକୁ ଲୋକମାନଙ୍କୁ ବୁଝାଇବା ସହ ନାରୀ ନିର୍ଯ୍ୟାତନା ରୋକିବା ଦିଗରେ ମଧ୍ୟ କାର୍ଯ୍ୟ କରୁଅଛି ।

ଆଧାର -

"odia.yourstory.com"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate