অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହମବତୀ କରାଇବ ଗ୍ରାମାଂଚଳ ମହିଳାଙ୍କୁ ଆତ୍ମନିର୍ଭର, ଦୂରେଇଦେବ ଆର୍ଥିକ ଅନଟନର ଅନ୍ଧାର

ମହମବତୀ କରାଇବ ଗ୍ରାମାଂଚଳ ମହିଳାଙ୍କୁ ଆତ୍ମନିର୍ଭର, ଦୂରେଇଦେବ ଆର୍ଥିକ ଅନଟନର ଅନ୍ଧାର

ଉପକ୍ରମ

ଗ୍ରାମାଂଚଳର ଝିଅ ଓ ମହିଳାମାନେ କିଛି କାମ କରି ଆତ୍ମନିର୍ଭରଶୀଳ ହେବାକୁ ଚାହାନ୍ତି । ସେମାନଙ୍କ ମଧ୍ୟ ଇଛା ରହିଛି କିଛି କରି ଦେଖାଇବାକୁ। ଆତ୍ମନିର୍ଭର ହୋଇପାରିଲେ ଆତ୍ମବିଶ୍ୱାସ ବଢିଥାଏ । ତେଣୁ କିପରି କିଛି ପରିଶ୍ରମ କରି ରୋଜଗାର କରିବେ, ତାହା ସମସ୍ତଙ୍କ ମନରେ ଥାଏ । କିନ୍ତୁ ଆବଶ୍ୟକ ସୁଯୋଗ ନ ମିଳିବାରୁ ଅନେକ ମହିଳା ଗାଁରେ ରହି ଘର କାମ ଛଡା ଆଉ କିଛି କରିପାରୁନାହାନ୍ତି । ତେବେ ଯେଉଁ ଅଂଚଳରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଉଦ୍ୟମ ଆରମ୍ଭ କରୁଛନ୍ତି, ସେଠାରେ ମହିଳାମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ମିଳିପାରୁଛି ଓ ସେମାନେ ଆତ୍ମନିର୍ଭର ହୋଇପାରୁଛନ୍ତି । ମହିଳାମାନଙ୍କ ମଧ୍ୟରେ ଏଥିପାଇଁ ଯଥେଷ୍ଟ ଆଗ୍ରହ ଥିବା ଦେଖାଯାଉଛି । ନିକଟରେ ପୁରୀ ଜିଲ୍ଲା ପିପିଲି ଠାରେ ଏଭଳି ଏକ ତାଲିମ କାର୍ଯ୍ୟକ୍ରମରେ ୪୦ ଜଣ ଝିଅ ଓ ମହିଳା ମହମବତୀ କିପରି ତିଆରି କରିବେ ଓ ଏହାକୁ ନେଇ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ, ତାହା ଉପରେ ଦୁଇମାସିଆ ତାଲିମ ନେଇଛନ୍ତି।

କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ତରଫରୁ ମା ମଙ୍ଗଳା ପୀଠ ରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହମବତୀ ତିଆରି ଓ ଉଦ୍ୟୋଗବିକାଶର ପ୍ରକ୍ରିୟା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଶିକ୍ଷାର୍ଥୀମାନେ ଦୁଇ ମାସର ଟ୍ରେନିଂ ଭିତରେ ନିଜେ ନିଜେ ମହମବତୀ ତିଆରି କରିବାକୁ ସକ୍ଷମ ହୋଇଥିଲେ । ସେମାନଙ୍କୁ ଏଭଳି ଭାବେ ତାଲିମ ଦିଆଯାଇଥିଲା ଯେପରି ସେମାନେ ଏହି କାମକୁ ନେଇ ଏକ କୁଶଳୀ କାରିଗର ଭାବେ କାମ କରିବେ ।

ତାଲିମ ନେଇଥିବା ଶକୁନ୍ତଳା ବେହେରା

ଏହି ତାଲିମ ନେଇଥିବା ଶକୁନ୍ତଳା ବେହେରା କହନ୍ତି, ମୋର ବହୁତ ଆଗ୍ରହ ଥିଲା ରୋଜଗାର ପାଇଁ କିଛି କାମ କରିବା ଲାଗି । ଖୁସୀ ଲାଗୁଛି ଯେ ଆଜି ମୁଁ ମହମବତୀ ତିଆରି କରିବା ଶିଖି ଯାଇଛି । ଏହାକୁ ନେଇ ମୁଁ ଆତ୍ମନିର୍ଭରଶୀଳ ହୋଇପାରିବି ବୋଲି ଭାବୁଛି । ଦୁଇମାସ କାଳ ଟ୍ରେନିଂରେ ମୁଁ ବହୁତ ଭଲ ଭାବେ ଏହି କାମ ଶିଖିପାରିଛି ।

ମହିଳାମାନଙ୍କ ସହଯୋଗରେ ଏହି ଟ୍ରେନିଂ କାର୍ଯ୍ୟକ୍ରମ ହୋଇଥିଲା । ମା ମଙ୍ଗଳା ମହିଳା ଗୋଷ୍ଠୀ, ମା ସାରଳା ମହିଳା ମଣ୍ଡଳୀ, ଜାଗୃତି ଓ କଲ୍ୟାଣୀ ମହିଳା ଗୋଷ୍ଠୀର କର୍ମକର୍ତ୍ତାମାନେ ଝିଅ ଓ ମହିଳାମାନଙ୍କୁ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଭାଗ ନେବାକୁ ବୁଝାଇଥିଲେ ।

ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ

ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମମତା ବେହେରା କହିଛନ୍ତି,ଆମେ ସମସ୍ତେ ମହମବତୀ ତିଆରି କରିବାକୁ ଶିଖିବା ପାଇଁ ଆଗ୍ରହୀ ଥିଲୁ । ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ କହିଲୁ । ସେମାନେ ବି ଆଗ୍ରହ ପ୍ରକାଶ ହେଲେ । ଏହି ଟ୍ରେନିଂ ମାଧ୍ୟମରେ ଗୋଷ୍ଠୀର ସଦସ୍ୟାମାନେ ମହମବତୀ ତିଆରି ଶିଖିପାରିଛନ୍ତି । ଆମେ ଆମର ମଣ୍ଡଳୀ ମଧ୍ୟରେ ଏକ ଉଦ୍ୟୋଗ ଭାବେ ଏହାର ଉତ୍ପାଦନ କରିବାକୁ ବିଚାର କରୁଛୁ |ଗ୍ରାମୀଣ ଅଂଚଳରେ ଜୀବନଜୀବିକା ପାଇଁ କିଛି କାମ ଶିଖାଇବା ଲକ୍ଷ୍ୟରେ ଏହି ତାଲିମ ଦିଆଯାଇଥିଲା । ସେମାନେ କିପରି ଏହାକୁ ଏକ ବ୍ୟବସାୟରେ ପରିଣତ କରିପାରିବେ. ତାହା ମଧ୍ୟ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ କୁହାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରଶିକ୍ଷିକା

କାର୍ଯ୍ୟକ୍ରମର ପ୍ରଶିକ୍ଷିକା ସୁଶ୍ରୀ ପ୍ରଜ୍ଞା ପରମିତା ପଟ୍ଟନାୟକ କହନ୍ତି, ଝିଅ ଓ ମହିଳାମାନେ ଆଗ୍ରହର ସହିତ ଏହି ଟ୍ରେନିଂ ଶିଖିଛନ୍ତି । ଦୁଇମାସର ଟ୍ରେନିଂ ନେବା ପରେ ଏହି ମହିଳାମାନେ ମହମବତୀ ପ୍ରସ୍ତୁତ ଓ ଉଦ୍ୟୋଗ ବିକାଶ କରିପାରିବେ । ଆମ ସହ ସେମାନେ ଲଗାତର ଯୋଗାଯୋଗରେ ରହିବେ । କୌଣସି ସମସ୍ୟା ଦେଖାଦେଲେ ଆମେ ପରାମର୍ଶ ଦେଇପାରିବୁ । ପ୍ରଶିକ୍ଷାର୍ଥୀମାନେ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମହମବତୀ ତିଆରି ଶିଖୁଥିଲେ । ସେଠାରେ ସେମାନଙ୍କୁ ବିଭିନ୍ନ ମଡେଲର ମହମବତୀ ତିଆରି କରିବା ପ୍ରଣାଳୀ ଶିଖାଯାଉଥିଲା । ପରେ ସେମାନେ ଘରକୁ ଯାଇ ମଧ୍ୟ ଅଭ୍ୟାସ କରୁଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଫ୍ରିଡମ୍ ର ସଦସ୍ୟ ସଚିବ ରାଜ କିଶୋର ସ୍ୱାଇଁ କହନ୍ତି,ତାଲିମ ପାଇଥିବା ୪୦ ଜଣ ଝିଅ ଓ ମହିଳା ପୁଣି ଅନ୍ୟମାନଙ୍କୁ ମହମବତୀ ତିଆରି କରିବା ଶିଖାଇବେ । ମଙ୍ଗଳପୁର ପଂଚାୟତରେ ଏହିପରି ୧୫୦ ଜଣ ମହିଳାଙ୍କୁ ନେଇ ଉତ୍ପାଦନକାରୀ କ୍ଳଷ୍ଟର ଗଠନ କରାଯିବ । ଏହାକୁ ମହାଶକ୍ତି ମହିଳା ମହାସଂଘ ପରିଚାଳନା କରିବ । ଓଡିଶା ଜୀବିକା ମିଶନ ମାଧ୍ୟମରେ ମହମବତୀର ମାର୍କେଟିଂ କରାଯିବ । ଏହା ଫଳରେ ଏସବୁ ମହିଳା ସ୍ୱାବଲମ୍ବୀ ହୋଇପାରିବେ ।

ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି କାରଣରୁ ଅନ୍ଧାରକୁ ଆଲୁଅ କରିବାର ସବୁ ପ୍ରକାର ବିକଳ୍ପ ଦ୍ୱାରା ବନ୍ଦ ହୋଇଯାଏ, ସେତେବେଳେ ମହମବତୀ ହିଁ ଆଲୋକ ଦେଇଥାଏ । ଆଉ ଏହି ମହମବତୀ ତିଆରି ଶିଖିବା ପରେ ଆର୍ଥିକ ଅନଟନରେ ରହୁଥିବା ମହିଳାମାନଙ୍କ ପରିବାରରେ ହସର ଲହରୀ ଖେଳି ଉଠିବ ବୋଲି ଆଶା କରାଯାଉଛି ।

ଆଧାର - Akhand

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate