অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ସଶକ୍ତିକରଣର ରୋଲ୍ ମଡେଲ ‘ସୁଷମା ବର୍ଲିଆ’

ମହିଳା ସଶକ୍ତିକରଣର ରୋଲ୍ ମଡେଲ ‘ସୁଷମା ବର୍ଲିଆ’

ଉପକ୍ରମ

କାର୍ଯ୍ୟକ୍ଷେତ୍ରରେ ମହିଳାମାନେ ସୁରକ୍ଷିତ ଭାବେ କାମ କରିବେ । ସେମାନେ ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ୱାବଲମ୍ବୀ ହେବେ ଓ ମହିଳା ସଶକ୍ତିକରଣ ହେବ । ଏହା ଉପରେ କାମ କରୁଛନ୍ତି ସୁଷମା ବର୍ଲିଆ । ସୁଷମା ଏବେ Apeejay Stya ଗ୍ରୁପର ପ୍ରେସିଡେଣ୍ଟ ଅଛନ୍ତି । ଏହି ଗ୍ରୁପ୍ ସାରା ବିଶ୍ୱରେ ପ୍ରାୟ ୭ହଜାର ୫୦୦କୋଟିର କାରବାର କରୁଛି । ଫାର୍ମାସେଉଟିକାଲଠୁ ନେଇ ରିଅଲ ଇଷ୍ଟେଟ୍, ଅନ୍ତର୍ଜାତୀୟ ବାଣିଜ୍ୟ କାରବାର, ପୁଞ୍ଜି ବିନିଯୋଗ ଓ ସେବା, ଆଇଟି, ଓ ଗଣମାଧ୍ୟମ ସଂସ୍ଥା ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କ ଗ୍ରୁପ୍ ସଂପୃକ୍ତ ଅଛି ।

ସାଧାରଣତଃ ମହିଳାମାନେ ଇଚ୍ଛା ଥିଲେ ବି ସମୟ ଅଭାବରୁ ଚାକିରୀ କରି ପାରନ୍ତିନି । ଘର ଓ ପରିବାରର ବ୍ୟସ୍ତତା ଭିତରେ ସେମାନେ ଅଫିସରେ କାମ କରିବାରୁ ଦୂରେଇ ରୁହନ୍ତି । ଜଣେ ମହିଳା ଭାବେ ସୁଷମା ଏହି ସମସ୍ୟାକୁ ଭଲ ଭାବେ ବୁଝିଥିଲେ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସେ ସେମାନଙ୍କ ଆବଶ୍ୟକତା ଅନୁସାରେ ଅଫିସ ଟାଇମ୍ ଦେବାକୁ ଚିନ୍ତା କଲେ । ନଚେତ୍ ଦିନତମାମ ଅଫିସରେ ବସି କାମ ନ କରି ନିଜ ଘରେ ରହି ପାର୍ଟଟାଇମ୍ କାମ କରିବାକୁ ସେ ସେମାନଙ୍କୁ ସୁଯୋଗ ଦେଲେ ।

ଜଣେ ସଫଳ ଉଦ୍ୟୋଗୀ ଓ ମହିଳାଙ୍କ ସ୍ୱାବଲମ୍ବୀ କରିବାକୁ ଅବଦାନ ଯୋଗୁ ସୁଷମା ଅନେକ ସମ୍ମାନ ଓ ସ୍ୱୀକୃତି ପାଇଛନ୍ତି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ସେ Outstanding Businesswoman award ପାଇଛନ୍ତି। ତା'ଛଡା ଜାତିସଂଘ ଦ୍ୱାରା ୧୯୯୫ମସିହାରେ ଡେନମାର୍କରେ ଆୟୋଜିତ ବିଶ୍ୱ ସାମାଜିକ ସମ୍ମିଳନୀରେ ବକ୍ତବ୍ୟ ରଖିବାକୁ ସେ ନିମନ୍ତ୍ରିତ ହୋଇଥିଲେ । ଏହି ସମ୍ମେଳନରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭୂମିକା Role of Women at the Work Place’ ଶୀର୍ଷକ ବିଷୟବସ୍ତୁ ଉପରେ ସେ ନିଜ ବକ୍ତବ୍ୟ ରଖିଥିଲେ ।

ତେବେ ସୁଷମା କୁହନ୍ତି, ‘ସୌଭାଗ୍ୟବଶତଃ ସେ ତାଙ୍କ ପିଲାଦିନେ କେବେବି ଲିଙ୍ଗଗତ ବୈଷମ୍ୟତାର ଶିକାର ହୋଇନାହାନ୍ତି । ଛୋଟ ବେଳୁ ସ୍କୁଲ ପରେ ବାପାଙ୍କ ସହ ଅଫିସ ଯାଉଥିଲି । ଏଇଠୁ ହିଁ ବିଜନେସ୍ ବାବଦରେ ଅନେକ କିଛି ମୋତେ ଶିଖିବାକୁ ମିଳୁଥିଲା’ ।

ସେ କୁହନ୍ତି, ବାପା ହିଁ ମୋତେ ସବୁଠୁ ଅଧିକ ପ୍ରେରଣା ଦେଉଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ସବୁବେଳେ ଅନ୍ୟକୁ ନିଜ ସାଧ୍ୟ ମତେ ସାହାଯ୍ୟ କରିବାକୁ ପରାମର୍ଶ ଦେଉଥିଲେ । ସେ ଶିକ୍ଷାକୁ ବହୁତ ପ୍ରାଧ୍ୟାନ୍ୟ ଦେଉଥିଲେ । ସେ କହୁଥିଲେ, ବ୍ୟବସାୟ ହିଁ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିବାକୁ ଏକ ପ୍ରକ୍ରିୟା ।

ନିଜ ପିଲାଦିନ କଥା ମନେ ପକାଇ ସୁଷମା କୁହନ୍ତି, ୧୯୭୧ ମସିହାର ଯୁଦ୍ଧ ସମୟରେ ଆମେ ପରିବାର ଲୋକେ କାରରେ କଲିକତାରୁ ଯାଉଥିଲୁ । ହଠାତ୍ କିଛି ଦୂରରେ ବୋମା ବିସ୍ପୋରଣ ହେଲା । କଣ ଘଟିଲା ଆମେ କିଛି ବୁଝି ପାରିଲୁନି । ସମସ୍ତେ କାରରୁ ଓହ୍ଲାଇଗଲୁ ଓ କେଉଁଠି ଲୁଚି ଯିବାକୁ ଚେଷ୍ଟା କଲୁ । ମୁଁ ବହୁତ ଡରି ଯାଇଥିଲି ଓ ସମସ୍ତେ ମରିଯିବୁ ବୋଲି ଭାବିଲି । ଏତିକି ବେଳେ ବାପା ମୋତେ ଚାହିଁଲେ । କହିଲେ, ‘ଆମେ ସମସ୍ତେ ନିଶ୍ଚିତ ଦିନେ ନା ଦିନେ ମରିବା । ହେଲେ ତୁମେ ମୃତ୍ୟୁ ଭୟରେ ହଜାର ଥର ମରିବା ଠିକ୍ ନୁହେଁ'।

ସୁଷମାଙ୍କୁ ତାଙ୍କ ବାପା ସବୁବେଳେ ସାହସ ଦେଉଥିଲେ । ଉତ୍ସାହିତ କରି ଭୟ ଉପରେ ବିଜୟୀ ହୋଇ ଆଗକୁ ବଢିବାକୁ ପ୍ରବର୍ତାଉଥିଲେ । ସୁଷମା କୁହନ୍ତି, ଥରେ ପରୀକ୍ଷାରେ ଏକ ବିଷୟରେ ସେ ଖୁବ୍ କମ୍ ନମ୍ବର ରଖିଥିଲେ। ଡରି ଡରି ଏହାର ମାର୍କଲିଷ୍ଟ ବାପାଙ୍କୁ ଦେଖାଇଥିଲେ । ହେଲେ ବାପା ଏହାକୁ ଦେଖି ରାଗିନଥିଲେ । ବାପା କୌଣସି ଥିରେ ବି ମୋ ଉପରେ ଚାପ ପକାଉ ନଥିଲେ ।

ଧାରା ବଦଳାଇଲେ

ସୁଷମା ୧୯୮୧ରେ ବିବାହ କଲେ । ସେ କୁହନ୍ତି, ଯେତେବେଳେ ସ୍ୱାମୀଙ୍କ ସହ ଅଫିସ ବୁଲିବାକୁ ଗଲି ସେଠାରେ ଜଣେ ବି ମହିଳା କାମ କରୁନଥିଲେ । ପରେ ଜାଣିଲି ପରିବାର ଲୋକେ ଅଫିସରେ ମହିଳା କାମ କରିବା ସପକ୍ଷରେ ନାହାନ୍ତି । ମୋ ସ୍ୱାମୀ ବିଜୟ ମଧ୍ୟ ପ୍ରଥମେ ଏହା ଚାହୁଁନଥିଲେ । ହେଲେ ମୋ ଶାଶୁ ମହିଳା ଅଫିସରେ କାମ କରିବା ସପକ୍ଷରେ ଥିଲେ । ସେ ସବୁବେଳେ କହୁଥିଲେ, ଯଦି ତୁମେ ଜଣେ ଶିକ୍ଷିତ ମହିଳାଙ୍କୁ ବିବାହ କରୁଛ, ତାଙ୍କୁ ଚାକିରୀ କରିବାର ସୁଯୋଗ ଦିଅ । ଘର କାମ ଆଳରେ ଏକପାଖିଆ ଭାବେ ତାଙ୍କୁ ଘରେ ରଖିବା ଠିକ୍ ନୁହେଁ । ତେବେ ଶାଶୂଘରେ ଆଗରୁ ରହି ଆସିଥିବା ଧାରାକୁ ସୁଷମା ଭାଙ୍ଗିଥିଲେ । ପରିବାରର ପ୍ରଥମ ମହିଳା ଭାବେ ସେ ଅଫିସକୁ ଗଲେ । କିଛି ଦିନ ପର୍ଯ୍ୟନ୍ତ କାରବାର ସେତେ ଭଲ ହେଉନଥିଲା । ପରେ ସେ ସବୁ ବିଜନେସରେ ସବୁ ଛୋଟ ଛୋଟ ଜିନିଷକୁ ଜାଣିବାକୁ ଚେଷ୍ଟା କଲେ ଓ ଆଗକୁ ସଫଳତାର ପାଦ ପକାଇଥିଲେ ।

ତେବେ ସୁଷମା କୁହନ୍ତି, ସବୁ କିଛି ଏତେ ସହଜ ନଥିଲା । ଅଫିସ ଓ ଘର ମଧ୍ୟରେ ସମନ୍ୱୟ ରଖିବା ବହୁତ କଷ୍ଟ ହେଉଥିଲା । ଏମିତିକି ଅଫିସରେ ଥିବା ଗୁରୁତ୍ୱପୂର୍ଣ୍ଣ ମିଟିଂ ମଝିରେ ବି ପିଲାଙ୍କୁ ପଢାଇଛି ଓ ବୋର୍ଡ ରୁମରେ ସେମାନଙ୍କ ହୋମୱର୍କ ଦେଖିଛି । କଷ୍ଟ ନ କଲେ ଜୀବନର ସବୁ କ୍ଷେତ୍ରରେ ଆଗକୁ ଯାଇ ହୁଏନି। ଏଥିରେ ଉଭୟ ସଫଳତା ଓ ବିଫଳତା ଲାଗି ରହିଥାଏ ଓ ଏହି ଯାତ୍ରାର କେବେ ଶେଷ ନଥାଏ ।

ସୁଷମାଙ୍କ ମତରେ ଜୀବନର ୩ ମନ୍ତ୍ର ହେଉଛି:

୧-ନିଜ ଉପରେ ବିଶ୍ୱାସ ରଖ ଓ ପ୍ରଥମେ ନିଜକୁ ଶୁଣ

୨-କେବେ ଟଙ୍କା ପଛରେ ଗୋଡାଅନି, ନିଜର ବିଜନେସ୍ ମଡେଲ ଠିକ୍ କର; ତା ପରେ ଟଙ୍କା ତୁମ ପଛରେ ଗୋଡାଇବ

୩- ବିଫଳତାରେ ଭାଙ୍ଗି ପଡନି । ନିଜ ଚେଷ୍ଟା ଜାରି ରଖିଲେ ସଫଳତା ହାତରେ ଲାଗିବ

 

Aadhar

Smrutiranjan Biswal (freelancer journalist)

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate