অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୁଟି ବ୍ୟାଙ୍କ

ରୁଟି ବ୍ୟାଙ୍କ ଅଭିନବ ଅଭିଯାନ

ଦିଲ୍ଲୀର ଆଜାଦ୍‌ପୁର ମଣ୍ଡି ଏସିଆର ସବୁଠୁ ବଡ ପରିବା ମଣ୍ଡି ଭାବେ ବିଖ୍ୟାତ। ତେବେ ଏଠାରେ ଆଉ ଏକ ଅଭିଯାନ ଆରମ୍ଭ ହୋଇଛି। ଏଠାରେ ରୁଟି ଜମା କରିବା ପାଇଁ ଏକ ଅଭିନବ ବ୍ୟାଙ୍କ୍‌ ଖୋଲାଯାଇଛି। ଯେଉଁଠାରେ ରୁଟି ଜମା କରାଯାଏ। ପରେ ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ।‘ରୁଟି ବ୍ୟାଙ୍କ୍’ ଆରମ୍ଭ କରିଛନ୍ତି ଆଜାଦପୁର ମଣ୍ଡିରେ ଫଳ ବ୍ୟବସାୟୀ ରାଜକୁମାର ଭାଟିଆ। ରାଜ କୁମାର ଦିଲ୍ଲୀର ଆଦର୍ଶ ନଗରରେ ରୁହନ୍ତି। ଦିନେ ତାଙ୍କ ପାଖକୁ ଜଣେ ଗରିବ ଲୋକ ଆସି କିଛି କାମ ମାଗିଲେ।

କିନ୍ତୁ ତାଙ୍କ ପାଖରେ କିଛି କାମ ନଥିଲା। ସେ ଗରିବ ଲୋକଟିକୁ କହିଲେ ତୁମ ପାଇଁ ମୋ ପାଖରେ କିଛି କାମ ନାହିଁ । ତେବେ ତାଙ୍କ ଅବସ୍ଥା ଦେଖି ରାଜକୁମାର ତାଙ୍କୁ କିଛି ପଇସା ଦେବାକୁ ଚାହିଁଲେ। କିନ୍ତୁ ସେହି ବ୍ୟକ୍ତି ଜଣକ ମୋତେ କହିଲେ – ବାବୁ, ଏହି ପଇସାରେ ପେଟ ପୁରେ ନାହିଁ। ରୁଟିରେ ପେଟ ପୁରିଥାଏ । ଆଉ କାମ କଲେ ହିଁ ରୁଟି ମିଳିଥାଏ। ସେହି ବ୍ୟକ୍ତିର ଏହି ଦୁଇ ପଦ କଥା ରାଜକୁମାର ଭାଟିଆଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସେଦିନ ସେହି ଗରିବ ଲୋକଙ୍କୁ ସେ ରୁଟି ଖୁଆଇଥିଲେ । ତା ପରେ ସେ ଲୋକ ଖୁସୀରେ ସେଠାରୁ ଯାଇଥିଲେ। କିନ୍ତୁ ଯିବା ପୂର୍ବରୁ ରାଜକୁମାରଙ୍କ ମନରେ ଅନେକ ପ୍ରଶ୍ନ ଛାଡି ଯାଇଥିଲେ । ଏହି ଘଟଣାରୁ ତାଙ୍କୁ ପ୍ରେରଣା ମିଳିଥିଲା । ସେ ତାଙ୍କ ସହଯୋଗୀଙ୍କ ସହ କଥା ହେଲେ। ସେମାନଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। କିନ୍ତୁ କିଛି ଲୋକ କହିଲେ ସବୁ ଦିନ ଲୋକଙ୍କୁ ଖୁଆଇବା ସମ୍ଭବ ହୋଇପାରିବ ନାହିଁ । ସେତେବେଳ ରାଜକୁମାର ଲୋକମାନଙ୍କୁ ବୁଝାଇଲେ – ସବୁ ଦିନ ଘର ଲୋକଙ୍କ ପାଇଁ ରୁଟି ହେଉଛି। ତାହା ସହିତ ଅଧିକ ଦୁଇ ଚାରିଟା ରୁଟି କରାଯିବ। ସେହିଭଳି ଡାଲି, ତରକାରୀ ଯାହା ବି ଘରେ ହେଉଛି, ସେଥିରୁ କିଛି ଅଲଗା ରଖାଯିବ। ଆଉ ସେଥିରୁ ହିଁ ଅଭାବୀ ଲୋକମାନଙ୍କୁ ରୁଟି ଓ ତରକାରୀ ଦିଆଯିବ।

ତିନିମାସ ପୂର୍ବରୁ ଯେବେ ସେ ରୁଟି ବ୍ୟାଙ୍କ୍‌ ଆରମ୍ଭ କଲେ ପ୍ରଥମ ଦିନ କେବଳ ୭ ପ୍ୟାକେଟ୍ ରୁଟି-ତରକାରୀ ଆସିଥିଲା। ତାଙ୍କୁ ସେଦିନ ଲାଗିଥିଲା ହୁଏତ ଏହି କାମ ଏମିତିରେ ହେବ ନାହିଁ । ତାଙ୍କୁ ସହଯୋଗ ମିଳିବ ନାହିଁ । ଏହା ସହିତ ଏହି କାମରେ ତାଙ୍କୁ ସାହାଯ୍ୟର ହାତ ବଢାଉଥିବା ଲୋକଙ୍କ ଆଶା ମଧ୍ୟ ଚୁରମାର୍‌ ହୋଇଯାଇଥିଲା। ତଥାପି ରାଜକୁମାର ଭାଙ୍ଗି ନ ଥିଲେ। ସେ ଲୋକଙ୍କୁ ଏ ବିଷୟରେ ଜଣାଇବା ପାଇଁ ପୋଷ୍ଟର ଲଗାଇଲେ ଓ ସୋସିଆଲ୍‌ ମିଡିଆ ଜରିଆରେ ଲୋକଙ୍କୁ ସାମିଲ କରିବାକୁ ଚେଷ୍ଟା କଲେ। ଫେସବୁକରେ ସେ ରୁଟି ବ୍ୟାଙ୍କ୍‌ ର ପେଜ୍ ଆରମ୍ଭ କଲେ। ଏସବୁରୁ ଭଲ ଫଳ ମିଳିଥିଲା।

ବର୍ତ୍ତମାନ ରୁଟି ବ୍ୟାଙ୍କ୍‌ ର ୪ ଟି କେନ୍ଦ୍ର ଆଜାଦ୍‌ପୁର ଅଂଚଳର ଆଖପାଖରେ ଚାଲୁଛି। ଆଉ ପ୍ରାୟ ୧୫୦ଟି ପ୍ୟାକେଟ୍‌ ଗରିବ ଓ ଭୋକିଲାଙ୍କମଧ୍ୟରେ ବଣ୍ଟା ଯାଉଛି । ରାଜକୁମାର ଭାଟିଆ କହନ୍ତି,"ଆମେ ଏଥିପାଇଁ କାହାଠାରୁ ଅର୍ଥ ନେଉନାହୁଁ। ଆମ ପାଖକୁ ଅନେକ ଲୋକ ଆସୁଛନ୍ତି ଓ ପଇସା ଯାଚୁଛନ୍ତି। ସେହି ପଇସାରେ ରୁଟି ତିଆରି କରି ଦେବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଆମେ ତାକୁ ଗ୍ରହଣ କରୁନାହୁଁ । କିନ୍ତୁ ଭାରତୀୟ ସଂସ୍କୃତି ଅନୁଯାୟୀ ଯେକୌଣସି ଗରିବକୁ ନିଜ ଘର ସଉଦାରୁ ତିଆରି ରୁଟି-ତରକାରୀ ଖାଇବାକୁ ଦିଆଯିବା ଉଚିତ୍। ତେବେ ଯିଏ ଅଧିକ ଦାନ କରିବାକୁ ଚାହୁଁଛି, ସେ ନିଜ ଘରେ ଅଧିକ ରୁଟି ତିଆରି କରି ଗରିବମାନଙ୍କୁ ଦେବା ପାଇଁ ରୁଟି ବ୍ୟାଙ୍କ୍ ରେ ଜମା କରିପାରିବ। ”

ରୁଟି ବ୍ୟାଙ୍କର ମହତ୍ତ୍ୱ

ରୁଟି ବ୍ୟାଙ୍କ ର ମହତ୍ତ୍ୱ ଏଇଆ ଯେ ଏହି କେନ୍ଦ୍ରରେ ଯେକୌଣସି ଭୋକିଲା ଓ ଗରିବ ଲୋକ ଖାଦ୍ୟ ଖାଇପାରିବ। କେବଳ ସେତିକି ନୁହେଁ, ଏମାନେ ବିଭିନ୍ନ ସ୍ଥାନକୁ ଯାଇ ଭୋକିଲା ଓ ଗରିବ ଲୋକଙ୍କୁ ଖାଦ୍ୟ ଖୁଆଉଛନ୍ତି। ରାଜକୁମାର ଭାଟିଆ କହନ୍ତି, ସେ ଦିଲ୍ଲୀର ଏମିତି ବହୁ କଲୋନୀ ଯାଇଛନ୍ତି ଯେଉଁଠାରେ ବୁଢାବୁଢୀ ମାନେ ରହୁଛନ୍ତି, କିନ୍ତୁ ଦେଖାଶୁଣା କରିବା ପାଇଁ ସେମାନଙ୍କ ପାଖରେ କେହି ନିଜର ନାହିଁ। ପ୍ରଥମେ ରୁଟି ବ୍ୟାଙ୍କ୍‌ ପକ୍ଷ ରୁ ସେମାନଙ୍କୁ ଖାଦ୍ୟ ଦିଆଗଲା। କିନ୍ତୁ ଆଖପାଖରେ ରହୁଥିବା ପଡୋଶୀମାନେ ଅନୁଭବ କଲେ ଯେଉଁକାମ ରାଜକୁମାର କରୁଛନ୍ତି, ପ୍ରକୃତରେ ସେ କାମ ଆମେ କରିବା କଥା। ଏହା ପରେ ପଡୋଶୀମାନେ ଆଖପାଖରେ ରହୁଥିବା ନିରାଶ୍ରୟ ବୁଢାବୁଢୀଙ୍କର ଦେଖାଶୁଣା କରୁଛନ୍ତି ଓ ଖାଦ୍ୟ ଦେଉଛନ୍ତି।

ରାଜକୁମାର କହନ୍ତି ଯେ, ବିଶେଷ ଭାବେ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ପଂହଚାଇବା ପାଇଁ ସେ ଉଦ୍ୟମ କରନ୍ତି | କାରଣ ବସ୍ତି ଅଂଚଳରେ ରହୁଥିବା ପିଲାମାନେ ଅନେକ ସମୟରେ ଭୋକିଲା ରହିଥାନ୍ତି | ତାଙ୍କ କହିବା କଥା ହେଲା ଦାତା ଓ ଗ୍ରହୀତାଙ୍କ ମଧ୍ୟରେ କୌଣସି ପ୍ରଭେଦ ରହିବା ଉଚିତ୍ ନୁହେଁ |

ରୁଟି ବ୍ୟାଙ୍କ ର ମୁଖ୍ୟ କେନ୍ଦ୍ର ଆଜାଦପୁର ମଣ୍ଡି ରୋଡ୍‌ ନମ୍ବର ୧୫ରେ ଅବସ୍ଥିତ। ଅନ୍ୟ କେନ୍ଦ୍ରଗୁଡିକ ଟେଂଟ୍ ମାର୍କେଟ୍ ଇନ୍ଦିରାନଗର, ନନ୍ଦା ରୋଡ୍‌ ଆଦର୍ଶ ନଗର ଓ ପଂଚବଟୀ କଲୋନୀରେ ଅଛି।

ରାଜକୁମାରଙ୍କ ସଫଳତା

ରାଜକୁମାରଙ୍କ ସୂଚନା ଅନୁଯାୟୀ ଗୋଟିଏ ଭୋକିଲା ଲୋକକୁ ଗୋଟିଏ ପ୍ୟାକେଟ୍ ଦିଆଯାଇଥାଏ। ଏଥିରେ ତିନିଟି ରୁଟି ଓ ଆଚାର ଥାଏ। ଏହି ଅଭିଯାନ ସହ ସମାଜର ସବୁବର୍ଗର ଲୋକ ସାମିଲ ହୋଇଛନ୍ତି। ତେବେ ମୂଳତଃ ଆଠ ଜଣ ଲୋକ ଏହି କାମକୁ ପରିଚାଳନା କରୁଛନ୍ତି।

ରାଜକୁମାର ନିଜେ ମଧ୍ୟ ଅନେକ ଭିନ୍ନ ଭିନ୍ନ ଯାଗାକୁ ଯାଇ ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଇଛନ୍ତି। ତେବେ ନିଶା ଖାଇଥିବା ଲୋକଙ୍କୁ ସେ ଆଦୌ ଖାଦ୍ୟ ଦିଅନ୍ତି ନାହିଁ । ରୋଟି ବ୍ୟାଙ୍କ୍ ରେ ଯେ କୌଣସି ବ୍ୟକ୍ତି ସକାଳ ୧୦ଟାରୁ ଦ୍ୱିପହର ୧ଟା ପର୍ଯ୍ୟନ୍ତ ରୁଟି ଜମା କରିପାରିବେ। ଏହା ପରେ ଅଭାବୀ ଲୋକଙ୍କ ମଧ୍ୟରେ ଏଗୁଡିକୁ ବାଣ୍ଟି ଦିଆଯାଏ। ଅନ୍ୟ ସବୁ ଅଂଚଳରେ ଏଭଳି ବ୍ୟାଙ୍କ୍‌ ଖୋଲିବାକୁ ରାଜକୁମାର ଯୋଜନା କରିଛନ୍ତି।

ଆଧାର - Akhand social worker, freelance journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate