অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳତାର ଅନ୍ୟ ନାଁ ମା’

ଉପକ୍ରମ

ମା’ କଥା ଯେମିତି ମଧୁର : ମା’ ହାତରନ୍ଧା ବି ସେତିକି ସୁଆଦିଆ । ମା’ର ପଣତ ପିଲାପାଇଁ ସବୁଠୁ ଅଧିକ ନିର୍ଭୟ ଆଶ୍ରୟସ୍ଥଳ । ସେ ଯାହା କହେ ପିଲା ପାଇଁ ତାହା ଆଶୀର୍ବାଦ ପାଲଟିଯାଏ । ତା’ର ପ୍ରତିଟି ଇଚ୍ଛାରେ ଥାଏ ତା’ ସନ୍ତାନ ପ୍ରତି ସ୍ନେହ, ପ୍ରୀତି, ମମତାର ରାଶିରାଶି ସଞ୍ଜୀବନୀ । ସନ୍ତାନ ପାଇଁ ସେ ସଫଳତାର ଏକ ଚିରସ୍ରୋତା ବୈତରଣୀ.....

ବିଶ୍ଵ ମାତୃ ଦିବସ

ମା’- ଏହା ଏଭଳି ଏକ ଶବ୍ଦ ଯାହାର ବିକଳ୍ପ ନାହିଁ । ମା’ର ମମତା ନିକଟରେ ସବୁକିଛି ମୂଲ୍ୟହୀନ ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଏହି ମହୀୟସୀ ମହିଳା ପିଲାଟିକୁ ଗର୍ଭରେ ଧାରଣ କରେ । ଜନ୍ମ ଦିଏ । ଆଉ ତାହାର ଲଲାନପାଳନ କରେ । ତେଣୁ ତା'ର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ' ଦ୍ଵିତୀୟ ରବିବାରକୁ 'ବିଶ୍ଵ ମାତୃ ଦିବସ' ଭାବରେ ପାଳନ କରାଯାଇ ଆସୁଅଛି । ଆଧୁନିକ ମାତୃ ଦିବସର ଜନ୍ମଦାତ୍ରୀ ଭାବରେ ଆମେରିକାର ଆନ୍ନା ଜାର୍ଭିସଙ୍କୁ ଗ୍ରହଣ କରାଯାଏ । ଆମେରିକାର ପଶ୍ଚିମ ଭର୍ଜିନିୟାସ୍ଥିତ ସେଣ୍ଟ ଆଣ୍ଟ୍ର୍ୟୁସ ମେଥୋଡିଷ୍ଟ ଚର୍ଚ୍ଚରେ ସେ ୧୯୦୮ରେ ନିଜ ମା’ଙ୍କ ସ୍ମରଣରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ 'ଜଣକ ଜୀବନରେ ମା'ର ଭୂମିକା' ସମ୍ପର୍କରେ ସ୍ମୃତିଚାରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ଵରେ ବିସ୍ତାର କରିବା ପାଇଁ ଜାର୍ଭିସଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍ ହେବ । ୧୯୦୮ରୁ ପ୍ରତିବର୍ଷ ମେ' ଦ୍ଵିତୀୟ ରବିବାରକୁ 'ବିଶ୍ଵ ମାତୃ ଦିବସ' ଭାବରେ ପାଳନ କରାଯାଇ ଆସୁଅଛି ।

ଏହି ଅବସର ଉପଲକ୍ଷେ ମା’ଙ୍କୁ ସଫଳତାର ଉତ୍ସ ଭାବେ ଗ୍ରହଣ କରୁଥିବା କେତେଜଣ ମହିଳା ନିଜ ମା’ଙ୍କ ସମ୍ପର୍କରେ ଯାହା କୁହନ୍ତି....

ସଫଳତାର ଶ୍ରେୟ ମା'କୁ ଦେବି

ସୁସ୍ମିତା ରଣା (ମଞ୍ଚ ନାଟକ ନିର୍ଦ୍ଦେଶିକା)- ମା' (ସୁମଲତା ରଣା) ମୋ ପାଇଁ ସାରା ଦୁନିଆ । କାରଣ ତା'ଠାରୁ ମୁଁ ଉଭୟ ବାପା ଏବଂ ମା'ଙ୍କ ସ୍ନେହ ପାଇଛି । ମୋର ପାଠ ପଢା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ କ୍ଷେତ୍ରରେ ସେ ମୋତେ ସବୁବେଳେ ସହଯୋଗ କରିଛି ଏବଂ ଉଚିତ ମାର୍ଗଦର୍ଶନ ଦେଇଆସିଛି । ପିଲାଟି ଦିନରୁ ମୋର ମଞ୍ଚନାଟକ ପ୍ରତି ଖୁବ୍ ଆଗ୍ରହ ଥିଲା । ହେଲେ ଜଣେ ଝିଅ ହିସାବରେ ଏ କ୍ଷେତ୍ରରେ ପାଦ ଦେବା ଆଉ ଏକାକୀ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନକୁ ଯିବା କଥା ଭାବି ମା' ମନ ଭିତରେ ଟିକେ ଡରୁଥିଲା । ହେଲେ ଏହା ଯେପରି ମୋ ଲକ୍ଷ୍ୟ ପଥରେ ବାଧକ ନ ସାଜୁ ସେଥିପାଇଁ ଏ ବିଷୟରେ ମୋତେ ଜଣାଇବା ପରିବର୍ତ୍ତେ ସାହସ ଯୋଗାଉଥିଲା । ଆଉ ତାରି ପ୍ରେରଣାରେ ହିଁ ମୁଁ ଏଦିଗରେ ଆଗକୁ ବଢିପାରିଛି । ବର୍ତ୍ତମାନ ସୁଦ୍ଧା ମଞ୍ଚନାଟକ ନିର୍ଦ୍ଦେଶନା କ୍ଷେତ୍ରରେ ୧୪ଟି ଜାତୀୟ ପୁରସ୍କାର ପାଇସାରିଛି । ସତ କହିବାକୁ ଗଲେ ତା' ପଣତ ତଳେ ରହି ମୁଁ ଆଜି ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ତେଣୁ ମୋର ସବୁ ସଫଳତାର ଶ୍ରେୟ ମା'କୁ ଦେବି । ପିଲାଟି ବେଳୁ ମୁଁ ଖୁବ୍ ଜିଦିଆ । ଯେକୌଣସି କାମରେ ମନ ଦେଲେ ଭୋକ ଶୋଷ ଭୁଲି ତାକୁ ନ ସାରିବା ପର୍ଯ୍ୟନ୍ତ ଲାଗିପଡେ । ଆଉ ମୋର ଏଇ ଗୋଟିଏ ଗୁଣ ମା’ର ଆଦୌ ପସନ୍ଦ ନୁହେଁ । ତେଣୁ ସେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଖାଇବା ପିଇବା ଉପରେ ପ୍ରଥମେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥାଏ । ତା' କଥାରେ ମୁଁ ଏହି ଗୁଣକୁ ବହୁମାତ୍ରାରେ ପରିବର୍ତ୍ତନ କରିସାରିଛି ମଧ୍ୟ। ମା’ ହାତ ରନ୍ଧା ସବୁ ଖାଦ୍ୟ ମୋର ବହୁତ ପସନ୍ଦ । ହେଲେ ତା' ହାତ ରନ୍ଧା ଭେଜ୍ ଖାଦ୍ୟ ଭିତରୁ ଦହି ବାଇଗଣ ଆଉ ନନ୍ ଭେଜ୍ ଭିତରୁ ମଟନ୍ ର ସବୁ ଆଇଟମ୍ ମୋର ବହୁତ ପ୍ରିୟ ।

ମା'ର ସପୋର୍ଟ ସଫଳତାର ଚାବିକାଠି

ଗୀତାଞ୍ଜଳି ସାମନ୍ତରାୟ (ଫୁଟବଲ ଖେଳାଳି) – ପୁଅ ହେଉ ବା ଝିଅ, ପିଲାଟିର ସଫଳତା ପଛରେ ମା’ର ଭୂମିକା ଯେ କ'ଣ, ତାହା କହିବ ବାହୁଲ୍ୟ ମାତ୍ର । କାରଣ ମା'ର ସମର୍ଥନ ବିନା ଜଣେ ଝିଅ ଘରୁ ପାଦ କାଢି ବାହାରକୁ ଯିବା ତା' ପୁଣି କ୍ରୀଡା ପାଇଁ ବୋଧହୁଏ ମୋ ପକ୍ଷେ ସମ୍ଭବ ହୋଇ ପାରି ନ ଥାନ୍ତା । ପିଲାଟି ବେଳୁ ପ୍ରତ୍ଯେକ କାର୍ଯ୍ୟରେ ମା’ ( ରଶ୍ମି ସାମନ୍ତରାୟ) ମୋତେ ବେଶ୍ ଉତ୍ସାହିତ କରି ଆସିଛି । ମନେ ପଡୁଛି, ମୋର କ୍ରୀଡା ଜୀବନର ପ୍ରାରମ୍ଭିକ ସମୟର କଥା । ଖେଳିବାକୁ ନୂଆ ନୂଆ ବାହାରକୁ ଯିବା ଅବସରରେ ବାପା ବଡ ଆଗ୍ରହର ହେଉଥିଲା । ମା' ମନ ! ତେଣୁ ଝିଅକୁ ଏକା ବାହାରକୁ ଛାଡିବାରେ ଭୟଭୀତ ହେବା ସାଧାରଣ କଥା । ହେଲେ ଥରେ ଦୁଇଥର ରାଜ୍ୟ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ସେ ହିଁ ସବୁଠାରୁ ଅଧିକ ଖୁସି ହୋଇଥିଲା ଏବଂ ଆଗକୁ ବଢିବା ଲାଗି ପ୍ରେରଣା ଯୋଗାଇଥାଏ । ସେବେଠାରୁ ମୁଁ କେବେ ଏବଂ କେଉଁଆଡେ ଜୀବି, ସାଙ୍ଗରେ କ'ଣ ସବୁ ନେବି ସେସବୁ ପ୍ଲାନିଂ ସେ କରିଦିଏ । କେବଳ ଏଇ କଥା ନୁହେଁ; ମା’ର ଏମିତି କୌଣସି କଥା ନାହିଁ ଯାହା ମୋତେ ଭଲ ନ ଲାଗେ । ତା' ହାତ ତିଆରି ପିଠା ବିଶେଷ କରି ପୋଡପିଠା ମୋର ଭାରି ପ୍ରିୟ । ପିଲାବେଳେ ମୁଁ ଭାରି ଦୁଷ୍ଟ ଥିଲି । ସାନୁ ସମୟରେ ଏଣେ ତେଣେ ବୁଲିବାରେ ସମୟ ନଷ୍ଟ କରୁଥିଲି । କିନ୍ତୁ ମା'ର ଆକଟ ଯୋଗୁ ହିଁ ଏହି ବଦଭ୍ୟାସ ଛାଡି ସଫଳତା ଦିଗରେ ଆଗେଇ ପାରିଲି । ମା' ଠୁ ଗାଳି ତ କେବେ ଖାଇନି । ହେଲେ ଖେଳ ନିଶାରେ ବାହା ନ ହେବାର ନିଷ୍ପତ୍ତି ଲାଗି ମା’ଠୁ ଗାଳି ଖାଇଲି ଏବଂ ତାହା ହିଁ ମୋ ଜୀବନର ଗତି ପଥ ବଦଳାଇ ଦେଇଥିଲା । ଆଉ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲି । ସତ କହିବାକୁ ଗଲେ ମା’ର ସପୋର୍ଟ ହିଁ ମୋ ସଫଳତାର ଚାବିକାଠି ।

ମା’ ଥିଲେ ମୋ ପ୍ରେରଣା

ଚୌଧୁରୀ ଜ୍ୟୋସ୍ନା ଦାସ (ଫ୍ୟାଶନ୍ ଡିଜାଇନର)- ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ମୋ ମା' ( ପ୍ରମୋଦିନୀ ଦାସ) ଙ୍କ ପ୍ରେରଣାକୁ ଶ୍ରେୟ ଦେବି । କାରଣ ମୁଁ ଯେତେବେଳେ ଯାହା ବି କରିବାକୁ ଇଚ୍ଛା କରୁଥିଲି ସବୁବେଳେ ମା’ ତାହାକୁ ତର୍ଜମା କରି ମୋତେ ସାହସ ଦେଉଥିଲେ । କହିବାକୁ ଗଲେ ସେ ଛାଇ ପରି ମୋ ପଛରେ ଲାଗି ରହୁଥିଲେ । ସେଥିପାଇଁ ଆଜି ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛି ବୋଲି କହିବି । ଯେତେବେଳେ 'ରାଜନୀତି ବିଜ୍ଞାନ' ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ ପରେ କ'ଣ କରିବି ବୋଲି ଚିନ୍ତା କରୁଥିଲି, ସେତେବେଳେ ମା’ କହିଲେ,' ତୁ ଯାହା କରିବୁ ତାହାକୁ ଠିକ୍ ରୂପେ ତୁଲାଇ ପାରିବୁ ବୋଲି ମୋର ବିଶ୍ଵାସ ରହିଛି । ତେଣୁ ମା'ଙ୍କର ସେହି କଥା ମୋର ଏବେ ବି ମନେପଡେ । ତାଙ୍କର ମୋ ପ୍ରତି ଥିବା ସମର୍ଥନକୁ ମୁଁ ସବୁବେଳେ ପ୍ରଶଂସା କରିଥାଏ । ପାଠପଢା ପରେ ମୁଁ ବମ୍ବେରେ ଫ୍ୟାଶନ୍ ଡିଜାଇନିଂ କୋର୍ସ ଶେଷ କଲି । ସେତିକି ବେଳକୁ ମୋର ବାହାଘର ଠିକ୍ ହୋଇଗଲା । ମୁଁ ସେମାନଙ୍କୁ କହିଥିଲି ଯେ ବାହାଘର ପରେ ମୋର ଏକ ବୁଟିକ୍ ଖୋଲିବାର ଯୋଜନା ରହିଛି । ଖୁସିର କଥା ବାହାଘର ପରେ ମୋ ଶାଶୁଘର ଏ ନେଇ ମୋତେ ଯେଉଁ ସହଯୋଗ କରିଥିଲେ ତାହାକୁ ମୁଁ କଦାପି ଭୁଲି ପାରିବି ନାହିଁ । ଏବେ ଏହି ବୁଟିକ୍ ମୋ ପାଇଁ ସବୁକିଛି । ଏମିତିରେ ଦେଖିବାକୁ ଗଲେ ମା’ ହାତ ରନ୍ଧା ସବୁଖାଦ୍ୟ ଭଲ ଲାଗେ । ସେଥି ମଧ୍ୟରୁ ମୋର ବେସୀ ପସନ୍ଦ- ସନ୍ତୁଳା ଆଉ ଆରିସା ପିଠା । ସେ ମୋତେ ସବୁବେଳେ କୁହେ – ଝିଅମାନେ ସଜବାଜ ହୋଇ ରହିଲେ ଭଲ କିନ୍ତୁ ମୋତେ ଏତେଟା ସଜବାଜ ହେବାକୁ ପସନ୍ଦ ଲାଗେନି ।

ମା’ ମୋର ଗାଇଡ୍, ଫିଲୋଶଫର ସବୁକିଛି

ଶୈଳଭାମା ମହାପାତ୍ର (କଣ୍ଠ ଶିଳ୍ପୀ) – ସେତେବେଳେ ମା ବଡ ଭଉଣୀ ଗୀତ ଗାଉଥିଲେ । ମୁଁ ତାଙ୍କୁ ଦେଖି ଗୀତ ଗାଇବା ଆରମ୍ଭ କରିଥିଲି । ମୋ ବଡ ଭଉଣୀଠାରୁ ମୁଁ ପ୍ରେରଣା ପାଇ ଗୀତ ଗାଉଥିଲି । ଯେତେବେଳେ ମୁଁ ଗୀତ ଗାଏ ମା’ (ହାରପ୍ରିୟା ମହାପାତ୍ର) ମୋତେ କୁହନ୍ତି ମା’ ତୋର ଏଠି ଛନ୍ଦ, ଲୟ, ତାଳ, ପଡୁନି ଟି ଏମିତି ଗାଇଲେ ଆଉଟିକେ ଭଲହେବ । ମୋର ଜିଦ ଭୁଲ୍ ହେଲା ସେ ମଧ୍ୟ ଗାଇକି ଶିଖାଇ ଦିଅନ୍ତି । ଯଦିଓ ମା’ ଜଣେ ସାଧାରଣ ଗୃହିଣୀ, ସେ ମୋର ଗାଇଡ୍, ଫିଲୋସଫର୍ ସବୁକିଛି । ବେଳେବେଳେ ମୋର ଗୀତ ରେକର୍ଡିଂ ସାରି ଘରକୁ ଫେରିବା ଡେରି ହୁଏ । ସେ ପର୍ଯ୍ୟନ୍ତ ମା’ ମୋତେ ଅପେକ୍ଷା କରି ବାସିଥାଆନ୍ତି । ଘରେ ପହଞ୍ଚିଲେ ସଙ୍ଗେ ହୋଇ ଖାଉ । ଯଦି ମୁଁ ଖାଇ ଆସିଥାଏ ସ ତେବେ ‘ଖାଇଛି, ତମେ ଖାଇଦିଅ’ ବୋଲି କହିଦିଏ । ମା’ଙ୍କର ସବୁ ହାତରନ୍ଧା ଭଲଲାଗେ । ସେଥିମଧ୍ୟରେ ରହିଛି ଦହି ରାଇତା, ସୋରିଷ ମାଛ ତରକାରି, ଚିକେନ୍ ଆଚାରି ପରି ଡିଫରେଣ୍ଟ ଡିସ୍ । ମା’ ଗୋଟେ ଘାଣ୍ଟ ତରକାରୀ କରନ୍ତି ତାହା ଏତେ ଟେଷ୍ଟି ଲାଗେ ଯେ ମୁଁ ତାକୁ ମନଭରି ଖାଇଥାଏ । ଯେତେବେଳେ ମୋ ସାଙ୍ଗମାନେ ଆମ ଘରକୁ ଆସନ୍ତି ଓ ଘରେ ଖାଆନ୍ତି ସବୁବେଳେ କୁହନ୍ତି ମାଉସୀଙ୍କ ହାତରନ୍ଧାର ଜବାବ୍ ନାହିଁ । ଯଦି ମୁଁ ଥାଇଥିବା ଜିନିଷ ଏପଟ ସେପଟ ହୋଇଗଲା କିମ୍ବା ମୋ ବାଥରୁମ୍ ଯଦି କିଏ ବ୍ୟବହାର କରି ଅପରିଷ୍କାର କରିଦେଲା ତା’ ହେଲେ ମୋତେ ଜମା ଭଲ ଲଗେନି । ସେଥିପାଇଁ ମୁଁ ଚିଡ୍ ଚିଡ୍ ହେଲେ ମା’ ମୋତେ ବୁଝନ୍ତି – ଆରେ ମା’ ଏମିତି ଯଦି ହୋଇଛି ଠିକ୍ ହୋଇଯିବ । ତୁ ବ୍ୟସ୍ତ ହ’ନା । ଠାରେ ମୁଁ ଆଲବମ୍ ଗୀତଟିଏ ଗାଇଥିଲି । ଯେତେବେଳେଵ ଗୀତଟି ରିଲିଜ୍ ହେଲା ମା’ ସେ ଗୀତ ଶୁଣିଲେ । ଆଉ ମୋତେ କହିଲେ – ଆରେ ମା’ ତୁ ଏ ଗୀତ ଗାଇଲୁ ଠିକ୍ ଅଛି । ତୋର ଏଇଟା ପ୍ରଫେଶନ୍ । ହେଲେ ଏମିତି ଗୀତ କେବେ ଗାଆନା ଯାହାକୁ ତୁ ପରେ ବସି ମୂହୁର୍ତ୍ତରେ ପରିବାର ଲୋକଙ୍କ ସହ ଏକାଠି ବସି ଶୁଣିପାରିବୁ ନାହିଁ । ଆଉ ତା’ ପରେ ମୁଁ ସ୍ଥିର କରିଥିଲି କେବେ ବି ଏପରି ଗୀତ ଗାଇବିନି ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate