অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱଚ୍ଛତା ଅଭିଯାନ ସହ ଗଛ ଲଗାଇବାକୁ କରିଛନ୍ତି ଜୀବନର ବ୍ରତ

ସ୍ୱଚ୍ଛତା ଅଭିଯାନ ସହ ଗଛ ଲଗାଇବାକୁ କରିଛନ୍ତି ଜୀବନର ବ୍ରତ

ସମାଜସେବା ଅଭିଯାନ

ଇଛା ଓ ଆନ୍ତରିକତା ଥିଲେ ଜଣେ ନିଜ କାମ ସହ ସମାଜ ପାଇଁ ମଧ୍ୟ ଅନେକ କିଛି କରିପାରିବ । ସମାଜସେବା ପାଇଁ ଯେ ଅଧିକ  ସମୟ ଦେବାକୁ ପଡିବ, ସେମିତି କିଛି ନାହିଁ । ଆପଣ ନିଜ ଅବସର ମସୟରେ ବି ସମାଜସେବା କରିପାରିବେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ପ୍ରହଲ୍ଲାଦ ସ୍ୱାଇଁ ଓରଫ୍ ବଂଶୀ ଭାଇନାଙ୍କ କଥା ଦେଖନ୍ତୁ । ନିଜେ ସେ ଔଷଧ ଦୋକାନ କରିଛନ୍ତି । କିନ୍ତୁ ସମାଜସେବା ପାଇଁ ଅନେକ କାମ କରି ନିଜ ଅଂଚଳରେ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।

ପ୍ରହଲ୍ଲାଦଙ୍କ କାହାଣୀ

ପ୍ରହଲ୍ଲାଦଙ୍କ ଘର ଅସ୍ତରଙ୍ଗର ବରାଂଗ ଗାଁରେ । ଅସ୍ତରଙ୍ଗ ବଜାରରେ ତାଙ୍କର ଗୋଟିଏ ମେଡିସିନ୍ ଷ୍ଟୋର ରହିଛି । ପିଲାଦିନରୁ ବାପାମାଙ୍କ ପ୍ରେରଣାରେ ହିଁ ସମାଜସେବାକୁ ସେ ଆପଣେଇ ନେଇଛନ୍ତି । ୧୯୯୭ ମସିହାରେ ଭାରତ ସରକାରଙ୍କ ସାକ୍ଷରତା କାର୍ଯ୍ୟକ୍ରମ ଅଭିଯାନରେ ସେ ସାମିଲ ହୋଇଥିଲେ । ଆଳସାହି ପଂଚାୟତର ବିଭିନ୍ନ ଗ୍ରାମରେ ଏହି ଅଭିଯାନ ମାଧ୍ୟମରେ ସେ ଅନେକ ଲୋକଙ୍କୁ ସାକ୍ଷର କରାଇପାରିଥିଲେ । ବନ୍ୟାବାତ୍ୟା ସମୟରେ ସେ ଲୋକମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥାନ୍ତି । ୧୯୯୯ ମହାବାତ୍ୟା ସମୟରେ ଅସ୍ତରଙ୍ଗ ଅଂଚଳରେ ବ୍ୟପାକ କ୍ଷୟକ୍ଷତି ହୋଇଥିଲା । ଏହି ସମୟରେ ରିଲିଫ୍ ବଣ୍ଟନ ଓ ଥଇଥାନ କାମ ପାଇଁ ସେ ଦିନରାତି ଲଗାଇଦେଇଥିଲେ । ଗାଁ ରାସ୍ତା ଓ ପୋଖରୀ ସଫେଇରେ ସହଯୋଗ, ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ଖରାଦିନେ ଜଳଛତ୍ର ଖୋଲିବା ଆଦି ସବୁ କାମକୁ ସେ ଆଗକୁ ବଢାଇ ନିଅନ୍ତି । ଶ୍ରଦ୍ଧାରେ ଲୋକେ ତାଙ୍କୁ ବଇଁଶୀ ଭାଇନା ଡାକନ୍ତି ।

ତାଙ୍କର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ସ୍ଥାନୀୟ ବାସିନ୍ଦା ଶରତ କୁମାର ପରିଡା କୁହନ୍ତି, ବଇଁଶୀ ଭାଇନା ଜଣେ ପ୍ରକୃତିପ୍ରେମୀ ମଧ୍ୟ । ସେ ଶହ ଶହ ଗଛ ଲଗାଇଥିବା ଆମେ ଦେଖୁଛୁ । ଆଳଂଗପୁର ଠାରୁ ବଂରାଗ ପର୍ଯ୍ୟନ୍ତ ରାସ୍ତା କଡରେ ଓ ହାଇସ୍କୁଲ କ୍ୟାମ୍ପସ୍ ରେ ସେ ବହୁ ପ୍ରକାର ଗଛ ଲଗାଇଛନ୍ତି । ବସ୍ତଡିହ ଗାଁର କାଶୀ ବିଶ୍ୱନାଥ ମନ୍ଦିରରେ ନଡିଆ ଆଦି ଗଛ ଲଗାଇ ସେଠାରରେ ସବୁଜିମା ସୃଷ୍ଟି କରିପାରିଛନ୍ତି ।

ସ୍ୱଚ୍ଛତା ଅଭିଯାନ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସେ ଅସ୍ତରଙ୍ଗର ବିଭିନ୍ନ ଅଂଚଳରେ ସ୍ୱଚ୍ଛତା ଅଭିଯାନ ଚଳାଇଛନ୍ତି । ଅସ୍ତରଙ୍ଗ ମହାବୀର ମନ୍ଦିର ଠାରୁ ତାରିଣୀ ମନ୍ଦିର ଓ ଥାନା ପର୍ଯ୍ୟନ୍ତ ରାସ୍ତାକୁ ସଂପୂର୍ଣ ଭାବେ ସଫା କରି ପରିସ୍କାର ପରିବେଶ ସୃଷ୍ଟି କରିପାରିଛନ୍ତି ସେ ।

ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ନିରାଶ୍ରୟ ରୋଗୀଙ୍କୁ ମଧ୍ୟ ବଂଶୀ ଭାଇନା ସହଯୋଗ କରନ୍ତି । ଏଭଳିକି ଗରିବ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ସହିତ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କରନ୍ତି । ତେବେ ଗଛ ଲଗାଇ ପରିବେଶକୁ ସବୁଜିମା କରିବା ତାଙ୍କ ଜୀବନର ବ୍ରତ ପାଲଟିଯାଇଛି । ଅନେକ ଅନୁଷ୍ଠାନ ପରିସରରେ ସେ ଗଛ ଲଗାଇଛନ୍ତି । ମହାତ୍ମାଗାନ୍ଧୀ ବୈଷୟିକ ବିଦ୍ୟାଳୟରେ ୫୦ରୁ ଅଧିକ ନଡିଆ ଓ ନାନାଦି ଗଛ ଲଗାଇଛନ୍ତି । ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସେ ବୃକ୍ଷରୋପଣ କରିଛନ୍ତି । ଏଥିପାଇଁ ତାଙ୍କୁ ଗତ ଜାନୁୟାରୀ ୨୬ ତାରିଖରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ପୁରସ୍କୃତ କରାଯାଇଛି ।

ସେ କହନ୍ତି,  ବାପା ମା ମୋତେ ସବୁବେଳେ ଏହି କାମ ପାଇଁ ପ୍ରେରଣା ଦେଇ ଆସିଛନ୍ତି । ମୁଁ ଜଣେ ସାଧାରଣ ନାଗରିକ । ତେଣୁ ଦେଶ ପାଇଁ ଯେତିକି କରିବା କଥା କରୁଛି । ତା ସହିତ ମୁଁ ମୋର ମେଡିସିନ୍ ଷ୍ଟୋରଟିକୁ ପରିବାର ପ୍ରତିପୋଷଣ ପାଇଁ ଚଳାଉଛି । ଏସବୁ ଠିକ୍ ଠାକ୍ ଚାଲିଛି । ମୁଁ ଅବସର ସମୟରେ ହିଁ ଗଛ ଲଗାଏ ଓ ପରିବେଶ ପରିସ୍କାର କରେ । ଏଭଳି କାମ କେଉଁଠି ହେଉଥିଲେ ମୁଁ ଆପେ ଆପେ ସେମାନଙ୍କ ସହ ଯୋଗ ଦିଏ ।

ପରିବାର ଲୋକେ ଓ ତାଙ୍କ ଧର୍ମପତ୍ନୀ ମଧ୍ୟ ପ୍ରହଲ୍ଲାଦଙ୍କୁ ଏହି କାମରେ ସହଯୋଗ କରୁଛନ୍ତି । ତାଙ୍କ ସହଧର୍ମିଣୀ କୁହନ୍ତି, ମୁଁ ଖୁସୀ ହୁଏ ତାଙ୍କର ସବୁ କାମ ଦେଖି । ନିଜ କାମ ସହ ସମାଜ ପାଇଁ ମଧ୍ୟ କିଛି କରିବାର ଅଛି । ଘରକୋଣ ରହି ମଧ୍ୟ ତାଙ୍କୁ ଏଥିପାଇଁ ସବୁ ପ୍ରକାର ସାହାଯ୍ୟ କରୁଛି । ତାଙ୍କୁ ଯେଉଁ ଦିନ ପୁରସ୍କାର ମିଳିଲା, ଆମେ ସମସ୍ତେ ଭାରି ଖୁସୀ ହୋଇଥିଲୁ ।

ପରିବେଶପ୍ରେମୀ

ଆସନ୍ତା ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳିତ ହେବ । ଏହି ସମୟରେ ବହୁ ଗାଁରେ ନଡିଆ, ପଣସ, ଆମ୍ବ ଆଦି ବୃକ୍ଷରୋପଣ ପାଇଁ ପ୍ରହଲ୍ଲାଦ ଯୋଜନା କରିଛନ୍ତି । ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ଧାର୍ମିକ ପୀଠର ପରିବେଶକୁ ପରିସ୍କାର କରିବା ପାଇଁ ମଧ୍ୟ ସେ ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି ।

ପ୍ରକୃତରେ ବଇଁଶୀ ଭାଇନାଙ୍କ ମହାନ ଭାବନା ଓ ସେବା କରିବାର ଆନ୍ତରିକତା ଯୋଗୁଁ ହିଁ ସେ ଆଜି ଅସ୍ତରଙ୍ଗର ପରିବେଶପ୍ରେମୀ ଭାବେ ପରିଚିତ ହୋଇପାରିଛନ୍ତି । ତାଙ୍କର ଏହି ଉଦ୍ୟମରେ ଅନେକ ଯୁବକ ମଧ୍ୟ ସାମିଲ ହୋଇଛନ୍ତି । ଆଗକୁ ତାଙ୍କ ଅଭିଯାନ ଆହୁରି ସଫଳ ହେଉ ବୋଲି ୟୋର ଷ୍ଟୋରୀ ପକ୍ଷରୁ ଶୁଭକାମନା ।

ଆଧାର-Team Odia writer

Last Modified : 2/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate