অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ୱେବ୍ସାଇଟ୍ ରେ ପୀଡ଼ିତାଙ୍କ ସାଥିରେଖା

ସଂକଳ୍ପବଦ୍ଧ

ଜୀବନ ସ୍ରୋତରେ ନିଃସଙ୍ଗ ତଥା ଅସହାୟ ଭାବରେ ଅଣନିଃଶ୍ଵାସୀ ହୋଇ ପଡୁଥିଲାବେଳେ କାହାର ଦୁଇପଦ ସ୍ନେହବୋଳା କଥା ବେଶ୍ ଜିଇଁବାର ରାହା  ଦେଖାଏ । ସେଥିରେ ମଣିଷ ସବୁ ଦୁଃଖ ଭୁଲିଯାଏ; କିନ୍ତୁ ମନରେ ସଞ୍ଚରିଥିବା ବିଶ୍ଵାସ ଯଦି ଅବିଶ୍ଵାସର ରୂପନେଇ ପ୍ରତାରଣା ଦିଏ, ତେବେ ମଣିଷ ଦିଶାହୀନ ହୁଏ ।

ସେହିଭଳି ପ୍ରତାରଣାର ଶିକାର ହୋଇଥିବା ପ୍ରତାରିତା ରେଖା କିନ୍ତୁ ମନକୁ ଦୃଢ କରି ନିଜଗୋଡ଼ରେ ଠିଆ ହୋଇଛନ୍ତି । ତାଙ୍କ ଭଳି ପ୍ରତାରିତାଙ୍କ ଦୁଃଖ ଊଣା କରିବାକୁ ସେ ସଂକଳ୍ପବଦ୍ଧ ।

ରେଖାଙ୍କ ସଂଘର୍ଷ

କର୍ଣ୍ଣାଟକର ହାଭେରୀ ଗ୍ରାମର ୨୯ ବର୍ଷୀୟା ମହିଳା ରେଖା । ସ୍ଵାମୀର ପ୍ରତାରଣା ପରେ ନିଜକୁ ଖୁବ୍ ଅସହାୟ ମନେକରୁଥିଲା । ମାତ୍ର ଅଢେଇ ବର୍ଷର କୁନି ଝିଅଟିକୁ ନେଇ ସେ ସଂଘର୍ଷ କରୁଥିଲା । ବାପା – ମାଙ୍କ ବୋଝ ହେବ ନାହିଁ ବୋଲି କୌଣସି ବୃତ୍ତିକୁ ଆପଣେଇବାକୁ ମନସ୍ଥ କରିଥିଲା ।  ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ନେଇ ଏକ କମ୍ପାନୀରେ ଅଭ୍ୟର୍ଥନାକାରୀ ଭାବେ ଚାକିରି କରିଥିଲା ।

ସମୟଚକ୍ରରେ ଜଣେ ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହିତ ତାଙ୍କର ସମ୍ପର୍କ ଦୃଢୀଭୂତ ହେଲା,ଜୀବନ ଗଢିବାର ଆଶା ସଂଚାର ହେଲା ରେଖାଙ୍କ ମନରେ । ମାତ୍ର ପରବର୍ତ୍ତୀ ସମୟରେ ସେହି ବିଶ୍ଵାସର ସମ୍ପର୍କ ତାକୁ ସୁନ୍ଦରୀରୁ କୁତ୍ସିତ କଦାକାର ରୂପରେ ପରିବର୍ତ୍ତନ କଲା ।  ପୁରୁଷ ବନ୍ଧୁଜଣକ ରେଖା ଉପରକୁ ଏସିଡ୍ ପକାଇ ଦେଇଥିଲା ।

ସୌଭାଗ୍ୟବଶତଃ ବେଙ୍ଗାଲୁରର ଏକ ଏନ୍ଜିଓର କର୍ମକର୍ତ୍ତା ଅସହାୟ ରେଖାର ଚିକିତ୍ସା ଦାୟିତ୍ଵ ନେଇଥିଲେ । ସମସ୍ତ ଖର୍ଚ୍ଚ ବହନ କରି ରେଖାଙ୍କର ୬ଥର ଅସ୍ତ୍ରୋପଚାର କରାଇଛନ୍ତି । ତାଙ୍କର  କୃତ୍ରିମ ନାକ ଲାଗିଛି । ବାରମ୍ବାର ଅସ୍ତ୍ରୋପଚାରରେ ରେଖା ବହୁ କଷ୍ଟ ଭୋଗିଥିଲେ ମଧ୍ୟ ମନୋବଳରେ କିନ୍ତୁ ହାରି ଯାଇନାହାନ୍ତି । ମନକୁ ଦୃଢ କରିଛନ୍ତି ତାଙ୍କ ଭଳି ନିର୍ଯ୍ୟାତିତ ମହିଳାମାନଙ୍କ ପାଇଁ କାମ କରିବାକୁ ।

ରେଖାଙ୍କ ସାଥିରେଖା ୱେବ୍ସାଇଟ୍

ସୁସ୍ଥ ହେବା ପରେ ରେଖା ନିଜେ ଏକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ସମଗ୍ର ଭାରତବର୍ଷରେ ଏସିଡ୍ ମାଡରେ ବିକୃତ ହୋଇଥିବା ଏବଂ ଅତ୍ୟାଚାରିତ ମହିଳାମାନଙ୍କ ସହ ଯୋଗାଯୋଗ ସ୍ଥାପନ କରୁଛନ୍ତି । ସେମାନଙ୍କ ମନୋବଳ ବଢାଇ ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ରେଖା ପ୍ରଶିକ୍ଷଣ ଦେଉଛନ୍ତି ।  ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେ ନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ସେ ମହିଳାମାନଙ୍କ ନିମନ୍ତେ ୱେବସାଇଟ ଏବଂ ବିଭିନ୍ନ ସୋସିଆଲ ସାଇଟ ପ୍ରସ୍ତୁତ କରୁଛନ୍ତି । ସେ ମହିଳା ମାନଙ୍କ ନିମନ୍ତେ ୱେବସାଇଟ୍ ଏବଂ ବିଭିନ୍ନ ସୋସିଆଲ ସାଇଟ ମାଧ୍ୟମରେ ବାର୍ତ୍ତା ଦେବା ସହିତ ସେମାନଙ୍କୁ କର୍ମକ୍ଷମ କରିବା ଏବଂ ଶିକ୍ଷାଗ୍ରହଣ ଉପରେ ଗୁରୁତ୍ଵ ଦେବା ସମ୍ପର୍କରେ ସଚେତନ କରାଉଛନ୍ତି । ସଂଘବଦ୍ଧ ଭାବେ ସିଲେଇ ଶିଖିବା, ଶିଖାଇବା ଏବଂ ତାକୁ ବୃତ୍ତିଭାବେ ଗ୍ରହଣ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି । ଏହାଛଡା କ୍ୟାଟରିଂ କରି ବହୁ ମହିଳାଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରିଛନ୍ତି ।

ପ୍ରେରଣା

ରେଖାଙ୍କର କହିବା କଥା ହେଲା ଆର୍ଥିକ ଦୁଃସ୍ଥିତିକୁ କେହି ଯଦି ଅଧିକ ଶିକ୍ଷା ଗ୍ରହଣ କରିନପାରିଲେ, ତେବେ ଘରେ ବସି ରହି ଅନ୍ୟମାନଙ୍କ ଉପରେ ବୋଝ ହେବା ଅପେକ୍ଷା ନିଜ ହାତରେ କିଛି କାମ କରି ଅର୍ଥ ଉପାର୍ଜନ  କରିପାରିଲେ ମହିଳାମାନେ ଆଉ ପୁରୁଷମାନଙ୍କ ଖେଳନା ହୋଇ ରହିବେ ନାହିଁ । ସେ ପାଇଥିବା ନିର୍ଯ୍ୟାତନା ତାଙ୍କ ପାଇଁ ଈଶ୍ଵରଙ୍କ ଆଶ୍ରିବାଦ ବୋଲି ରେଖା କହନ୍ତି । କାରଣ ନିର୍ଯ୍ୟାତନାର ଶିକାର ହେବ ଯୋଗୁଁ ହିଁ ସେ ନିଜର ମନୋବଳ ଦୃଢ କରିପାରିଲେ ଏବଂ ତାଙ୍କ ଭଳି ନିର୍ଯ୍ୟାତିତା ମହିଳାଙ୍କ ପାଇଁ କିଛି କାମ କରିପାରିବେ ।

ଆଧାର – ଦୈନିକ ସମାଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate