ଆମ ଗ୍ରାମାଅଞ୍ଚଳର ଲୋକମାନଙ୍କର ଜୀବନ ଜୀବିକା ବିଶେଷକରି କୃଷି ଉପରେ ନିର୍ଭରଶୀଳ । ପାରିପାର୍ଶ୍ଵିକ ପ୍ରାକୃତିକ ସମ୍ପଦ କୃଷିକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥାଏ । ଜଳ – ଜମି – ଜଙ୍ଗଲ – ଜୀବଜନ୍ତୁ ପ୍ରଭୃତିଙ୍କ ମଧ୍ୟରେ ଯେଉଁ ପ୍ରାକୃତିକ ସୁସଂପର୍କ ଆବାହମାନ କାଳରୁ ପ୍ରତିଷ୍ଠିତ ସେଥିରେ ବ୍ୟତିକ୍ରମ ଆମର କୃଷି ତଥା ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ଜୀବିକା ଗୁଡିକୁ ବହୁଳଭାବରେ କ୍ଷତିଗ୍ରସ୍ତ କରିଛି । କୃଷି କ୍ଷତିଗ୍ରସ୍ତ ହେବା ଫଳରେ ଖାଦ୍ୟ ନିରାପତ୍ତା ତଥା ଗୁଜୁରାଣ ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳରୁ ଲୋକେ ଅନ୍ୟତ୍ର ଯାଇ ଦାଦନ ଖଟିବାକୁ ଗାଁ ଛାଡିଲେଣି । ଯେଉଁ କୃଷି ଆମର ଖାଦ୍ୟ ନିରାପତ୍ତାର ମୂଳ ଭିତ୍ତିଭୂମି ଥିଲା ତାକୁ ଅବହେଳିତ କରି ଲୋକେ ସହରାଞ୍ଚଲରେ କୁଲିମଜୁରୀ ଉପରେ ନିର୍ଭର କରିବା ଆରମ୍ଭ କଲେଣି । ବଞ୍ଚିରହିବାର ପ୍ରଚେଷ୍ଟା ଭିତରେ ପାରିପାର୍ଶ୍ଵିକ ପ୍ରାକୃତିକ ସଂପଦକୁ ମଧ୍ୟ ଉଜାଡି ଚାଲିଲେଣି । ଏହାଦ୍ଵାରା ସବୁଠାରୁ ବେଶୀ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ପ୍ରାୟତଃ ଭୂମିହୀନ ଓ ଶ୍ରମଜୀବି ।
ଗ୍ରାମାଞ୍ଚଳରେ ଜୀବକାର୍ଯ୍ୟନ ପାଇଁ ପ୍ରାକୃତିକ ସଂପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯେଉଁ ଯେଉଁ ଜାଗାରେ ପ୍ରାକୃତିକ ସଂପଦ ଉଜୁଡି ଯାଉଛି ବା ଅବକ୍ଷୟ ହୋଇଯାଉଛି ସେଠି ପ୍ରାକୃତିକ ପୁନଃଥଇଥାନ କରାଯାଇ ପାରିଲେ ଜୀବନ ଧାରଣର ମାନ ମଧ୍ୟ ସମୃଦ୍ଧ ହୋଇପାରେ । ଯେଉଁଠି ପ୍ରାକୃତିକ ସଂପଦ ଉଜୁଡି ଗଲାଣି ସେଠି ତାର ନକରାତ୍ମକ ପ୍ରଭାବ ସ୍ଥାନୀୟ ଜୀବନ ଜୀବିକା ଉପରେ ସ୍ପଷ୍ଟ ଦିଶିଲାଣି ।
ଗ୍ରାମର ଉତ୍ପାଦନ ଉପକରଣ କହିଲେ ଜଳ, ଜମି, ଜଙ୍ଗଲ, ଜୈବ ବିବିଧତା, ଚାରଣ ଭୂମି, ଜଳାଶୟ ଇତ୍ୟାଦି ଅନେକ ପ୍ରାକୃତିକ ସଂପଦକୁ ବୁଝାଏ । ଏହି ପ୍ରାକୃତିକ ସମ୍ପଦର ଅବକ୍ଷୟ ସହିତ ସମତାଳରେ ବୃଦ୍ଧି ପାଉଛି ଦାରିଦ୍ର୍ୟତା । କୃଷିପ୍ରଧାନ ଅଞ୍ଚଳରେ ଜମି ( ଚାଷ ଯୋଗ୍ୟ ବା ଅଯୋଗ୍ୟ ), ଜଳ, ଜୈବ ସମ୍ବଳ ( ଶସ୍ୟ, ତୃଣ, ଜାଳେଣୀ, ଅଣକାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ, ପଶୁ ସଂପଦ ) ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସଂପତ୍ତି ଯଥା ଗୋଚର, ଜଳାଶୟ, ନଦୀ, ନାଳ, ଗ୍ରାମ ଜଙ୍ଗଲ, ପତିତ ଜମି ଇତ୍ୟାଦିର ପୁନରୁଦ୍ଧାରକୁ ହିଁ ସବୁଠୁ ବେଶୀ ଗୁରୁତ୍ଵ ଦିଆଯିବା ଦରକାର ।
ପରିବେଶର ଅବକ୍ଷୟ ଯୋଗୁଁ ଦେଶର ଅନେକ ଅଞ୍ଚଳ ଶୁଷ୍କ ଅଞ୍ଚଳରେ ପରିଣତ ହେବାକୁ ଗଲାଣି । ଅଳ୍ପ ବୃଷ୍ଟି, ଅତିବୃଷ୍ଟି, ଉର୍ବରତା କ୍ଷୟ ଯୋଗୁଁ ଉତ୍ପାଦନ ହ୍ରାସ ପାଇବା ଫଳରେ ଜୀବକାର୍ଜନର ନିରାପତ୍ତା ବିପନ୍ନ ହେବାରେ ଲାଗିଛି । ଗ୍ରାମ୍ୟ ପରିସଂସ୍ଥାର ପ୍ରାକୃତିକ ସମ୍ବଳ ଗୁଡ଼ିକୁ ସର୍ବସାଧାରଣ ସମ୍ବଳ ଓ ଘରୋଇ ସମ୍ବଳ ଭାବରେ ଭାଗ କରାଯାଇପାରେ । ସର୍ବସାଧାରଣ ସମ୍ବଳ ଭାବେ ଚାରଣ ଭୂମି, ଜଙ୍ଗଲ, ପୋଖରୀ ଓ ନାଳ ତଥା ଘରୋଇ ସମ୍ବଳ ଭାବେ ଫସଲ ଜମି, ପଶୁ ସଂପଦ, ବୃକ୍ଷ, କୂପ ଇତ୍ୟାଦି ମଧ୍ୟରେ ନିବିଡ ସଂପର୍କ ରହିଛି ଓ ଏମାନେ ପରସ୍ପର ଉପରେ ନିର୍ଭରଶୀଳ । ସର୍ବସାଧାରଣ ସମ୍ବଳ ଉଜୁଡିଗଲେ ତାର ସିଧାସଳଖ ପ୍ରଭାବ ଘରୋଇ ସମ୍ବଳ ଉପରେ ପଡିବ ଯାହା ପରିବାରର ଜୀବନ ଜୀବିକକୁ ଘୋର ବାଧା ପହଞ୍ଚାଇବା । ଏହି ସବୁ ସମ୍ବଳରୁ ଆମର ମୌଳିକ ଆବଶ୍ୟକତା ଯଥା : - ଖାଦ୍ୟ, ଗୋଖାଦ୍ୟ, ଜାଳେଣୀ, ଖତ, ଘର ତିଆରି ପଦାର୍ଥ, କାରିଗରୀ ଦ୍ରବ୍ୟ, ଔଷଧୀୟ ବୃକ୍ଷଲତା, ପାନୀୟ ଜଳ, ସେଚନ ପାଇଁ ଜଳ ଇତ୍ୟାଦି ମେଣ୍ଟିଥାଏ । ତେଣୁ ଉଭୟ ଘରୋଇ ତଥା ସର୍ବସାଧାରଣ ସମ୍ବଳର ଯତ୍ନ ନେଲେ ଯାଇ ଜୀବିକା ନିରାପତ୍ତା ହାସଲ କରିହେବ ।
ପ୍ରାକୃତିକ ସମ୍ପଦରେ କଣ ଅବ୍ୟବସ୍ଥା ହୋଇଛି ଓ ତାହା ଫଳରେ ଆମର ଜୀବନ ଜୀବିକା କିପରି ବାଧାପ୍ରାପ୍ତ ହେଉଛି ତାହା ଆମେ ଆମର ସ୍ଥାନୀୟ ସମସ୍ୟାର ଆଧାରରେ ଭଲଭାବରେ ବୁଝିପାରିବା । ଜଙ୍ଗଲ ଧ୍ଵଂସ ଯୋଗୁଁ ଚାଷ ଜମିକୁ ସାରପାଣି ଆସୁନାହିଁ ତେଣୁ ଆମେ ରାସାୟନିକ ସାର ଉପରେ ନିର୍ଭର କଲେଣି । ଆକସ୍ମିକ ବନ୍ୟା ଯୋଗୁଁ ମାଟି ଧୋଇଯାଉଛି ଓ ଜମିରେ ବାଲି ପଥର ଇତ୍ୟାଦି ଜମା ହୋଇ ଯାଇଛି । ପାହାଡ଼ରେ ଗଛ ନଥିବା ଯୋଗୁଁ ବର୍ଷାଜଳ ତୀବ୍ର ବେଗରେ ଗତିକରି ମୃତ୍ତିକା କ୍ଷୟ ବଢାଉଛି । ଜମିର ଦୁର୍ବଳ ହୁଡା ବର୍ଷା ଜଳର ତୀବ୍ର ବେଗରେ ଭାଙ୍ଗିଯିବା ଫଳରେ ଜମିର ଉପର ମାଟି ମଧ୍ୟ ଧୋଇ ହୋଇଯାଉଛି । ଏଥିଯୋଗୁଁ ଅନେକ ଗଡାଣିଆ ଜମିରୁ ମୃତ୍ତିକା କ୍ଷୟ ହୋଇ ପଥର ଦିଶିଲାଣି । ପୁଣି ପାହାଡ଼ରୁ ବର୍ଷାଜଳ ଯେଉଁ ବାଟ ଦେଇ ଗଡୁଛି ସେ ମଧ୍ୟରୁ କେତେକ ଜାଗାରେ ନରମ ମାଟି ଧୋଇଯାଇ ନୂଆ ନାଳ ସୃଷ୍ଟି ହେଲାଣି । ମାଟି ଧୋଇଯିବା ଯୋଗୁଁ ହେଉଥିବା ଏହି କୃତ୍ରିମ ନାଳଗୁଡ଼ିକୁ ଯଦି ନିୟନ୍ତ୍ରଣ କରାନଯାଏ ତେବେ ଭବିଷ୍ୟତରେ ଏହା ଆହୁରି ମୃତ୍ତିକା କ୍ଷୟର କାରଣ ହେବ । ଅନେକ ଜାଗାରେ ଝରଣା ଗୁଡିକ ମଧ୍ୟ ପୋତି ହୋଇ ଶୁଖିଗଲାଣି । ଯେଉଁ ନାଳ, ଝରଣା ବର୍ଷସାରା ପ୍ରବାହିତ ହେବ ଫଳରେ ଚାଷ ଜମିର ଜଳ ସେଚିତ ହୋଇପାରୁଥିଲା ସେଠି ଝରଣା ଶୁଖିଯିବା ଯୋଗୁଁ ଚାଷ କରିବା କଠିନ ହେଲାଣି । ଜଙ୍ଗଲର ଢାଲୁ ଅଞ୍ଚଳରେ ପୋଡୁଚାଷ ଯୋଗୁଁ ଜଙ୍ଗଲ ପାଦଦେଶରେ ସୃଷ୍ଟି ହୋଇଥିବା । ଜଳାଶୟ ଗୁଡିକ ମଧ୍ୟ ପଟୁ ପଡି ପୋତି ହୋଇଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ବୃଷ୍ଟିପାତ, ଭୂ ପୃଷ୍ଠର ଅବସ୍ଥିତ, ମୃତ୍ତିକାର ଅବସ୍ଥା ଓ ଗଛଲତାର ଆବରଣ ଏପରି ମୃତ୍ତିକା କ୍ଷୟକୁ ପ୍ରଭାବିତ କରିଥାଏ । ତେଣୁ ଆମ ଆଗରେ ପ୍ରଶ୍ନ ଉଚୁଛି ଯେ ଆମର ଜୀବନ ଜୀବିକା ଯେଉଁ ପ୍ରାକୃତିକ ସମ୍ପଦକୁ ସେପରି ଅବହେଳିତ ଅବସ୍ଥାରେ ଛାଡିଦେବା ନା ତାର କିଛି ଯତ୍ନ ନେଇ ଆମର ପାରମ୍ପରିକ ଜୀବନ ଜୀବିକା ବ୍ୟବସ୍ଥାକୁ ଚିରନ୍ତନ କରିବା ?
ପ୍ରାକୃତିକ ସମ୍ପଦର ପରିଚାଳନା ପାଇଁ କେବଳ ଗ୍ରାମର ଭୌଗଳିକ ସୀମା ଭିତରେ ଚିନ୍ତା କରିବା ଠିକ ହେବନି । ପ୍ରାକୃତିକ ସମ୍ପଦର ସଂରକ୍ଷଣ ଯୋଜନା କରିପାରିଲେ ଏହା ବେଶୀ ଫଳପ୍ରଦ ହେବ । ଏହି ଭୂ – ଭାଗଟିର କେତୋଟି ଗ୍ରାମ ବା କେତୋଟି ପଞ୍ଚାୟତ ମଧ୍ୟ ଆସିପାରନ୍ତି । ଯଦି ଏକ ଭୂ ଭାଗକୁ ପ୍ରାକୃତିକ ସମ୍ପଦ ପରିଚାଳନାର କ୍ଷେତ୍ର ଭାବେ ଚିନ୍ତା କରାଯାଏ ତେବେ ଏଥିରେ ବିଭିନ୍ନ ଉପାଦାନକୁ ସଂରକ୍ଷିତ ରଖିବାକୁ ସମନ୍ଵିତ ଯୋଜନାର ଆବଶ୍ୟକତା ବହୁତ ରହିଛି । ଏହି ଭୂଭାଗଟିକୁ ଏକ ବା ଏକାଧିକ ଜଳଛାୟାର ଅଂଶ ଭାବରେ ମଧ୍ୟ ଦେଖାଯାଇପାରେ । ତେଣୁ ଭୂଭାଗ ସ୍ତରରେ ଯୋଜନା ପ୍ରସ୍ତୁତ କରିବା ହେଉଛି ସବୁଠାରୁ ବଡ କଥା ।
ଉଦାହରଣ ସ୍ୱରୂପ ଜଳଛାୟା ମଧ୍ୟରେ ଅନେକ ନାଳ ଆସି ଏକ ବଡ ନାଳ ମାଧ୍ୟମରେ ଜଳ ନିଷ୍କାସନ କରନ୍ତି । କେଉଁ ନାଳ କେଉଁଠୁ ବାହାରି କେଉଁ ପର୍ଯ୍ୟନ୍ତ ଯାଇଛି, କେଉଁ ନାଳ ସଙ୍କୁଚିତ ହୋଇଗଲାଣି ବା ବିସ୍ତୃତ ହୋଇଗଲାଣି, କିଏ ଶୁଖିଗଲାଣିତ କିଏ ଜମି ଖାଇଲାଣି ସେସବୁକୁ ଠିକ୍ ଭାବରେ ଅନୁଧ୍ୟାନ କରି କେଉଁ କାର୍ଯ୍ୟ କେଉଁଠି କରାଯାଇପାରେ ଯୋଜନା ହେବା ଦରକାର । ସେହିପରି ପୋଡୁ ଚାଷ ହେଉଥିବା ଅଞ୍ଚଳରେ ପାହାଡ଼ର ଉଚ୍ଚତମ ଅଂଶରେ ଜଙ୍ଗଲ ରଖି, ମଧ୍ୟବର୍ତ୍ତୀ ଅଂଶରେ କୃଷି ଅରଣ୍ୟ ବା ବହୁବିଧ କୃଷିର ଯୋଜନା କରାଯାଇପାରେ । ସ୍ଥାନୀୟ ସ୍ତରରେ ମୃତ୍ତିକା ଓ ଜଳ ସଂରକ୍ଷଣ କାର୍ଯ୍ୟକୁ ବିଭିନ୍ନ ଉଦ୍ଦେଶ୍ୟରେ ଗୁରୁତ୍ଵ ଦିଆଯାଇପାରେ । ଯଥା :- ମାଟିରେ ବତର ବଢାଇବାକୁ ବର୍ଷାଜଳ ଧରିରଖିବା ପାଇଁ ପରିସ୍ରବଣ ପୋଖରୀ, ସମପତନ ଖାଇ ଓ ବନ୍ଧ ଇତ୍ୟାଦି କରାଯାଇପାରେ । ଯେଉଁଠି ଭୂତଳ ଜଳ ଅଳ୍ପ ଗଭୀରରେ ଥାଏ ସେଠି ଜଳ ସେଚନ ପାଇଁ ପୋଖରୀ କରାଯାଇପାରେ । ଆବଶ୍ୟକୀୟ ଦୂରତାରେ ସମପତନ ଖାଇ (CCT) ଏବଂ ଜଳ ଶୋଷଣ ଖାଇ (WAT) ପାହାଡ ପାର୍ଶ୍ଵରେ ନିର୍ମାଣ କରାଗଲେ ଏହା ମୋଟାମୋଟି ମୃତ୍ତିକାର ଜଳୀୟ ଅବସ୍ଥା ଏବଂ କୂଅର ଜଳପତନ ବୃଦ୍ଧିରେ ସହାୟକ ହୁଏ । କିନ୍ତୁ ଏହାର ଫାଇଦା ଅସମାନ ଭାବରେ ପାହାଡତଳ ଖାଲୁଆ ଅଞ୍ଚଳର ଲୋକମାନଙ୍କୁ ଅଧିକ ମିଳିଥାଏ । ତେଣୁ ସ୍ଥାନୀୟ ପରିବେଶର ଆଧାରରେ ଚିନ୍ତା କଲେ ଅନେକ ବ୍ୟବସ୍ଥା ବାହାରିପାରିବ ଯାହା ଫଳରେ ପ୍ରାକୃତିକ ସମ୍ପଦରୁ ସଂରକ୍ଷଣ ସହିତ ଜୀବନ ଜୀବିକାର ଉନ୍ନତି ସାଧିତ ହୋଇପାରିବ । ତେଣୁ ଏ ପାଇଁ ଆମକୁ ଗ୍ରାମର ଭୌଗଳିକ ସୀମା ବାହାରକୁ ଯାଇ ଭୂ ଭାଗ ସ୍ତରରେ ଚିନ୍ତା କରିବା ଦରକାର ।
ଏପରି ଏକ ସ୍ଥିତିଦେଇ ଆମେ ଗତିକରୁଥିବା ବେଳେ କେନ୍ଦ୍ର ସରକାର ଆରକେ ପ୍ରଗତିଶୀଳ ଆଇନ୍ ର ପ୍ରଣୟନ କଲେ ଯାହାକୁ ଆମେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ବା ଏନ୍.ଆର.ଇ.ଜି.ଏ. ନାମରେ ଜାଣନ୍ତି । ଏହି ଆଇନ୍ ଡିସେମ୍ବର ୨୦୦୫ ମସିହାରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ ହୋଇ ୨୦୦୬ ମସିହା ଫ୍ରେବୃୟାରୀ ମାସଠାରୁ ଦେଶବ୍ୟାପୀ ଯୋଜନାରେ ରୂପାନ୍ତରିତ ହେଲା । ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ହେଲା ଯେ ଏହା ଗ୍ରାମର ପ୍ରତ୍ୟେକ ଶ୍ରମଜୀବି ପରିବାରଙ୍କୁ ୧୦୦ ଦିନର କର୍ମ ନିଯୁକ୍ତିର ନିଶ୍ଚିତତା ପ୍ରଦାନ କରୁଛି ତଥା ଏକ ନିର୍ଦ୍ଧିଷ୍ଟ ମଜୁରୀ ହାରରେ ମଜୁରୀ ବ୍ୟବସ୍ଥା ଏଥିରେ ଅଛି । ଏହି ଯୋଜନା ଶ୍ରମଜୀବି ପରିବାରର ଶ୍ରମ ଅଧିକାରକୁ ପରୋକ୍ଷରେ ମାନ୍ୟତା ଦେବା ସହିତ ଗ୍ରାମାଞ୍ଚଳରେ ପ୍ରାକୃତିକ ସମ୍ପଦର ପୁନରୁଦ୍ଧାର ଓ ପୁନଃଥାଇଥାନ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ପରିବେଶ ଭିତ୍ତିକ କୃଷି ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି । ବିଭିନ୍ନ କାରଣରୁ ଚାଷ କ୍ଷତିଗ୍ରସ୍ତ ହେବ ଫଳରେ ଯେଉଁମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଛନ୍ତି ସେମାନେ ମଧ୍ୟ ନିଜ ଗ୍ରାମରେ ରହି ନିଜ ମାଲିକାନାରେ ଥିବା ପ୍ରାକୃତିକ ସମ୍ପଦ ଯଥା ଜଳ-ଜମି-ଜଙ୍ଗଲକୁ ବିକଶିତ କରି ଏକ ଦୀର୍ଘମିଆଦି ଉନ୍ନତି ଦିଗରେ ଆଗେଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଏହି ଯୋଜନା ଆମକୁ ଆଣିଦେଇଛନ୍ତି ।
ଏହି ପ୍ରଗତିଶୀଳ ଯୋଜନାର ସବୁଠୁ ବଡକଥା ହେଉଛି – ଶ୍ରମଜୀବି ପରିବାରମାନେ କମ ଦାବୀକଲେ ସରକାର କାମ ଯୋଗାଇଦେବେ । କାମ ମାଗିଥିବା ବ୍ୟକ୍ତିମାନଙ୍କୁ ଆବେଦନ କରିବାର ୧୫ଦିନ ମଧ୍ୟରେ ଗ୍ରାମର ୫ କିଲୋମିଟର ଦୂରତା ମଧ୍ୟରେ ହିଁ କମ ଯୋଗାଇ ଦିଆଯିବ । ଯଦି ଆବେଦନ କରିଥିବା ତାରିଖଠାରୁ ୧୫ ଦିନ ମଧ୍ୟରେ ହିଁ କାମ ଯୋଗାଇ ଦିଆନଯାଏ, ତେବେ ଆବେଦନକାରୀଙ୍କୁ ବେରୋଜଗାରୀ ଭତ୍ତା ମଧ୍ୟ ମିଳିବାର ବ୍ୟବସ୍ଥା ରହିଛି । କିନ୍ତୁ ସଚେତନତାର ଅଭାବରୁ ଅନେକ ଲୋକେ ଭାବୁଛନ୍ତି ଯେ ଏହି ଯୋଜନାରେ କାମ ଆସିଲେ ହିଁ କାମ ମିଳିବ । କିନ୍ତୁ ବୁଝିରଖିବା ଦରକାର ଯେ ୧୦୦ ଦିନର କାମ ମାଗିବା ନିଜର ଅଧିକାର । ଯଦି ଜଣେ ନିଜର ଅଧିକାରକୁ ସାବ୍ୟସ୍ତ ନକରେ ତେବେ ଦୋଷ କାହାକୁ ଦେବା ? ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମ ଆଧାରିତ ଯୋଜନା ମାଧ୍ୟମରେ ଗ୍ରାମପାଇଁ ଦୀର୍ଘସୂତ୍ରୀ କୃଷିଭିତ୍ତିଭୂମି ତଥା ଜଳ – ଜମି – ଜଙ୍ଗଲର ଉନ୍ନତି କରିପାରିଲେ ନିଶ୍ଚିତ ଦାରିଦ୍ର୍ୟ ଦୂରୀକରଣ ତଥା ଖାଦ୍ୟ ନିରାପତ୍ତା ଯେ ସହଜ ହେବ ଏକଥା ଆମକୁ ବିଶ୍ଵାସ କରିବାକୁ ପଡିବ ।
ପଞ୍ଚାୟତ ଓ ଗ୍ରାମ ସ୍ତରରେ ପ୍ରାକୃତିକ ସମ୍ବଳ ପରିଚାଳନା ଯୋଜନା :
ଗ୍ରାମାଞ୍ଚଳ ଅର୍ଥନୀତି, ଖାଦ୍ୟ ନିରାପତ୍ତା ଓ ଜୀବିକାର୍ଜନ ଧାରାରେ ଆଖି ଦୃଶିଆ ପରିବର୍ତ୍ତନ ଆଶା କରୁଥିଲେ ଆମକୁ ପ୍ରଥମେ ଅବକ୍ଷୟଗାମୀ ପ୍ରାକୃତିକ ସମ୍ବଳର ପୁନରୁଦ୍ଧାର କରିବାକୁ ହେବ । ଏଥିପାଇଁ ଉଭୟ ସ୍ୱଳ୍ପ ମିଆଦି ତଥା ଦୀର୍ଘ ମିଆଦି ଯୋଜନା କରାଯିବା ନିତାନ୍ତ ଆବଶ୍ୟକ । ଏଥିପାଇଁ ଗ୍ରାମ ସ୍ତରରେ ତଥା ପଞ୍ଚାୟତ ପ୍ରତିନିଧିମାନଙ୍କର ସଚେତନତା ବୃଦ୍ଧିକରି ସେହି ଅଞ୍ଚଳର କେଉଁ କେଉଁ କାର୍ଯ୍ୟ ନିଶ୍ଚିତ ଅଞ୍ଚଳର ବିକାଶ ହୋଇପାରିବ । ତେଣୁ ଗ୍ରାମ୍ୟ ବିକାଶ ପାଇଁ ଗ୍ରାମ ଭିତ୍ତିକ, ପଞ୍ଚାୟତଭିତ୍ତିକ ତଥା ଅଞ୍ଚଳ ଭିତ୍ତିକ ଯୋଜନା ପ୍ରସ୍ତୁତି ସମୟରେ ନିମ୍ନ ବିଷୟ ମାନଙ୍କ ପ୍ରତି ଯଥେଷ୍ଟ ଗୁରୁତ୍ଵ ଦେବା ଜରୁରୀ । ଅଧିକନ୍ତୁ ଗ୍ରାମସ୍ତରରେ ବାର୍ଷିକ ତଥା ପଞ୍ଚବାର୍ଷିକି ଯୋଜନାକୁ ପଲ୍ଲୀସଭାରେ ଅନୁମୋଦିତ କରାଇ ଗ୍ରାମସଭାରେ ଏହାକୁ ଆଦୃତ କରାଇବା ନିତାନ୍ତ ଜରୁରୀ । ଏହା ହୋଇପାରିଲେ ଗ୍ରାମର ଦୀର୍ଘମିଆଦି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବା ସହିତ ୧୦୦ ଦିନର କର୍ମ ନିଯୁକ୍ତି ନିଶ୍ଚିତ ହୋଇପାରିବେ । ତେଣୁ ଏହି ଯୋଜନାରେ କର୍ମ ନିଯୁକ୍ତି ତଥା କାର୍ଯ୍ୟ ପାଇଁ ଅନୁଦାନ ପାଇବାର ପ୍ରଥମ ସୋପାନ ହେଉଛି ଗ୍ରାମ ଯୋଜନା ।
ପ୍ରାକୃତିକ ସମ୍ପଦ ପୁନରୁଦ୍ଧାର ଯୋଜନାର ବିଭିନ୍ନ ଦିଗ ::
ପ୍ରାକୃତିକ ସମ୍ବଳର ପୁନରୁଦ୍ଧାର ପାଇଁ ବିଭିନ୍ନ କାମ ରହିଛି । ଜଳାଶୟ/ପୋଖରୀ ଖନନ, ବୃକ୍ଷରୋପଣ, ବନୀକରଣ, ଜମିର ଉନ୍ନତି ଏସବୁ ମଧ୍ୟରୁ ଜଳ ଓ ଜମି ସମ୍ବଳର ବିକାଶ କାର୍ଯ୍ୟକ୍ରମ ଆମେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାରେ କରାଯାଇପାରିବ । ଅଞ୍ଚଳ ଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଇବା ସହ ନିମ୍ନୋକ୍ତ ମୁଖ୍ୟ ଦିଗଗୁଡିକୁ ଦୃଷ୍ଟିଦେବା ।
ଚାରଣ ଜମି/ଗୋଚର ଉନ୍ନତି :
ସବୁ ଗାଁ ପାଇଁ ଗୋଚର ଜମି ସଂରକ୍ଷିତ ଥାଏ । ଗୋଚର ଜମି ସହିତ ଲୋକେ ପାଖ ପାହାଡ଼ରେ ମଧ୍ୟ ଗୋ ଚାରଣ କରାନ୍ତି । ତେବେ ଏହି ସବୁ ସର୍ବସାଧାରଣ ସଂପତ୍ତିରେ ବିଭିନ୍ନ କାରଣରୁ ଘାସ ତଥା ଗାଈଗୋରୁ ଚାରୁଥିବା ଛୋଟ ବିଦା – ଗୁଳ୍ମ ପ୍ରଜାତିର ଘଞ୍ଚତା ତଥା ସଂଖ୍ୟା ହ୍ରାସ ପାଇଚାଲିଛି । କିନ୍ତୁ ଏହି ଗୋଚର ଗୁଡିକ ଆମ ପରିବେଶକୁ ମଧ୍ୟ ବିଭିନ୍ନ ଭାବରେ ସାହାଯ୍ୟ କରିଥାଏ ଯଥା :
ଏହା ଭୂତଳ ଜଳସ୍ତର ବୃଦ୍ଧିକରାଏ, ମୃତ୍ତିକା ସଂରକ୍ଷଣ କରିଥାଏ, ଗୋଚରଟି କରିଡର ପରି ଦୁଇଟି ଅଲଗା ଅଞ୍ଚଳକୁ ଯୋଡି ରଖିଥାଏ । ଏହି ଗୋଚର ଅନେକ ବିରଳ ଓ ବିଲୁପ୍ତପ୍ରାୟ ଗଛ ଲତାର ପ୍ରଜାତିମାନଙ୍କର ଆଶ୍ରୟସ୍ଥଳ ତଥା ଏହା ପଶୁମାନଙ୍କୁ ଖାଦ୍ୟ ଯୋଗାଇଥାଏ । ତେଣୁ ଗୋଚରର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ନାମ ଯଥା କ୍ଷେତ୍ର ଆଡି, ଷ୍ଟାଗାର୍ଡ ଟ୍ର୍ଞ୍ଚ,କଣ୍ଟୁର ଟ୍ରେଞ୍ଚ ଇତ୍ୟାଦି ପ୍ରକାରର କାମ ମଧ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କରାଯାଇପାରେ ।
ବନୀକରଣ :
ଗ୍ରାମ ବା ଅଞ୍ଚଳର ଆବଶ୍ୟକତାକୁ ବିଚାରକୁ ନେଇ ବୃକ୍ଷରୋପଣର ଯୋଜନା କରାଯିବା ଦରକାର । ଉଜୁଡ଼ି ଯାଉଥିବା ଜଙ୍ଗଲରେ ପ୍ରାକୃତିକ ପୁନଃଜନନ ପାଇଁ ଜଙ୍ଗଲ ଜଗାରଖା କରିବା ସହିତ ଜାଳକାଠ, ପଶୁଖାଦ୍ୟ, ଅଣକାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ ଇତ୍ୟାଦିର ସୁବିଧା ପାଇଁ ସ୍ଥାନୀୟ ବୃକ୍ଷ ପ୍ରଜାତିର ବନୀକରଣ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ ମଧ୍ୟ କରାଯାଇପାରିବ । ଏହା ହୋଇପାରିଲେ ସ୍ଥାନୀୟ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପରିବେଶରୁ ମିଳୁଥିବା ଲାଭ ଉଠାଇପାରିବେ । ଉଜୁଡା ଜଙ୍ଗଲର ଉଦ୍ଧାର ହୋଇପାରିଲେ ଭୂତଳ ଜଳ, ମୃତ୍ତିକା, ଜଳବାୟୁ, ଜୈବ ବିବିଧତାର ସ୍ଥିତିଟିରେ ଉନ୍ନତି ଆସିବା ସହିତ ଜଙ୍ଗଲରୁ ମିଳୁଥିବା ଫଳ, ମୂଳ, ତନ୍ତୁ, ଔଷଧ, ଜାଳେଣୀ, ଗୃହ, ନିର୍ମାଣ ସାମଗ୍ରୀ ଇତ୍ୟାଦିର ଅଭାବ ହେବ ନାହିଁ ।
ଗଲି ନିୟନ୍ତ୍ରଣ ଦ୍ଵାରା ମୃତ୍ତିକା ସଂରକ୍ଷଣ :
ପାହାଡ଼ ପର୍ବତରୁ ତୀବ୍ର ବେଗରେ ଜଳ ବହିବା ଯୋଗୁଁ ଅନେକ ଜାଗାରେ ବଡବଡ ଖାଇ ବା ଗଲି ସୃଷ୍ଟି ହୋଇଥାଏ । ଏହି ଜାଗାଗୁଡ଼ିକରୁ ବିଶେଷକରି ନରମ ମାଟି ଗୁଡିକ ପାଣିରେ ବହିଜୟ ଅନେକ ଜାଗାରେ ଅତି ଗଭୀର ଖାଇମାନ ସୃଷ୍ଟି କରି ଭୂ – ଭାଗଟିକୁ ଅସମତୁଲ କରିଦେଇଥାଏ । ଯେଉଁ ଜାଗାରୁ ମୃତ୍ତିକା କ୍ଷୟ ହୋଇଥାଏ ସେଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ । ଏହାକୁ ଏପରି ଛାଡିଦେଲେ ପ୍ରତିବର୍ଷ ବର୍ଷାରେ ଆହୁରି ମାଟି ଧୋଇ ହୋଇ ମୃତ୍ତିକା କ୍ଷୟ କ୍ଷତି ବଢିଯାଏ ଓ ତଳେ ଥିବା ନଦୀନଳଗୁଡିକରେ ମଧ୍ୟ ପଟୁ ଜମିଯାଏ । କାଳକ୍ରମେ ଏହି କ୍ଷୟକ୍ଷତିଗ୍ରସ୍ତ ଜାଗାଗୁଡିକ ପତିତ ଜମିରେ ପରିଣତ ହୋଇଯାଏ ଓ ଏଠାରେ ଉତ୍ପାଦନ ବାଧାପ୍ରାପ୍ତ ହୁଏ । ତେଣୁ ଏହି ପତିତ ଜମିକୁ ଉତ୍ପାଦନ କ୍ଷମ କରି ଜୀବନ ଜୀବିକାକୁ ସମୃଦ୍ଧ କରିବା ପାଇଁ ଏସବୁ ଜାଗାଗୁଡିକରେ ଗଲି ନିୟନ୍ତ୍ରଣ କାର୍ଯ୍ୟ ମଧ୍ୟ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ କରାଯାଇପାରେ ।
ଜଳଛାୟା ବିକାଶ :
ପରିବେଶ ସହିତ ସ୍ଥାନୀୟ ପ୍ରାକୃତିକ ସମ୍ପଦ ଭିତ୍ତିକ ଜୀବନ ଜୀବିକାକୁ ସମୃଦ୍ଧ କରିବା ପାଇଁ ଜଳଛାୟା ବିକାଶ ଏକ ସାମଗ୍ରିକ ପ୍ରକ୍ରିୟା । ଜଳଛାୟା ବିକାଶ ମାଧ୍ୟମରେ ଜଳ ସଂରକ୍ଷଣ ଓ ପରିଚାଳନ, ଜଙ୍ଗଲ ବିକାଶ, ଉଦ୍ୟାନ କୃଷି, କୃଷି ଓ କୃଷି ଜମି ପରିଚାଳନା, ଗୋଚର ଉନ୍ନୟନ, ଗୃହପାଳିତ ପଶୁ ବିକାଶ ସହ ଅଣକୃଷି ଭିତ୍ତିକ ରୋଜଗାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଯଦିଓ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ ସଂପୂର୍ଣ୍ଣ ଜଳଛାୟା ବିକାଶ ସମ୍ଭବ ନୁହେଁ, ତଥାପି ଜଳଛାୟାର ବିଭିନ୍ନ ଉପାଦାନ ଗୁଡିକରେ ଏକକ ଭାବରେ କାର୍ଯ୍ୟକରିବାର ସୁଯୋଗ ମଧ୍ୟ ରହିଛି ଯଥା : ଜଳ ଅମଳ ପ୍ରକଳ୍ପ, ଚାଷ ପାଇଁ ଛୋଟ ପୋଖରୀ,ବନୀକରଣ, ଗଲି ନିୟନ୍ତ୍ରଣ ଇତ୍ୟାଦି । ଯଦି ଗୋଟିଏ ଗୋଟିଏ କରି କାର୍ଯ୍ୟ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ କରିଦିଆଯାଏ ତେବେ ଜଳଛାୟାର ୫୦ ପ୍ରତିଶତ ବିକାଶ ମଧ୍ୟ ସମ୍ଭବ ହୋଇପାରିବ ।
ଗ୍ରାମସଭା ପକ୍ଷରୁ ସାମାଜିକ ସମୀକ୍ଷା: :
ଏହା ମଧ୍ୟରେ ଏନ୍.ଆର.ଇ.କି.ଏସ୍. ଯୋଜନାର କାର୍ଯ୍ୟକାରିତାକୁ ବ୍ୟବସ୍ଥିତ, ଶୃଙ୍ଖଳିତ ତଥା ଲୋକାଭିମୂଖୀ କରିବାକୁ ସରକାରୀ ସ୍ତରରେ ଅନେକ ନୂତନ ପଦକ୍ଷେପ ନିଆଯାଉଛି । ସେ ମଧ୍ୟରେ ଏନ୍.ଆର.ଇ.କି.ଏସ୍. ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାବଳୀକୁ ସମାଧାନ କରିବାକୁ ପ୍ରତି ଜିଲ୍ଲାରେ ଜଣେ ଜଣେ ଓମ୍ବୁଡସମ୍ୟାନ୍ ନିଯୁକ୍ତି କରିବା ପ୍ରକ୍ରୀୟା ଆରମ୍ଭ ହୋଇଛି । ଏନ୍.ଆର.ଇ.କି.ଏସ୍. କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଥିବା ଆପତ୍ତି ଅଭିଯୋଗଗୁଡ଼ିକର ଅନୁସନ୍ଧାନ କରି ସେ ଦିଗରେ ବିହିତ ପଦକ୍ଷେପ ନେଇ ଯୋଜନାକୁ ଆହୁରି ଉପକାରୀ ତଥା ଉତ୍ତରଦାୟୀ କରିବାରେ ଓମ୍ବୁଡସମ୍ୟାନ୍ ଙ୍କର ମୁଖ୍ୟ ଭୂମିକା ରହିବ । ନିଜ ଘର ପାଖରେ ମଜୁରୀ ପାଇବା ପାଇଁ ମାସର ନିର୍ଦ୍ଧିଷ୍ଟ ତାରିଖରେ ବ୍ୟାଙ୍କ ମାନଙ୍କ ଦ୍ଵାରା ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟପୋଷ୍ଟ ପରି ବ୍ୟବସ୍ଥା ମାଧ୍ୟମରେ ମଜୁରୀ ପ୍ରଦାନର ସୁବିଧା କରାଯାଉଅଛି । ଏତଦ୍ ବ୍ୟତୀତ ଶ୍ରମଜୀବି ପରିବାର ମାନଙ୍କ ପାଇଁ ଶ୍ରମ ଅଧିକାର ୧୦୦ ଦିନରୁ ୧୫୦ ଦିନକୁ ବୃଦ୍ଧି କରାଯାଇଛି ଏବଂ ସର୍ବ ନିମ୍ନ ମଜୁରୀ ହାର ମଧ୍ୟ ବୃଦ୍ଧି ହୋଇଛି । ପ୍ରାକୃତିକ ସମ୍ପଦ ସହିତ ଜଡିତ ସରକାରୀ ବିଭାଗ ଗୁଡିକୁ ପ୍ରତ୍ୟକ୍ଷ ଭାବରେ ଏନ୍.ଆର.ଇ.କି.ଏସ୍. ସହିତ ଯୋଡା ଯାଇଛି । ଏନ୍.ଆର.ଇ.କି.ଏସ୍. କାର୍ଯ୍ୟକାରୀ ପ୍ରକ୍ରିୟାରେ ଏହିପରି ଅନେକ ଗୁଡିଏ ପରିବର୍ତ୍ତନ କରାଗଲାଣି ଯାହା ଏହି ଯୋଜନାର ପରିସରକୁ ଆହୁରି ବିସ୍ତୃତ ତଥା ବ୍ୟାପକ କରୁଛି ।
ମୋଟାମୋଟି ଭାବେ କରିବାକୁ ଗଲେ ଅବକ୍ଷୟଗାମୀ ପ୍ରାକୃତିକ ସମ୍ପଦ ଯୋଗୁଁ ଜଳ –ଜମି – ଜଙ୍ଗଲ ଭିତ୍ତିକ ବହୁ ପାରମ୍ପରିକ ଜୀବନ ଜୀବିକା ବ୍ୟବସ୍ଥା ବିପର୍ଯ୍ୟୟ ଆଡକୁ ଗତି କରୁଥିବା ବେଳେ ଏନ୍.ଆର.ଇ.କି.ଏସ୍. ପରି ଏକ ଅପୂର୍ବ ସୁଯୋଗ ଆମ ହାତ ପାଆନ୍ତାରେ ଅଛି । ସୁଯୋଗ ବାରମ୍ବାର ଆସେନା । ତେଣୁ ସଂଗଠିତ ଭାବରେ, ଆନୁଷ୍ଠାନିକ ବ୍ୟବସ୍ଥା ଭିତରେ ଉପଯୁକ୍ତ ଯୋଜନା ମାଧ୍ୟମରେ ପ୍ରାକୃତିକ ସଂପଦର ସାଂପ୍ରତିକ ସ୍ଥିତିରେ ଉନ୍ନତି କରିପାରିଲେ ତାହାର ଦୀର୍ଘ ପ୍ରଭାବୀ ପ୍ରକ୍ରିୟା ଆମର ଜୀବନ ଜୀବିକାକୁ ପ୍ରଗତିଶୀଳ ଓ ଚିରନ୍ତର କରିପାରିବ । ଏପାଇଁ ଏନ୍.ଆର.ଇ.କି.ଏସ୍. ଏକ ବଳିଷ୍ଠ ମାଧ୍ୟମ । ଏହି ସୁଯୋଗର ଉଚିତ୍ ଉପଯୋଗ ପାଇଁ ଗ୍ରାମବାସୀମାନେ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଆଗେଇ ଆସିଲେ ଯୋଜନା ଫଳପ୍ରସୂ ହେବ ଓ ଦାରିଦ୍ର୍ୟ ଦୂରୀକରଣ ସହିତ ଖାଦ୍ୟ ନିରାପତ୍ତା ସମ୍ଭବ ହୋଇପାରିବ । ଅଧିକନ୍ତୁ, ସ୍ଥାନୀୟ ଜୀବିକା ସହିତ ପରିବେଶର ଉନ୍ନତି ସମତାଳରେ ଆଗେଇ ପାରିବ ।
ଆଧାର – ଫାଉଣ୍ଡେସନ୍ ଫର୍ ଇକୋଲୋଜିକାଲ୍ ସିକ୍ୟୁରିଟି
Last Modified : 1/6/2020