অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିପର୍ଯ୍ୟୟ ମୁକାବିଲା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କାର୍ଯ୍ୟାଳୟ

ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ବେଶ୍ ସ୍ପର୍ଶକାତର ହୋଇଥିବା ବେଳେ ଏନେଇ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର କିପରି ମୁକାବିଲା କରାଯିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ କରି ୨୦୧୬ ମସିହାର ବନ୍ୟା ଓ ବାତ୍ୟାର ପ୍ରତିକାର ପାଇଁ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।

ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜୁନ୍ ମାସ ପହିଲାଠାରୁ ଖୋଲାଯିବ । ଏହି କକ୍ଷ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ କରିବ ।

ପଦକ୍ଷେପ

  • ଦୁର୍ବଳ ନଦୀ ଓ କେନାଲ ବନ୍ଧ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ସମସ୍ତ ଜଳସେଚନ ବିଭାଗ ଓ ତହସିଲଦାରମାନେ ଜିଲ୍ଲାରେ ଥିବା ଦୁର୍ବଳ ନଦୀ ଓ କେନାଲ ବନ୍ଧଗୁଡିକ ସମ୍ପର୍କରେ ମିଳିତ ତଦନ୍ତ କରି ଚଳିତ ମାସ ଶେଷ ସୁଦ୍ଧା ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଭୁବନେଶ୍ଵର ସମେତ ଖୋର୍ଦ୍ଧା ଉପଜିଲ୍ଲାପାଳ ଏଥିରେ ସମନ୍ଵୟ କରିବାକୁ କୁହାଯାଇଛି । ଦୁର୍ବଳ ନଦୀ ଓ କେନାଲ ବନ୍ଧଗୁଡିକୁ ମୁଜବୁତ୍ କରିବା ପାଇଁ ଆବଶ୍ୟକ ହେଉଥିବା ଅନୁଦାନର ଆକଳନ କରି ସମ୍ପୃକ୍ତ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ଜୁନ୍ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ୧୦୨ଟି ସ୍କୁଲ ତଥା ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ମଣ୍ଡଳ ଅଧିକାରୀ ତଥା ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଏହାର ଅବସ୍ଥା ସମ୍ପର୍କରେ ଜୁନ୍ ୩୦ତାରିଖ ସୁଦ୍ଧା ରିପୋର୍ଟ ଦାଖଲ  କରିବାକୁ କୁହାଯାଇଛି ।

  • ନିଯୁକ୍ତ ହେବେ ୭ ପାୱାର୍ ବୋଟ୍ ଓ ୩୦ ଡଙ୍ଗା

ସ୍ଵତନ୍ତ୍ର ରିଲିଫ କମିସନଙ୍କ ୭ଟି ପାୱାର ବୋଟ ମଧ୍ୟରୁ ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ୩ଟି ବାଲିପାଟଣାରେ ଓ ୨ଟି ବାଲିଅନ୍ତାରେ ଏବଂ ଜଟଣୀ ଓ ଖୋର୍ଦ୍ଧା ବ୍ଲକରେ ଗୋଟିଏ ଲେଖାଏଁ ରହିଛି । ଏହି ପାୱାର ବୋଟ ପାଇଁ ନଭେମ୍ବର ମାସ ପର୍ଯ୍ୟନ୍ତ ଅସ୍ଥାୟୀ ବୋଟ୍ ଡ୍ରାଇଭର ତଥା ଖଲାସୀମାନଙ୍କୁ ନିଯୁକ୍ତ କରାଯିବ । ଏହାବ୍ୟତୀତ ୩୦ଟି ଡଙ୍ଗା ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ବର୍ଷା ଓ ବନ୍ୟା ସମୟରେ ଟେଲିଫୋନ ଓ ଟେଲିଗ୍ରାଫ୍ ଲାଇନ ବାଣପୁରର ନୀଳାଦ୍ରିପ୍ରସାଦ ଓ ବରବାରାରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏହାର ସମାଧାର କରିବାକୁ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ କୁହାଯାଇଛି ।

  • ସବୁ ପିଏଚ୍ସିରେ ମହଜୁଦ୍ ରହିବ ସାପ କାମୁଡା ଇଂଜେକ୍ସନ୍

ବନ୍ୟା ପୂର୍ବରୁ ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଜରୁରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଚାଉଳ, ଚୂଡା, ଗୁଡ, ଓ କିରୋସିନ ମହଜୁଦ୍ କରି ରଖିବା ପାଇଁ ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବନ୍ୟା ସମୟରେ ସାପ କାମୁଡା ଇଂଜେକ୍ସନ୍, ଓଆରେସ୍ ପାଉଡର୍, ହାଲୋଜିନ୍ ଟ୍ୟାବଲେଟ, ଆଣ୍ଟି ଡାଇରିଆ ଔଷଧ ସମସ୍ତ  ପିଏଚ୍ସିରେ ରଖିବା ସହ ଅଭିଜ୍ଞ ଚିକିତ୍ସିକମାନଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ପ୍ରାଣୀମାନଙ୍କର ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ସେମାନଙ୍କ ସୁରକ୍ଷା, ଖାଦ୍ୟ ତଥା ଔଷଧ ମହଜୁଦ କରି ରଖିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି ।

  • ଉଦ୍ଧାର କାର୍ଯ୍ୟ ପାଇଁ ନିଯୁକ୍ତି ହେବେ ୫ ହଜାର ସ୍ଵେଚ୍ଛାସେବୀ

ବନ୍ୟା ଓ ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ହଜାର ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ମଣ୍ଡଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ନିର୍ଦ୍ଦେଶ  ଦିଆଯାଇଛି । ଏଥିରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନମାନଙ୍କୁ ସାମିଲ କରିବାକୁ କୁହାଯାଇଛି । ଏହାର ସୁପରିଚାଳନା କରିବା ପାଇଁ ପ୍ରତ୍ୟେକ ବ୍ଲକ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୋଟିଏ ଗୋଟିଏ ବନ୍ୟାଞ୍ଚଳ ସର୍କଲରେ ବିଭକ୍ତ କରାଯାଇଛି । ନରାଜଠାରେ ପ୍ରତି ସେକେଣ୍ଡରେ ୬ଲକ୍ଷ୍ୟ ଘନଫୁଟ୍ ବନ୍ୟାଜଳ ନିଷ୍କାସିତ ହେବା ମାତ୍ରେ ଜଳସେଚନ ବିଭାଗର କର୍ମକର୍ତ୍ତାମାନେ ପ୍ରତି ଘଣ୍ଟାରେ ବିବରଣୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ କୁହାଯାଇଛି । ଶେଷରେ ଜଣେ ପ୍ରତିନିଧିମାନଙ୍କ ସହ ଜିଲ୍ଲା ଅଧିକାରୀମାନେ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଆଧାର – ଦୈନିକ  ସମ୍ବାଦ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate