ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ
ଭାରତର ସମ୍ବିଧାନର ପ୍ରଣେତାମାନେ ଉପଲ୍ଲବ୍ଧି କରିଥିଲେ ଯେ , ନାଗରିକମାନଙ୍କ ପାଇଁ ରାଜନୈତିକ ସ୍ଵାଧୀନତା ଯେତିକି ଆବଶ୍ୟକ , ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା ମଧ୍ୟ ସେହି ପରିମାଣର ଦରକାର । ଦେଶର ଗରିବ , ପଛୁଆ ବର୍ଗ , ଶିଶୁ ଓ ମହିଳା ଏବଂ ଅନ୍ୟାନ୍ୟ ଆବହେଳିତ ଲୋକମାନଙ୍କର ବିକାଶ ପାଇଁ ପ୍ରଚେଷ୍ଟା ହେବା ନିତାନ୍ତ ଜରୁରୀ , ତାହା ହୋଇ ପାରିଲେ ଦେଶର ପ୍ରଗତି ଘଟିବ । ସେଥିପାଇଁ ଭାରତର ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ ରୁ ଧାରା ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବିଷୟରେ ଉଲ୍ଲେଖ କରାଯାଇଛି । କେନ୍ଦ୍ର ଓ ରାଜ୍ୟଗୁଡିକରେ ଥିବା ସରକାରଙ୍କ ପାଇଁ ଏଥିରେ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀ ଦିଆଯାଇଛି । ଏଗୁଡିକ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମୌଳିକ କର୍ତ୍ତବ୍ୟ ।
ମୁଖ୍ୟ ବୈଶିଷ୍ଟ୍ୟ
(କ) ଉଭୟ ରାଷ୍ଟ୍ରୀୟ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅଧିକାର ହେଉଛି ସମ୍ବିଧାନର " ମୁଖବନ୍ଧ ବା ପ୍ରସ୍ତାବନା ବା ପ୍ରାକକଥନ ରେ ରହିଥିବା ଲକ୍ଷ୍ୟ ପୂରଣର ଏକ ଉତ୍ତମ ମାଧ୍ୟମ । ମୌଳିକ ଅଧିକାର ମୁଖ୍ୟତଃ ରାଜନୈତିକ ଗଣତନ୍ତ୍ର ପାଇଁ ମୂଳଦୁଆ ତିଆରି କରିଥିବା ବେଳେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସାମାଜିକ ଓ ଅର୍ଥନୈତିକ ଗଣତାନ୍ତ୍ରିକ ମୂଳଦୁଆ ପକାଇଥାଏ ।
(ଖ) ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରକ ରାଷ୍ଟ୍ର ରୂପେ ଗଠନ କରିବାର ଲକ୍ଷ୍ୟ ରଖି ଏହି ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି ।
(ଗ) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ । ଏଗୁଡିକ ପାଳନପାଇଁ ନ୍ୟାୟାଳୟର ସାହାଯ୍ୟ ନିଆଯାଇପରେ ନାହିଁ । କିନ୍ତୁ ଜନମତକୁ ସମ୍ମାନ ପ୍ରଦର୍ଶନ କରି ପ୍ରତ୍ୟେକ ସରକାର ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉଦ୍ୟମ କରିଥାଆନ୍ତି ।
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅଧିକାର ମଧ୍ୟରେ ପାର୍ଥକ୍ୟ
- ମୌଳିକ ଅଧିକାରଗୁଡିକ ନାସ୍ତିବାଚକ । କିନ୍ତୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଅସ୍ତିବାଚକ । ଅର୍ଥାତ ନାଗରିକର ମୌଳିକ ଅଧିକାରଗୁଡିକ କ୍ଷେତ୍ରରେ କୌଣସି ପ୍ରକାର ହସ୍ତକ୍ଷେପ କରିବା ପାଇଁ ସରକାରଙ୍କୁ ସମ୍ବିଧାନ ବାରଣ କରିଛି । ମାତ୍ର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ମାଧ୍ୟମରେ ସମାଜର କଲ୍ୟାଣ ଲାଗି କେତେକ କାର୍ଯ୍ୟ କରିବାକୁ ରାଷ୍ଟ୍ର ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ରହିଛି ।
- ମୌଳିକ ଅଧିକାର ଯୋଗୁଁ ନାଗରିକମାନଙ୍କର ରାଜନୈତିକ ଭିତ୍ତିଭୂମି ସୁଦୃଢ ହୋଇଥାଏ । କିନ୍ତୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଦ୍ଵାରା ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ମୂଳଦୁଆ ମଜଭୁତ ହୁଏ ।
- ମୌଳିକ ଅଧିକାରଗୁଡିକୁ ସମ୍ମାନ ପ୍ରଦର୍ଶନ କରିବାକୁ ସରକାର ବାଧ୍ୟ , ନଚେତ ନାଗରିକମାନେ ଏହାର ସୁରକ୍ଷା ପାଇଁ ଆଇନ ଅଦାଲତର ଆଶ୍ରୟ ନେଇପାରିବେ । କିନ୍ତୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସରକାର ପାଳନ କରିବାକୁ ଆଇନତଃ ବାଧ୍ୟ ନୁହନ୍ତି । ଏହାର ପାଳନ ପାଇଁ ନାଗରିକ ଆଇନ ଅଦାଲତର ଆଶ୍ରୟ ନେଇ ପାରିବେ ନାହିଁ । ଅବଶ୍ୟ ଏହି ନିର୍ଦ୍ଦେଶାବଳୀ ପଛରେ ଜନମତର ସମର୍ଥନ ରହିଥାଏ । ତେଣୁ ସରକାର ଏହାକୁ ଗୁରୁତ୍ଵ ଦିଅନ୍ତି ଓ କାର୍ଯ୍ୟକାରୀ କରାନ୍ତି ।
- ଦେଶ ଯେପରି " ପୋଲିସ ରାଷ୍ଟ୍ର " ରେ ପରିଗଣିତ ନ ହେବ ସେଥିଲାଗି ମୌଳିକ ଅଧିକାର ବ୍ୟକ୍ତିର ସୁରକ୍ଷାର ଏକ ପ୍ରାଚୀର ତୁଲ୍ୟ କାର୍ଯ୍ୟକରେ । ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଭାରତରେ " ଜନମଙ୍ଗଳ ରାଷ୍ଟ୍ର " ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ ।
- ମୌଳିକ ଅଧିକାରଗୁଡିକ କେବଳ ବ୍ୟକ୍ତିର ଅଧିକାର ମଧ୍ୟରେ ସୀମିତ । ମାତ୍ର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସୀମା ବ୍ୟାପାର । ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ପ୍ରଚଳିତ ନିର୍ଦ୍ଦେଶାବଳୀ ରାଷ୍ଟ୍ର କାର୍ଯ୍ୟକାରୀ କରିଥାଏ ।
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀ ବିଭାଗ
ଏହି ନିର୍ଦ୍ଦେଶାବଳୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ, ଯଥା :- (କ) ସମାଜବାଦୀ (ଖ) ଗାନ୍ଧୀବାଦୀ (ଗ) ଉଦାରବାଦୀ ।
(କ) ସମାଜବାଦୀ ନିର୍ଦ୍ଦେଶାବଳୀ
ଭାରତର ସମ୍ବିଧାନ ପ୍ରଣୀତ ହେଉଥିବାବେଳେ ଅନେକ ତତକାଳୀନ ଜନନେତା ସମାଜବାଦରେ ବିଶ୍ଵାସ କରୁଥିଲେ । ତେଣୁ ଆମ ସମ୍ବିଧାନ ସମାଜବାଦୀ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହୋଇଛି । କେତେକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀରେ ଏହି ଚିନ୍ତାଧାରା ପ୍ରତିଫଳିତ ହୋଇଅଛି ନିମ୍ନରେ ତାହାର କିଛି ଉଦାହରଣ ଦିଆଗଲା ।
ସମ୍ବିଧାନର ଧାରା ୩୮ ରେ କୁହାଯାଇଛି ଯେ , ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏପରି ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବ ,ଯେଉଁଠି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରର ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଫଳିତ ହେବ । ଏହି ମହତ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସମ୍ବିଧାନର ଧାରା ୩୯ ରେ କୁହାଯାଇଛି ।
- ସମସ୍ତ ନାରୀ ଓ ପୁରୁଷ ନାଗରିକମାନଙ୍କୁ ସମାନଭାବରେ ଜୀବିକା ଅର୍ଜନ ପାଇଁ ଉପଯୁକ୍ତ ପନ୍ଥା ଯୋଗାଇ ଦିଆଯିବ ।
- ଜାତୀୟ ସମ୍ପତ୍ତିକୁ ନ୍ୟାୟୋଚିତ ଭାବେ ବଣ୍ଟନ କରାଯିବ ।
- ଦେଶର ସମ୍ପଦ ଯେପରି ଅଳ୍ପ କେତେକ ବ୍ୟକ୍ତିଙ୍କ ହାତରେ କେନ୍ଦ୍ରୀଭୁତ ହୋଇନ ରହେ , ସେଥିପାଇଁ ବ୍ୟବସ୍ଥା କରାଯିବ ।
- ନାରୀ ଓ ପୁରୁଷ ସମାନ ପ୍ରକାରର କାର୍ଯ୍ୟ କରିବା ପାଇଁ ସମାନ ପରିଶ୍ରମିକ ବା ମଜୁରି ପାଇବେ ।
- ଶ୍ରମିକ ଶ୍ରେଣୀର ସ୍ଵାର୍ଥରକ୍ଷା କରାଯିବ ।
- ଶିଶୁଓ ଯୁବକ ଏବଂ ଯୁବତୀମାନଙ୍କୁ ଶୋଷଣମୁକ୍ତ କରାଯିବ ।
- ସମସ୍ତଙ୍କୁ ତୁରନ୍ତ ତଥା ସମାନ ନ୍ୟାୟ ପ୍ରଦାନ କରାଯିବା ସହିତ ଦରିଦ୍ର ଶ୍ରେଣୀର ବ୍ୟକ୍ତିଙ୍କୁ “ମାଗଣା ଆଇନ ସହାୟତା “ ଯୋଗାଇ ଦିଆଯିବ ।
ସମ୍ବିଧାନ ଧାରା ୪୧ ରୁ ୪୩ ମଧ୍ୟରେ ନାଗରିକମାନଙ୍କୁ ନିମ୍ନଲିଖିତ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ଯଥା :
- ବେକାର, ବୁଦ୍ଧି , ଆକର୍ମଣ୍ୟ ଓ ରୁଗଣ ଲୋକମାନଙ୍କ ପାଇଁ ରାଷ୍ଟ୍ର ସମସ୍ତ ସହାୟତା ଓ ସାହାଯ୍ୟ ପ୍ରଦାନ କରିବ ।
- କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ଅବସର ବିନୋଦନ ପାଇଁ ସମସ୍ତ ଅନୁକୂଳ ବ୍ୟବସ୍ଥା ରାଷ୍ଟ୍ର ପ୍ରଦାନ କରିବ ।
- ଶିଳ୍ପାନୁଷ୍ଠାନ ପରିଚାଳନାରେ ଶ୍ରମିକମାନଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ ।
(ଖ) ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ
ଗାନ୍ଧୀଜୀଙ୍କ ଆଦର୍ଶ ଗୁଡିକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳିର ପ୍ରତିଫଳିତ ହୋଇଛି । ସମ୍ବିଧାନର ଧାରା ୪୨, ୪୬, ୪୭, ଓ ୪୮ ରେ ନିମ୍ନୋକ୍ତ ପ୍ରକାରେ ଏହା କୁହାଯାଇଛି ଯଥା :-
- ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ପାଇଁ ଦେଶର ପ୍ରତ୍ୟେକ ଅଞ୍ଚଳରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା କରାଯିବ ।
- କୁଟୀରଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରାଯିବ ।
- ଅନୁନ୍ନତ ବର୍ଗର ଲୋକମାନଙ୍କର ଶିକ୍ଷା ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଅଣାଯିବ ।
- ଔଷଧ ବ୍ୟତୀତ ଅନ୍ୟକ୍ଷେତ୍ରରେ ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ନିଷିଦ୍ଧ କରାଯିବ ।
- ରାଷ୍ଟ୍ର ଗୋହତ୍ୟା ନିବାରଣ କରିବ ।
- ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥିବା ପ୍ରତ୍ୟେକ ବାଳକ ଓ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବ ।
(ଗ) ଉଦାରବାଦି ନିର୍ଦ୍ଦେଶାବଳୀ
ସମ୍ବିଧାନର ଧାରା ୪୪,୪୯,୫୦, ୫୧ ରେ ପ୍ରଦତ୍ତ କେତୋଟି ଉଦାରବାଦୀ ନିର୍ଦ୍ଦେଶାବଳୀର ଉଦାହରଣ ନିମ୍ନରେ ଦିଆଗଲା ।
- ରାଷ୍ଟ୍ର ନ୍ୟାୟପାଳିକା ବିଭାଗକୁ କାର୍ଯ୍ୟପାଳିକା ବିଭାଗ ଠାରୁ ପୃଥକ ରହିବ ।
- ଭାରତରେ ସର୍ବତ ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳିତ ହେବ ।
- ଦେଶର କଳା, ସ୍ଥାପତ୍ୟ ଓ ଐତିହାସିକ ଗୁରୁତ୍ଵ ଥିବା ସ୍ଥାନଗୁଡିକ ସଂରକ୍ଷଣ ବ୍ୟବସ୍ଥା କରାଯିବ ।
- ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କ୍ଷେତ୍ରରେ ଉନ୍ନତି କରାଯିବ ।
- ଜଙ୍ଗଲ , ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ ଉପଯୁକ୍ତ ବ୍ୟବସ୍ଥା କରାଯିବ ।
- ଦେଶ ଦେଶ ମଧ୍ୟରେ ନ୍ୟାୟୋଚିତ ଓ ସମ୍ମାନଜନକ ସମ୍ପର୍କ ସ୍ଥାପନ କରାଯିବ ।
- ଆନ୍ତର୍ଜାତିକ ଆଇନ, ସମ୍ପାଦିତ ଚୁକ୍ତି ଓ ସନ୍ଧି ପତ୍ରକୁ ରାଷ୍ଟ୍ର ସମ୍ମାନ ପ୍ରଦର୍ଶନ କରିବ ।
- ରାଷ୍ଟ୍ର ମଧ୍ୟସ୍ଥତା ମାଧ୍ୟମରେ ଆନ୍ତର୍ଜାତିକ ବିବାଦଗୁଡିକର ସମାଧାନ କରିବ ।
- ଆନ୍ତର୍ଜାତିକ କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ନିମନ୍ତେ ରାଷ୍ଟ୍ର ଉଚିତ ପଦକ୍ଷେପ ଗ୍ରହଣ କରିବ ।
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ :
କେତେକ ସମାଲୋଚକ ମତରେ ଅଧିକାଂଶ ନିର୍ଦ୍ଦେଶାବଳୀ ଅବାସ୍ତବ ହେଲେ ମଧ୍ୟ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଯେଉଁ ବିଶେଷ ଗୁରୁତ୍ଵ ରହିଛି ତାହା ନିମ୍ନରେ ଆଲୋଚିତ ହୋଇଅଛି ।
- ଡାକ୍ତର ଆମ୍ବେଦକରଙ୍କ ମତରେ ଏହି ନିର୍ଦ୍ଦେଶାବଳୀର ମୂଲ୍ୟବୋଧ ଅଧିକ । ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠାରେ ଏହା ସହାୟକ ହୋଇଥାଏ ।
- ଗଣତାନ୍ତ୍ରିକ ସମାଜବାଦ ମାଧ୍ୟମରେ ଏକ ସୁଦୃଢ ସମାଜ ଗଠନ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ସହାୟକ ହୋଇଥାଏ ।
- ରାଷ୍ଟ୍ରରେ ସୁଶାସନ ପ୍ରତିଷ୍ଠା ଲାଗି ଏହି ନିର୍ଦ୍ଦେଶାବଳୀର ବିଶେଷ ମହତ୍ଵ ଓ ଗୁରୁତ୍ଵ ରହିଛି । ଏହି ନିର୍ଦ୍ଦେଶାବଳୀ ସୁଶାସନର ସାମର୍ଥ୍ୟ ମାପିବା ପାଇଁ ଏକ ନିର୍ଭରଯୋଗ୍ୟଜ ମାପକାଠି । ଯେଉଁ ସରକାର ଏହି ନିର୍ଦ୍ଦେଶାବଳୀ ପଳାନ୍ନ କରିବାରେ ଆନ୍ତରରିକତା ଦେଖାନ୍ତି ନାହିଁ , ସେମାନେ ଲୋକପ୍ରିୟତା ହରାଇ ବସନ୍ତି ।
- ବିଭିନ୍ନ ସମୟରେ ଉଲ୍ଲିଖିତ ନିର୍ଦ୍ଦେଶାବଳୀ ମଧ୍ୟରୁ ଅଧିକାଂଶ ଆମ ଦେଶରେ କାର୍ଯ୍ୟକାରୀ କରାଯାଇଛି । ଉଦାହରଣ ସ୍ୱରୂପ , ଜମିଦାରି ବ୍ୟବସ୍ଥା ଉଚ୍ଛେଦ କରାଯିବା ସହିତ ଭୂ-ସଂସ୍କାର ମାଧ୍ୟମରେ ଲୋକମାନଙ୍କର ମଙ୍ଗଳପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସେହିପରି ଦେଶରେ ପଞ୍ଚାୟତରାଜ ବ୍ୟବସ୍ଥା ପ୍ରଚଳନ ହେବା ସହିତ ଏହାର ଦୃଢୀକାରଣ କରାଯାଇଛି । ୭୩ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡିକ ଅଧିକ କ୍ଷମତା ପ୍ରଦାନ କରାଯାଇଛି ଓ ସେଗୁଡିକ ଲୋକାଭିମୁଖୀ କରାଯାଇଛି । ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପୌରପାଳିକାଗୁଡିକୁ ମଧ୍ୟ ଅଧିକ କ୍ଷମତା ଦିଆଯାଇଛି । ସମାଜର ଦୁର୍ବଳଶ୍ରେଣୀଗୁଡିକ ସ୍ଵତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି । ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ଅନୁସୂଚିତ ଜାତି, ଜନଜାତି , ପଛୁଆବର୍ଗଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ବ୍ୟାଙ୍କ ଜାତୀୟକରଣ ମାଧ୍ୟମରେ ଗରିବ ଶ୍ରେଣୀର ଲୋକମାନଙ୍କ ଅର୍ଥନୈତିକ ବିକାଶ ପ୍ରତି ଦୃଷ୍ଟି ଦିଆଯାଇଛି । ପାଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସରକାର କାର୍ଯ୍ୟକାରୀ କରୁଛନ୍ତି ।
କ୍ରମେ କ୍ରମେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ ବୃଦ୍ଧି ପାଉଛି । ସରକାର ସମ୍ବିଧାନରେ ୨୫ ତମ ସଂଶୋଧନ ଆଣି ନିର୍ଦ୍ଦେଶାବଳୀର ଆବଶ୍ୟକତା ଦେଶ ଗଠନ କ୍ଷେତ୍ରରେ ଅଧିକ ଥିବା ଦର୍ଶାଇଛନ୍ତି । ଏପରିକି କେଶବାନନ୍ଦ ଭାରତୀ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଛନ୍ତି ଯେ ଶାସନ କ୍ଷେତ୍ରରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।
ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା