অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲୋକକଳାକୁ ପ୍ରୋତ୍ସାହନ ଯୋଜନା, କଳାକାରଙ୍କୁ ମିଳିବ ସୁବିଧା

ଲୋକକଳାକୁ ପ୍ରୋତ୍ସାହନ ଯୋଜନା, କଳାକାରଙ୍କୁ ମିଳିବ ସୁବିଧା

ଲୋକକଳାକୁ ପ୍ରୋତ୍ସାହନ

ଲୋକକଳା ହେଉଛି ଗ୍ରାମାଂଚଳ ସାମାଜିକ ଜୀବନର ଏକ ଅଂଶ। ଏହା ସଂସ୍କୃତିର ବାର୍ତ୍ତା । ଜନଜୀବନର ପ୍ରତିଛବି ଏଥିରୁ ହିଁ ଜାଣିହୁଏ  ମନୋରଂଜନର ଏହା ଥିଲା ଏକ ବଳିଷ୍ଠ ମାଧ୍ୟମ । ଏବେ ମନୋରଂଜନର ବିଭିନ୍ନ ମାଧ୍ୟମ ଆସିଗଲା ପରେ ଲୋକ କଳା ପ୍ରତି ଆଗ୍ରହ କମିଯାଇଛି । ଅନେକ ଲୋକ କଳା ସମାଜରୁ ପୂରା ଲୋପ ମଧ୍ୟ ପାଇଗଲାଣି । ଧର୍ମୀୟ ଓ ଆଧ୍ୟାତ୍ମିକ ପରମ୍ପରା ସହ ଜଡିତ ଥିବା କିଛି ଲୋକକଳା ଏବେ ବି ଲୋକଙ୍କ ଆଗରେ ଦେଖିବାକୁ ମିଳୁଛି । ତେବେ ଲୁପ୍ତପ୍ରାୟ ଲୋକକଳାକୁ ପୁଣି ଥରେ ନୂଆ ଜୀବନ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ । ଏଥିପାଇଁ ଅନେକ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଛି ।

ପ୍ରଥମ ପଦକ୍ଷେପ ସ୍ୱରୂପ ଲୋକକଳାର କଳାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ଵୀକୃତି ପ୍ରଦାନ କରାଯିବ । ଯାହା ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ଲୋକକଳାକୁ ପ୍ରଚାର କରୁଥିବା ୮୩ ହଜାର ୫୪ ଜଣ କଳାକାର ଅଛନ୍ତି । ଏହି ସଂଖ୍ୟାକୁ ୩ ଲକ୍ଷରେ ପଂହଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପୁରୀର ଜଣେ ଲୋକ କଳାକାର ପ୍ରଫୁଲ ପ୍ରଧାନ କହନ୍ତି,ଜିଲ୍ଲା କିମ୍ବା ବ୍ଲକ କଳା ସଂସ୍କୃତି ସଂଘ ବିଷୟରେ ଗାଁରେ ଥିବା କଳାକାରମାନେ ଜାଣିପାରୁନାହାନ୍ତି । ପଂଚାୟତସ୍ତରରେ ସେମାନଙ୍କ ନିକଟରେ ସୂଚନା ଦେବାର ବ୍ୟବସ୍ଥା ହେବା ଦରକାର । ଏହା ହୋଇପାରିଲେ ଅଧିକରୁ ଅଧିକ ଲୁପ୍ତ ଲୋକକଳା ଦଳମାନଙ୍କୁ ସଂସ୍କୃତି ସଂଘ ଜରିଆରେ ପ୍ରୋତ୍ସାହନ ଦିଆଯାଇପାରିବ ।

କଳା ସଂସ୍କୃତି ସଂଘ ଗଠନ

ଲୋକକଳା ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ପ୍ରଚାର ପାଇଁ ୨୦୧୧ ମସିହା ଏପ୍ରିଲ୍ ୧ରେ କଳାକାର ସଂଘ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜିଲ୍ଲାସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତି ସଂଘ ଗଠନ କରାଯାଇଛି । ଏହି ଦୁଇଟି ସଂଘ ଦ୍ୱାରା ଲୋକକଳା ଦଳଗୁଡିକ ପରିଚାଳିତ ହେଉଛନ୍ତି । ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକରେ ୪୭୧ଟି ଲୋକକଳା ରହିଥିବା ଚିହ୍ନଟ କରାଯାଇଛି । ସେହିଭଳି ଏହି ସଂଘଗୁଡିକ ସହ ୭୪୮୨ଟି ଲୋକକଳା ଦଳ ଓ ୮୩୦୫୪ ଜଣ କଳାକାର ପଂଜିକୃତ ହୋଇଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିବା ଫଳରେ କଳାକାର ଓ ଅନୁଷ୍ଠାନଗୁଡିକର ସଂଖ୍ୟା ବଢି ଚାଲିଛି । ଏହାକୁ ନଜରରେ ରଖି ଆଉ ଦୁଇଟି କଳାକାର ସଂଘ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ସହରରେ ନଗର କଳା ସଂସ୍କୃତି ସଂଘ ଏବଂ ରାଜ୍ୟସ୍ତରରେ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯିବ ।

ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ କହିଛନ୍ତି,କଳାକାରଙ୍କୁ ଚିହ୍ନଟ କରିବା ଆମର ପ୍ରଥମ ପ୍ରାଥମିକତା ରହି ଆସିଛି । ତେଣୁ ସେମାନଙ୍କ ତଥ୍ୟ ଯୋଗାଡ କରିବା ପାଇଁ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ରାଜ୍ୟର ପ୍ରତ୍ୟେକଟି ଲୋକ କଳାଦଳ ଯେପରି ସଂସ୍କୃତି ସଂଘଗୁଡିକ ସହ ଜଡିତ ହେବେ, ସେଥିପାଇଁ ଆମେ ପ୍ରୟାସ କରୁଛୁ ।

କଳାକାରମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମାସରେ ଭିଡିଓ କନଫରେନସିଂ କରାଯାଉଛି । କଳା ପରିବେଷଣର ଶୈଳୀ ଉପରେ ଅବଗତ କରାଇବା ପାଇଁ ରାଜ୍ୟ ସମ୍ବଳ ବିକାଶ ଦଳ ଗଠନ କରାଯାଇ ବରିଷ୍ଠ ଗୁରୁଙ୍କ ଦ୍ୱାରା ତାଲିମ ଦିଆଯାଉଛି । କଳାର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ୟୁନିସେଫ୍ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେଉଛି । ଏହି ସଂସ୍କୃତି ସଂଘଗୁଡିକ ଠିକ୍ ରେ କାମ କଲେ ଅଧିକରୁ ଅଧିକ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରି ରୋଜଗାର କରିପାରିବେ ।

ଆଧାର -

"odia.yourstory.com/teamo"

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate